Unknown

 

 

 

 

 

 

 

 

 

 

 

ପରୋପକାରାୟ ପୁଣ୍ୟାୟ

ଗୀତା ହୋତା

 

ଲେଖିକାଙ୍କ ପ୍ରକାଶିତ ପୁସ୍ତକ

 

୧.

ଅପୂଜା ଫୁଲ (କ୍ଷୁଦ୍ରଗଳ୍ପ)

୨.

ବିଶ୍ୱାସ ଏକ ଅନ୍ଧଗଳି (କ୍ଷୁନ୍ଦ୍ରଗଳ୍ପ)

୩.

ମନ ବୀଣା (ଉପନ୍ୟାସ)

୪.

ରଂଗ ମଂଚ (କ୍ଷୁଦ୍ରଗଳ୍ପ)

୫.

ଏକା ଏକା ଈଶ୍ୱରୀ (କବିତା)

୬.

ମନ ମନ୍ଥନ (ଫିଚର)

୭.

ସବୁ ସ୍ମୃତି ମଧୁର(ଫିଚର)

୮.

ମଧୁକ୍ଷରା (ଫିଚର)

୯.

କ୍ରାନ୍ତି କାଳ (ଅନୁବାଦ ଉପନ୍ୟାସ)

୧୦.

ପ୍ରତିବେଶୀର ମୁହଁ (ଅନୁବାଦ ଗଳ୍ପ)

୧୧.

ବାଘୁଇର ଅଭିଯାନ (ଶିଶୁ ସାହିତ୍ୟ)

୧୨.

ଚୁନି ପାହାଡ଼ (ଶିଶୁ ସାହିତ୍ୟ)

୧୩.

ବୁଦ୍ଧି ଥିଲେ ଉପାୟ ଦିଶେ (ଶିଶୁ ସାହିତ୍ୟ)

☆☆☆

 

ନିଜ କଥା

 

ମୁଁ ବିଶ୍ୱାସ କରେ ଯେ, ସତ୍‌ଚିନ୍ତା ଓ ସତ୍‌କର୍ମ ମଣିଷକୁ ଈଶ୍ୱରଙ୍କ ନିକଟତର କରେ । ସେଥିପାଇଁ ମୁଁ ଭାବେ ଯେ ପୁଣ୍ୟ ଅର୍ଜନ କଲେ ଭଗ୍‌ବତ୍‌ ପ୍ରାପ୍ତି ସହଜ ହୁଏ । ପାପ କ’ଣ, ପୁଣ୍ୟ କଣ ଏ ବିଷୟରେ ବିସ୍ତୃତ ବାଖ୍ୟା କରିବା ମୋର ଉଦ୍ଦେଶ୍ୟ ନୁହେଁ । ତାହା ହେଉଛି ପଣ୍ଡିତମାନଙ୍କର କାମ । କିନ୍ତୁ ମୁଁ ମା’ ହୋଇଥିବାରୁ ସଂସାରକୁ ସେଇ ଦୃଷ୍ଟିରେ ଦେଖେ । ସମସ୍ତ ଲୋକ ମୋ ପରିବାରର ପରି ମନେହୁଏ । ଏଇ ଭାବନା ମୂଳରେ ଅଛି ଈଶ୍ୱରଙ୍କୁ ଭଲ ପାଇବା । ଶ୍ରୀମା କହିଛନ୍ତି ଯେ ଯାହାସବୁ କରୁଛ ସେସବୁ ଈଶ୍ୱରଙ୍କ କାମ ଭାବି ତାଙ୍କୁ ସର୍ମପଣ କର । ଏହା କଲେ କର୍ମଫଳ ଦେଇ ଚିନ୍ତା କରିବାକୁ ପଡ଼ିବ ନାହିଁ । ଭାଗବତରେ ଅଛି; ‘ପୁଣ୍ୟ ଅର୍ଜନେ ପୁଣ୍ୟ କରି । ପୁଣ୍ୟେ ପ୍ରାପତ ନରହରି ।’ ତେଣୁ ମୁଁ ଜ୍ଞାତ ସାରରେ ଅଧର୍ମ କରେ ନାହିଁ । ଜାଣି ଜାଣି କାହାରି ମନ୍ଦ ପାଞ୍ଚେ ନାହିଁ । ଯଥା ଶକ୍ତି ଲୋକଙ୍କ ଉପକାର କରେ । ଶାସ୍ତ୍ରରେ ଅଛି ଯେ, ‘ପରୋପକାରାୟ ପୁଣ୍ୟାୟ । ପାପାୟ ପରପୀଡ଼ନାମ୍‌।’ ପରୋପକାର କରିବା ହେଉଛି ପୁଣ୍ୟକାମ-। ପରକୁ ପୀଡ଼ା ଦବା ହେଉଛି ପାପ । ତେଣୁ ଜଣେ ସାଧାରଣ ଗୃହିଣୀ ଭାବେ ମୁଁ ପୂଜା ପ୍ରାର୍ଥନା କରିବା ସହିତ ସମସ୍ତଙ୍କର ମଙ୍ଗଳ କାମନା କରେ ।

 

ଲୋକସଂଖ୍ୟା ବଢ଼ିବା ସହିତ ପ୍ରାଚୁର୍ଯ୍ୟ ଯେତିକି ବଢ଼ୁଛି ଦୁଃଖଯନ୍ତ୍ରଣା ବି ସେହିପରି ବଢ଼ୁଛି । ସମାଜ କ୍ରମଶଃ ଜଟିଳ ହେଉଛି । ଧର୍ମନାମରେ ମଣିଷ ଅନ୍ୟର ତଣ୍ଟି କାଟିବା ପାଇଁ ପଛାଉ ନାହିଁ । ନିଜ ସୁଖ ପାଇଁ ଅନ୍ୟକୁ ଦୁଃଖ ଦବାପାଇଁ କାତର ହେଉନାହିଁ । ଏହି କାରଣରୁ ସ୍ୱାର୍ଥପରତା, ସଂକୀର୍ଣ୍ଣତା, ଇର୍ଷା, ଅହଂକାର ପ୍ରଭୃତି ବଢ଼ୁଛି । ପରିବାରର ଦାୟିତ୍ୱ ମୋ ଉପରେ । ମୋର ବିଶ୍ୱାସ ଜନ୍ମି ଯାଇଛି ଯେ ଭଲ କାମ କଲେ ଭଲ ଫଳ ମିଳିବ । ଖରାପ କାମ କଲେ ମନ୍ଦ ଫଳ ମିଳିବ । ଭଲ କାମ କରିବା ପାଇଁ କିଛି ତ୍ୟାଗ କରିବାକୁ ହୁଏ । ନିଜ ସ୍ୱାର୍ଥ ଭୁଲି ଅନ୍ୟମାନଙ୍କ ସ୍ୱାର୍ଥରକ୍ଷା କରିବାପାଇଁ ମନ ବଳେ । ପରୋପକାର ଠାରୁ ବଳି ପୁଣ୍ୟ କାର୍ଯ୍ୟ ଆଉ ନାହିଁ । ପରକୁ ପୀଡ଼ାଦବା ପରି ପାପକାର୍ଯ୍ୟ ମଧ୍ୟ ନାହିଁ । ପୁଣ୍ୟ ଅଛି ବୋଲି ଧର୍ମ ଅଛି, ଶୃଙ୍ଖଳା ଓ ବିଶ୍ୱାସ ଅଛି । ପୁଣ୍ୟକାର୍ଯ୍ୟ କରିବା ଦ୍ୱାରା ସମାଜ ସଂଗଠନ କାର୍ଯ୍ୟ କରିବା ସହଜ ହୁଏ ।

 

‘ପରୋପକାରାୟ ପୁଣ୍ୟାୟ’ ଲେଖିଲି ଏଇ ଉଦ୍ଦେଶ୍ୟରେ ଯେ ପାପ ନ କରି ସମସ୍ତେ ପୁଣ୍ୟ ଅର୍ଜନ ପାଇଁ ଚିନ୍ତା କରିବେ । ପୁଣ୍ୟ ଦ୍ୱାରା କେବଳ ଧର୍ମ ଅର୍ଜନ କରାଯାଏ ନାହିଁ, ଏହା ମଣିଷକୁ ଈଶ୍ୱରଙ୍କ ନିକଟତର କରେ । ଧର୍ମ, ଭାଷା ଓ ସଂସ୍କୃତି ଲୋକମାନଙ୍କୁ ଏକତ୍ରିତ କରିଥାଏ । ପୁଣ୍ୟକାର୍ଯ୍ୟ ବିନା ଧର୍ମରକ୍ଷା ଅସମ୍ଭବ । ସୁଂତରା ‘ପରୋପକାରାୟ ପୁଣ୍ୟାୟ’ ପୁସ୍ତକ ପାଠକମାନଙ୍କୁ ପୁଣ୍ୟକାର୍ଯ୍ୟରେ ବ୍ରତୀ କରିବାପାଇଁ ଯଦି ତିଳେ ମାତ୍ର ସହାୟକ ହୁଏ ତେବେ ମୁଁ କୃତାର୍ଥ ମନେ କରିବି ।

 

୯, ଷ୍ଟେସନ ସ୍କୋୟାର

-ଗୀତା ହୋତା-

ଭୁବନେଶ୍ୱର-୭୫୧୦୦୧

 

☆☆☆

 

ସୂଚୀପତ୍ର

 

୧.

ବଡ଼ା ହୁଆ ତୋ କ୍ୟା ହୁଆ

୨.

ପ୍ରସାଦ ବାଣ୍ଟିଣ ଖାଇବ ଅଳ୍ପ ବହୁତ ନ କହିବ

୩.

ଭାଗ୍ୟ ଦୋଷେ ନଳରାଜା କାଟେ ଘୋଡ଼ା ଘାସ

୪.

ଯାହାର ଯେତେ ସମ୍ପତି ସେତେ ସମ୍ମାନ ଓ ପ୍ରତିପତ୍ତି

୫.

ମହାଭାରତର ବକ-ଯୁଧିଷ୍ଠିର କଥା

୬.

ସ୍ୱାଭିମାନର ଭୂମି ରାଉରକେଲା

୭.

ସ୍ୱାଧିନତାର ଭାଷା ପରିବର୍ତ୍ତନ

୮.

ସାହିତ୍ୟରେ ନୂତନ ସ୍ୱର

୯.

ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ

୧୦.

ହିନ୍ଦୁ ନବଜାଗରଣ

୧୧.

ଆଦିବାସୀ ଆମ ଲୋକ

୧୨.

ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ

୧୩.

ପ୍ରକୃତି ବିରୋଧରେ ମଣିଷ

୧୪.

ରାଜନୀତିର ଅଭୁଲା ସ୍ମୃତି

୧୫.

‘ସବ୍‌କେ ମାଲିକ୍‌ ଏକ ହେ’

୧୬.

ତରୁଣ ଭାରତର ଭବିଷ୍ୟତ

୧୭.

ଲକ୍ଷ୍ମୀପୁରାଣର ଅମର କଥା

୧୮.

ଚିତ୍ର ପ୍ରତିମା ପରି ଦିଶୁ ସୁନ୍ଦର

୧୯.

ବାନ୍ଧି ହୋଇ ବଞ୍ଚନାହିଁ, ବାହାରକୁ ଆସ

୨୦.

ସମାଜ ଓ ସଂସାର ଉଜୁଡ଼ି ଯାଉଛି

୨୧.

କଳିଯୁଗର ଅନ୍ତ ମଣିଷ ହାତରେ

୨୨.

ଜଗନ୍ନାଥ ଭଲେ ବିରାଜୋ ଜୀ

୨୩.

କୋଟିକରେ ଦାୟ ନା ଗୋଟିକରେ?

୨୪.

ବିଶ୍ୱାସେ ମିଳଇ ହରି

୨୫.

ମାୟାବତୀଙ୍କ ଉଚ୍ଚାଶା ଏବଂ ମହିଳାମାନଙ୍କ ପ୍ରସଙ୍ଗ

୨୬.

ପରିବାର ଭାଙ୍ଗିବା ଅନ୍ତରାଳେ

୨୭.

ମହିଳା ଶକ୍ତି ଜାଗ୍ରତ ହେଉ

୨୮.

ପରୋପକାରାୟ ଇଦଂ ଶରୀର

୨୯.

ସତ କହିବାକୁ କିଆଁ ଡରିବି

୨୯.

ପାପାୟ ପର ପୀଡ଼ନମ୍‌

୩୦.

ନବବର୍ଷ–ସାଧାରଣ ଲୋକଙ୍କ ଭାଗ୍ୟ

୩୧.

ଭାରତୀୟ ସାଂସ୍କୃତିକ ପରମ୍ପରା

୩୨.

ଅନଳ ଯେସନ ପତଙ୍ଗ

୩୩.

ପ୍ରଳୟ କାଳଆସନ୍ନ

୩୪.

ମର୍ତ୍ତ୍ୟରେ ଅନେକ ଈଶ୍ୱର

୩୫.

ମୁଁ ପୁରାଣ କାହିଁକି ପଢ଼େ ?

୩୬.

ମହାମୋହ ମହାମାୟା

☆☆☆

 

ବଡ଼ା ହୁଆ ତୋ କ୍ୟା ହୁଆ

 

ଆମ ସମାଜରେ ଅନେକ ପ୍ରକାର ଲୋକ ଅଛନ୍ତି । ସେମାନଙ୍କୁ ଜାତି ଧର୍ମ ଶିକ୍ଷିତ ଅଶିକ୍ଷିତ ଧନୀ ଓ ଗରିବ ଭାବେ ବାଣ୍ଟି ଦିଆଯାଇପାରେ । କିନ୍ତୁ ମୁଁ ଏବର ଏଇ ସାମାଜିକ ଜଟିଳତା ବିଷୟ ଚର୍ଚ୍ଚା ନ କରି କେବଳ ଲୋକଙ୍କ ମଧ୍ୟରେ ଥିବା ବଡ଼ିମା ଓ ବିଭାଜନ କଥା କହିବି-। ସ୍ଥୂଳଦୃଷ୍ଟିରୁ ମୁଁ ସେମାନଙ୍କୁ ଉପର ଲୋକ ଓ ତଳ ଲୋକ ଏଇ ଦୁଇ ଗୋଷ୍ଠୀରେ ବିଭକ୍ତ-। ଅବଶ୍ୟ ଉପରେ ଥିବା ଲୋକମାନଙ୍କ ମଧ୍ୟରୁ ସମସ୍ତେ ଯେପରି ଶିକ୍ଷିତ, ସଂଭ୍ରାନ୍ତ ଓ ଉଦାର ନୁହନ୍ତି ତଳେଥିବା ସବୁଲୋକଙ୍କ ମଧ୍ୟରୁ ସମସ୍ତେ ଗରିବ, ନିରକ୍ଷର ଓ ସଂକୀର୍ଣ୍ଣମନା ନୁହନ୍ତି-। ଜଣେ ଗରିବ ହେଲେ ବି ଶିକ୍ଷିତ ଏବଂ ଉଚ୍ଚମନା ହୋଇପାରେ । ଜଣେ ଧନୀ ଲୋକ ଭିକ ମୁଠାଏ ଦବାପାଇଁ କୁଣ୍ଠା କରୁଥିବାବେଳେ ଜଣେ ଗରିବ ଲୋକ ଭିକାରି ଖାଇଛି କି ନାହିଁ ଭଲମନ୍ଦ ବୁଝି ତାକୁ ଭୋଜନ ଦେଇପାରେ । ସବୁ ନିର୍ଭର କରେ କାହାର ମନ କେତେ ଉଚ୍ଚ ଓ ନିର୍ମଳ ତାହାରି ଉପରେ । ଧନୀ ଓ ସଂଭ୍ରାନ୍ତ ଏବଂ କ୍ଷମତାଶାଳୀ ଅନେକ ଅଛନ୍ତି । ସେମାନଙ୍କୁ ବଡ଼ ବଡ଼ ଲୋକ ବୋଲି ସାଧାରଣ ଲୋକମାନେ କହନ୍ତି । ସେହିପରି ଅନେକ ବଡ଼ଲୋକଙ୍କୁ ମୁଁ ଦେଖିଛି ଯେଉଁମାନେ ଶୋଷାର୍ତ୍ତକୁ ପାଣି ଗିଲାସେ ବା କ୍ଷୁଧାର୍ତ୍ତକୁ ଭାତପତରେ ଦବା ପାଇଁ ହାତ ବଢ଼ାନ୍ତି ନାହିଁ । ସେମାନେ ବଡ଼ ଲୋକ ହୋଇଥିବାରୁ ସାନ ସାନ ତଳେ ଥିବା ଲୋକମାନଙ୍କୁ ସ୍ନେହ ଆଦର କରିବା ଦୂରେ ଥାଉ ସେମାନଙ୍କୁ ଘୃଣା କରନ୍ତି । ଆମେ ନାଗପୁରରେ ଥିଲୁ ଦୁଇ ବରଷ-। ସେତେବେଳେ ଆମ ବଙ୍ଗଳାର ଆଉଟ୍‌ହାଉସ୍‌ରେ କେତେଜଣ ତଳିଆ କର୍ମଚାରୀ ରହୁଥିଲେ-। ସେମାନଙ୍କ ମଧ୍ୟରୁ ରାମୁ ଧୋବା ଥିଲା ଅନ୍ୟତମ । ରାମୁ ଧୋବା ହେଲେ ବି ଖଲାସି କାମ କରେ-। ବଳକା ସମୟରେ ଲୁଗା ସଫାକରି ଗୁଜୁରାଣ ମେଣ୍ଟାଏ । ତା ପୁଅ ବାହାଘରକୁ ଆମକୁ ନିମନ୍ତ୍ରଣ କରିଥିଲା । ସେ ଭାବି ନ ଥିଲା ଯେ ଆମେ ତା ଛୋଟ ଏକକୋଠରି ବିଶିଷ୍ଟ ଘରକୁ ଯିବୁ-। କିନ୍ତୁ ସନ୍ଧ୍ୟାବେଳେ ମୁଁ ଆଉ ସାତକଡ଼ି ବାବୁ ତା’ ଘରକୁ ଗଲୁ । ସେ ଚମକି ପଡ଼ିଲା । ସାହିଲୋକ ଠୁଳ ହୋଇଗଲେ । ଦୁଇଟା କାଠ ଚୌକି ଆଣି ପକାଇ ଦେଲା ଏବଂ ଆମକୁ ଲଡ଼ୁ ଓ ସରବତ ପରଷିଲା । ତା ପୁଅ ଓ ବୋହୂ ମୁହଁ ଦେଖିଲୁ ଏବଂ ଉପହାର ଦେଲୁ । ଆମକୁ ବିଦାୟ ଦବାବେଳେ କାନ୍ଦ କାନ୍ଦ ହୋଇ କହିଲା ରାମୁ– ‘ମୁଁ ବାପୁଡ଼ା ହଜୁରଙ୍କ ଚର୍ଚ୍ଚା କରି ପାରିଲି ନାହିଁ । ହେଲେ ଏଇକଥା ମନେ ରହିବ ବଞ୍ଚିଥିବା ପର୍ଯ୍ୟନ୍ତ । ଏଇ ପ୍ରଥମ ବଡ଼ଲୋକଙ୍କ ପାଦ ପଡ଼ିଲା ଆମ ଘରେ... । ’ କଥାରେ କହନ୍ତି ପଦେ କଥାରେ ହୃଦୟ ଜିଣିହେବ । ବର୍ଣ୍ଣବୋଧରେ ଲେଖାଯାଇଛି ଯେ ‘ମଧୁର ବିନୟ ବଚନ । କହି ତୋଷିବ ପ୍ରାଣୀ ମନ ।’ ମୁଁ ତାକୁ କହିଲି ଯେଉଁମାନେ କେବଳ ଧନୀ, କ୍ଷମତାଶାଳୀ ସେମାନେ ବଡ଼ଲୋକ ନୁହନ୍ତିରେ ରାମୁ । ସମାଜର ହିତ କରୁଥିବା, ଗରିବ ଦୁଃଖିରଙ୍କିଙ୍କୁ ସେବା କରୁଥିବା ଲୋକହିଁ ପ୍ରକୃତରେ ବଡ଼ । ସନ୍ଥ କବୀର ପରା କହିଥିଲେ—

 

ବଡ଼ା ହୁଆ ତୋ କ୍ୟା ହୁଆ

ଯୈସେ ପେଡ଼୍‌ ଖଜୁର୍‌,

ପଥିକ୍‌ କୋ ଛାୟା ନମିଲେ

ଫଲ୍‌ ରହେ ଦୂର୍‌ ।

 

ଅର୍ଥାତ୍‌ ଖଜୁରୀ ଗଛପରି ଉଚ୍ଚ ବଡ଼ ଲୋକମାନେ ପ୍ରକୃତରେ ବଡ଼ ନୁହନ୍ତି । କାରଣ ଖଜୁରୀ ଗଛର ଛାଇ ନଥାଏ କ୍ଳାନ୍ତ ପଥିକକୁ ଛାଇ ଦବାପାଇଁ ଏବଂ ଫଳ ଏତେ ଉଚ୍ଚରେ ଥାଏ ଯେ ତାହା ତୋଳିବା ପାଇଁ ତା ହାତ ପାଏ ନାହିଁ ।

 

ରାମୁ ହାତ ଯୋଡ଼ି ଛିଡ଼ା ହୋଇ ରହିଥାଏ ଆମେ ବିଦାୟ ନବାବେଳେ । ଆମ ସମାଜରେ ଅନେକ ଭଲ ପରମ୍ପରା ଦୀର୍ଘକାଳରୁ ଚଳି ଆସୁଛି । ସେହି ପରମ୍ପରା ଆମ ସ୍ପର୍ଦ୍ଧିତ ସଂସ୍କୃତିର । ଆମ ଦେଶର ସଭ୍ୟତା ଓ ସଂସ୍କୃତି ଅତି ପୁରୁଣା । ତେଣୁ ଦୀର୍ଘକାଳ ଧରି ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ଚଳି ଆସିଛି । ସେଥିରୁ କେତେକରେ କଳଙ୍କି ଲାଗି ଯାଇଥିଲେ ମଧ୍ୟ ଅନେକ ଏପର୍ଯ୍ୟନ୍ତ ଜୀବନ୍ତ । ସହିଷ୍ଣୁତା, ନୈତିକତା, ସତ୍ୟନିଷ୍ଠା, ନମ୍ରତା, ସରଳତା ଓ ନିର୍ମଳତା ଏବଂ ଉଚ୍ଚଚିନ୍ତା ଏ ସମସ୍ତ ଉଚ୍ଚକୋଟୀର ଗୁଣ । ସେହିପରି ପରୋପକାର, ଅତିଥି ସେବା ଏବଂ ଧର୍ମପ୍ରତି ଅନୁରାଗ । ଅତୀତରେ ଯେଉଁମାନେ କେବଳ ବିତ୍ତଶାଳୀ ଓ କ୍ଷମତାଶାଳୀ ସେମାନଙ୍କୁ ବଡ଼ କୁହାଯାଉ ନ ଥିଲା । କିନ୍ତୁ ଯେଉଁମାନେ ଉତ୍ତମଗୁଣର ଅଧିକାରୀ ଥିଲେ ସେମାନେ ଥିଲେ ମହାନ ଓ ପୂଜନୀୟ । କବୀରଙ୍କ କବିତାରୁ ପଂକ୍ତିଏ ଏଥିପାଇଁ ଉଦ୍ଧାର କଲି ଯେ ଆଜିକାଲି ବଡ଼ ଲୋକ ବୋଲି ଯେଉଁମାନେ ପରିଚିତ ଓ ପ୍ରତିଷ୍ଠିତ ସେମାନେ ଖଜୁରୀଗଛ ପରି ଉଚ୍ଚ । କିନ୍ତୁ ଖଜୁରୀ ଗଛର ଯେପରି ଛାଇ ନ ଥାଏ କି ଫଳ ହାତ ପାହାନ୍ତାରେ ନଥାଏ ସେହିପରି ସେମାନଙ୍କ ଉଚ୍ଚପଣ କାହାରି କାମରେ ଲାଗେ ନାହିଁ ।

 

ମହାଭାରତର ଗୋଟିଏ ଉଦାହରଣ ଦେବି । ମହାଭାରତ ଯୁଦ୍ଧ ଶେଷ ହେଲା ଏବଂ ଯୁଧିଷ୍ଠିର ସମ୍ରାଟ ହେଲେ । ରାଜସୂୟ ଯଜ୍ଞର ଆୟୋଜନ କରାଗଲା । ଯୁଧିଷ୍ଠିର ଅତି ନମ୍ରତାର ସହିତ ଶ୍ରୀକୃଷ୍ଣଙ୍କୁ କହିଲେ, ‘ମୁନିଋଷି, ରାଜାମହାରାଜା, ସାଧୁସନ୍ଥ ଏବଂ ଅନେକ ଗୁଣିଲୋକ ଆସିବେ । ସେମାନଙ୍କର କିପରି ସ୍ୱାଗତ ଏବଂ ସମ୍ବର୍ଦ୍ଧନା କରାଯିବ ତାହା ଭାବି ମୁଁ ବିଚଳିତ ହେଉଛି । କିଛି ତ୍ରୁଟି ହେଲେ ଲଜ୍ଜାରେ ମଥା ନଇଁଯିବ ।’ ଶ୍ରୀକୃର୍ଷ୍ଣ କହିଲେ ‘ଆପଣ ସେମାନଙ୍କ ରହିବା, ଖାଇବା ପାଇଁ ବ୍ୟବସ୍ଥା କରନ୍ତୁ । ସେମାନଙ୍କୁ ସ୍ୱାଗତ ଓ ସେବା କରିବା ଦାୟିତ୍ୱ ମୋତେ ଦିଅନ୍ତୁ । ଏହା ହେଉଛି ସବୁଠାରୁ କଷ୍ଟକର କାର୍ଯ୍ୟ । ତେଣୁ ଏ କାର୍ଯ୍ୟ ମୁଁ କରିବି ।’

 

ଶ୍ରୀକୃଷ୍ଣ ରାଜପ୍ରାସାଦର ଅଭ୍ୟର୍ଥନା କକ୍ଷରେ ଜଣ ଜଣ କରି ସମସ୍ତଙ୍କୁ ସ୍ୱାଗତ କଲେ ଏବଂ ଯଥାସାଧ୍ୟ ସେବା ଓ ସମ୍ବର୍ଦ୍ଧନା ଲେକ ମଧ୍ୟ କଲେ । ମୁନିଋଷି ସାଧୁସନ୍ଥମାନଙ୍କ ପାଦ ଧୋଇ ନିଜ ଉତ୍ତରୀୟରେ ପୋଛିଦେଲେ, ମଧୁର ବିନୟ ବଚନ କହି ସେମାନଙ୍କ ମନ ତୋଷିଲେ । ରାଜାମହାରାଜାମାନଙ୍କୁ ମଧ୍ୟ ଯଥାର୍ଥ ସମ୍ବର୍ଦ୍ଧନା ଦେଲେ । ଶ୍ରୀକୃଷ୍ଣ ହେଉଛନ୍ତି ଦ୍ୱାରକାର ରାଜା । ସର୍ବଗୁଣ ପରିପୂର୍ଣ୍ଣ । ସେ ମଧ୍ୟ ମହାବୀର । ତେଣୁ ତାଙ୍କ ସ୍ୱାଗତ ସମ୍ବର୍ଦ୍ଧନାରେ ଖୁସି ହୋଇ ସାଧୁ ସନ୍ଥ ଧନ୍ୟ ଧନ୍ୟ କଲେ । ମହାତ୍ମା ଗାନ୍ଧି ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ କଟକରେ ମଧୁସୂଦନ ଦାସଙ୍କ ଅତିଥି ହୋଇଥିଲେ । ମଧୁବାବୁଙ୍କ ସହିତ ଦେଶର ନାନା ବିଷୟ ଆଲୋଚନା କଲେ ଏବଂ ମଧୁବାବୁଙ୍କ ଜ୍ଞାନ, ଗୁଣ ଓ ଦେଶ ସେବାର ପ୍ରଂଶସା ମଧ୍ୟ କଲେ । ଏମାନଙ୍କୁ ବଡ଼ ଲୋକ ବା ମହାନ୍‌ଲୋକ କହିବାରେ ଦ୍ୱିଧା ନାହିଁ ।

 

ଆମ ସଂସ୍କୃତିରେ ନମ୍ରତା, ନିରହଂକାର ଭାବ ଓ ସରଳତାକୁ ଉଚ୍ଚସ୍ଥାନ ଦିଆଯାଇଛି । ଲୋକ ଚରିତ୍ର ଗଠନ କରିବା ହେଉଛି ଶିକ୍ଷକ, ସାଧୁସନ୍ଥ ଓ ନେତାମାନଙ୍କ କାର୍ଯ୍ୟ । ସେମାନେ ପ୍ରେରଣା ଦିଅନ୍ତି ଲୋକଙ୍କୁ । ସହିଷ୍ଣୁତା ଅତି ମହାନ୍‌ଗୁଣ, ସେହିପରି ଅହଂକାରଶୂନ୍ୟ ଭାବ । ଅନ୍ୟମାନଙ୍କ ସହିତ ବ୍ୟବହାର କଲାବେଳେ ସେମାନଙ୍କୁ ବାଧିଲା ପରି କିଛି କହିବ ନାହିଁ । ନିଜର ଅଭିମାନକୁ ଢାଙ୍କିରଖି ସେମାନଙ୍କୁ ପ୍ରସନ୍ନ କରିବ । ଅନେକ ଲୋକ ଧନ, କ୍ଷମତା ପାଇଁ ଗର୍ବ କରନ୍ତି । ଗର୍ବ, ଅହଂକାର ସଂସ୍କୃତି ବିରୋଧି । ରାବଣ, ଦୁର୍ଯ୍ୟୋଧନ ଏମାନେ ନିଜର ଗର୍ବ ଓ ଅହଂକାର ପାଇଁ ଦଣ୍ଡ ପାଇଲେ । ସେଥିପାଇଁ ସେମାନଙ୍କୁ ଅନୁକରଣ ନ କରିବା ପାଇଁ ଶାସ୍ତ୍ର ମଧ୍ୟ କହିଛି ।

 

କଥାରେ ଅଛି– ‘ ଅତି ଦର୍ପେ ହତ ଲଙ୍କା, ଅତି ମାନେଚ କୌରବାଃ, ଅତି ଦାନେ ବଳିବର୍ଦ୍ଧ ଅତି ସର୍ବତ୍ର ଗର୍ହିତମ୍‌’। ଦକ୍ଷ ଓ ଅହଙ୍କାର ଯୋଗୁଁ ରାବଣ ଭୁଲ୍‍ କାମ କରିବି ଠିକ୍‌ କରିଛି କହିଲାରୁ ତାକୁ ଦଣ୍ଡ ଦେଲେ ଶ୍ରୀରାମଚନ୍ଦ୍ର । ସେହିପରି ଦୁର୍ଯ୍ୟୋଧନ ସମସ୍ତଙ୍କଠାରୁ ବଡ଼ ବୋଲି ନିଜକୁ ମନେ କରୁଥିଲା । ନିଜର ମହତ୍ତ୍ୱ ବଢ଼ାଇବା ପାଇଁ ଭଲ କାମ ନ କରି ପଶାଖେଳରେ ଛନ୍ଦକରି ପାଣ୍ଡବମାନଙ୍କୁ ହରାଇ ଦ୍ରୌପଦୀଙ୍କୁ ଲଜ୍ୟା ଦବାରୁ ସେ ଯୁଦ୍ଧରେ ନିହତ ହେଲା । ବଳି ମହାଦାନୀ । ଶ୍ରୀକୃଷ୍ଣ ଆସିବାରୁ ବଳି କହିଲା ଆପଣ ଯାହା ମାଗିବେ ଦେବି । ଶ୍ରୀକୃଷ୍ଣ କହିଲେ ମୁଁ ତିନୋଟି ଚିଜ ମାଗିବି । ପ୍ରଥମେ ଭୂମି ଓ ତା’ପରେ ଆକାଶ ମୋତେ ଦିଅନ୍ତୁ । ବଳି କହିଲେ ସବୁ ଦେଲି । ଶ୍ରୀକୃଷ୍ଣ କହିଲେ କିନ୍ତୁ ମୋର ତୃତୀୟ ପାଦ ରଖିବା ପାଇଁ ସ୍ଥାନ କାହିଁ ? ବଳି ନିଜର ଭୁଲ ବୁଝିପାରିଲେ ଏବଂ କହିଲେ ମୋ ଛାତି ଉପରେ ତୃତୀୟ ପାଦ ରଖନ୍ତୁ । ବଳି ନିହତ ହେଲେ ସତ, କିନ୍ତୁ ସ୍ୱର୍ଗକୁ ଗଲେ । ଅତି ବେଶୀ ଭଲ ନୁହେଁ । ଅତିବେଶୀ ବୋଲି ନିଜକୁ ଭାବିବା ଆଦୌ ଭଲଗୁଣ ନୁହେଁ । ଦିନେନା ଦିନେ ସେହି ଦର୍ପ ଅହଂକାର ଭଗବାନ ଚୂର୍ଣ୍ଣ କରନ୍ତି ।

 

ପ୍ରାଚୀନ ଭାରତୀୟ ସମାଜ ଅନେକ ବଦଳି ଯାଇଛି । ‘ପରୋପକାରାୟ ପୁଣ୍ୟାୟ’, ସବୁଠାରୁ ଶକ୍ତିଶାଳୀ ମହାବାକ୍ୟ ଥିଲା ସେ କାଳରେ । ଏବେ ତ ‘ପାପାୟ ପରପୀଡ଼ନମ୍‌’ ଆଚାରରେ ପରିଣତ ହୋଇଛି । ପରକୁ ଲାଞ୍ଛନା ଦବା, ପରର ସମ୍ପତି ଲୁଟ କରିବା ଏବଂ ନିଜେ ଉପରକୁ ଉଠିବା ପାଇଁ ପରକୁ ପୀଡ଼ା ଦେବା ଲୋକଙ୍କର ଚଳଣିରେ ପଡ଼ିଯାଇଛି । ଏହି କାରଣରୁ ଶାସ୍ତ୍ରବଚନ ଓ ବାସ୍ତବତା ମଧ୍ୟରେ ଏତେ ଆକାଶ ପାତାଳ ଫରକ । ହସ ହସ ମୁହଁ ଦେଖିବାକୁ ମିଳୁନାହିଁ । ଉଗ୍ରଭାବ ପ୍ରାଧାନ୍ୟ ପାଇଛି । ବନ୍ଧୁମାନେ ଦୃଷ୍ଟିରେ ପଡ଼ୁନାହାନ୍ତି । ସବୁଠାରେ ଶତ୍ରୁତା । ମାଡ଼ଗୋଳ ହିଂସା । ଯିଏ ମିତ୍ରବୋଲି କହି ବୁଲୁଥିଲା ସେ ସାମାନ୍ୟ ସ୍ୱାର୍ଥପାଇଁ ଶତ୍ରୁ ହୋଇଗଲା । କିଏ ପ୍ରକୃତରେ ବନ୍ଧୁ ତାହା ମଧ୍ୟ ପୂର୍ବଜମାନେ କହିଯାଇଛନ୍ତ । କୁହାଯାଇଛି— ‘ଆହାରେ, ବିହାରେ ଚୈବ ବ୍ୟସନେ ରାଷ୍ଟ୍ରବିଳ୍ପବେ, ରାଜଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସଃ ବାନ୍ଧବଃ ।’ ଅର୍ଥାତ୍‌ ଆହାର କରିବା ବେଳେ, ବୁଲିବା ବେଳେ, ବ୍ୟସନ ଓ ବିପ୍ଳବ ସମୟରେ ଏବଂ ରାଜଦ୍ୱାରରେ ଓ ଶ୍ମଶାନରେ ଯିଏ ପାଖେ ପାଖେ ଥାଏ ସେଇ ହିଁ ପ୍ରକୃତ ବନ୍ଧୁ । ବର୍ତ୍ତମାନ ବନ୍ଧୁତ୍ୱ ସ୍ୱାର୍ଥଜଡ଼ିତ । ନିଃସ୍ୱାର୍ଥଭାବ ନାହିଁ ।

 

ମଣିଷ ଜୀବନ ଅସ୍ଥାୟୀ । ଆଜି ଅଛି କାଲିକି ନାହିଁ । ତଥାପି ଏତେ ଗର୍ବ ଅହଂକାର କାହିଁକି ? ପୃଥିବୀର ଜଣେ ମାତ୍ର କର୍ତ୍ତା । ସେ ହେଉଛନ୍ତି ପରମେଶ୍ୱର । ମହାପ୍ରଭୁ ଜଗନ୍ନାଥ ଭକ୍ତର ଡାକ ଶୁଣି ପ୍ରତିକାର କରୁଥିବାବେଳେ ଛାର ମଣିଷ କ’ଣ ଏତେ ବଡ଼ ଯେ ଦମ୍ଭ, ଅହମିକା ନେଇ ବଞ୍ଚିବ ! ଜୀବ ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ । ପ୍ରତିଦିନ ଯେପରି କୋଟି କୋଟି ଲୋକ ଜନ୍ମୁଛନ୍ତି ସେହିପରି କୋଟି କୋଟି ବି ମରୁଛନ୍ତି । ଯାବତ୍‌ ଚନ୍ଦ୍ରାର୍କେ କେହି ବଞ୍ଚିନାହିଁ । ଏପରିକି ଅବତାରମାନେ ମଧ୍ୟ ଖେଳାଲୀଳା ଶେଷକରି ବାହୁଡ଼ି ଯାଉଛନ୍ତି ନିଜ ସ୍ଥାନକୁ । ଈଶ୍ୱର କିନ୍ତୁ ନିତ୍ୟ ଚିରନ୍ତନ । ତଥାପି ତାଙ୍କୁ ସ୍ମରଣ ନକରି, ତାଙ୍କ ପାଦପଦ୍ମରେ ନିଜକୁ ସମର୍ପଣ ନକରି, ସେ ବାହାରିଛି ରାଜଥାଟ ନେଇ ନିଜର ପ୍ରଭାବ ପ୍ରତିପତ୍ତି ବଳରେ ସମସ୍ତଙ୍କୁ ସାବାଡ଼ କରିବା ପାଇଁ । ପାଣ୍ଡବମାନେ ବନବାସରେ ଥିଲେ । ଦିନେ ବାଟରେ ଯିବାବେଳେ ଦ୍ରୌପଦୀଙ୍କୁ ଶୋଷ ହେବାରୁ ଜଳାଶୟ ଖୋଜି ଖୋଜି ଜଣେ ଜଣେ ଗଲେ ଜଳ ଆଣିବା ପାଇଁ । ଭୀମ, ଅର୍ଜୁନ, ନକୁଳ ଓ ସହଦେବ କେହି ଫେରିଲେ ନାହିଁ । ଶେଷରେ ଗଲେ ଧର୍ମରାଜ ଯୁଧିଷ୍ଠିର । ଜଳାଶୟ ନିକଟରେ ପହଞ୍ଚି ଚାରିଭାଇଙ୍କୁ ମରିପଡ଼ିଥିବା ଦେଖି ବିସ୍ମିତ ହେଲେ । ପାଣି ଆଞ୍ଜୁଳାଏ ନବା ପାଇଁ ହାତ ବଢ଼ାଇବାବେଳକୁ ବକ କହିଲେ—ହେ ଧର୍ମରାଜ ଯୁଧିଷ୍ଠିର ! ମୋ ପ୍ରଶ୍ନର ଉତ୍ତର ନ ଦେଇ ଏଇ ଜଳାଶୟରୁ ଜଳନବା ପାଇଁ ତୁମ ଭାଇମାନେ ଚେଷ୍ଟା କଲାରୁ ଜଣ ଜଣ କରି ଚାରିଜଣ ମଲେ । ତୁମେ ମୋ ପ୍ରଶ୍ନର ଉତ୍ତର ଦିଅ, ତା’ପରେ ଜଳାଶୟରୁ ଜଳ ନବ । ଯୁଧିଷ୍ଠିର ବକଙ୍କୁ କହିଲେ— ‘ମହାତ୍ମା ! ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ମୁଁ ପ୍ରସ୍ତୁତ । ଆପଣ ପ୍ରଶ୍ନ କରନ୍ତୁ । ’ ଯୁଧିଷ୍ଠିର ଟିକେ ଚିନ୍ତାକରି କହିଲେ, ‘ହେ ମହାତ୍ମା ! ସମସ୍ତେ ଜାଣନ୍ତି ଯେ ଜୀବନ ଅସାର, ଅନିତ୍ୟ । ଜନ୍ମ ହେଲେ ମରିବାକୁ ହୁଏ । ଆଖି ଆଗରେ ପ୍ରତି ମୁହୂର୍ତ୍ତରେ ଶହ ଶହ ମଣିଷ ମରୁଥିବା ଦେଖି ମଧ୍ୟ ସେ ଭାବେ ଯେ ସେ ବଞ୍ଚିବ। ଜୀବନ ଅନିତ୍ୟ ଜାଣି ମଧ୍ୟ ଏପରି ବ୍ୟବହାର କରୁଥିବା ହିଁ ସବୁଠାରୁ ଆଶ୍ଚର୍ଯ୍ୟ ।’ ବକ ସନ୍ତୁଷ୍ଟ ହେଲେ ଏବଂ ଯୁଧିଷ୍ଠିର ସବୁ ପ୍ରକାର ଉତ୍ତର ଦେବାପରେ ଜଳନେବା ପାଇଁ ଅନୁମତି ପାଇଲେ ।

 

ଅନେକ ଲୋକଙ୍କୁ ନେଇ ସମାଜ ଗଠିତ ହୋଇଛି । କିନ୍ତୁ ଜ୍ଞାନ, ଧନ, ସମ୍ପତ୍ତି, ଶକ୍ତି ସମସ୍ତଙ୍କର ସମାନ ନୁହେଁ । ତଥାପି ସମସ୍ତଙ୍କର ସ୍ୱାଭିମାନ ଅଛି । କାହାକୁ ନ୍ୟୁନ, ନୀଚ ମନେ ନ କରି ସମସ୍ତଙ୍କୁ ଆଦର କରିବ । ଦୀନଦରିଦ୍ରଙ୍କୁ ସାହାଯ୍ୟ କରିବ, ରୋଗୀର ସେବା ଏବଂ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିବ । କେବେ ହେଲେ ଭାବିବ ନାହିଁ ଯେ ଏଇ ମଳି ମୁଣ୍ଡିଆ, ନିରକ୍ଷରମାନେ ତୁମଠାରୁ ସାନ । ସମସ୍ତଙ୍କ ପ୍ରତି ସମ୍ମାନ ରଖିବ । ସମସ୍ତଙ୍କ ପ୍ରତି ଭଦ୍ର ଓ ନମ୍ର ବ୍ୟବହାର କରିବ । ସେଥିପାଇଁ ଶାସ୍ତ୍ର କହିଛି ତୃଣ ପରି ମନେ କରିବ ନିଜକୁ । ଦମ୍ଭ, ଅଭିମାନ, ଅହଙ୍କାର ରହେ ନାହିଁ । କିନ୍ତୁ ବଞ୍ଚିରହେ ମଧୁର ହସ, ଭଦ୍ର ବ୍ୟବହାର, ସାଧୁତା ଓ ଆମାୟିକ ଆଚରଣ ।

☆☆☆

 

ପ୍ରସାଦ ବାଣ୍ଟିଣ ଖାଇବ ଅଳ୍ପ ବହୁତ ନ କହିବ

 

ଆମ ଗାଁରେ ଚାରିପାଞ୍ଚଶହ ଲୋକ ବାସ କରନ୍ତି । ସେମାନଙ୍କ ମଧ୍ୟରେ ଅନେକ ଜାତିର ଲୋକ, ଅନେକ ଶ୍ରେଣୀର ଲୋକ ଅଛନ୍ତି । କିନ୍ତୁ ସେମାନଙ୍କର ଧର୍ମ ଗୋଟିଏ । ତେଣୁ ପର୍ବ ପର୍ବାଣି, ପୂଜା ବା ଆଉ କିଛି ମାଙ୍ଗଳିକ କାର୍ଯ୍ୟ ହେଲେ ମେଳା ବସିବା ପରି ବିଭିନ୍ନ ଜାତି ଓ ଶ୍ରେଣୀର ଲୋକ ଠୁଳ ହୁଅନ୍ତି ଏବଂ ଭେଦାଭେଦ ଭୁଲି କାମ କରନ୍ତି । କିଏ ଚାନ୍ଦୁଆ ଟାଣେ ତ ଆଉ କିଏ ପାଲଟାଣି ବସିବା ପାଇଁ ଜାଗା କରେ, ଆଉ କିଏ ପୁରୋହିତଙ୍କ ବରାଦ ଅନୁସାରେ ପୂଜାସାମଗ୍ରୀ ଠୁଳ କରେ ତ, ଆଉ କିଏ ଭୋଗରାଗ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ । ସେତେବେଳେ ମୂଲିଆ ମାଲିକ, ଶାଶୂବୋହୂ ଓ ଶ୍ୱଶୁର ଜ୍ୱାଇଁଙ୍କ ମଧ୍ୟରେ ଥିବା ପାର୍ଥକ୍ୟ କାହାରି ଆଖିରେ ପଡ଼େନାହିଁ । ସମସ୍ତେ ଗୋଟିଏ ଲକ୍ଷ୍ୟ, ଗୋଟିଏ ଉଦ୍ଦେଶ୍ୟ ନେଇ କାମ କରନ୍ତି । ସେହିପରି କାହା ଘରେ ତ୍ରିନାଥ ମେଳା କିମ୍ବା ସତ୍ୟନାରାୟଣ ପୂଜା ହେଲେ କେବଳ ତୁଣ୍ଡରୁ ତୁଣ୍ଡ ଖବର ପହଞ୍ଚିଲେ ହେଲା, ନିମନ୍ତ୍ରଣ କରିବାକୁ ହୁଏ ନାହିଁ । ଗାଁ ଠାକୁରାଣୀଙ୍କ ଜନ୍ତାଳ, ଗାଁ ମନ୍ଦିରରେ ରୁଦ୍ରାଭିଷେକ ବା ଦୁର୍ଗାପୂଜା ସମୟରେ ପୁରୁଷ ଓ ଝିଅ ବୋହୂମାନେ ଏକାଠି ହୋଇଯାଆନ୍ତି । ବାଛବିଚାର ରହେ ନାହିଁ । କାର୍ଯ୍ୟ ଶେଷ ହେଲେ ପୂଜକ ପ୍ରସାଦ ବାଣ୍ଡନ୍ତି । ପତର ଖଲାରେ ଯାହା ପଡ଼ିଲା ସେତକ ପୁଣ୍ୟଫଳ ଭାବି ସମସ୍ତେ ସନ୍ତୋଷରେ ପ୍ରସାଦ ସେବା କରନ୍ତି । ସେତେବେଳେ ପୁରୋହିତେ କହୁଥିବା କଥା ମୋର ଆଜିଯାଏ ମନେ ଅଛି— “ପ୍ରସାଦ ବାଣ୍ଟିଣ ଖାଇବ, ଅଳ୍ପ ବହୁତ ନ କହିବ ।” ଏଇ ବାଣୀର ତାତ୍ପର୍ଯ୍ୟ ଅତି ମହତ୍‌ । ସ୍ୱାର୍ଥପର ଭାବେ ନିଜେ ସବୁ ଭୋଗ ନ କରି ଯେତିକି ଅଛି ବାଣ୍ଟିକୁଣ୍ଟି ନିଅ ସୁଖଦୁଃଖରେ ଭାଗୀ ହୁଅ । ପରିବାରର ପାଞ୍ଚଜଣ, ଗ୍ରାମର ଶହେଜଣ, ଯେପରି ଖୁସି ହେବେ, ସମସ୍ତଙ୍କ ଭାଗରେ କିଛି କିଛି ପଡ଼ିବ ସେଇ କାମ କର । ସଂକୀର୍ଣ୍ଣତା ଛାଡ଼ ।

 

ଏଇ ବାଣୀର ମର୍ମାର୍ଥ ଏଡ଼େ ଚମତ୍କାର ଓ ଶକ୍ତିଶାଳୀ ଯେ ଅନେକ ଫୁଲଙ୍କୁ ଗୋଟିଏ ହାରରେ ସୂତା ବାନ୍ଧି ରଖିବା ଭଳି ଅନେକ ଲୋକଙ୍କୁ ଏକାବେଳେ ଆପଣାର କରିହୁଏ । ଆମ ସମାଜ ଓ ଶାସନ ବ୍ୟବସ୍ଥା ମଧ୍ୟ ଏହିପରି । ଏବେ ତ ଜାତି ପ୍ରଥା ବିରୋଧରେ କେତେ ନାଟ ଲାଗୁଛି । ସବର୍ଣ୍ଣ, ଅସବର୍ଣ୍ଣଙ୍କ, ମଧ୍ୟରେ କଥା କଥାକେ ଲଢ଼େଇ ହେଉଛି । କିନ୍ତୁ ମୁଁ ଗାଁ’ରେ ଥିଲାବେଳେ ଏସବୁ ପାର୍ଥକ୍ୟ ମୋ ଦୃଷ୍ଟିକୁ ଝାପ୍ସା କରି ନାହାନ୍ତି, ବରଂ ଏଇ ପାର୍ଥକ୍ୟ ମଧ୍ୟରେ ସମସ୍ତଙ୍କୁ ଏକତ୍ର କରିବାର ସୂତ୍ରଟିଏ ଆମ ପୂର୍ବପୁରୁଷମାନେ ଯେ ଖଞ୍ଜି ଦେଇଛନ୍ତି ସେତକ ମୋ ଦୃଷ୍ଟି ଏଡ଼ାଇ ନାହିଁ । କାହା ଘରେ ତ୍ରିନାଥ ମେଳା ହେଉଛି ଖବର ଶୁଣି ଛୋଟା ଓ କଣା ବାହାରିଛନ୍ତି ମେଳା ସ୍ଥାନରେ ପହଞ୍ଚିବା ପାଇଁ । ଛୋଟା ଚାଲିପାରେ ନାହିଁ ଭଲ କରି, ଅନ୍ଧକୁ ବାଟ ଅବାଟ ଦୃଶ୍ୟ ହୁଏ ନାହିଁ । ସେ ଦୁହେଁ ଏକଜାତିର ନହେଲେ କ’ଣ ହେବ ଗୋଟେ ଗାଁର ଲୋକ, ଗୋଟିଏ ଅଞ୍ଚଳର ଲୋକ । ଗାଁ’ମାନଙ୍କରେ ସମ୍ବନ୍ଧ ଆପେ ଆପେ ବାଉଁଶ ଗଜା ପରି ବଢ଼େ । କିଏ କକା ତ ଆଉ କିଏ ପୁତୁରା । କିଏ ଦଦେଇ ତ ଆଉ କିଏ ଦେଠେଇ । ସେଇ ସମ୍ପର୍କ ଗୁଡ଼ା ଏତେ ଆପଣାର ମନେହୁଅନ୍ତି ଯେ କାମ ପଡ଼ିଲେ ସବୁ ଭେଦଭାବ ଭୁଲି ସମସ୍ତେ ଏକ ମନ ହୋଇଯାଆନ୍ତି । ଛୋଟା ଚାଲିପାରେ ନାହିଁ ବୋଲି ଅନ୍ଧର କାନ୍ଧରେ ବସିଛି । ଆଉ ଅନ୍ଧ ଦେଖିପାରେ ନାହିଁ ବୋଲି ତା କାନ୍ଧ ଉପରେ ବସି ଛୋଟା ବାଟ ଦେଖାଉଛି । ଏଇ ସହଯୋଗର ଧାରା, ସମ୍ପର୍କ ଗଢ଼ିବାର ଧାରାରୁ ସ୍ନେହ ପ୍ରୀତି ଗଢ଼ିଉଠେ । ଗାଁ ମୁଣ୍ଡର ରଘୁ ଦଦେଇଙ୍କ ଦେହ ଖରାପ ହେଲେ ଗାଁର ପାଞ୍ଚଜଣ ଆପେ ଆପେ ଯାଆନ୍ତି ତାଙ୍କ ଦେହପା କେମିତି ଅଛି ବୁଝିବା ପାଇଁ । ଯଥାଶକ୍ତି ସାହାଯ୍ୟ କରନ୍ତି । ସହାନୂଭୁତି ଉତୁରି ପଡ଼େ ଛୋଟ ଛୋଟ ମଣିଷଙ୍କ ବଡ଼ ହୃଦୟରୁ ।

 

ଏଇ ସମ୍ପର୍କ, ସହଯୋଗ ଓ ଏକତ୍ର ହେବାର ଧାରା ଚଳି ଆସିଛି ଶହ ଶହ ବର୍ଷ ଧରି । ସମାଜ ଗଠନ ହୁଏ ପରିବାର ଗଠନ ସହିତ । ସମ୍ପର୍କର ସୂତା ଖିଅ ବାନ୍ଧି ରଖେ ସମସ୍ତଙ୍କୁ । ଦଶହରା ଦିନ ଗାଁ ଦାଣ୍ଡ କମ୍ପି ଉଠେ ହସ ଖୁସିରେ । ଯେଉଁମାନେ ଗରିବ, ଅଶିକ୍ଷିତ, ଅବହେଳିତ ସେମାନଙ୍କୁ କିନ୍ତୁ ସେଦିନ ଲୋଡ଼ା ହୁଏ । ଭୂମିଜ ସାହିର ଅଧାନଙ୍ଗଳା ଝିଅପୁଅ ଆସନ୍ତି ଧାଡ଼ିବାନ୍ଧି-। ସେମାନଙ୍କ ହାତକୁ ମଣ୍ଡା, କାକରା, ଖିରି ବଢ଼ାଇ ଦେଇ ଗୃହିଣୀମାନେ ବ୍ରତ ଉଦ୍‌ଯାପନ କରନ୍ତି-। ମାଣବସା ଲକ୍ଷ୍ମୀପୂଜା ସମୟରେ ମଧ୍ୟ ସେଇ ଏକା ଦୃଶ୍ୟ । କେହି ବାଦପଡ଼େ ନାହିଁ । ଅଭାବୀ ଓ ଦୁଃଖୀ ଘରେ ବି ପହଞ୍ଚିଯାଏ, ପ୍ରସାଦ, ପିଠାପଣା । ଶହ ଶହ ବର୍ଷ ଧରି ଏଇ ସମାଜ ଚାଲିଆସିଥିଲା ସମ୍ପର୍କର ସେତୁ ଉପରେ । ରକ୍ତ ସମ୍ପର୍କ ନୁହେଁ, ମାନବିକ ସମ୍ପର୍କକୁ ଆଧାର କରି ଲୋକମାନେ ବଞ୍ଚୁଥିଲେ, ମେଳା ମହୋତ୍ସବ ପାଳନ କରୁଥିଲେ, ମନ୍ଦିର ନିର୍ମାଣ କରୁଥିଲେ-। ବର୍ଷାଦିନ ଆସିବା ପୂର୍ବରୁ ନଡ଼ା ବିଛାଇ ଘର ମରାମତି କଲାବେଳେ ହାଡ଼ି ସାହିର ପାଞ୍ଚଜଣଙ୍କ ଚାଷ ନ ଥାଏ ବୋଲି ସେମାନଙ୍କୁ କିଏ ଦୁଇବିଡ଼ା, କିଏ ପାଞ୍ଚବିଡ଼ା ନଡ଼ା ଦିଅନ୍ତି ମାଗଣାରେ-। ସେମାନେ ବି ଗା’ର ମଣିଷ । ସମସ୍ତଙ୍କ ପାଇଁ ଶୀତରେ ମୁଣ୍ତ ଗୁଞ୍ଜିବା ପାଇଁ ଚାଳଖଣ୍ଡେ ଥିବାବେଳେ ସେମାନେ ଅଭାବୀ ବୋଲି କ’ଣ ଗଛତଳେ ବସିବେ ? ବାହା ବ୍ରତ ହେଲେ ପୂଜାପାର୍ବଣ ବେଳେ ବାଜାବଜାଇ ଗାଁ ଦାଣ୍ଡ ଦୁଲୁକାନ୍ତି ସେମାନେ । ଦେହୁରୀ ଗାଁ ଠାକୁରାଣୀଙ୍କ ପାଖରେ ପୂଜା ସାରି ଫେରିବାବେଳେ ଘରେ ଘରେ ଟିକେ ସିନ୍ଦୁର ଲଗା ବେଲପତର ଓ ଭୋଗ ଦେଇଯାଆନ୍ତି । କଥାଅଛି ପ୍ରସାଦ ବାଣ୍ଟିଣ ଖାଇବ । ଅଳ୍ପ ବହୁତ ନକହିବ ।

 

କିନ୍ତୁ ସେଇ ଯୁଗ ଆଉ ନାହିଁ । ସେଦିନର ଅଶିକ୍ଷା, ଅଜ୍ଞତା, ଅଭାବ ଅନେକ କମିଗଲାଣି । ଆଖି ଆଗରେ ପ୍ରାଚୁର୍ଯ୍ୟ ଦେଖାଯାଉଛି । ବଡ଼ ବଡ଼ କୋଠାଘର ତିଆରି ହେଲାଣି । ଯାନବାହାନ ଚାଲିଲାଣି । ଆଉ ଛୋଟାକୁ କାନ୍ଧରେ ବସାଇ ଅନ୍ଧ ତା କଥା ଶୁଣି ବାଟ ଚାଲୁନାହିଁ । ଦେଶ ସ୍ୱାଧିନ ହେବାର ଦୁଇ ପୁରୁଷରୁ ଅଧିକ ହେଲାଣି । କିନ୍ତୁ ହଠାତ୍‌ ନିଜ ସୁଖ ଦୁଃଖ ବାଣ୍ଟି ଖୁସିରେ ଚଳୁଥିବା ଏଇ ସାନବଡ଼ ମଣିଷମାନେ ଆଉ ଗାଁ ଦାଣ୍ଡରେ ଦୃଶ୍ୟ ହେଉନାହାନ୍ତି । କକାପୁତୁରା, ଭାଇ ଭାଉଜର ସମ୍ପର୍କ ଗୁଡ଼ା ଗଛର ଶୁଖିଲା ପତ୍ର ପରି ଉଡ଼ିଗଲାଣି । ସହର କଥା ତ ଅଲଗା । ଗାଁ ମାନଙ୍କରେ ସିନା ପୋଖରୀ ବା ନଦୀ ତୁଠରେ ସମ୍ପର୍କ ଗଢ଼ି ଉଠେ, ବିଲରେ କାମ କରୁଥିବାବେଳେ ମୂଲିଆ ଓ ମାଲିକଙ୍କ ଲକ୍ଷ୍ୟ ଏକ ହୋଇଯାଏ, ସହର ଜୀବନ କିନ୍ତୁ ଅନେକ ଅଲଗା । ଏଠାରେ ତ୍ରିନାଥ ମେଳା ବା ସତ୍ୟନାରାୟଣ ପୂଜାର ଗହଳି ନାହିଁ । ଦଶହରା ବା ଜନ୍ତାଳର ଉଦ୍ଦୀପନା ନାହିଁ । ଇଟା ଓ ପଥର ଯୋଡ଼ି ସିମେଣ୍ଟ ବାଲି ମିଶାଇ ଯିଏ ଘର ତିଆରି କଲା ସେ ଜାଣି ପାରିଲା ନାହିଁ ସମ୍ପର୍କ ଭାଙ୍ଗିଲା କିପରି ! ମଜୁରୀ ପାଇ କେବଳ ମଣିଷ ସନ୍ତୁଷ୍ଟ ହୁଏ ନାହିଁ-। ମଜୁରୀ ଦବା ଲୋକର ପଦେ ସରସିଆ କଥା ସହରରେ କାନରେ ପଡ଼େ ନାହିଁ-। ଧନ କୁବେରମାନଙ୍କ ଜାତକରେ ନାହିଁ ପରକୁ ଆପଣେଇବାର ଭାବନା । ସେଥିପାଇଁ ଏଠାରେ ବିଦ୍ରୋହ ହୁଏ, ବିଭେଦ ବଢ଼େ । ମାଲିକ ଓ ମଜଦୁର୍‌ଙ୍କ ଅଲଗା ଅଲଗା ଭୂଇଁ, ଭିନ୍ନ ଭିନ୍ନ ଆକାଶ-। ଗୋଟିଏ ପୋଖରୀରେ ବା ନଦୀରେ ସେମାନେ ଏକତ୍ର ଗାଧୋଇବା ସମ୍ଭାବନା ନାହିଁ-। କାଳେ ଧନକୁବେରମାନଙ୍କ ନାକରେ ଝାଳବୁହା ମୂଲିଆ ମଜ୍‌ଦୁରର ଗନ୍ଧ ବାଜିଯିବ ବୋଲି ସେମାନେ ଉପରେ ବାସକରନ୍ତି—ଏକତାଲା, ଦୁଇତାଲା, ତିନିତାଲା... । ଉପରକୁ ଉଠିଲେ ଆଉ ତଳେ ଥିବା ଲୋକ ଦିଶନ୍ତି ନାହିଁ । ତଳେ ଥିବା ଲୋକଙ୍କ ମନରେ ଗୋଟେ ଭାବନା ଜାତ ହୋଇଯାଏ ଯେ ସେମାନେ ଅଦା ବେପାରୀ, ଜାହାଜର ମୂଲ କେତେ ଜାଣିବା ଅଧିକାର ସେମାନଙ୍କର ନାହିଁ-। ସୁତରାଂ ଗାଁରେ ଯେଉଁସବୁ ସମ୍ପର୍କ ଗୁଡ଼ା ଗଢ଼ି ଉଠିଥାଏ ସହରକୁ ଆସିଲେ ସେସବୁ ଭାଙ୍ଗିଯାଏ । ସହରରେ ସହାନୁଭୂତି ସମ୍ବେଦନଶୀଳତା ନାହିଁ, କିନ୍ତୁ ଶୋଷଣ କରିବାର ମତଲବ ବେଶୀ-

 

ଗ୍ରାମ ଭିତ୍ତିକ ସମାଜ ଧୀରେ ଧୀରେ ଭାଙ୍ଗିଯାଉଛି । ତା ସହିତ ଭାଙ୍ଗିଯାଉଛି ମାନବିକ ସମ୍ପର୍କର ସେତୁ । ଗାଁରୁ ଜାତି ଚେତନା କମି ଆସିଲାବେଳକୁ ସହରରେ ଗଢ଼ି ଉଠିଲା ଧନୀ ଗରିବ ଚେତନା । ଥିଲାବାଲା ଓ ନଥିଲାବାଲାଙ୍କ ମଧ୍ୟରେ ଥିବା ଫରକ ବଡ଼ କୁତ୍ସିତ ଦେଖାଯାଏ ସହରରେ । ବଡ଼ ବଡ଼ ହୋଟେଲରେ ଥରେ ରାତିରେ ଖାଇଲେ ପାଞ୍ଚଶହ ଟଙ୍କାରୁ ହଜାରେ ଟଙ୍କା ଖର୍ଚ୍ଚ ହୁଏ ବୋଲି ଗରିବ ଲୋକ ଜାଣନ୍ତି ନାହିଁ । ସରକାରୀ ହିସାବ ଅନୁସାରେ ଗାଁ’ର ଜଣେ ଗରିବ ଲୋକର ଦିନକୁ ଉପାର୍ଜନ ମାତ୍ର କୋଡ଼ିଏ ଟଙ୍କା । ଏଇ କୋଡ଼ିଏ ଟଙ୍କାକୁ ସମ୍ବଳ କରି ଚାରି କି ପାଞ୍ଚପ୍ରାଣୀ କୁଟୁମ୍ବ ଚଳିବେ । ଖାଇବା ପିଇବା ଛାଡ଼ି ଲୁଗାପଟା, ରୋଗର ଔଷଧ ପିଲାଙ୍କ ପାଠପଢ଼ା ଇତ୍ୟାଦି ଅଛି । ସହରବାସୀ ତ ତିନିତାଲା ପାଞ୍ଚତାଲାରୁ ଅନାନ୍ତି, ତଳେ ଦାରିଦ୍ର୍ୟରେ ଘାଣ୍ଟି ହେଉଥିବା ଲୋକଙ୍କ ଦୁଃଖ, ଦୁର୍ଭୋଗ ସେମାନଙ୍କ ଆଖିକୁ ଦିଶେନାହିଁ । ଗରିବ ପ୍ରତି ସହାନୁଭୂତି ନାହିଁ । ସେଥିପାଇଁ ଧନୀ ଓ ଗରୀବଙ୍କ ମଧ୍ୟରେ ପାର୍ଥକ୍ୟ ବଢ଼ୁଛି । ଦୁହିଁଙ୍କ ମଧ୍ୟରେ ସମ୍ପର୍କର ସେତୁ ତିଆରି କରିବା ପାଇଁ ଯେଉଁ ଉପାଦାନ ଲୋଡ଼ା ସେତକ ସହରରେ ମିଳେ ନାହିଁ । ଏଇ ନିର୍ବାଚନ ବେଳର କଥା ବିଚାର କଲେ ସେଇ ଫରକ୍‍ ଆହୁରି ଉତ୍କଟ ଦେଖାଯାଏ ।

 

ମୁଁ ନିର୍ବାଚନ ବେଳେ ଭୋଟ ଦିଏ । ମୋ ଅଧିକାର ସାବ୍ୟସ୍ତ କରେ । କିନ୍ତୁ ନଗରପାଳିକା ନିର୍ବାଚନ -ବେଳେ ଦେଖିଲି ବିତ୍ତଶାଳୀମାନେ ନୋଟ୍‌ ବାଣ୍ଟୁଥିଲେ ଭୋଟରମାନଙ୍କ ମଧ୍ୟରେ । ପ୍ରାର୍ଥୀ କାହିଁକି ଜନସେବା ବ୍ରତ ଧାରଣ କରିବା ପାଇଁ ଇଚ୍ଛା କଲେ ତାହା ନ କହି କେବଳ ମତଦାତାଙ୍କୁ ଖୁସି କରି ତାଙ୍କ ଭୋଟ୍‌କିଣିବା ପାଇଁ ଶହେଟଙ୍କା ବଢ଼ାଇ ଦେଲେ । ଏହି ଦିଆନିଆ ଯୋଗୁଁ ସମ୍ପର୍କ ଗଢ଼ି ଉଠୁନି । ସମ୍ପର୍କ ନିଃସ୍ୱାର୍ଥ ଭାବନାରୁ ଗଢ଼ି ହୁଏ । ଦବାନବା ପ୍ରଶ୍ନ ନ ଥାଏ ସେଠାରେ । ସହରରେ ଛୋଟାମାନଙ୍କୁ ଅନ୍ଧମାନେ କାନ୍ଧରେ ବସାଇ ନିଅନ୍ତି ନାହିଁ ନିଜ ଚାଲିବାକୁ ସୁଗମ କରିବା ପାଇଁ । ଏଠାରେ ଛୋଟାମାନେ ପଛରେ ପଡ଼ି କଲବଲ ହୁଅନ୍ତି ଏବଂ ଅନ୍ଧମାନେ ଭାଗ୍ୟକୁ ଆଦରି ଘନାନ୍ଧକାର ଭିତରେ ଅଣ୍ଡାଳୁ ଥାଆନ୍ତି କାଳେ ଅବା ମିଳିଯିବ ଟିକେ ମାନବିକ ସହାନୁଭୂତି, ସମ୍ବେଦନ । ମଣିଷ ମନର ସୂକ୍ଷ୍ମ ଅନୁଭୂତି, ତାର ଅନ୍ତରାତ୍ମାର ସ୍ନେହ ପ୍ରୀତି ତୁଚ୍ଛ ହୋଇଗଲାଣି ଏଇ ପୁଞ୍ଜିବାଦୀ ସଭ୍ୟତାର ଚାକଚକ୍ୟମୟ ଆଡ଼ମ୍ବରରେ ।

 

ଥରେ ଥରେ ମୁଁ ଭାବେ କେଉଁଠୁ ଆରମ୍ଭ କରିଥିଲି କେଉଁଠି ଆସି ପହଞ୍ଚିଲି । ମଣିଷ ଭିତରେ ଥିବା ସରସତା, ଅଭାବ ମଧ୍ୟରେ ଭାବ ପ୍ରକଟ କରିବାର ଉଦାରତା କ’ଣ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବ ? ଗାନ୍ଧାରୀ, କୁନ୍ତୀ ପରି ମା’ ଆଉ କ’ଣ ଜନ୍ମିବେ ନାହିଁ ? ମୈତ୍ରେୟୀଙ୍କ ପରି ସ୍ତ୍ରୀ କେବଳ ଜଣକରୁ ଦୁଇଜଣ ହେବେ ନାହିଁ ? ସତ୍ୟନାରାୟଣ ପୂଜାର ପ୍ରସାଦ ନେଇ ଘରକୁ ଆହ୍ଲାଦରେ ଫେରୁଥିବା ଲୋକ ମନରେ କେବଳ ଗୋଟିଏ ଭାବନା ଥାଏ—ସେ ଅନେକ ପାଇଛି.....ପ୍ରଭୁ ତାଙ୍କୁ ଅନେକ ଦେଇଛନ୍ତି । ତେଣୁ ସେ ପରିବାରରେ ପାଞ୍ଚଜଣଙ୍କ ସହିତ ପ୍ରସାଦ ତୁଣ୍ଡରେ ଦେଇ ଶାନ୍ତିରେ ଶୋଇପଡ଼େ । ଆଗାମୀ କାଲି ସୂର୍ଯ୍ୟୋଦୟ ତା ପାଇଁ ଆରମ୍ଭ ହୁଏ ଯେତେବେଳେ ସେ ନିଜ ହାତରେ ଗଢ଼ୁଥାଏ ନିଜର ପୃଥିବୀ । କୁମ୍ଭାର ଚକ,ହାଣ୍ଡି କଳସୀ ତିଆରି କରେ । ସହରରେ ଏତେ ବିଭେଦ ବୋଲି ଏତେ ବିଦ୍ରୋହ । ସବୁ ଅସନ୍ତୋଷ, ଆକ୍ରୋଶ ଯେପରି ଠୁଳ ହୋଇଛି ଏହି ସଡ଼କ ଓ ସାହିମାନଙ୍କରେ । ଏଠାରେ ଶାସନ ଅଛି ସାଧାରଣ ଲୋକଙ୍କ ସୁଖଦୁଃଖ ନ ଭାବି ସରକାରକୁ ସୁରକ୍ଷା ଦବାପାଇଁ । କାଳେ ଆଦିବାସୀ ନକ୍ସଲ ମାଡ଼ି ଆସିବେ, ସାଧାରଣ ଲୋକର ସେଇ ଭୟ ନାହିଁ । ସେ ତ ଧନ ସଞ୍ଚୟ କରି ନାହିଁ, କାହାକୁ ଶୋଷଣ କରୁନାହିଁ ଯେ ତା ଉପରକୁ କିଏ ବୋମା ଫିଙ୍ଗିବ । ସେ କେବଳ ଏଇ ପ୍ରାଚୁର୍ଯ୍ୟର ଅଭବାଗ୍ରସ୍ତ ମଣିଷମାନଙ୍କ ମଧ୍ୟରେ ସୁଦାମା ହୋଇ ବଞ୍ଚିବାକୁ ଚାହେଁ । ଦିନେ ସେ ଦ୍ୱାରକାରେ ପହଞ୍ଚିବ ଏଇ ବିଶ୍ୱାସ ନେଇ ସେ ଚାଲିଛି । ଯୋଜନ ଯୋଜନ ପଥ ଅତିକ୍ରମ କରିଛି । ବଡ଼ଦାଣ୍ଡରେ ସାଲବେଗକୁ ଅପେକ୍ଷା ନ କରି ଏଡ଼େ ସାହାସ ଯେ ଜଗତରନାଥ ଜଗନ୍ନାଥ ଉଠିଯିବେ ରଥ ଉପରକୁ । ଦ୍ୱାରପାଳମାନଙ୍କ ବ୍ୟୂହ ଭିତରୁ ସୁଦାମାକୁ ଯିଏ ପାଛୋଟି ଆଣିଥିଲେ ପଣ୍ଡା ପଢ଼ିଆରୀ ଓ ପ୍ରଶାସନର ଘେର ଭିତରୁ ସେ ତ କେବଳ ଦ୍ୱାରକାଧୀଶ୍ୱର ନୁହେଁ –ସେ ଜଗତର ନାଥ । ତାଙ୍କ ଆଗରେ ସମସ୍ତେ ସମାନ । ସୁଖଦୁଃଖ ବାଣ୍ଟିକୁଣ୍ଟି ସଂସାର ଓ ସମାଜ ଗଢ଼ିବାର ସଂକଳ୍ପ ପୁଣି କେବେ ମଣିଷକୁ ବାଟକଢ଼ାଇବ ସେଇ ସମୟ ଅପେକ୍ଷାରେ କୋଟି କୋଟି ଲୋକ ରୁଣ୍ଡ ହୋଇଛନ୍ତି ବଡ଼ ଦାଣ୍ଡରେ । ଶ୍ରୀ ଗୁଣ୍ଡିଚାରେ ଜଗନ୍ନାଥ ମହାପ୍ରଭୁ ରଥ ଉପରକୁ ଉଠିଲେ ଦର୍ଶନ ମିଳିଯିବ, ସବୁ ଆଶା ପୂର୍ଣ୍ଣ ହେବ ଏଇ ଭରସାରେ । ଋଥରେ ଥରେ ବାମନକୁ ଦର୍ଶନ କଲେ ପୁନର୍ଜନ୍ମ ହେବନାହିଁ ।

☆☆☆

 

ଭାଗ୍ୟ ଦୋଷେ ନଳରାଜା କାଟେ ଘୋଡ଼ା ଘାସ

 

ଓଡ଼ିଆରେ କଥା ଅଛି ଯେ, ଭାଗ୍ୟ ଦୋଷରୁ ନଳରାଜାଙ୍କୁ ମଧ୍ୟ ଘୋଡ଼ା ପାଇଁ ଘାସ କାଟି ଜୀବନ ନିର୍ବାହ କରିବାକୁ ପଡ଼ିଥିଲା । କେବଳ ସେତିକି ନୁହେଁ, ପାଣ୍ଡବମାନେ ମହାଶକ୍ତିଶାଳୀ ହୋଇ ମଧ୍ୟ ଭାଗ୍ୟ ଦୋଷରୁ ବନବାସ ଗଲେ । ଅଜ୍ଞାତବାସରେ ଥିଲାବେଳେ କୁନ୍ତୀଙ୍କୁ ବିଷଣ୍ଣ ମନରେ ବସିଥିବା ଦେଖି ଗୃହକର୍ତ୍ତା ପଚାରିଲେ, ‘ମା, ତୁମର ପାଞ୍ଚପୁଅ, ଏପରି କିଛି କାର୍ଯ୍ୟ ନାହିଁ ଯାହା ସେମାନେ କରିପାରିବେ ନାହିଁ । ତେବେ ତୁମେ ମନଦୁଃଖ କରୁଛ କାହିଁକି ?’ କୁନ୍ତୀ ଦୀର୍ଘନିଶ୍ୱାସ ଛାଡ଼ି ଉତ୍ତର ଦେଲେ, ‘ବୁଝିଲ, ଭାଗ୍ୟଠାରୁ ବଳି ବଳବାନ ଆଉ କେହି ନାହିଁ । ମୁଁ ପାଞ୍ଚ ପୁଅର ମା’, ସେମାନେ ଶକ୍ତିମାନ । ଯୁଧିଷ୍ଠିର ଧର୍ମରାଜ, ଭୀମସେନ ଗଦାଧର; ଅର୍ଜୁନ ଅଦ୍ୱିତୀୟ ବୀର, ନକୁଳ ଓ ସହଦେବ ମଧ୍ୟ ନିଜ ନିଜ ଗୁଣ ଯୋଗୁଁ ଶକ୍ତିମାନ । କିନ୍ତୁ ଭାଗ୍ୟଦୋଷରୁ ସେମାନଙ୍କୁ ନେଇ ମୁଁ ବଣରେ ବୁଲୁଛି ।’ ସେହିପରି କୁହାଯାଇପରେ ଯେ ଭାଗ୍ୟ ଦୋଷରୁ ଶ୍ରୀରାମଚନ୍ଦ୍ର ଚଉଦ ବର୍ଷ ବନବାସ ଗଲେ ।

 

ଭାଗ୍ୟର ଖେଳ ଚାଲିଛି ମଣିଷ ଜନ୍ମ ହେଲା ଦିନୁ । ଭାଗ୍ୟ କିଏ, କେଉଁଠି ଥାଏ, କ’ଣ ତା’ର କାମ ସଠିକ୍‌ କେହି ଜାଣନ୍ତି ନାହିଁ । ତେଣୁ ଶକ୍ତିଥାଇ ବି ଯେତେବେଳେ ଦୁଃଖ, ବିପଦ ଆସେ ସେତେବେଳେ ଭାଗ୍ୟର ଦୋଷ ଦିଅନ୍ତି । ମଣିଷ କିନ୍ତୁ ଭାଗ୍ୟର ଖେଳରୁ ଖସିଯିବା ପାଇଁ ପରାକାଷ୍ଠା ଦେଖାଇ ପାରିନାହିଁ । ସେ ହାରିଯାଇଛି ଅଜ୍ଞାତ ଭାଗ୍ୟଦେବତାଙ୍କ ଆଗରେ । ଦାର୍ଶନିକମାନଙ୍କୁ ପଚାରିଲେ ନାନାଦି ଶାସ୍ତ୍ର ଆଲୋଚନା କରି କହନ୍ତି ତମ ପ୍ରାରବ୍ଧରୁ ଏମିତି ହେଲା, ସେମିତି ହେଲା । ମୁଁ ଶାସ୍ତ୍ରଜ୍ଞ ପଣ୍ଡିତ ନୁହେଁ । ସାଧାରଣ ଗୃହିଣୀ । ଦୁଇଝିଅ ଏବଂ ତିନିପୁଅର ମା । ସେମାନେ ମୋ କୋଳ ପୂର୍ଣ୍ଣ କରିଛନ୍ତି । ସାଧାରଣ ମଣିଷର ସଫଳତା ଓ ବିଫଳତା ନେଇ ସେମାନେ ସୁଖରେ ଅଛନ୍ତି । ଭାଗ୍ୟ ବିରୂପ ହେଲେ ସେମାନଙ୍କୁ ଦୁଃଖ ସହିବାକୁ ହୁଏ । ସେତେବେଳେ ସେମାନଙ୍କୁ ସାନ୍ତ୍ୱନା ଓ ସାହସ ଦବାପାଇଁ ମୁଁ କହେ-ଭାଗ୍ୟ ମନ୍ଦ ହେଲେ ଦୁଃଖ ପଡ଼େ । ସବୁ ଐଶ୍ୱର୍ଯ୍ୟ ଥାଇ ମଧ୍ୟ ରାଜପୁତ୍ର ଗୋବିନ୍ଦ ଚନ୍ଦ୍ରଙ୍କୁ ସିଂହାସନ ଓ ରାଜଭବନର ସୁଖ ଛାଡ଼ି ସନ୍ନ୍ୟାସୀ ହେବା ପାଇଁ ତାଙ୍କ ମା’ ପ୍ରବର୍ତ୍ତାଇଥିଲେ । କିନ୍ତୁ ଉଚିତ ମାର୍ଗରେ ଚାଲିଲେ ଏବଂ ନିଷ୍ଠାର ସହିତ କର୍ତ୍ତବ୍ୟ କଲେ ଭାଗ୍ୟ ପ୍ରସନ୍ନ ହୁଅନ୍ତି । ତେଣୁ କର୍ତ୍ତବ୍ୟ କରିବାର ବିକଳ୍ପ ନାହିଁ ।

 

ମୋ ମତରେ ଭାଗ୍ୟ ହେଉଛି ଅଦୃଶ୍ୟ ମହାଶକ୍ତି । କାଳ ଟାକି ବସି ନିରୀକ୍ଷଣ କରୁଥାଏ, କିଏ କ’ଣ କରୁଛି ଦେଖୁଥାଏ । ଭୁଲ୍‍ କଲେ, ପଥଭ୍ରଷ୍ଟ ହେଲେ, ମଣିଷ ହାବୋଡ଼ି ଯାଏ ପରାଜୟ । ପରାଜୟ କ’ଣ ଏକା ଆସେ, ସାଙ୍ଗସାଥି ନେଇ ଆସେ । ଦୁଃଖ ପଡ଼େ । ଅପମାନ ମିଳେ । ଅନାବଶ୍ୟକ ଶକ୍ତି କ୍ଷୟ ଘଟେ । ଶତ୍ରୁ ବଢ଼ନ୍ତି । ପ୍ରାରବ୍ଧ ଅଛି ବୋଲି ଶାସ୍ତ୍ର କହିଛି । ଭଲ କାମ କଲେ ଭଲ ଫଳ ମିଳେ । ଖରାପ କାମ କଲେ ଖରାପ ଫଳ ମିଳେ । ବେଶୀ ଉପାର୍ଜନ କଲେ ଲୋକମାନେ ବଳକା ଟଙ୍କା ବ୍ୟାଙ୍କରେ ରଖି ଦିଅନ୍ତି ବା ଜମି କିମ୍ବା ସୁନା କିଣି ସଞ୍ଚୟ ଖାତାରେ ରଖନ୍ତି । ଅସମୟ ଆସିଲେ ସଞ୍ଚୟରୁ ଖର୍ଚ୍ଚ କରନ୍ତି । ତେଣୁ ଭଲକାମ ଗୁଡ଼ା ପ୍ରାରବ୍ଧର ସଞ୍ଚୟ ଖାତାରେ ବଢ଼ୁଥାଏ, ଖରାପ କାମର ଫଳ ଅବଶ୍ୟ ଭୋଗ କରିବାକୁ ହୁଏ । କିନ୍ତୁ ମଣିଷ ହାର ନମାନି ଯଦି ଭଲ କାମ କରିବାକୁ ନିବୃତ୍ତ ନ ହୁଏ, ତେବେ ଭାଗ୍ୟ ଚାହିଁଲେ ମଧ୍ୟ ଦଣ୍ଡ ଦେଇପାରିବ ନାହିଁ ।

 

ଦ୍ରୌପଦୀଙ୍କୁ ବାଜି ରଖି ପଶା ଖେଳିବା ପାଇଁ କେହି ଯୁଧିଷ୍ଠିରଙ୍କୁ କହି ନ ଥିଲା । ବରଂ ଭାଇମାନେ ତାଙ୍କୁ ନିବର୍ତ୍ତାଉଥିଲେ । ତାଙ୍କୁ ନିଶା ଲାଗିଥିଲା ପଶା ଖେଳର । ସେ ଥରକୁ ଥର ହାରିଲେ, ତଥାପି ଚେତା ପଶିଲା ନାହିଁ । ରାଜ୍ୟ ଗଲା, ରାଜମୁକୁଟ ଗଲା, ସ୍ତ୍ରୀ ଗଲା, ସବୁଗଲା । ଶେଷରେ ବାରବର୍ଷ ବନବାସ ଏବଂ ବରଷେ ଅଜ୍ଞାତବାସ । ତା’ପରେ ପୁଣି ସାମାନ୍ୟ ଭୁଲ୍‍ ପାଇଁ ଆଉ ବାରବର୍ଷ ଅର୍ଜୁନ ଭୋଗିଲେ ବନବାସ । ଦ୍ରୌପଦୀଙ୍କ କୋଠରୀରେ ବଡ଼ଭାଇ ଯୁଧିଷ୍ଠିର ଥିଲାବେଳେ ଅର୍ଜୁନ ଭିତରକୁ ଯିବା ଉଚିତ ନ ଥିଲା । ସେଥିପାଇଁ ସେ ଦଣ୍ଡ ଭୋଗିଲେ । ଶ୍ରୀକୃଷ୍ଣ ସବୁ ଜାଣିଶୁଣି ଏଇ କୌଶଳ କରିଥିଲେ, କାରଣ ସେ ଜାଣିଥିଲେ ଯେ ପାଣ୍ଡବମାନେ ରାଜା ହେବେ । ରାଜା ହେବାକୁ ହେଲେ ଅଭିଜ୍ଞତା, ଅନୁଭବ, ପାରଦର୍ଶିତା ଆବଶ୍ୟକ । ସେଥିପାଇଁ ଅର୍ଜୁନଙ୍କୁ ବାରବର୍ଷ ବନବାସ କରିବାକୁ ହେଲା । କାରଣ ରାଜ୍ୟ ଶାସନ ଦାୟିତ୍ୱ ପାଣ୍ଡବମାନଙ୍କ ହାତକୁ ଆସିବା ପୂର୍ବରୁ ସେମାନଙ୍କୁ ରାଜ୍ୟରକ୍ଷା ଓ ପ୍ରଜାପାଳନ ସମ୍ପର୍କରେ କିଛି ଅଭିଜ୍ଞତା ଅନୁଭୂତି ସଞ୍ଚୟ କରିବା ଆବଶ୍ୟକ । ସେଇ ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରୀକୃଷ୍ଣ ଯୋଜନା କରିଥିଲେ ଏବଂ ଅର୍ଜୁନଙ୍କୁ ମନୋନୀତ କରିଥିଲେ । ସେ ବାରବର୍ଷ ବନବାସରେ ରହିବାବେଳେ ଦେଶର ବିଭିନ୍ନ ସ୍ଥାନକୁ ଯାଇଥିଲେ । ଏବଂ ସେଇ ଭ୍ରମଣ କାଳରେ ସେ ମଣିପୁର ରାଜକୁମାରୀ ଚିତ୍ରାଙ୍ଗଦାଙ୍କୁ ବିବାହ କରିଥିଲେ ।

 

ରାମାୟଣରୁ ମଧ୍ୟ ଅନେକ ଶିକ୍ଷା ମିଳେ । ରାମଚନ୍ଦ୍ର ବନବାସ ଯିବାପରେ ଭରତଙ୍କ ହାତକୁ ଶାସନ ଦାୟିତ୍ୱ ଗଲା । ଭରତ ସମଦର୍ଶୀ, ଭ୍ରାତୃ ଅନୁରକ୍ତ । ଶ୍ରୀରାମଚନ୍ଦ୍ର ଯଦି ଭାଗ୍ୟଲିପି ଭୋଗ କରିବା ପାଇଁ ସିଦ୍ଧାନ୍ତ କରିନଥାନ୍ତେ ତେବେ ବାନର, ଭଲ୍ଲୁକ ଓ ଅନ୍ୟମାନଙ୍କୁ ସଙ୍ଗଠିତ କରି ରାବଣ ବିରୋଧରେ ଲଢ଼େଇ କରିନଥାନ୍ତେ । ହନୁମାନ ସୀତାଙ୍କୁ ଅଶୋକବନରେ ଭେଟିବାବେଳେ କହିଥିଲେ ତାଙ୍କୁ କାନ୍ଧରେ ବସାଇ ଶ୍ରୀରାମଙ୍କ ନିକଟକୁ ନେଇଯିବେ । କିନ୍ତୁ ସୀତା ମନାକଲେ ଏବଂ କହିଲେ ନା, ପ୍ରଭୁ ରାବଣ ସହିତ ଯୁଦ୍ଧ କରି ମୋତେ ଉଦ୍ଧାର କଲେ ମୁଁ ଯିବି । ସ୍ତ୍ରୀ ଉଦ୍ଧାର କରିବା ସ୍ୱାମୀର କର୍ତ୍ତବ୍ୟ । କର୍ଣ୍ଣଙ୍କ କାହାଣୀ ବି ମନକୁ ଉଲ୍ଳସିତ କରେ । ଦ୍ରୌପଦୀଙ୍କ ସ୍ୱୟମ୍ବର ସଭାରେ ପ୍ରତିଯୋଗିତା କରିବା ପାଇଁ ତାଙ୍କ ସୁଯୋଗ ମିଳିଲା ନାହିଁ—କାରଣ ସେ ସୂତପୁତ୍ର । ଏହିପରି ବାରମ୍ବାର ଅପମାନିତ ହେବାପରେ ମଧ୍ୟ ଭାଗ୍ୟ ଆଗରେ ହାର ନମାନି କର୍ଣ୍ଣ କହିଲେ–‘ଉଚ୍ଚବଂଶରେ ମୁଁ ଜନ୍ମିନାହିଁ ସତ, କିନ୍ତୁ ପୌରୁଷ ମୋର ଅଧୀନରେ । ସେଇ ବଳରେ ମୁଁ ଅଧିକାର ହାସଲ କରିବି ।’ ଭାଗ୍ୟ ଯେତେବେଳେ ପ୍ରସନ୍ନ ହୁଏ ସେତେବେଳେ ନଳ ହୁଅନ୍ତି ରାଜା, ଭାଗ୍ୟ ଖରାପ ହେଲେ ଘାସ କାଟନ୍ତି । କିନ୍ତୁ ଏଇ ସାମୟିକ ଦୁଃଖ, ଗ୍ଳାନି ଓ ପରାଜୟ ଯଦି ମଣିଷକୁ ବଶୀଭୂତ କରେ ତେବେ ସଂସାରରେ ମଣିଷ ବଞ୍ଚି ପାରିବ ନାହିଁ । ଲଢ଼ିବା ପାଇଁ ସକଳ୍ପ ଦରକାର । ଲଢ଼ୁଆ ମଣିଷ ସବୁବେଳେ ହାରେ ନାହିଁ ।

 

ଭାଗ୍ୟରେ ଥିଲେ ହବ, କପାଳରେ ଲେଖାଥିଲେ ଘଟିବ ଏପରି କହନ୍ତି ଯେଉଁମାନେ ସେମାନଙ୍କ ଭୀରୁତା ଦେଖି ଭାଗ୍ୟ ହସେ । କିନ୍ତୁ ପୁରୁଷକାର ଉପରେ ଯେଉଁମାନେ ନିର୍ଭର କରନ୍ତି କର୍ଣ୍ଣଙ୍କ ପରି, ସେମାନଙ୍କୁ ଭାଗ୍ୟ ମଧ୍ୟ ଭୟକରେ । ବୀର ସୈନିକ ଭାଗ୍ୟବାଦୀ ନୁହେଁ । ସେ ଯୁଦ୍ଧ କରେ ଜିତିବା ପର୍ଯ୍ୟନ୍ତ । ଯଦି ନିହତ ହୁଏ ତେବେ ତା’ର ବୀରଗତି ହୁଏ । ହାରିଯାଇ ମୁହଁମାଡ଼ି ଶୋଇ କପାଳରେ ଥିଲା କହି ଆଖିରୁ ଲୁହ ଗଡ଼ାଏ ନାହିଁ । ଜଣେ ଇଂରାଜୀ କବି କହିଥିଲେ ଯେ–‘ମୁଁ କାଳକୁ ଭୟ କରେନାହିଁ–ମୁଁ ଜାଣେ ଯେ ମୁଁ ଦିନେ ମରିବି, କିନ୍ତୁ ଯେଉଁ ଅକ୍ଷୟ କୀର୍ତ୍ତି (ମୋ ସାହିତ୍ୟ) ଛାଡ଼ି ଯାଉଛି କାଳ ତାହା ନଷ୍ଟ କରି ପାରିବ ନାହିଁ ।’ ଭାଗ୍ୟ କାଳେ ଲୋକଙ୍କୁ ଭାଗ୍ୟବାଦୀ କରିଦବ ଏବଂ ଦୁଃସାହାସ କରି କେହି ଜିତିବା ପାଇଁ ଆଗକୁ ଲମ୍ଫ ଦେବ ନାହିଁ, ସେଥିପାଇଁ ଆଉ ଗୋଟିଏ ପରିତ୍ରାଣର ବାଟ ଅଛି । ତାହା ହେଉଛି ନିଷ୍କାମ କର୍ମର ବାଟ । କାମନାଶୂନ୍ୟ ମଣିଷ ଦୁଃଖପାଏ ନାହିଁ, ଅନୁତାପ କରେ ନାହିଁ । ଅର୍ଜୁନଙ୍କ ବିଷାଦ ଅବସ୍ଥା ଭାଙ୍ଗିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଗୀତାର କର୍ମଯୋଗର ଆଠ ଶ୍ଲୋକରେ କହିଛନ୍ତି–“ତୁମର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ (କର୍ମ) କରିଯାଅ । କାରଣ କର୍ମହୀନତା ଅପେକ୍ଷା କର୍ମ କରିବା ଉତ୍ତମ । କାମ ନ କଲେ ବ୍ୟକ୍ତି ତା’ର ଶରୀର ରକ୍ଷା ବି କରିପାରିବ ନାହିଁ ।”

 

“ହେ ଅର୍ଜୁନ ! ଯୋଗରେ ସ୍ଥିରହୁଅ । କର୍ତ୍ତବ୍ୟ କରିଯାଅ । ଲାଭକ୍ଷତି ଜୟ ପରାଜୟ ଆଦି ସମସ୍ତ ପ୍ରକାର ଆସକ୍ତି ତ୍ୟାଗ କର । ଏ ପ୍ରକାର ମାନସିକ ସମତାକୁ ଯୋଗ କହନ୍ତି ।”

 

କାମ କରିବାର ବା କର୍ତ୍ତବ୍ୟ କରିବାର ଅଧିକାର ସମସ୍ତଙ୍କର ଅଛି । ଏପରିକି ସ୍ୱୟଂ ଭଗବାନ ମଧ୍ୟ ଏଥିରୁ ଅଲଗା ନୁହନ୍ତି । କିନ୍ତୁ କର୍ମ ଫଳରେ ଆସକ୍ତି ନ ରଖି କାମ କର । କାରଣ କର୍ତ୍ତବ୍ୟ କରିବା ତୁମର ଅଧିକାର । କର୍ମଫଳ ତୁମେ ଈଶ୍ୱରଙ୍କଠାରେ ସମର୍ପଣ କର । ଭାଗ୍ୟ ଓ ଭାଗ୍ୟଫଳ ବିଷୟରେ ମୁଁ ଯେବେ ଭାବିଛି କିଛି କୂଳ କିନାରା କରିପାରି ନାହିଁ । କୋଡ଼ିଏ ବର୍ଷରୁ ଉର୍ଦ୍ଧ୍ୱ ମୁଁ ପ୍ରତିଦିନ ଗୀତା ଓ ଶ୍ରୀଚଣ୍ଡୀ ପାଠ କରିଆସୁଅଛି । ମୁଁ କେବଳ କହିବି ଯେ ଭାଗ୍ୟବାଦୀମାନେ ଯଦି ଗୀତା ଅଧ୍ୟୟନ କରନ୍ତି ତେବେ କର୍ମର ଗହନ ତତ୍ତ୍ୱ ବୁଝିପାରିବେ । ଆଉ ଠାଏ ଶ୍ରୀକୃଷ୍ଣ କର୍ମଯୋଗର ୨୦ ଶ୍ଲୋକରେ କହିଛନ୍ତି ଯେ ଏପରି ଜନକ ଆଦି ଆଦର୍ଶ ରାଜାମାନେ କର୍ତ୍ତବ୍ୟ କର୍ମକରି ସିଦ୍ଧିଲାଭ କରିଥିଲେ । ତେଣୁ ଜନସାଧାରଣଙ୍କୁ ଶିକ୍ଷାଦେବା ସକାଶେ କର୍ତ୍ତବ୍ୟ କରିବା ଉଚିତ୍‌ । ଏହାର ପରବର୍ତ୍ତୀ ଶ୍ଲୋକରେ କହିଛନ୍ତି, “ଜଣେ ବିଶିଷ୍ଠ ବ୍ୟକ୍ତି ଯାହା କରନ୍ତି ସାଧାରଣ ଲୋକମାନେ ତାହା ଅନୁସରଣ କରନ୍ତି । ସେ ତାଙ୍କର ନିଜ ଆଚରଣ ଦ୍ୱାରା ଯେଉଁ ପ୍ରକାର କାର୍ଯ୍ୟ କରିଯାଆନ୍ତି ସମଗ୍ର ପୃଥିବୀ ତାହା ଅନୁସରଣ କରେ ।” ଗୀତାର ଏଇ ମହାବାକ୍ୟ ଲୋକସଙ୍ଗଠନ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ।

 

ଭାଗ୍ୟକୁ ଭଗବାନ ମନେକରି କାମ କଲେ ଏବଂ କର୍ମ ଫଳରେ ଆସକ୍ତି ନ ରଖି ଫଳ ତାଙ୍କୁ ସମର୍ପଣ କଲେ ଦୁଃଖ ଅନୁତାପ ରହିବ ନାହିଁ । ଜୟଲାଭ କଲେ ଉଲ୍ଲସିତ ଓ ପରାଜୟରେ ଗ୍ଲାନି ଆସିବ ନାହିଁ । କାରଣ କତ୍ତ୍ୟର୍ବବୋଧ ନେଇ ନିରାସକ୍ତ ଓ ଏକାଗ୍ର ହୋଇ କାମ କଲେ ତାହା ଯୋଗ ହୋଇଯାଏ । ସେଥିପାଥଇଁ କହିଛନ୍ତି ‘ଯୋଗ କର୍ମସୁ କୌଶଳମ୍‌’ । ଯୋଗସ୍ଥ ହୋଇ କାମ କଲେ କାମ ନିପୁଣ ଓ ସର୍ବୋତ୍ତମ ହୁଏ । କଲିକତାରେ ଥିଲାବେଳେ ଜଣେ ସାଧୁ ଆସି ଜଣେ ଉଚ୍ଚପଦସ୍ଥ ଅଫିସରଙ୍କ ଅତିଥି ହେଲେ । ସେ ଆଗତ ଭବିଷ୍ୟତ ସମ୍ପର୍କରେ ଚର୍ଚ୍ଚା କରନ୍ତି । ପଦୋନ୍ନତି ପାଉନଥିବା ଜଣେ ଅଫିସର ତାଙ୍କୁ କହିଲେ ଯେ ସରକାର ତାଙ୍କୁ ପ୍ରମୋଶନ ନ ଦେଇ ତାଙ୍କ କନିଷ୍ଠଙ୍କୁ ଦେଇଛନ୍ତି । ସାଧୁ କହିଲେ ‘ଭଲକାମ କଲେ ଭଲ ଫଳ ଖରାପ କାମ କଲେ ଫଳ ଖରାପ ହୁଏ । ଆପଣ ଭଲ କାମ କରନ୍ତୁ, ଫଳ ଅବଶ୍ୟ ପାଇବେ !’ ଆମେ ସମସ୍ତେ ଭାବୁ ଯେ ଭଲ କାମ କରୁଛୁ । କିନ୍ତୁ କର୍ତ୍ତବ୍ୟ ସମ୍ପାଦନା ସହଜ କଥା ନୁହେଁ । ନିଷ୍ଠା ଓ ସମର୍ପଣ ଭାବ ନେଇ କର୍ତ୍ତବ୍ୟ କଲେ ଫଳ ଭଲ ହୁଏ, ଆଉ ଯଦି ବି ନହୁଏ ତେବେ ତାହା ଭଗବାନଙ୍କ ଇଚ୍ଛା ବୋଲି ଧରି ନେଲେ କଷ୍ଟ ହୁଏନାହିଁ । ନଳରାଜା ଘାସକାଟି ଜୀବିକା ନିର୍ବାହ କଲେ ଭାଗ୍ୟ ଦୋଷରୁ, କିନ୍ତୁ ଗ୍ଲାନି ଅନୁଭବ ନ କରି ଘାସ କାଟିବା କାମ ବି କଲେ ମନପ୍ରାଣ ଦେଇ । ତାଙ୍କ କଷ୍ଟ ଶୀଘ୍ର ଦୂର ହେଲା । ସେ କର୍ମ ସମ୍ପାଦନ କରିବାର ଫଳ ପାଇଲେ । ତେଣୁ ଭାଗ୍ୟ ପାଖରେ ହାର ନ ମାନି କର୍ତ୍ତବ୍ୟ କର-। ପ୍ରଭୁଙ୍କୁ ସ୍ମରଣ କର । କର୍ମଫଳରେ ଆଶା ନରଖି ତାଙ୍କୁ ସମର୍ପଣ କର । ଏହି ପନ୍ଥା ଆଣିଦବ ସନ୍ତୋଷ ଓ ଶାନ୍ତି ।

☆☆☆

 

ଯାହାର ଯେତେ ସମ୍ପତ୍ତି ସେତେ ସମ୍ମାନ ଓ ପ୍ରତିପତ୍ତି

 

ମୋ ବାପା ଯେତେବେଳେ ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାରେ ଚାକିରି କରୁଥିଲେ ସେତେବେଳେ ଆମ ଘରକୁ ଅନେକ ସାଧୁସନ୍ଥ, ବିପ୍ଲବୀ ଓ ସ୍ୱାଧୀନତା ସଂଗ୍ରାମୀ ଆସୁଥିଲେ । ବନ୍ଦେ ମାତରଂ ଆନ୍ଦୋଳନ ସହିତ ସମ୍ପୃକ୍ତ ଥିବା କେତେକ ଲଢ଼ୁଆ ଦେଶପ୍ରେମୀ ବେଳେବେଳେ ଆମ ଘରେ ରହୁଥିଲେ । ସେତେବେଳେ ସେମାନଙ୍କୁ ଦେଖିବା ପାଇଁ ଓ ସେମାନଙ୍କ କଥା ଶୁଣିବା ପାଇଁ ସ୍କୁଲର ଛାତ୍ର, ଶିକ୍ଷକ ଓ ସାଧାରଣ ଲୋକ ଆମ ଘରକୁ ଆସୁଥିଲେ । ମୋ ବାପା ପୂର୍ଣ୍ଣଚନ୍ଦ୍ର ମିଶ୍ର ସଂସ୍କୃତ ଶିକ୍ଷକ ଥିଲେ ଗୋପୀବଲ୍ଲଭପୁର ହାଇସ୍କୁଲରେ । ମୋ ଅଜା ଈଶ୍ୱର ଚନ୍ଦ୍ର ହୋତା ଗୋପବନ୍ଧୁଙ୍କ ଅନୁଗାମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି ସମାଜରେ ଏମାନଙ୍କର ଖ୍ୟାତି ଓ ସମ୍ମାନ ଥିଲା ।

 

ମୋ ମା’ ବାପା ଓ ଅଜାଙ୍କଠାରୁ ପୁରାଣର ଅନେକ କାହାଣୀ ମୁଁ ଶୁଣିଛି । ଆମ ସ୍କୁଲର ହେଡ଼ମାଷ୍ଟର ଶାନ୍ତି ବାବୁଙ୍କ ପାଖରୁ ବିପ୍ଳବୀ ଖୁଦିରାମ ଓ ଅନେକ ବିପ୍ଳବୀଙ୍କ କଥା ଶୁଣିବାବେଳେ ଲୋମ ଟାଙ୍କୁରି ଉଠିଛି । ଦେଶ ପାଇଁ ସେମାନେ ହସି ହସି ଫାଶୀ କାଠରେ ଝୁଲି ପଡ଼ିଥିଲେ । ଖୁଦୀରାମ, ଭଗତ୍‌ସିଂ, ରାଜଗୁରୁ ପ୍ରଭୃତିଙ୍କୁ ଇଂରେଜ ସରକାର ଡରାଇ ପାରି ନ ଥିଲା । ସେମାନଙ୍କର ଭୟ ନ ଥିଲା । ସେମାନେ ଫାଶୀ ପାଇ ଅମର ହୋଇଯାଇଛନ୍ତି । ଏମାନଙ୍କର ନାମ ପ୍ରାତଃ ସ୍ମରଣୀୟ ହୋଇଯାଇଛି । ପୁରାଣର ରାଜା ହରିଶ୍ଚନ୍ଦ୍ର, କର୍ଣ୍ଣ, ଦଧୀଚି ଏବଂ ଆହୁରି ଅନେକଙ୍କ ଆଦର୍ଶ ହଜାର ହଜାର ବର୍ଷଧରି ଜନମାନସରୁ ଲିଭି ନାହିଁ । ଏମାନେ ଆଦର୍ଶ ହୋଇ ରହିଛନ୍ତି । ସେମାନଙ୍କର ସତ୍ୟନିଷ୍ଠା, ଧର୍ମ ପ୍ରତି ଅନୁରାଗ ଏବଂ ସାଧାରଣ ଲୋକଙ୍କ ପାଇଁ ତ୍ୟାଗ ସେମାନଙ୍କୁ ଅମର କରିଦେଇଛି । ମହାଭାରତ, ରାମାୟଣ, ଭାଗବତ ଓ ଅନ୍ୟାନ୍ୟ ପୁରାଣରେ ଏହିପରି ବହୁ ଚରିତ୍ର ରହିଛି । ଆମ ଆଗରେ ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ଶ୍ରୀ ଅରବିନ୍ଦ, ମହାତ୍ମା ଗାନ୍ଧି ପ୍ରଭୃତି ମହାପୁରୁଷ ଜନସଙ୍ଗଠନ, ଧର୍ମ ସଂସ୍କାର ଏବଂ ସେବା କ୍ଷେତ୍ରରେ ଯେଉଁ ଦୃଷ୍ଟାନ୍ତ ସୃଷ୍ଟି କରିଯାଇଛନ୍ତି ତାହା ଉତ୍ତର ପୁରୁଷମାନଙ୍କୁ ଯୁଗ ଯୁଗ ଧରି ଅନୁପ୍ରାଣିତ କରିବ-। ମୁଁ ପିଲା ଥିଲାବେଳେ ଧନସମ୍ପତ୍ତି, କ୍ଷମତା ଥିବା ଲୋକମାନଙ୍କର ପ୍ରଭାବ ଅପେକ୍ଷା ଜ୍ଞାନୀ, ଗୁଣୀ, ବ୍ରହ୍ମଦର୍ଶୀ, ସତ୍ୟନିଷ୍ଠ, ସାଧୁ ସନ୍ଥ ଓ ବିଦ୍ୱାନମାନଙ୍କର ସାମାଜିକ ସମ୍ମାନ ସମ୍ପତ୍ତିଶାଳୀମାନଙ୍କ ଠାରୁ ଥିଲା ବେଶି । କିନ୍ତୁ ଏଇ ପଚାଶ ବର୍ଷ ଭିତରେ ସମାଜ କେତେ ବଦଳି ଯାଇଛି ଓ ଲୋକ ଚରିତ୍ରରେ କେତେ ବିରାଟ ପରିବର୍ତ୍ତନ ହୋଇଛି ତାହା ଦେଖି ମୁଁ ଚକିତ ହୁଏ । ବେଳେବେଳେ ଉଦାସୀନ ହୋଇଯାଏ ଏବଂ ମନକୁ ମନ ପ୍ରଶ୍ନ କରେ ଯେ ଏତେ ଶୀଘ୍ର ଏପରି ପରିବର୍ତ୍ତନ ଘଟିଲା କିପରି ।

 

ପୂର୍ବ କାଳରେ ଆଦର୍ଶ, ନୀତି ଓ ନିୟମ ପାଳନ କରିବା ପାଇଁ ଲୋକମାନେ ଅନେକ ତ୍ୟାଗ ଓ କଷ୍ଟ ସ୍ୱୀକାର କରୁଥିଲେ ଏବଂ ପ୍ରାଣବଳୀ ମଧ୍ୟ ଦେଉଥିଲେ । ସେମାନଙ୍କର ତ୍ୟାଗ ସମାଜରେ ନୂତନ ମୂଲ୍ୟବୋଧ ସୃଷ୍ଟି କରୁଥିଲା । ସାଧାରଣ ଲୋକ ସେମାନଙ୍କୁ ଅନୁକରଣ କରିବା ପାଇଁ ଚେଷ୍ଟା କରୁଥିଲେ । ଦେଶ ସ୍ୱାଧୀନ ହେବାପରେ ଲୋକ ଚରିତ୍ରରେ ଆଉ ପୂର୍ବର ଶୃଙ୍ଖଳା ନାହିଁ ବା ନୀତିବୋଧ ନାହିଁ । ଧର୍ମ ଅର୍ଜ୍ଜନ କରିବା ନାମରେ ଅଧର୍ମ ମାର୍ଗରେ ଯିବା ଚଳଣିରେ ପଡ଼ିଗଲାଣି । ମୋ ଧର୍ମ ମୋତେ ବଡ଼ । ଆଉ ଜଣେ ଯଦି ଭିନ୍ନ ଧର୍ମାବଲମ୍ବୀ ହୋଇଥାଏ ତେବେ ତା’ ପାଇଁ ତା’ ଧର୍ମ ବଡ଼ । ଗୀତାରେ କୁହାଯାଇଛି ଯେ ‘ସ୍ୱଧର୍ମେ ନିଧନଂ ଶ୍ରେୟଃ ପରମଧର୍ମ ଭୟାବହ’ ।ନିନ ନିଜ ଧର୍ମ ମାନି ଚଳିବ; ପରଧର୍ମ ଅନୁସରଣ କଲେ ବିପଦ ପଡ଼ିବା ନିଶ୍ଚିତ । ଧର୍ମର ମୂଳ କଥା ହେଉଛି ସତ୍ୟ, ନ୍ୟାୟ ଓ ନୀତି ଅନୁସାରେ କର୍ତ୍ତବ୍ୟ କରିବା । ନିଜ ହିତ ପାଇଁ କାମ ନ କରି ଲୋକମାନଙ୍କର ହିତ ପାଇଁ କାର୍ଯ୍ୟ କରିବା ହେଉଛି ପୁଣ୍ୟ କାର୍ଯ୍ୟ । ଆମ ଦେଶରେ ଶହେ କୋଟି ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ତିରିଶ କୋଟି ଲୋକଙ୍କୁ ଦୈନିକ ଦୁଇବେଳା ଖାଇବା ପାଇଁ ମିଳେନାହିଁ । କିନ୍ତୁ ସେମାନେ ଚୋରି ବା ଡକାୟତି କରି ସମ୍ପତ୍ତି ଅର୍ଜ୍ଜନ କରନ୍ତି ନାହିଁ କି ପରିବାର ପୋଷଣ କରନ୍ତି ନାହିଁ । ଯେଉଁମାନେ ଅନେକ ସମ୍ପତ୍ତିର ମାଲିକ ସେମାନେ ବରଂ ଅନ୍ୟାୟ ଉପାୟରେ ଅନ୍ୟମାନଙ୍କୁ ବଞ୍ଚିତ କରି ଧନ ଠୁଳ କରିବାରେ ବ୍ୟସ୍ତ । କାରଣ ସେମାନେ ଭାବନ୍ତି ଯେ ସମ୍ପତ୍ତି ହାତରେ ଥିଲେ ଶାସନକୁ ନିୟନ୍ତ୍ରଣ କରିହୁଏ । ଆଇନ୍‌ଭାଙ୍ଗିଲେ ମଧ୍ୟ ଦଣ୍ଡ ମିଳେ ନାହିଁ । ବଡ଼ ବଡ଼ କମ୍ପାନୀର ମାଲିକମାନେ କିପରି ଅନ୍ୟାୟ ମାର୍ଗରେ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି ଏବଂ ସେଥିରୁ କିଛି ଖର୍ଚ୍ଚ କରି ସରକାର ଓ ଶାସନକୁ ହାତ ମୁଠାରେ ରଖିଛନ୍ତି ତାହାର ବିବରଣୀ ପ୍ରତି ଦିନ ଖବର କାଗଜରୁ ମିଳୁଛି । ଜଣେ ସମ୍ପତି ବଳରେ ରାଜନୀତି କରିପାରେ । ଧନବଳ ଓ ବାହୁବଳ ସାହାଯ୍ୟରେ ବିଧାୟକ ବା ମନ୍ତ୍ରୀ ହେବାରେ ବାଧାନାହିଁ । ଅନେକ ଅପରାଧ କରି ମଧ୍ୟ ସେମାନଙ୍କର କିଛି ହେଉନାହିଁ । ଆଇନର ହାତ ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚୁ ନାହିଁ । ଜେଲ ଭିତରେ ରହିଥିବା ନେତାମାନେ ଅର୍ଥ ଓ କ୍ଷମତା ବଳରେ ଖଲାସ ହୋଇଯାଉଛନ୍ତି । ଫଳରେ ଲୋକମାନଙ୍କ ମନରେ ଗୋଟିଏ ଧାରଣା ଜନ୍ମିଯାଇଛି ଯେ ରାଜା ଅର୍ଥାତ୍ ଶାସକ ଓ ବଡ ବଡ ଲୋକମାନେ ଯଦି ଏପରି କୁକର୍ମ କରି ମଧ୍ୟ ଅଚଳାଚଳ ସମ୍ପତ୍ତିର ମାଲିକ ଓ କ୍ଷମତାର ଅଧିକାରୀ ହୋଇପାରନ୍ତି ତେବେ ପ୍ରଜାମାନେ ବା ସାଧାରଣ ଲୋକ ସେହି ପଥ ଅନୁସରଣ କଲେ କ୍ଷତିନାହିଁ । ତେଣୁ ବର୍ତ୍ତମାନ ସମାଜରେ ଆଉ ପୁର୍ବର ମୂଲ୍ୟବୋଧ ଚଳୁନାହିଁ । ଅସତ୍‌ମାର୍ଗଟି ସତ୍‌ମାର୍ଗର ବୋଲି ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହୋଇଛି । ଯେଉଁମାନେ ସତ୍ୟ, ଧର୍ମ, ଓ କର୍ତ୍ତବ୍ୟପାଳନ କରୁଛନ୍ତି ସେମାନେ ଦୁଃଖ ଓ ଦୁର୍ଦ୍ଦଶା ଭିତରେ ସଢ଼ୁଥିଲା ବେଳେ ଯେଉଁମାନେ ବିପରୀତ କାମ କରୁଛନ୍ତି ସେମାନଙ୍କର ଜୟଧ୍ୱନି ଶୁଣାଯାଉଛି ହାଟ, ବଜାର ଓ ରାଜ ରାସ୍ତାରେ । ଦୀର୍ଘକାଳ ଧରି ଆମ ଦେଶରେ ଧର୍ମର ପ୍ରଭାବ ରହିଆସିଛି । ଧର୍ମର ନିୟମ ଓ ଶୃଙ୍ଖଳା ମାନି ଚଳିବା ହିଁ ଉଚିତ ମାର୍ଗ ବୋଲି ଶିକ୍ଷିତ ଓ ଅଶିକ୍ଷିତ, ଜ୍ଞାନୀ ଓ ଅଜ୍ଞାନ ସମସ୍ତେ ଭାବି ଆସିଛନ୍ତି । କିନ୍ତୁ ଆଉ ଜୀବନ ସତ୍ୟ ଓ ଧର୍ମକୁ ଧରି ଚଳୁ ନାହିଁ । ଏହାର ମାର୍ଗ ପରିବର୍ତ୍ତନ ହୋଇଛି ।

 

ଅଧର୍ମ ଓ ଅସତ୍ୟର ନୂଆ ପ୍ରଶସ୍ତ ପଥ ତିଆରି କରାଯାଇଛି । ସେଇ ପଥ ଜନପଥ ନୁହେଁ ରାଜପଥ । କଥାରେ କୁହାଯାଏ, ‘ରାଜାନୁଗତ ପ୍ରଜା’ ଅର୍ଥାତ୍‌ରାଜାଙ୍କୁ ପ୍ରଜାମାନେ ଅନୁସରଣ କରିବେ । ‘ଗଣତନ୍ତ୍ର ଶାସନରେ କିନ୍ତୁ କୁହାଯାଇଛି ଯେ ପ୍ରଜାନୁଗତ ରାଜା’ ଅର୍ଥାତ୍‌ ପ୍ରଜାମାନଙ୍କର ଅନୁଗତ ପରି ରାଜା କାର୍ଯ୍ୟ କରିବେ । ପ୍ରଜାମାନଙ୍କର କ୍ଷତି ହେଲାଭଳି କିଛି କାର୍ଯ୍ୟ କରିବେ ନାହିଁ-। ଭଲ ଲୋକକୁ ଆଦର ମିଳିବ । ଦୋଷୀମାନଙ୍କୁ ଶାସ୍ତି ମିଳିବ । ଅସହାୟ ଓ ଅକ୍ଷୟମାନଙ୍କୁ ଶାସନ ଓ ସମାଜ ରକ୍ଷା କରିବ । ସମ୍ପତ୍ତି ଜଣେ ବା ଗୋଟିଏ ପରିବାରର ହିତ ପାଇଁ ଖର୍ଚ୍ଚ ନ କରି ସମସ୍ତଙ୍କ ପାଇଁ ଖର୍ଚ୍ଚ କରାଯିବ । କିନ୍ତୁ ଏଇ ପରିବର୍ତ୍ତନ ଆସିବ କିପରି ? ଆଣିବ କିଏ-? ଏଇ କାର୍ଯ୍ୟରେ କିଏ ନେତୃତ୍ୱ ନେବ ? ମୁଁ ଭାବେ ଯେ ଅଳ୍ପ ସଂଖ୍ୟକ ହେଲେ ମଧ୍ୟ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜକଥା ନ ଭାବି ଅନ୍ୟମାନଙ୍କ କଥା ଭାବନ୍ତି-। ସମାଜରୁ ସ୍ୱାର୍ଥପରତା, କୁସଂସ୍କାର. ଅବିଚାର ଓ ଅନ୍ୟାନ୍ୟ ଦୂର କରିବା ସକାଶେ ଲଢ଼ିବା ପାଇଁ, ତ୍ୟାଗ କରିବା ପାଇଁ ସେମାନେ ପ୍ରସ୍ତୁତ ହୋଇ ରହିଛନ୍ତି । ଏହାର ଶ୍ରେଷ୍ଠ ଦୃଷ୍ଟାନ୍ତ ମହାତ୍ମା ଗାନ୍ଧି-

 

ଆମ ଶାସ୍ତ୍ର ଓ ପୁରାଣରେ ଗୋଟିଏ ପରମ୍ପରା ସୃଷ୍ଟି ହୋଇଥିଲା । ତାହା ହେଉଛି ‘ବହୁଜନ ହିତାୟ, ବହୁଜନ ସୁଖାୟ’ ଅର୍ଥାତ୍‌ ଏଭଳି କାମ କରିବ ଯଦ୍ୱାରା ବହୁଲୋକଙ୍କର ହିତ ହେବ ଏବଂ ବହୁ ଲୋକଙ୍କର ସୁଖ ହେବ । ପ୍ରାଚୀନ କାଳରେ ଶାସନ ଲକ୍ଷ୍ୟଥିଲା ପ୍ରଜାମାନଙ୍କର ସୁଖ ଓ କଲ୍ୟାଣ । ସେଥିପାଇଁ ରାବଣ ଯେତେବେଳେ ସୀତାଙ୍କୁ ବଳ ପ୍ରୟୋଗ ଦ୍ୱାରା ହରଣ କରି ନେଇଗଲା ସେତେବେଳେ ତା’ର ପ୍ରତିରୋଧ କରିବା ପାଇଁ ପାଖରେ କେହି ନ ଥିଲେ ମଧ୍ୟ ଜଟାୟୁ ପକ୍ଷୀ ରାବଣର ପ୍ରତିରୋଧ କଲା ଏବଂ ରାବଣ ସହିତ ଯୁଦ୍ଧ କଲା । ଶେଷରେ ଜଟାୟୁ ନିହତ ହେଲା । କିନ୍ତୁ କଥା ରହିଗଲା କାଳ କାଳକୁ । ଆଜି ଜଟାୟୁମାନେ ନାହାନ୍ତି । ସେଥିପାଇଁ ଦୁଷ୍ଟ ଲୋକମାନେ ନାରୀମାନଙ୍କୁ ଅପହରଣ କରୁଛନ୍ତି । ଯଦି ସମାଜର କେତେଜଣ ଲୋକ ଏଇ ଦୃଷ୍ଟ ଲୋକଙ୍କର ଅତ୍ୟାଚାର ବନ୍ଦ କରିବା ପାଇଁ ବାହାରି ପଡ଼ନ୍ତେ ଜଟାୟୁ ପରି ତେବେ ଅସୁରମାନଙ୍କ ଉତ୍ପାତ ଆପେ ଆପେ କମି ଯାଆନ୍ତା । ହୁଏତ କେତେକଙ୍କୁ ପ୍ରାଣ ବିସର୍ଜନ କରିବାକୁ ପଡ଼ନ୍ତା । କିନ୍ତୁ ସେମାନଙ୍କର ଏହି ମହତ୍‌କାର୍ଯ୍ୟ ଜନମନକୁ ଆନ୍ଦୋଳିତ କରନ୍ତା । ନୂତନ ମୂଲ୍ୟବୋଧଟିଏ ଲୋକ ମନରେ ସୃଷ୍ଟି ହୁଅନ୍ତା । ଧୀରେ ଧୀରେ ଅନେକ ଲୋକ ସଙ୍ଗଠିତ ହୁଅନ୍ତେ ଦୁଷ୍ଟ ଅତ୍ୟାଚାରୀ ଲୋକଙ୍କର ମୁକାବିଲା କରିବା ପାଇଁ ।

 

ଗାନ୍ଧିଜୀ ଆମ ସମୟର ସବୁଠାରୁ ବଡ଼ ନେତା । କେବଳ ସେତିକି ନୁହେଁ ଦୁଇ ହଜାର ବର୍ଷ ମଧ୍ୟରେ ଯେଉଁ ପ୍ରାତଃ ସ୍ମରଣୀୟ ମହାପୁରୁଷ ଏ ଜଗତରେ ଜନ୍ମଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରେ ପ୍ରଥମ ହେଲେ ଗୌତମ ବୁଦ୍ଧ, ଦ୍ୱିତୀୟରେ ଯୀଶୁଖ୍ରୀଷ୍ଟ ଏବଂ ତୃତୀୟରେ ମହାତ୍ମା ଗାନ୍ଧି । ଆମର ସୌଭାଗ୍ୟ ଯେ ଗାନ୍ଧିଜୀଙ୍କ ନେତୃତ୍ୟରେ ଏ ଦେଶ ସ୍ୱାଧୀନ ହେଲା । ସେ ଅକ୍ଲେଶରେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ । କିନ୍ତୁ ସେ କୌଣସି ପଦପଦବୀ ଚାହିଁ ନ ଥିଲେ । ତାଙ୍କ ହାତରେ କୌଣସି କ୍ଷମତା ବା ଧନସମ୍ପତ୍ତି ନ ଥାଇ ମଧ୍ୟ ସେ କୋଟି କୋଟି ଲୋକଙ୍କୁ ସଂଗଠିତ କରି ପାରୁଥିଲେ । ତାଙ୍କ କଥା ଶୁଣି ଲୋକମାନେ ଡେଇଁ ପଡ଼ୁଥିଲେ ବଡ଼ ବଡ଼ କାର୍ଯ୍ୟ କରିବା ପାଇଁ । ନିଜର ସ୍ୱାର୍ଥ କଥା ଚିନ୍ତା କରୁନଥିଲେ । ଦେଶ ଓ ଦଶର ହିତ ପାଇଁ ଲଢ଼ୁଥିଲେ ଓ ତ୍ୟାଗ କରୁଥିଲେ । ଏଇ ଆଦର୍ଶ କ’ଣ ଫେରି ଆସିବ ? ମୋର ବିଶ୍ୱାସ ହେଉଛି ଯେ ଆଦର୍ଶର କେବେ ମୃତ୍ୟୁ ହୁଏ ନାହିଁ । ହରିଶ୍ଚନ୍ଦ୍ର ରାଜା ଆଉ ନାହାନ୍ତି କିନ୍ତୁ ପ୍ରଜାହିତ ପାଇଁ ସେ ଯେଉଁ ଆଦର୍ଶ ରଖିଯାଇଛନ୍ତି ତାହା କ’ଣ ନିରର୍ଥକ ହୋଇଯାଇଛି ? ଋାମ ରାଜ୍ୟ ଆଉ ନାହିଁ, କିନ୍ତୁ ରାମଚନ୍ଦ୍ର ଯେଭଳି ନ୍ୟାୟ ମାର୍ଗରେ ଶାସନ କରୁଥିଲେ ଏବଂ ପ୍ରତ୍ୟେକ ପ୍ରଜା କିପରି ସୁଖରେ ରହିବ ସେଇକଥା ଚିନ୍ତା କରୁଥିଲେ ସେଇ ଆଦର୍ଶର ମୃତ୍ୟୁ ହୋଇନାହିଁ । ଆଦର୍ଶ ରକ୍ଷା କରିବା ପାଇଁ ମୂଲ୍ୟ ଦେବାକୁ ପଡ଼େ । ଆମକୁ ଶାସନ କରୁଥିବା ନେତାମାନଙ୍କର ଚରିତ୍ର ସ୍ଖଳନ ଏତେ ବେଶୀ ଯେ ସେମାନଙ୍କୁ ଆଉ ଆଦର୍ଶ ବୋଲି କେହି ଗ୍ରହଣ କରୁନାହାନ୍ତି । ବରଂ ସେମାନେ ଖରାପ ମାର୍ଗରେ ଯାଇ କ୍ଷମତା ଅଧିକାର କରୁଥିବାରୁ ଏବଂ କ୍ଷମତାର ଦୁରୂପଯୋଗ କରି ଧନସମ୍ପତ୍ତି ଠୁଳ କରୁଥିବାରୁ ସେହିପରି କାର୍ଯ୍ୟ କରିବା ପାଇଁ ଅନେକ ଉତ୍ସାହିତ ହେଉଛନ୍ତି । ଶିଳ୍ପ ବିକାଶ, କୃଷିର ଉନ୍ନତି, ଶିକ୍ଷା ପ୍ରସାର, ସ୍ୱାସ୍ଥ୍ୟସେବା କରିବା ନାମରେ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ସେଥିରୁ ସୁଫଳ ମିଳୁନାହିଁ । କାରଣ ଏଇ ଅର୍ଥରୁ ବେଶି ଭାଗ ଶାସକ, ସେବକ ଏବଂ ନେତାମାନେ ଆତ୍ମସାତ କରିନିଅନ୍ତି । ଜନ ଚରିତ୍ରକୁ ଶୁଦ୍ଧ, ନିର୍ମଳ ଓ ଶକ୍ତିଶାଳୀ କରିବା ପାଇଁ ଆଦର୍ଶ ପଥରେ ଦୌଡ଼ିବାକୁ ହେବ । ସେଥିପାଇଁ ତ୍ୟାଗ କରିବାକୁ ହେବ ଏବଂ ତ୍ୟାଗ କଲେ ସମ୍ପତ୍ତି ଓ କ୍ଷମତାର ମୋହ ତୁଟିଯିବ । ତା’ ସ୍ଥାନରେ ସତ୍ୟ ଓ ନ୍ୟାୟକୁ ଆଧାର କରି ଗଢ଼ି ଉଠିଥିବା ମୂଲ୍ୟବୋଧଗୁଡ଼ିକ ଧୀରେ ଧୀରେ ପୁଣି ଲୋକ ଚରିତ୍ରରେ ପ୍ରଭାବ ବିସ୍ତାର କରିବ ।

☆☆☆

 

ମହାଭାରତର ବକ-ଯୁଧିଷ୍ଠିର କଥା

 

ଜଣ ଜଣ କରି ଚାରିଭାଇ ସରୋବରରୁ ଜଳପାନ କରିବା ପାଇଁ ଆସି ଯକ୍ଷଙ୍କର ସର୍ତ୍ତ ନ ମାନି ଜଳପାନ କରିବା ମାତ୍ରେ ପ୍ରାଣ ହରାଇଥିଲେ । ଶେଷରେ ସେମାନେ ଫେରି ନ ଆସିବାରୁ ଯୁଧିଷ୍ଠିର ଉଦ୍‌ବିଗ୍ନ ହେଲେ ଏବଂ ସରୋବର ନିକଟରେ ପହଞ୍ଚିଲେ । ସୁବର୍ଣ୍ଣ ପରି ଝଟକୁଥିବା ପଦ୍ମଫୁଲ ସବୁ ଦେଖି ଯୁଧିଷ୍ଠିର ମୁଗ୍ଧ ହେଲେ । କିନ୍ତୁ ସରୋବର ନିକଟକୁ ଯାଇ ଚାରିଭାଇ ସରୋବର ତୀରରେ ମରିପଡ଼ିଥିବା ଦେଖି ହତ୍‌ବାକ ହେଲେ ଏବଂ ଶୋକରେ ଭାଙ୍ଗି ପଡ଼ିଲେ । ସେ ଭାବିଲେ ଯେ ହୁଏତ କେହି ଗୁପ୍ତଘାତକ ଷଡ଼ଯନ୍ତ୍ର କରି ବିଷପାନ କରାଇ ସେମାନଙ୍କୁ ହତ୍ୟା କରିଥିବ । ତା’ପରେ ସେ ସରୋବରରୁ ଜଳପାନ କରିବା ସକାଶେ ଯେମିତି ଓହ୍ଳାଇଲେ କେହି କହୁଥିବା ଶୁଣିଲେ–‘ମୁଁ ମାଛ ଓ ଶୌବାଳ ଭୋଜୀ ବକ । ମୋ ସର୍ତ୍ତ ନମାନି ତୁମର ଭାଇମାନେ ଜଳପାନ କରିବାରୁ ଜଣକ ପରେ ଜଣେ ମରି ପଡ଼ିଛନ୍ତି ।’ ଯୁଧିଷ୍ଠିର ବ୍ୟାକୁଳ ହୋଇ କହିଲେ— ‘ଆପଣ କିଏ ?’ ତତ୍‌କ୍ଷଣାତ୍‌ ସେ ଉତ୍ତର ଦେଇ କହିଲେ—ମୁଁ ଯକ୍ଷ । ସଙ୍ଗେ ସଙ୍ଗେ ତାଳଗଛ ପରି ମହାକାୟା ବିସ୍ତାର କରି ସୂର୍ଯ୍ୟପରି ତେଜସ୍ୱୀ ଗଛ ଉପରେ ଆଉଜିଥିବା ଯକ୍ଷ କହିଲେ—‘ମୁଁ ସେମାନଙ୍କୁ ମାରିଛି । ଯୁଧିଷ୍ଠିର ! ତୁମେ ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦିଅ ଏବଂ ତା’ପରେ ଜଳପାନ କର ।’

 

ତା’ପରେ ଯକ୍ଷ ଯୁଧିଷ୍ଠିରଙ୍କୁ ଅନେକ ପ୍ରଶ୍ନ ପଚାରିଲେ ଏବଂ ଯୁଧିଷ୍ଠିର ଗୋଟି ଗୋଟି କରି ସେସବୁର ଉତ୍ତର ଦେଲେ । ମହାଭାରତର ଏକ ବୃତ୍ତାନ୍ତ ଭିତରେ କାଳଜୟୀ ସତ୍ୟ ଲୁଚି ରହିଥିବାରୁ ସେଥିମଧ୍ୟରୁ କେତୋଟି ପ୍ରଶ୍ନ ଓ ଏହାର ଉତ୍ତର ଏଠାରେ ଲେଖୁଛି । ଯୁଧିଷ୍ଠିରଙ୍କ ଉତ୍ତରରରୁ ଜଣାପଡ଼ିବ ଯେ ଯୁଧିଷ୍ଠିର ଥିଲେ ଜଣେ ପ୍ରାଜ୍ଞପୁରୁଷ । ନହେଲେ ଏସବୁ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇ ପାରିନଥାନ୍ତେ । ବ୍ରହ୍ମମୟ ଜଗତରେ ବ୍ରହ୍ମହିଁ ସକଳ ଶକ୍ତିର ଉତ୍ସ । ତାଙ୍କୁ ଛାଡ଼ି ଜଗତ ନାହିଁ ବା ବ୍ରହ୍ମ ରହିତ ଜଗତ ତିଷ୍ଠି ପାରିବ ନାହିଁ ।

 

ଯକ୍ଷ ପ୍ରଶ୍ନ କଲେ— ‘ସୂର୍ଯ୍ୟଙ୍କ ଉପରେ କିଏ ଅଛି ? ସୂର୍ଯ୍ୟଙ୍କ ଚାରି ଦିଗରେ କିଏ ଭ୍ରମଣ କରେ ? ତାଙ୍କୁ କିଏ ଅସ୍ତ ଯିବା ପାଇଁ ନିର୍ଦ୍ଦେଶ ଦିଏ ? ସେ କେଉଁଠାରେ ପ୍ରତିଷ୍ଠିତ ?’

 

ଯୁଧିଷ୍ଠିର କହିଲେ—‘ବ୍ରହ୍ମ ସୂର୍ଯ୍ୟଙ୍କ ଉପରେ ଅଛନ୍ତି । ଦେବଗଣ ତାଙ୍କ ଚାରିପାଖରେ ବିଚରଣ କରନ୍ତି । ଧର୍ମ ତାଙ୍କୁ ଅସ୍ତ କରନ୍ତି (ଉଦୟ ବି କରନ୍ତି) । ସେ ସତ୍ୟରେ ପ୍ରତିଷ୍ଠିତ ।’

 

ଆଉ ଏକ ପ୍ରଶ୍ନ କଲେ ଯକ୍ଷ— ‘ପୃଥିବୀ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ କିଏ ? ଆକାଶ ଅପେକ୍ଷା ଉଚ୍ଚତର କିଏ ? ବାୟୁ ଅପେକ୍ଷା ଶୀଘ୍ରତର କିଏ ? ତୃଣ ଅପେକ୍ଷା ଅନେକ କିଏ ?’ ଯୁଧିଷ୍ଠିର ଉତ୍ତର ଦେଇ କହିଲେ—‘ମାତା ପୃଥିବୀ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ । ପିତା ଆକାଶ ଅପେକ୍ଷା ଉଚ୍ଚତର । ମନ ବାୟୁ ଅପେକ୍ଷା ଶୀଘ୍ରତର ଏବଂ ଚିନ୍ତା ତୃଣ ଅପେକ୍ଷା ବହୁତର ।’

 

ଆଉ ଗୋଟିଏ ପ୍ରଶ୍ନ କଲେ ଯକ୍ଷ— ‘ବାର୍ତ୍ତା କ’ଣ ? ଆଶ୍ଚର୍ଯ୍ୟ କ’ଣ ? ପନ୍ଥା କ’ଣ ? ସୁଖୀ କିଏ ?’

 

ଯୁଧିଷ୍ଠିର କହିଲେ—‘ଏଇ ମହାମୋହ ରୂପରେ ମହାକାଳ ପ୍ରାଣୀମାନଙ୍କୁ ପାକ କରୁଛି, ସୁର୍ଯ୍ୟ ତା’ର ଅଗ୍ନି, ରାତ୍ରି ଆଉ ଦିନ ତାର ଇନ୍ଧନ, ମାସ ଋତୁ ତାକୁ ଘାଣ୍ଟୁଥିବା ହଣ୍ଡା ଏହାହିଁ ହେଉଛି ବାର୍ତ୍ତା । ପ୍ରାଣୀମାନେ ପ୍ରତ୍ୟହ ଯମାଳୟ ଯାଉଛନ୍ତି, ତଥାପି ଅନ୍ୟମାନେ ଚିରଞ୍ଜିବୀ ହେବା ପାଇଁ ଚାହାନ୍ତି । ଏହାଠାରୁ ଆଉ ବଡ଼ ଆଶ୍ଚର୍ଯ୍ୟ କ’ଣ ?’

 

‘ବେଦ ବିଭିନ୍ନ ସ୍ମୃତି ବିଭିନ୍ନ । ଏପରି ମନୀଷା ନାହିଁ ଯାହାର ମତ ବଦଳେ ନାହିଁ । ଧର୍ମତତ୍ତ୍ୱ ଗୁହ୍ୟରେ ଅଛି, ଅତଏବ ମହାଜନମାନେ ଯେଉଁ ବାଟରେ ଯାଇଛନ୍ତି ତାହା ହିଁ ପନ୍ଥା । ହେ ଜଳଚର ବକ, ଯେଉଁ ବ୍ୟକ୍ତି ଋଣ ନକରି ପ୍ରବାସରେ ନରହି ନିଜ ଶ୍ରମ ଦ୍ୱାରା ସନ୍ଧ୍ୟା ବେଳକୁ ଶାକାନ୍ନ ଭୋଜନ କରେ ସେଇ ବ୍ୟକ୍ତି ହିଁ ସୁଖୀ ।’

 

ବକ ରୂପୀ ଯକ୍ଷଙ୍କ ପ୍ରଶ୍ନ ଏବଂ ଯୁଧିଷ୍ଠିରଙ୍କ ଉତ୍ତର ପାଠ କରିବା ପରେ ପାଠକମାନେ ଏ ବିଷୟରେ ଚିନ୍ତା କରିବେ ବୋଲି ମୁଁ ଏ ବିଷୟଟି ଲେଖିଲି । ହଜାର ହଜାର ବର୍ଷ ପୂର୍ବେ ଆମ ପୂର୍ବଜମାନଙ୍କ ଜ୍ଞାନ କେଡ଼େ ଗଭୀର,ପ୍ରଜ୍ଞା କେଡ଼େ ଶାଣିତ ଥିଲା ତାହା ଆମେ ଜାଣୁନା । ସେଥିପାଇଁ ଅତୀତର କଥା ବିଚାର କଲାବେଳେ ବର୍ତ୍ତମାନର ବିଜ୍ଞାପନର ଜୟଯାତ୍ରାକୁ ତୁଳନା କରି କହୁ ଯେ ସେମାନେ ପ୍ରକୃତ ଜ୍ଞାନ ଅର୍ଜନ ନକରି କେବଳ ସବୁ ବିଷୟକୁ ଦାର୍ଶନିକ ପରି ବିଚାର କରୁଥିଲେ । ପ୍ରକୃତରେ ସେମାନେ ଥିଲେ ପ୍ରାଜ୍ଞ ।

 

ଅନ୍ୟାନ୍ୟ ପ୍ରସଙ୍ଗ ବିଷୟରେ ନକହି ମୁଁ କେବଳ ଅଙ୍ଗେ ନିଭାଉଥିବା ଗୋଟିଏ ବିଷୟ କହିବି । ତାହା ହେଉଛି ପ୍ରକୃତରେ ସୁଖୀ କିଏ ? ମୋ ଘର ସାମ୍ନାରେ ସ୍ୱସ୍ତି ହୋଟେଲର ସବା ଉପର ମହଲାରେ ରାଜକୀୟ ଠାଣିରେ ସବୁ ସୁବିଧା ଭିତରେ ଯିଏ ବୁଡ଼ି ରହିଛି, ଯାହାର କୌଣସି ବସ୍ତୁର ଅଭାବ ନାହିଁ, ଯିଏ ଚାହିଁଲା କ୍ଷଣି ବଜାରରେ ଉପଲବ୍ଧ ଯେ କୌଣସି ସାମଗ୍ରୀ କ୍ରୟ କରିପାରିବ ସେ ସୁଖି ନା ହୋଟେଲ ପଛରେ ଝୁମ୍ପୁଡ଼ି ଭିତରେ ଦିନ କାଟୁଥିବା ମଣିଷଟି ସୁଖୀ ? ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରି ଯେତିକି ଉପାର୍ଜନ କରେ ସେତିକିରେ ଶାଗଭାତ ଖାଇ ସେ ସୁଖନିଦ୍ରା ଯାଏ । ପ୍ରାଜ୍ଞ ମାନେ କହନ୍ତି କାହାରି ଦୟା ଉପରେ ନିର୍ଭର ନ କରି, ପରସମ୍ପଦ ଅପହରଣ ନକରି ଯିଏ କେବଳ ନିଜର ଶ୍ରମ ବଳରେ ପେଟ ପୋଷେ ସେଇ ଲୋକ ସୁଖୀ । କିନ୍ତୁ ଗରିବ ଲୋକଙ୍କୁ ଶୋଷଣ କରି, ଟିକସ ଫାଙ୍କି ବା ଆଇନ ଭାଙ୍ଗି ଯେଉଁ ବଡ଼ ଲୋକମାନେ ପ୍ରାଚୁର୍ଯ୍ୟ ଭିତରେ ବୁଡ଼ି ରହିଥାନ୍ତି ସେମାନେ କେବେ ହେଲେ ସୁଖୀ ନୁହନ୍ତି । ସେମାନଙ୍କର ଭଲ ନିଦ ହୁଏନା ବୋଲି ନିଦ ବଟିକା ଖାଇ ଶୁଅନ୍ତି, ସେମାନଙ୍କ ଖାଦ୍ୟ ହଜମ ହୁଏନା ବୋଲି ହଜମି ଖାଇଥାନ୍ତି, ରୋଗରୁ ମୁକ୍ତ ରହିବା ପାଇଁ ଦିନକୁ ପାଞ୍ଚଥର ଔଷଧ ଖାଆନ୍ତି । ଶ୍ରମିକକୁ ଉଚିତ ମଜୁରୀ ନ ଦେଇ ସଞ୍ଚୟ କରନ୍ତି ବୋଲି ସେମାନଙ୍କର ପ୍ରଶସ୍ତି ବା ପ୍ରଶଂସା କେହି କରନ୍ତି ନାହିଁ । ଏପରି ପୁରୁଷର ପୁରୁଷାର୍ଥ ବା କାହୁଁ ଆସିବ ?

 

ଖାଉଟିବାଦ ଆମ ଜୀବନ ଶୈଳୀକୁ ବିଗାଡ଼ି ଦେଲାଣି । ଖାଦ୍ୟ, ବେଶପୋଷାକ, ପ୍ରସାଧନ, ପାନୀୟ, ବିଶାମ ସବୁ ପାଇଁ ବର୍ଣ୍ଣାଢ଼୍ୟ ବ୍ୟୟବହୁଳ ମାଧ୍ୟମ ପ୍ରୟୋଜନ । ତଥାପି ଏଇ ବିଳାସବ୍ୟସନରେ ରହିଥିବା ଲୋକମାନେ କ’ଣ କହି ପାରିବେ ଯେ ସେମାନେ ସୁଖୀ ? ସେମାନଙ୍କର ଭୟ ନାହିଁ ଆସନ୍ତା କାଲି କ’ଣ ହେବ ସେଥିପାଇଁ ? ସେମାନଙ୍କ ପରମାୟୁ ସରିଯାଉଛି । ସେକେଣ୍ଡ୍‌, ମିନିଟ୍‌ଓ ଘଣ୍ଟାକଣ୍ଟା ଆଗକୁ ଚାଲୁଥିବାବେଳେ ପ୍ରତିମୁହୂର୍ତ୍ତ ଯେ ସେମାନଙ୍କ ପରମାୟୁରେ ଯୋଡ଼ି ହୋଇଯାଇଛି ଏବଂ ସେମାନଙ୍କ ଆୟୁ କମିବାରେ ଲାଗିଛି ତାହା ସେମାନେ ଯଦି ହିସାବ କରନ୍ତେ ତେବେ ଚମକି ପଡ଼ନ୍ତେ । କାରଣ ଆୟୁ ବଢ଼ିବା ସହିତ ସେମାନଙ୍କ ପରମାୟୁ ମଧ୍ୟ ଶେଷ ହେବ । ବେଳ ପାଖେଇ ଆସୁଥାଏ । ତଥାପି ଅନେକ ଅହଂକାରରେ କହନ୍ତି ଯେ ମୁଁ ତୋତେ ଛାଡ଼ିବି ନାହିଁ, ତୋତେ ଦେଖିନେବି, ତୁ କୋଉଠି ଲୁଚିବୁ ମୁଁ ଦେଖିବି ଇତ୍ୟାଦି । ନିଜ ଜୀବନ ଯେ ଅସ୍ଥାୟୀ ଓ କେତେବେଳେ ଚାଲିଯିବ ସେମାନେ ଜାଣନ୍ତିନାହିଁ-। କିନ୍ତୁ ଦମ୍ଭ ରଖିଥାନ୍ତି ଚିରକାଳ ବଞ୍ଚି ରହିବା ପାଇଁ । ରାବଣର ଅହଙ୍କାର, ଦୁର୍ଯ୍ୟୋଧନର ଦର୍ପ ରହିଲା ? ଆମ ଶାସ୍ତ୍ର ପୁରାଣରେ ଅନେକ କାହାଣୀ ରହିଛି ଲୋକଶିକ୍ଷା ପାଇଁ । କିନ୍ତୁ ଯଦି ତାହା ଜାଣି ମଧ୍ୟ କିଛି ନ ଜାଣିବା ପରି ବାହାନା କେହି କରେ ତେବେ ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରେ ସେ ମନସ୍ତାପରେ ଜଳୁଥାଏ । ଆଉ ରକ୍ଷା ପାଇବା ବାଟନଥାଏ ।

 

ଆମ ପିତା, ମାତାଙ୍କୁ କେଡ଼େ ଉଚ୍ଚ ଆସନ ଦିଆଯାଇଛି ଯୁଧିଷ୍ଠିର ମହାରାଜ ତାହା ଯକ୍ଷଙ୍କୁ କହିଲେ । ମାତା ପୃଥିବୀ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ, ସ୍ନେହଶୀଳ । କଥାରେ ଅଛି ଚିନ୍ତା ଖାଏ ଗଣ୍ଡି, ନିଆଁ ଖାଏ ହାଣ୍ଡି । ହାଣ୍ଡିକୁ ଯେପରି ନିଆଁଖାଏ, ତୃଣ ଯେପରି ଜଳେ ମନ ସେହିପରି ପୋଡ଼ିଯାଏ । କଥାରେ ଅଛି ବନ ପୋଡ଼ିଲେ ସମସ୍ତେ ଦେଖନ୍ତି କିନ୍ତୁ ମନ ପୋଡ଼ିଲେ କେହି ଦେଖି ପାରନ୍ତି ନାହିଁ ।

 

ଗୋଟିଏ ଶ୍ଲୋକ ଏଠାରେ ଉଦ୍ଧାର କରୁଛି—

 

“ବେଦା ବିଭିନ୍ନାଃ ସ୍ମୃତୟୋ ବିଭିନ୍ନା

ନାସୌ ମନିର୍ଷସ୍ୟ ମତ ନ ଭିନ୍ନମ ।

ଧର୍ମସ୍ୟ ତତ୍ତ୍ୱଂ ନିହିତଂ ଗୁହାୟାଂ

ମହାଜନୋ ଯେନ ଗତଃ ସ ପନ୍ଥା ।”

 

ଅର୍ଥାତ୍‌ ବେଦ ବିଭିନ୍ନ, ସ୍ମୃତି ବିଭିନ୍ନ, ଏପରିକି ଭିନ୍ନ ଭିନ୍ନ ମତ ମଧ୍ୟ ଅଛି । ଧର୍ମତତ୍ତ୍ୱ ଗୁହା ଭିତରେ ଗୁପ୍ତ । ଅତଏବ ମହାଜନ ବା ବିଖ୍ୟାତ ସାଧୁଜନମାନଙ୍କୁ ଅନୁସରଣ କରିବା ହିଁ ପନ୍ଥା ।

 

ଏଇ ପନ୍ଥା ଆଉ ଦିଶୁନାହିଁ । ଆତ୍ମ ବଡ଼ିମା ଏତେ ଅଧିକ ହୋଇଗଲାଣି ଯେ ସାଧୁ, ବିଜ୍ଞ , ଆଚାର୍ଯ୍ୟମାନେ ଦୃଷ୍ଟିରେ ପଡ଼ୁନାହାନ୍ତି । ଯକ୍ଷ କାହିଁକି ଏସବୁ ପ୍ରଶ୍ନ ପଚାରିଲେ ତାହା ଯଦି ଆମେ ଚିନ୍ତା କରୁ ତେବେ ଗୋଟିଏ ବିଷୟ ସ୍ୱଚ୍ଛ ଦିଶିବ ଯେ ସେତେବେଳେ ମଣିଷ ସତ୍ୟଦ୍ରଷ୍ଟା ଥିଲା । ବର୍ତ୍ତମାନ ମଣିଷ ମିଥ୍ୟା, ଛଳନା, ପ୍ରତାରଣାକୁ ଧରି ଚାଲିଛି । ବାଟ ଅସ୍ପଷ୍ଟ ହୋଇଗଲାଣି । ତତ୍ତ୍ୱଦର୍ଶୀ ମହାଜନମାନଙ୍କୁ ଛାଡ଼ି ଧନସମ୍ପତ୍ତି ଥିବା ଓ ଲୋକଙ୍କୁ ଶୋଷଣ କରୁଥିବା ମହାଜନମାନଙ୍କୁ ଆମେ ଅନୁସରଣ କରୁଛୁ । ଏଇ କଥା ସବୁକାଳରେ ଚେତାଇ ଦବା ଓ ସଦ୍‌ବୁଦ୍ଧିର ଉଦୟ ପାଇଁ ବ୍ୟାସଦେବ ଯୁଧିଷ୍ଠିରଙ୍କ ତୁଣ୍ଡରୁ ସତ୍ୟଧର୍ମ ନ୍ୟାୟ ବାଣୀ ପ୍ରଶ୍ନୋତ୍ତର ଛଳରେ ଲୋକ ସଂଗଠନ ଓ ଲୋକଶିକ୍ଷା ପାଇଁ କହି ଯାଇଛନ୍ତି ।

☆☆☆

 

ସ୍ୱାଭିମାନର ଭୂମି ରାଉରକେଲା

 

କେତେକ ଲୋକଙ୍କ ମନରେ ସନ୍ଦେହ ଥାଏ ଯେ, ଯେଉଁମାନେ ରାଜଧାନୀଠାରୁ ଦୂରରେ ରହନ୍ତି ସେମାନଙ୍କ ଭାବନାରେ ଜାତୀୟ ସ୍ୱାଭିମାନ ସେହି ପରିମାଣରେ କମି ଯାଇଥାଏ । ଏହାର ଅର୍ଥ କଲେ ଏହିପରି ବୁଝାଯିବ ଯେ ଯେଉଁମାନେ ବାରିପଦା, ରାଉରକେଲା, ସମ୍ବଲପୁର, ଜୟପୁର ବା କୋରାପୁଟରେ ରହନ୍ତି ସେମାନଙ୍କର ମନରେ ଜାତୀୟତା ଭାବ କମ୍‌ । ମୁଖ୍ୟ ପ୍ରବାହଠାରୁ ଦୂରରେ ରହି ସେମାନଙ୍କ ମନରେ ଗୋଟିଏ ଭାବନା ଜନ୍ମି ଯାଇଥାଏ ଯେ ସେମାନେ ଛେଉଣ୍ଡ ଛୁଆ ପରି ଅସହାୟ । ବିପଦଆପଦରେ ସେମାନଙ୍କର ସହାୟ ହେଲା ଭଳି ରାଜଶକ୍ତି ବା ସମାଜଶକ୍ତି ସେମାନଙ୍କ ପାଖେ ପାଖେ ନଥାଏ । ସ୍ଥୂଳ ବିଚାରରୁ ଏହା ହୁଏତ ଠିକ୍‌ ହୋଇପାରେ, କିନ୍ତୁ ଏପରି ଦେଖାଯାଏ ଯେ ଯେଉଁମାନେ ରାଜଧାନୀ ଠାରୁ ଦୂରରେ ଅଛନ୍ତି ସେମାନଙ୍କର ସ୍ୱାଭିମାନ ଓ ବାହ୍ୟଶକ୍ତିକୁ ମୁକାବିଲା କରିବାର ସାହାସ ଅନ୍ୟମାନଙ୍କଠୁ କମ୍‌ ନୁହେଁ, ବରଂ ବେଶି । ଯେତେବେଳେ ସମ୍ବଲପୁର ଅଞ୍ଚଳକୁ ବ୍ରିଟିଶ ସରକାର ମଧ୍ୟପ୍ରଦେଶ ସହିତ ମିଶାଇ ଦେଲେ ଏବଂ ସମ୍ବଲପୁର ଅଞ୍ଚଳରେ ହିନ୍ଦୀ ଭାଷା ଚଳାଇଲେ ସେତେବେଳେ ସେହି ଅଞ୍ଚଳରେ ଓଡ଼ିଆମାନେ ସରକାରଙ୍କର ଏହି ନିଷ୍ପତ୍ତିର ଦୃଢ଼ ପ୍ରତିବାଦ କରିଥିଲେ । ସେମାନଙ୍କ ନେତୃତ୍ୱରେ ଓଡ଼ିଆ ଭାଷା ପୁନଃ ପ୍ରଚଳନ କରିବା ପାଇଁ ଏବଂ ଓଡ଼ିଶା ସହିତ ସେହି ଅଞ୍ଚଳକୁ ପୁଣି ମିଶାଇ ଦେବା ପାଇଁ ପ୍ରବଳ ଆନ୍ଦୋଳନ ହୋଇଥିଲା । ଏଇ ଆନ୍ଦୋଳନ ମୂଳରେ ଥିଲା ଜାତୀୟ ସ୍ୱାଭିମାନ ଏବଂ ସାଂସ୍କୃତିକ ଏକତା । ସମ୍ବଲପୁର ଅଞ୍ଚଳରେ କଥିତ ଭାଷା, ଉପକୂଳ ଅଞ୍ଚଳର କଥିତ ଓଡ଼ିଆ ଭାଷା ଠାରୁ ଭିନ୍ନ । କିନ୍ତୁ ସାସ୍କୃତିକ ବିଭବର ବୈଶିଷ୍ଟ୍ୟ ରହିଥିବା ସତ୍ତ୍ୱେ ଏହାର ପ୍ରାଣଶକ୍ତି ପ୍ରାୟ ସମାନ । ତେଣୁ ସମ୍ବଲପୁର ଅଞ୍ଚଳରେ ବଡ଼ ବଡ଼ ଓଡ଼ିଆ କବି ଓ ଲେଖକ ଦେଶପ୍ରେମୀ ଏବଂ ସମାଜସେବୀ ଓଡ଼ିଶାର ଟାଣ ରଖିବା ପାଇଁ ବହୁତ ତ୍ୟାଗ କରିଛନ୍ତି । ଏହିଭଳି ଅବସ୍ଥା ଘଟିଛି ଜୟପୁର, ବାଲେଶ୍ୱର, ମୟୂରଭଞ୍ଜ ଏବଂ ଗଞ୍ଜାମ ଅଞ୍ଚଳରେ ।

 

ଆମେ ବିହାରର ଚକ୍ରଧରପୁରରେ ଥିଲାବେଳେ ରାଉରକେଲା ଇସ୍ପାତ କାରଖାନା ତିଆରି ଚାଲିଥିଲା । ସେହି ସମୟରେ ସମ୍ବଲପୁର-ଟିଟ୍‌ଲାଗଡ଼ ରେଳପଥର ନିର୍ମାଣ କାର୍ଯ୍ୟ ଚାଲିଥାଏ । ସାତକଡ଼ିବାବୁ ଯେତେବେଳେ ରାଉରକେଲା-ଝାର୍‌ସୁଗୁଡ଼ା ଓ ସମ୍ବଲପୁର ଗସ୍ତରେ ଆସୁଥିଲେ ମୁଁ ମଧ୍ୟ ସାଙ୍ଗରେ ରହୁଥିଲି । ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହେଉଥାଏ ଏଇଥିପାଇଁ ଯେ ସେତେବେଳେ ରାଉରକେଲା ଷ୍ଟେସନରେ ପଦେ ଓଡ଼ିଆ ଶଦ୍ଦ ଶୁଣାଯାଉନଥିଲା । ଇସ୍ପାତ୍‌ କାରଖାନା ତିଆରି ଚାଲିଥିଲାବେଳେ ସେଠାରେ ଓଡ଼ିଆ ଥିଲେ ଅତି କମ୍‌ । କାରଖାନା ତିଆରି ହେଲା ଏବଂ ବସତି ବସିଲା । ଭାରତର ସବୁ ଅଞ୍ଚଳର ଲୋକ ଆସି ଠୁଳ ହେଲେ ଜୀବିକାର୍ଜନ ପାଇଁ । ଓଡ଼ିଆମାନେ ସଙ୍ଗଠିତ ହେବାକୁ ଆରମ୍ଭ କଲେ । ସେମାନେ ଜାଣିଥିଲେ ଯେ ନିଜ ଅଧିକାର ଜାହିର ନ କଲେ ସେମାନଙ୍କର ସ୍ୱାଭିମାନ ବିପନ୍ନ ହେବ । କ୍ରମଶଃ ସେମାନଙ୍କ ମଧ୍ୟରେ ସାମାଜିକ ସଚେତନତା ବଢ଼ିଲା । ‘ନୀଳଚକ୍ର’ ପରି ଅନୁଷ୍ଠାନ ଗଠନ କରାଗଲା ଓଡ଼ିଆ ସଂସ୍କତି ଓ ସ୍ୱାଭିମାନର ସୁରକ୍ଷା ପାଇଁ । ଓଡ଼ିଆ କର୍ମଚାରୀମାନଙ୍କ ସଂଖ୍ୟା ବଢ଼ିଲା ଏବଂ ରାଉରକେଲା ବିହାରରେ ନୁହେଁ ଓଡ଼ିଶାରେ ଏଇ ଧାରଣା ଦୃଢ଼ ହେଲା । ଇସ୍ପାତ କାରଖାନାର ପରିଚାଳକମାନେ ମଧ୍ୟ ବୁଝିଲେ ଯେ ଓଡ଼ିଶାର ସ୍ୱାର୍ଥହାନି ହେଲା ଭଳି କିଛି କଲେ ସେମାନେ ସହଜରେ ଖସି ଯାଇପାରିବେ ନାହିଁ । ବର୍ତ୍ତମାନ ପଚାଶ ବର୍ଷ ପରେ ଏଇ ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜଣେ ଓଡ଼ିଆ ସନକ ମିଶ୍ର । ସେ ଏଇ ସହରକୁ ଆସିଲାବେଳେ କାରଖାନାର ଅବସ୍ଥା ଭଲ ନ ଥିଲା । ଆନ୍ତର୍ଜାତିକ ବଜାରରେ ଇସ୍ପାତର ଚାହିଦା କମି ଯାଇଥିବାରୁ ଉତ୍ପାଦିତ ସାମଗ୍ରୀ ବିକ୍ରି ନ ହୋଇ ପଡ଼ି ରହିଥିଲା । ଏଇ କାରଣରୁ ବିପୁଳ କ୍ଷତି ସହିବାକୁ ପଡ଼ୁଥିଲା ଏବଂ ପାଖ ଆଖରେ ଥିବା ଛୋଟ ଛୋଟ ଶିଳ୍ପ ବନ୍ଦ ହୋଇଯାଇଥିଲା । କିନ୍ତୁ ସେଇ ଦୁର୍ଯ୍ୟେଗକୁ ସୁଯୋଗରେ ପରିଣତ କରିବା ପାଇଁ ଉଦ୍ୟମ ଚାଲିଲା । ରାଉରକେଲାକୁ ନେଇ ଗର୍ବ କରୁଥିବା ସମସ୍ତେ କାରଖାନା ଯେଭଳି ବଞ୍ଚିରହେ ସେଥିପାଇଁ ଲାଗିଗଲେ ପୂର୍ଣ୍ଣ ପ୍ରାଣରେ । ସଂଯୋଗରୁ କ୍ରମେ ବିଦେଶରେ ଇସ୍ପାତ ଚାହିଦା ବଢ଼ିଲା ଏବଂ ତା’ ସହିତ ମୂଲ୍ୟବୃଦ୍ଧି ଘଟିଲା । ଏବେ ରାଉରକେଲାର ପୂର୍ବ ସ୍ୱାସ୍ଥ୍ୟ ଫେରି ଆସିଛି । ଏହି ଅବସ୍ଥା କେବଳ ବିଦେଶୀ ଚାହିଦା ବଢ଼ିବାରୁ ସୃଷ୍ଟି ହୋଇନାହିଁ, ତା’ସହିତ ତାଳଦେଇ କର୍ମଚାରୀ ଓ କର୍ମକର୍ତ୍ତାମାନଙ୍କର ଶ୍ରମ ଓ ତ୍ୟାଗ ଫେରାଇ ଆଣିଛି ରାଉରକେଲାର ସ୍ୱାଭିମାନକୁ । ତିନିଚାରି ବର୍ଷ ପୂର୍ବେ ଯେଉଁ ସହରରେ ଶ୍ମଶାନର ନୀରବତା ମାଡ଼ି ବସୁଥିଲା ସେଠାରେ ଏବେ ଜୀବନ କର୍ମ ଚଞ୍ଚଳ । ରାସ୍ତାଘାଟରେ ଲୋକମାନଙ୍କର ପଟୁଆର । ସିଫ୍ଟ ଶେଷ ହେଲେ ଲିଙ୍କରୋଡ଼ରେ ହଜାର ହଜାର କର୍ମଚାରୀଙ୍କ ଯାନବାହନର ଭିଡ଼ । ସେମାନଙ୍କ ମୁହଁରେ ପ୍ରସନ୍ନତା ଓ ଆଖିରେ ପ୍ରତ୍ୟାଶା । କ୍ୱାର୍ଟର୍ସଗୁଡ଼ିକରେ ରଙ୍ଗ ମଡ଼ା ହେଉଛି । ରାସ୍ତା ଚଉଡ଼ା ହେଉଛି । ଇନ୍ଦିରା ପାର୍କ ପୁଣି ସତେଜ ହୋଇଉଠିଛି । ହନୁମାନ ବାଟିକାରେ ଭିଡ଼ । ବେଦବ୍ୟାସରେ ଉଚ୍ଚାରିତ ହେଉଛି ମନ୍ତ୍ରପାଠ ।

 

ରାଉରକେଲାର ମହିମା ପ୍ରକୃତି-ଦତ୍ତ । ପାହାଡ଼ ଘେରା ଏଇ ସହରରେ ଜୀବନ ନିତ୍ୟ ନୂତନ । ଏଇଠାରେ ଶଙ୍ଖ, କୋଏଲା ଏବଂ ସରସ୍ୱତୀ ନଦୀ ମିଶିଛନ୍ତି ଗୋଟିଏ ଜାଗାରେ । ଏହିଠାରୁ ବାହ୍ମଣୀର ସ୍ରୋତ ପ୍ରଗତିର ସ୍ମାରକ ପରି ଆଗେଇଯାଇଛି ସମୁଦ୍ରଆଡ଼କୁ । ରାଉରକେଲା ଅଧିବାସୀମାନଙ୍କର ଜୀବନ ସେହିପରି ଅଗ୍ରସର ହେଉଛି ନୂତନ ସୁଖୀ ଜୀବନର ଅନ୍ୱେଷଣରେ । ଯେଉଁମାନେ ଦିନେ ଏଇ ପାହାଡ଼ ଘେରା ଇସ୍ପାତ ନଗରୀର ମୂଳ ଅଧିବାସୀ ଭାବେ ପରିଚିତ ହେଉଥିଲେ ସେମାନଙ୍କ ଗୀତ ଓ ବାଦ୍ୟର ଶଦ୍ଦ କୋଏଲା ନଦୀର ପ୍ରବାହରେ ଭାସି ଭାସି ଯାଉଛି ଦୂରକୁ । ଏଇ ସହରରେ ବହୁ ଜାତି, ଧର୍ମ, ଭାଷା ଓ ଗୋଷ୍ଠୀର ଲୋକ ବାସ କରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ ବିଭାଜନ ନାହିଁ । ଅଛି ନୂତନ ମଣିଷର ପରିଚୟ ।

 

ଦିନେ ଯେତେବେଳେ କେତେକ ବନ୍ଧୁ ମୋତେ ଆସି କହିଲେ ‘ଅମୃତାୟନ’ର ଅମୃତ ଗୀତ ଗାଇ ଯେଉଁ କବି ଓ ଲେଖକମାନେ ନୂତନ ବନସ୍ପତି ପରି ମଥା ଟେକିଛନ୍ତି ଉପରକୁ ସେମାନେ ଚାହାନ୍ତି ଅମୃତାୟନର ରୌପ୍ୟ ଜୟନ୍ତୀ ରାଉରକେଲାରେ ପାଳନ କରିବା ପାଇଁ । ସେତେବେଳେ ମୁଁ ନୂଆ ସ୍ୱପ୍ନ ଦେଖିଲି ସେମାନଙ୍କୁ ନେଇ । ଏକଥା ଦିନେ କହିଲି ଗାଳ୍ପିକା ଡାକ୍ତର ପ୍ରମିଳା ପାଢ଼ୀଙ୍କୁ ଏବଂ ଡାକ୍ତର ସତ୍ୟରଞ୍ଜନ ପାଢ଼ୀଙ୍କୁ । ସେମାନେ ଉତ୍ସାହିତ ହେଲେ । ଶିଶିର ନାୟକ ଖବର ପାଇଲେ । ରୋହିତ ପଟେଲ ଆସି ପହଞ୍ଚିଲେ ଭୁବନେଶ୍ୱରରେ । ତୁଣ୍ଡରୁ ତୁଣ୍ଡକୁ କଥା ବ୍ୟାପିଗଲା । ଭୂପେନ୍‌ବାବୁ, ଶ୍ରଦ୍ଧେୟ ସଞ୍ଜୟ ଶତପଥୀ, ଗାଳ୍ପିକ ଦେବେନ୍ଦ୍ର ମହାନ୍ତି, ପ୍ରଦୋଷ ମିଶ୍ର ଏ ବିଷୟରେ ଆଲୋଚନା କଲେ । ମୋତେ ସାହସ ମିଳିଲା ଆଗେଇବା ପାଇଁ । ଦିନ ସ୍ଥିର ହୋଇଗଲା ଏବଂ ୧୫ ବର୍ଷପରେ ରାଉରକେଲା ମାଟିରେ ମୁଁ ପୁଣି ପାଦ ରଖିଲି ‘ଅମୃତାୟନ’ ମାଧ୍ୟମରେ ସମସ୍ତଙ୍କୁ ଏକତ୍ର କରିବା ପାଇଁ । ସବୁକାଳରେ ଭାଷା ଓ ସାହିତ୍ୟ ମାଧ୍ୟମରେ ଲୋକମାନେ ଏକତ୍ରିତ ହୋଇଛନ୍ତି । ବନ୍ଧୁତ୍ୱ ଓ ସହଯୋଗର ହାତ ବଢ଼ାଇ ଯେଉଁ ଲେଖକମାନେ ମୋ ସହିତ ଆଗେଇ ଆସିଲେ ସେମାନେ ପ୍ରାୟ ସମସ୍ତେ ଅମୃତାୟନର ଲେଖକ ଓ ଲେଖିକା । ସେମାନେ ସଂଗଠିତ ହେଲେ ଜୟନ୍ତୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ । ଏମ୍‌.ଡ଼ି ଶ୍ରୀଯୁକ୍ତ ସନକ ମିଶ୍ର, ମୁଖ୍ୟ ଜନସମ୍ପର୍କ ଅଧିକାରୀ ଜିତା ମହାପାତ୍ର, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି, ରାଜୀବ ପାଣି ଓ ଅନ୍ୟାନ୍ୟ ଅନେକଙ୍କ ସହିତ ପ୍ରମିଳା ଓ ତାଙ୍କ ସ୍ୱାମୀ ଡାକ୍ତର ପାଢ଼ୀ ସମନ୍ୱୟ ରକ୍ଷାକଲେ ଏବଂ ଆୟୋଜନ ଆଗେଇ ଚାଲିଲା । ସମସ୍ତଙ୍କଠାରୁ ସାହାଯ୍ୟ ସହଯୋଗ ମିଳିଲା । ରାଉରକେଲାର ସାଂସ୍କୃତିକ ଜୀବନକୁ ସ୍ପନ୍ଦିତ କରି ରଖିଥିବା ଅଳକା ଚାନ୍ଦ, ଗଳ୍ପ ମାଧ୍ୟମରେ ନୂତନ ଭାବେ ଜୀବନ କାହାଣୀ କହୁଥିବା ଗୀତା ତ୍ରିପାଠୀ, କଳାପାଣିର ଅକୁହା କଥା ଅନୁବାଦ କରୁଥିବା ବାସନ୍ତୀ ରଥ ଓ ଅନେକ ବନ୍ଧୁ ଓ ସହଯୋଗୀଙ୍କର ଅଦମ୍ୟ ଉଦ୍ୟମ ଯୋଗୁଁ ରାଉରକେଲାରେ ଏପ୍ରିଲ ଦଶ ତାରିଖ ଦିନ ଅନୁଷ୍ଠିତ ରୌପ୍ୟ ଜୟନ୍ତୀ ସଫଳ ହେଲା । ଉଦ୍‌ଘାଟନୀ ସଭାରେ ଓଡ଼ିଆ ସାହିତ୍ୟକୁ ରାଉରକେଲା ଦାନ ଆଲୋଚନା ଏବଂ ତା’ପରେ କବିତା ପାଠ ଅନୁଷ୍ଠିତ ହେଲା । ଅନ୍ୟ କାର୍ଯ୍ୟରେ ଆସୁ ଆସୁ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଓ ‘ଅମୃତାୟନ’ର ହିତୈଷୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରଥ ରୌପ୍ୟଜୟନ୍ତୀ ଉଦ୍‌ଘାଟନ କରିବା ପାଇଁ ରାଜି ହେଲେ । ମୋ ସାଙ୍ଗରେ ଆସିଥିଲେ ପରିଚାଳନା ସମ୍ପାଦକ ଗିରୀଶ ଚନ୍ଦ୍ର ଦାସ, ସହ ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ ଏବଂ ରମାକାନ୍ତ ମିଶ୍ର । ସମସ୍ତଙ୍କ ସୁବ୍ୟବସ୍ଥା କରିଥିଲେ ଅର୍ଭ୍ୟର୍ଥନା ସମିତିର ଉଦ୍ୟୋକ୍ତାମାନେ । ଆମକୁ ସଙ୍ଖୋଳିବା ପାଇଁ ଆସିଥିଲେ ଆହୁରି ଅନେକ ବନ୍ଧୁ ।

 

ରାଉରକେଲା ଶିଳ୍ପନଗରୀର ନିର୍ମାଣ ଚାଲିଥିଲା ବେଳେ ମୁଁ ଦେଖିଥିଲି ୫୦ ବର୍ଷ ପୂର୍ବେ । ସେତେବେଳେ ଓଡ଼ିଆମାନଙ୍କର ପରିଚୟ ନ ଥିଲା ସେଠାରେ । କିନ୍ତୁ ଏବେ ରାଉରକେଲାର ପାଣି ପବନରେ ଚକାଭଉଁରୀ ଖେଳୁଛି ଓଡ଼ିଆ ଗୀତ, ନୃତ୍ୟ ଓ କବିତା । ଛନ୍ଦ ନ ଥିବା କୌଣସି ଜୀବନ ପୂର୍ଣ୍ଣ ନୁହେଁ କି ଧ୍ୱନି ନ ଥିବା କୌଣସି ଉଚ୍ଚାରଣ ଶଦ୍ଦ ନୁହେଁ । ଶିଳ୍ପ ନଗରୀର ଜୀବନରେ ଛନ୍ଦ ଅଛି । ଅଛି ଉଚ୍ଚାରଣ ଓ ଆତ୍ମୀୟତା । ବହୁଦିନର ଅନୁଷ୍ଠାନ କଲଚରାଲ ଏକାଡେମୀ, ନୀଳଚକ୍ର, ପ୍ରଗତିସଂଘ, ଉତ୍କଳ ସଂଗୀତ ଶିକ୍ଷା କେନ୍ଦ୍ର ଏବଂ ଆହୁରି ଅନେକ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆ ଭାଷା-ସାହିତ୍ୟ ଓ ସଂସ୍କୃତି ବିକାଶ ଅବ୍ୟାହତ ରହିଛି । ରାଉରକେଲା ଇସ୍ପାତ କାରଖାନା ସଙ୍କଟକୁ ଅତିକ୍ରମ କରି ବ୍ରାହ୍ମଣୀ ପରି ବାଧାବିଘ୍ନ ଅତିକ୍ରମ କରି ଆଗକୁ ଧାଇଁଛି । ପାନପୋଷ, ବେଦବ୍ୟାସ, ବୀରମିତ୍ରପୁର, ଲାଠିକଟା, ବିଶ୍ରା, କଲୁଙ୍ଗା ସବୁଠାରେ ଏହାର ପ୍ରତିଧ୍ୱନି ଶୁଣିବାକୁ ମିଳୁଛି । ରାଉରକେଲାର ସବୁଜ ଶ୍ରୀ ଓ ବେଦବ୍ୟାସର ସୁଷମା ଏକବିଂଶ ଶତାଦ୍ଦୀର ଗୀତ ଗାଇ ଗାଇ ଚହଟି ଉଠୁଛି । ଏଠାରେ ଦିନେ ଓଡ଼ିଶାର ଖ୍ୟାତନାମା ସାହିତ୍ୟିକ ଲକ୍ଷ୍ମୀଧର ନାୟକ ଏବଂ ତାଙ୍କ ପରେ ନବପତ୍ରିକାର ସମ୍ପାଦକ ଋଜନୀକାନ୍ତ ଦାସ ଓଡ଼ିଆ ଭାଷା ସାହିତ୍ୟିକୁ ବଞ୍ଚାଇ ରଖିବାକୁ ଅନେକ ତ୍ୟାଗ କରିଛନ୍ତି । ସଭ୍ୟତା ସହିତ ଶିଳ୍ପ ଓ ମଣିଷମାନଙ୍କ ଜୀବନ ଯାତ୍ରାର ନିବିଡ଼ ସମ୍ପର୍କ । ଯେଉଁମାନେ ଦିନେ ଇସ୍ପାତ୍‌କାରଖାନା ସ୍ଥାପନ କରିବା ପାଇଁ ଜମିଜାଗା ଛାଡ଼ି ଉଦ୍‌ବାସ୍ତୁ ହୋଇଯାଇଥିଲେ ସେମାନେ ଆଜି ସଫଳ ଲଢ଼ୁଆ ମଣିଷ-। ଭଞ୍ଜ କଳା ମଣ୍ଡପ ଓଡ଼ିଆ ସ୍ୱାଭିମାନର କୀର୍ତ୍ତି କେନ୍ଦ୍ର ହୋଇରହିଛି । ରାଜଧାନୀର ଆଳସ୍ୟ ଏଠାରେ ନାହିଁ ବରଂ ତା’ ସ୍ଥାନରେ ବହୁ ବର୍ଣ୍ଣ, ଭାଷା ଓ ଗୋଷ୍ଠୀର ଲଢ଼ୁଆ ଲୋକଙ୍କର ଜୀବନ ସଙ୍ଗୀତ ସୁନ୍ଦର ସବୁଜ ପାହାଡ଼ ଡେଇଁ ଆଗେଇ ଯାଉଛି । ଏହିଠାରୁ ସବୁ ଦିଗକୁ ପ୍ରସାରିତ ହୋଇଯାଉଛି ସାଧାରଣ ମଣିଷର ଆଶା ଓ ବିଶ୍ୱାସର ପରିଚୟ ।

 

ଆଲୋଚନାବେଳେ ବନ୍ଧୁମାନେ କହୁଥିଲେ ଯେ ଓଡ଼ିଆ ଭାଷା ସାହିତ୍ୟ ମରିଯିବ ନାହିଁ; ସାଧାରଣ ମଣିଷର କଥା, ପ୍ରାଣ ବ୍ୟଥା ଓ ଆଗକୁ ଯିବାର କବିତା ଗାଇ ଗାଇ ବଞ୍ଚି ରହିବ ଚିରକାଳ । ଭୁବନେଶ୍ୱରରୁ ଯାଇଥିଲି ତପସ୍ୱିନୀ ଏକ୍ସପ୍ରେସ୍‌ରେ ତାଳଚେର ଓ ସମ୍ବଲପୁର ବାଟଦେଇ । ତାଳଚେର ସମ୍ବଲପୁର ରେଳପଥରେ ଯିବାବେଳେ ମୋର ମନେପଡ଼ୁଥାଏ ସେଇ ଶୁଭମୁହୂର୍ତ୍ତର କଥା ଯେଉଁଦିନ ସମ୍ବଲପୁରରେ ଏଇ ରେଳପଥ ଏବଂ ରେଳବାଇ ଡିଭିଜନର ଶିଳାନ୍ୟାସ କରିଥିଲେ ରାଜୀବ ଗାନ୍ଧି । ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥାଆନ୍ତି ସେତେବେଳେ ଏବଂ ରେଳବାଇର ସମନ୍ୱୟ କମିଶନର ଓ ସ୍ୱତନ୍ତ ସଚିବ ଥାଆନ୍ତି ସାତକଡ଼ିବାବୁ । ଆଜି ଆଉ ସମ୍ବଲପୁର ଦୂର ନୁହେଁ । ରାଉଲକେଲା ବି ନିକଟତର ହୋଇଛି । ରାୟଗଡ଼ା ବାଟଦେଇ କୋରାପୁଟ ଯିବାପାଇଁ ରେଳପଥ ପଡ଼ିଛି । ଓଡ଼ିଶାର ନୂଆ ରୂପ ଝଲସି ଉଠୁଛି । ଉତ୍କଳ ଏକ୍ସପ୍ରେସ୍‌ରେ ଫେରିବା ବେଳେ ମନେପଡ଼ୁଥିଲା ଦିନେ ଓଡ଼ିଶାର ଲୋକମାନଙ୍କୁ କଲିକତା ବାଟଦେଇ ଦିଲ୍ଲୀ ଯିବାକୁ ପଡ଼ୁଥିଲା । ଆଜି ଦିଲ୍ଲୀ ଦୂର ନୁହେଁ । ଦୈନିକ ପାଞ୍ଚଟି ଟ୍ରେନ୍‌ ଚାଲୁଛି ପୁରୀ-ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ । ଦିନେ ଭାରତର ରାଜଧାନୀରେ ନଗଣ୍ୟ ବିବେଚିତ ହେଉଥିବା ଓଡ଼ିଆ ଆଜି ବାଟରେ-ଘାଟରେ ଜଗନ୍ନାଥଙ୍କ ଆଜ୍ଞାମାଳ ବେକରେ ଝୁଲାଇ ଆଗେଇ ଯାଉଛନ୍ତି ଦଳ ଦଳ ହୋଇ । ତିନିଦିନର ମଧୁରସ୍ମୃତି ନେଇ ଫେରିଆସୁଥିବା ମନେ ପଡ଼ୁଥିଲା ଅନେକ ମୁହଁ । ମୋ ପୁତୁରା ସୁବ୍ରତ, ତା’ ବୋହୂ ଓ ନାତିନାତୁଣୀମାନଙ୍କ ସହିତ ଦେଖାହେଲା । ଗୀତାଞ୍ଜଳି ସହିତ ଦେଖାହେଲା ନାହିଁ । କିନ୍ତୁ ମୋ ଭଉଣୀ ମଞ୍ଜୁକୁ ଦେଖିଲି ପନ୍ଦରବର୍ଷ ପରେ । ଆହୁରି ମୁଁ ଭୁଲିପାରୁ ନ ଥିଲି ମୋ ପାଖେ ପାଖେ ଛାଇପରି ଲାଗି ରହି ନୂତନ ପିଢ଼ିର ଏବଂ ନବଜୀବନର ଲିପି ଲେଖୁଥିବା ଆଦରଣୀୟ ପ୍ରିୟଙ୍କାକୁ ଏବଂ ତା ମା’ ଓ ବାପାଙ୍କୁ । ରାଉରକେଲାର ଆତିଥ୍ୟ ମୁଁ କେବେ ଭୁଲି ପାରିବି ନାହିଁ । ଅନେକଙ୍କୁ କହି ଆସିଛି ଆଉଥରେ ଫେରିବି ବୋଲି । ଆଉ କେବେ ଫେରିବି କିଏ ଜାଣେ ? କିନ୍ତୁ ବିଶ୍ୱାସ ବଞ୍ଚିଥାଉ ଚିରକାଳ... ।

☆☆☆

 

ସ୍ୱାଧୀନତାର ଭାଷା ପରିବର୍ତ୍ତନ

 

ଅନେକ ଲୋକ କହନ୍ତି ଯେ, ସ୍ୱାଧୀନତା ସେମାନଙ୍କୁ ଦେଇଛି କ’ଣ? ମନରେ କାହିକିଁ ଏପରି ଭାବନା ସୃଷ୍ଠି ହେଉଛି ତାହା ହେଉଛି ଆଉ ଏକ ଆଶ୍ଚର୍ଯ୍ୟ । ଦେଶ ସ୍ୱାଧୀନ ହେବା ପୂର୍ବରୁ ଲୋକମାନଙ୍କର ଭାବନାରେ ମୌଳିକ ପରିବର୍ତ୍ତନ ଘଟୁନଥିଲା । ସ୍ୱାଧୀନତା ପରିବର୍ତ୍ତନ ଆଣି ଦବ ବୋଲି ମନ ବି ପରାଧୀନ ଥିଲା । ସ୍ୱାଧୀନତାର ଭାଷା ହେଉଛି ପରିବର୍ତ୍ତନ । ସରକାରୀ ହାକିମ ବା କର୍ମଚାରୀମାନଙ୍କ ଆଗରେ ସ୍ୱାଧୀନତା ଆଗରୁ ଲୋକମାନେ ମୁହଁ ଫିଟାଉ ନଥିଲେ । କାଳେ ସେମାନଙ୍କ କଥା ସରକାର ବିରୋଧରେ ଯିବ ବୋଲି ସେମାନେ ଜଗିରଖି ଚଳୁଥିଲେ । ଗାନ୍ଧୀ ମହାତ୍ମାଙ୍କ ଶିଷ୍ୟମାନେ ସ୍ୱାଧୀନତା ପାଇଁ ଲଢ଼ୁଥିଲେ ଏଇ କାରଣରୁ ଯେ, ପରାଧୀନ ମଣିଷ ନିଜ ଇଚ୍ଛା ଜଗି ତାକୁ ଚଳିବାକୁ ହୁଏ । ଦେଶ ଯେଉଁଦିନ ସ୍ୱାଧୀନ ହେଲା ସେଇଦିନଠାରୁ ଗାଁ-ଦାଣ୍ଡ, ସହର-ବଜାରରେ ନୂଆ କଥା ଶୁଣାଗଲା । ସେ କଥାର ଭାଷା ଅଲଗା, ଭାବ ମଧ୍ୟ ଅଲଗା । ହାକିମମାନଙ୍କ ଆଗରେ ମଳିମୁଣ୍ତିଆମାନେ ମୁଣ୍ଡ ନୁଆଁଇ ଘୋଷଣା କଲେ ଯେ, ସେମାନେ ସ୍ୱାଧୀନ ଦେଶର ମଣିଷ । ସେମାନଙ୍କୁ ନ ପଚାରି ଶାସକମାନେ ଆଉ ଶାସନ କରିପାରିବେ ନାହିଁ-। ମୁଁ ତ ଭାବେ ଯେ ଏହି ସ୍ୱାଧୀନ ଚିନ୍ତା ହିଁ ହେଉଛି ପରିବର୍ତ୍ତନର ଆରମ୍ଭ ।

 

ସ୍ୱାଧୀନତା ପରେ ହାକିମ ଓ ନେତାମାନେ ଗାଁକୁ ଆସିଲେ । କ’ଣ କଲେ ଲୋକଙ୍କର ଉପକାର ହେବ ତାହା ପଚାରିଲେ । ସ୍କୁଲ କେଉଁଠାରେ ତିଆରି ହେବ, ରାସ୍ତା କେଉଁଠି ପଡ଼ିବ ଓ କିପରି ହେବ, ସେ ବିଷୟରେ ଲୋକମାନଙ୍କ ସହିତ ଅଫିସରମାନେ ଆଲୋଚନା କଲେ । ଧୀରେ ଧୀରେ ଲୋକମାନେ ଜାଣିଗଲେ ଯେ, ସେମାନଙ୍କର ଇଚ୍ଛାନୁସାରେ ହିଁ ଶାସନ ଚାଲିବ । ଏଇ ଭାବନା ଆସିବା ଦିନଠାରୁ ସେମାନଙ୍କର ଚିନ୍ତା ଓ ଚଳଣିରେ ପରିବର୍ତ୍ତନ ଦେଖାଗଲା । ଗାଁର ସ୍ୱଚ୍ଛଳ ଲୋକମାନେ ମାଟି ତଳେ ଟଙ୍କା ପଇସା ପୋତି ନ ରଖି ପୁଅକୁ ପାଠ ପଢ଼ାଇବା ପାଇଁ ତାହା ବ୍ୟୟ କଲେ । ଦେଶ ବିଦେଶର କଥା ଜାଣିବାପାଇଁ ଖବର କାଗଜ ପଢ଼ିଲେ, ରେଡ଼ିଓ କିଣିଲେ ଏବଂ ଗତାନୁଗତିକ ଜୀବନ ଛାଡ଼ି ନୂଆ ଢ଼ଙ୍ଗରେ ନୂଆ ରୀତିରେ ଚଳିଲେ । ନିଜକୁ ପରିବର୍ତ୍ତନ କରିବାର ଏଇ ଯେଉଁ ଧାରା ଆରମ୍ଭ ହେଲା ତାହା ତ ସ୍ୱାଧୀନତାର ସବୁଠାରୁ ବଡ଼ ଅବଦାନ । ଯେଉଁମାନେ ଧନୀ ଲୋକଙ୍କର ଜମି ଚାଷ କରି ଯାହା ମଜୁରୀ ଦେଲେ ତାହା ଗ୍ରହଣ କରିବା ହିଁ ନିୟତି ବୋଲି ଭାବୁଥିଲେ, ସେମାନେ ଦାବି କଲେ ମଜୁରୀ ବଢ଼ାଇବା ପାଇଁ । ଧନୀ ଲୋକମାନଙ୍କର ହାତରେ ନିଷ୍ପତ୍ତି ନେବାର ଯେଉଁସବୁ କ୍ଷମତା ଥିଲା ସେଥିରେ ଭାଗ ବସାଇଲେ ସାଧାରଣ ଲୋକମାନେ । କେବଳ ଜଣେ ବା ଦୁଇଜଣ ଲୋକଙ୍କ ନିଷ୍ପତ୍ତି ଲୋକମାନେ ମାନିଲେ ନାହିଁ । ସମସ୍ତେ ମିଳିମିଶି ଯାହା ସ୍ଥିର କଲେ ତାହାହିଁ ହେଲା ବେଦର ଗାର । ଏଇଠାରୁ ଗଣତନ୍ତ୍ର ଆରମ୍ଭ ।

 

ସ୍ୱାଧିନତା କ’ଣ ଦେଇଛି ବୋଲି ଆଜି ଯଦି ମୋତେ କେହି ପଚାରେ ମୁଁ କହେ ଯେ, ତୁମକୁ ପ୍ରଶ୍ନ ପଚାରିବାର ଏଇ ଅଧିକାର ଦେଇଛି ସ୍ୱାଧିନତା । ପୂର୍ବରୁ ଲୋକମାନେ କେବଳ ଆଦେଶ ମାନୁଥିଲେ । ମତପ୍ରକାଶ କରିପାରୁ ନ ଥିଲେ । ଏବେ ତ ସେମାନଙ୍କ ମତ ଅନୁସାରେ ସ୍କୁଲ ବସୁଛି । ଗାଁ ରାସ୍ତା ତିଆରି ହେଉଛି । ବଡ଼ ବଡ଼ ଲୋକମାନେ ଆଉ ନିଜ ଲୋକଙ୍କୁ ସହଜରେ ଫାଙ୍କିଦେଇ ପାରୁନାହାନ୍ତି । ଆଇନ ଭାଙ୍ଗୁଥିବା ଲୋକମାନଙ୍କୁ ଜବତ କରିବା ପାଇଁ ଅଦାଲତ ଅଛି-। ସ୍ୱାଧିନତା ସଂଗ୍ରାମୀମାନଙ୍କୁ ଯେଉଁ ପୁଲିସ୍‌ବାନ୍ଧି ନେଉଥିବା ମୁଁ ଦେଖିଛି, ସେହି ପୁଲିସ୍‌ ଆଜି ସେମାନଙ୍କୁ ନମସ୍କାର କରିବା ବି ଦେଖାଯାଉଛି ।

 

ଏଇ ୫୦ ବର୍ଷ ଭିତରେ ମୋ ଜୀବନରେ ଯେପରି ପରିବର୍ତ୍ତନ ହୋଇଛି । ସେପରି ସାଧାରଣ ଲୋକମାନଙ୍କ ଜୀବନରେ ମଧ୍ୟ ଅନେକ ପରିବର୍ତ୍ତନ ହୋଉଛି । ସ୍ୱାଧିନତା ବେଳକୁ ମୋତେ ୧୧ ବର୍ଷ ହୋଇଥିଲା । ଆମ ଗାଁରେ ସ୍ୱାଧିନତା ପୂର୍ବରୁ ମେଟ୍ରିକ୍‌ପାସ୍‌ କରିଥିବା ଜଣେ ବି କେହି ନ ଥିଲେ । କିନ୍ତୁ କେବଳ ଗାଁରେ ଗୋଟିଏ ପାଠଶାଳା ଥିଲା । ଏବେ ଆମ ଗାଁରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ଉଚ୍ଚ ବିଦ୍ୟାଳୟ ଏବଂ ଗୋଟିଏ କଲେଜ ଅଛି । ଝିଅ, ପୁଅ, ବୋହୁ ଅଧିକାଂଶ ମେଟ୍ରିକ୍‌ ବା ଆଉ କେତେକ କଲେଜରେ ପଢ଼ିଛନ୍ତି । ସାକ୍ଷର ସଂଖ୍ୟା ଉଚ୍ଚଜାତିମାନଙ୍କ ମଧ୍ୟରେ ଶତ ପ୍ରତିଶତ । ଅନଗ୍ରସରମାନଙ୍କ ମଧ୍ୟରେ ୫୦ ପ୍ରତିଶତ ଏବଂ ଆଦିବାସୀମାନଙ୍କ ମଧ୍ୟରେ ୨୫/୩୦ ପ୍ରତିଶତ । ଗାଁକୁ ପ୍ରତିଦିନ ଚାରି/ପାଞ୍ଚ ପ୍ରକାର ଖବରକାଗଜ ଆସେ । ଅତିକମ୍‌ରେ ଆମ ଗାଁରେ ୨୦ କି ୨୫ ଘରେ ରେଡ଼ିଓ ଓ ଟେଲିଭିଜନ ରହିଛି । ଗାଁକୁ ସବୁଦିନିଆ ରାସ୍ତା ପଡ଼ିଛି । ବିଦ୍ୟୁତ୍‌ ଆସିଛି । ନିର୍ମଳ ପାଣି ଲୋକଙ୍କୁ ଯୋଗାଇବା ପାଇଁ ୫ଟା ନଳକୂଅ ବସିଛି । ପୋଷ୍ଟଅଫିସ୍‌ ଓ ଟେଲିଫୋନ୍‌ ସୁବିଧା ରହିଛି । ଆଉ ଭୋକ ଉପାସରେ କେହି ରାତିରେ ଶୋଉନାହାନ୍ତି । ଭାତ ହେଉ ବା ପଖାଳ ହେଉ ମିଳିଯାଉଛି । ଏପରିକି ଆଦିବାସୀ ପିଲାମାନେ ଆଉ ଫୁଙ୍ଗୁଳା ଦେହରେ ଦାଣ୍ଡରେ ବୁଲୁ ନାହାନ୍ତି । ସ୍ତ୍ରୀ ଲୋକମାନେ ଶାଢ଼ି ସାଙ୍ଗକୁ ଶାୟା ଓ ବ୍ଲାଉଜ୍‌ ପିନ୍ଧିଲେଣି । ଘରେ ଘରେ ସାଇକେଲ୍‌‌, ମୋଟରସାଇକେଲ୍‌, ଅତିକମ୍‌ରେ ୪/୫ ଜଣଙ୍କ ଘରେ କାର୍‌, ଜିପ୍‌ ଓ ଟ୍ରାକ୍ଟର ଅଛି । ପରମାୟୁ ବଢ଼ି ବଢ଼ି ଚାଲିଛି । ମୋ ସାନ କକାଙ୍କୁ ୯୩ ବର୍ଷ । ବସନ୍ତ ପାଣିଙ୍କ ୭୮ ବର୍ଷ ଏବଂ ଅନେକ ବୁଢ଼ୀ ଅଛନ୍ତି ଯେଉଁମାନଙ୍କ ବୟସ ୮୦-୮୫ରୁ ବେଶୀ । ଅଥଚ ମୁଁ ପିଲା ଥିଲାବେଳେ ଗାଁରେ କେହି ୫୦-୫୫ରୁ ବେଶୀ ନଥିଲେ । ଆମ ଗାଁରୁ ଅତିକମ୍‌ରେ ୧୦୦ଜଣ ବାହାରେ ଚାକିରି କରୁଛନ୍ତି । ଚାଷ ଓ ବ୍ୟବସାୟରେ ଅନ୍ୟମାନେ ମାତିଛନ୍ତି । ଗାଁର ପୂର୍ବମୁଣ୍ଡରେ ୫ନମ୍ବର ଜାତୀୟ ରାଜପଥ ଓ ରେଳଲାଇନ୍‌। ପଶ୍ଚିମରେ ବାରିପଦା-ଟାଟାନଗର ସଡ଼କପଥ । ଦେଶ ସ୍ୱାଧିନ ହେଲାବେଳେ ସର୍ବମୋଟ ଗୋଟିଏ ବସ୍‌ ଚାଲୁଥିଲା । ଏବେ ଅତିକମ୍‌ରେ ୫୦ଟି ବସ୍‌ ଚଳାଚଳ କରୁଛି ଏବଂ ସେହି ବାଟ ଦେଇ ପ୍ରାୟ ୧୦୦୦ ଟ୍ରକ୍‌ ଚାଲୁଛି । ଏଇ ପରିବର୍ତ୍ତନ କ’ଣ କମ୍‌ ? ଆହୁରି ବେଶୀ ହୋଇଥାନ୍ତା ଯଦି ଲୋକ ଚରିତ୍ରର ଅଧୋଗତି ହୋଇନଥାନ୍ତା । ସ୍ୱାଧିନତା ପରେ ଅନେକ ସୁଯୋଗ ଆସିଛି । ଧନ ସମ୍ପଦ ମଧ୍ୟ ବଢ଼ିଛି, କିନ୍ତୁ ଲୋକମାନେ ସହଜରେ କାମ କରାଇ ନେବାପାଇଁ ନୀତି ନିୟମ ଛାଡ଼ି ଲାଞ୍ଚୁଆ ମିଛୁଆ ହୋଇଯାଇଛନ୍ତି । ଏଇ ଚାରିତ୍ରିକ ପରିବର୍ତ୍ତନ ଗାଁରୁ ସହରକୁ ଯାଇନାହିଁ, ବରଂ ସହରରୁ ଗାଁକୁ ଆସିଛି । ଆମ ଅଞ୍ଚଳର ବିଧାୟକ ଲକ୍ଷପତି, ଅଫିସରମାନେ ବି ଲକ୍ଷପତି । ଏଇ ତୁଳନାରେ ଚାଷୀ ମୂଲିଆମାନଙ୍କର ରୋଜଗାର ବଢ଼ିନାହିଁ । କାରଣ ସେମାନଙ୍କୁ କେହି ଲାଞ୍ଚ ଦିଏ ନାହିଁ ବା ସେମାନେ ଚୋରିକରି ଧନ ସମ୍ପଦ ବଢ଼ାନ୍ତି ନାହିଁ । ନେତା, ଚାକିରିଆ, ଠିକାଦାର ଓ ଦଲାଲ୍‌ମାନଙ୍କର ପ୍ରଭାବ ବହୁତ ବେଶୀ ବଢ଼ିଛି । ନିର୍ବାଚନବେଳେ ସେମାନଙ୍କ ଟଙ୍କା ଖର୍ଚ୍ଚକରି ସାଧାରଣ ଲୋକର ମତ ପ୍ରକାଶ କରିବାର ଅଧିକାରକୁ ପେଡ଼ି ଭିତରେ ଭର୍ତ୍ତିକରି ତାଲା ଲଗାଇ ଦେଇଛନ୍ତି । ସେଥିପାଇଁ ଗଣତନ୍ତ୍ରର ସୁବିଧା ଯେତିକି ମିଳିବା କଥା ସେତିକି ଲୋକମାନଙ୍କ ପାଖରେ ପହଞ୍ଚି ନାହିଁ । ସେଥିରୁ ଅନେକ ବାଟମାରଣା ହୋଇଯାଇଛି । ସମାଜରେ ଗୋଟିଏ ନୂତନ ବର୍ଗ ସୃଷ୍ଟି ହୋଇଛି ଯେଉଁମାନଙ୍କର କୌଣସି ନିଜସ୍ୱ ଆୟ ଉପାୟ ନାହିଁ । ସେମାନେ କେବଳ ପରଧନରେ ଧନୀ । ଚାନ୍ଦାରେ ଚଳନ୍ତି। ଦଲାଲି କରି ବଞ୍ଚନ୍ତି । ଏଇ ଧାରା ଭାଙ୍ଗିବାକୁ ହେବ । ଗଣତନ୍ତ୍ର ଶାସନର ସୁବିଧା ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ।

 

ଅଜ୍ଞତା ଓ କୁସଂସ୍କାର ଏବେ ବି ପୂରାପୂରି ଉଠିଯାଇ ନାହିଁ । ଆମ ଦେଶ ସ୍ୱାଧିନ ହେବା ପୂର୍ବରୁ ଅବସ୍ଥା ଭିନ୍ନ ପ୍ରକାର ଥିଲା । ମୋତେ ଯେତେବେଳେ ୮/୯ ବର୍ଷ ସେତେବେଳେ ଆମ ଗାଁରେ ବ୍ରାହ୍ମରାକ୍ଷସ, ଡାହାଣୀ, ପିତାଶୁଣୀମାନଙ୍କର ରାଜତ୍ୱ ଚାଲିଥିଲା । ଆମ ଘର ଆଗରେ ଥିବା ଗୋଟିଏ ବରଗଛ ଡାଳରେ ବସି ବ୍ରହ୍ମରାକ୍ଷସ ରାଜୁତି କରୁଥିଲା । ଅଧ ରାତିରେ ଧୋବା ତୁଠରେ ଡାହାଣୀମାନେ ଲୁଗା କାଚୁଥିଲେ । ଘରକୁ ଫେରିବା ଆଗରୁ ମୁହଁ ଧୋଉଥିଲେ । ପିତାଶୁଣୀମାନେ ରଘୁପାଣିଙ୍କ ସହିତ ଯାଉଥିଲେ ମାଛ ଧରିବାରେ ସାହାଯ୍ୟ କରିବା ପାଇଁ । ରଘୁ ମଉସାଙ୍କ ଗୁଣୀଗାରେଡ଼ି ସମସ୍ତଙ୍କୁ ଜବତ କରି ରଖୁଥିଲା । ଏବେ ତ ଗାଁ ମୁଣ୍ଡରେ ଥିବା ଗଛ ସବୁ ନାହିଁ । ଠାକୁରାଣୀ ଶାଳ ପଦା ହୋଇଯାଇଛି । ଯେଉଁ ମୁଣ୍ଡିଆତଳେ ଭାଲୁ, ହେଟାବାଘ ରହୁଥିଲେ ସେଠାରେ ଏବେ ଗୋଟିଏ ଗଛ ବି ନାହିଁ । ଏଣୁ ଅଧରାତିରେ ବି ଯଦି କେହି ବସ୍‌ରୁ ଓହ୍ଲାଇ ଗାଁ ଭିତରକୁ ପ୍ରବେଶ କରେ ତେବେ ବାଟରେ ବ୍ରହ୍ମରାକ୍ଷସ ବା ଡାହାଣୀମାନଙ୍କ ସହିତ ମୁଲାକାତ ହେବାର ଭୟ ନାହିଁ । ମନ୍ଦିର ଆଗରେ ଭାଗବତ, ରାମାୟଣ, ହରିବଂଶ ବା ମହାଭାରତ ପାରାୟଣ ହେବା ଦୁର୍ଲଭ ହୋଇଗଲାଣି । ଯେଉଁ ବୁଢ଼ୀମାନେ ଛୁଆମାନେ ବାଧିକୀ ପଡ଼ିଲେ ଔଷଧ ଦେଉଥିଲେ ସେମାନେ ଆଉ ନାହାନ୍ତି । ଡାକ୍ତରଖାନା ଦୂରରେ ଥିଲେ ବି ରୋଗୀକୁ ନେଇ ଲୋକମାନେ ଡାକ୍ତରଙ୍କ ପାଖକୁ ଯାଆନ୍ତି । ସ୍ୱାଧିନତା ଲୋକମାନଙ୍କୁ ଧିରେ ଧିରେ ସଚେତନ କରିଛି । ସେମାନଙ୍କୁ ମଧ୍ୟରେ ସ୍ୱାର୍ଥପରତା ବି ପ୍ରବେଶ କରିଛି । ତ୍ୟାଗ ଆଉ ଚରିତ୍ରର ଭୂଷଣ ହୋଇ ରହିନାହିଁ । ସମାଜରୁ ଅଭାବ ଯାଇନାହିଁ, କିନ୍ତୁ ଯେଉଁମାନଙ୍କ ସମ୍ପତ୍ତି ଅଛି ସେମାନେ ଭୋଗବାଦୀ ହେଉଥିବା ଦେଖାଯାଉଛି । ପରିବର୍ତ୍ତନର ଏଇ ଭାଷା ଗାଁ ଓ ସହର ସବୁଠି ଶୁଣିବାକୁ ମିଳେ । ଲୋକଚରିତ୍ର ସଂଶୋଧନ କରିବା ପାଇଁ ଆଉ ଆନ୍ଦୋଳନ ହେଉନାହିଁ । ନୀତି ନୈତିକତା ପ୍ରତି ସମ୍ମାନ କମିଯାଉଛି । ନୂଆ ସିନେମା, ନୂଆ ସାହିତ୍ୟ, ନୂଆ ଗୀତ ଓ ନାଚ ଦେଖି ନୂଆ ବାଟରେ ଚାଲିବା ପାଇଁ ଲୋକମାନେ ବାହାରି ପଡ଼ୁଛନ୍ତି । ସେଇ ବାଟ ଯେ ସେମାନଙ୍କୁ ଅବାଟରେ ନେଇଯିବ ଏକଥା ଜଳ ଜଳ ଦିଶୁଛି । ହିଂସା ବଢ଼ୁଛି, ଲୋକମାନଙ୍କ ଉପରେ ଅତ୍ୟାଚାର ଓ ବଳତ୍କାର ମଧ୍ୟ ବଢ଼ୁଛି । ସରକାରୀ ସମ୍ପତି ଚୋରି କରିବା ଅଭ୍ୟାସରେ ପଡ଼ିଗଲାଣି । ସ୍ୱାଧିନତା ଆମକୁ ଯାହା ଦେଇଛି ତାହା କମ୍‌ ନ ହେଲେ ବି ଲୋକଚରିତ୍ର ଓ ସମାଜକୁ ନିର୍ମଳ କରିବା ପାଇଁ କୌଣସି ସାଂସ୍କୃତିକ ଆନ୍ଦୋଳନ ହୋଇନାହିଁ, ତେଣୁ ଆଧୁନିକ ସମାଜ ସ୍ଥାପନ ହେବା ସହିତ ଯେଉଁସବୁ ମଇଳା ସାମାଜିକ ଜୀବନରେ ଠୁଳ ହୋଇଛି ତାହା ସ୍ୱାଧିନତାର ଉଜ୍ଜଳତାକୁ ମଳିନ କରିଦେଇଛି । ଅଧିକାରବୋଧ ଲୋକଙ୍କୁ ବାଇ କରିଛି । କର୍ତ୍ତବ୍ୟ କରିବା କଥା ଅନେକ ଭୁଲିଗଲେଣି । କର୍ତ୍ତବ୍ୟ କରିବା ଦ୍ୱାରା ମଣିଷ ନିଜର ଦାୟିତ୍ୱ ତୁଲାଏ । ତା’ପରେ ଅଧିକାର ହାସଲ କରିବା ପାଇଁ ଲଢ଼ିବାକୁ ହୁଏ । କିନ୍ତୁ ଗାଁ ପୋଖରୀରୁ ଦଳ ଉଠାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କଲେ ଚଳିବ ନାହିଁ । ନଳକୂଅ ବିଗିଡ଼ି ଗଲେ ବିଡ଼ିଓ ଆସି ସଜାଡ଼ି ଦେବେ ନାହିଁ । ନିଜ କାମ ଲୋକଙ୍କୁ କରିବାକୁ ହେବ । ଏହା ନକଲେ ପୁଣି ମଣିଷମାନେ ପରାଧୀନ ହୋଇଯିବେ । ଗଣତନ୍ତ୍ର ଶାସନର ସୁଫଳ ଖସିଯିବ ହାତରୁ । ସ୍ୱାଧୀନତାର ଆଉ ଗୋଟିଏ ଭାଷା ହେଉଛି ସ୍ୱାବଲମ୍ବନ । ଅନ୍ୟ ଉପରେ ନିର୍ଭର ନକରି ନିଜ କାମ ନିଜେ କରିବା ।

☆☆☆

 

Unknown

ସାହିତ୍ୟରେ ନୂତନ ସ୍ୱର

 

ଆମ ଓଡ଼ିଶାରେ ସାହିତ୍ୟ ପ୍ରୀତି ବଢ଼ୁଛି କି ନାହିଁ ସାହିତ୍ୟ ସଭା ବା କବି ସମ୍ମିଳନୀକୁ ଗଲେ ସେଠାରେ ଉପସ୍ଥିତ ଥିବା କର୍ମକର୍ତ୍ତା, ଲେଖକମାନଙ୍କୁ ଦେଖି ଯେକେହି ସେ ବିଷୟରେ ସ୍ପଷ୍ଟ ଧାରଣା କରିପାରିବ । ଗତ ଦଶବର୍ଷ ମଧ୍ୟରେ ଲେଖକ ଲେଖିକାମାନଙ୍କର ସଂଖ୍ୟା ଯଥେଷ୍ଟ ବଢ଼ିଛି-। ପ୍ରକାଶିତ ହେଉଥିବା ବହି ସଂଖ୍ୟା ଗଣନାକୁ ନେଲେ ମଧ୍ୟ ଦେଖାଯାଏ ଯେ ପୂର୍ବ ଅପେକ୍ଷା ଛାପା ବହି ସଂଖ୍ୟା ବଢ଼ିଛି । କିନ୍ତୁ ପ୍ରକାଶମାନଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକର ସଂଖ୍ୟା କମୁଥିବାବେଳେ ନିଜ ଉଦ୍ୟମରେ ପ୍ରକାଶ ପାଉଥିବା କବିତା, ଗଳ୍ପ, ଉପନ୍ୟାସ, ନାଟକ ବହିର ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ଟିକିଏ ତଳେଇ କରି ଦେଖିଲେ ଜଣାଯାଏ ଯେ ଲେଖକ-ଲେଖିକାମାନେ ଆଉ ପ୍ରକାଶମାନଙ୍କୁ ଅପେକ୍ଷା ନ କରି ନିଜ ଖର୍ଚ୍ଚରେ ବହି ଛାପି ବଜାରକୁ ଛାଡ଼ି ଦେଉଛନ୍ତି । ଅନେକ ଛୋଟବଡ଼ ପ୍ରକାଶକ ମଧ୍ୟ ଲେଖକମାନଙ୍କ ଠାରୁ ଛାପାଖର୍ଚ୍ଚ ନେଇ ସେମାନଙ୍କ ସଂସ୍ଥା ପକ୍ଷରୁ ବହି ଛାପି ଦେଉଛନ୍ତି । କିନ୍ତୁ ଏସବୁ ସ୍ଥୂଳ ବିଷୟ, ଏଥିରୁ ସାହିତ୍ୟର ନୂତନ ସ୍ୱର ସମ୍ପର୍କରେ କିଛି ସ୍ପଷ୍ଟ ଧାରଣା କରିହେବ ନାହିଁ ।

 

ଡିସେମ୍ବର ମାସ ତିନି ତାରିଖ ଠାରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି କେନ୍ଦ୍ର ସାହିତ୍ୟ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱରର ଏକ ବଡ଼ ହୋଟେଲରେ ପୂର୍ବାଞ୍ଚଳର ତରୁଣ ଲେଖକମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଗଳ୍ପ ଉପନ୍ୟାସ, ନାଟକ, କବିତା, ସମାଲୋଚନା ଉପରେ ସେମିନାର ଅନୁଷ୍ଠିତ ହୋଇଥିଲା ଏବଂ ସେହି ସେମିନାର ପରିଚାଳନା କରିବା ପାଇଁ କିଛି ବରିଷ୍ଠ ଲେଖକ ଦାୟିତ୍ୱ ନେଇଥିଲେ । ତିନିଦିନ ଧରି ସକାଳ ଦଶରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଆଲୋଚନା ସଭାରେ ଯେଉଁମାନେ ଯୋଗ ଦେବାର ସୁଯୋଗ ପାଇଛନ୍ତି ସେମାନଙ୍କର ହୃଦ୍‌ବୋଧ ହୋଇଥିବ ଯେ ସାହିତ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହାକୁ ଖାମ ଖିଆଲି ଭାବେ ଯଦି କେହି ଗ୍ରହଣ କରେ ତେବେ ସାହିତ୍ୟ ସାଧନା ମୂଳରୁ ଭ୍ରଷ୍ଟ ହୋଇଯିବ-। ସାହିତ୍ୟ ଏପରି ଏକ କଳା ଯେଉଁଥିରେ ମଣିଷ ଓ ସମାଜର ପ୍ରକୃତ ଛବି ପ୍ରତିବିମ୍ବିତ ହୁଏ-। ମଣିଷ ମନର ଆଲୋକିତ ବା ଅନ୍ଧାର କୋଣରେ ଯେଉଁ ସବୁ ଭାବନା ଓ ଚିନ୍ତାର ଲହଡ଼ି ଉଠେ ଓ ଭାଙ୍ଗେ ସେହି ସବୁର ଗୋପନ କଥା ସାହିତ୍ୟ ଭିତରୁ ଆସିଥାଏ । ଜଣେ ଲେଖକଙ୍କର ଲେଖାଟିଏ ବା ବହିଟି ପ୍ରକାଶ ହେଲାପରେ ତାହା ଆଉ ତାଙ୍କର ନିଜସ୍ୱ ବ୍ୟକ୍ତିଗତ ବିଷୟ ହୋଇ ରହେ ନାହିଁ-। ବିଶ୍ୱ ସାହିତ୍ୟର ସମ୍ପତ୍ତି ହୋଇଯାଏ । ତେଣୁ ଯେଉଁସବୁ ଉଚ୍ଚକୋଟୀର ଲେଖାମାନ ବିଶ୍ୱ ସାହିତ୍ୟର ସମ୍ପତ୍ତି ହେବା ପାଇଁ ଯୋଗ୍ୟ ସେଇସବୁ ରଚନା ଭୌଗୋଳିକ ସୀମା ଓ କାଳ ଅତିକ୍ରମ କରି ବିଶ୍ୱର ବୌଦ୍ଧିକ ସମ୍ପତ୍ତିରେ ପରିଣତ ହୋଇଛି । ଶରବିଦ୍ଧ କ୍ରୌଞ୍ଚ ଦମ୍ପତ୍ତିଙ୍କର କରୁଣ କ୍ରନ୍ଦନ ଶୁଣି ବାଲ୍ମୀକିଙ୍କ କଣ୍ଠରୁ ଯେଉଁସବୁ ଶଦ୍ଦ ଉଚ୍ଚାରଣ ହେଲା ତାହା ବିଶ୍ୱ ସାହିତ୍ୟର ପ୍ରଥମ ଶ୍ଳୋକ ହୋଇଯାଇଛି । ଏହି ଅଢ଼େଇ ହଜାର ବର୍ଷ ପରେ ମଧ୍ୟ ଏହା ସାହିତ୍ୟର ନୂତନ ସ୍ୱର ପରି ଶୁଣାଯାଉଛି । ବାଲ୍ମୀକିଙ୍କ ଅନୁଭବ ସବୁକାଳର ଅନୁଭବ ପରି ଫୁଟି ଉଠିଛି ।

 

ସାହିତ୍ୟର ନୂତନ ସ୍ୱର କହିଲେ ମୁଁ ଏହା ବୁଝେ ଯେ ଏଥିରେ ପ୍ରକୃତ ଆବେଗ ଓ ଅନୁଭବର ଅଭିବ୍ୟକ୍ତି ଥିବ ଯାହା ସମସ୍ତଙ୍କର ଆବେଗ ଓ ଅନୁଭବକୁ ଆନ୍ଦୋଳିତ କରୁଥିବ । କେବଳ ସାହିତ୍ୟର ଆଙ୍ଗିକ ବଦଳାଇ ଦେଲେ ଚଳିବ ନାହିଁ, ଏହାର ଅନ୍ତଃସ୍ୱରରେ ମଣିଷର ଆତ୍ମାର ସ୍ୱର ପ୍ରତିଧ୍ୱନିତ ହେଉଥିବ । କେବଳ ଆମ ଓଡ଼ିଆ ସାହିତ୍ୟ ନୁହେଁ ସବୁ ସାହିତ୍ୟର ଆବିର୍ଭାବ ପ୍ରଥମେ କବିତା ମାଧ୍ୟମରେ ହିଁ ହୋଇଥିଲା । ସାରଳା ଦାସଙ୍କ ଠାରୁ ସଚ୍ଚି ରାଉତରାୟ ଏବଂ ପରବର୍ତ୍ତୀ କବି ଓ ଲେଖକମାନଙ୍କର ରଚନାରେ ମଣିଷର ନୂତନ ରୂପ ସାହିତ୍ୟ ମାଧ୍ୟମରେ ହିଁ ବ୍ୟକ୍ତ ହୋଇଛି । ଆମର ଅଜ୍ଞାତରେ ପୁରୁଷ ଦ୍ୱାରା ନିର୍ଯାତିତ ହେଉଥିବା ହଜାର ହଜାର ମହିଳା ହାତରେ କଲମ ଧରି ମଣିଷର ଅନୁଭୂତି ଓ ଅନୁଭବକୁ ସାହସର ସହିତ ବ୍ୟକ୍ତ କରୁଛନ୍ତି । ଏମାନେ ଦୀର୍ଘକାଳ କେବଳ ପୁରୁଷର କଥା ଶୁଣୁଥିଲେ, କିନ୍ତୁ ବର୍ତ୍ତମାନ ସାହିତ୍ୟ ମାଧ୍ୟମରେ ସଭା ଶୋଭାଯାତ୍ରାରେ ଶୁଣାଯାଉଥିବା ଏମାନଙ୍କର ସ୍ୱର ପୁରୁଷମାନଙ୍କୁ ଚମକାଇ ଦେଇଛି । କାଳେ ହାତରୁ କ୍ଷମତା ଚାଲିଯିବ ବୋଲି ସେମାନେ ସଜାଗ ହୋଇଯାଇଛନ୍ତି । କିନ୍ତୁ କୌଣସି ସର୍ଜନାତ୍ମକ କଳାର ପ୍ରକାଶନକୁ ବନ୍ଦ କରି ହୁଏନାହିଁ ବା ନୂତନ ସ୍ୱରକୁ କେବେ ପୁରାତନ ଚାପି ରଖିପାରେ ନାହିଁ । ଆମ ରାଜ୍ୟରେ ଲେଖିକାମାନଙ୍କର ସଂଖ୍ୟା ନିର୍ଣ୍ଣୟ କରାଯାଇନାହିଁ; କିନ୍ତୁ ପତ୍ରପତ୍ରିକା ଏବଂ ସାହିତ୍ୟ ସମାବେଶରୁ ଜଣାଯାଏ ଯେ ସେମାନଙ୍କର ସଂଖ୍ୟା ହଜାରରୁ କମ୍ ହେବନାହିଁ । ଏଇ ହଜାରେ ଲେଖିକାଙ୍କର ନୂତନ ସ୍ୱର ଶୁଣିବା ପାଇଁ ପୁରୁଷ ପ୍ରଧାନ ସମାଜ ପ୍ରସ୍ତୁତ ହୋଇରହିବା ଆବଶ୍ୟକ । ଦୀର୍ଘକାଳ ଧରି ଜାତିଗତ କାରଣରୁ ଦଳେ ଲୋକଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରାଯାଇଛି । ସେମାନଙ୍କୁ ଦଳିତ କୁହାଯାଇଛି । କିନ୍ତୁ ଏଇ ଦଳିତ ବର୍ଗର ଲେଖକମାନଙ୍କର ବା ଦଳିତମାନଙ୍କର ସ୍ୱର ଶୁଣାଯାଉଥିବା ଉଚ୍ଚ ବର୍ଗର ଲେଖକମାନଙ୍କ କବିତାରେ ବା ଗଛରେ ଯେଉଁ ନୂତନ ସ୍ୱର ଶୁଣାଯାଉଛି ତାହା ମନ କର୍ଣ୍ଣ ଦେଇ ଶୁଣିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । କିନ୍ତୁ ଭୀମ ଭୋଇଙ୍କଠାରୁ ଆରମ୍ଭ କରି ରବି ସିଂ ଓ ପିତାମ୍ବର ତରାଇଙ୍କ ପର୍ଯ୍ୟନ୍ତ ଅନେକ ଲେଖକଙ୍କର ରଚନାରେ ଦଳିତମାନଙ୍କର ଦୁଃଖ ଯନ୍ତ୍ରଣା ପ୍ରତିବିମ୍ବିତ ହୋଇଛି । ସେମାନଙ୍କୁ ଆଉ ଅଧିକାରରୁ ବଞ୍ଚିତ କରିହେବ ନାହିଁ । ସେମାନେ ଆଉ କାହାରି କୃପାଭିକ୍ଷା କରୁନାହାନ୍ତି । କେବଳ ନିଜର ନ୍ୟାଯ୍ୟ ଦାବି ବ୍ୟକ୍ତ କରୁଛନ୍ତି । ତେଲୁଗୁ, ମରାଠୀ, ହିନ୍ଦୀ, ପ୍ରଭୃତି ଭାଷାରେ ଦଳିତ ବର୍ଗର ଲେଖକମାନଙ୍କର ଉଚ୍ଚାରଣ ସାହିତ୍ୟକୁ ସମୃଦ୍ଧ କରିଛି । ରାଜା ମହାରାଜା ସାମନ୍ତ ଓ ଜମିଦାର କେଉଁଦିନୁ ବିଦାୟ ନେଲେଣି । କିନ୍ତୁ ସେମାନଙ୍କ ସ୍ଥାନରେ ଲୋକସେବା କରିବା ପାଇଁ ସେମାନଙ୍କର ସ୍ଥାନ ଯେଉଁ ପ୍ରଶାସକମାନେ ପୂର୍ଣ୍ଣ କରିଛନ୍ତି । ଲେଖକ ଓ ଶିଳ୍ପୀମାନେ ଯଦି କିଛି ସୁବିଧା ପାଇଁ ସେଇ ନୂତନ: ଶାସକମାନଙ୍କୁ ତୁଷ୍ଟ କରିବା ସକାଶେ କବିତା ଲେଖନ୍ତି, ଚିତ୍ର ଆଙ୍କନ୍ତି ବା ମୂର୍ତ୍ତି ଗଢ଼ନ୍ତି ତେବେ ସେଥିରୁ ନୂତନ ସ୍ଵର ବାହାରିବ ନାହିଁ ।

 

ଲୋକ ମୁହଁର ଭାଷାରେ ଦିନେ ସାହିତ୍ୟ ଲେଖା ଯାଉନଥିଲା ବୋଲି ଜଗନ୍ନାଥ ଦାସ ଓଡ଼ିଆରେ ଭାଗବତ ଲେଖିଲେ । ତା’ର ବହୁ ପୂର୍ବରୁ ନିଜ ବାଣୀ ପ୍ରଚାର କରିବା ପାଇଁ ବୁଦ୍ଧଦେବ ଲୋକ ମୁହଁର ଭାଷା ବ୍ୟବହାର କରିଥିଲେ । ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ସଂସ୍କୃତ ଶବ୍ଦାବଳୀର ପ୍ରଭାବ ବେଶୀ । କିନ୍ତୁ ପରେ ପୁଣି କଥିତ ଭାଷା ହିଁ ସାହିତ୍ୟକୁ ଫେରି ଆସୁଛି । କଥିତ ଭାଷାରେ ସାହିତ୍ୟ ଲେଖାହେଲେ ତାହା ଜୀବନ୍ତ ହେବ ଏବଂ ସାଧାରଣ ପାଠକ ନିଜ ମୁହଁର ଭାଷା ଓ ତା’ ସହିତ ନିଜର ଅନୁଭବ ଓ ଉପଲବ୍ଧିକୁ ଆବିଷ୍କାର କରିବ । ରାଜା, ମହାରାଜା, ସାମନ୍ତ ଓ ଶାସକମାନଙ୍କର ସ୍ତୁତିଗାନ କରିବା ପାଇଁ ସାହିତ୍ୟ ଲେଖା ହୁଏନାହିଁ । ସାଧାରଣ ମଣିଷ ହିଁ ସାହିତ୍ୟର ନାୟକ । ଏହି ନୂତନତ୍ୱ ହିଁ ଆଧୁନିକ ସାହିତ୍ୟକୁ ପାଠକର ନିକଟତର କରିଛି । ଆଧୁନିକ ସାହିତ୍ୟରେ ନୂତନ ଭାବନା, ନୂତନ ଜୀବନ ଦର୍ଶନ ପ୍ରବେଶ କରିଛି ଏବଂ ସାହିତ୍ୟର ରଚନାଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି । କିନ୍ତୁ ଏଇ ସବୁ ପରିବର୍ତ୍ତନରେ ସାଧାରଣ ମଣିଷର ଆଶା ଓ ବିଶ୍ୱାସ, ଯନ୍ତ୍ରଣା ଓ କାତରତା ଏବଂ ତା’ର ଅନୁଭବ ଓ ଉପଲବ୍ଧି ଅଧିକରୁ ଅଧିକ ସାହିତ୍ୟରେ ସ୍ଥାନ ପାଉଛି । ଫଳରେ ସାହିତ୍ୟ ଆଉ କେତେଜଣ ମୁଷ୍ଟିମେୟଙ୍କର ସୌଖୀନ ପଠନ ସାମଗ୍ରୀ ହୋଇ ରହିନାହିଁ । ଏହା ଜନସାଧାରଣଙ୍କର ମନ ବିନୋଦନ, ଉତ୍ତରଣ ଓ ମାନସମନ୍ଥନର ଏକ ମାଧ୍ୟମ ହୋଇଛି । ଏହା ହିଁ ନୂତନ ସାହିତ୍ୟର ସ୍ଵର ।

 

ତିନିଦିନ ଧରି ଆଲୋଚନା ସଭାରେ ଓଡ଼ିଆ, ଆସାମୀ, ବଙ୍ଗଳା, ମୈଥିଳୀ, ମଣିପୁରୀ ଓ ନେପାଳୀ ଭାଷାର ଯୁବ ଲେଖକ-ଲେଖିକାମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ବାଟ ବତାଇ ଥିଲେ ରମାକାନ୍ତ ରଥ, ସୁନୀଲ ଗଙ୍ଗୋପାଧ୍ୟାୟ, କେ. ସଚ୍ଚିଦାନନ୍ଦ, ପ୍ରତିଭା ରାୟ, ଦିବ୍ୟେନ୍ଦୁ ପାଲିତ, ଜୟଚନ୍ଦ୍ର ସିଂହ, କରବୀ ହାଜାରିକା, ଅମୀୟ ଦେବ, ବ୍ରଜନାଥ ରଥ, ପ୍ରଫୁଲ୍ଲ ମହାନ୍ତି, ଯତୀନ ମହାନ୍ତି ଏବଂ ଅନ୍ୟମାନେ । ଏଇ ତିନିଦିନ ଧରି ଯୁବ ଲେଖକ ଲେଖିକାମାନେ ସେମାନଙ୍କର ରଚନା କବିତା ଓ ଗଳ୍ପ ପାଠ କରିଥିଲେ ଏବଂ ସାହିତ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

 

ସ୍ଥାନୀୟ ଅଶାନ୍ତି ଓ ଅସ୍ଥିରତା ତଥା ମଣିପୁର ଏବଂ ଆସାମରେ ଘଟୁଥିବା ଉଗ୍ରବାଦୀକାର୍ଯ୍ୟ ମଣିପୁରୀ ଓ ଆସାମୀ ଲେଖକମାନଙ୍କୁ କିଭଳି ପ୍ରଭାବିତ କରିଛି ତାହା ମଧ୍ୟ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଧର୍ମ ଓ ଜାତିପ୍ରଥା ଯେ ଆଉ ସାହିତ୍ୟର ମୂଲ୍ୟକୁ ନ୍ୟୁନ କରି ପାରୁନାହିଁ ତାହାର ଉଚ୍ଚାରଣ ଶୁଣାଯାଉଥିଲା ସେମାନଙ୍କ ତୁଣ୍ଡରୁ । ଏହା ପୂର୍ବରୁ ଆଉ କେବେ ସାହିତ୍ୟ ଏକାଡେମୀ ପକ୍ଷରୁ ଏପରି ଏକ ସମ୍ମିଳନୀ ଭୁବନେଶ୍ୱର ବା ଓଡ଼ିଶାର ଅନ୍ୟତ୍ର କାହିଁ ଆୟୋଜନ କରାଯାଇ ନ ଥିଲା ।

 

ଏହିପରି ଆଲୋଚନାଚକ୍ର ଯଦି ଓଡ଼ିଶା ସାହିତ୍ୟ ଏକାଡେମୀ ଆୟୋଜନ କରନ୍ତେ ତେବେ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇପାରନ୍ତା ।

☆☆☆

 

ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ

 

ହିନ୍ଦୁ ସଂସ୍କୃତିରେ ବ୍ୟକ୍ତିର କଲ୍ୟାଣ ଅପେକ୍ଷା ଜଗତର କଲ୍ୟାଣକୁ ଅଧିକ ଗୁରୁତ୍ୱ ଦିଆହୋଇଛି । ବିଶ୍ଵ, ଜଳ, ସ୍ଥଳ, ବାୟୁ, ବନସ୍ପତି, ବସୁମତୀ ସମସ୍ତେ ଶାନ୍ତି ଓ ସରସ ଦେଖାଗଲେ ମଣିଷ ନିଜକୁ ଭାଗ୍ୟଶାଳୀ ମନେକରେ । ହିନ୍ଦୁମାନଙ୍କର ପୂଜାପଦ୍ଧତି ଓ ପରମ୍ପରାରେ ମଧ୍ୟ ଏହି ଚଳଣି ପଡ଼ିଯାଇଛି । ହିନ୍ଦୁର ଭାବନାରେ ସେ ବଡ଼ ନୁହେଁ ପୃଥିବୀ ହେଉଛି ବଡ଼ । ସେଥିପାଇଁ ବସୁମତୀଙ୍କୁ ପୂଜା କରାଯାଏ । ଅଗ୍ନି, ବାୟୁ, ବରୁଣ, ଇନ୍ଦ୍ର ପ୍ରଭୃତି ଦେବତାଙ୍କୁ ପୂଜା କରିବା ଧାରା ଆର୍ଯ୍ୟମାନେ ପ୍ରଥମେ ଆରମ୍ଭ କରିଥିଲେ । ପରେ ଅନ୍ୟ ଦେବତାମାନଙ୍କର ଆବିର୍ଭାବ ହେଲା । ଦ୍ରାବିଡ଼ ଓ ନିଷାଦମାନଙ୍କର ଭାବନାରେ ମଧ୍ୟ ପଞ୍ଚଭୂତ କ୍ଷିତି, ଅପ୍, ତେଜ, ମରୁତ, ବ୍ୟୋମ ବିଶିଷ୍ଟ ସ୍ଥାନ ଅଧିକାର କରିଥିଲେ । ମଣିଷର ଚେତନାରେ ଦେବତାମାନେ ଦିବ୍ୟଶକ୍ତିର ପ୍ରତୀକ ଥିଲେ । ଲୋକ କଲ୍ୟାଣ ଥିଲା ସେମାନଙ୍କ ବ୍ରତ ।

 

“ସର୍ବେ ଭବନ୍ତୁ ସୁଖିନଃ

ସର୍ବେ ସନ୍ତୁ ନିରାମୟାଃ

ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ

ମା କଶ୍ଚିତ୍ ଦୁଃଖଭାଗ ଭବେତ୍ ।”

 

ଅର୍ଥାତ୍‌ ସମସ୍ତେ ସୁଖରେ ରୁହନ୍ତୁ, ନିରାମୟ ହୁଅନ୍ତୁ, ଭଦ୍ର ହୁଅନ୍ତୁ ଓ କାହାକୁ ଦୁଃଖ ନପଡ଼ୁ, ଏହି ପ୍ରାର୍ଥନା ସେମାନେ କରୁଥିଲେ । ଆଚାର ବିଚାରରେ ସେମାନଙ୍କୁ ହିନ୍ଦୁ କୁହାଯାଉଥିଲା ସତ, କିନ୍ତୁ ହିନ୍ଦୁମାନେ ଯେ ପାଞ୍ଚ ହଜାର ବର୍ଷ ଧରି ବିଶ୍ୱ ଚେତନାର ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିଆସିଛନ୍ତି ଏଥିରେ ସନ୍ଦେହ ନାହିଁ । ହିନ୍ଦୁମାନେ ଆର୍ଯ୍ୟବର୍ତ୍ତରେ ବସବାସ କରୁଥିଲେ ମଧ୍ୟ କାଳକ୍ରମେ ଶକ, ହୁନ, ଯବନ, ପଠାଣ, ଇଂରେଜ, ପର୍ତ୍ତୁଗୀଜ, ଫରାସୀ ଲୋକମାନେ ଏ ଦେଶକୁ ଆସିଥିଲେ ଧନରତ୍ନ ଲୁଣ୍ଠନ କରିବା ପାଇଁ । ମୋଗଲମାନେ ତ ଏହି ଦେଶର ଧନରତ୍ନ ଓ ସୌନ୍ଦର୍ଯ୍ୟ ଦେଖି ସ୍ଵଦେଶକୁ ଆଉ ଫେରି ନଥିଲେ ବରଂ ଭାରତବର୍ଷକୁ ଆପଣେଇ ନେଇଥିଲେ । ତେଣୁ ଆଜି ଆମେଏ ଦେଶରେ ହିନ୍ଦୁମାନଙ୍କୁ ଛାଡ଼ି ଆଉ ଯେଉଁମାନଙ୍କୁ ଦେଖୁଛୁ, ସେମାନଙ୍କ ମଧ୍ୟରେ ପାର୍ଶୀ, ମୁସଲମାନ, ଖ୍ରୀଷ୍ଟିଆନ୍ ଏବଂ ବିଭିନ୍ନ ଜାତି ଓ ଧର୍ମର ମଣିଷ ଅଛନ୍ତି । ଏମାନେ ଭିନ୍ନ ଧର୍ମ ପାଳନ କରୁଥିଲେ ମଧ୍ୟ ଏମାନଙ୍କ ଆଚାରବିଚାରରେ ବି ଏହି ଦେଶର ସାଂସ୍କୃତିକ ଚେତନା ରହିଯାଇଛି । ସେମାନେ ମଧ୍ୟ ଏ ଦେଶର ସଂସ୍କୃତିକୁ ଆହୁରି ବ୍ୟାପକ ଓ ଶକ୍ତିଶାଳୀ କରିଛନ୍ତି । ସ୍ଥାପତ୍ୟ, କଳା, ନୃତ୍ୟ, ଗୀତ, ପୋଷାକ, ପରିଧାନ, ଖାଦ୍ୟପେୟ ସବୁଥରେ ସେମାନଙ୍କର ଛାପ ରହିଯାଇଛି । ତେଣୁ ଏ ଦେଶର ଲୋକମାନଙ୍କର ମାନସିକତାରେ ବିଶ୍ୱ ଚେତନା ପ୍ରଥମରୁ ହିଁ ରହି ଆସିଛି ।

 

ମହାତ୍ମା ଗାନ୍ଧି ଓ ଗୋପବନ୍ଧୁ ଦାସ ପ୍ରଭୃତି ମହାତ୍ମାଗଣଙ୍କ ଜୀବନରେ ହିନ୍ଦୁ ସଂସ୍କୃତି ବିକଶିତ ହୋଇଥିଲା । ସେଥିପାଇଁ ଗୋପବନ୍ଧୁ କହିଥିଲେ ଯେ—

 

“ନିଜ ହିତ ପାଇଁ ଜାତ ନୁହେଁ ହିନ୍ଦୁ,

ବିଶ୍ୱ ହିତେ ତା’ର ପ୍ରତି ରକ୍ତ ବିନ୍ଦୁ ।"

 

ମହାତ୍ମା ଗାନ୍ଧୀ ତାଙ୍କର ସତ୍ୟାଗ୍ରହ ଓ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ ଦକ୍ଷିଣ ଆଫ୍ରିକାରୁ । ତାଙ୍କ ମନରେ ଉଚ୍ଚ ନୀଚ, ସ୍ପୃଶ୍ୟ ଅସ୍ପୃଶ୍ୟ ଭେଦ ଭାବ ନ ଥିଲା । ସେ ସମସ୍ତଙ୍କୁ ଆପଣେଇ ନେଇଥିଲେ । ଯିଏ ଯାହା ଧର୍ମ ପାଳନ କରିବାର ଓ ଈଶ୍ୱରଙ୍କୁ ନିଜ ନିଜର ପ୍ରଥା ପରମ୍ପରା ଅନୁସାରେ ପୂଜା ଓ ପ୍ରାର୍ଥନା କରିବାର ଅଧିକାର ସମସ୍ତଙ୍କର ଅଛି । କିନ୍ତୁ ଈଶ୍ୱର ହେଉଛନ୍ତି ଏକ ଓ ଅଦ୍ୱିତୀୟ ଏବଂ ସର୍ବବ୍ୟାପକ । ସେ ଥିଲେ, ଅଛନ୍ତି ଏବଂ ରହିଥିବେ । ସେଇ ହିଁ କେବଳ ଚିରନ୍ତନ । ଆଉ ସବୁ ନଶ୍ୱର । ଭାରତର ଲୋକମାନେ ଧର୍ମ ବିଶ୍ୱାସୀ ଏବଂ ଈଶ୍ଵର ବିଶ୍ଵାସୀ । ତେଣୁ ନିଜର ମାନସିକ ଉତ୍ତରଣ ପାଇଁ ସେମାନେ ତାଙ୍କୁ ପ୍ରାର୍ଥନା କଲାବେଳେ ମଧ୍ୟ ଜଗତର ମଙ୍ଗଳ ହେଉ ବୋଲି କହିଥାଆନ୍ତି । ସମଗ୍ର ଜଗତର ଭାର ବାସୁକୀଙ୍କ ଉପରେ ନ୍ୟସ୍ତ ଅଛି ବୋଲି ପୁରାଣରେ କୁହାଯାଇଛି । ବାସୁକୀ ହେଉଛନ୍ତି ବିଶ୍ୱ ଚେତନାର ଏକ ଅଂଶ । ସେହିପରି ସବୁ ଚାପ, ତାପ ସହି ଅନାଦି କାଳରୁ ସମସ୍ତ ପ୍ରାଣୀଙ୍କୁ ଆଶ୍ରୟ ଦେଇଛନ୍ତି ଧରିତ୍ରୀ ମାତା । ତାଙ୍କର ସହ୍ୟ ଶକ୍ତି ଅସୀମ । ଜନନୀଙ୍କ ସହିତ ସେଥିପାଇଁ ଧରିତ୍ରୀଙ୍କୁ ତୁଳନା କରାଯାଏ । ହିନ୍ଦୁ ଚେତନାରେ ଧରିତ୍ରୀ ହେଉଛନ୍ତି ଆଦିମାତା । ସେ ରଜସ୍ଵଳା ହୁଅନ୍ତି ବୋଲି ରଜପର୍ବ ସମୟରେ ଭୂଇଁ ଉପରେ ଆଘାତ କରାଯାଏ ନାହିଁ ।

 

ଲୋକମଙ୍ଗଳ ହେଉଛି ସବୁଠାରୁ ବଡ଼ ପୁଣ୍ୟ । ସେଥିପାଇଁ କୁହାଯାଇଛି—

 

“ପରୋପକାରାୟ ପୁଣ୍ୟାୟ

ପାପାୟ ପର ପୀଡ଼ନମ୍ ।”

 

ଅର୍ଥାତ୍ ପରର ଉପକାର କରିବା ହେଉଛି ପୁଣ୍ୟ । ପରକୁ ଦୁଃଖ ଦେବା ହେଉଛି ପାପ-। ଗୀତାରେ, ଶ୍ରୀଚଣ୍ଡୀରେ ଏବଂ ସମସ୍ତ ଧର୍ମଶାସ୍ତ୍ରରେ ଭଗବାନ ବା ଭଗବତୀ କହିଛନ୍ତି ଯେ, ସେ ଲୋକମାନଙ୍କର ମଙ୍ଗଳ କରିବା ପାଇଁ ଏବଂ ପୃଥିବୀରୁ ପାପ, ତାପ, ଅନ୍ୟାୟ, ଉତ୍ପୀଡ଼ନ ଦୂର କରିବା ପାଇଁ ବାରମ୍ବାର ଅବତାର ରୂପରେ ଆସନ୍ତି । ଅସୁର ହେଉଛି ଅଧର୍ମ, ଅନ୍ୟାୟର ପ୍ରତୀକ । ସେଥିପାଇଁ ତାଙ୍କ ହାତରେ ଅସୁରମାନେ ସବୁ କାଳରେ ନିହତ ହୁଅନ୍ତି । ଏହିକଥା କହିଲାବେଳେ କେବଳ ଗୋଟିଏ ଧର୍ମର ଲୋକଙ୍କ କଥା କୁହଯାଉ ନାହିଁ । ସବୁ ଧର୍ମର ଲୋକଙ୍କ କଥା କୁହାଯାଉଛି । ଲୋକମାନେ ନିଜର ବିଶ୍ୱାସ ଅନୁସାରେ ବିଭିନ୍ନ ଧର୍ମ ଓ ଗୋଷ୍ଠୀରେ ବାଣ୍ଟିହୋଇ ରହିଛନ୍ତି । କିନ୍ତୁ ଭଗବାନଙ୍କ ଆଖିରେ ସେମାନେ ସମସ୍ତେ ମଣିଷ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍‌ମାନଙ୍କ ମଧ୍ୟରେ ଭଗବାନ କୌଣସି ପାର୍ଥକ୍ୟ ଦେଖନ୍ତି ନାହିଁ ।

 

ବିଶ୍ୱହିତ ପାଇଁ ହିନ୍ଦୁ କିପରି ନିଜର ଜୀବନ ଓ ସର୍ବସ୍ୱ ତ୍ୟାଗ କରିପାରେ ତାହାର ଭୁରି ଭୁରି ଦୃଷ୍ଟାନ୍ତ ହିନ୍ଦୁ ଶାସ୍ତ୍ର ଓ ପୁରାଣରେ ରହିଛି । ଦଧୀଚି ଉପାଖ୍ୟାନ ଏହାର ଏକ ଜ୍ଵଳନ୍ତ ଉଦାହରଣ । ବୃର୍ତ୍ତ୍ରାସୁର ନାମରେ ଏକ ମହାପ୍ରତାପୀ ଅସୁର ଥିଲା । ତା’ର ଅତ୍ୟାଚାରରେ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ କମ୍ପୁଥିଲା । ଦେବତାମାନେ ତାକୁ ବଧ କରିବା ପାଇଁ ଉପାୟ ଖୋଜିଲେ ଏବଂ ବ୍ରହ୍ମାଙ୍କ ପାଖକୁ ଗଲେ । ଦଧୀଚିଙ୍କ ଅସ୍ଥିରେ ବଜ୍ର ତିଆରି କରି କେବଳ ବୃର୍ତ୍ତ୍ରାସୁରକୁ ବଧ କରିହେବ ବୋଲି ବ୍ରହ୍ମା କହିଲେ । ଦେବତାମାନେ ଦଧୀଚିଙ୍କର ଶରଣାପନ୍ନ ହେଲେ । ତାଙ୍କର ଅସ୍ଥି ଲୋକକଲ୍ୟାଣ କାର୍ଯ୍ୟରେ ଲାଗିବ ବୋଲି ଜାଣିବା ମାତ୍ରେ ଦଧୀଚି ଅସ୍ଥି ଦେବାପାଇଁ ରାଜି ହେଲେ ଏବଂ ଅଗ୍ନିରେ ଝାସ ଦେଇ ଜୀବନ ବିସର୍ଜନ କଲେ । ତାଙ୍କର ଅସ୍ଥି ନେଇ ଦେବତାମାନେ ତାହା ଇନ୍ଦ୍ରଙ୍କୁ ଦେଲେ ଏବଂ ସେହି ଅସ୍ଥିରେ ନିର୍ମିତ ବଜ୍ର ଦ୍ଵାରା ଇନ୍ଦ୍ର ବୃର୍ତ୍ତ୍ରାସୁରକୁ ବଧ କଲେ । ପୃଥିବୀ ଶାନ୍ତ ହେଲା ଏବଂ ଧର୍ମରକ୍ଷା ହେଲା । ସତ୍ୟ ଓ ନ୍ୟାୟ ପୁଣି ପ୍ରତିଷ୍ଠା ହେଲା । ସେହିପରି ସତ୍ୟ ରକ୍ଷା କରିବା ପାଇଁ ରାଜା ହରିଶ୍ଚନ୍ଦ୍ର ନିଜର ପୁତ୍ର ଏବଂ ସ୍ତ୍ରୀଙ୍କୁ ମଧ୍ୟ ବିସର୍ଜନ କରିଥିଲେ । ତାଙ୍କର ସତ୍ୟନିଷ୍ଠା ଦେଖି ଇନ୍ଦ୍ର ସ୍ୱର୍ଗରୁ ରଥ ପଠାଇଥିଲେ ହରିଶ୍ଚନ୍ଦ୍ରଙ୍କୁ ସ୍ୱର୍ଗକୁ ନେବା ପାଇଁ । କିନ୍ତୁ ହରିଶ୍ଚନ୍ଦ୍ର କହିଲେ ଯେ, ସେ ଏକା ସ୍ୱର୍ଗକୁ ଯିବେ ନାହିଁ, ଯଦି ତାଙ୍କର ପ୍ରଜାମାନଙ୍କୁ ମଧ୍ୟ ଯିବା ପାଇଁ ଅନୁମତି ମିଳେ ତେବେ ସେ କୃତାର୍ଥ ହେବେ । ରାମାୟଣ ଓ ମହାଭାରତରେ କୁହାଯାଇଛି ଯେ, ପ୍ରଜାମାନଙ୍କର ସୁଖ ହିଁ ରାଜାଙ୍କର ସୁଖ । ସେମାନଙ୍କୁ ନିରାପଦରେ ରଖିବା ହେଉଛି ରାଜଧର୍ମ ।

 

ଲୋକ କଲ୍ୟାଣ କାର୍ଯ୍ୟକୁ ଭାରତୀୟ ଧର୍ମ ଓ ସଂସ୍କୃତିରେ ଅତି ଉଚ୍ଚ ଆସନ ଦିଆଯାଇଛି । ରାଜା ପ୍ରଜାଙ୍କର ହିତ ପାଇଁ ବାଧ୍ୟ ବୋଲି ରାମାୟଣ ଏବଂ ମହାଭାରତରେ ଦୃଷ୍ଟାନ୍ତ ରହିଛି । ସେହି ଧାରା ଆଉ ନାହିଁ । ପ୍ରଜାପାଳନ ଅପେକ୍ଷା ପ୍ରଜାପୀଡ଼ନ ହିଁ ବାସ୍ତବତା । ଗଣତନ୍ତ୍ର ଶାସନରେ ଜନସାଧାରଣଙ୍କୁ ଅତି ଉଚ୍ଚ ଆସନ ଦିଆଯାଇଛି । ବାସ୍ତବରେ ସେହିମାନଙ୍କ ନାମରେ ସେହିମାନଙ୍କ ପାଇଁ ଓ ସେମାନଙ୍କ ଦ୍ୱାରା ହିଁ ଶାସନ ଚାଲିଥାଏ । ଭାରତୀୟ ସଂସ୍କୃତିର ମୂଳମନ୍ତ୍ରଟିକୁ ଯଦି ସମସ୍ତେ ଅନୁସରଣ କରନ୍ତି ତେବେ କେବଳ ଏ ଦେଶର ନୁହେଁ ଜଗତର କଲ୍ୟାଣ ହେବ । ଗଣତନ୍ତ୍ର ଶାସନରେ ମନ୍ତ୍ରୀ ଓ ପ୍ରଶାସକମାନେ ପ୍ରଜାମାନଙ୍କର ସେବକ । କିନ୍ତୁ ସେମାନଙ୍କର ନିଃସ୍ୱାର୍ଥ ସେବା ନ କରି ଶାସକମାନଙ୍କୁ ଉତ୍ପୀଡ଼ନ କରିବା କେବଳ ଅନ୍ୟାୟ ନୁହେଁ ଅଧର୍ମ ମଧ୍ୟ । ପ୍ରଜାମାନଙ୍କ ଅର୍ଥ ରାଜକୋଷକୁ ଆସେ ଟିକସ ଆକାରରେ । ତେଣୁ ଅମଲା ଅଫିସର ଯଦି ସେଇ ଅର୍ଥ ତୋଷରପାତ କରନ୍ତି ତେବେ ତାହା ଚୋରି ସହିତ ସମାନ । ଚାଣକ୍ୟ ଏ ବିଷୟରେ ଯେଉଁ ଦୃଷ୍ଟାନ୍ତ ରଖି ଯାଇଛନ୍ତି ତାହା ଆଜି ବି ପ୍ରଯୋଜ୍ୟ । ଶାସ୍ତ୍ରରେ କୁହାଯାଇଛି ଯେ–ଯେଉଁ ରାଜ୍ୟରେ ଆଇନ୍ ଶୃଙ୍ଖଳା ଓ ନିରାପତ୍ତା ନାହିଁ, ଶାସନ କରିବା ପାଇଁ ରାଜା ନାହାନ୍ତି, ସେଠାରେ ବସବାସ କରିବା ଉଚିତ ନୁହେଁ ।

☆☆☆

 

ହିନ୍ଦୁ ନବଜାଗରଣ

 

ଗତ ପନ୍ଦର କୋଡ଼ିଏ ବର୍ଷ ମଧ୍ୟରେ ସବୁ ଶ୍ରେଣୀ ଓ ଧର୍ମର ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ିଛି । ଧର୍ମୀୟ ରୀତି ଓ ନୀତି ସମ୍ବନ୍ଧରେ ବର୍ତ୍ତମାନ ଅନେକ ସଚେତନ ହେଲେଣି । ମୋ ଉପରେ ଯେ ଏହାର ପ୍ରଭାବ ପଡ଼ିନାହିଁ ତାହା ମଧ୍ୟ ମୁଁ କହୁନାହିଁ । ଧର୍ମ ସମାଜକୁ ଅଧିକ ସଂଗଠିତ ଓ ନୈତିକତାକୁ ଦୃଢ଼ କରେ । ରାମାୟଣ ଓ ମହାଭାରତ ଏବଂ ‘ଭାରତ ଏକ ଖୋଜ୍‌’ ଟିଭିରେ ପ୍ରସାରିତ ହେବା ପରେ ହିନ୍ଦୁମାନେ ସେମାନଙ୍କର ଧର୍ମ, ପୁରାଣ ଓ ଇତିହାସ ସମ୍ପର୍କରେ ସଚେତନ ହେଲେ । ପାଠପଢ଼ୁଆ ପିଲାମାନଙ୍କ ମଧ୍ୟରେ ଧର୍ମ ବିଷୟରେ କୋଡ଼ିଏ ବର୍ଷ ପୂର୍ବରେ କୌଣସି ଧାରଣା ନ ଥିଲା । ହିନ୍ଦୁଧର୍ମ କଥା ଯଦି କୁହାଯାଏ, ତେବେ ମୁଁ କହିବି ଯେ ପରିବାରରେ ଯେଉଁ ସବୁ ଧର୍ମୀୟ କ୍ରିୟାକର୍ମ ହୁଏ ସେଥିରେ ପାଠୁଆ ପିଲାମାନେ ବେଶୀ ଅଂଶଗ୍ରହଣ କରନ୍ତିନାହିଁ । ଜେଜେ ବାପା, ଜେଜେ ମାଆ, ଅଜା, ଆଈ, ବାପା, ମାଆ, ଜେଠେଈ, ଖୁଡ଼ୀ, ଦଦେଇ, କକେଇ ଏଇମାନଙ୍କ ମଧ୍ୟରେ ପୂଜାପାର୍ବଣ, ବାରବ୍ରତ, ଓଷା ସୀମାବଦ୍ଧ ହୋଇରହେ । ଏସବୁକୁ ଔପଚାରିକତା କୁହାଯାଏ । ଔପଚାରିକତା ଯେ ଲୋଡ଼ା ନାହିଁ ସେକଥା ମୁଁ କହୁନାହିଁ । କାରଣ ଏହା ମନକୁ ଦୃଢ଼ କରେ ଓ ସାମାଜିକ ବନ୍ଧନକୁ ଶକ୍ତିଶାଳୀ କରେ ।

 

ଧର୍ମ ସହିତ ଔପଚାରିକତା ଯୋଡ଼ି ହୋଇରହିଛି । କିନ୍ତୁ ଏ ପର୍ଯ୍ୟନ୍ତ ଔପଚାରିକତା ଉପରେ ବେଶୀ ଜୋର ଦିଆଯାଉଥିବାରୁ ଧର୍ମ ସମ୍ବନ୍ଧରେ ଲୋକଙ୍କର ଧାରଣା ସେତେ ଗଭୀର ନୁହେଁ । ତେଣୁ ହିନ୍ଦୁଧର୍ମ କହିଲେ କ’ଣ ବୁଝାଏ, ତାହା ଅନେକ ବୁଝନ୍ତି ନାହିଁ । ଧର୍ମଭାବନା କିନ୍ତୁ କେବଳ ଉପରଠାଉରିଆ ବିଶ୍ୱାସ ହୋଇ ରହିଯାଏ । ଗତ ପନ୍ଦର କୋଡ଼ିଏ ବର୍ଷ ମଧ୍ୟରେ ଏହି ଭାବନାରେ ଅନେକ ପରିବର୍ତ୍ତନ ଘଟିଛି । କେବଳ ଯେ ରାମାୟଣ ଓ ମହାଭାରତ ଟିଭିରେ ପ୍ରସାରଣ ହେବା ଦ୍ୱାରା ଏହା ଘଟିଛି ତାହା ନୁହେଁ ଏହା ସହିତ ଅଷ୍ଟାଦଶ ପୁରାଣର ଅନେକ କାହାଣୀ ଓ ଭାରତୀୟ ସଭ୍ୟତାର ଅଭ୍ୟୁତ୍ଥାନ ସମ୍ପର୍କରେ ବହୁ ଚିତ୍ର ପ୍ରସାରିତ ହୋଇଛି ଟିଭି ଓ କ୍ୟାସେଟ୍ ମାଧ୍ୟମରେ । ମୁଁ ଯେତେବେଳେ ପିଲା ଥିଲି ସେତେବେଳେ କେବଳ ଉପନୟନ ପରେ ପିଲାମାନଙ୍କୁ ଗାୟତ୍ରୀ ମନ୍ତ୍ର ଶିକ୍ଷା ଦିଆଯାଉଥିଲା; କିନ୍ତୁ ଏବେ ତ ଗାୟତ୍ରୀ ମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର ଓ ହନୁମାନ ଚାଳିଶା ଏବଂ ତନ୍ତ୍ର ମନ୍ତ୍ର ସମ୍ପର୍କରେ ଅନେକ କଥା କ୍ୟାସେଟ୍ ଦ୍ଵାରା ସହରରେ, ଗ୍ରାମରେ ଓ ଘରେ ଘରେ ପ୍ରସାରିତ ହେଉଛି । ଓଡ଼ିଶା ପରି ରାଜ୍ୟରେ ଅନେକ ଦେବୀପୀଠ ଅଛି । କିନ୍ତୁ କୋଡ଼ିଏ ବର୍ଷ ହେବ ସନ୍ତୋଷୀ ମାଆଙ୍କ ପୂଜାବ୍ରତ ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବା ପରେ ଏହା ମନକୁ ଅଧୁକ ଦୃଢ଼ କରିବାରେ ସାହାଯ୍ୟ କରିଛି । ସେହିପରି ରାକ୍ଷୀବନ୍ଧନ ଆଜି ଆଉ ଅଳ୍ପ ଲୋକଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ଏହା ଏକ ଧର୍ମୀୟ ଓ ସାମାଜିକ ବନ୍ଧନରେ ପରିଣତ ହୋଇଛି । ଏବେ ତ୍ରିଶୂଳ ଦୀକ୍ଷା ଦିଆଯାଉଛି । ଏହା କିଛି ଖରାପ କଥା ନୁହେଁ, ଧର୍ମୀୟ ଔପଚାରିକତା ସହିତ ଏହା ଯୋଡ଼ି ହୋଇରହିଛି । ପାପ ନାଶନ ପାଇଁ ତ୍ରିଶୂଳ ଅଧିକ ଉପଯୋଗୀ-। ପାପୀମାନଙ୍କୁ ମହାଦେବ ତ୍ରିଶୂଳ ଦ୍ଵାରା ବଧ କରିବାର ବହୁ କାହାଣୀ ରହିଛି । ସେହିପରି ରଥଯାତ୍ରା ଆଉ ଓଡ଼ିଶା ଭିତରେ ସୀମାବଦ୍ଧ ନୁହେଁ, ଏହା ଆନ୍ତର୍ଜାତିକ ହୋଇଯାଇଛି । ଯୋଗ ସାଧନା ବିଦେଶରେ ବ୍ୟାପିବାକୁ ଲାଗିଛି ।

 

ହିନ୍ଦୁଧର୍ମ ପାଞ୍ଚ ହଜାର ବର୍ଷର । ଏହା ପ୍ରାଚୀନ କାଳରୁ ଅଛି ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ରହିଥିବ ବୋଲି ସନାତନ ଧର୍ମ ଭାବରେ ପ୍ରତିଷ୍ଠା ଲାଭ କରିଛି । ଏଥିରେ ଅନ୍ୟାନ୍ୟ ଧର୍ମ ପ୍ରତି କୌଣସି ବିଦ୍ୱେଷ ନାହିଁ କିମ୍ବା ରୀତି ନୀତି ଓ ଔପଚାରିକତା ପ୍ରତି କୌଣସି ଧରାବନ୍ଧା ନିୟମ ନାହିଁ-। ଜଣେ ଅଦ୍ୱୈତବାଦୀ ଯେପରି ହିନ୍ଦୁ ଜଣେ ଦ୍ୱୈତବାଦୀ ମଧ୍ୟ ସେହିପରି ହିନ୍ଦୁ । ଜାବାଳଙ୍କ ପରି ନିରୀଶ୍ୱରବାଦୀ ମଧ୍ୟ ହିନ୍ଦୁ । ହିନ୍ଦୁ ଏକ ଉଦାର ଧର୍ମଧାରା । ସେଥିପାଇଁ ସୁପ୍ରିମକୋର୍ଟ ଏହାର ବ୍ୟାଖ୍ୟା କରି କହିଛନ୍ତି ଯେ ହିନ୍ଦୁ ଏକ ଧର୍ମ ନୁହେଁ ଏହା ଏକ ଜୀବନଧାରା । ଗୋଟିଏ ମାର୍ଗ ଅନୁସରଣ କରି ଯେଉଁମାନେ ଚଳନ୍ତି ସେମାନେ ମନ୍ଦିରକୁ ଯାଆନ୍ତୁ ବା ନଯାଆନ୍ତୁ; ଗୀତା ଭାଗବତ ପଢ଼ନ୍ତୁ ବା ନ ପଢ଼ନ୍ତୁ ସେମାନେ ସମସ୍ତେ ହିନ୍ଦୁ । ଏକ ବୃହତ୍ ପରିବାରର ସଦସ୍ୟ ସମସ୍ତେ । ଏଇ ଭ୍ରାତୃଭାବ ଫେରିଆସିଛି ହଜାର ହଜାର ବର୍ଷର ଅବସନ୍ନତା ପରେ ।

 

ହିନ୍ଦୁ ଧର୍ମରେ ଦେବ ଓ ଦାନବ ମଧ୍ୟରେ, ଭଲ ଓ ମନ୍ଦ ମଧ୍ୟରେ ସବୁବେଳେ ଦ୍ୱନ୍ଦ୍ୱ ରହି ଆସିଛି । ସାଗର ମନ୍ଥନରୁ ଯେଉଁ ହଳାହଳ ବିଷ ଉତ୍ପନ୍ନ ହେଲା ତାହା ପାନକରି ମହାଦେବ ନୀଳକଣ୍ଠ ହୋଇଗଲେ ବୋଲି ଦେବତାମାନେ ଅମୃତର ଅଧିକାରୀ ହେଲେ । ଅସୁରମାନଙ୍କୁ ଅମୃତ ମିଳିନାହିଁ । କାରଣ ସେମାନେ ଦିବ୍ୟଚେତନାର ଅଧିକାରୀ ନୁହନ୍ତି । ସେମାନେ ଅଧର୍ମ, ଅତ୍ୟାଚାରରେ ଲିପ୍ତ । ତେଣୁ ସେମାନଙ୍କୁ ନଷ୍ଟ କରିବା ସକାଶେ ସବୁକାଳରେ ଈଶ୍ୱର ଅବତାର ଭାବେ ପୃଥିବୀରେ ଜନ୍ମ ଗ୍ରହଣ କରନ୍ତି । କେତେବେଳେ ସେ ରାମ ବା କୃଷ୍ଣ ହୋଇ ଆସନ୍ତି, ଆଉ କେତେବେଳେ ଦୁର୍ଗତୀ ନାଶିନୀ ଦୁର୍ଗା ଭାବରେ ଆବିର୍ଭୂତା ହୁଅନ୍ତି । କୋଡ଼ିଏ ବର୍ଷ ପୂର୍ବେ ପୁଅ, ଝିଅ, ବୋହୂ ଓ ନାତି ନାତୁଣୀମାନେ ଏସବୁ କାହାଣୀ ଜାଣିନଥିଲେ, କାରଣ ଶାସ୍ତ୍ର ପୁରାଣ ଜାଣିଥିବା ମାଆ ବା ଜେଜେମାଆମାନଙ୍କର ସଂଖ୍ୟା ଇତିମଧ୍ୟରେ ଅନେକ କମିଯାଇଛି । ତେଣୁ ସେମାନେ ଟିଭି ବା କ୍ୟାସେଟ୍ ଦେଖି, ସ୍ତୋତ୍ର ଶୁଣି, କାର୍ଟୁନ ଦେଖି ଏହି ପୁରାଣର ଚରିତ୍ରମାନଙ୍କ ସହିତ ପରିଚିତ ହୋଇଛନ୍ତି ଏହି ପରିଚୟ ସେମାନଙ୍କ ମଧ୍ୟରେ ସୃଷ୍ଟି କରିଛି ନବଜାଗରଣ । ସେମାନେ ଆଉ ଧର୍ମକୁ ଏକ ଗୋପନୀୟ ବା ଲଜ୍ଜାର ବିଷୟ ବୋଲି ଭାବୁନାହାନ୍ତି । ବରଂ ଗର୍ବର ସହିତ ସେମାନେ କହୁଛନ୍ତି ଯେ ସେମାନେ ହିନ୍ଦୁ ।

 

ଏହି ସଚେତନତା ଓ ଆତ୍ମଜାଗରଣ ଲୋକମାନଙ୍କୁ ଧର୍ମ ଆଡ଼କୁ ଟାଣୁଛି । ତେଣୁ ମନ୍ଦିରରେ ଭିଡ଼, ସାର୍ବଜନୀନ ପୂଜା ସମୟରେ ଦୁର୍ଗାମେଢ଼ ଆଗରେ ଭିଡ଼ । କଳସ ଯାତ୍ରା ଓ ସଂକୀର୍ତ୍ତନରେ ଭିଡ଼, ଭଜନ ସମରୋହରେ ବା ଗୁରୁପୂଜା ସମୟରେ ମଧ୍ୟ ଭିଡ଼ । ଏହି ଧାରା କୋଡ଼ିଏ ବର୍ଷ ଆଗରୁ ନ ଥିଲା । ଏହି କୋଡ଼ିଏ ବର୍ଷ ଭିତରେ ହିନ୍ଦୁ ନବଜାଗରଣ ମନକୁ ଅଧିକ ଉଦାର ଓ ଆଚରଣକୁ ଅଧିକ ନିର୍ମଳ ଓ ନିରହଙ୍କାରୀ କରିଛି । ଆଜି ଅନେକ ଲୋକ ଭାବନ୍ତି ଯେ ଧର୍ମ ଜାତି ଓ ଗୋତ୍ରକୁ ଜନ୍ମ ଦେଇ ନାହିଁ, ବରଂ ଔପଚାରିକତା ବଢ଼ିବା ଯୋଗୁଁ ଜାତିପ୍ରଥା ସୃଷ୍ଟି । ମୁଁ ଆଜି ଲକ୍ଷ୍ୟ କରୁଛି ଯେ ଏହି କୋଡ଼ିଏ ବର୍ଷ ମଧ୍ୟରେ ଜାତିପ୍ରଥା ଭାଙ୍ଗିରୁଜି ଗଲାଣି । ଆଉ ଯାହା ଅବଶିଷ୍ଟ ଅଛି ତାହା ଆଉ ଦଶ ପନ୍ଦର ବର୍ଷ ପରେ ନ ଥିବ । ଗ୍ରାମକୁ ଗଲେ ମୁଁ ଦେଖେ ହିନ୍ଦୁ ନବଜାଗରଣର ଜୟ ଯାତ୍ରା । ବ୍ରାହ୍ମଣ, ଚାଷୀ, କୁମ୍ଭାର, ବାରିକ, ଗଉଡ଼ ଏକତ୍ର ବସି ପଙକ୍ତି ଭୋଜନ କରୁଥିବା ଦୃଶ୍ୟ ଦେଖି ମନ ପ୍ରସନ୍ନ ହୋଇଯାଏ । କିନ୍ତୁ କୂଅ ପୋଖରୀ ଆଜି ଆଉ ବ୍ରାହ୍ମଣ ବା କରଣମାନଙ୍କ ଅଧୀନରେ ନାହିଁ । ସେଥିରୁ ସମସ୍ତଙ୍କର ପାଣି ନେବାର ଅଧିକାର ସାବ୍ୟସ୍ତ ହୋଇଗଲାଣି । ସବର୍ଣ୍ଣ ଓ ଅସବର୍ଣ୍ଣ ଭାବନା ଦ୍ରୁତ ଗତିରେ ଦୂର ହୋଇଯାଉଛି । ମୋର ବିଶ୍ୱାସ ଯେ ହିନ୍ଦୁମାନେ ଧର୍ମର ମୂଳତତ୍ତ୍ୱ ସମ୍ପର୍କରେ ଯେତିକି ସଚେତନ ହେବେ ସେମାନଙ୍କ ମନ ସେତିକି ଉଦାର ଓ ପ୍ରଶସ୍ତ ହେବ ଏବଂ ମାନବିକତା ସେହି ପରିମାଣରେ ଆଚରଣରେ ପ୍ରତିଫଳିତ ହେବ ।

 

କିନ୍ତୁ ଏ ଦେଶର ଅଶୀ ଭାଗରୁ ଅଧିକ ଲୋକ ହିନ୍ଦୁ ହେଲେ ମଧ୍ୟ ତଥାପି ଭାରତ ଧର୍ମୀୟ ରାଷ୍ଟ୍ର ନୁହେଁ । ଧର୍ମନିରପେକ୍ଷତା ଭାରତର ରାଷ୍ଟ୍ର ନୀତି । ସବୁ ଧର୍ମ ପ୍ରତି ସମାନ ଭାବ ଜାତୀୟ ନୀତି । ଇତିହାସରୁ ପ୍ରମାଣ ମିଳେ ଯେ ବିଦେଶରୁ ଯେଉଁସବୁ ଧର୍ମ ଆସିଛି ଏ ଦେଶକୁ ସେ ସବୁକୁ ପ୍ରତ୍ୟାଖ୍ୟାନ ବା ବିରୋଧ ନ କରି ଭାରତ ଉଦାରଚିତ୍ତରେ ସମସ୍ତ ଧର୍ମାବଲମ୍ବୀଙ୍କୁ ସ୍ୱାଗତ କରିଛି ଏବଂ ସେମାନଙ୍କ ଠାରେ ଯାହା ଭଲ ଦେଖିଛି ତାହା ଗ୍ରହଣ କରିଛି । ଏହି କାରଣରୁ ଭାରତରେ ବିବିଧ ଧର୍ମ, ଭାଷା ଓ ସଂସ୍କୃତି ଥାଇ ମଧ୍ୟ ତାହା ବିଭେଦ ଓ ବିଭାଜନର କାରଣ ହେବା ପରିବର୍ତ୍ତେ ଐକ୍ୟ ଓ ସଂହତିର କାରଣ ହୋଇଛି । ହିନ୍ଦୁ ନବଜାଗରଣ ଅର୍ଥ ନୁହେଁ ହିନ୍ଦୁକରଣ, ଏହାର ଅର୍ଥ ହେଉଛି ମାନବିକ ଉଦାରବାଦ ଓ ଧର୍ମ ଚେତନାର ପ୍ରସାରଣ ।

☆☆☆

 

ଆଦିବାସୀ ଆମ ଲୋକ

 

ଆମ ଓଡ଼ିଶାରେ ଆଦିବାସୀ ଓ ହରିଜନମାନଙ୍କ ସଂଖ୍ୟା ପ୍ରାୟ ଦେଢ଼କୋଟି ପାଖାପାଖି-। ସବୁ ତଫସିଲଭୁକ୍ତ ଅନ୍ୟାନ୍ୟ ଅନଗ୍ରସର ଜାତି ହିସାବକୁ ନେଲେ ଏହି ସଂଖ୍ୟା ଆହୁରି ବେଶୀ ହେବ । ଓଡ଼ିଶାରେ ସାନ୍ତାଳ, କୋହ୍ଲ, କନ୍ଧ, ପରଜା, ବଣ୍ଡା ପ୍ରଭୃତି ବିଭିନ୍ନ ଗୋଷ୍ଠୀର ଆଦିବାସୀ ଅଛନ୍ତି । ବଣ ଜଙ୍ଗଲ ଭିତରେ ସେମାନଙ୍କର ବାସସ୍ଥାନ କ୍ରମଶଃ ସଂକୁଚିତ ହେବାରୁ ସେମାନଙ୍କ ମଧ୍ୟରୁ ଅନେକ ସମତଳ ଭୂଇଁକୁ ଆସିଗଲେଣି । ସେମାନେ ଏ ଦେଶର ମୂଳ ଅଧିବାସୀ ବୋଲି କୁହଯାଏ । ଏମାନେ ନିଷାଦ ନାମରେ ମଧ୍ୟ ପରିଚିତ । ଆର୍ଯ୍ୟ ଓ ଦ୍ରାବିଡ଼ମାନଙ୍କ ଆଗରୁ ଏମାନେ ଏଇ ଦେଶରେ ରହିଆସୁଛନ୍ତି । ମହାଭାରତରେ ଜତୁଗୃହ ଧ୍ୱଂସ ସମୟରେ ଯେଉଁ କେତେଜଣ ନିରୀହ ଆଦିବାସୀ ପ୍ରାଣ ହରାଇଲେ ସେମାନେ ଏଇ ଶ୍ରେଣୀର । ଦୁର୍ଯ୍ୟୋଧନ ସେମାନଙ୍କର ମୃତ ଶରୀରକୁ ପଞ୍ଚପାଣ୍ଡବ, ଦୌପଦୀ ଏବଂ କୁନ୍ତୀଙ୍କର ବୋଲି ଧରି ନେଇଥିଲେ । ସେଥିପାଇଁ କୌରବ ଶିବିରରେ ଉଲ୍ଲାସ ଖେଳିଯାଇଥିଲା, କିନ୍ତୁ ପାଣ୍ଡବ ଶିବିରରେ ବିଷାଦ ଘେରି ରହିଥିଲା-। ଯେତେବେଳେ ପାଣ୍ଡବମାନେ ମରିନାହାନ୍ତି ବୋଲି ଜଣାଗଲା ସେତେବେଳ ଦୁର୍ଯ୍ୟୋଧନ ଛାତିରେ ଛନକା ପଶିବା ସ୍ଵାଭାବିକ । ଏଇ ଆଦିବାସୀମାନଙ୍କ କଥା ଲେଖିଲା ବେଳେ ନିକଟରେ କଳିଙ୍ଗନଗରଠାରେ ପୁଲିସ୍‌ଗୁଳିରେ ବାର ଜଣ ନିହତ ହୋଇଥିବା ବିଷୟ ସମଗ୍ର ଓଡ଼ିଶା ଓ ଓଡ଼ିଶା ବାହାରୁ ଲୋକମାନଙ୍କୁ ଗଭୀର ଦୁଃଖ ଦେଇଛି । କାରଣ ସେମାନେ ଯେଉଁ ଜମିରେ ଅନେକ ବର୍ଷ ଧରି ରହିଆସୁଥିଲେ ସେଇ ସ୍ଥାନ ଶିଳ୍ପସ୍ଥାପନ ପାଇଁ ଆବଶ୍ୟକ ହେଲାରୁ ସରକାର ସେମାନଙ୍କୁ ସେଠାରୁ ଉଠିଯିବା ପାଇଁ କହିଥିଲେ । ଆଦିବାସୀ ହୁଅନ୍ତୁ ବା ଅଣ-ଆଦିବାସୀ ହୁଅନ୍ତୁ, ଛୋଟ କୁଡ଼ିଆ ଖଣ୍ଡେ ହେଉ ବା ବଡ଼ କୋଠାଟିଏ ହେଉ, ସେଇ ପ୍ରିୟସ୍ଥାନ ଛାଡ଼ି ଅନ୍ୟ ଜାଗାକୁ ଉଠିଯିବାପାଇଁ କାହାରି ମନ ବଳେ ନାହିଁ । ଯେତେଟଙ୍କା କ୍ଷତିପୂରଣ ଦେଲେ ମଧ୍ୟ ଜନ୍ମମାଟିର ମାୟା ମନରୁ ଲିଭେନାହିଁ । ତେଣୁ କଳିଙ୍ଗନଗରରେ ବାସ କରୁଥିବା ଆଦିବାସୀମାନଙ୍କୁ ଅନ୍ୟ ଜାଗାକୁ ଯିବାପାଇଁ କହିଲାବେଳେ ସରକାର ସେମାନଙ୍କ ପାଇଁ ଅନ୍ୟ କେଉଁଠି ଘର, ଚାଷଜମି ଓ ଅନ୍ୟାନ୍ୟ ସୁବିଧା ଯଦି ଯୋଗାଇ ଦେଇଥାନ୍ତେ ତେବେ ଆଦିବାସୀମାନେ ହୁଏତ ସରକାରୀ ଆଦେଶର ପ୍ରତିରୋଧ ନ କରି ସେଇ ସ୍ଥାନକୁ ଉଠିଯାଇଥାନ୍ତେ । ଆଦିବାସୀ ଓ ଶାସନ ମଧ୍ୟରେ ପ୍ରଥମରୁ ବୁଝାମଣା ହୋଇଥିଲେ ଏପରି କରୁଣ ଅବସ୍ଥା ସୃଷ୍ଟି ହୋଇନଥାନ୍ତା । କିନ୍ତୁ କ୍ଷମତାମୋହ ଦୁର୍ଯ୍ୟୋଧନକୁ ଯେପରି ଅନ୍ଧ କରିଥିଲା, ଶାସନକଳ ଚଳାଇଥିବା ଲୋକମାନେ ମଧ୍ୟ ସେହିପରି ବର୍ତ୍ତମାନର ଓ ଭବିଷ୍ୟତର ପରିଣତି ସମ୍ପର୍କରେ କିଛି ନ ଭାବି ଆଦିବାସୀମାନଙ୍କୁ ବଳପ୍ରୟୋଗ କରି ଉଠାଇ ଦେବାରୁ ଏପରି ଘଟିଲା । ମୋ ଜିଲ୍ଲା ମୟୂରଭଞ୍ଜ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ସେଥିପାଇଁ ମୋତେ କହିବାକୁ ହେଉଛି ଯେ, ସେମାନେ ଆମ ଲୋକ, ସେମାନଙ୍କୁ ସୁଖୀ କରିବା ଶାସନ ଓ ସମାଜର ଦାୟିତ୍ୱ ।

 

ଦେଶ ସ୍ଵାଧୀନ ହେବାର ୬୦ ବର୍ଷ ହେଲାଣି, କିନ୍ତୁ ଯେଉଁମାନେ ଶାସନ ଓ ସମାଜର ପରିଚାଳକ ସେମାନେ ଏବେବି ଭାବୁଛନ୍ତି ଯେ ସେମାନଙ୍କର ଆଜ୍ଞାରେ ସମସ୍ତେ ଚାଲିବେ । ଜଣେ ଜିଲ୍ଲାପାଳଙ୍କର ବଞ୍ଚିବାର ଯେତିକି ଅଧିକାର ଅଛି, ଜଣେ ସାନ୍ତାଳ ବା କନ୍ଧର ବଞ୍ଚିବାର ସେତିକି ଅଧିକାର । ଏମାନେ ଶିକ୍ଷିତ, ସଚେତନ ଓ ସ୍ୱଚ୍ଛଳ ନୁହନ୍ତି ବୋଲି ବଣ ସଫାକରି ଜନ୍ତୁ ଜାନୁଆରମାନଙ୍କୁ ଅନ୍ୟତ୍ର ପଳାଇ ଯିବା ପାଇଁ ଯେପରି ବାଧ୍ୟ କରାଯାଏ, ଶିଳ୍ପ ସ୍ଥାପନ ପାଇଁ ଏମାନଙ୍କୁ ସେପରି ନିରାଶ୍ରୟ କରିହେବ ନାହିଁ । ଆମ ସମ୍ବିଧାନ ସବୁ ଶ୍ରେଣୀର ଲୋକମାନଙ୍କୁ ମର୍ଯ୍ୟାଦା ସହ ବଞ୍ଚିବା ପାଇଁ ସମାନ ଅଧିକାର ଦେଇଅଛି । ଗତ କେତେମାସ ଧରି କଳିଙ୍ଗନଗର ଅଞ୍ଚଳରେ ବାସ କରୁଥିବା ଆଦିବାସୀମାନେ ସେଠାରୁ ଉଠି ନା ଯିବା ପାଇଁ କହି ଆସୁଥିଲେ । ସରକାରୀ ଅଫିସରମାନଙ୍କର ବିବେକ, ବୁଦ୍ଧି ଥିଲେ ଏ ଗରିବ ଲୋକମାନଙ୍କର କଥା ବୁଝିପାରିଥାନ୍ତେ । ଏମାନଙ୍କୁ ବାଦ୍ ଦେଇ ଓଡ଼ିଶା ବା ଭାରତବର୍ଷର ସ୍ଥିତି ନାହିଁ । ଯେଉଁମାନେ ବେଶୀ ପାଠ ପଢ଼ୁଛନ୍ତି ସେମାନେ ଦେଶର ସମ୍ପଦ ବ୍ୟବହାର କରି ବିଦେଶକୁ ପଳାଇ ଯାଉଛନ୍ତି ଚାକିରି କରିବା ପାଇଁ । ଆଉ ଲେଉଟୁ ନାହାନ୍ତି । ଅନେକ ସ୍ୱଚ୍ଛଳବର୍ଗର ଲୋକ ବଣ ଜଙ୍ଗଲ ଅପନ୍ତରା ଜାଗା ଛାଡ଼ି ଦିଲ୍ଲୀ, ବମ୍ବେ, ବାଙ୍ଗାଲୋର ପରି ବଡ଼ବଡ଼ ସହରକୁ ଚାଲିଯାଉଛନ୍ତି । ସେମାନେ ନ ଥିଲେ ବି ଓଡ଼ିଶା ରହିଥିବ, ଓଡ଼ିଶାର କିଛି କ୍ଷୟକ୍ଷତି ହେବ ନାହିଁ । କାରଣ ସେମାନେ ଜମି ଉଠିଆ କରନ୍ତି ନାହିଁ, ରାସ୍ତା ବା କୋଠା ତିଆରି କରନ୍ତି ନାହିଁ ବା ଚାଷବାସ କରି ଦେଶବାସୀଙ୍କୁ ଆହାର ଯୋଗାନ୍ତି ନାହିଁ । ଆଦିବାସୀମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ପଥର ଭାଙ୍ଗନ୍ତି, ରାସ୍ତା ତିଆରି କରନ୍ତି, କଳକାରଖାନା ବସାଇବା ପାଇଁ ଘର ତୋଳନ୍ତି । ସେମାନେ ନ ଥିଲେ ଜମି ପଡ଼ିଆ ପଡ଼ିଥାନ୍ତା । ପ୍ରକୃତରେ କହିବାକୁ ଗଲେ ମେହେନତ କରି ଏଇ ଦେଶକୁ ସମୃଦ୍ଧ କରୁଥିବା ଲୋକମାନେ ହିଁ ଆଦିବାସୀ । ତେଣୁ ସହର ସ୍ଥାପନ କରାଯାଉ ବା ଶିଳ୍ପ ସ୍ଥାପନ କରାଯାଉ ସେମାନଙ୍କ ସ୍ୱାର୍ଥ ରକ୍ଷା କରିବା ହେଉଛି ଶାସନର ପ୍ରଥମ ଦାୟିତ୍ୱ । ସେମାନେ ନ ଥିଲେ ଉତ୍ପାଦନ କମିଯିବ, ଉନ୍ନୟନ କାର୍ଯ୍ୟ ଅଟକି ରହିବ ।

 

ଦୁର୍ଭାଗ୍ୟର କଥା ଯେ ଏ ପର୍ଯ୍ୟନ୍ତ ସାଧାରଣ ଲୋକର ପରିଶ୍ରମ ଯୋଗୁଁ ଅୟସ କରୁଥିବା ସହରର ଲୋକମାନେ ଏମାନଙ୍କୁ ନିଜ ଲୋକ ବୋଲି ଭାବୁ ନାହାନ୍ତି । ଆଦିବାସୀମାନେ ବଣ ଜଙ୍ଗଲରେ ରୁହନ୍ତି ବୋଲି ସେମାନଙ୍କୁ ପଶୁପକ୍ଷୀ ପରି ମନେ କରନ୍ତି । ମଣିଷ ପରି ପଶୁପକ୍ଷୀମାନଙ୍କର ମଧ୍ୟ ଏ ପୃଥିବୀରେ ରହିବାର ଅଧିକାର ଅଛି । ସେମାନେ ନ ଥିଲେ ସୃଷ୍ଟିର ସୁଷମା ଓ ସନ୍ତୁଳନ ନଷ୍ଟ ହୋଇଯିବ । ସୁତରାଂ ଆଦିବାସୀମାନଙ୍କୁ ହଟେଇ ଦେଇ ସହର ବା ଶିଳ୍ପସ୍ଥାପନ କରିବା ସମ୍ଭବ ନୁହେଁ । ସେମାନେ ପାଖେ ପାଖେ ଥିଲେ ଶିଳ୍ପ ଓ ସହର ସ୍ଥାପନ କରିବା ବରଂ ସହଜ ଓ ସୁବିଧା ହେବ । ଆଦିବାସୀମାନଙ୍କ ଜୀବନ ସରଳ ଓ ସାଧାସିଧା । ସେମାନଙ୍କୁ ସହରୀ ଜୀବନର ପେଞ୍ଚ ଜଣାନାହିଁ । ଶାସନକଳକୁ ବ୍ୟବହାର କରି ଅନ୍ୟର ସମ୍ପତ୍ତି ମାଡ଼ିବସିବା ସେମାନେ ଜାଣନ୍ତି ନାହିଁ । ସେମାନଙ୍କୁ ଯାହା ମିଳେ ସେତିକିରେ ସନ୍ତୁଷ୍ଟ । ପ୍ରକୃତି କୋଳରେ ସେମାନେ ବଢ଼ନ୍ତି; ତାଙ୍କ ଅଧିକାରରେ ବାଧା ନ ପଡ଼ିଲା ପର୍ଯ୍ୟନ୍ତ ସେମାନେ କାହାର କ୍ଷତି କରନ୍ତି ନାହିଁ ।

 

ଓଡ଼ିଶାର ଶିମିଳିପାଳ ଅଞ୍ଚଳରେ, ଫୁଲବାଣୀ ଓ କୋରାପୁଟ ଜିଲ୍ଲାରେ ଏବଂ ଅନ୍ୟାନ୍ୟ ଅନେକ ସ୍ଥାନରେ ଅନେକ ଜାତିର ଆଦିବାସୀ ଅଛନ୍ତି । । ସେମାନଙ୍କର ଜୀବନଶୈଳୀ, ସଂସ୍କୃତି ଓ ଚଳିବାର ଢଙ୍ଗ ରଙ୍ଗ ଅଲଗା । ବଣ୍ଡାମାନେ ତ ଏବେ ବି ପାହାଡ଼ ଉପରେ ଲଙ୍ଗଳା ରହନ୍ତି । ସଭ୍ୟତା ସେମାନଙ୍କୁ ସ୍ପର୍ଶ କରିନାହିଁ । କିନ୍ତୁ ସବୁଶ୍ରେଣୀର ଆଦିବାସୀମାନଙ୍କର ସ୍ଵାତନ୍ତ୍ର୍ୟ ରହିଛି । ସେମାନଙ୍କ ପ୍ରାଣଶକ୍ତି ଅପର୍ଯ୍ୟାପ୍ତ, ସେମାନଙ୍କର ଛୋଟ ଛୋଟ କୁଡ଼ିଆ ଏତେ ପରିଷ୍କାର ଓ ପରିଚ୍ଛନ୍ନ ଯେ ତାହା ଦେଖିଲେ ମନ ଖୁସି ହୋଇଯାଏ । କାନ୍ଥ ଉପରେ ନାନା ରକମର ଚିତ୍ର-ବିଚିତ୍ର-। ଅନେକ ଦେହରେ ଚିତା କୁଟାନ୍ତି । ସେମାନଙ୍କ ଜୀବନ ଅତି ସରଳ ତେଣୁ ଆବଶ୍ୟକତା ବି ଅନେକ କମ୍ । ଘର ଭିତରେ ସାମାନ୍ୟ କେତେଖଣ୍ଡ ଲୁଗା । ରୋଷେଇ କରିବା ପାଇଁ ମାଟିପାତ୍ର-। ଶିକାର କରିବା ପାଇଁ ଧନୁଶର ଓ କୁରାଢ଼ି । ଶୋଇବା ପାଇଁ ହେଁସ ବ୍ୟବହାର କରନ୍ତି-। କାହାର କେମିତି ଦଉଡ଼ିଆ ଖଟ ବି ଥାଏ । କାମ କଲାବେଳେ ଝିଅମାନେ ଗୀତ ଗାଆନ୍ତି, ସନ୍ଧ୍ୟାହେଲେ ଝିଅ ଓ ପୁଅମାନେ ବାଜା ବଜାନ୍ତି, ନାଚନ୍ତି । ପର୍ଯ୍ୟଟକମାନେ ଆସନ୍ତି ଏମାନଙ୍କର ଜୀବନଶୈଳୀ ଦେଖିବା ପାଇଁ । ଚିଡ଼ିଆଖାନାର ଜୀବମାନଙ୍କୁ ଯେପରି ସହରୀ ଲୋକମାନେ ଦେଖନ୍ତି, ବାହାରୁ ଆସୁଥିବା ଲୋକମାନେ ଆଦିବାସୀମାନଙ୍କୁ ସେହିପରି ଦେଖନ୍ତି । କିନ୍ତୁ ଏମାନେ ଯେ ଚିଡ଼ିଆଖାନାର ଜୀବ ନୁହନ୍ତି, ସାମାଜିକ ପ୍ରାଣୀ—ଏକଥା ଏବେ ବି ଶାସନ ସ୍ୱୀକାର କରିନାହିଁ-

 

ଆଦିବାସୀମାନଙ୍କର ସାମାଜିକ ଓ ଅର୍ଥନୀତିକ ଉନ୍ନତି ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରନ୍ତି । କିନ୍ତୁ ସେଇ ଅର୍ଥରୁ ଗୋଟିଏ ଭାଗ ବାବୁ, ନେତା ଓ ବଡ଼ ବଡ଼ ଲୋକ, ଠିକାଦାରମାନେ ଆତ୍ମସାତ କରନ୍ତି । ଅଧିକାଂଶ ଆଦିବାସୀ ଗାଁରେ ପିଇବା ପାଣିର ସୁବିଧା ନାହିଁ । ବାହାରକୁ ଯିବାପାଇଁ ରାସ୍ତା ନାହିଁ । ପିଲାମାନେ ପାଠପଢ଼ିବା ପାଇଁ ସ୍କୁଲ ନାହିଁ । ଚାଷ କରିବା ପାଇଁ ଜମି ନାହିଁ । ରୋଗ ହେଲେ ଗୁଣିଗାରେଡ଼ି କରି ବଞ୍ଚିବା ପାଇଁ ଚେଷ୍ଟା କରନ୍ତି । ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଆଦିବାସୀ ଅଞ୍ଚଳକୁ ଯାଆନ୍ତି ନାହିଁ । ଏଣୁ କେତେବେଳେ ମ୍ୟାଲେରିଆ ବା ହଇଜାରେ ପୋକମାଛି ପରି ମଣିଷ ମରିଥା’ନ୍ତି । ଏମାନେ କ’ଣ ଚିରକାଳ ଏହିପରି ରହିବେ ? ଆମ ଦେଶର ସଭ୍ୟତା ଅତି ପ୍ରାଚୀନ ବୋଲି କୁହାଯାଉଛି । ବେଦ ୫୦୦୦ ବର୍ଷ ପୂର୍ବେ ରଚିତ ହୋଇଥିଲା । ରାମାୟଣ, ମହାଭାରତ ଓ ଅନ୍ୟାନ୍ୟ ପୁରାଣ ମଧ୍ୟ ବହୁବର୍ଷ ଆଗରୁ ରଚନା କରାଯାଇଥିଲା । କିନ୍ତୁ ତାହା ସମସ୍ତ ମଣିଷ ଜାତି ପାଇଁ ଉଦ୍ଦିଷ୍ଟ ହେଲେ ମଧ୍ୟ ଶାସ୍ତ୍ର ପୁରାଣରେ ଏମାନଙ୍କ କଥା କିଛି ନାହିଁ । ଯେଉଁମାନେ ସେତେବେଳେ ଜ୍ଞାନୀ ଗୁଣୀ ଥିଲେ ଏବଂ ଏବେବି ଅଛନ୍ତି ସେମାନେ ଆଦିବାସୀମାନଙ୍କୁ ନିରକ୍ଷର ରଖିଥିବାରୁ ଏମାନଙ୍କ ମଧ୍ୟରେ ସାକ୍ଷରତା ଏବେବି ପଚିଶ ପ୍ରତିଶତରୁ ବେଶୀ ହେବ ନାହିଁ । ପଞ୍ଚସ୍ତରୀ ପ୍ରତିଶତ ଆଦିବାସୀ ଲୋକଙ୍କୁ ନିରକ୍ଷର ରଖି ଗୋଟିଏ ଜାତି ବଡ଼ ହୋଇପାରିବ ନାହିଁ । ଆଦିବାସୀମାନଙ୍କୁ ଶିକ୍ଷା ଦେଲେ ଏବଂ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବାର କୌଶଳ ଶିଖାଇଲେ ସେମାନଙ୍କ ଉତ୍ପାଦ ଶକ୍ତି ବୃଦ୍ଧି ପାଇବ । ସେମାନଙ୍କ ମନରେ ଚେତନାର ବିକାଶ ଘଟିବ । ସେମାନେ ମଧ୍ୟ ଦେଖି ଶିଖି ବଡ଼ ବଡ଼ କାର୍ଯ୍ୟ କରିପାରିବେ । ରୋଜଗାର ବଢ଼ିବ, ହାତକୁ ଦି’ ପଇସା ଆସିଲେ ସେମାନେ ଭଲ ଲୁଗା ପିନ୍ଧିବେ, ସ୍କୁଲରେ ପାଠ ପଢ଼ିବେ, ଖାଇବାର ଅଭାବ ହେବ ନାହିଁ, ରୋଗହେଲେ ଚିକିତ୍ସା କରିପାରିବେ, ଭଲ ବାସଗୃହ ନିର୍ମାଣ କରିପାରିବେ ଏବଂ ଅଭାବ ଅସୁବିଧା ଭିତରୁ ବାହାରି ଆସି ଏଇ ନୂତନ ପୃଥିବୀକୁ ଦେଖିବେ । କିନ୍ତୁ ଦୁର୍ଭାଗ୍ୟର କଥା ଯେ ଏଇ ସୁଯୋଗ ସେମାନଙ୍କ ହାତକୁ କେବେ ଆସିବ ତାହା ସେମାନେ ଜାଣନ୍ତି ନାହିଁ । ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ସେମାନେ ଶିକ୍ଷିତ ସଚେତନ ହେଲେ ନିଜ ହାତରୁ କ୍ଷମତା ଚାଲିଯିବ ବୋଲି ସ୍ୱଚ୍ଛଳ ଓ ଶିକ୍ଷିତବର୍ଗର ଲୋକମାନେ ଆଜିଠୁଁ ଭୟଭୀତ ହେଲେଣି । ଯେଉଁମାନେ ଶାସନ ଚଳାଉଛନ୍ତି ସେମାନେ ବି ସେପରି ଭାବୁଥିବେ । ଯେତେଦିନ ଆଦିବାସୀମାନେ ଏହିପରି ଅବହେଳିତ ଅବସ୍ଥାରେ ଥିବେ ସେ ପର୍ଯ୍ୟନ୍ତ ସେମାନଙ୍କୁ ଭୋଟ୍‌ବ୍ୟାଙ୍କ୍ ଭାବରେ ବ୍ୟବହାର କରାଯାଇ ପାରିବ ।

 

ଏପର୍ଯ୍ୟନ୍ତ ସେମାନେ କେବଳ ଆଦେଶ ତାଲିମ କରି ଆସିଛନ୍ତି । କିନ୍ତୁ ପ୍ରଶ୍ନ ପଚାରି ନାହାନ୍ତି । କଳିଙ୍ଗନଗରରେ ଯାହା ଘଟିଲା ଏବଂ ଆରତି ବା ଭୂଷଣ କାରଖାନାରେ ଯାହାଘଟୁଛି ସେଥିରୁ ଜଣାପଡ଼ୁଛି ଯେ ଆଦିବାସୀମାନେ ଆଉ ନୀରବରେ ଅତ୍ୟାଚାର ସହିଯିବେ ନାହିଁ । ସେଥିପାଇଁ ସେମାନେ ମାଲିକମାନଙ୍କୁ ଓ ଶାସକମାନଙ୍କୁ ପ୍ରଶ୍ନ ପଚାରିବାକୁ ଆରମ୍ଭ କଲେଣି । ସେଇ ପ୍ରଶ୍ନର ଉତ୍ତର ନ ଦେଇ ଶାସକ ବା ମାଲିକ ପଳାଇଯାଇ ପାରିବେ ନାହିଁ । ଆଦିବାସୀମାନେ ସମସ୍ତଙ୍କୁ ମିତ୍ର ବୋଲି ଭାବନ୍ତି । ବଣର ବାଘ, ଭାଲୁ ଏବଂ ସମାଜର ମଣିଷ ସମସ୍ତେ ସେମାନଙ୍କର ମିତ୍ର । ବରଂ ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ବାଘଭାଲୁ ପରି ହିଂସ୍ର ଜନ୍ତୁ ସହିତ ଦୀର୍ଘ କାଳ ସେମାନେ ବଞ୍ଚି ଆସିଥିଲେ ମଧ୍ୟ ବଣର ଜନ୍ତୁମାନେ ସେମାନଙ୍କ ଅଧିକାର ଛଡ଼ାଇନାହାନ୍ତି । କିନ୍ତୁ ଦୁଇ ଗୋଡ଼ରେ ଚାଲୁଥିବା, ସଫା ପୋଷାକ ପିନ୍ଧିଥିବା ବାବୁମାନେ ଓ ବଡ଼ ବଡ଼ ଲୋକମାନେ ଜନ୍ତୁ ଜାନୁଆର ଠାରୁ ମଧ୍ୟ ଆହୁରି ବେଶୀ ଭୟଙ୍କର । କାରଣ ସେଇମାନଙ୍କର ପେଞ୍ଚ ଓ ଚକ୍ରାନ୍ତ ଯୋଗୁଁ ଆଦିବାସୀମାନେ ଯୁଗଯୁଗର ଅଜ୍ଞତା, ସଂସ୍କାର, ଅନ୍ୟାୟ ଓ ଅବିଚାର ମଧ୍ୟରୁ ଏପର୍ଯ୍ୟନ୍ତ ମୁକୁଳିପାରୁ ନାହାନ୍ତି । ଆଦିବାସୀମାନେ ହିଁ ଏ ଦେଶର ମୂଳ ମଣିଷ । ଆଉ ସମସ୍ତେ ଶାଖା ପ୍ରଶାଖା । ମୂଳକୁ ଛାଡ଼ି ଶାଖା-ପ୍ରଶାଖା କ’ଣ ବଞ୍ଚିପାରେ...? ସଭ୍ୟ, ସମ୍ରାନ୍ତ, ଶାସକମାନଙ୍କ ଚେତା ପଶୁ କଳିଙ୍ଗନଗରରୁ । ଆଦିବାସୀମାନେ ପର ନୁହନ୍ତି; ଆମ ଲୋକ ସେମାନଙ୍କୁ ଶିକ୍ଷିତ, ସ୍ୱଚ୍ଛଳ କରିବା ଦାୟିତ୍ୱ ଆମର, ସମାଜର ।

☆☆☆

 

ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ

 

ଭାରତ ହେଉଛି ଧର୍ମ ଓ ବିଶ୍ୱାସର ଦେଶ । ମହାତ୍ମା ଗାନ୍ଧି କହିଛନ୍ତି ଯେ, ‘ସତ୍ୟ ହିଁ ଈଶ୍ୱର’ । ତାଙ୍କ ଜୀବନରେ ସେ କେବଳ ସତ୍ୟର ପରୀକ୍ଷା କରିଛନ୍ତି । ହିନ୍ଦୁଧର୍ମରେ ସତ୍ୟ ଓ ଧର୍ମକୁ ଅତି ଉଚ୍ଚ ଆସନ ଦିଆଯାଇଛି । ଈଶ୍ଵର ହିଁ ସତ୍ୟର ସ୍ଵରୂପ । ସେହିପରି ମୁସଲମାନ ଓ ଖ୍ରୀଷ୍ଟିଆନ୍ ଧର୍ମରେ ମଧ୍ୟ ସତ୍ୟର ପରୀକ୍ଷାରୁ ହିଁ ଏହି ଦୁଇଟି ଧର୍ମ ପରିପୂର୍ଣ୍ଣତା ଲାଭ କରିଛନ୍ତି । ଗାନ୍ଧିଜୀ କହିଛନ୍ତି, “ଦୁହେଁ ଯାକ (ଯୀଶୁଖ୍ରୀଷ୍ଟ ଏବଂ ମହମ୍ମଦ) ସର୍ବପ୍ରଥମେ ସତ୍ୟ ଲାଗି ହିଁ ପ୍ରୟାସ କରିଥିଲେ । ତେଣୁ ଅତ୍ୟନ୍ତ ସ୍ୱାଭାବିକ ଭାବରେ ସେମାନେ ଅଭିବ୍ୟକ୍ତିର ସେହି ସୌନ୍ଦର୍ଯ୍ୟ ଟିକକ ମଧ୍ୟ ଲାଭ କରିପାରିଥିଲେ । XX ମୁଁ ଠିକ୍ ସେହି ସତ୍ୟ ଏବଂ ସୌନ୍ଦର୍ଯ୍ୟ ଲାଗି ଆକାଂକ୍ଷା ରଖିଛି, ସେଥିପାଇଁ ମୋ ଜୀବନଟିକୁ ବଞ୍ଚୁଛି ଏବଂ ଆବଶ୍ୟକ ହେଲେ ସେଥିପାଇଁ ଜୀବନ ଦେବି ।”

 

ମୁଁ ପଢ଼ୁଥିଲାବେଳେ ସତ୍ୟ ଓ ଧର୍ମ ପଥରେ ଯିବା ପାଇଁ ଈଶ୍ଵର ଆମକୁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଥିଲି ।

 

“ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମୋତେ ।

ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ।”

 

(ମଧୁସୂଦନ ରାଓ)

 

ରାମକୃଷ୍ଣ ନନ୍ଦ ଲେଖିଥିବା ଗୋଟିଏ ପ୍ରାର୍ଥନାରେ ବୋଲୁଥିଲେ—

 

“ସତ କହିବାକୁ କିଆଁ ଡରିବି

ସତ କହି ପଛେ ମଲେ ମରିବି ।”

 

ବାପା କହୁଥିଲେ ‘ସତ୍ୟମ୍ ବଦ ଧର୍ମଂଚର' । ଅର୍ଥାତ୍ ସତ କୁହ ଓ ଧର୍ମ ମାନି ଚଳ । ଆଚାର ବିଚାର ଶୁଦ୍ଧ ହେବା ଦରକାର ।

 

ଏସବୁ ପ୍ରାର୍ଥନା କେବଳ ଯେ ମୋର ମନେ ରହିଛି ତା’ ନୁହେଁ, ଆମ ରାଜ୍ୟର ଲକ୍ଷ ଲକ୍ଷ ପିଲାଙ୍କର ଏଇ ପ୍ରାର୍ଥନା ମନେଅଛି । ‘ଅଖିଳ ବ୍ରହ୍ମାଣ୍ଡ ପତି' ପ୍ରାର୍ଥନାରେ ଭକ୍ତକବି ମଧୁସୂଦନ ରାଓ ଏବଂ ‘ ଆହେ ଦୟାମୟ ବିଶ୍ଵବିହାରୀ’ ପ୍ରାର୍ଥନାରେ ରାମକୃଷ୍ଣ ନନ୍ଦ କୋମଳମତି ପିଲାମାନଙ୍କୁ ସତ୍ୟ ଓ ଧର୍ମ ପ୍ରତି ଆକୃଷ୍ଟ କରିବା ପାଇଁ ଏପରି ସୁନ୍ଦର କବିତା ରଚନା କରିଥିଲେ । ଏହା କେବଳ ମୋତେ ଅନୁପ୍ରାଣିତ କରୁନାହିଁ, ଲକ୍ଷ ଲକ୍ଷ ପିଲା ଓ ବୟସ୍କ ଲୋକଙ୍କୁ ଅନୁପ୍ରାଣିତ କରୁଛି । ସତ୍ୟ ଓ ଧର୍ମର ଜୟଗାନ କରିବା ହେଉଛି ସାହିତ୍ୟର ଗୋଟିଏ ଆଭିମୁଖ୍ୟ । ବେଦଠାରୁ ପୁରାଣ ପର୍ଯ୍ୟନ୍ତ ସବୁ ଧର୍ମ ଶାସ୍ତ୍ରରେ ମଧ୍ୟ ଏହି ସତ୍ୟ ଓ ଧର୍ମର ବାଣୀ ରହିଛି । ଚରିତ୍ର ନିର୍ମାଣ ସହିତ ପବିତ୍ର ଜୀବନଯାପନ କରିବା ପାଇଁ ପ୍ରାଚୀନ ସାହିତ୍ୟରେ ଅନେକ ଉପାଦାନ ରହିଛି । କିନ୍ତୁ ଆଧୁନିକ ସାହିତ୍ୟରେ ଉତ୍ତରଣର ବାର୍ଭା ଅପେକ୍ଷା ଦେହଜ କାମନା, ବାସନା, ପ୍ରେମ, ଆକ୍ରୋଶ, ହିଂସା, ଅହଙ୍କାର ବିଷୟରେ ହିଁ ବେଶୀ କୁହାଯାଉଛି । କିଶୋର କିଶୋରୀମାନେ ସେସବୁ ସାହିତ୍ୟ ପାଠ କରନ୍ତି ଏବଂ ଟି.ଭି. ଓ ସିନେମାରୁ ଅନେକ ମନ୍ଦ କଥା ଶିଖନ୍ତି । ଆଧୁନିକ ସାହିତ୍ୟ, ଟି.ଭି. ଓ ସିନେମାରେ କିଛି ଭଲ କଥା ଯେ ନାହିଁ ସେ କଥା ମୁଁ କହୁନାହିଁ । କିନ୍ତୁ ଭଲର ପ୍ରାଧାନ୍ୟ ରହୁନାହିଁ ଏବଂ ମନ୍ଦ ହିଁ ମନକୁ ବେଶି ଉଲ୍ଲସିତ କରୁଛି ।

 

ଧର୍ମର ବ୍ୟାଖ୍ୟା ବିଭିନ୍ନ ଭାବେ କରାଯାଉଛି । କିନ୍ତୁ ମୁଁ ଏଠାରେ ଯେଉଁ ଧର୍ମକଥା କହୁଛି ତାହା ହିନ୍ଦୁ ବା ଖ୍ରୀଷ୍ଟିୟାନ ଧର୍ମ କଥା ନୁହେଁ । ଧର୍ମ ହେଉଛି—ଯାହା ଧାରଣ କରାଯାଏ । ନୀତି, ନୈତିକତା, କର୍ତ୍ତବ୍ୟ ନିଷ୍ଠା, ସତତା, ଅହଙ୍କାର ଶୂନ୍ୟତା ଏବଂ ଶୁଦ୍ଧ ଆଚରଣ ହେଉଛି ମଣିଷର ଧର୍ମ । ଶାସ୍ତ୍ରରେ କୁହାଯାଇଛି ଯେ ପରର ଉପକାର କରିବା ହେଉଛି ପୁଣ୍ୟ ଏବଂ ଅନିଷ୍ଟ କରିବା ହେଉଛି ପାପ । ମହାଭାରତର ବନପର୍ବରେ ସାବିତ୍ରୀ-ସତ୍ୟବାନ ଉପାଖ୍ୟାନ ସମ୍ପର୍କରେ ଉଲ୍ଲେଖ ରହିଛି । ସେଥିରେ ସାବିତ୍ରୀ ଯମଙ୍କୁ କହୁଛନ୍ତି—“କର୍ମ ମନ ଓ ବାକ୍ୟଦ୍ଵାରା କୌଣସି ପ୍ରାଣୀର ଅନିଷ୍ଟ ନ କରିବା ଏବଂ ଅନ୍ୟମାନଙ୍କୁ ଅନୁଗ୍ରହ ଓ ଦାନ କରିବା—ଏହା ହେଉଛି ସନାତନ ଧର୍ମ ।” ସେହିପରି ବନପର୍ବରେ ଆଉ ଗୋଟିଏ ସ୍ଥାନରେ ବକ-ଯୁଧିଷ୍ଠିର ଉପାଖ୍ୟାନରେ ଧର୍ମ ସମ୍ବନ୍ଧରେ ଯାହା କୁହାଯାଇଛି ମୁଁ ଏଠାରେ ସେ ବିଷୟ ଉଲ୍ଲେଖ କରିବି । ବକ ଯୁଧିଷ୍ଠିରଙ୍କୁ ପଚାରିଲେ— “କିଏ ସୂର୍ଯ୍ୟଙ୍କୁ ଉର୍ଦ୍ଧ୍ୱରେ ରଖିଛି ? ସେ କାହିଁକି ଚାରିଦିଗ ଭ୍ରମଣ କରନ୍ତି, କାହିଁକି ଅସ୍ତ ଯାଆନ୍ତି ଏବଂ କେଉଁଠାରେ ପ୍ରତିଷ୍ଠିତ ହୁଅନ୍ତି ?” ଏହାର ଉତ୍ତରରେ ଯୁଧିଷ୍ଠିର କହିଛନ୍ତି ‘‘ବ୍ରହ୍ମ ସୂର୍ଯ୍ୟଙ୍କୁ ଉର୍ଦ୍ଧ୍ୱରେ ରଖିଛନ୍ତି, ଦେବଗଣ ତାଙ୍କର ଚତୁର୍ଦ୍ଦିଗରେ ବିଚରଣ କରନ୍ତି । ଧର୍ମ ତାଙ୍କୁ ଅସ୍ତ କରାନ୍ତି ଏବଂ ସତ୍ୟରେ ସେ ପ୍ରତିଷ୍ଠିତ । ସମସ୍ତ ଜଗତ ସତ୍ୟରେ ପ୍ରତିଷ୍ଠିତ ।” ଈଶ୍ୱର ଯଦି ସତ୍ୟ ତା’ହେଲେ ତାଙ୍କର ସୃଷ୍ଟି ମଧ୍ୟ ସତ୍ୟ । ଈଶ୍ୱର ଶାସ୍ୱତ ଓ ଚିରନ୍ତନ । ସୃଷ୍ଟି ନଶ୍ଵର ଓ ପରିବର୍ତ୍ତନଶୀଳ-। ଧର୍ମପାଳନ କରିବା ହେଉଛି ସଂସାରର ସବୁଠାରୁ ବଡ଼ କର୍ତ୍ତବ୍ୟ । ସୂର୍ଯ୍ୟ ଧର୍ମପାଳନ କରି ଆଲୋକ ଦିଅନ୍ତି । ଧର୍ମପାଳନ କରି ଋତୁ ପରିବର୍ତ୍ତନ ହୁଏ । ସ୍ଵଧର୍ମ ପାଳନ କରିବା ହେଉଛି ସବୁଠାରୁ ବଡ଼ କର୍ତ୍ତବ୍ୟ । ଧର୍ମପାଳନ କରିବା ପାଇଁ ଅସୀମ ତ୍ୟାଗ ସ୍ୱୀକାର କରିବାର ବହୁ ଦୃଷ୍ଟାନ୍ତ ଶାସ୍ତ୍ର ଓ ପୁରାଣରେ ରହିଛି । ସେହିପରି ପରୋପକାର କରିବା ହିଁ ମଣିଷର ସବୁଠାରୁ ବଡ଼ ଧର୍ମ-। ସେହି ଧର୍ମପାଳନ କରିବାରେ ଯଦି ତୃଟି ହୁଏ ତା’ହେଲେ ସଂସାରରେ ବିଭ୍ରାଟ ଦେଖାଯାଏ ।

 

ଧର୍ମର ମହତ୍ତର ଲକ୍ଷ୍ୟ ହେଉଛି ପରମେଶ୍ୱରଙ୍କୁ ଚିହ୍ନିବା ଏବଂ ତାଙ୍କ ପାଖରେ ନିଜକୁ ସମର୍ପଣ କରିବା । ସବୁଧର୍ମର ଲକ୍ଷ୍ୟ ଏକ । ଈଶ୍ଵରଙ୍କୁ ଅନ୍ୱେଷଣ କରିବା ପାଇଁ ସତ୍ୟ ଓ ଧର୍ମ ମାର୍ଗରେ ଲୋକମାନେ ଜୀବନ ବିତାଇବା ପାଇଁ ବ୍ରତ କରୁଥିଲେ । ସେଇ ବ୍ରତ ପାଳନ କରିବା ପାଇଁ ସେମାନେ ଯେ କୌଣସି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥିଲେ । ଦେବତାମାନେ ଦଧୀଚି ଋଷିଙ୍କୁ କହିଲେ ଯେ ତାଙ୍କ ପରି ଧର୍ମାତ୍ମା ଯଦି ନିଜର ଅସ୍ଥି ଦିଅନ୍ତି ତେବେ ସେହି ଅସ୍ଥିଦ୍ୱାରା ବଜ୍ର ନିର୍ମାଣ କରି ଇନ୍ଦ୍ର ଅସୁରକୁ ବଧ କରିପାରିବେ । ଅସୁର ନିହତ ହେଲେ ପୃଥିବୀରେ ବର୍ଷା ହେବ, ସବୁ ଅଞ୍ଚଳ ଶସ୍ୟଶ୍ୟାମଳା ହେବ । ତାଙ୍କ ଅସ୍ଥି ଦ୍ଵାରା ଏପରି ମହତ ଓ ମଙ୍ଗଳକାର୍ଯ୍ୟ ହୋଇପାରିବ ବୋଲି ଜାଣିବା ପରେ ଦଧୀଚି ହସି ହସି ଚିତାଗ୍ନିରେ ଝାସ ଦେଲେ । ତାଙ୍କ ଅସ୍ଥିଦ୍ୱାରା ବଜ୍ର ନିର୍ମାଣ କରି ଇନ୍ଦ୍ର ବୃତ୍ତାସୁରକୁ ବଧ କଲେ । ଏଇ ଦୃଷ୍ଟାନ୍ତଟି ଦେବାର ଉଦ୍ଦେଶ୍ୟ ହେଉଛି ଯେ ଅନ୍ୟମାନଙ୍କ ମଙ୍ଗଳପାଇଁ ଦରକାର ହେଲେ ଜୀବନ ମଧ୍ୟ ତ୍ୟାଗ କରାଯାଇପାରେ ।

 

ଧର୍ମ ଓ ସତ୍ୟ ମାର୍ଗ ପରିହାର କରି ମଣିଷମାନେ ଅଧର୍ମ ଓ ମିଥ୍ୟର ଅନ୍ୱେଷଣ କରୁଛନ୍ତି । ତେଣୁ ପୃଥିବୀରେ ହିଂସା, ଅସତ୍ ପ୍ରବୃତ୍ତି, ପାପାଚାର, ଘୃଣା, ଆକ୍ରୋଶ ଓ ଅହଂକାର ବଢ଼ୁଛି । ସାଧୁ ଓ ସନ୍ଥମାନେ ସମାଜରେ ବହୁ ଦୃଷ୍ଟାନ୍ତ ରଖିଯାଇଥିଲେ ମଧ୍ୟ ତାହା ଅନୁସରଣ କରିବା ପାଇଁ ଲୋକ ନାହାନ୍ତି । ସାଧାରଣ ଲୋକ ଶାସ୍ତ୍ର ପୁରାଣ କଥା ଜାଣନ୍ତି ନାହିଁ । କିନ୍ତୁ ସେମାନଙ୍କ ଆଗରେ ସାଧୁସନ୍ଥଙ୍କ ପ୍ରଦର୍ଶିତ ମାର୍ଗ ରହିଛି । ତେଣୁ ସେମାନେ ସେହି ମାର୍ଗରେ ଯଦି ଚାଲନ୍ତି ତାହାହେଲେ ପଥ ବିପଦଶୂନ୍ୟ ହେବ । ବକ ଯେତେବେଳେ ଯୁଧିଷ୍ଠିରଙ୍କୁ ପଚାରିଲେ, “ମଣିଷ କେଉଁ ପଥ ଅନୁସରଣ କରିବ ?” ଏହାର ଉତ୍ତରରେ ଯୁଧିଷ୍ଠିର କହିଲେ, “ମହାଜନମାନେ ଯେଉଁ ପଥ ଦେଖାଇ ଯାଇଛନ୍ତି ତାହା ହିଁ ଶ୍ରେଷ୍ଠ ପନ୍ଥା ।" ତେଣୁ ସେହିବାଟରେ ଗଲେ ଶ୍ରେଷ୍ଠତ୍ୱ ଅର୍ଜନ କରିହେବ ।

 

ପିତୃସତ୍ୟ ପାଳନ କରିବା ପାଇଁ ରାମଚନ୍ଦ୍ର ଚଉଦବର୍ଷ ବନବାସ ଯାଇଥିଲେ । ସେ ଯଦି ପିତୃସତ୍ୟ ପାଳନ ନ କରି ଅଯୋଧ୍ୟାର ରାଜା ହେବା ପାଇଁ ଚାହିଁଥାନ୍ତେ ତେବେ କେହି ତାଙ୍କୁ ମନା କରିନଥାନ୍ତା । ଦେହତ୍ୟାଗ କରିବା ପୂର୍ବରୁ ରାମ ଲକ୍ଷ୍ମଣଙ୍କୁ କହିଲେ, “ସୌମିତ୍ରୀ ! ତୁମକୁ ମଧ୍ୟ ମୁଁ ଛାଡ଼ୁଛି । ଧର୍ମର ଯେପରି ବିପର୍ଯ୍ୟୟ ନହୁଏ ତାହା ନିଶ୍ଚୟ କରିବ । ପ୍ରିୟଜନ ଯଦି ତ୍ୟାଗ କରନ୍ତି ବା ମୃତ୍ୟୁ ହୁଏ ତେବେ ତାହା ସାଧୁମାନଙ୍କ ପକ୍ଷରେ ସମାନ ।” ସୁତରାଂ ପ୍ରଭୁ ଶ୍ରୀରାମଚନ୍ଦ୍ର ଧରାଧାମରୁ ବିଦାୟ ନେବା ପୂର୍ବରୁ ମଧ୍ୟ ତାଙ୍କ ପରେ ଧର୍ମର ଯେପରି ଗ୍ଳାନି ନ ହୁଏ ତାହା ନିଶ୍ଚୟ କରିବା ପାଇଁ ଲକ୍ଷ୍ମଣଙ୍କୁ କହିଥିଲେ । ଲୋକଶିକ୍ଷା ପାଇଁ ରାମାୟଣରେ ଉଲୂକ (ପେଚା) ଉପାଖ୍ୟାନ ଦିଆଯାଉଛି । ସେଥିରେ ରହିଛି ଯେ ଗୋଟିଏ ବଣରେ ଗୋଟିଏ ଶାଗୁଣା ଏବଂ ଆଉ ଗୋଟିଏ ପେଚା ବାସ କରୁଥିଲେ । ଦିନେ ଦୁଷ୍ଟ ଶାଗୁଣା, ପେଚା ବସାରେ ପ୍ରବେଶ କରି କହିଲା, ଏ ଘର ମୋର । ଏହି ବିବାଦ ସମାଧାନ କରିବା ପାଇଁ ଦୁହେଁ ଶ୍ରୀରାମଚନ୍ଦ୍ରଙ୍କ ପାଖକୁ ଗଲେ । ଶାଗୁଣା କହିଲା, “ମହାରାଜ ! ମୁଁ ବାହୁବଳ ଦ୍ଵାରା ଏ ବସା ନିର୍ମାଣ କରିଛି କିନ୍ତୁ ଏଇ ପେଚା ତା’ ହରଣ କରିଛି, ଆପଣ ମୋତେ ରକ୍ଷା କରନ୍ତୁ ।” ପେଚା କହିଲା, “ମହାରାଜ ଏଇ ଶାଗୁଣା ମୋ ଘରେ ପଶି ଉତ୍ପାତ କରୁଛି, ଆପଣ ଏହାର ପ୍ରତିକାର କରନ୍ତୁ ।” ଏ ବିଷୟର ସମାଧାନ କରିବା ପାଇଁ ରାମଚନ୍ଦ୍ର ଶାଗୁଣାକୁ କହିଲେ, “ତୁମେ କେତେବର୍ଷ ପୂର୍ବେ ଏଇ ବସା ନିର୍ମାଣ କରିଥିଲ ?” ଶାଗୁଣା କହିଲା, “ଏଇ ପୃଥିବୀରେ ଯେଉଁଦିନ ଠାରୁ ମଣିଷ ବାସ କରୁଛନ୍ତି ସେଇ ସମୟଠାରୁ ମୁଁ ମଧ୍ୟ ଏଠାରେ ଅଛି ।” ପେଚା କହିଲା, “ପୃଥିବୀରେ ଯେତେବେଳେ ବୃକ୍ଷ ଉତ୍ପନ୍ନ ହେଲା ସେଇଦିନଠାରୁ ମୁଁ ଏଠାରେ ବାସ କରୁଛି ।”

 

ଏହା ପରେ ରାମଚନ୍ଦ୍ର କହିଲେ—

 

“ନାସୌ ସଭା ଯତ୍ର ନ ସନ୍ତି ବୃଦ୍ଧାଃ

ବୃଦ୍ଧାଃ ନ ତେ ଯେ ବଦନ୍ତି ଧର୍ମମ୍ ।

ନାସୌ ଧର୍ମୋ ଯତ୍ର ନ ସତ୍ୟମସ୍ତି

ନ ତତ୍ ସତ୍ୟଂ ଯଛଲେନାନୁବିଦ୍ଧମ୍ ।”

 

ଅର୍ଥ ହେଉଛି, “ଯେଉଁ ସଭାଗୃହରେ ବୃଦ୍ଧ ନ ଥାନ୍ତି ତାହା ସଭା ନୁହେଁ । ଯେଉଁମାନେ ଧର୍ମ ସଙ୍ଗତ କଥା କହନ୍ତି ନାହିଁ ସେମାନେ ବୃଦ୍ଧ ନୁହନ୍ତି । ଯେଉଁଠାରେ ସତ୍ୟ ନାହିଁ ସେଠାରେ ଧର୍ମ ମଧ୍ୟ ନାହିଁ । ଯେଉଁଠାରେ ଛଳ (କପଟ) ଅଛି ତାହା ସତ୍ୟ ନୁହେଁ ।

 

ସୁତରାଂ ସତ୍ୟ ଓ ଧର୍ମର ମହତ୍ ରାମାୟଣ ଓ ମହାଭାରତ ସମୟରୁ ଲୋକଶିକ୍ଷା ପାଇଁ କୁହାଯାଉଛି । ତା’ ପୂର୍ବରୁ ବେଦ-ଉପନିଷଦରେ ମଧ୍ୟ ସତ୍ୟ ଓ ଧର୍ମର ଶ୍ରେଷ୍ଠତ୍ୱ ବିଷୟ କୁହାଯାଇଛି-। ତେଣୁ ମହାଭାରତରେ କୁହାଯାଇଛି ଯେ ଯେଉଁ ପକ୍ଷରେ ଧର୍ମ ସେଇ ପକ୍ଷରେ ବିଜୟ ସୁନିଶ୍ଚିତ-। ମୁଁ ପାଠ ପଢ଼ିଲାବେଳେ ସତ୍ୟ, ଧର୍ମ, ଈଶ୍ୱର, ସଦାଚାର ବିଷୟରେ ଶିକ୍ଷକମାନେ, ପିତାମାତା ସମସ୍ତେ କହୁଥିଲେ । ବହିରେ ମଧ୍ୟ ତାହା ପଢ଼ୁଥିଲି । କିନ୍ତୁ ବର୍ତ୍ତମାନ ସମାଜରେ ସତ୍ୟ ଓ ଧର୍ମ ପ୍ରତି ଆଦର ନାହିଁ । ଏଣୁ ସମାଜରେ ପାପଭାର ବଢ଼ୁଛି । ଏତେ ଅନ୍ୟାୟ ଅନାଚାର ବ୍ୟାପୁଛି-

☆☆☆

 

ପ୍ରକୃତି ବିରୋଧରେ ମଣିଷ

 

ସାଧାରଣ ଶିକ୍ଷିତ ଓ ସଭ୍ୟ ବୋଲାଉଥିବା ଲୋକମାନେ କ୍ରମଶଃ ପ୍ରକୃତିଠାରୁ ଦୂରେଇ ଯାଉଛନ୍ତି । ମଣିଷ ପଶୁପକ୍ଷୀ କୀଟପତଙ୍ଗ ସମସ୍ତଙ୍କୁ ଏହି ପ୍ରକୃତି ଜନ୍ମ ଦେଇଛି । ପୃଥିବୀରେ ଯେଉଁସବୁ ସମ୍ପଦ ରହିଛି ସେସବୁ ମଣିଷର, କିନ୍ତୁ ମଣିଷ ଯେତିକି ଯେତିକି ଶିକ୍ଷିତ ଓ ସଭ୍ୟ ହେଉଛି ତା’ର ଆବଶ୍ୟକତା ମଧ୍ୟ ସେହି ପରିମାଣରେ ବଢୁଛି । ବହୁକାଳ ମଣିଷ ଉଲଗ୍ନ ରହିଥିଲା-। ତା’ପରେ ଗଛର ବକଳ ପିନ୍ଧିଲା । ଧୀରେଧୀରେ ତନ୍ତୁରୁ ପୋଷାକ ପରିଧାନ ତିଆରି କଲା-। ଏବେ ଆମେ ଦେଖୁଛୁ ଯେ ମଣିଷ ତା’ ଦେହକୁ ପରସ୍ତ ପରସ୍ତ ଘୋଡ଼ାଇବାରେ ଲାଗିଛି-। ଜଙ୍ଗଲରେ ଥିବା ଆଦିବାସୀ ଶିଶୁଟିଏ ପାଇଁ ଶୀତରୁ ରକ୍ଷା ପାଇବା ସକାଶେ ଗୋଟିଏ ଛୋଟ ଚାଦର ନଥିଲା ବେଳେ ସହରର ଶିଶୁମାନେ ପ୍ୟାଣ୍ଟ, ଗେଞ୍ଜି, ଜାମା, ସ୍ୱେଟର, ମୋଜା, ଟାଇ, ଏସବୁ ବ୍ୟବହାର କରୁଛନ୍ତି । ମଣିଷ ବହୁକାଳ ଧରି ଲେଖାପଢ଼ା ଜାଣିନଥିଲା । ଦୀର୍ଘକାଳ ଏହିପରି ରହିବା ପରେ ସେ ପଥରକାଟି କିଛି ଚିତ୍ର ତିଆରିକଲା ଏବଂ କାଳକ୍ରମେ ବିନିମୟର ମାଧ୍ୟମ କଥା ସୃଷ୍ଟି କଲା । ପୁଣି ସ୍ଥାୟିତ୍ୱ ସୃଷ୍ଟି ହେବାପାଇଁ ଅନେକବର୍ଷ ଲାଗିଗଲା । ଏବେ ପ୍ରତିଦିନ ଆମେ ଦେଖୁଛୁ ଯେ ରାତିରେ ଆସି ଖବରକାଗଜ ପଢ଼ିସାରି ଲୋକମାନେ ଫିଙ୍ଗି ଦିଅନ୍ତି-। ଲୁଗା ହେଉ ବା କାଗଜ ହେଉ ଏସବୁ ପ୍ରକୃତି ଦେଇଥିବା ସମ୍ପଦରୁ ହିଁ ସୃଷ୍ଟି କରାଯାଇପାରୁଛି-। ଜଙ୍ଗଲର ମଣିଷ ଫଳମୂଳ ଖାଇ ବଞ୍ଚୁଥିଲା । ଏବେତ ଶହ ଶହ ପ୍ରକାର ଶସ୍ୟ, ଫଳମୂଳ, ଫୁଲ ଉତ୍ପାଦନ କରାଯାଉଛି । ଏସବୁ ମଧ୍ୟ ପ୍ରକୃତି ଆମକୁ ଦାନ କରୁଛି । ସକାଳ ପାହିଲେ ଆମ୍ବ ଗଛ ଡାଳରୁ କୋଇଲିର ସ୍ୱର ଭାସି ଆସେ । କଜଳପାତିମାନେ ଗଛର ଗୋଟିଏ ଶାଖାରୁ ଆଉ ଗୋଟିଏ ଶାଖାକୁ ଉଡ଼ିଯାଆନ୍ତି । ବଣି ପକ୍ଷୀଟିଏ ବା କୁଆଟିଏ ଅଗଣାରେ ବସି ଖରା ଉପଭୋଗ କରନ୍ତି । କିନ୍ତୁ ଆମ ସମୟରେ ଆମେ ପଶୁପକ୍ଷୀଙ୍କ ନାମ ଜାଣୁଥିଲୁ, ଏମାନଙ୍କୁ ଚିହ୍ନି ପାରୁଥିଲୁ-। ଏବେ ଆମ ପିଲାମାନେ ଦେଖିଲେ ମଧ୍ୟ କେଉଁଟି କୁଆ ଓ କେଉଁଟି କଜଳପାତି କହି ପାରିବେ ନାହିଁ । କେଉଁଟି ବଣି ଚଢ଼େଇ ସେମାନେ ଜାଣନ୍ତି ନାହିଁ । ସହର ହେଉ, ଗ୍ରାମ ହେଉ, ବିଲ ବାଡ଼ି ବଗିଚାରେ ଥିବା ଗଛମାନଙ୍କୁ ଫୁଲଫଳକୁ ପିଲାମାନେ ଚିହ୍ନିପାରନ୍ତି ନାହିଁ । ପ୍ରକୃତି ଭିତରେ ଆମେ ବଢ଼ୁଛୁ । ପ୍ରକୃତିକୁ ଛାଡ଼ି ଆମେ ବଞ୍ଚିପାରିବୁ ନାହିଁ । ତଥାପି ପ୍ରକୃତି ସହିତ ଆମର ପରିଚୟ ନାହିଁ-। ଏହା ହିଁ ହେଉଛି ଏ ଯୁଗର ସବୁଠାରୁ ବଡ଼ ବିଡ଼ମ୍ବନା ।

 

ଏହି ବିଶ୍ୱବ୍ରହ୍ମାଣ୍ଡ ସମ୍ପର୍କରେ ବିଜ୍ଞାନ ଏପର୍ଯ୍ୟନ୍ତ ସବୁକଥା କହିପାରିନାହିଁ । ଏବେ ମଧ୍ୟ ସୂର୍ଯ୍ୟ ଚନ୍ଦ୍ର, ଗ୍ରହ, ଉପଗ୍ରହ ନକ୍ଷତ୍ରମଣ୍ଡଳୀକୁ ଛାଡ଼ି ଆହୁରି ବି ପ୍ରକୃତିର ଅନେକ ରହସ୍ୟ ରହିଛି । ଯାହା ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି । ଆମ ଦେଶର ଏକମାତ୍ର ରାକେଶ ଶର୍ମା ମଣିଷ ତିଆରି ଉପଗ୍ରହରେ ମହାକାଶ ପରିକ୍ରମା କରିଥିଲେ । ସେ ମହାକାଶରେ ଘୂରି ବୁଲୁଥିଲାବେଳେ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ କହିଥିଲେ ଯେ, ମହାକାଶରୁ ଭାରତବର୍ଷର ମନୋରମ ଚିତ୍ର ଦେଖି ସେ ବିହ୍ୱଳ ହୋଇପଡ଼ିଛନ୍ତି । ମହାକାଶରେ ଭ୍ରମଣ କରିଥିବା ସେ ହେଉଛନ୍ତି ଏକମାତ୍ର ଭାରତୀୟ । ଆଉ ଜଣେ ଆମେରିକାବାସୀ ଭାରତୀୟ ମହିଳା କଳ୍ପନା ଚାୱଲା ମଧ୍ୟ ମହାକାଶକୁ ଯାଇଥିଲେ କିନ୍ତୁ ତାଙ୍କ ଯାନ ପୃଥିବୀକୁ ଫେରିବା ବାଟରେ ଧ୍ୱଂସ ହୋଇଯିବାରୁ ସେଥିରେ ଥିବା ସମସ୍ତ ଆରୋହୀ ପ୍ରାଣ ହରାଇଥିଲେ । ସେ ବଞ୍ଚିଥିଲେ ସେ ଭାରତର ଦ୍ୱିତୀୟ ମହାକାଶଚାରି ହୋଇଥାନ୍ତେ । ଏମାନଙ୍କର ଏହି ଅନୁସନ୍ଧାନରୁ ଆମର ଏହି ଅତି ପରିଚିତ ପୃଥିବୀର କିପରି ଦ୍ରୁତ ଅବକ୍ଷୟ ଘଟୁଛି ତାହା ବୈଜ୍ଞାନିକମାନେ କହିସାରିଲେଣି । ମଣିଷ ତା’ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଜଙ୍ଗଲ କାଟି ସଫା କରିଛି । ସହର, ଗ୍ରାମ ସହିତ କଳକାରଖାନା ବସାଇଛି । ନଦୀ, ନାଳ, ବାନ୍ଧି ସେହି ପାଣିରୁ ବିଦ୍ୟୁତ୍ ବାହାର କରୁଛି ଓ ସେଥିରୁ ଜଳସେଚନ କାର୍ଯ୍ୟ ମଧ୍ୟ ହେଉଛି । ମଣିଷ ସଂଖ୍ୟା ବଢ଼ିଥିବାରୁ ପ୍ରକୃତି ଯାହା ସଞ୍ଚୟ କରି ରଖିଥିଲା ସେଥିରୁ ଅନେକ ଆମେ ଖର୍ଚ୍ଚ କରିସାରିଲୁଣି । ମାଟି ତଳେ ଯେତେ ସବୁ ଖଣିଜ ଥିଲା ସେସବୁ ଶେଷ ହୋଇ ନ ଥିଲେ ମଧ୍ୟ ଶହେ ବା ଦୁଇଶହ ବର୍ଷ ପରେ ସେ ସବୁ ଯେ ଶେଷ ହୋଇଯିବ ସେହିଭଳି ସମ୍ଭାବନା ସୃଷ୍ଟି ହୋଇଛି । ପୋଖରୀ, ନଦୀ, ହ୍ରଦ ଓ ସମୁଦ୍ର ଗର୍ଭରେ ଯେତେସବୁ ଜଳଚର ପ୍ରାଣୀ ଥିଲେ ସେମାନଙ୍କ ସଂଖ୍ୟା ମଧ୍ୟ କମି କମି ଆସୁଛି । ପୃଥିବୀର ଶସ୍ୟ, ଫଳମୂଳ, ପଶୁପକ୍ଷୀଙ୍କ ମାଂସ, ଜଳଚର ପ୍ରାଣୀ ଏସବୁକୁ ଆବଶ୍ୟକତାଠାରୁ ଏତେ ବେଶି ମଣିଷ ଖାଦ୍ୟ ଭାବେ ବ୍ୟବହାର କରୁଛି ଯେ ଦିନେ ପୃଥିବୀ ଜଙ୍ଗଲ ଶୂନ୍ୟ ହୋଇଯିବ । ଜଙ୍ଗଲ ଯେତିକି କମିବ ଜଳବାୟୁର ପରିବର୍ତ୍ତନ ଓ ପ୍ରତିକୂଳତା ସେତିକି ବଢ଼ିବ ।

 

ଏବେ ବୈଜ୍ଞାନିକମାନେ କହିଲେଣି ଯେ, ଭବିଷ୍ୟତ ବଂଶଧରମାନଙ୍କର ନିରାପଦ ଜୀବନଯାପନ ପାଇଁ ବର୍ତ୍ତମାନରୁ ସତର୍କ ନ ହେଲେ ଏ ପୃଥିବୀ ଧ୍ୱଂସ ପାଇଯିବ । ପ୍ରକୃତିକୁ ନିର୍ମମ ଭାବରେ ମଣିଷ ବ୍ୟବହାର କରୁଥିବାରୁ ପ୍ରକୃତି ଭିତରେ ନିଜକୁ ନିଜେ ରକ୍ଷା କରିବା ପାଇଁ ଥିବା ସନ୍ତୁଳନ ନଷ୍ଟ ହୋଇଯାଉଛି । ସେହି କାରଣରୁ ନଅବର୍ଷ ପୂର୍ବରୁ ଓଡ଼ିଶାରେ ମହାବାତ୍ୟା ଏବଂ ତା’ ପରେ ଅନ୍ୟାନ୍ୟ ସ୍ଥାନରେ ସୁନାମୀ ବିପର୍ଯ୍ୟୟ ଘଟିଥିଲା । ସାମୁଦ୍ରିକ ଝଡ଼ ତୋଫାନ ଓ ଅନ୍ୟାନ୍ୟ ପ୍ରାକୃତିକ ବିପଦ ସଂଖ୍ୟା ବଢ଼ୁଛି । ଭୂମିକମ୍ପରୁ କ୍ଷୟକ୍ଷତି ମଧ୍ୟ ଅନେକ ହେଉଛି । ଏଥିରୁ ଜଣାପଡ଼ୁଛି ଯେ, ବୈଜ୍ଞାନିକମାନେ ଯାହା କହିଥିଲେ ତାହା ସତ । ପ୍ରକୃତି ମଣିଷକୁ ସୁଖରେ ବଞ୍ଚିବା ପାଇଁ ସବୁ କିଛି ଦେଇଥିଲେ ମଧ୍ୟ ମଣିଷ ଅଧିକରୁ ଅଧିକ ଲୋଭୀ ଓ ସ୍ଵାର୍ଥପର ହେଉଥିବାରୁ ପ୍ରାକୃତିକ ସମ୍ପଦକୁ ନିର୍ମମ ଭାବେ ଧ୍ୱଂସ କରିଚାଲିଛି । ଏହି କାରଣରୁ ଉତ୍ତାପ ବଢ଼ୁଛି-। ତିରିଶ ଚାଳିଶ ବର୍ଷ ପୂର୍ବେ ଦେଶର ବିଭିନ୍ନ ଜାଗାରୁ ଲୋକମାନେ ଗ୍ରୀଷ୍ମକାଳ କଟାଇବା ପାଇଁ ଭୁବନେଶ୍ୱର ଆସୁଥିଲେ । ଏବେ ଭୁବନେଶ୍ୱରର ଉତ୍ତାପ ଖରାଦିନେ ଏତେ ବଢ଼ୁଛି ଯେ, ଏଠାରୁ ଅନେକ ଲୋକ ଅନ୍ୟ ସ୍ଥାନକୁ ପଳାଇଯାଉଛନ୍ତି । ପ୍ରାୟ ପଚାଶ ବର୍ଷ ପୂର୍ବେ ଆମେ ଟିଟିଲାଗଡ଼ରେ ଥିଲୁ । ସେତେବେଳେ ଖରାଦିନ ଉତ୍ତାପ ୪୪/୪୫° ହେଉଥିଲା । ଗତ ତିନି ଚାରିବର୍ଷ ଧରି ଟିଟିଲାଗଡ଼, ତାଳଚେର ଝାରସୁଗୁଡ଼ାଠାରେ ଉତ୍ତାପ ୫୦° ଛୁଇଁଛି । ୟୁରୋପରେ ମଧ୍ୟ ଉତ୍ତାପ ବଢ଼ୁଛି । ଉତ୍ତାପ ବଢ଼ିବା ଯୋଗୁଁ ଉତ୍ତରଗୋଲାର୍ଦ୍ଧର ଚିର ବରଫାଚ୍ଛନ୍ନ ଅଞ୍ଚଳ ତରଳିବାକୁ ଆରମ୍ଭ କରୁଛି । ସେହିପରି ହିମାଳୟ ବରଫ ମଧ୍ୟ ତରଳିବାକୁ ଆରମ୍ଭ କରିଛି । ଏହି ଉତ୍ତାପ ବଢ଼ିବା ସଙ୍ଗେ ସଙ୍ଗେ ବର୍ଷ ବର୍ଷ ଧରି ବରଫ ତରଳିଲେ ସମୁଦ୍ର ପତ୍ତନ ଉପରକୁ ଉଠିଗଲେ ଏବଂ ସମୁଦ୍ରକୂଳରେ ଥିବା ସହର, ଗ୍ରାମ ଓ ଜମି ଜଳମଗ୍ନ ହେବ । ବୈଜ୍ଞାନିକମାନଙ୍କର ସତର୍କ ବାଣୀ ଶୁଣି ମଧ୍ୟ ସ୍ୱାର୍ଥପର ମଣିଷ ପ୍ରକୃତି ପରିବେଶକୁ ରକ୍ଷା କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେଇନାହିଁ ।

 

କଳକାରଖାନା ସଂଖ୍ୟା ଏତେ ବଢ଼ିଛି ଯେ ଆମେରିକା, ୟୁରୋପୀୟ ଦେଶ, ଚୀନ, ଭାରତ ପ୍ରଭୃତି ଦେଶର କଳକାରଖାନା ଧୂଆଁରୁ ଅଙ୍ଗାରକାମ୍ଳ ବିଷାକ୍ତ ବାଷ୍ପ ବେଶି ପରିମାଣରେ ନିର୍ଗତ ହେଉଛି । ଏହାଦ୍ୱାରା ମହାକାଶରେ ଛତା ପରି ରହିଥିବା ସ୍ତରରେ ଛିଦ୍ର ହେଉଛି । ସେହି ଛିଦ୍ର ବାଟ ଦେଇ ସୂର୍ଯ୍ୟଙ୍କର ସୂର୍ଯ୍ୟକିରଣ ପୃଥିବୀ ଉପରକୁ ଭାସି ଆସୁଛି । ଗଛବୃଚ୍ଛ କାଟି ଧ୍ୱଂସ କରିଦିଆ ଯାଇଥିବାରୁ ମଣିଷ ଓ ପରିବେଶର ସୁରକ୍ଷା ପାଇଁ ଯେତେ ଅମ୍ଳଜାନ ଦରକାର ତାହା କମିଯାଇଛି । ଏହି ସବୁ କାରଣରୁ ପରିବେଶର ସୁରକ୍ଷା ଏତେ ଗୁରୁତ୍ଵପୂର୍ଣ୍ଣ । ପ୍ରକୃତି ଜୀବନ ଉପରେ କି ପ୍ରଭାବ ପକାଏ ତାହା ନ ଜାଣିଲେ ମଣିଷମାନେ ପ୍ରକୃତି ମିତ୍ର ହୋଇ ପାରିବେ ନାହିଁ । ଏଣୁ ବାପା, ମା, ଗୁରୁଜନ ଓ ଶିକ୍ଷକମାନେ ଶିଶୁମାନଙ୍କୁ ଦୁଇ ବର୍ଷ ହେଲାକ୍ଷଣି ଗଛ, ପଶୁ, ପକ୍ଷୀ ଓ ପରିବେଶ ସହିତ ପରିଚିତ କରାଇବା ଉଚିତ । ତା’ହେଲେ ସେମାନେ ଚଉଦ ପନ୍ଦର ବର୍ଷ ହେଲାବେଳକୁ ଜାଣିବେ ଯେ, ଏହି ଗଛମାନେ, ପଶୁପକ୍ଷୀମାନେ ଓ ନଈରେ ବହିଯାଉଥିବା ପାଣି ଏସବୁ ମଣିଷ ପାଇଁ ବଞ୍ଚିବାର ଉତ୍ସ । ପଚାଶବର୍ଷ ପୂର୍ବେ ଆମେ ପାଠ ପଢ଼ୁଥିବାବେଳେ ଋତୁ ବର୍ଣ୍ଣନା ପଢ଼ିଥିଲୁ । ତା’ର ବହୁ ପୂର୍ବରୁ ମଧୁସୂଦନ ରାଓ ବର୍ଣ୍ଣବୋଧ ରଚନା କରିଥିଲେ । ସେଥିରେ ଥିବା ଋତୁ ବର୍ଣ୍ଣନା ଗୀତ ଆମେ ଗାଉଥିଲୁ । ଏବେ ନୂଆନୂଆ ଶିଶୁ ସାହିତ୍ୟ ଅନେକ ପ୍ରକାଶ ପାଉଛି । ସେଥିରେ ମଧ୍ୟ ଗଛ ବୃକ୍ଷ ଫୁଲଫଳ ପଶୁପକ୍ଷୀ ଇତ୍ୟାଦିର ବର୍ଣ୍ଣନା ରହିଛି । କିନ୍ତୁ ମୋ ପିଲାବେଳେ କେତୋଟି ମାତ୍ର ଛୋଟଛୋଟ ସହର ଥିଲା । ସମସ୍ତେ ଗାଁଆରେ ବାସ କରୁଥିଲେ । ଏଣୁ ପିଲାଦିନୁ ପ୍ରକୃତି ସହିତ ପରିଚୟ ଥିଲା । ଏବେ ସହର ସଂଖ୍ୟା ଓ ଲୋକସଂଖ୍ୟା ଅନେକ ବେଶି । ଗାଁରେ ମଧ୍ୟ ଗଛବୃକ୍ଷ ଅନେକ କମିଯାଇଛି । ପାହାଡ଼, ପର୍ବତ ନଣ୍ଡା ହେବା ଫଳରେ ଅନେକ ପଶୁପକ୍ଷୀ ମରିହଜି ଗଲେଣି । ବର୍ତ୍ତମାନର ଅବସ୍ଥା ଦେଖି ଚିନ୍ତାଶୀଳ ଲୋକ ଭାବିବା ଉଚିତ । କେବଳ ସରକାର ପ୍ରକୃତିକୁ ରକ୍ଷା କରିପାରିବେ ନାହିଁ । ପ୍ରକୃତି ଓ ମଣିଷ ଭିତରେ ଚିରକାଳ ଯେଉଁ ମିତ୍ରତା ରହି ଆସିଥିଲା ତାହା ଆଉ ହୁଗୁଳା ନ କରି ପ୍ରତିଘର ଅଗଣାରେ ଛୋଟ ଛୋଟ ବଗିଚା ଏବଂ କିଛି କିଛି ଗଛଲଗାଇବା ଦରକାର । ବାୟୁମଣ୍ଡଳ ଦୂଷିତ ହେଲାଭଳି କାର୍ଯ୍ୟରୁ ମଧ୍ୟ ବିରତ ହେବା ଉଚିତ । ଏ ପୃଥିବୀ ଆମର ଜନନୀ । ଜନନୀକୁ ରକ୍ଷା କରିବା ଦାୟିତ୍ୱ ସନ୍ତାନମାନଙ୍କର ।

☆☆☆

 

ରାଜନୀତିର ଅଭୁଲା ସ୍ମୃତି

 

ତିରିଶ ବର୍ଷ ପୂର୍ବେ ମୁଁ ରାଜନୀତି କରୁଥିଲି । ଏଇ ତିରିଶ ବର୍ଷର ବ୍ୟବଧାନ ପରେ ମୁଁ ଆଜି ଭାବୁଛି ଯେ ମୁଁ ଦଳୀୟ ରାଜନୀତିରୁ ବାହାରି ଆସି ଭଲ କରିଛି । ଗୌହାଟି କଂଗ୍ରେସ ଅଧିବେଶନକୁ ଯିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ପାଇବାପରେ ଡାକ୍ତର ବେଲା ଦତ୍ତ, ମୁଁ ଏବଂ ଆଉ କେତେକ ଭଉଣୀ ଟ୍ରେନ୍‌ରେ ଗୌହାଟି ଗଲୁ । ଆମେ ନିଜ ଖର୍ଚ୍ଚରେ ଯାଇଥିଲୁ । ବ୍ୟବସାୟୀଙ୍କ ପାଖରୁ ଚାନ୍ଦା ଆଦାୟ କରି ନ ଥିଲୁ ବା ଦଳ ବି ଆମକୁ କିଛି ଦେଇନଥିଲା ।

 

ସେତେବେଳେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ମୁଁ ଥିଲି ଆବାହିକା । ଆମେ ତୃଣମୂଳ ସଂଗଠନକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଥିଲୁ । ଘରେ ଖାଇ ବାହାରେ ନାଚିବା ପରି ଆମେ ନିଜ ଖର୍ଚ୍ଚ ନିଜ ହାତରୁ ଦେଉଥିଲୁ । ଜିଲ୍ଲା ଗସ୍ତରେ ଗଲେ କାରଟିଏ ଦଳ ଯୋଗାଇ ଦେଉଥିଲା । ଆଜି ଏଇ ସଂସ୍କୃତି କୌଣସି ଦଳରେ ନାହିଁ । ଶ୍ରମିକମାନଙ୍କ ସ୍ୱାର୍ଥ ଦେଖୁଥିବା କର୍ମୀଠାରୁ ନେତା ପର୍ଯ୍ୟନ୍ତ କେହି ନିଜ ହାତରୁ ପଇସା ଖର୍ଚ୍ଚ କରି ରାଜନୀତି କରନ୍ତି ନାହିଁ । ସେମାନେ ବରଂ ରାଜନୀତିକୁ ପେସା ଭାବେ ଗ୍ରହଣ କରି ନେଇଛନ୍ତି । ରାଜନୀତିରୁ ଯାହା ମିଳେ ସେଇ ଉପାର୍ଜନରେ ଚଳନ୍ତି । ବ୍ୟବସାୟୀ, ଖଣିମାଲିକ, ଶିଳ୍ପପତି, ଠିକାଦାର ଓ ଦଲାଲଙ୍କ ଠାରୁ ଦଳ ନାମରେ ଚାନ୍ଦା ଆଦାୟ କରନ୍ତି ଅନେକ । ମନ୍ତ୍ରୀ, ବିଧାୟକ, ବଡ଼ବଡ଼ ନେତା ଠାରୁ କର୍ମୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ରାଜନୀତି କରନ୍ତି ସୁଖରେ ଚଳିବା ପାଇଁ । ପୂର୍ବେ ଘର ପୋଡ଼ି ଗଲେ, ବନ୍ୟାରେ ଘରଦ୍ୱାର ଭାସିଗଲେ ବା ଦୁର୍ଘଟଣାରୁ କ୍ଷତି ହେଲେ ନିଜକୁ ସମ୍ଭାଳିବାକୁ ହେଉଥିଲା । ଅନେକ ଲୋକଙ୍କ କ୍ଷତି ହେଲେ ସରକାରୀ ସାହାଯ୍ୟ ମିଳୁଥିଲା । କିନ୍ତୁ ବନ୍ୟା ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମିଳୁଥିବା ଅର୍ଥ ଓ ସାମଗ୍ରୀ ବଣ୍ଟନ କଲାବେଳେ ଏହାର ଦୁରୁପଯୋଗ କ୍ୱଚିତ ହେଉଥିଲା । ଆମେ ବନ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ କଲାବେଳେ ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କଥା ବୁଝୁଥିଲୁ, ରିଲିଫ ବାଣ୍ଟୁଥିଲୁ ଏବଂ ବିନା ସରକାରୀ ସହାୟତାରେ ମଧ୍ୟ ଘର ଘର ବୁଲି ବିପନ୍ନ ଲୋକଙ୍କୁ ସାହାଯ୍ୟ କରିବା ସକାଶେ ଅର୍ଥ, ପୋଷାକ ଓ ଲୁଗାପଟା, ବାସନ କୁସନ, ଖାଦ୍ୟ ସାମଗ୍ରୀ (ଗୁଣ୍ଡଦୁଧ, ବିସ୍କୁଟ ଇତ୍ୟାଦି) ଏବଂ ଔଷଧ ଗ୍ରାମାଞ୍ଚଳରେ ବାଣ୍ଟୁଥିଲୁ । ଆମର ଯିବା ଆସିବା ଓ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ନ ଥିଲା । ଭୁବନେଶ୍ୱରରେ ରାଲି ବା କର୍ମୀ ସମ୍ମିଳନୀ ହେଲେ ପ୍ରତ୍ୟେକ ଶାଖାରୁ କର୍ମୀମାନେ ଆସୁଥିଲେ ନିଜ ଖର୍ଚ୍ଚରେ ବା ଶାଖା ପାଣ୍ଠିରୁ ବ୍ୟୟ କରି । ଏବେ ଏପରି ଧାରା ଆଉ ନାହିଁ । କର୍ମୀ ଓ ନେତାମାନଙ୍କ ଚଳଣି ଓ ଜୀବନଶୈଳୀ ଅନେକ ବଦଳି ଗଲାଣି । ଗାଡ଼ି ଗଣ୍ଡା ଗଣ୍ଡା । ସାଧାରଣ କର୍ମୀମାନଙ୍କ ସ୍ୱଚ୍ଛଳ ଅବସ୍ଥା ଏବଂ ନେତାମାନଙ୍କ ବ୍ୟୟବହୁଳ ଜୀବନଯାତ୍ରା ଦେଖିଲେ ମନରେ ପ୍ରଶ୍ନ ଉଠେ ଦେଶସେବା କରୁଥିବା ଲୋକଙ୍କୁ ଏତେ ଅର୍ଥ କେଉଁଠୁ ମିଳେ ? ଏଇ ପ୍ରାଚୁର୍ଯ୍ୟ କ’ଣ ଆୟ ବହିର୍ଭୂତ ଅର୍ଥର ଏକ ଅଂଶ ? ଲାଲୁ ପ୍ରସାଦ ଯାଦବ, ରାବିଡ଼ୀ ଦେବୀ, ମାୟାବତୀ, ଜୟଲଳିତା ଓ ଆହୁରି ଅନେକ ନେତାଙ୍କ ନାମରେ ଆୟ ବହିର୍ଭୂତ ଅର୍ଥ ଠୁଳ କରିଥିବା କାରଣରୁ ମୋକଦ୍ଦମା ଚାଲିଛି । ସେମାନେ ସେଥିରୁ ନିର୍ଦ୍ଦୋଷରେ ଖଲାସ ହୁଅନ୍ତୁ ବା ଦୋଷୀ ସାବ୍ୟସ୍ତ ହୁଅନ୍ତୁ ସେମାନଙ୍କ ଭାବମୂର୍ତ୍ତି ଲୋକଚକ୍ଷୁରେ କ’ଣ ପୂର୍ବପରି ରହିବ ? ସେମାନଙ୍କୁ ଲୋକମାନେ କ’ଣ ବିଶ୍ୱାସ କରିବେ ନା ସେମାନଙ୍କ ଉପରେ ଭରସା ରଖିବେ ? ଏଇ କାରଣରୁ ନେତା ଓ କର୍ମୀଙ୍କ ମଧ୍ୟରେ ଏବଂ ଦଳୀୟ ନେତା, କର୍ମୀ ଏବଂ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସର ଅଭାବ ବଢ଼ୁଛି ।

 

ଗୌହାଟି କଂଗ୍ରେସରେ ଯୋଗଦେବା ପାଇଁ ୭୫ ମସିହାରେ ଯାଇଥିଲାବେଳେ ମୁଁ ଓ ବେଲା ଦତ୍ତ ଗଲୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଦେଖା କରିବା ପାଇଁ । ସେ ଅତିଥିଭବନରେ ରହୁଥିଲେ । ସେତେବେଳେ ନେତା ଓ କର୍ମୀଙ୍କ ମଧ୍ୟରେ ଏତେ ବ୍ୟବଧାନ ନ ଥିଲା । ସୁରକ୍ଷା ବ୍ୟୂହ ଭେଦ କରି ଆମେ ଯେତେବେଳେ ତାଙ୍କ ପାଖରେ ପହଞ୍ଚିଲୁ ସେତେବେଳେ ଆମେ ଓଡ଼ିଶାରୁ ଯାଇଥିବା ଶୁଣି କୁଣ୍ଢେଇ ପକାଇଲେ ଏବଂ କିଛି ଅସୁବିଧା ହେଉଛି କି ନାହିଁ ପଚାରିଥିଲେ । ତାଙ୍କର ମନଜିଣା ହସ ଓ ଆନ୍ତରିକତା ମୁଁ କେବେ ଭୁଲିପାରିବି ନାହିଁ । ଏବେତ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଅନେକ ଆଗରୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁମତି ନବାକୁ ହୋଇଥାଏ । କର୍ମୀ ଓ ନେତାମାନଙ୍କ ମଧ୍ୟରେ ଦୂରତ୍ୱ ବଢ଼ିବା ଯୋଗୁଁ ତୃଣମୂଳ ସ୍ତର ସହିତ ଦଳର ସମ୍ପର୍କ ଶିଥିଳ ହୋଇଗଲା ଏବଂ କର୍ମୀମାନେ ନିଜକୁ ଅବହେଳିତ ମନେକଲେ । ଦଳୀୟ ସଂଗଠନ ଦୁର୍ବଳ ହେବାର ଏହା ଏକ କାରଣ ।

 

ଉତ୍କଳମଣି ଗୋପବନ୍ଧୁ, ମା’ ରମାଦେବୀ, ରମ୍ଭାଦେବୀ ପ୍ରଭୃତିଙ୍କ ମଧ୍ୟରୁ ଶେଷ ଦୁଇଜଣଙ୍କ ସହିତ ମୋର ସମ୍ପର୍କ ଥିଲା । ମୁଁ ଜାଣିଛି ସେମାନଙ୍କ ସେବା ଓ ଶ୍ରଦ୍ଧାର କାହାଣୀ । ନିଜକୁ ସବୁ ସୁଖ ସୁବିଧାରୁ ବଞ୍ଚିତ କରି ସେମାନେ ଅନୁଷ୍ଠାନ ଗଢ଼ିଥିଲେ । ଆଜି ସେଥିରୁ ଅନେକ ଭାଙ୍ଗିଗଲାଣି ବା ଉପେକ୍ଷିତ ଅବସ୍ଥାରେ । ଜାତିର ପ୍ରାଣରୁ ବିଶ୍ୱାସ, ସହନଶୀଳତା, ସେବା ଭାବ, ତ୍ୟାଗ କରିବା ଇଚ୍ଛା ଉଭେଇଯାଉଛି ଏବଂ ରାଜନୀତି ଗୋଟିଏ ବ୍ୟବସାୟରେ ପରିଣତ ହୋଇଛି । ମୁଁ ଦୀର୍ଘବର୍ଷ ଓଡ଼ିଶା ବାହାରେ ରହି ଯେତେବେଳେ ପୁଣି ଫେରିଆସିଲି ଓଡ଼ିଶା ସେତେବେଳକୁ ଚିତ୍ର ଅନେକ ବଦଳି ଗଲାଣି। ମୁଁ ଏଇ ନୂତନ ସଂସ୍କୃତି ସହିତ ଖାପଖୁଆଇ ପାରିଲି ନାହିଁ । ବିଭିନ୍ନ ଦଳ ପକ୍ଷରୁ ଅନୁରୋଧ ଆସିଥିଲା ଦଳୀୟ ରାଜନୀତିକୁ ଫେରିବା ପାଇଁ । କିନ୍ତୁ ମନ ମାନିଲା ନାହିଁ-। ବିଶ୍ଵାସର ସଙ୍କଟ ସୃଷ୍ଟି ହୋଇଛି । ଏଇ କାରଣରୁ ମୁଁ ଚାଲି ଆସିଲି ସାହିତ୍ୟ କ୍ଷେତ୍ରକୁ-। ସାହିତ୍ୟରେ କ୍ଷମତାର ସ୍ଵାଦ ନାହିଁ ବା ଚାନ୍ଦାଭେଦା ଆଣିବା ପାଇଁ ସୁଯୋଗ ନାହିଁ । ନିରୋଳ ସାହିତ୍ୟ ସାଧନା ଭିତରେ ବୁଡ଼ିରହି ମୁଁ ବିମଳ ଆନନ୍ଦ ପାଉଛି । ମୋ ଝିଅ ଓ ନାତୁଣୀ ବୟସର ଲେଖିକା ଏବଂ ପୁଅ ଓ ନାତି ବୟସର ଲେଖମାନଙ୍କ ସହିତ ମୋର ଦୈନନ୍ଦିନ ସମ୍ପର୍କ-। ସେମାନଙ୍କ ଶ୍ରଦ୍ଧା ଓ ସ୍ନେହ ମମତା ହେଉଛି ମୋର ଆୟ ବହିର୍ଭୂତ ସମ୍ପତ୍ତି । ପାଠକମାନଙ୍କୁ ‘ଅମୃତାୟନ’ ମାଧ୍ୟମରେ ମୁଁ ଖୁସି କରିପାରୁଥିବାରୁ ମୋ ମନରେ ଗଭୀର ସନ୍ତୋଷ ।

 

ରାଜନୀତିର ହଟଚମଟ ଓ ଉଲ୍ଲାସ ଠାରୁ ସମ୍ପାଦିକା ହେବାର ଗୌରବ ଢେର ବେଶୀ । ସମୟର ଚାହିଦା ପୂରଣ କରିବା ପାଇଁ ଗଳ୍ପ, କବିତା, ପ୍ରବନ୍ଧ ଖୋଜିବାବେଳେ ଅନେକ ଲେଖକ ଲେଖିକାଙ୍କ ସମ୍ପର୍କରେ ଆସେ । ସେମାନଙ୍କ ଲେଖା ପାଇ ମୁଁ ଧନ୍ୟ ମନେକରେ । ମୋର ସମ୍ବଳ ନାହିଁ ସେମାନଙ୍କୁ ପାରିତୋଷିକ ଦବା ପାଇଁ । କିନ୍ତୁ ଭଲ ଲେଖାଟିଏ ପଢ଼ିଲେ ଅବଶ୍ୟ ସେମାନଙ୍କୁ ଜଣାଏ । ମାଗାଜିନ୍ ପଠାଏ । ଚିଠି ଲେଖେ । ଆଜି ‘ଅମୃତାୟନ’ ପରିବାର ଅନେକ ବଡ଼ । ୨୯ ବର୍ଷର କୁଚ୍ଛ୍ର ସାଧନା ନଷ୍ଟ ହୋଇନାହିଁ । ‘ ଅମୃତାୟନ’ ଓଡ଼ିଆ ସାହିତ୍ୟର ବିକାଶରେ ସାହାଯ୍ୟ କରିଚାଲିଛି, ସେତୁବନ୍ଧ ବାନ୍ଧିବା ପାଇଁ ଗୁଣ୍ଡୁଚି ମୂଷା ଯେପରି ନିଃସ୍ୱାର୍ଥ କାମ କରୁଥିଲା । ରାଜନୀତି ଓ ସାହିତ୍ୟ ମଧ୍ୟରେ ଅନେକ ତଫାତ୍ । ରାଜନୀତି ଦେଶ ଓ ଲୋକ ସେବାର ମାଧ୍ୟମ ଭାବେ ଆରମ୍ଭ ହୋଇଥିଲା, କିନ୍ତୁ ଏଇ ୩୦/୪୦ ବର୍ଷ ଭିତରେ କ୍ଷମତା ଓ ଅର୍ଥ ଉପାର୍ଜନର ମାଧ୍ୟମ ହୋଇଯାଇଛି । ଲୋକଙ୍କ ଦୁର୍ଦ୍ଦଶାମୋଚନ ପାଇଁ କୌଣସି ନେତା ଆଉ ତ୍ୟାଗ କରିବା ଦେଖାଯାଏ ନାହିଁ । ବରଂ ଦୁର୍ଦ୍ଦଶା ମୋଚନ ପାଇଁ ଆସୁଥିବା ପାଣ୍ଠି, ସରକାରଙ୍କ ପକ୍ଷରୁ କରାଯାଉଥିବା ଉନ୍ନୟନ କାର୍ଯ୍ୟ ପାଇଁ ମଞ୍ଜୁର ହେଉଥିବା ଅର୍ଥରୁ କଳ ବଳ କୌଶଳ ପ୍ରୟୋଗ କରି ରାଜନୀତି କରୁଥିବା ଲୋକମାନେ ଗୋଟିଏ ଭାଗ ହଡ଼ପ କରନ୍ତି । ସେଇ ଅର୍ଥ ଧୀରେ ଧୀରେ ଆୟ ବହିର୍ଭୂତ ସମ୍ପତ୍ତି ଭାବେ ଠୁଳ ହୁଏ, ମନ୍ତ୍ରୀପଦ ବା ବିଧାୟକ ପଦ ଗଲେ ମଧ୍ୟ ତିନିପୁରୁଷ ପାଇଁ ସମ୍ପତ୍ତି ରହିଥାଏ ପିଲାଙ୍କ ସୁଖ ସୁବିଧା ପାଇଁ ।

 

ରାଜନୀତି କରୁଥିବା ନେତାମାନଙ୍କ ନାମ ଇତିହାସ ପୃଷ୍ଠାରେ ନାହିଁ । ସେମାନେ ସେଥିପାଇଁ କ୍ଷମତାରେ ଥିଲାବେଳେ ପୋଲ, ବିଦ୍ୟାଳୟ, ଚିକିତ୍ସା କେନ୍ଦ୍ର, ପ୍ରଭୃତି ନିର୍ମାଣ ହେଲେ ଉଦ୍‌ଘାଟନ ଉତ୍ସବ କରି ନିଜ ନାମ ମାର୍ବଲ ଦିହରେ ଲେଖାଇ ଦିଅନ୍ତି । ସେଇ ପଥର ଖଣ୍ଡକୁ କ୍ଷମତାରୁ ଯିବା ପରେ ଚାହିଁ ଚାହିଁ ଆତ୍ମସନ୍ତୋଷ ପାଉଥିବାବେଳେ ଲୋକ ଚକ୍ଷୁରେ ଆଉ ସମ୍ମାନ ଫେରି ଆସେ ନାହିଁ । ଲେଖକମାନଙ୍କ ନାମ କିନ୍ତୁ ବହି ପୃଷ୍ଠାରେ ରହିଯାଏ । ପାଠାଗାରରେ ଏବଂ ଜନମାନସରେ ଲେଖକ ବଞ୍ଚି ରହେ ବହି ଖଣ୍ଡକ ମାଧ୍ୟମରେ । ସେ ରୟାଲଟି ସେଥିରୁ ପାଇଥିଲା କି ନାହିଁ ତାହା ମନେପଡ଼େ ନାହିଁ, କିନ୍ତୁ ତା’ର ଗର୍ବ ଯେ ସେ ସାରଳା ଦାସ, ଜଗନ୍ନାଥ ଦାସ, ଭୀମ ଭୋଇଙ୍କ ବଂଶଧର । ଗଙ୍ଗାଧର ଓ ଫକୀରମୋହନଙ୍କ ଉତ୍ତରଦାୟାଦ । ମୁଁ କ୍ଷମତାରେ ରହିଲି ନାହିଁ ବୋଲି ମୋର ଅବଶୋଷ ନାହିଁ, କିନ୍ତୁ ସାହିତ୍ୟକୁ ଆସି ଅଜସ୍ର ଲୋକଙ୍କଠାରୁ ଯେତେ ସ୍ନେହଶ୍ରଦ୍ଧା ପାଇଛି ତାହା ହିଁ ମୋର ବଡ଼ ପୁଞ୍ଜି । ମୋତେ ଲାଗୁଛି ମୁଁ ଧନ୍ୟ ହୋଇଛି, ପୂର୍ଣ୍ଣ ହୋଇଛି ।

☆☆☆

 

‘ସବକା ମାଲିକ୍ ଏକ ହେ’

 

ସମସ୍ତଙ୍କର ମାଲିକ ଜଣେ । ଈଶ୍ଵରଙ୍କୁ ଚିହ୍ନିବା ହେଉଛି ମଣିଷର ବଡ଼ ସଫଳତା । ତାଙ୍କୁ ଚିହ୍ନିନଥିବାରୁ ମନରେ କେବଳ ଦ୍ଵନ୍ଦ୍ୱ ରହିନଥାଏ, ଦୁନିଆରେ ସବୁଠି ଦ୍ୱନ୍ଦ୍ୱ ଚାଲିଥିବା ପରି ମନେହୁଏ । ଈଶ୍ଵରଙ୍କ ସହିତ ଏକାଗ୍ର ହେବା ବଡ଼ କଠିନ ବିଷୟ । କିନ୍ତୁ ତାଙ୍କ ସହିତ ଥରେ ଏକାଗ୍ର ହେଲେ ଶୋକ, ଦୁଃଖ, ନିନ୍ଦା ଓ ସମ୍ମାନ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ରହେନାହିଁ । ଏହି କାରଣରୁ ଯୁଗ ଯୁଗ ଧରି ମଣିଷ ଈଶ୍ଵରଙ୍କୁ ଖୋଜି ଚାଲିଛି । ଏହି ଖୋଜିବା ବାଟରେ ସେ ସାଉଁଟି ନେଇଛି ଅନେକ ଧନରତ୍ନ ଓ ମଣି ମାଣିକ୍ୟ । ସେ ସଂଗ୍ରହ କରିଛି ଅନେକ ଅନୁଭୂତି ଏବଂ ଉପଲବ୍ଧି । ତଥାପି ତା’ର ଅନୁସନ୍ଧାନ ଶେଷ ହେଉନାହିଁ । ପ୍ରାଚୁର୍ଯ୍ୟ ଭିତରେ ବୁଡ଼ି ରହିଥିଲାବେଳେ ବା ଦୁଃଖ ସାଗରରେ ଭାସୁଥିବା ବେଳେ ଯଦି ମଣିଷ ତାଙ୍କୁ ମନେପକାଇ ପାରେ ତେବେ ତା’ର ପୁରୁଷାର୍ଥ ସାର୍ଥକ ହୁଏ । ମନରେ ଭ୍ରମହୁଏ ଯେ ମଣିଷ ଯେପରି ଭିନ୍ନ ଭିନ୍ନ ଧର୍ମ, ଜାତି ଗୋତ୍ର ବା ବର୍ଣ୍ଣରେ ବାଣ୍ଟି ହୋଇ ରହିଛି ଏବଂ ତାହାର ବିଭିନ୍ନ ପରିଚୟ ରହିଛି ଈଶ୍ୱର ମଧ୍ୟ ସେହିପରି ଏକାଧିକ ଏବଂ ସବୁ ଧର୍ମର ଅଲଗା ଅଲଗା ଭଗବାନ । ମଣିଷ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖେ ସିନା କିନ୍ତୁ ସବୁଠାରେ ସେ ଏକ ଓ ଅଦ୍ୱିତୀୟ । ଭାଗବତରେ ଜଗନ୍ନାଥ ଦାସ ଲେଖିଛନ୍ତି—

 

‘ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ’ । ଆହୁରି ଟିକିଏ ବିସ୍ତାରିତ ରୂପରେ ଈଶ୍ଵରଙ୍କୁ ଦେଖିଲେ କହିହେବ ଯେ ବ୍ରହ୍ମମୟ ପୃଥିବୀ । ଈଶ୍ଵର ଯେପରି ସତ୍ୟ, ଶାଶ୍ୱତ, ନିତ୍ୟ ତାଙ୍କର ସୃଷ୍ଟି ମଧ୍ୟ ସେହିପରି ବ୍ରହ୍ମମୟ । ଶ୍ରୀ ଅରବିନ୍ଦଙ୍କ ଭାଷାରେ “ଆମ ପାଇଁ ବ୍ରହ୍ମ ସତ୍ୟ ଏବଂ ଜଗତ୍ ମିଥ୍ୟା ବୋଲି କହିବା ଅପେକ୍ଷା ବ୍ରହ୍ମ ସତ୍ୟ, ଜଗତ୍ ବ୍ରହ୍ମ ବୋଲି କହିବା ସମୁଚିତ ହେବ। ଶଙ୍କରଙ୍କ ଦୃଷ୍ଟିରେ ବ୍ରହ୍ମ ସତ୍ୟ, ଜଗତ୍ ମିଥ୍ୟା । କିନ୍ତୁ ବ୍ରହ୍ମ ଯଦି ସତ୍ୟ ତାଙ୍କ ସୃଷ୍ଟି କିପରି ମିଥ୍ୟା ହେବ ? ସତ୍ୟରୁ ଅସତ୍ୟ ସୃଷ୍ଟି ହୁଏ ନାହିଁ । ଏଣୁ ଆମ ପରିକଳ୍ପନାରେ ବ୍ରହ୍ମ ଯେପରି ସତ୍ୟ ଜଗତ ସେହିପରି ବ୍ରହ୍ମମୟ କହିଲେ ଭୁଲ ହେବ ନାହିଁ । ଏହାଦ୍ୱାରା ବ୍ରହ୍ମ ଏବଂ ଜଗତ୍ ମଧ୍ୟରେ ଥିବା ପାର୍ଥକ୍ୟ ଆଉ ଦିଶିବ ନାହିଁ । ସମଗ୍ର ଜଗତ ବ୍ରହ୍ମମୟ ଦିଶିବ ଏବଂ ସେତେବେଳେ କୁକୁର, ଗୋରୁ ବା ହାତୀ ମଧ୍ୟରେ ଥିବା ତଫାତ୍ ଦୃଷ୍ଟିରେ ନପଡ଼ି ସବୁଠାରେ ଯେ ଈଶ୍ୱର ବିଦ୍ୟମାନ ତାହା ଦୃଷ୍ଟିରେ ପଡ଼ିବ ।

 

ମୁଁ ଏକଥା ଲେଖିବାର କାରଣ ହେଉଛି ଯେ ଆଜି ଜଗତ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ବାଣ୍ଟି ହୋଇଯାଇଛି । ଈଶ୍ଵର ଏକ ଓ ଅଦ୍ୱିତୀୟ ହେଲେ ମଧ୍ୟ ବିଭିନ୍ନ ପନ୍ଥାମାନେ ତାଙ୍କ ସମ୍ପର୍କରେ ଭିନ୍ନ ଭିନ୍ନ କଥା କହୁଛନ୍ତି । ବେଦରେ କୁହାଯାଇଛି ଯେ “ଏକମ୍ ସଦବିପ୍ରା ବହୁଧା ବଦନ୍ତି” ଅର୍ଥାତ୍ ଈଶ୍ଵର ଏକ ହେଲେ ମଧ ପଣ୍ଡିତମାନେ ତାଙ୍କୁ ବିଭିନ୍ନ ଭାବେ ବର୍ଣ୍ଣନା କରନ୍ତି । ଈଶ୍ଵରଙ୍କର ଅନେକ ରୂପ ହେଲେ ମଧ୍ୟ ସେ ଯେ ଏକ ଏହା ହିଁ ହେଉଛି ସୂକ୍ଷ୍ମ ତତ୍ତ୍ୱ । ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକମାନେ ଧର୍ମ ପାଳନ ଓ ଈଶ୍ଵରଙ୍କୁ ପୂଜା ପ୍ରାର୍ଥନା କରିବା ନାମରେ ପରସ୍ପର ବିରୋଧରେ ଲଢ଼ୁଛନ୍ତି । କେବଳ ଗୋଟିଏ ଧର୍ମର କିଛି ଲୋକ ଅନ୍ୟ ଧର୍ମ ବିରୁଦ୍ଧରେ କହୁଥିବାବେଳେ ଗୋଟିଏ ଧର୍ମର ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ମଧ୍ୟ ପରସ୍ପର ବିରୋଧରେ ଲଢ଼ୁଛନ୍ତି। ଏହି କାରଣରୁ କେତେକ ସ୍ଥାନରେ ବିଷ୍ଣୁଭକ୍ତ ଓ ଶୈବଭକ୍ତମାନଙ୍କ ମଧ୍ୟରେ ବିବାଦ ଲାଗିରହିଛି । ସେହିପରି ଇସ୍‌ଲାମ୍ ଧର୍ମର ସିଆ ଓ ସୁନ୍ନିମାନଙ୍କ ମଧ୍ୟରେ ସଂଘର୍ଷ ଚାଲିଛି । ଖ୍ରୀଷ୍ଟଧର୍ମର କ୍ୟାଥଲିକ୍ ଏବଂ ପ୍ରୋଟେଷ୍ଟାଣ୍ଟ ମଧ୍ୟରେ ଏକତା ନାହିଁ । ଈଶ୍ଵରଙ୍କୁ ନେଇ ମଣିଷ ସମାଜ ଗୋଟିଏ ପରବାରରେ ପରିଣତ ହେବାର ସୁଯୋଗ ରହିଛି । ଈଶ୍ଵରଙ୍କୁ ସ୍ୱୀକାର କରୁଥିବା ଲୋକମାନଙ୍କ ମଧ୍ୟରେ ଯଦି ଈଶ୍ଵର ଭାବନା ରହନ୍ତା ତେବେ ସେମାନେ ଭାଇ ଭାଇ ପରି ଚଳନ୍ତେ-। କିନ୍ତୁ ସେମାନଙ୍କ ମଧ୍ୟରେ ଏକତା ନାହିଁ କି ସଂହତି ନାହିଁ । ଫଳରେ ଅନ୍ୟ ଗୋଷ୍ଠୀ ପ୍ରତି ଆକ୍ରୋଶ ଜନ୍ମୁଛି । ଏପରିକି ଜଣେ ଗୁରୁଙ୍କର ଚେଲାମାନେ ଦୁଇ ବା ତିନୋଟି ଗୋଷ୍ଠୀରେ ବିଭକ୍ତ । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଈଶ୍ୱର ଆରାଧନା ନାମରେ ବିବାଦ ହିଁ ବଢ଼ୁଛି । ହିନ୍ଦୁମାନଙ୍କ ମଧ୍ୟରେ ଅଧିକ ବିଭାଜନ ଦେଖାଯାଏ । ପ୍ରତ୍ୟେକ ଗୁରୁଙ୍କୁ କେନ୍ଦ୍ରକରି ଗୋଷ୍ଠୀ ଗଢ଼ି ଉଠିଛି । ଏଠାରେ ମୋର କହିବାର କଥା ଏହି ଯେ ଈଶ୍ଵର ଏକ ହେଲେ ମଧ୍ୟ ତାଙ୍କ ଚାରିପାଖରେ ବୁଲୁଥିବା ଗୁରୁମାନେ ବିଭିନ୍ନ ମତବାଦ ପ୍ରଚାର କରନ୍ତି । “ନାନା ମୁନିଙ୍କ ନାନା ମତ’ । ବିଚରା ଶିଷ୍ୟଟି ଏହି ବିଭିନ୍ନ ମତ ମଧ୍ୟରେ ଘାଣ୍ଟି ଚକଟି ହେଉଥାଏ । ଈଶ୍ଵରଙ୍କୁ ଖୋଜିବାକୁ ଯାଇ ସେ ଗୁରୁଙ୍କୁ ଈଶ୍ଵର ମନେକରି ବଳଦ ମେରି ଖୁଣ୍ଟ ଚାରିପାଖରେ ବୁଲିବା ପରି ବୁଲୁଥାଏ । ସେହି ପରିଧି ବାହାରେ ଯେ ବିରାଟ ଜଗତ ପଡ଼ିରହିଛି ଏବଂ ସବୁଠାରେ ବ୍ରହ୍ମ ବିରାଜିତ ସେ କଥା ଆଉ ଆଖିରେ ଦିଶେ ନାହିଁ ।

 

ଆଦିବାସୀମାନଙ୍କ ମଧ୍ୟରେ ଧର୍ମକୁ ନେଇ ବିବାଦ ହୁଏ ନାହିଁ । ସେମାନଙ୍କ ପରମ୍ପରା ଅନୁସାରେ ସେମାନେ ବିଶ୍ୱାସ କରୁଥିବା ଦେବଦେବୀଙ୍କୁ ପୂଜା କରନ୍ତି । ଭୋଗରାଗ ସହିତ ବଳିଦେବା ପ୍ରଥା ମଧ୍ୟ ରହିଛି । କିନ୍ତୁ ସେମାନଙ୍କ ମଧ୍ୟରେ ଗୁରୁ ପରମ୍ପରା ଏତେ ପ୍ରବଳ ନୁହେଁ । ତେଣୁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ମଧ୍ୟ କମ୍ ହୁଏ । ବାହାର ଜଗତ ସହିତ ସମ୍ପର୍କରେ ଆସି ଆଦିବାସୀମାନଙ୍କର ଧାରଣା ଓ ଆଚାର ବିଚାର ମଧ୍ୟ ବଦଳୁଛି । ମନ୍ଦିର ପ୍ରବେଶ ମନା ନାହିଁ ବୋଲି ସେମାନେ ଦେବଦେବୀ ଦର୍ଶନ କରିବା ପାଇଁ ଯାଆନ୍ତି । ଆମ ମୟୂରଭଞ୍ଜରେ ମହାଦେବ ସେମାନଙ୍କର ଦେବତା ଓ ଦୁର୍ଗା ସେମାନଙ୍କର ଦେବୀ ବୋଲି ବିଶ୍ୱାସ ରହିଛି । ପ୍ରକୃତିର ପୂଜକ ସେମାନେ । ପାହାଡ଼, ନଦୀ, ଗଛ, ଇତ୍ୟାଦି ଆରାଧନାର କେନ୍ଦ୍ର । କ୍ରମଶଃ ହିନ୍ଦୁ ଦେବଦେବୀମାନଙ୍କ ପ୍ରତି ସେମାନଙ୍କର ଆକର୍ଷଣ ବଢ଼ୁଛି । ଆଦିବାସୀ ଅଞ୍ଚଳରେ ମିସନାରୀମାନଙ୍କର ଚେଷ୍ଟାରୁ କିଛି ଲୋକ ଖ୍ରୀଷ୍ଟଧର୍ମ ଗ୍ରହଣ କରିଛନ୍ତି । ସେମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କାମରେ ବ୍ୟସ୍ତ । ସେଥିପାଇଁ ପୂଜା ପାର୍ବଣ ଦିନମାନଙ୍କରେ ହିଁ କେବଳ ସେମାନେ ମନ୍ଦିରକୁ ଠାକୁରମାନଙ୍କୁ ପୂଜା କରିବା ପାଇଁ ଯାଆନ୍ତି । ଆମ ଓଡ଼ିଶାରେ ପ୍ରତି ପରିବାରରେ ନିତ୍ୟ ପୂଜା ପଦ୍ଧତି ପ୍ରଚଳିତ ଅଛି । ଆଦିବାସୀମାନଙ୍କ ମଧ୍ୟରେ ପ୍ରତିଦିନ ପୂଜାର୍ଚ୍ଚନା କରିବା ଦେଖାଯାଏ ନାହିଁ । ସେମାନେ ସରଳ ଓ ସେମାନଙ୍କର କପଟତା ନାହିଁ । ସେମାନଙ୍କର ବିଶ୍ୱାସକୁ ନେଇ ସେମାନେ ବଞ୍ଚନ୍ତି ଏବଂ ସମସ୍ତେ ଏକତ୍ର ଉତ୍ସବ ପାଳନ କରନ୍ତି । ଅନ୍ୟାନ୍ୟ ସମ୍ପ୍ରଦାୟରେ ଗୁରୁଙ୍କୁ ମୂଳକରି ପୂଜା ପ୍ରାର୍ଥନା, ଧ୍ୟାନ, ଭଜନ କରାଯାଉଛି । ଉପଚାର ପ୍ରଧାନ ହୋଇଯାଉଥିବାରୁ ପୂଜାର୍ଚ୍ଚନା ବ୍ୟୟବହୁଳ ହେଉଛି । ଔପଚାରିକତା ରକ୍ଷାକରିବାକୁ ଯାଇ ଶ୍ରମ ଓ ସମ୍ବଳ ବ୍ୟୟ ହେଉଛି । ବିଭିନ୍ନ ନାମରେ ବିଭିନ୍ନ ପଦ୍ଧତି ଅନୁସରଣ କରାଯାଉଛି । ଏହି କାରଣରୁ ଲୋକମାନଙ୍କ ମନରେ ପ୍ରଥମରୁ ଗୋଟିଏ ଭାବନା ଜାତ ହେଉଛି ଯେ ସେମାନେ ଅନ୍ୟପନ୍ଥୀମାନଙ୍କ ଠାରୁ ଅଲଗା । ଆମ ସମାଜରେ ଗୁରୁଙ୍କର ସ୍ଥାନ ଅନେକ ଉଚ୍ଚରେ । ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କ ସହିତ ଗୁରୁଙ୍କୁ ସମାନ କରାଯାଇଛି । କିନ୍ତୁ ଏହି ଗୁରୁବାଦର ପ୍ରଚାର ବଢ଼ୁଥିଲାବେଳେ ଈଶ୍ୱର ଉପାସନା ଗୌଣ ହୋଇଯାଉଛି । ହଜାର ହଜାର ଲୋକ ଗୀତ, ବାଦ୍ୟ ପ୍ରସାଦସେବନ କରିବା ପାଇଁ ଅନେକ ଧନ ଓ ଜନ ଦରକାର ହୁଏ । ସେହି ଶକ୍ତି ଓ ସମ୍ବଳ ଗୋଟିଏ ଗୋଷ୍ଠୀର ଲୋକଙ୍କୁ ଏକାଠି କରି ରଖିବା ପାଇଁ ବ୍ୟୟ କରାଯାଏ ସତ କିନ୍ତୁ ଯେଉଁମାନେ କୌଣସି ଗୋଷ୍ଠୀଭୁକ୍ତ ନୁହନ୍ତି ଏବଂ କେବଳ ଈଶ୍ୱରଙ୍କୁ ବିଶ୍ଵାସ କରି ଚାଲନ୍ତି ସେମାନେ ଏହିସବୁ ଗୋଷ୍ଠୀ ବାହାରେ ରହିଯାଆନ୍ତି । ଫଳରେ ଅନେକ ଲୋକ ଭିନ୍ନ ଭିନ୍ନ ଗୁରୁଙ୍କୁ ନେଇ ମାତିଥିବାବେଳେ ତା'ଠାରୁ ଅଧିକ ଲୋକ ସେମାନଙ୍କ ବିଶ୍ୱାସ ନେଇ ଈଶ୍ୱରଙ୍କୁ ମୂଳ କରିଚାଲନ୍ତି । ମୋ ମତରେ ଈଶ୍ଵର ହିଁ ମୂଳ, ଗୁରୁ ସେହି ବାଟରେ ଯିବା ପାଇଁ ପ୍ରଧାନ ମାଧ୍ୟମ । ସେ ବାଟ ଦେଖାଇ ଦିଅନ୍ତି । କିନ୍ତୁ ଯେତେବେଳେ ଔପଚାରିକତା ପ୍ରଧାନ ହୋଇଯାଏ ସେତେବେଳେ ମନର ଉତ୍ତରଣ ଅପେକ୍ଷା ଗୋଷ୍ଠୀ ଭାବନାର ସଂକ୍ରମଣ ବେଶୀ ହୁଏ । ଓଡ଼ିଶାରେ ଅନେକ ଗୁରୁଙ୍କ ଶିଷ୍ୟ ଅଛନ୍ତି । ସେମାନଙ୍କୁ ନେଇ ଭିନ୍ନ ଭିନ୍ନ ସଂଗଠନ ରହିଛି । ଏହିସବୁ ଭକ୍ତଦଳ ଧର୍ମ, ଆଧାତ୍ମିକତା ଓ ନୈତିକତା ଅପେକ୍ଷା ପ୍ରଥା, ପରମ୍ପରାକୁ ବେଶୀ ଗୁରୁତ୍ୱ ଦିଅନ୍ତି । ଫଳରେ ଈଶ୍ୱର କିଏ ? । ତାଙ୍କୁ ଜାଣିବାର ବାଟ କିପରି ? ଈଶ୍ଵରଙ୍କୁ ପାଇବା ବିଷୟ ନେଇ ଭକ୍ତମାନେ ଚର୍ଚ୍ଚା ନ କରି ନିତ୍ୟ ପୂଜା ଆରାଧନାର ଔପଚାରିକତା ରକ୍ଷା କରିବା ସହିତ । ଗୁରୁଙ୍କ ପ୍ରବଚନ ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି ।

 

ପୃଥିବୀର ତିନିଭାଗ ଲୋକ ଈଶ୍ଵର ବିଶ୍ଵାସୀ । ଆଉ ଭାଗେ ଲୋକ ଅବିଶ୍ଵାସୀ । ସେମାନଙ୍କର ଧର୍ମ ବିଶ୍ୱାସ ନାହିଁ । ତଥାପି ଆମେ ଏକଥା କହିପାରିବା ନାହିଁ ଯେ ସେମାନେ ସମସ୍ତେ ଖରାପ ଲୋକ; ବରଂ ସେମାନଙ୍କ ମଧ୍ୟରେ ଅନେକ ଭଲ ଲୋକ ଅଛନ୍ତି । ସେମାନେ ଈଶ୍ୱରଙ୍କୁ ବିଶ୍ଵାସ କରୁନଥିଲେ ମଧ୍ୟ ସେମାନଙ୍କର ବିଚାର ଓ ଚଳଣି ନିର୍ମଳ ଓ ଶୁଦ୍ଧ । ସେମାନେ ମଣିଷର ମହାନତାରେ ବିଶ୍ୱାସ କରନ୍ତି । ସତ୍ୟ, ନୈତିକତା, ସଂଯମ, ସହନଶୀଳତା, ଦୟା, କ୍ଷମା, ଅହିଂସା ଓ ସମବେତ ଉଦ୍ୟମ ପ୍ରତି ସେମାନଙ୍କର ଅନୁରାଗ ରହିଛି । ସେମାନେ ଭାବନ୍ତି ଯେ ଭଗବାନ—ବିଶ୍ଵାସୀ ଅସତ୍ ମଣିଷଠାରୁ ଅବିଶ୍ଵାସୀ ସତ୍ ମଣିଷଟି ଢେର୍ ଭଲ । କାରଣ ଜଣେ ଭଲ ମଣିଷ ପରର ଉପକାର କରେ । କିନ୍ତୁ କାହାରି ଅନିଷ୍ଟ କରେ ନାହିଁ । ସେ ଆଇନ୍ ମାନି ଚଳେ । ସମାଜର ବିଧିବିଧାନ ମାନେ । ଏବଂ ସମାଜ ଓ ସଂଗଠନର କ୍ଷତି ନକରି ତାହାକୁ ଅଧିକ ସଂଗଠିତ କରିବା ପାଇଁ ନିଜ ସମୟରୁ କିଛି ଖର୍ଚ୍ଚ କରେ । ନିଜର ଭଲ ଅନୁଭବ ଓ ଉପଲବ୍ଧିଗୁଡ଼ିକୁ ସେ ଏକଚାଟିଆ ସମ୍ପତ୍ତି ନ ଭାବି ଅନ୍ୟମାନଙ୍କ ସହିତ ସେ ସବୁର ଆଦାନ ପ୍ରଦାନ କରେ।

 

ଗୋଟିଏ କଥା ମୁଁ କହିବାକୁ ଚାହେଁ ଯେ ଈଶ୍ଵର ଅଛନ୍ତି ଏବଂ ସବୁ କାଳରେ ରହିବେ । ଏହି ବିଶ୍ୱାସ ନେଇ ଅଧିକାଂଶ ଲୋକ ଜୀବନ ବଞ୍ଚୁଥିବାବେଳେ ସେମାନେ କେବେ ଭାବିବା ଉଚିତ ହେବ ନାହିଁ ଯେ ସେହିମାନେ ହିଁ ଠିକ୍ ବାଟରେ ଚାଲିଛନ୍ତି । ମୋ ମତରେ ବିଶ୍ୱାସୀ ଓ ଅବିଶ୍ଵାସୀ ଯିଏ ଯାହା ହେଉନା କାହିଁକି ସତ୍ୟ ଓ ନ୍ୟାୟ ପଥରେ ଚାଲିଥିବା ମଣିଷଟି ସବୁ ବିଶ୍ୱାସର ଉର୍ଦ୍ଧ୍ୱରେ-। ସେ ଭଗବାନଙ୍କୁ ନ ଡାକି ମଧ୍ୟ ତାଙ୍କର ଅଧିକ ନିକଟତର । ମଣିଷ ହେଉଛି ସବୁଠାରୁ ବଡ଼ ଶକ୍ତି-। କିନ୍ତୁ ତା’ଠାରୁ ବଡ଼ ଶକ୍ତି ହେଉଛନ୍ତି “ଈଶ୍ୱର’ । ଯେତେବେଳେ ଏହି ଦୁଇଟି ଶକ୍ତିର ସଂଯୋଗ ହୁଏ ସେତେବେଳେ ଜୀବନ ବଦଳିଯାଏ ଏବଂ ପୃଥିବୀ ମଧ୍ୟ ବଦଳି ଯାଏ । ଚଣ୍ଡୀଦାସ ଯଥାର୍ଥରେ କହିଛନ୍ତି ଯେ ‘‘ସବାର ଉପରେ ମାନୁଷ୍ ସତ୍ୟ, ତାହାର ଉପରେ ନାହିଁ ।” ସିରିଡ଼ି ସାଇବାବା କହିଛନ୍ତି ଯେ, ‘ସବକା ମାଲିକ ଏକା ହେ’—ଏହା ହିଁ ସତ୍ୟ ।

☆☆☆

 

ତରୁଣ ଭାରତର ଭବିଷ୍ୟତ

 

ଭାରତ ଗୋଟିଏ ମହାନ୍ ଦେଶ । ସଭ୍ୟତା ମଧ୍ୟ ପ୍ରାଚୀନ । କିନ୍ତୁ କହିଲେ ଖୁସି ଲାଗେ ଯେ ଏହି ପ୍ରାଚୀନ ଦେଶରେ ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ସତୁରି ଭାଗ (୭୦) ଭାରତୀୟମାନଙ୍କ ବୟସ ୩୫ ବର୍ଷ ମଧ୍ୟରେ । ଏହି ୭୦ କୋଟିଙ୍କ ମଧ୍ୟରେ ଅଛନ୍ତି ଶିଶୁ, କିଶୋର ଓ ତରୁଣ ଗୋଷ୍ଠୀ । ବାକି ୩୦ ଭାଗ ଲୋକଙ୍କର ବୟସ ୩୫ ବର୍ଷରୁ ଅଧିକ । ମୁଁ ଯେତେବେଳେ ୧୦ ବର୍ଷର ହୋଇଥିଲି ସେତେବେଳେ ଆମ ଗାଁର ୬୦ ବର୍ଷରୁ ବେଶି ବୟସର ଲୋକ କେହି ନ ଥିଲେ । ସେତେବେଳେ କୁହାଯାଉଥିଲା ଯେ, ‘କଳି ସଠା ଷାଠିଏ’ ଏହାର ଅର୍ଥ ହେଉଛି ଯେ, କଳିଯୁଗରେ ପରମାୟୁ ଷାଠିଏ ବର୍ଷ ମଧ୍ୟରେ । କଳିଯୁଗ ଯେ ଶେଷ ହୋଇଛି ତାହା ମୁଁ କହୁନାହିଁ, କିନ୍ତୁ ଦେଶର ପ୍ରାୟ ୩୦ କୋଟି ଲୋକ ହେଉଛନ୍ତି ୩୫ ବର୍ଷରୁ ଅଧିକ ବୟସର । ଏବେ ହାରାହାରି ବୟସ ହେଉଛି ୬୫ । ମୋ ବୟସ ତ ୭୦ କୁ ଛୁଇଁଲାଣି । ୬୫ ବର୍ଷରୁ ଅଧିକ ବୟସ ହୋଇଥିବା ଲୋକସଂଖ୍ୟା ୭ କୋଟି ବୋଲି ପ୍ରକାଶ ପାଇଛି ।

 

ଏହି ବୁଢ଼ାଲୋକମାନଙ୍କୁ ନେଇ କ’ଣ କରାଯିବ ସେଥିପାଇଁ ଏବେ ଚିନ୍ତା କରାଯାଉଛି । ପରମାୟୁ ଯେମିତି ବଢ଼ିଛି ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ମଧ୍ୟ ସେହିପରି ବଢ଼ିଛି । ଶର୍ଦ୍ଦି, କାଶ, ପେଟରୋଗ ଠାରୁ ଆରମ୍ଭ କରି ମ୍ୟାଲେରିଆ, ଟାଇଫଏଡ଼ ଯାହା ହେଲେ ବି ଗାଁ ଲୋକମାନେ ଡାକ୍ତର ପାଖକୁ ଯାଆନ୍ତି । ସହରରେ ତ ଅନେକ ସୁବିଧା । ବୟସ୍କ ଲୋକମାନଙ୍କ ସଂଖ୍ୟା ତୁଳନାରେ କିଶୋର ଓ ଯୁବକମାନଙ୍କର ସଂଖ୍ୟା ଅନେକ ବେଶି । ଗତ ୨୫ ବର୍ଷ ମଧ୍ୟରେ ଆମ ପ୍ରାଚୀନ ଦେଶର ଲୋକମାନଙ୍କ ଚଳଣିରେ ଅନେକ ନୂଆ ଉପାଦାନ ଫୁଟିଉଠିଛି । ଭାରତବର୍ଷର ଲୋକମାନେ ରକ୍ଷଣଶୀଳ ବୋଲି ଧାରଣା କରାଯାଏ । ଏବେବି ଯେ ସେମାନେ ପାଶ୍ଚାତ୍ୟର ସବୁ ଚଳଣିକୁ ସ୍ଵାଗତ କରୁଛନ୍ତି ତାହା ନୁହେଁ । କିନ୍ତୁ ପୂର୍ବ ଅପେକ୍ଷା ଆମ ଦେଶର ନୂତନ ପିଢ଼ିର ପିଲାଙ୍କ ଚିନ୍ତା, ଭାବନା ଓ ଚଳଣିରେ ଯେ ତୁମୂଳ ପରିବର୍ତ୍ତନ ହୋଇଛି ଏହା ପାଠକମାନେ ନିଶ୍ଚୟ ସ୍ୱୀକାର କରିବେ ।

 

ଜନ ସଂଖ୍ୟାର ଅଧେ ଲୋକ ତରୁଣ । ସେମାନଙ୍କ ଆଖିରେ ନୂତନ ଆଶା । ମନରେ ନୂତନ ଆକାଂକ୍ଷା । ସେମାନେ କିଛିନା କିଛି କରିବାକୁ ଚାହାନ୍ତି । ସେମାନଙ୍କ ଗତି ଓ ଅଭ୍ୟାସରେ ଚଞ୍ଚଳତା ଫୁଟିଉଠୁଛି । ମା’ବାପାମାନେ ପୁଅଝିଅଙ୍କ ହାବଭାବ ଦେଖି ଚମକି ପଡ଼ୁଛନ୍ତି । ବୟସକୁ ଚାହିଁ ସେମାନଙ୍କର ଚଳଣି ଦେଖି ଆମ ବୟସର ବୁଢ଼ାବୁଢ଼ୀମାନେ ଭାବନ୍ତି ଇଏ କଳିଯୁଗର ଲକ୍ଷଣ-। କିନ୍ତୁ ମୁଁ କହିବି ଯେ, ଏହା ହିଁ ସ୍ଵାଭାବିକ । ସତ୍ୟଯୁଗ ଆମେ ଦେଖିନାହୁଁ । କିନ୍ତୁ ଆମ ଆଖି ଆଗରେ କଳିଯୁଗର ରୂପ ଝଲମଲ କରୁଛି । ସେହି ଝଲମଲ ରୂପ ଆଗରେ କଳିଯୁଗର ମନ୍ଦ ପ୍ରଭାବ ଲୁଚିଯାଉଛି । କିଶୋର ଓ ତରୁଣମାନଙ୍କ ମନ ସଦା ଛନଛନ । ସେମାନେ ନୂଆ କଥା ଜାଣିବାକୁ ଚାହାନ୍ତି । କାମ କରିବାର ନୂଆ କୌଶଳ ଶିଖିବା ପାଇଁ ସେମାନଙ୍କ ମନ ଖଲବଲ ହୁଏ-। ଏହି ଜାଣିବାର ଇଚ୍ଛା ଓ ପ୍ରଶ୍ନ ପଚାରିବାର ସାହସ ଯୋଗୁଁ ତରୁଣ ଭାରତକୁ ଆଜି ପୃଥିବୀରେ ସ୍ୱାଗତ କରାଯାଉଛି ।

 

ଆମର ବୟସ୍କମାନଙ୍କର ଭାବନାରେ ପୂର୍ବକାଳର ପ୍ରଜ୍ଞା ଓ ସହନଶୀଳତା ବର୍ତ୍ତମାନ ସହିତ ସେମାନେ ବୁଝାମଣା କରିନେଇଛନ୍ତି । ତେଣୁ ଯୁବକ ଯୁବତୀମାନେ ଦିନ ଦିପହରେ ହାତ ଧରାଧରି ହୋଇ ଯେତେବେଳେ କଲେଜରୁ ବାହାରି ଆସନ୍ତି, ବଜାର ବା ସିନେମା ବା ଥିଏଟରକୁ ଯାଆନ୍ତି ସେତେବେଳେ । ଆଗପରି ଆଉ କେହି ନାକଟେକୁ ନାହାନ୍ତି । ପରସ୍ପରର ସାନ୍ନିଧ୍ୟ ପାଇ ସେମାନେ ପ୍ରସନ୍ନ ଓ ପୁଲକିତ । ସେମାନଙ୍କ କଥାଭାଷା, ଫେସନ, ଖାଦ୍ୟପେୟ, ରୁଚି ଓ ଭଲପାଇବାରେ ଟହଟହ ତାରୁଣ୍ୟର ଭାବ । ଏହି କାରଣରୁ ସାତକୋଟି ବୁଢ଼ାଲୋକଙ୍କ ମନରେ ବେଳେବେଳେ ବିସ୍ମୟ ଜାଗେ ଯେ, ପୃଥିବୀ କେଡ଼େ ବେଗରେ ବଦଳି ଯାଉଛି । ପୂର୍ବକାଳରେ ୪୦ ବର୍ଷ ପରେ ଜଣେ ବୁଢ଼ା ହୋଇଯାଉଥିଲା । ଏବେତ ୬୫ ବର୍ଷ ଅତିକ୍ରମ ନ କଲେ କେହି ବୁଢ଼ା ବା ବୁଢ଼ୀ ବୋଲି ମନେ କରୁନାହାନ୍ତି । ଆମ ଦେଶରେ ଯଦି ୩୫ ବର୍ଷ ମଧ୍ୟରେ ୭୦ ଭାଗ ଲୋକ ଅଛନ୍ତି ଏବଂ ୬୫ ରୁ ଅଧିକ ବୟସ୍କ ୭ କୋଟି ଅଛନ୍ତି ତେବେ ବାକିତକ ଲୋକ ହେଉଛନ୍ତି ୩୬ ବର୍ଷ ଓ ପଞ୍ଚଷଠୀ ବର୍ଷ ମଧ୍ୟରେ । ଯେଉଁମାନଙ୍କର ବୟସ ୪୫ ଭିତରେ ଅଛି ସେମାନଙ୍କୁ ଯୁବକ କୁହାଯାଇପାରେ । ୪୫ ରୁ ୬୦ ଭିତରେ ଥିବା ଲୋକଙ୍କୁ ପ୍ରୈାଢ଼ କହିଲେ ମୋର ବିଶ୍ୱାସ ସେମାନେ ବିରକ୍ତ ହେବେନାହିଁ । ୬୦ ବର୍ଷ ଉପରେ ବୁଢ଼ାବୁଢ଼ୀଙ୍କ ଦୁନିଆ ।

 

ମଣିଷ ଗୋଟିଏ ସାମାଜିକ ପ୍ରାଣୀ । କିନ୍ତୁ ଅଧିକାଂଶ ପ୍ରାଣୀଙ୍କର ସଂଗଠନ ଶକ୍ତି ଥିବାବେଳେ ମଣିଷ ପରି ସେମାନଙ୍କର ଜାଣିବାର ଇଚ୍ଛା, ଅନୁସନ୍ଧାନ କରିବାର ଆଗ୍ରହ ଏବଂ ସିଦ୍ଧାନ୍ତରେ ଉପନୀତ ହେବା ବାସନା ଏତେ ପ୍ରବଳ ନୁହେଁ କି ପ୍ରଖର ନୁହେଁ । ଭଲ ଓ ମନ୍ଦ ମଧ୍ୟରେ ପାର୍ଥକ୍ୟ ବୁଝିବାର ଶକ୍ତି ଓ ବିଚାର କରିବାର ବୁଦ୍ଧି ଓ ବିବେକ ଭଗବାନ କେବଳ ମଣିଷକୁ ଦେଇଛନ୍ତି । ଘରେ ବେଶି ସଂଖ୍ୟକ କିଶୋର ଓ ତରୁଣ ବାସ କରୁଥିବାରୁ ଜ୍ଞାନ ଅର୍ଜନ କରିବାର ନିଶା ଏତେ ପ୍ରବଳ । ଶାରିରୀକ ସୁଖ ଭୋଗ କରିବା ପାଇଁ ଯୋଗ, ଖେଳ, କସରତ ଯେପରି ଆଦୃତ ହେଉଛି ମନର ଉନ୍ମୁଖତାକୁ ଆହୁରି ତେଜିଆନ୍ କରିବା ପାଇଁ କେତେପ୍ରକାର ଆମୋଦ, ପ୍ରମୋଦ, ପୋଷାକ, ପରିପାଟି, ରୁଚି ଓ ଫେସନ ଡିଜାଇନର ଅଭ୍ୟସ, ଯନ୍ତ୍ରକୁ ମାଧ୍ୟମ କରି ଖେଳିବାର ପଦ୍ଧତି ମଧ୍ୟ ବଢୁଛି । ପଦ୍ମ ଫୁଟିଲେ ପୋଖରୀର ତାରୁଣ୍ୟ ଯେପରି ଝଲସି ଉଠେ, ଏବେ ଭାରତବର୍ଷରେ କିଶୋର ଓ ଯୁବକ ଯୁବତୀମାନଙ୍କର ସମାରୋହ ଦେଖିଲେ ମନ ସେହିପରି ପୁଲକିତ ହୁଏ । ଜାତିଆଣ ଭାବ, ଧର୍ମୀୟ ବିଭାଜନ, ଭାଷା ଓ ସଂସ୍କୃତିର ପାର୍ଥକ୍ୟ ଆଜି ଆଉ ଆଖିକୁ ବଡ଼ ଦିଶୁନାହିଁ । ଜାତିଜାତି ମଧ୍ୟରେ ଓ ଧର୍ମ, ଧର୍ମ ମଧ୍ୟରେ, ଭାଷା ଓ ଭାଷା ମଧ୍ୟରେ ଯେତେସବୁ ପାର୍ଥକ୍ୟ ଥିଲା ତାହା ପୂରାପୂରି ଦୂର ହୋଇଯାଇ ନ ଥିଲେ ବି ମଣିଷ ଜାତି ପରସ୍ପରର ନିକଟତର ହେଉଛି ।

 

ଭାରତର ଦକ୍ଷିଣରେ ହିନ୍ଦୀ ବିରୋଧୀ ଆନ୍ଦୋଳନ କେଉଁଦିନୁ ବନ୍ଦ ହୋଇଗଲାଣି । ଅଯୋଧ୍ୟାରେ ଶ୍ରୀରାମଙ୍କ ରାମ ମନ୍ଦିର ନିର୍ମାଣ ନେଇ ଆଉ ସଂଘର୍ଷ ହେଉନାହିଁ । ହିନ୍ଦୁ ଓ ମୁସଲମାନ ଭାଇ ଭାଇ ପରି ଚଳିଗଲେଣି । ସାଲବେଗଙ୍କର ଜଣାଣ ଓ ଭଜନ ଆଜି ଶ୍ରୀକ୍ଷେତ୍ର ପୁରୀ ବାହାରେ ମଧ୍ୟ ଲୋକଙ୍କୁ ମୁଗ୍ଧ, ମୋହିତ କରୁଛି । ଶାହାରୁଖ ଖାଁ ଚଳଚ୍ଚିତ୍ର ଜଗତର ବାଦ୍‌ଶାହା । ଆମ ରାଷ୍ଟ୍ରପତି ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ନେତା । ସୋନିଆ ଗାନ୍ଧି ଇଟାଲୀରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ଭାରତକୁ ବୋହୂ ହୋଇ ଆସିଲାପରେ କେତେ ଶୀଘ୍ର ଭାରତର ପାଣିପବନକୁ ନିଜର କରିନେଲେ ତାହା ଆଜି ସମସ୍ତଙ୍କୁ ଚମତ୍କୃତ କରିଛି । ଦଲାଇଲାମା ବୌଦ୍ଧମାନଙ୍କର ଗୁରୁ ଏବଂ ତିଦ୍ଧତରୁ ପଳାଇ ଆସି ଏ ଦେଶରେ ରହିଯାଇଛନ୍ତି । ଲୋକମାନେ ଭାବନ୍ତି ଯେ, ସେ ଆମ ଭିତରୁ ଜଣେ । କାଶ୍ମୀରରେ ଆତଙ୍କବାଦୀମାନଙ୍କ ସହିତ ସେନାବାହିନୀର ସଂଘର୍ଷ ହେଉଛି । ଦେଶ ସପକ୍ଷରେ ସେହି ସଂଘର୍ଷରେ ଲଢ଼ିବା ପାଇଁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ୍ ସୈନିକମାନେ କାନ୍ଧକୁ କାନ୍ଧ ମିଳାଇ ଲଢୁଛନ୍ତି । ସନାତନ ଭାରତବର୍ଷରେ ଧର୍ମ ଓ ଭାଷା ଯେପରି ବିଭାଜନର କାରଣ ହୋଇନଥିଲା ଏବେବି ତାହା ଆଉ ବିଭେଦର କାରଣ ହୋଇ ରହିନାହିଁ । ଜାତୀୟ ଜୀବନରେ ଧର୍ମ ନିରପେକ୍ଷତାର ସ୍ଫୁର୍ତ୍ତି ଅଥଚ ଭାରତୀୟମାନେ ଧର୍ମକୁ ବିସର୍ଜନ କରିନାହାନ୍ତି । ଧର୍ମ ବ୍ୟକ୍ତିଗତ ଜୀବନର ମାର୍ଗ ହୋଇ ରହିଛି ।

 

ଗତ ୨୫ ବର୍ଷ ମଧ୍ୟରେ ଭାରତବର୍ଷ କିପରି ବଦଳିଯାଇଛି ଓ ଯାଉଛି ତାହା ଦେଖି ମୁଁ ବିସ୍ମୟରେ ବୁଡ଼ିଯାଏ । ବଣ ଜଙ୍ଗଲରେ ଯୁଗ ଯୁଗ ଧରି ରହି ଆସିଥିବା ଆଦିବାସୀମାନେ ଆଉ ସବୁ ଅନ୍ୟାୟ ସହି ମାଟି କାମୁଡ଼ି ପଡ଼ିରହିବାକୁ ଚାହାନ୍ତି ନାହି । ସେମାନେ ଉଠିଲେଣି ଏବଂ ଜାଗିଲେଣି, ସେମାନଙ୍କର ଦାବି ଆଗରେ ଝୁଙ୍କିଲେ ସରକାର କଳିଙ୍ଗନଗର ଘଟଣାପରେ । ଯେଉଁମାନେ ଦୀର୍ଘକାଳ ଧରି ଜାତି, ଗୋତ୍ର, ବିଭାଜନରୁ ପଛରେ ପଡ଼ିଥିଲେ ସେମାନଙ୍କୁ ଆଗକୁ ଆଣିବା ପାଇଁ କେବଳ ସରକାର ଉଦ୍ୟମ କରୁନାହାନ୍ତି, ଲୋକଶକ୍ତି ମଧ୍ୟ ଏହି ଅଭିଯାନରେ ଯୋଗଦେଇଛି । ଅନେକ ହୋଇଛି କିନ୍ତୁ ଅନେକ କରିବାକୁ ବାକି ଅଛି । ଗ୍ରାମଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ନ୍ୟାୟ ପାଇବା ପାଇଁ ମହିଳାମାନେ ଦାବି ଜଣାଇଛନ୍ତି । ଦାଣ୍ଡରେ, ଟ୍ରେନରେ, ବସରେ ଏକାକିନୀ କର୍ମସ୍ଥଳକୁ ଯାଉଛନ୍ତି । ଚାକିରି ବ୍ୟବସାୟ ଓ ଶିଳ୍ପକ୍ଷେତ୍ରରେ ଆଜି ସେମାନଙ୍କର ପ୍ରତିଭା ଫୁଟି ଦିଶୁଛି । ପାଚେରୀ ଘେରା ଉଆସ ଭିତରେ ଆଉ ସେମାନେ ବନ୍ଦୀ ହୋଇ ରହିବାକୁ ଚାହାନ୍ତି ନାହିଁ । ସେହିପରି ଆଗକୁ ଯିବା ରାସ୍ତାରେ ଯେତେସବୁ ପ୍ରତିବନ୍ଧକ ଥିଲା ତାହା ଭାଙ୍ଗି ରାସ୍ତାକୁ ସମତଳ କରାଯାଉଛି । କିଶୋର ଓ ଯୁବକମାନଙ୍କର ଆଖିରେ ପ୍ରଶ୍ନ ପଚାରିବାର ଇଚ୍ଛା, ସେମାନେ ବଣ ବିଲ କାନ୍ତାର ସମୁଦ୍ର ପାର ହୋଇ ଚନ୍ଦ୍ର ଯାନରେ ମହାକାଶକୁ ଯିବା ପାଇଁ ଅପେକ୍ଷା କରୁଛନ୍ତି-। ସେମାନେ ଜ୍ଞାନ, ବିଜ୍ଞାନ ଓ କର୍ମକୌଶଳ, ଆୟତ୍ତ କରି ପୃଥିବୀରେ ଦେଶର ଟେକ ରଖିବା ପାଇଁ ସାରା ଦୁନିଆରେ ଖେଦିଗଲେଣି । ଭାରତରୁ ଦାରିଦ୍ର୍ୟ ଯାଇନଥିଲେ ମଧ୍ୟ ଆଉ ଗରିବ ଭାରତ ବୋଲି କେହି କହୁନାହାନ୍ତି । ବରଂ କହୁଛନ୍ତି ଯେ, ଭାରତ ଓ ଚୀନ ପୃଥିବୀର ସବୁଠାରୁ ବେଶି ଶକ୍ତିଶାଳୀ ଦେଶ ହେବେ । କୋଟିପତିମାନଙ୍କ ସଂଖ୍ୟା ଯେପରି ବଢ଼ି ଚାଲିଛି ସେହିପରି ମ୍ୟାନେଜମେଣ୍ଟ ଓ ପ୍ରଯୁକ୍ତି ବିଶେଷଜ୍ଞମାନଙ୍କ ସଂଖ୍ୟା ବି ବଢ଼ୁଛି । ଅନେକ ଦେଶରେ ଧର୍ମ ବିଶ୍ୱାସ ଓ ପୂଜାପ୍ରାର୍ଥନା କମୁଥିବାବେଳେ ଭାରତରେ ତାହା ପୂର୍ବବତ୍ ବା ତା’ଠାରୁ ଅଧିକ ହେଉଛି-

 

ଭଲ ଲାଗୁଛି ଏସବୁ କଥା ଦେଖିବା ପାଇଁ ଓ ଶୁଣିବା ପାଇଁ । ତରୁଣ ଭାରତର ଦିଗ ଚହଟା ରୂପ ମଧ୍ୟାହ୍ନର ଆଲୋକରେ ଉଜ୍ଜ୍ୱଳି ଉଠୁଛି । ତେଣୁ କେଉଁଠି କିଏ ଟିକେ ବେଶି ବିଶୃଙ୍ଖଳ ହୋଇଗଲା ସେହି ପ୍ରସଙ୍ଗକୁ ନେଇ ଅଯଥା ଅଶାନ୍ତ ହେଲେ ନିଜେ ସିନା କଷ୍ଟ ପାଇବ, ସେହି ଜୁଆର ଆସିବ ହିଁ ଆସିବ । ବିଶୃଙ୍ଖଳା ଚିହ୍ନ ବେଳେ ବେଳେ ବଢ଼ି ଯାଉଥିଲା ପରି ଲାଗୁଛି । କିନ୍ତୁ ତାହା ଥମିଯିବ ସମୟ କ୍ରମେ । ଯୁବଭାରତ ଆଗକୁ ଯିବା ପାଇଁ ଦୃଢ଼ ସଂକଳ୍ପ । ଏହା ହିଁ ନିୟତିର ଇଚ୍ଛା । ଶ୍ରୀ ଅରବିନ୍ଦ କହିଥିଲେ ଯେ, ‘ଭାରତ ପୃଥିବୀକୁ ଆଲୋକ ଦେଖାଇବ’—ତେଣୁ ଅଜ୍ଞତା କୁସଂସ୍କାର କୁଶିକ୍ଷା ଦୂର କରିବା ପାଇଁ ଦୃଢ଼ ସଂକଳ୍ପ କରିବାକୁ ହେବ । ଏ କାମ ଦେଶବାସୀଙ୍କର । ସନାତନ ଭାରତବର୍ଷ ଧର୍ମୀୟ ଉଦାରତା, ଉଚ୍ଚ ମାନବିକତା ଏବଂ ପ୍ରଜ୍ଞା ଫେରି ପାଇବା ପାଇଁ ପୁଣି ଆଉଥରେ ତପସ୍ୟା କରିବାକୁ ହେବ । ନବଯୁଗ ଆସୁଛି ବୋଲି ଶ୍ରୀ ଅରବିନ୍ଦ ଘୋଷଣା କରିସାରିଛନ୍ତି । ମଣିଷର ଦିବ୍ୟ ରୂପାନ୍ତର ଯେ ଦିନେନା ଦିନେ ହେବ ସେହି ବିଶ୍ବାସ ଆଜି ସ୍ପନ୍ଦନ ସୃଷ୍ଟି କରୁଛି ପ୍ରାଣରେ । ଧର୍ମ ଓ ଜାତିଭେଦ, କୁସଂସ୍କାର, ଅଜ୍ଞତା ଓ ମୂଢ଼ତା ପରିତ୍ୟାଗ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି ନିରନ୍ତର ଅଭିଯାନରେ ଶହେକୋଟି ଭାରତୀୟଙ୍କର ଅବଦାନ ରହିବ । କିନ୍ତୁ କିଶୋର ଓ ତରୁଣ ଭାରତୀୟଙ୍କର ଦୁଃସାହସ ସେମାନଙ୍କୁ ନେଇଯିବ ଆହୁରି ଆଗକୁ ଏବଂ ଆଗକୁ । ଏହି ଆଗକୁ ଯିବାର ପ୍ରବାହ ଆଉ ବନ୍ଦ ହେବନାହିଁ । ଭାରତର ପ୍ରାଣରେ ଏବଂ ଭାରତୀୟମାନଙ୍କର ଆଚରଣରେ ମହାଯୋଗୀଙ୍କର ଆଶାର ଅଭିବ୍ୟକ୍ତି ଉଜ୍ଜ୍ୱଳ ଦିଶୁଛି । କୋଟି କୋଟି ଶିଶୁଙ୍କର ହସରେ ଏକ ନୂତନ ଭାରତ ଜନ୍ମଗ୍ରହଣ କରୁଛି । ପୋଖରୀରେ ପଦ୍ମଫୁଟିଲେ ଯେପରି ଚଉଦିଗ ଉଭାସିତ ହୁଏ ସେହିପରି ଭାରତର ଭାଗ୍ୟରେଖା ଯେ ଆହୁରି ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହେବ ଏଥିରେ କୌଣସି ସଂଶୟ ନାହି । ଯୁବକମାନଙ୍କ ସର୍ଜନାତ୍ମକତା ଓ ସକ୍ରିୟତା ଅନ୍ୟମାନଙ୍କ ଅପେକ୍ଷା ଅଧୁକ । । ଦେଶର ୭୦ ଭାଗ ଲୋକ ୧ରୁ ୩୫ ବର୍ଷ ମଧ୍ୟରେ ଥିବାରୁ ଅସାଧ୍ୟ ସାଧନ କରିବା ପାଇଁ ଉଚ୍ଚାଶା ଯୁବାପ୍ରାଣକୁ ଉଲ୍ଲସିତ କରିବା ସ୍ୱାଭାବିକ । ଚାନ୍ଦ ଆଉ ରୂପକଥା ବା କବିତାର ବିଷୟ ହୋଇ ରହିନାହିଁ । ଚନ୍ଦ୍ରଯାନ ଯୁବକମାନଙ୍କୁ ନେଇ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ଦିନ ପାଖ ହୋଇଆସିଲାଣି ।

☆☆☆

 

ଲକ୍ଷ୍ମୀପୁରାଣର ଅମର କଥା

 

ଓଡ଼ିଶାରୁ ଜାତିଭେଦ ଲୋପ ପାଇନାହିଁ । ଏବେ ବି ସବର୍ଣ୍ଣ ଓ ଅସବର୍ଣ୍ଣମାନଙ୍କ ମଧ୍ୟରେ ବିବାଦ ଲାଗିରହିଛି । ଅଳ୍ପ କେତେଦିନ ପୂର୍ବେ ଦଳେ ସବର୍ଣ୍ଣ ଅସବର୍ଣ୍ଣମାନଙ୍କ ଘରସବୁ ପୋଡ଼ି ଦେଲେ ପ୍ରତିଶୋଧ ନବା ପାଇଁ । ଅସବର୍ଣ୍ଣ ଜଣେ ଉଚ୍ଚଜାତିର ଲୋକମାନଙ୍କ ଆଗରେ ସିଧା ହୋଇ ଛିଡ଼ା ହେବନାହିଁ, ବ୍ରାହ୍ମଣ ଶାସନ ଭିତର ଦେଇ ହରିଜନ ଝିଅଟିଏ ସାଇକଲ ଚଢ଼ି ପାଠ ପଢ଼ିବାକୁ କଲେଜ ଯାଇପାରିବ ନାହିଁ । ଏବେ ବି ହରିଜନମାନଙ୍କୁ ସେମାନଙ୍କ କୂଅରୁ ପାଣି ନବା ପାଇଁ ଦିଅନ୍ତି ନାହିଁ ଉଚ୍ଚ ଜାତିର ଲୋକ । ଏଇ ଜାତିଭେଦ ପ୍ରଥା ମନୁ ସୃଷ୍ଟିକରି ନ ଥିଲେ । ସେ ବିଦ୍ୟାବୁଦ୍ଧି ଶକ୍ତି ଅନୁସାରେ କାମ ବାଣ୍ଟି ଦେଇଥିଲେ । ଚାରିବର୍ଣ୍ଣର ସୃଷ୍ଟି ହୋଇଥିଲା ସମାଜ ଓ ରାଷ୍ଟ୍ର ପରିଚାଳନାରେ ଶୃଙ୍ଖଳା ରକ୍ଷା କରିବା ପାଇଁ । କିନ୍ତୁ ପାଞ୍ଚ ହଜାର ବର୍ଷର ଇତିହାସ ପଢ଼ିଲେ ଆମେ ଜାଣିବା ଯେ କାଳକ୍ରମେ ଚାରିବର୍ଣ୍ଣରୁ ହଜାର ହଜାର ଜାତିଗୋତ୍ର ସୃଷ୍ଟି ହେଲା ଏବଂ ତାହା ସହିତ ଉଚ୍ଚଜାତି ଓ ନିମ୍ନ ଜାତି ମଧ୍ୟ ସୃଷ୍ଟି ହେଲା । ଆମର ସମାଜ ବ୍ୟବସ୍ଥାରୁ ଏଇ ଜାତିଭେଦ ପ୍ରଥା ଲୋପ ପାଇନାହିଁ । ସମ୍ବିଧାନ ଅଛୁଆଁ ପ୍ରଥାକୁ ଉଠାଇ ଦେଇଛି । କିନ୍ତୁ ଏବେ ବି ମନର ପରିବର୍ତ୍ତନ ହୋଇନାହିଁ । ଏବେ ବି ଅଛୁଆଁ ପ୍ରଥା ରହିଛି ।

 

ଦେଶ ସ୍ଵାଧୀନ ହେବାପରେ ଶିକ୍ଷା ଓ ସଚେତନତା ବଢ଼ିଛି । ଏହି କାରଣରୁ ସାମାଜିକ ଗତିଶୀଳତା ମଧ୍ୟ ବଢ଼ିଛି । ପାରମ୍ପରିକ ଧର୍ମ ବିଶ୍ଵାସ ଉପରେ ପ୍ରତିଷ୍ଠିତ ସମାଜ ଅନେକ ବଦଳି ଯାଇଛି । କୃଷି ପ୍ରଧାନ ସମାଜରେ ପୂର୍ବରୁ ଯେପରି ବଂଶାନୁକ୍ରମିକ ଭାବେ ଏକତ୍ର ରହିବାର ଅଭ୍ୟାସ ଥିଲା କୃଷି ସହିତ ବାଣିଜ୍ୟ ବ୍ୟବସାୟ ଓ ଚାକିରି କରିବାର ମାନସିକତାରେ ପରିବର୍ତ୍ତନ ହୋଇଥିବାରୁ ଯୌଥ ପରିବାର ଭାଙ୍ଗିଯାଇଛି । ଏହା ସହିତ ଭାଙ୍ଗିଯାଇଛି ଚଳଣିର ସୀମାବଦ୍ଧତା । ବାପାମା’ଙ୍କ ତିନିପୁଅରୁ ଜଣେ କୃଷିକୁ ଆଦରି ରହିଯାଇଛି ତ ଆଉ ଜଣେ ବ୍ୟବସାୟ କରୁଛି ସହରରେ ଏବଂ ଆଉ ଜଣେ ଚାକିରି କରୁଛି ଦିଲ୍ଲୀରେ । ଝିଅମାନେ ବାହାହୋଇ ଓଡ଼ିଶା ବାହାରକୁ ଚାଲିଯାଇଛନ୍ତି । ଫଳରେ ସେମାନେ ଯେତେବେଳେ ପାରିବାରିକ ଉତ୍ସବ ବା ପର୍ବପର୍ବାଣୀରେ ଏକତ୍ର ହୁଅନ୍ତି ଚାରିପାଞ୍ଚୋଟି ସ୍ଥାନର ସଂସ୍କୃତିରେ ପ୍ରଭାବିତ ଭାଇ ଭଉଣୀ ଏକତ୍ର ରହିବା ବେଳେ ବିଭିନ୍ନ ଚଳଣି ମଧ୍ୟରେ ଥିବା ଅଛୁଆଁ ପ୍ରଥା ଭାଙ୍ଗିଯାଏ ଏବଂ ଗୋଟିଏ ଓଡ଼ିଆ ପରିବାରରେ ପଞ୍ଜାବୀ ଖାଦ୍ୟ, ଦକ୍ଷିଣ ଖାଦ୍ୟ ବିଦେଶୀ ବେଶପୋଷାକ ଇତ୍ୟାଦି ମଧ୍ୟ ଆଦୃତ ହୁଏ ।

 

ମୁଁ ପଚାଶ ବର୍ଷ ହେବ ଗାଁ ଛାଡ଼ିଲିଣି । ଏଇ ପଚାଶ ବର୍ଷ ପରେ ଯେତେବେଳେ ଗାଁକୁ ଯାଏ ମୋ ଆଖି ଆଗରେ ନାଚିଯାଏ ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନ ଦୃଶ୍ୟ । ସଂସ୍କାରକୁ ଜାବୋଡ଼ିଧରି ଅନ୍ୟ ସବୁକୁ ବିସର୍ଜନ ଦବାର ମାନସିକତା ଆଉ ପ୍ରାୟ ନାହିଁ । ବରଂ ଆମ ଦେଶର ସଂସ୍କାର ଓ ପାଶ୍ଚାତ୍ୟ ସଂସ୍କାର ମଧ୍ୟରେ ସଂହତି ସ୍ଥାପନ ହୋଇଛି । ଏଇ କାରଣରୁ ସାମାଜିକ ଚଳଣିରୁ ହଟକାରିତା କମିଯାଇଛି ଏବଂ ତା’ ସ୍ଥାନରେ ଉଦାରବାଦୀ ଚେତନା ଲୋକଜୀବନକୁ ଅଧିକ ପ୍ରଭାବିତ କରିଛି । ସମାଜରେ ଥିବା ସାମାଜିକ ସୀମାବଦ୍ଧତା ଭାଙ୍ଗିଗଲାଣି । ମୁଁ ପିଲାଥିଲାବେଳେ ମାଣବସା ଗୁରୁବାର ଲକ୍ଷ୍ମୀପୂଜା ଯେମିତି ନିରୋଳ ପବିତ୍ରତା ମଧ୍ୟରେ ହେଉଥିଲା ଏବେ ସେଥିରେ ପରିବର୍ତ୍ତନ ହୋଇଛି । ଚାରିଶହ ବର୍ଷ ପୂର୍ବେ ଲକ୍ଷ୍ମୀପୁରାଣର ରଚୟିତା ବଳରାମ ଦାସ ସାମାଜିକ ଜୀବନରୁ ଅସ୍ପୃଶ୍ୟତା ଦୂର କରିବା ନିମନ୍ତେ ଲୋକ ମନରେ ସଞ୍ଚାର କରିଥିବା ନୂଆ ଭାବନା ଏବେ ଅନେକ ପାଚେରୀ ଡେଇଁ ଆଗକୁ ଧାଇଁଛି । ବଳରାମ ଦାସ ସାହିତ୍ୟ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ପାଇଁ ସୃଷ୍ଟି କରିଥିବା କ୍ରାନ୍ତି ଆଜି ଯେ ଅନେକାଂଶରେ ସଫଳ ହୋଇଛି ଏହା ମୁଁ ଅଙ୍ଗେ ଅଙ୍ଗେ ଅନୁଭବ କରୁଛି । ପରଶ ଷାଠିଏ ବର୍ଷ ପୂର୍ବରୁ ଅଛୁଆଁ ଜାତିର ଲୋକ ବ୍ରାହ୍ମଣ ଶାସନକୁ ଆସିଲେ ସେମାନେ ପିଣ୍ଡାତଳେ ଛିଡ଼ା ହେଉଥିଲେ । ମନ୍ଦିର ଓ ପୂଜା ଉପାସନାଠାରୁ ଦୂରରେ ରହୁଥିଲେ । ଏବେ ଆଉ ସେଇ ଧାରା ନାହିଁ । ଆମ ଗାଁ ମୟୂରଭଞ୍ଜର ଆଦିବାସୀ ଅଞ୍ଚଳରେ । କିନ୍ତୁ ତଥାପି ସେଠାରେ ମଧ୍ୟ ଚେତନାର ଆଲୋକ ପହଞ୍ଚିଯାଇଛି । ଆଦିବାସୀ ଭାଇ ଭଉଣୀମାନେ ଅବାଧରେ ଘର ଭିତରେ ପ୍ରବେଶ କରନ୍ତି । ଅନ୍ୟାନ୍ୟ ନିମ୍ନଜାତିର ଲୋକଙ୍କୁ କୂଅରୁ ପାଣି ନବା ପାଇଁ ମନା ନାହିଁ ବା ପୁରୋହିତଙ୍କ ମାଧ୍ୟମରେ ପୂଜା କରିବା ବାରଣ ନାହିଁ । ଗୋଟିଏ ବେଞ୍ଚ୍ ଉପରେ ବ୍ରାହ୍ମଣ, ବାରିକ, ଆଦିବାସୀ ଏକତ୍ର ବସିବାର ଦେଖିଛି । ସେହିପରି ଫକ୍ତି ଭୋଜନରେ ପାଖାପାଖି ବସି ଖାଇବା ଦୃଶ୍ୟ ଦେଖିବାକୁ ଭଲ ଲାଗୁଛି । ସ୍ୱାଧୀନତା ପୂର୍ବରୁ ବ୍ରାହ୍ମଣ ପୁରୋହିତମାନେ ନିମ୍ନ ଜାତି ଲୋକଙ୍କ ପୁରୋହିତଗିରି କରୁନଥିଲେ । ଏବେ ସେଇ ପ୍ରଥା ଆଉ ନାହିଁ । ଫଳରେ କମାର, କୁମ୍ଭାର, ଗଉଡ଼, ବାରିକ, ବାଥୁଡ଼ି, ଶବରମାନଙ୍କ ବିବାହାଦି ଉତ୍ସବରେ ବ୍ରାହ୍ମଣମାନେ ପୁରୋହିତ କାମ କଲେଣି ।

 

ଅସ୍ପୃଶ୍ୟତା ଯଦି ଏବେ ବି କିଛି ପରିମାଣରେ ଅଛି ତାହା ହେଉଛି ସତ୍ୟକୁ ସାମ୍ନା କରିବାର ଦୁର୍ବଳତା । ଧର୍ମଶାସ୍ତ୍ର ସମସ୍ତଙ୍କ ପାଇଁ ସମାନ । କିନ୍ତୁ ପୁରାଣ ଯୁଗ ଓ ପରବର୍ତ୍ତୀ ସମୟରେ ଜାତି ପ୍ରଥା ପ୍ରବଳ ଥିଲା । ଦିନ ଏପରି ଥିଲା ଯେତେବେଳେ ବ୍ରାହ୍ମଣ ପାଖରେ ଶୂଦ୍ର ଚାଲିଗଲେ ସେ ଅଶୁଦ୍ଧ ହୋଇଗଲେ ଭାବି ସ୍ନାନ କରୁଥିଲେ । ଦେଉଳ ଭିତରକୁ ଶୂଦ୍ରମାନେ ପ୍ରବେଶ କଲେ ଦେବତାଙ୍କୁ ପୁଣି ସ୍ନାନ କରାଯାଉଥିଲା । ମାରା ହୋଇଥିବା ଭୋଗ ପୋତି ଦେଇ ପୁଣି ଭୋଗ ପ୍ରସ୍ତୁତ କରାଯାଉଥିଲା । ଶିକ୍ଷା ସହିତ ସଚେତନତା ବଢ଼ିଛି ଏବଂ ଯୌଥ ପରିବାର ଭାଙ୍ଗିବା ସହିତ ପାରିବାରିକ ଜୀବନରେ ଥିବା ସୀମାବଦ୍ଧତା ମଧ୍ୟ ଅନେକ ପରିମାଣରେ ଦୂର ହୋଇଛି । ଧର୍ମ, କ୍ରିୟା କର୍ମ ଉପରେ କେବଳ ନିର୍ଭର କରେ ନାହିଁ । ବରଂ ମନର ଶୁଦ୍ଧତା ସହିତ ଈଶ୍ୱରଙ୍କୁ ଅନ୍ୱେଷଣ କରିବା ଉପରେ ନିର୍ଭର କରେ । ହାଟ ଓ ବଜାରରେ, ମେଳା ମହୋତ୍ସବରେ ତ ସବୁ ଲୋକ ହାତ ଧରାଧରି ହୋଇ ବୁଲନ୍ତି, ଠେଲା ପେଲା ମଧ୍ୟରେ ଦିଅଁ ଦର୍ଶନ କରନ୍ତି, ପ୍ରସାଦ କ୍ରୟ କରନ୍ତି ବା ଶ୍ରୀମନ୍ଦିରର ଆନନ୍ଦବଜାରରେ ପାଖାପାଖି ବସି ମହାପ୍ରସାଦ ସେବନ କରନ୍ତି।

 

ଆଚାର ଓ ବିଚାରରେ ଏଇ ଯୁଗାନ୍ତକାରୀ ପରିବର୍ତ୍ତନ କିଏ ଆଣିବାରେ ସହାୟକ ହେଲେ ଯଦି ଏଇ ପ୍ରଶ୍ନ ପଚରା ଯାଏ ତେବେ ଗୋଟିଏ ସ୍ୱରରେ ଓଡ଼ିଶାର ଲୋକ କହିବେ ଯେ ଭକ୍ତକବି ସାଧକ ବଳରାମ ଦାସ । ଲକ୍ଷ୍ମୀପୁରାଣ ପରି ବହି ଲେଖି ସାହିତ୍ୟ ମାଧ୍ୟମରେ ଅସ୍ପୃଶ୍ୟତା ଦୂର କରିବା ପାଇଁ ସେ କରିଥିବା ମହାନ କାର୍ଯ୍ୟରୁ ଏହା ସମ୍ଭବ ହୋଇଛି । କାଳେ ସେ ପ୍ରବଚନ ମାଧ୍ୟମରେ କହିଲେ ଲୋକମାନେ ତାଙ୍କ କଥା ଗ୍ରହଣ କରିବେ ନାହିଁ ଏଥିପାଇଁ ସେ ଲକ୍ଷ୍ମୀପୁରାଣ ରଚନା କଲେ । ଶ୍ରୀୟା ଚଣ୍ଡାଳୁଣି ପରି ଗୋଟିଏ ମହାନ୍ ମହିୟସୀ ନାରୀ ଚରିତ୍ର ସୃଷ୍ଟି କଲେ ଏବଂ ମହାଲକ୍ଷ୍ମୀଙ୍କୁ ବ୍ୟବହାର କଲେ ସମାଜରୁ ଅସ୍ପୃଶ୍ୟତା ଦୂର କରିବା ସକାଶେ ନେତୃତ୍ୱ ନବା ପାଇଁ । ମହାଲକ୍ଷ୍ମୀ ଶ୍ରୀ, ଶକ୍ତି, ଧୃତୀ, କ୍ଷମାର ଦେବୀ । ନାରାୟଣ (ଜଗନ୍ନାଥ)ଙ୍କ ଗୃହିଣୀ । ସ୍ଵୟଂ ସୃଷ୍ଟିକର୍ତ୍ତାଙ୍କ ଗୃହିଣୀ ଯେଉଁ ନୀତି ନିୟମ ପାଳନ କରିବା ପାଇଁ କହିବେ ଜାତି ଗୋତ୍ର ନିର୍ବିଶେଷରେ ସମସ୍ତେ ସେଇକଥା ମାନିବେ । ମହାଲକ୍ଷ୍ମୀଙ୍କ ପୂଜା କରିବା ପାଇଁ ଲକ୍ଷ ଲକ୍ଷ ଗୃହିଣୀ ବ୍ରତ ପାଳନ କରୁଥିବାବେଳେ ସେ କାହିଁକି ଶ୍ରୀୟା ଚଣ୍ଡାଳୁଣି ଘରକୁ ଗଲେ ତାହା ହିଁ ହେଉଛି ମୂଳକଥା । ଧର୍ମୀୟ କର୍ମକାଣ୍ଡ, ଉପଚାର ଓ ଉପାସନା ବଡ଼ କଥା ନୁହେଁ; ବଡ଼କଥା ହେଉଛି ଏଇ ଯେ ଈଶ୍ୱରଙ୍କ ସୃଷ୍ଟିରେ ସମସ୍ତେ ସମାନ ହେଲେ ମଧ୍ୟ ମଣିଷ ସେମାନଙ୍କୁ ଭାଗ ଭାଗ କରି ନାମ, ଗୋତ୍ର, ଜାତି ଓ ଧର୍ମରେ ବାଣ୍ଟି ଦେଇଛି । ଈଶ୍ଵରଙ୍କ ପ୍ରତି ଆନୁଗତ୍ୟ, ଭକ୍ତି ଯେତେ ନାହି ଆଡ଼ମ୍ବର ଓ ଆଟୋପ, ସେତେ ଅଧିକ ହେବାରୁ ମା'ଲକ୍ଷ୍ମୀ ଆଉ କାହା ଘରେ ପାଦ ନ ପକାଇ ଶ୍ରୀୟା ଚଣ୍ଡାଳୁଣୀର ନିଷ୍ଠା, ଭକ୍ତି ଏବଂ ସମର୍ପଣ ଭାବ ଦେଖି ତାହାରି ଦୁଆରେ ପାଦ ପକାଇଲେ । କିନ୍ତୁ ବ୍ରାହ୍ମଣ ଘରକୁ ନଯାଇ ଚଣ୍ଡାଳ ଉଆଁସରେ ପାଦ ଦବା ଅର୍ଥ ବ୍ରାହ୍ମଣ ଘରଠାରୁ ଚଣ୍ଡାଳର ଘର ମଧ୍ୟ ଅଧିକ ପବିତ୍ର ହୋଇପାରେ । ପବିତ୍ରତା, ସରଳତା ଓ ସମର୍ପଣ ଯେଉଁଠି ଥାଏ ସେଠାରେ ମା’ ନିବାସ କରନ୍ତି । ଚଣ୍ଡାଳୁଣୀ ଧନ୍ୟ ହେଲା । ମା’ ମଧ୍ୟ ଯୁଗଯୁଗକୁ ଲୋକ ଶିକ୍ଷା ପାଇଁ ଆଦର୍ଶଟିଏ ରଖିଗଲେ ।

 

କିନ୍ତୁ ଲୋକଶିକ୍ଷା ପାଇଁ କବି ବଳରାମ ଦାସ ଉପାଖ୍ୟାନଟିଏ ସୃଷ୍ଟି କଲେ । ଜଣେ ନାରୀର ପୁଣି ଏଡ଼େ ଆସ୍ପର୍ଦ୍ଧା ଯେ ସାମାଜିକ ନିୟମଭାଙ୍ଗି ସେ ଚଣ୍ଡାଳ ଘରକୁ ଯିବ ? ବଡ଼ ଠାକୁରଙ୍କ ଆଜ୍ଞାରୁ ଜଗନ୍ନାଥେ ଲକ୍ଷ୍ମୀଠାକୁରାଣୀଙ୍କୁ ମନ୍ଦିରରୁ ବାହାର କରିଦେଲେ । ମା’ ଲକ୍ଷ୍ମୀ ବି କମ୍ ନୁହନ୍ତି । ସେ ଲୋକଶିକ୍ଷା ପାଇଁ ବ୍ରତ ଉପାସନା କରି ଅନ୍ୟତ୍ର ରହିଲେ । ତାଙ୍କର ଆଜ୍ଞାରୁ ଦୁଇ ଭାଇ ବାରବର୍ଷ ଧରି ବାରଦ୍ୱାର ଶୁଣ୍ଡିପିଣ୍ଡା ହେଲେ । ଅନ୍ନ ବା ଜଳ କିଛି ମିଳିଲା ନାହିଁ । ଶେଷରେ ଗୋଟିଏ ସ୍ଥାନରେ ଦୁଇଭାଇ ଚୁଲି ଜାଳି ହାଣ୍ଡି ବସାଇଲେ, କିନ୍ତୁ ନିଆଁ ଜଳିଲା ନାହିଁ । ରାଗରେ ବଳରାମ ହାଣ୍ଡି ଭାଙ୍ଗିଦେଲେ । କ୍ଷୁଧାରେ ଅସ୍ଥିର ଦୁଇଭାଇ ଆଉ ଗୋଟିଏ ଘରେ ପହଞ୍ଚିଲେ । ଅନ୍ନ ଜଳ ମିଳିଲା । ଶ୍ରୀମନ୍ଦିରରେ ଯେଉଁ ଅନ୍ନ ପିଠାପଣା ଖାଉଥିଲେ ମହାପ୍ରଭୁଙ୍କୁ ସେଇ ଖାଦ୍ୟ ମିଳିଲା । ଏ ଘର ଯେ ମହାଲକ୍ଷ୍ମୀଙ୍କର ପ୍ରମାଣ ପାଇଲେ ଦୁଇଭାଇ । ବଡ଼ଭାଇଙ୍କୁ ବୁଝାଇଲେ ସାନ ଭାଇ । ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀମନ୍ଦିରକୁ ଲେଉଟିବା ପାଇଁ ପ୍ରବର୍ତ୍ତାଇଲେ ଦୁହେଁ । ଶେଷରେ ରାଜି ହେଲେ ମା’ଲକ୍ଷ୍ମୀ କିନ୍ତୁ ସର୍ତ୍ତରେ–ବଡ଼ ଦେଉଳକୁ ମହାପ୍ରଭୁଙ୍କୁ ସ୍ଵାଗତ କରି ମହାଲକ୍ଷ୍ମୀ ସର୍ତ୍ତ ବାଢ଼ିଲେ—

 

“ଏତେ କରି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ । ଜଗତମାତା ବୋଇଲେ ତୁମ୍ଭେ କର ସତ୍ୟ-। ଚାଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ । ସମସ୍ତେ ଖାଇଣ ହସ୍ତ ଜଳେ ନଧୋଇବେ-। ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ । ବ୍ରାହ୍ମଣ ଖାଇ ହସ୍ତକୁ ମୁଣ୍ଡରେ ବୋଳିବେ । ଅନ୍ନ ଖାଇ ସର୍ବେ ମୁଣ୍ଡ ପୋଛୁଥିବେ ହସ୍ତ । ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ।। ହେଉ ହେଉ ବୋଲି ଆଜ୍ଞାଦେଲେ ମହାବାହୁ । ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମ୍ଭର ଯଶ ରହୁ ।” (ଲକ୍ଷ୍ମୀପୁରାଣ)

 

ଏହାପରେ ପାରିବାରିକ ଶୃଙ୍ଖଳା ରକ୍ଷା କରିବା ପାଇଁ କିପରି ସ୍ୱାମୀ ଓ ସ୍ତ୍ରୀ ଶୁଦ୍ଧ ଜୀବନଯାପନ କରିବେ ଏଥିପାଇଁ ମହାଲକ୍ଷ୍ମୀ ଅନେକ ନୀତି କଥା କହିଛନ୍ତି । ମାର୍ଗଶୀର ମାସ ମାଣବସା ଗୁରୁବାରମାନଙ୍କରେ ଲକ୍ଷ୍ମୀପୁରାଣ ପାଠକଲେ ସେସବୁ ନୀତିକଥା ମନେପଡ଼ିଯାଏ । ଓଡ଼ିଆ ଜାତିର ଜୀବନକଥା ଉଜ୍ଜ୍ୱଳ ହୋଇଛି କାରଣ ସେଥିରେ ଅଂଶଗ୍ରହଣ କରିଛନ୍ତି ଉଭୟ ମହାପ୍ରଭୁ ଜଗନ୍ନାଥ ଏବଂ ମହାଲକ୍ଷ୍ମୀ ଏବଂ ବଡ଼ଭାଇ ବଳଭଦ୍ର । ଲକ୍ଷ୍ମୀପୁରାଣରେ ରହିଥିବା ନୀତିକଥା ମାନି ପାଞ୍ଚଶହ ବର୍ଷ ହେଲା ଗୃହିଣୀମାନେ ଚଳି ଆସୁଛନ୍ତି । ରାଜା ପଣ୍ଡିତ ଯାହା କରି ନ ପାରିଲେ ଜଣେ କବି ତାହା କରି ପାରିଲେ । ଏହା ହେଉଛି ସାହିତ୍ୟର ଶକ୍ତି । ସାହିତ୍ୟ ମାଧ୍ୟମରେ ହିଁ ନୂତନ ଭାବନା ପ୍ରବାହିତ ହୁଏ ।

☆☆☆

 

Unknown

ଚିତ୍ର ପ୍ରତିମା ପରି ଦିଶୁ ସୁନ୍ଦର

 

ଜଗତୀକରଣର ହାୱା ଦେହରେ ବାଜିବା ପରେ ଅଥୟ ହେଉଛି ଜୀବନ । ସମାଜର ସତୁରି ପ୍ରତିଶତ ଲୋକଙ୍କ ଉପରେ ଲଦି ଦିଆଯାଇଛି ବାହାରୁ ଆମଦାନୀ କରାହୋଇଥିବା ସଂସ୍କୃତି ଓ ସାମଗ୍ରୀର ବୋଝ । ମୋର ଭାବନା ସବୁ ଓଲଟପାଲଟ ହୋଇଯାଇଛି । ମୋ ଚାରିପାଖର ପୃଥିବୀ ଏବଂ ମୋ ଚାରିପାଖରେ ଦେଖୁଥିବା ମୁହଁସବୁ ଏଇ ପନ୍ଦର ବର୍ଷ ମଧ୍ୟରେ କେତେ ବଦଳି ଗଲେଣି ଯେ ସେମାନଙ୍କୁ ଚିହ୍ନି ହେଉନାହିଁ । ମୁଁ ଯେତେବେଳେ ସେଇ ପୁରୁଣା ମୁହଁମାନଙ୍କୁ ଦେଖେ ମୋ ଆଖିରେ ପଡ଼େ ନାହିଁ ପୂର୍ବର ସରଳ ନିର୍ମଳ ହସ । କାନକୁ ଶୁଭେନାହିଁ ସେମାନଙ୍କର ମଧୁର ଡାକ । ସବୁ ଯେମିତି ବଦଳି ଯାଇଛି ଏଇ କେତେବର୍ଷ ଭିତରେ । ଚରିତ୍ର ସବୁ ଜଣାପଡ଼ନ୍ତି ପ୍ଲାଷ୍ଟିକ୍ କଣ୍ଢେଇ ପରି । ଦୂରରୁ ଦେଖିଲେ ଆଖି ଝଲସିଯାଏ, ମନ କୁରୁଳି ଉଠେ; କିନ୍ତୁ ପାଖକୁ ଆସିଲେ ଆଖି ମୁଦି ହୋଇଯାଏ, ମୁହଁ ଉପରେ । ବୋଳା ହୋଇଥିବା ପରସ୍ତ ପରସ୍ତ ପ୍ରସାଧନ ସାମଗ୍ରୀ ଦେଖି । ପୂର୍ବର ଖୋଲା ମେଲା ହସ ନାହିଁ, ଠୋ ଠା କଥା ଭିତରେ ପରକୁ ଆପଣେଇ ନବାର ଦରଦ ନାହିଁ । ସବୁ ଲୋକଦେଖାଣିଆ । ସବୁ କୃତ୍ରିମ । ଠିକ୍ ଯେମିତି ଚିତ୍ର ପ୍ରତିମା ପରି ସୁନ୍ଦର ଦିଶେ ପ୍ଲାଷ୍ଟିକ୍ କଣ୍ଢେଇ ।

 

ବାରିପଦାରୁ ଭୁବନେଶ୍ୱର ୨୫୦ କିଲୋମିଟର ବାଟ । କିନ୍ତୁ ଏକବିଂଶ ଶତାବ୍ଦୀରେ ଏଇ ଦୂରତ୍ୱ କିଛି ନୁହେଁ । ବିମାନରେ ଗଲେ ପନ୍ଦର ମିନିଟ୍ ଲାଗିବ । କାରରେ ଗଲେ ପାଞ୍ଚଘଣ୍ଟା । ବସରେ ସାତଘଣ୍ଟା କିନ୍ତୁ ମୋ ଗାଁର ମଣିଷମାନଙ୍କଠାରୁ ରାଜଧାନୀର ମଣିଷମାନେ କେଡ଼େ ଭିନ୍ନ ପ୍ରକାର । ଝିଅମାନଙ୍କୁ ଦେଖି ଖୁସି ଲାଗେ ଯେ ସେମାନେ ଅର୍ଗଳ ଭାଙ୍ଗି ନୂତନ ପୃଥିବୀର ନାଗରିକ ହେବାପାଇଁ ପ୍ରସ୍ତୁତ ହୋଇଗଲେଣି । କିନ୍ତୁ ପାଖରୁ ସେମାନଙ୍କୁ ଯେତିକି ଦେଖେ, ସେମାନଙ୍କ ସହିତ ଯେତେ ମିଶେ ସେତେ ମୋ ମନ ସଂକୁଚିତ ହୋଇଯାଏ ।

 

ଫୁଲ ଫୁଟିବା ମୁହୂର୍ତ୍ତ ଆସିବା ପୂର୍ବରୁ ବାଧ୍ୟ କରି ଯଦି କେହି କଢ଼ଟିକୁ ଫୁଟାଇଦେବା ପାଇଁ କସରତ କରେ ଯେମିତି ଦିଶିବ ସହରର ଅନେକ ମୁହଁ ସେହିପରି । ବିଉଟି ପାର୍ଲର ପ୍ରତି ଗଳିରେ । ରେସ୍ତାରାଁ, ବଡ଼ ବଡ଼ ହୋଟେଲ ପ୍ରଧାନ ରାସ୍ତାକଡ଼ରେ । ସନ୍ଧ୍ୟା ନଇଁବା କ୍ଷଣି ସହର ସୁନ୍ଦରୀର ଶୋଭା ଉଛୁଳି ଉଠେ । ମଡ଼େଲମାନଙ୍କୁ ଦେଖିବା ପାଇଁ ଭିଡ଼ ହୁଏ ହୋଟେଲରେ ।

 

ଆଲବମ୍‍ ଆର୍ଟିଷ୍ଟମାନଙ୍କ କଣ୍ଠସ୍ୱର ଶୁଣିବା ପାଇଁ ଠେଲାପେଲା ଲାଗିଯାଏ କ୍ଲବରେ । ମନ୍ଦିର ସାମ୍ନାରେ ବି ଲିପଷ୍ଟିକ୍ ଲଗା, ଜିନ୍ ପିନ୍ଧା ଝିଅ ବୋହୂ । ଶାଢ଼ି ଲୁଚିଗଲାଣି ୱାର୍ଡରୋବ୍ ଭିତରେ । ହୋଟେଲମାନଙ୍କରେ କକଟେଲ୍ ପାର୍ଟି । କାରଖାନା ବସାଇବା ପାଇଁ ରାଜଧାନୀକୁ ଆସିଥିବା ବଡ଼ ବଡ଼ କମ୍ପାନୀମାନଙ୍କ କର୍ମକର୍ତ୍ତା ଓ ପଦାକାରୀମାନଙ୍କ ଭିଡ଼ । ଡିନରରେ ଯୋଗଦେବା କେବେ ହୋଟେଲର ଏକାନ୍ତ ଚୁପ୍‍ଚାପ୍ ଗୋଟିଏ କୋଣରେ ଦର କଷାକଷି ଚାଲେ ବ୍ୟବସାୟୀ ଓ ପ୍ରଶାସକମାନଙ୍କ ମଧ୍ୟରେ ।

 

ମୁଁ ବାଟବଣା ହୋଇଯାଏ । କୋଉଠି ବସିବି ବା କୋଉଠିକି ଯିବି ଭାବି ପାରେ ନାହିଁ । ହାତରେ ପାନୀୟ ଧରି ଦୁଇଜଣ ମହିଳା ତିନିଜଣ ପୁରୁଷ ବନ୍ଧୁଙ୍କ ସହିତ ଖୁସିଗପରେ ମଜ୍ଜିଯାଇଥାନ୍ତି । ପୃଥିବୀର ଛାତ ଉପରେ ବସିଲେ ଯେମିତି ଉଲ୍ଲସିତ ହୁଏ ମନ ସେହିପରି ମନଉଲୁସା ଭାବ ବିନିମୟରେ ଉଛୁଳି ଉଠୁଥାଏ ପରିବେଶ ।

 

ଏକବିଂଶ ଶତାବ୍ଦୀର ଆରମ୍ଭ । ଜଗତୀକରଣ ପ୍ରକ୍ରିୟା ଚାଲିଛି । ଲୋକଙ୍କ ଅବସ୍ଥା ବଦଳୁଛି । ନିମ୍ନ ମଧ୍ୟବିତ୍ତମାନେ ମଧ୍ୟବିତ୍ତ ହେଉଥିବା ଦୃଶ୍ୟ ଏବଂ ମଧ୍ୟବିତ୍ତମାନେ କୋଟିପତି ଏବଂ କୋଟିପତିମାନେ ଅର୍ବୁଦପତି ହେଉଥିବାର ପ୍ରତିଯୋଗିତା ଦେଖି ଆଖି ଝଲସିଯାଏ । ମୋ ଗାଁର ଦୁଇ କିଲୋମିଟର ଦୂରରେ ଥିବା ସାନ୍ତାଳ, ଖଡ଼ିଆ, ହୋଓ, ମୁଣ୍ଡାଜାତିର ଝିଅ ପୁଅଙ୍କ କଥା ମନେପଡ଼େ । ମୁଁ ଆଠ ଦଶ ବରଷର ହୋଇଥିବାବେଳେ ମୋ ବୟସର ଝିଅ ପୁଅମାନେ ଲଙ୍ଗଳା ବୁଲୁଥିଲେ । ଏବେ ଫ୍ରକ୍ ବା ହାଫ୍ ପେଣ୍ଟ ପିନ୍ଧି ବୁଲୁଥିବା ଦେଖୁଛି । କିନ୍ତୁ ସେମାନେ ଦୁଇବେଳା ପେଟଭରି ଖାଇବାକୁ ପାଆନ୍ତି ନାହିଁ । ସହରର ବାଟେଘାଟେ ସ୍ୱଚ୍ଛଳବର୍ଗର ଲୋକ ମିନେରାଲ ୱାଟର ବୋତଲ ଖୋଲି ପାଣି ପିଅନ୍ତି । କାଳେ ଦୋକାନରୁ ବା କଳରୁ ପାଣି ପିଇଲେ ପେଟରୋଗ ହେବ । କିନ୍ତୁ ଆମ ଗାଁ ଓ ପାଖଆଖ ଗାଁର ପଛୁଆ ଲୋକ ଏବେବି ପୋଖରୀରୁ ପାଣି ପିଅନ୍ତି ବା କୂଅରୁ । ନୁଖୁରା ଦେହ ମୁଣ୍ଡ ଅନେକଙ୍କର । ଶୀତଦିନେ ନିଆଁ ପୁଅନ୍ତି ବା ଗାମୁଛା କି ସୂତାଲୁଗା ଖଣ୍ଡେ ଦେହରେ ପକାନ୍ତି ମୟୂରଭଞ୍ଜର ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ । ଜୋତା, ମୋଜା, ସାର୍ଟ ଓ ଟାଇ ପିନ୍ଧି ପିଠିରେ ବହି ବ୍ୟାଗ୍ ଓ କାନ୍ଧରେ ପାଣିବୋତଲ ଓହଳାଇ ପାଠ ପଢ଼ିବା ପାଇଁ ଯାଉଥିବା ଝିଅ ପୁଅଙ୍କୁ ରାଜଧାନୀର ରାସ୍ତା ଉପରେ ଦେଖିଲେ ମନ କୁରୁଳି ଉଠେ । ମୋ ଗାଁର ପିଲାମାନଙ୍କର ନୁଖୁରା ବେଶ । ମଇଳା ଲୁଗା । ଭୋକିଲା ଚେହେରା । ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ବସିବା ପାଇଁ ବେଞ୍ଚ ନାହିଁ ।

 

କିନ୍ତୁ ଏହା ସତ୍ତ୍ୱେ ଗାଁ ଲୋକମାନେ ଓଡ଼ିଆ ଭାଷାରେ କଥା କହନ୍ତି, କୂଅ ପୋଖରୀ ବା ନଦୀର ପାଣି ପିଅନ୍ତି; ମୁଢ଼ି ବା ଚୁଡ଼ା ଜଳଖିଆ ଖାଇ ପଢ଼ିବାକୁ ଯାଆନ୍ତି । ସାବୁନ, ବାସନା ତେଲ, ସାମ୍ପୁ, ୱାଟର୍ ବଟଲ, ଫାଷ୍ଟଫୁଡ଼ ଆଖିରେ ପଡ଼େନି । ସହରର ଆଖିଝଲସା ରୂପ ଏବଂ ପ୍ରସାଧନ ବୋଳା ମୁହଁ, ମହଙ୍ଗା ରଙ୍ଗବେରଙ୍ଗର ପୋଷାକ ଏବଂ ନିଶା କରିବାର ଅଭ୍ୟାସ ମୋତେ ଚମକାଇ ଦେଉଛି । ପିଲାଗୁଡ଼ା ଏତେ ଅଳ୍ପ ବୟସରୁ ଅପରାଧ ଆଡ଼କୁ ଟାଣି ହୋଇଯାଇଛନ୍ତି । ଟିଭି, ସିନେମା, ବାର୍ ନାଇଟ୍, କକଟେଡ଼୍‍ ପାର୍ଟି, ବିଉଟି ପାରେଡ଼, ମ୍ୟୁଜିକ୍ ଏଇସବୁ ମନବିନୋଦନ ବାଟ ଦେଇ ଜୀବନର ସୁଆଦ ଚାଖିବା ପାଇଁ ପ୍ରବେଶ କରନ୍ତି ସମ୍ପଦଶାଳୀ, ପ୍ରଭାବଶାଳୀ ଏବଂ ସେମାନଙ୍କ ସହିତ ଅପରାଧୀମାନେ ।

 

ଟଙ୍କା ବଣ୍ଟା ହୁଏ ହାଟବଜାରରେ ନୂତନ ଜୀବନଧାରାର ପ୍ରୟୋଜନ ପୂରଣ କରିବା ପାଇଁ । ମୁଁ ଭାବିପାରେନା ଜଣେ ସଚ୍ଚୋଟ ପ୍ରଥମ ଶ୍ରେଣୀର ବରିଷ୍ଠ ପ୍ରଶାସକ ପୁରୁଣା ଗାଡ଼ି ଚଢ଼ି ବୁଲୁଥିବାବେଳେ ଏବଂ ଅନ୍ୟଜଣେ ସ୍ୱଚ୍ଛ ପୋଲିସ ଅଫିସର ରାସ୍ତାକଡ଼ ଚା’ ଦୋକାନରୁ ଗିଲାସରୁ ଚା ପିଉଥିବାବେଳେ ଅନ୍ୟାନ୍ୟ ସାଙ୍ଗମାନେ କ୍ଲବ ଓ ହୋଟେଲ ଯିବାପାଇଁ ଏତେ ଅର୍ଥ ଆଉ କେଉଁଠୁ ପାଆନ୍ତି ? ପୁରୀ ରଥଯାତ୍ରାର ଭିଡ଼ ଫେଶନ ବଜାରରେ । ନୂଆ ଜିନିଷର ଚାହିଦା ବେଶୀ-। ନୂଆ ଡିଜାଇନର ଡିମାଣ୍ଡ୍ ବେଶି । ନୂଆ ନୂଆ ସେଣ୍ଟ, ନୂଆ ଗାଡ଼ି, ନୂଆ ଓଭେନ୍‌, ନୂଆ ଘର, ନୂଆ ସାଜସଜା । କିନ୍ତୁ ଏଇ ନୂଆ ଜଗତ ସହିତ ତାଳ ଦେଇନପାରି ମଫସଲରୁ ଆସିଥିବା ମଳିମୁଣ୍ଡିଆମାନେ ରାସ୍ତାକଡ଼ରେ ଛିଡ଼ା ହୋଇ ଦୃଶ୍ୟ ଦେଖୁଥିବାବେଳେ ବାଟବଣା ହୋଇଗଲେ କି ବୋଲି ମନକୁ ମନ ପଚାରୁ ଥାଆନ୍ତି । ସେମାନଙ୍କ ଚକିତ ଚାହାଣି ପଚାରୁଥାଏ ଏତେ ଅର୍ଥ ଆସେ କୋଉଠୁ, କିଏ ଦିଏ, କାହିଁକି ଦିଏ ?

 

ଏହି ପ୍ରଶ୍ନର ଉତ୍ତର ଶୁଣିବା ପାଇଁ ମୁଁ ଅପେକ୍ଷା କରୁଛି । କିନ୍ତୁ କିଏ କହିବ ? ପାଶ୍ଚାତ୍ୟ ଜୀବନଧାରା ମାଡ଼ି ବସିଚି । ଚାହିଦା ମେଣ୍ଟାଇବା ପାଇଁ ବିଦେଶରୁ ସୌଖିନ ସାମଗ୍ରୀ ଆସୁଛି । ସନାତନ ଧର୍ମର ମୂଲ୍ୟବୋଧଗୁଡ଼ାକ ରାସ୍ତାକଡ଼ର ପରିତ୍ୟକ୍ତ କାଗଜ ପରି ଉଡ଼ୁଛି ପବନରେ । ବଦଳି ଯାଉଛି ଆଚାର ବ୍ୟବହାର, ଚଳଣି ଏବଂ ହାବଭାବ । ଚିତ୍ର ପ୍ରତିମା ପରି ସୁନ୍ଦର ଦିଶୁଥିବା ଏଇ ମଣିଷ ଭିତରେ ଏତେ ବାସନା କାମନା ଭର୍ତ୍ତି କଲା କିଏ ? ଏତେ ଲୋଭ, ଏତେ ଅହଂକାର ଆସିଲା କୋଉଠୁ ? କେହି ଉତ୍ତର ଦବାପାଇଁ ନ ଥାନ୍ତି ପାଖରେ... ମୁଁ ଏକା ଏକା ଚାହିଁଥାଏ ।

 

ବିଜ୍ଞାପନର ଯୁଗ ଏଇଟା । ଦୁଃଖ ଲାଗୁଛି ଯେ, ମହିଳା ଓ ଶିଶୁମାନଙ୍କୁ ବିଜ୍ଞାପନର ମାଧ୍ୟମ କରାଯାଉଛି । ଏଇ କାରଣରୁ ପ୍ରତିଯୋଗିତା ଲାଗିଛି ଅଶୋଭନୀୟ ଚିତ୍ର ପ୍ରକାଶ କରିବା ପାଇଁ । ମହିଳାମାନଙ୍କ ଅଙ୍ଗସୌଷ୍ଠବ ବିଜ୍ଞପିତ କରିବା ସକାଶେ ସେମାନଙ୍କୁ ବ୍ୟବସାୟ ବାଣିଜ୍ୟର ପ୍ରସାର ପାଇଁ ଉପଯୋଗ କରାଯାଉଛି ।

 

ଏଇ କାରଣରୁ ଭାରତୀୟ ମହିଳାମାନେ ଏପର୍ଯ୍ୟନ୍ତ ସାମାଜିକ ମୂଲ୍ୟବୋଧ ରକ୍ଷା କରିବାର ପ୍ରତୀକ ହୋଇଆସିଥିବା ବେଳେ ଏବେ ସେଇ ଧାରା ଭାଙ୍ଗିଯାଉଛି । ନଗ୍ନତା, ଅଶ୍ଳୀଳତା କଳା ନୁହେଁ କି ମୁକ୍ତ ଚିନ୍ତା ନୁହେଁ । ଆମ ମଡ଼େଲମାନେ, ଆଲବମ୍ ଆଟିଷ୍ଟମାନେ ଏଇ ବୃତ୍ତିରେ ପ୍ରବେଶ କରିଥିବାରୁ ସେମାନଙ୍କୁ ବ୍ୟବସାୟ ପ୍ରସାର କରିବା ନିମନ୍ତେ ଉପଯୋଗ କରାଯାଉଛି । ଏଇ ଧାରା ବନ୍ଦ ନ ହେଲେ ଭାରତୀୟ ନାରୀର ମର୍ଯ୍ୟାଦା ରକ୍ଷା କରିବା ସମ୍ଭବ ହେବନାହିଁ ।

☆☆☆

 

ବାନ୍ଧି ହୋଇ ବଞ୍ଚନାହିଁ, ବାହାରକୁ ଆସ

 

ପୃଥିବୀ ଘୂରୁଛି । ଦୂର ଅତୀତରେ ପୃଥିବୀ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଛି ବୋଲି ଲୋକଙ୍କ ଧାରଣା ଥିଲା । ଜ୍ଞାନବିଜ୍ଞାନର ବିକାଶ ଯୋଗୁଁ ମଣିଷ ଜାଣିପାରିଲା ଯେ ପୃଥିବୀ ସ୍ଥିର ହୋଇ ଗୋଟିଏ ସ୍ଥାନରେ ରହିନାହିଁ ବରଂ ସୂର୍ଯ୍ୟ ସ୍ଥିର ହୋଇ ଗୋଟିଏ ସ୍ଥାନରେ ରହିଛି ଏବଂ ସୂର୍ଯ୍ୟ ଚାରିପାଖରେ ପୃଥିବୀ ଘୂରୁଛି । । ପ୍ରକୃତି ମଧ୍ୟ ନିଶ୍ଚଳ ନୁହେଁ । ସମୟ ବଦଳିବା ସହିତ ପ୍ରକୃତିର ପରିବର୍ତ୍ତନ ହୁଏ । ଋତୁଚକ୍ର ଏଇ ପରିବର୍ତ୍ତନର ବଡ଼ ପ୍ରମାଣ । ପୃଥିବୀ ଗତିଶୀଳ ବୋଲି ଦୀର୍ଘକାଳ ଧରି ବିଶ୍ଵାସ କରାଯାଉନଥିଲା । ଏବେ ବି କେତୋଟି ଧର୍ମ ଶାସ୍ତ୍ରରେ ପୃଥିବୀ ସୂର୍ଯ୍ୟ ଚାରିପାଖରେ ବୁଲୁଥିବା ସତ୍ୟ ବୋଲି ଗ୍ରହଣ କରାଯାଇନାହିଁ । ଯଦି ସମୟ ବଦଳୁଛି, ଭାବନା ବଦଳୁଛି ତେବେ ନାରୀମାନେ କାହିଁକି ବଦଳିବେ ନାହିଁ ? । ପୁରୁଷର ଦାସୀ ହୋଇ ପଡ଼ିଥିବେ ?

 

ଏସବୁ ଦର୍ଶନ ଭିତରକୁ ଯାଇ ମୁଁ ଘାଣ୍ଟିଚକଟି ହେବାକୁ ଚାହେଁ ନାହିଁ । ମୁଁ କେବଳ ଭାବେ କାହିଁକି ମଣିଷକୁ ଭଗବାନ ଏତେ ଶକ୍ତି ଦେଇଥିବାବେଳେ ସେ ଏଡ଼େ ଦୁର୍ବଳ । ସେ ଜାଣେନା ଯେ ତା ଭିତରେ ଶକ୍ତିର ଭଣ୍ଡାରଟିଏ ଅଛି । ସେଇ ଭଣ୍ଡାରର ତତ୍ତ୍ୱାବଧାନ କରି ଜାଣିଲେ ସାଧନା ବଳରେ ମଣିଷ ଶକ୍ତିର ଉତ୍ସ ହୋଇଯାଏ । ନାରୀ ଓ ପୁରୁଷ ଭିତରେ ଶାରୀରିକ ପାର୍ଥକ୍ୟ ରହିଛି । କିନ୍ତୁ ଦୁହିଁଙ୍କ ଭିତରେ ବୁଦ୍ଧି, ବିବେକ ସମାନ ପରିମାଣରେ ରହିଛି । ଏହା ସତ୍ତ୍ୱେ ବୁଦ୍ଧିକୁ ଲାଳନପାଳନ କରିବା ପାଇଁ ମହିଳାମାନେ କମ୍ ସମୟ ଦିଅନ୍ତି ବୋଲି ପୁରୁଷଠାରୁ ପଛରେ ପଡ଼ିଯାଆନ୍ତି । ପୁରୁଷ ଦିନରାତି କେବଳ ଚିନ୍ତା କରୁଛି କିପରି ନୂଆ ନୂଆ ଜିନିଷ ତିଆରି କରିବ । ତେଣୁ ସମୟ ସହିତ ତାଳଦେଇ ସେ ବଦଳିବା ପାଇଁ ଚେଷ୍ଟା କରୁଛି । ନାରୀ କିନ୍ତୁ ବିଭିନ୍ନ କାରଣରୁ ପାଷାଣୀ ଅହଲ୍ୟା ପରି ପଡ଼ି ରହିଛି, ଅପେକ୍ଷା କରୁଛି କେତେବେଳେ ପରମପୁରୁଷ ରାମଚନ୍ଦ୍ର ଆସି ତା ଦେହ ଛୁଇଁବେ ଏବଂ ସେ ଉଦ୍ଧାର ପାଇବ । ତା’ର ମନ, ବୁଦ୍ଧି, ବିବେକ ପୁଣି ନୂଆ କଥା ଭାବିବ, ନୂଆ କରି ସଂସାରକୁ ଗଢ଼ିବ । ସନ୍ତାନମାନଙ୍କୁ କୋଳରେ ଧରି ସେମାନଙ୍କ ପାଟି ଭିତରେ ବିଶ୍ୱବ୍ରହ୍ମାଣ୍ଡକୁ ଦେଖିବ ଯେପରି ଶ୍ରୀକୃଷ୍ଣଙ୍କ ମୁହଁ ଭିତରେ ଦେଖିଲେ ଯଶୋଦା । ତେଣୁ ମା’ ମାନେ ଐଶ୍ଵରିକ ବିଭୂତିର ଅଧିକାରୀ । ପୁରୁଷ ଅପେକ୍ଷା ସେମାନଙ୍କ ପାଖରେ ଶକ୍ତିର ଉତ୍ସ ଅଛି । ତାହା କେବେ ଶୁଖେନାହିଁ । ମା’ ମାନଙ୍କ ଦୃଷ୍ଟିରେ ବେଳେ ବେଳେ ସ୍ୱାମୀମାନେ ମଧ୍ୟ ଶିଶୁପରି ଆଦରଣୀୟ ହୋଇଯାଆନ୍ତି ।

 

ମାତୃଶକ୍ତିର ମହିମା ଏଥିପାଇଁ ଏଡ଼େ ମହାନ୍ । ବିପଦରେ ପଡ଼ିଛି । କୋଟିବ୍ରହ୍ମାଣ୍ଡର ଜନ୍ମଦାତ୍ରୀ ଜଗତ୍‌ଜନନୀଙ୍କୁ ସ୍ମରଣ କର । ସବୁ ଠିକ୍ ହୋଇଯିବ । ଠାକୁର ରାମକୃଷ୍ଣ ପରମହଂସ ଗୋଟିଏ ଉଦାହରଣ ଦେଇ କହିଥିଲେ ଆରେ ଚିନ୍ତା କି ! ଗାଡ଼ିରେ ବସିଛ, ଦୁର୍ଘଟଣା ଘଟିପାରେ, କିନ୍ତୁ ବସିବାବେଳୁ ଧରିନିଅ ଯେ ମା’ କୋଳରେ ବସିଯାଉଛ । ଏଇ ମାତୃଚେତନା ହିଁ ରକ୍ଷା କରେ ମଣିଷକୁ । ଠାକୁର ରାମକୃଷ୍ଣ ସେଥିପାଇଁ ବିବେକାନନ୍ଦଙ୍କୁ କହିଥିଲେ ତୋର ଯାହା ମାଗିବା ପାଇଁ ମନ ହେଉଛି ମା’କୁ କହିବୁ...ମା’ ନିଶ୍ଚୟ ତା’ର ସମାଧାନ କରିବ । କିନ୍ତୁ ଯେତେବେଳେ ବିବେକାନନ୍ଦ ମା’ଙ୍କୁ ଦର୍ଶନ କଲେ ସେତେବେଳେ ବିହ୍ୱଳ ହୋଇଗଲେ । ତାଙ୍କ ଦୁଃଖକଷ୍ଟ କିଛି ମନେ ପଡ଼ିଲା ନାହିଁ । ସବୁ ଭୁଲିଗଲେ । କେବଳ ମା’ଙ୍କ ପାଖରେ ଶରଣ ନେଲେ ।

 

ଏଇ ମା’ ହେଉଛନ୍ତି ଦିବ୍ୟ ଜନନୀ । ସମସ୍ତ ଶକ୍ତିର ଉତ୍ସ । ରକ୍ତମାଂସର ମା’ ମଧ୍ୟ ଏଇ ଚେତନାର ଅଧିକାରିଣୀ । ସେଥିପାଇଁ ଯୁଦ୍ଧକୁ ଯିବା ପୂର୍ବରୁ ଦୁର୍ଯ୍ୟୋଧନ ଆସିଥିଲେ ମା’ ଗାନ୍ଧାରୀଙ୍କୁ ପ୍ରଣାମ କରି ତାଙ୍କ ଆଶୀର୍ବାଦ ନେବା ପାଇଁ । ସେ ଚାହୁଁଥିଲେ ମା’ ତାଙ୍କୁ ବିଜୟୀ ହୁଅ କହିଲେ ସେ ନିଶ୍ଚୟ ବିଜୟୀ ହେବେ । କିନ୍ତୁ ଗାନ୍ଧାରୀଙ୍କୁ ପ୍ରଣାମ କରି ଯେତେବେଳେ ଦୁର୍ଯ୍ୟୋଧନ ଉଠିଲେ ଗାନ୍ଧାରୀ କହିଲେ—ଆୟୁଷ୍ମାନ ହୁଅ... । ପୁଅ ଯୁଦ୍ଧରେ ବିଜୟୀ ହେଉ ବୋଲି କହିପାରିଲେ ନାହିଁ । କାରଣ ତାଙ୍କ ଭିତରେ ଜନନୀଙ୍କ ଦିବ୍ୟଚେତନା ଉଦ୍ରେକ ହେଲା । ଦୁର୍ଯ୍ୟୋଧନ ଓ ଭୀମ ଏକାପରି ଦେଖାଗଲେ । ସେ କହିଲେ—ସତ୍ୟର ଓ ଧର୍ମର ଜୟ ହେଉ । ଦୁର୍ଯ୍ୟୋଧନ ସେଇ ମୁହୂର୍ତ୍ତରେ ଜାଣିଗଲେ ଯେ ଯୁଦ୍ଧରେ ସେ ବିଜୟୀ ହେବେ ନାହିଁ । କାରଣ ତାଙ୍କ ପାଖରେ ସତ୍ୟ ନାହିଁ ବା ଧର୍ମ ନାହିଁ । ଯେତେବେଳେ ମା’ମାନେ ବିବେକ ଦ୍ଵାରା ତାଡ଼ିତ ହୋଇ ଗାନ୍ଧାରୀଙ୍କ ପରି ସତ୍ୟ ଓ ଧର୍ମର ଜୟ ହେଉ ବୋଲି କାମନା କରିବେ, ନିଜ ପୁଅ ଓ ଝିଅଙ୍କୁ ସତମାର୍ଗରେ, ଧର୍ମ ମାର୍ଗରେ ଯିବାପାଇଁ ଉପଦେଶ ଓ ଶିକ୍ଷା ଦେବେ ସେତେବେଳେ ଏ ଧରଣୀରେ ଏତେ ପାପ, ଅପରାଧ, ହତ୍ୟା ଓ ଧର୍ଷଣ ରହିବ ନାହିଁ । ଭାଗ୍ୟରେ ଯାହା ଥିବ ହେବ କହି ବସିଗଲେ ହେବନାହିଁ । ଉଦ୍ୟମ ନ କଲେ ଆପେ ଆପେ କ୍ଷୁଧାର୍ତ୍ତ ସିଂହ ମୁହଁ ଭିତରକୁ ମୃଗ ପଶିଆସିବ ନାହିଁ । ଉଦ୍ୟମ ନ ଥିବା ନାରୀ ବା ପୁରୁଷ ଦୁର୍ବଳ । କେବଳ ‘କପାଳ ଲିଖନ କେ କରିବ ଆନ’ କହି ଦୁର୍ବଳତା ଘୋଡ଼ାଇ ରଖନାହିଁ । ଉଦ୍ୟମ କରିବା ପରେ ଯଦି ନହେଲା ତେବେ କପାଳକୁ ଦୋଷ ଦେଇହେବ । ପାଞ୍ଚପାଣ୍ଡବ ଅଜ୍ଞାତବାସରେ ଥିଲାବେଳେ ଦିନେ ତାଙ୍କ ଆଶ୍ରୟଦାତା କହିଲେ—ମା’ ! ତୁମେ ପାଞ୍ଚ ପୁତ୍ରର ଜନନୀ । ପାଞ୍ଚଜଣ ବୀର ଓ ବଳବାନ । ତେବେ ତୁମର ଦୁଃଖ କ’ଣ ? ତୁମେ ବଣରେ ବୁଲୁଛି କାହିଁକି ? କୁନ୍ତୀ ଟିକେ ରହିଯାଇ କହିଲେ–“ପୁତ୍ର ! ମୋର ପାଞ୍ଚ ପୁଅ କର୍ମଠ, ଯୋଗ୍ୟ ଓ ସଦା ଉଦ୍ୟମଶୀଳ । ସେମାନେ ବୀର ଏବଂ ଶତ୍ରୁକୁ ପରାଭୂତ କରିପାରନ୍ତି । କିନ୍ତୁ କପାଳ ଲିଖନ ଭୋଗ କରିବାକୁ ହେଉଛି-। ପାଞ୍ଚ ବୀର ଉଦ୍ୟମଶୀଳ ପୁତ୍ର ଥିବାବେଳେ ଭାଗ୍ୟ ଏତେ ମନ୍ଦ ଯେ ଆମେ ବଣରେ ବୁଲୁଛୁ ।”

 

ବଣରେ ଫଳମୂଳ ଓ କାଠ ଆଣିବା ପାଇଁ ସତ୍ୟବାନଙ୍କ ସହିତ ଯାଉଥିଲେ ସାବିତ୍ରୀ । ସାବିତ୍ରୀ ଜାଣିଥିଲେ ଯେ ପତିଙ୍କର ସଂକଟ ସମୟ । ତଥାପି ତାଙ୍କ ପାଖେ ପାଖେ ରହିଥିଲେ । ହଠାତ୍ ସତ୍ୟବାନ୍ ଅସୁସ୍ଥ ହୋଇପଡ଼ିଲେ ଏବଂ ଅଳ୍ପସମୟ ମଧ୍ୟରେ ଯେତେବେଳେ ଯମ ତାଙ୍କୁ ନେବା ପାଇଁ ଆସିଲେ ସାବିତ୍ରୀ ଯମଙ୍କ ଅନୁସରଣ କଲେ । ଧର୍ମ, ସତ୍ୟ, ଜୀବନ ଇତ୍ୟାଦି ନାନା ବିଷୟରେ ଚର୍ଚ୍ଚା କଲେ ଯମଙ୍କ ସହିତ । ଯମ ତାଙ୍କର ପ୍ରଶ୍ନ ଶୁଣି ଶେଷରେ ଏତେ ମୁଗ୍ଧ ହେଲେ ଯେ ଶେଷରେ ନ କରିବା କଥାଟିଏ କଲେ ।

 

ସତ୍ୟବାନଙ୍କୁ ଜୀବନ ଦାନ କଲେ । ସତ୍ୟନିଷ୍ଠା, ସାଧନା ଓ ଧର୍ମବଳ ଯୋଗୁଁ ସାବିତ୍ରୀ ଫେରିପାଇଲେ ସ୍ୱାମୀ, ପିତା ଫେରିପାଇଲେ ରାଜ୍ୟ, ସେ ମଧ୍ୟ ପୁତ୍ରମାନଙ୍କ ଜନନୀ ହେଲେ । ସାବିତ୍ରୀ ସତ୍ୟ ଓ ଧର୍ମ ବଳରେ ମୃତ୍ୟୁଲୋକରୁ ସ୍ୱାମୀଙ୍କୁ ଫେରାଇ ଆଣିଲେ ଏବଂ ଯୁଗ ଯୁଗ ପାଇଁ ଦେବୀଶକ୍ତିର ଉତ୍ସ ହୋଇଗଲେ । ସାବିତ୍ରୀ ବ୍ରତ ବିବାହିତ ମହିଳାମାନେ ପାଳନ କରନ୍ତି । କିନ୍ତୁ ଦୈବୀଶକ୍ତିଙ୍କ କଥା ସ୍ମରଣ ନ କରି ଉପବାସ ଓ ବ୍ରତ ପାଳନ ପରେ ଫଳମୂଳ ଖାଇ ଦିନଟି କଟାନ୍ତି-। ସାବିତ୍ରୀ କିପରି ଧର୍ମ ଓ ସତ୍ୟ ବଳରେ ମୃତ୍ୟୁକୁ ଜୟ କଲେ ସେଇ ତତ୍ତ୍ୱ ଅଜଣା ରହିଯାଏ-

 

ନାରୀ ଜାଣେ ନାହିଁ ଯେ ତା ଭିତରେ ମଧ୍ୟ ଐଶ୍ୱୀ ଶକ୍ତି ଅଛି । ସେ ମଧ୍ୟ ସାଧନା ବଳରେ ସାବିତ୍ରୀ ହୋଇପାରେ । ସେ ପୁରୁଷର ସହଧର୍ମିଣୀ । ଦାସୀ ନୁହେଁ ବା ଖେଳନା ନୁହେଁ । କିନ୍ତୁ ସେ ଯଦି ଅନ୍ୟାୟର ପ୍ରତିବାଦ ଓ ପ୍ରତିରୋଧ ନ କରି ଏବଂ ସତ୍ ମାର୍ଗରେ ନଯାଇ ଅସତ୍ ମାର୍ଗରେ ଯାଏ ତେବେ ତାକୁ କେହି ରକ୍ଷା କରିପାରିବେ ନାହିଁ । ବିଜ୍ଞାପନ ଓ ସମ୍ଭୋଗର ସାମଗ୍ରୀ ହେଲେ ଧନରତ୍ନ ମିଳିବ, କିନ୍ତୁ ସୁଖ ମିଳିବ ନାହିଁ କି ମହିମା ମିଳିବ ନାହିଁ । ଏପର୍ଯ୍ୟନ୍ତ ନାରୀକୁ ସ୍ଥିତାବସ୍ଥାର ପ୍ରତୀକ କରି ରଖାଯାଇଛି । ପୁରୁଷ ଜଗିଛି ତାକୁ ସେ ଯେପରି ସ୍ଥିତାବସ୍ଥା ଭାଙ୍ଗି ବାହାରକୁ ନ ବାହାରେ । କିନ୍ତୁ ସମୟ ଯେ ପରିବତ୍ତର୍ନଶୀଳ ଏବଂ ଉଦ୍ୟମ ଯେ ସବୁ ସଫଳତାର ମୂଳ କଥା ତାହା ଯଦି ଉଭୟ ପୁରୁଷ ଓ ନାରୀ ମନେରଖନ୍ତେ ତେବେ ମର୍ତ୍ତ୍ୟରେ ମଧ୍ୟ ସ୍ୱର୍ଗ ରଚନା କରାଯାଇ ପାରନ୍ତା । ବାନ୍ଧି ହୋଇପଡ଼ିଥିଲେ କେହି ଶୃଙ୍ଖଳ ଖୋଲିବେ ନାହିଁ । ଶୃଙ୍ଖଳ ଖୋଲି ବାହାରିବା ପାଇଁ ନିଜେ ଚେଷ୍ଟା କର । ବାହାରେ ଅନେକ ଜାଗା, ଅନେକ ଆଲୋକ ଏବଂ ଅନେକ ସୁଯୋଗ ଅପେକ୍ଷା କରୁଛି ।

 

ପୂଜା, ବାରବ୍ରତ, ଉପବାସ କରିବା ଦ୍ଵାରା ମନ ନିର୍ମଳ ହୁଏ ଏବଂ ସଂକଳ୍ପ ଦୃଢ଼ ହୁଏ । କିନ୍ତୁ କର୍ତ୍ତବ୍ୟ ପ୍ରତି ଅବହେଳା କରି ପୁଅ ଝିଅଙ୍କ ଯତ୍ନ ନ ନେଇ ବା ଗୁରୁଜନ ଓ ଦୁଃସ୍ଥପୀଡ଼ିତମାନଙ୍କ ସେବା ଶୁଶ୍ରୂଷା ନ କରି ଜଣେ ମହିଳା ଯଦି ସପ୍ତାହର ସାତଦିନ ଯାକ ପୂଜାବ୍ରତ, ଉପବାସ ବା କଷ୍ଟ ସହ୍ୟ କରନ୍ତି ତେବେ ସେଥିରୁ ଲକ୍ଷ୍ୟସିଦ୍ଧି ପାଇଁ ବେଶି କିଛି ମିଳେନାହିଁ । ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କାମରେ ଲୋଟଣିପାରା ପରି ଲାଗିଥିଲେ ଜୀବନ ଧନ୍ୟ ହୁଏନାହିଁ ।

 

କର୍ତ୍ତବ୍ୟ କଲାବେଳେ ଅକର୍ତ୍ତବ୍ୟ ନ କରିବା ପାଇଁ ସତର୍କ ରହିବା ଭଲ । କାମ କରିବା ଭଲ । କିନ୍ତୁ ଅନ୍ଧବିଶ୍ୱାସ, ପୁରୁଣା ଅନାବଶ୍ୟକ ପରମ୍ପରା ଓ ପ୍ରଥାଗୁଡ଼ାକୁ ପରିତ୍ୟାଗ କରିବା ଭଲ । ଏହାଦ୍ୱାରା ସମୟର ସଦ୍ ବ୍ୟବହାର ହୁଏ ଏବଂ ଲକ୍ଷ୍ୟ ବିକ୍ଷିପ୍ତ ହେବା ପରିବର୍ତ୍ତେ କେନ୍ଦ୍ରୀଭୂତ ହୁଏ । ଶୃଙ୍ଖଳା ଓ ସମୟ ପରିଚାଳନାରେ ସଫଳ ହେଲେ ଆପେ ଆପେ କର୍ମଶକ୍ତି ବଢ଼ିବ । ସୁତରାଂ, ଶୃଙ୍ଖଳମୁକ୍ତ ହେବା ପାଇଁ ଉଦ୍ୟମ କର । ଉଦ୍ୟମ କଲେ ସଫଳତା ମିଳିବ ହିଁ ମିଳିବ ।

☆☆☆

 

ସମାଜ ଓ ସଂସାର ଉଜୁଡ଼ି ଯାଉଛି

 

ଖବରକାଗଜ ଓ ଟିଭିରେ ସଂସାର ଉଜୁଡ଼ି ଯାଉଥିବା ଓ ସମାଜ ଭାଙ୍ଗି ଯାଉଥିବାର ଦୃଶ୍ୟ ଦେଖି ମୁଁ ବିବ୍ରତ ହୁଏ । ମୋ ପିଲାବେଳର କଥା ମନେ ପଡ଼ିଯାଏ । ସେତେବେଳ ଦେଶ ସ୍ୱଧୀନ ହୋଇନଥିଲା । ତେଣୁ ଦେଶ ଆଗରେ ସବୁଠାରୁ ବଡ଼ ଲକ୍ଷ୍ୟ ଥିଲା ସ୍ୱାଧୀନତା । ସ୍ଵାଧୀନତା ସଂଗ୍ରାମ ଚାଲିଥାଏ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ । ତାଙ୍କ ଡାକରା ପାଇ ପିଲାମାନେ ପଢ଼ା ଛାଡ଼ି, ପରିବାର ଛାଡ଼ି, ଅନେକ ସଂଖ୍ୟାରେ ଯୋଗ ଦେଉଥାନ୍ତି ସ୍ୱାଧୀନତା ସଂଗ୍ରାମରେ । ପୋଲିସର ଗିରଫ ଓ ଲାଠିମାଡ଼କୁ ଖାତିର ନ ଥାଏ କାହାର । ଜେଲ ମନ୍ଦିର ହୋଇଯାଇଥାଏ । ମହାତ୍ମା ଗାନ୍ଧୀ ଜେଲରେ ରହିବା ପରେ । ମୋ ଜନ୍ମ ୧୯୩୭ ମସିହାରେ । ମୁଁ ପ୍ରାଥମିକ ବିଦ୍ୟାଳୟରେ ପଢ଼ିଲା ବେଳେ ରହୁଥିଲି ପଶ୍ଚିମବଙ୍ଗର ଗୋପୀବଲ୍ଲଭପୁରଠାରେ । ସେତେବେଳେ ବାନର ସେନାରେ ଆମେ ସବୁ ଯୋଗ ଦେଇଥଲୁ । ତ୍ରିରଙ୍ଗା ପତାକା ଧରି ‘ବନ୍ଦେ ମାତରମ୍’ ଗୀତ ଗାଇ ଦାଣ୍ଡରେ ମାର୍ଚ୍ କରୁଥିଲୁ । ସ୍ୱାଧୀନତା କ’ଣ ସେ ବିଷୟରେ ଆମ ମନରେ ସ୍ପଷ୍ଟ ଧାରଣା ନ ଥିଲା । କିନ୍ତୁ ହାଇସ୍କୁଲର ହେଡ଼ମାଷ୍ଟର ଶାନ୍ତି ବାବୁ ଗାନ୍ଧିଜୀଙ୍କ କଥା କହୁଥିଲେ, ନେତାଜୀଙ୍କ କଥା କହୁଥିଲେ । ତାଙ୍କରି ମୁହଁରୁ ଶୁଣୁଥିଲୁ ଯେ ଦଳେ ଯୁବକ ଅସ୍ତ୍ର ଧରିଛନ୍ତି ବ୍ରିଟିଶ ଶାସନକୁ ହଟାଇବା ପାଇଁ । ଶାନ୍ତିବାବୁ ଦିନେ ଉଭାନ୍ ହୋଇଗଲେ ସ୍କୁଲରୁ । ତାଙ୍କ କ୍ୱାଟରକୁ ଆସି ପୁଲିସ୍ ଫେରିଗଲା ନିରାଶ ହୋଇ । ତାଙ୍କୁ ଗିରଫ କରିବା ପାଇଁ ଆସିଥିଲା । ବାପାଙ୍କଠାରୁ ଶୁଣିଲି ଯେ ଶାନ୍ତି ବାବୁ ବିପ୍ଳବୀମାନଙ୍କ ଦଳରେ ଯୋଗ ଦେଇଛନ୍ତି । ସେଇଦିନଠାରୁ ମୋ ମନରେ ଦେଶପ୍ରୀତି ବଢ଼ିଗଲା । ମୁଁ ପରେ ବାରିପଦାରେ ପଢ଼ିବାବେଳେ ଦେଶ ସ୍ୱାଧୀନ ହେଲା । ଗଡ଼ଜାତ ସବୁ ତା’ପରେ ଓଡ଼ିଶାରେ ମିଶିଗଲେ । ମୟୂରଭଞ୍ଜ ଅଲଗା ରହିଗଲା । ସାତକଡ଼ି ବାବୁ ଛାତ୍ର କଂଗ୍ରେସର ନେତା ଥିଲେ ଏବଂ ଓଡ଼ିଶା ସହିତ ମୟୂରଭଞ୍ଜକୁ ମିଶାଇବା ପାଇଁ ଆନ୍ଦୋଳନ କରୁଥିଲେ । ସେ ପୁରୀରେ ପଢ଼ୁଥିଲେ । ବାରିପଦା ଆସିଲେ ତାଙ୍କ ପଛେ ପଛେ ପୁଲିସ୍‍ ରହୁଥିଲେ, କାଳେ ମହାରାଜଙ୍କ ବିରୋଧରେ କିଛି କହିବେ ଏଇ ଆଶଙ୍କା ଥିଲା । ତାଙ୍କ ନାମରେ ଥାନାରେ କୁହାଯାଉଥିଲା ସେ ଯେ ରାଜୁଡ଼ା ଶାସନ ବିରୋଧୀ । ତେଣୁ ତାଙ୍କ ଉପରେ ପୁଲିସ୍‍ର ଦୃଷ୍ଟି । କିନ୍ତୁ ସବୁ ବିରୋଧ ସତ୍ତ୍ୱେ ଦିନେ ମୟୂରଭଞ୍ଜ ଓଡ଼ିଶାରେ ମିଶିଗଲା ଏବଂ ଗଣତନ୍ତ୍ର ଶାସନ ଆରମ୍ଭ ହେଲା ।

 

ଅତୀତକୁ ଏଇଥିପାଇଁ ସ୍ମରଣ କରୁଛି ଯେ ସେଦିନର ଆଦର୍ଶ, ନୀତି, ଆଜି ଆଉ ନାହିଁ । ଯୁବକମାନେ ଆଉ ଦେଶପାଇଁ ଲଢ଼ିବା କଥା ଭାବୁନାହାନ୍ତି । ଗଣତନ୍ତ୍ର ଶାସନ ଷାଠିଏ ବର୍ଷ ହେଲାଣି । କିନ୍ତୁ ଗଣମାନଙ୍କର ସୁଖସୁବିଧା ଅମଲା ଅଫିସର ଓ ଠିକାଦାର ଓ ନେତାମାନେ ହଡ଼ପ କରି ନେଉଛନ୍ତି । ଦୁର୍ନୀତି ବଢ଼ିଚାଲିଛି । ପଇସା ନ ଦେଲେ କୌଣସି କାମ ହେଉନାହିଁ । ରାସ୍ତାଘାଟ ଆବର୍ଜନାରେ ପୂର୍ଣ୍ଣ । ସଫା ହେଉନାହିଁ । ବ୍ୟାଙ୍କ ଡକାୟତି, ନିଶା କାରବାର, ହତ୍ୟା ଓ ବଳତ୍କାର, ରାହାଜାନି, ଧର୍ଷଣ ବଢ଼ିବାରେ ଲାଗିଛି । ପୋଲିସ ଚୋରକୁ ଧରିପାରୁନି । ନରହତ୍ୟା କରି ବି ଅପରାଧୀମାନେ ଖସିଯିବାକୁ ସକ୍ଷମ ହେଉଛନ୍ତି । ସବୁଠାରେ ବିଶୃଙ୍ଖଳା । ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ସବୁଠାରେ ବିଶୃଙ୍ଖଳା । ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ସବୁଠାରୁ ବିଶୃଙ୍ଖଳା । ଧର୍ମ ନେଇ ରାଜନୀତି । ଜାତି ଭେଦ ଉଠିନାହିଁ । ଗରିବ ମୁହଁରୁ ଆହାର ଛଡ଼ାଇ ନେଇଯାଉଛନ୍ତି ଦଲାଲ ଓ ଦୁର୍ନୀତିଗ୍ରସ୍ତମାନେ ।

 

ଏଇ କାରଣରୁ ସମାଜ ଭାଙ୍ଗିଯାଉଛି । ହିଂସା, ଅନାଚାର, ଅତ୍ୟାଚାର, ବଢ଼ୁଛି । ଭଲ ଲୋକ ଅଛନ୍ତି, କିନ୍ତୁ ସେମାନେ ସାହସ କରି ଆଗକୁ ଆସୁନାହାନ୍ତି ସମାଜକୁ ସଜାଡ଼ିବା ଓ ଭଲ ବାଟ ଦେଖାଇବା ପାଇଁ । ପରିବାର ଉଜୁଡ଼ି ଯାଉଛି । ସ୍ୱାମୀ, ସ୍ତ୍ରୀ, ପିତାପୁତ୍ର, ବନ୍ଧୁମିତ୍ର ସମ୍ପର୍କ ମଧ୍ୟ ଭାଙ୍ଗିଯାଉଛି । ହିଂସା, ବିଶୃଙ୍ଖଳା, ଯୌନତା, ନଗ୍ନତା ଓ ଅଶ୍ଳୀଳତା ସବୁଠାରେ ଦୃଶ୍ୟ ହେଉଛି । ମୁଁ ଜଣେ ନାରୀ । ମୁଁ ବି ମା ଓ ଗୃହିଣୀ । ମୋ ମନ ଏଇ ଦୃଶ୍ୟ ଦେଖି ଗୋଳେଇଘାଣ୍ଟି ହୁଏ । ପିଲାମାନେ ସ୍କୁଲକୁ ଗଲେ ନିରାପଦରେ ଫେରିବେ କି ନାହିଁ ଅନିଶ୍ଚିତ । ମଦ୍ୟପ, ଗୁଣ୍ଡା, ଅସାମାଜିକ ଆଡ୍ଡା ଜମାଇଲେଣି ଛକମାନଙ୍କରେ, ମନ୍ଦିର ଓ ମାର୍କେଟ୍ ଆଗରେ, ଗଳିକନ୍ଦିରେ । ଆମ ଘର ପଛପଟେ ଅସାମାଜିକ ବୁଲୁଛନ୍ତି ମାଳି ସାହିରେ । ପୁଲିସ ଓ ପ୍ରଶାସନ ଜାଣିଥିବ କି ନଥିବ କେଜାଣି, କିନ୍ତୁ ଗଳି ଓ ରାସ୍ତାରେ ଏସବୁ ଆଲୋଚନା ଚାଲିଛି ।

 

ସନ୍ଧ୍ୟା ହେଲେ, ମଧ୍ୟାହ୍ନ ବା ରାତିରେ ମହିଳାମାନେ ଏକା ଏକା ବୁଲିବା ଅର୍ଥ ବିପଦକୁ ଡାକି ଆଣିବା । ବେକରୁ ଚେନ କିଏ ଟାଣିନେବ ବା କେହି ରକ୍ଷା କରିବା ପାଇଁ ଆସିଲେ ତାକୁ ଛୁରା ଭୁଷିଦେବ ଏଇ ଦୃଶ୍ୟ ଭାସି ଉଠୁଛି ଆଖିଆଗରେ । ଏବେ ତ ଓଡ଼ିଶା ହୁଲୁସ୍ତୁଲ । ହତ୍ୟା, ଯୌନ ନିର୍ଯାତନା, ଧର୍ଷଣ, ଚୋରି ଡକାୟତି, ବ୍ୟାଙ୍କ ଲୁଟ୍, ରାସ୍ତା ଦୁର୍ଘଟଣା, ଭୃଣ ହତ୍ୟା, ଭେଜାଲ ଔଷଧ କାରବାର ଏସବୁ ଲୋକଙ୍କ ଦେହସୁହା ହେଇଗଲା ପରି ଲାଗୁଛି । ଯୁବକମାନଙ୍କ ଆଗରେ କୌଣସି ଉଚ୍ଚ ଆଦର୍ଶ ନାହିଁ । ତେଣୁ ସହଜରେ ଭଲ ବାଟ ଛାଡ଼ି ସେମାନେ ଖରାପ ରାସ୍ତାରେ ଯାଉଛନ୍ତି । ଭଦ୍ର ଭାବେ କଥା କହିବା, ବୟସ୍କମାନଙ୍କୁ ସମ୍ମାନ କରିବା, ବିପଦଗ୍ରସ୍ତ ବା ଦୁର୍ବଳକୁ ରକ୍ଷା କରିବା, ଦୁସ୍ଥ ଓ ପୀଡ଼ିତକୁ ହାସପାତାଳ ନେବାପାଇଁ ଡିଆଁମାରି ଲୋକମାନେ ଆଗେଇ ଆସିବା ଦୃଶ୍ୟ ବିରଳ ହୋଇଗଲାଣି । ଡାକ୍ତରଖାନାରେ ମଧ୍ୟ ଗରିବ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଚିକିତ୍ସା ବିରଳ ହୋଇଯାଉଛି ।

 

ଏସବୁ ଚାଲିଛି, କିନ୍ତୁ ଏଇ ଅବସ୍ଥା ଜାରି ରହିଲେ ଯେ ସଂସାର ଉଜୁଡ଼ିଯିବ, ସମାଜ ଭାଙ୍ଗିଯିବ ଏକଥା ଭାବି କମ୍ ଲୋକ ବିଚଳିତ ହେଉଛନ୍ତି । ନେତାମାନଙ୍କ ଆଶ୍ରୟରେ ଅପରାଧୀମାନେ କୁକର୍ମ କରନ୍ତି । ସେମାନେ ଧରାପଡ଼ନ୍ତି ନାହିଁ । ପୁଲିସ୍ ଆଖିରେ ଧୂଳିଦେଇ ଏଇ ସହରରେ ବା ଆଉ କେଉଁ ସହରରେ ବୁଲନ୍ତି । ଅପରାଧୀମାନେ ଦଣ୍ଡ ପାଉନଥିବାରୁ ଅପରାଧ ବଢ଼ୁଛି । ଆଇନ ଓ ଶାସନ ପ୍ରତି ଲୋକଙ୍କ ଭୟ ନାହିଁ । ଈଶ୍ଵର ବିଶ୍ୱାସ ମଧ୍ୟ ନାହିଁ । ଚଉଦିଗ ଖୋଲିଯାଇଛି ଅମାପ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ । ଏତିକିବେଳେ ଯଦି ଗାନ୍ଧି, ଗୋପବନ୍ଧୁ ଥାଆନ୍ତେ ତେବେ ସେମାନେ କ’ଣ କରନ୍ତେ ଏ ବିଷୟ କେହି ଭାବନ୍ତି କି ? ଏତେ କଷ୍ଟ କରି, ଲାଠିମାଡ଼ ଖାଇ ଓ ବର୍ଷ ବର୍ଷ ଜେଲରେ କଟାଇ ସେମାନେ ଦେଶକୁ ସ୍ୱାଧୀନ କରିଥିଲେ ଏହିପରି ଅବସ୍ଥା ଦେଖିବା ପାଇଁ ? କୁଳାଙ୍ଗାରମାନଙ୍କ ଉତ୍ପାତ ଆଉ କେତେଦିନ ଚାଲିବ ? ପିଲାବେଳେ ଆମେ ଦେଶ ସ୍ୱାଧୀନ କରିବା ପାଇଁ ଗୀତ ଗାଉଥିଲୁ, ଧ୍ୱନି ଦେଉଥିଲୁ । ଘରକୁ ସତ୍ୟାଗ୍ରହୀମାନେ ଆସିଲେ ସେମାନଙ୍କ ସେବା କରୁଥିଲୁ । କେହି ଖରାପ ବାଟରେ ଗଲେ ତାକୁ ଅଭିଭାବକମାନେ ଅଟକାଉଥିଲେ । କିନ୍ତୁ ଆଜି ତ ଏତେ ଅନୀତି, ଅନାଚାର, ଅବିଚାର ଓ ଅପରାଧ ହେଉଛି, କେହି ଲୋକଙ୍କୁ ଦୁବୃର୍ତ୍ତମାନଙ୍କ କବଳରୁ ରକ୍ଷା କରିବା ସକାଶେ ଆଗେଇ ଆସୁନାହାନ୍ତି ।

 

ମୁଁ ଭାବୁଛି ପୁଣି ଆଉଥରେ ଆଉ ଗୋଟେ ସ୍ଵାଧୀନତା ସଂଗ୍ରାମ ଆରମ୍ଭ କରିବାର ବେଳ ଆସିଗଲାଣି । ଏ ସମାଜକୁ ରକ୍ଷା କରିବା ପାଇଁ ଏବଂ ଏ ଦେଶର ଲୋକଙ୍କ ଭବିଷ୍ୟତକୁ ନିଶ୍ଚିତ କରିବା ପାଇଁ ପୁଣି ଆଉଥରେ ଲଢ଼େଇ କରିବାର ବେଳ ଆସିଛି । ଦୁର୍ନୀତି ବିରୋଧୀ, ଯୌନତା ଓ ଅଶ୍ଳୀଳତା ବିପକ୍ଷରେ, ହତ୍ୟା, ଧର୍ଷଣ ଓ ଡକାୟତି ବିରୋଧରେ ଲୋକଙ୍କୁ ସଂଗଠିତ କରିବାକୁ ପଡ଼ିବ । ମୋ ପିଲାଦିନେ ୮୫ଭାଗ ଲୋକ ଭଲ ଥିଲେ, ୧୫ଭାଗ ଖରାପ ଲୋକ ଉତ୍ପାତ କରୁଥିଲେ । ଏବେ ୨୫ଭାଗ ଭଲ ଲୋକ ଆଉ ସବୁ ଦେଖଣାହାରୀ ବା ଖରାପ । ଆଖିଆଗରେ ଅଳପ ଅସାମାଜିକ ଲୋକ ଏସବୁ ପାପାଚାର କରୁଥିବାବେଳେ ବେଶୀ ଲୋକ ଦେଖଣାହାରୀ ପରି ଛିଡ଼ା ହେବା ପରିବର୍ତ୍ତେ ସେମାନଙ୍କୁ ଖରାପ କାମରୁ ନିବର୍ତ୍ତାଇବା ପାଇଁ ସଂଗଠିତ ହୁଅନ୍ତୁ । ଆଉ ଥରେ ପ୍ରକୃତ ସ୍ଵାଧୀନ ହେବା ପାଇଁ ସଂଗ୍ରାମ ଆରମ୍ଭ ହେଉ । କ୍ଷୁଧା, ଅଜ୍ଞତା, ଅଶିକ୍ଷା, ଅନ୍ଧବିଶ୍ୱାସ, ଅପରାଧରୁ ଲୋକଙ୍କୁ ମୁକ୍ତ କରିବା ପାଇଁ ଘରେ ଘରେ ବାନର ସେନା ଗଢ଼ିଉଠୁ । ସାହି ଓ ବସ୍ତିମାନଙ୍କରେ ଯୁବକମାନେ ଅପରାଧ ପ୍ରବଣତାର ପ୍ରତିରୋଧ କରିବା ପାଇଁ ସଂକଳ୍ପ କରନ୍ତୁ । ଏହା ନକଲେ ସମସ୍ୟା ବଢ଼ିବ । ସଂକଟ ସମୟ ଆସିବ । ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଥିବ ।

☆☆☆

 

କଳିଯୁଗର ଅନ୍ତ ମଣିଷ ହାତରେ

 

ସାମାଜିକ ମୂଲ୍ୟବୋଧଗୁଡ଼ିକ କିପରି ଆଖି ଆଗରେ ନଷ୍ଟ ହୋଇଛି ତାହା ଯେ ବର୍ତ୍ତମାନ ଅବସ୍ଥାରେ ସ୍ୱାଭାବିକ ଏହା ସ୍ୱୀକାର କରିବାକୁ ହେବ । ଈଶ୍ଵର ଭୟ, ଧର୍ମ ଭୟ ଥିଲା ବୋଲି ନୀତି ନିୟମ ମାନି ଲୋକମାନେ ଚଳୁଥିଲେ । ସଭ୍ୟତାର ବିକାଶ ସହିତ ଆଚାର ବିଚାର ମଧ୍ୟ ବଦଳିଲା । ଚିନ୍ତା ଓ ଚେତନାରେ ପରିବର୍ତ୍ତନ ହେଲା । ଲୋକସଂଖ୍ୟା ବଢ଼ିବା ସହିତ ଜୀବିକାର ମଧ୍ୟ ପରିବର୍ତ୍ତନ ହେଲା । କ୍ରମଶଃ ସମାଜ ଜଟିଳ ହେଲା ଏବଂ ଲୋକ ଚରିତ୍ର ମଧ୍ୟ ଜଟିଳ ହୋଇଗଲା । ଏଇ ସବୁ କାରଣରୁ ଅନେକ ଆଇନ୍ ପ୍ରଣୟନ କରାଯାଇଥିଲେ ମଧ୍ୟ ସେସବୁ ଆଇନ୍ କାନୁନ ଭାଙ୍ଗି ଅପରାଧ କରି ଚାଲିଛି ମଣିଷ । ହତ୍ୟା ପରି ଘୃଣ୍ୟ ଅପରାଧ କଲେ ମୃତ୍ୟୁଦଣ୍ଡ ମିଳୁଛି । କିନ୍ତୁ ତଥାପି ଅପରାଧ କମୁନାହିଁ । ସପ୍ତାହେ ପୂର୍ବେ ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳା ଓକିଲଙ୍କୁ ଧର୍ଷଣ କରିବା ଉଦ୍ୟମ ହୋଇଥିଲା । ପରିଚିତ ଲୋକଙ୍କ ଆଗରେ ତାଙ୍କୁ କେତେଜଣ ଗୁଣ୍ଡା ଟେକିନେଲେ, କିନ୍ତୁ ଅନ୍ୟମାନେ ପ୍ରତିରୋଧ କରିବା ପାଇଁ ଆଗେଇ ଆସିଲେ ନାହିଁ । ଏକଥା ଲେଖିବାବେଳେ ଜଟାୟୁ ଉପାଖ୍ୟାନ ମନେପଡ଼ିଗଲା । ଜଟାୟୁର ଆଖି ଆଗରେ ଦୁରାଚାରୀ ରାବଣ ମା’ ସୀତାଙ୍କୁ ହରଣ କରି ନେଇଗଲା ବେଳେ ଆଉ କେହି ନ ଥିଲେ ପାଖରେ ପ୍ରତିରୋଧ କରିବା ପାଇଁ । ଜଟାୟୁ ରାବଣକୁ ଭର୍ସନା କଲା ଏପରି କୁକର୍ମ କରୁଥିବାରୁ । କିନ୍ତୁ ରାବଣ ଶୁଣିଲା ନାହିଁ, ବରଂ ଜଟାୟୁକୁ ଅକଥା କହିଲା । ଜଟାୟୁ ପକ୍ଷୀ ହେଲେ କ’ଣ ହେବ ରାବଣର ରଥରେ ଯାଉଥିବା ମା’ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଆକାଶ ମାର୍ଗରେ ପଥରୋଧ କଲା । ରାବଣ ସହିତ ଯୁଦ୍ଧ କଲା । ରାବଣ ପରାକ୍ରମୀ ଅସୁର । ତା’ର ଖଣ୍ଡାଘାତରେ ଜଟାୟୁର ଡେଣା ଛିଣ୍ଡିଗଲା ଏବଂ ସେ ତଳେ ପଡ଼ିଗଲା । ସେଇ ବାଟଦେଇ ଯେତେବେଳେ କିଛି ସମୟ ପରେ ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଖୋଜି ଖୋଜି ଆସିଲେ ଜଟାୟୁ ସେମାନଙ୍କୁ ସୀତାଙ୍କୁ ରାବଣ ହରଣ କରିନେଉଥିବା ବୃତ୍ତାନ୍ତ ଶୁଣାଇଲା । ଜଟାୟୁର ମୃତ୍ୟୁହେବାରୁ ତା’ର ସଂସ୍କାର କଲେ ରାମଚନ୍ଦ୍ର ଏବଂ ସେ କହିଥିବା ବାଟରେ ସୀତାଙ୍କ ଅନ୍ୱେଷଣ କଲେ । ଶେଷରେ ରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ହେଲା ଏବଂ ସୀତାଙ୍କୁ ଉଦ୍ଧାର କଲେ ଶ୍ରୀରାମଚନ୍ଦ୍ର ।

 

ଜଟାୟୁ ଉପାଖ୍ୟାନ ଏଠାରେ ଏଥିପାଇଁ ଉଲ୍ଲେଖ କଲି ଯେ ହଜାର ହଜାର ବର୍ଷ ପୂର୍ବେ ଲୋକଙ୍କ ମନରେ ଭଲ ମନ୍ଦ ବିଚାର ବୁଦ୍ଧି ଥିଲା, ଧର୍ମ ଓ ଈଶ୍ଵର ଭୟ ଥିଲା । ତେଣୁ କେହି ସହଜରେ ଅପରାଧ କରିବା ପାଇଁ ସାହସ କରୁନଥିଲେ । ଏବେ ତ ଈଶ୍ୱର ଭୟ ନାହିଁ, ଧର୍ମ ଭୟ ବି ନାହିଁ । ତେବେ ରାଜଭୟ ଅଛି । କାଳେ ଧରାପଡ଼ିଗଲେ କଠୋର ଦଣ୍ଡ ମିଳିବ । ଏଇ ଭୟରେ ଅନେକ କୁକର୍ମ କରିବାକୁ ସାହସ କରନ୍ତି ନାହିଁ । କିନ୍ତୁ ଅନେକ ମଧ୍ୟ ଏହା ସତ୍ତ୍ୱେ କୁକର୍ମ କରନ୍ତି । କାରଣ କ୍ଷମତାରେ ଥିବା ଲୋକଙ୍କୁ ହାତକରି ସେମାନେ ଦଣ୍ଡରୁ ଖସିଯାଉଛନ୍ତି । ଜଟାୟୁ ପକ୍ଷୀ ହୋଇ ମଧ୍ୟ ରାବଣର ପ୍ରତିରୋଧ କରି ପ୍ରାଣ ଦେଲା । କିନ୍ତୁ ମହିଳା ଜଣଙ୍କୁ ବଳାତ୍କାର କରୁଥିବା ଜାଣି ମଧ୍ୟ ପାଖଆଖର ଲୋକ ପ୍ରତିରୋଧ କରିବାକୁ ଧାଇଁ ଆସିଲେ ନାହିଁ । କେତେବର୍ଷ ପୂର୍ବେ ଆଠନମ୍ବରରେ ଆଉ ଗୋଟିଏ ଲୋମହର୍ଷକ ଘଟଣା ଘଟିଥିଲା । ସ୍କୁଟର ପଛରେ ସ୍ତ୍ରୀଙ୍କୁ ବସାଇ ଜଣେ ଯୁବକ ସନ୍ଧ୍ୟାବେଳେ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ଦୁବୃର୍ତ୍ତମାନେ ଅନୁସରଣ କଲେ ଏବଂ ଯୁବକଙ୍କ ସ୍ତ୍ରୀଙ୍କ ବେକରୁ ସୁନାହାର ଛଡ଼ାଇ ନବାପାଇଁ ଉଦ୍ୟମ କରିବାରୁ ସେମାନେ ପାଟିତୁଣ୍ଡ କଲେ । ଦୁଇ ମହଲା ଉପରୁ ଜଣେ ଶିକ୍ଷା ବିଭାଗ ପ୍ରଶାସକ ଓହ୍ଲାଇ ଆସି ଦୁର୍ବୃତ୍ତମାନଙ୍କ କବଳରୁ ସେମାନଙ୍କୁ ରକ୍ଷା କରିବା ସକାଶେ ଉଦ୍ୟମ କରିବାରୁ ତାଙ୍କ ପେଟରେ ଛୁରା ଭୁଷି ଦେଲା ଜଣେ ଗୁଣ୍ଡା । ସେ ପ୍ରାଣ ହରାଇଲେ । ଜଟାୟୁ ଉପାଖ୍ୟାନ ସହିତ ଏଇ ଘଟଣାର ଅନେକ ସାଦୃଶ୍ୟ ଅଛି । କିନ୍ତୁ ଏପରି ସାହସ ଓ ପରୋପକାରୀ କେତେଜଣ ବାହାରିବେ ଆଜିକାଲି ?

 

ଅପରାଧ ବିରୋଧରେ ପ୍ରତିବାଦ ହେଉନାହିଁ ବା ଅପରାଧୀକୁ ଧରାଇ ଦବାପାଇଁ ସଙ୍ଗଠିତ ଉଦ୍ୟମ ହେଉନାହିଁ । ସେଥିପାଇଁ ଅପରାଧ ବଢ଼ୁଛି ଏବଂ ଅପରାଧୀମାନେ ନିର୍ଭୟରେ ଖସି ଯାଉଛନ୍ତି । ସମାଜ ଆଉ ପାପୀ, ଧୂର୍ତ୍ତ ଓ ଅପରାଧୀମାନଙ୍କୁ ଦଣ୍ଡ ଦେଇପାରୁ ନାହିଁ । ସମାଜର ଅଲିଖିତ କ୍ଷମତା ଅମାନ୍ୟ ହେଉଛି । ଏପରିକି ଲୋକ ଚରିତ୍ରର ଅଧୋଗତି ହେଉଥିବାରୁ ତାହା ପ୍ରତିରୋଧ କରିବା ପାଇଁ ଅନେକ ଅନେକ ପ୍ରଣୟନ କରାଗଲା ଓ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ରହିଲା । ଏହା ସତ୍ତ୍ୱେ ଆଇନକୁ ଅକାମୀ କରି ଅପରାଧୀମାନେ କୁକର୍ମ କରିଚାଲିଛନ୍ତି ।

 

ପୂର୍ବର ଈଶ୍ଵରଭୟ, ଧର୍ମ ଭୟ, ପାପପୁଣ୍ୟ ଭୟ ଆଉ ନାହିଁ । ଏପରିକି ଖରାପ କାମ କଲେ, ଅପରାଧ କଲେ ଆଇନ ଅନୁସାରେ ଦଣ୍ଡ ମିଳିବ ଜାଣି ମଧ୍ୟ ଲୋକ ଅପରାଧ କରିବା ପାଇଁ ଆଗେଇ ଆସୁଥିବା କଳିଯୁଗର ଲକ୍ଷଣ । କଳିଯୁଗ କେବେ ଶେଷ ହେବ ତାହା କେହି କହିପାରୁନାହାନ୍ତି । କଳ୍କୀ ଅବତାର ଗ୍ରହଣ କରି ପ୍ରଭୁ କେବେ ଦୁଷ୍ଟ ଦମନ କରିବେ ତାହା ଅନିର୍ଦ୍ଦିଷ୍ଟ ହୋଇରହିଛି । ଏଣେ କଳ୍କୀ ଆସିବା ନିଶ୍ଚିତ ଜାଣି ମଧ୍ୟ ଅପରାଧୀମାନେ ଦଣ୍ଡମୁଣ୍ଡକୁ ଖାତିର ନ କରି ନିଜ ପ୍ରବୃତ୍ତି ଚରିତାର୍ଥ କରିବା ପାଇଁ ପାପ କରିବାରେ ଲାଗିଛନ୍ତି । କଥାରେ ଅଛି ପରର ଉପକାର କଲେ ପୁଣ୍ୟ ଅର୍ଜନ କରିବ । ଆଉ ପରକୁ ପୀଡ଼ାଦେଲେ ପାପ ଅର୍ଜନ କରିବା କିନ୍ତୁ ପାପ କରିବା ପାଇଁ ଆଉ ଲୋକଙ୍କ ଭୟ ନାହିଁ । ରାବଣ ପରି ପଣ୍ଡିତ ବ୍ୟକ୍ତିର ଯଦି ପାପପୁଣ୍ୟ ବିଚାର ରହିଲା ନାହିଁ, ତେବେ କଳିଯୁଗର ଲୋକ ତ ଚରିତ୍ର ଦୋଷରୁ ପାପାଚାରୀ ହେଲେ । ସେମାନେ ଜାଣନ୍ତି ଯେ ସେମାନଙ୍କୁ ସମାଜ ବା ଶାସନ ଆଉ ଦଣ୍ଡ ଦେଇପାରିବ ନାହିଁ । ସାକ୍ଷ୍ୟ ପ୍ରମାଣ ନଷ୍ଟ କରି ଅଦାଲତ ହାତରୁ ଖସିଯିବା ପାଇଁ ସେମାନେ ଅନେକ ହଟଚମଟ ସୃଷ୍ଟି କରନ୍ତି-। ସତକୁ ମିଛ ଏବଂ ମିଛକୁ ସତ କରିବା ପାଇଁ ପଇସା ପଡ଼େନାହିଁ । କେବଳ ଭୟ ଦେଖାଇଲେ କାମ ହୁଏ । ଗୁଣ୍ଡା ଓ ଅସାମାଜିକମାନେ ଦାଣ୍ଡରେ ଦିବାଲୋକ ଓ ରାତିରେ ନିର୍ଭୟରେ ବୁଲୁଛନ୍ତି ଶିକାର ଖୋଜି ଖୋଜି । ସେମାନଙ୍କ ଶିକାର ହେଉଛନ୍ତି ଦୁର୍ବଳା ଅବଳାମାନେ ।

 

କିନ୍ତୁ ପାପ ଚିରକାଳ ଲୋକଙ୍କୁ ସୁଖ ଦେଇପାରିବ ନାହିଁ । ପୁଣ୍ୟ ତ ସବୁ କାଳରେ ଅକ୍ଷୟ ଅବ୍ୟୟ । ପୁଣ୍ୟ ବଳରେ ଯଦି ବିଶ୍ୱାମିତ୍ର ଦ୍ୱିତୀୟ ସ୍ଵର୍ଗ ସୃଷ୍ଟି କରିପାରିଲେ ତ୍ରିଶଙ୍କୁଙ୍କୁ ସ୍ଥାନ ଦବା ପାଇଁ ତେବେ କିବା ଅସାଧ୍ୟ ମହୀତଳେ । ଏ ପୃଥିବୀରେ ସବୁ ସମ୍ଭବ । କଥା ହେଉଛି ଏଇ ଯେ ଭଲ କରିବି, ପରର ଉପକାର କରିବି, ପୁଣ୍ୟ ଅର୍ଜନ କରିବି ଏକଥା ମନକୁ ଆସୁନାହିଁ । ଟିଭିରେ, ସିନେମାରେ, ସାହିତ୍ୟରେ ପ୍ରତିଦିନ ଅପରାଧ, ଧର୍ଷଣ, ହତ୍ୟା, ବଳତ୍କାର ପ୍ରଭୃତିର ଦୃଶ୍ୟ ଦେଖିବା ପଢ଼ି ଲୋକଙ୍କ ମନ ସେଇ ଆଡ଼କୁ ଧାଉଁଛି । ସହଜ ଉପାୟରେ ଧନ ଉପାର୍ଜନ କରିବା ପାଇଁ ଚୋରି ଡକାୟତି କରାଯାଉଛି । ଭେଜାଲ ଔଷଧ କାରବାର କରି । ବିପୁଳ ଅର୍ଥ ଉପାର୍ଜନ ହେଉଛି । ରୋଗର ଚିକିତ୍ସା ପାଇଁ ବିଶ୍ୱବ୍ୟାଙ୍କ ଦେଇଥିବା ଅର୍ଥ ମନ୍ତ୍ରୀ, ସଚିବ ଓ ଅଧିକାରୀମାନେ ଲୁଟି ନେଉଛନ୍ତି । ଏସବୁ ଘୃଣ୍ୟ ଅପରାଧ ଏହା ଜାଣି ମଧ୍ୟ ସେମାନେ କୁକର୍ମ କରିବାରୁ କ୍ଷାନ୍ତ ହେଉନାହାନ୍ତି । କାରଣ ସେମାନଙ୍କ ମନରେ ଈଶ୍ୱର ଭୟ, ଧର୍ମ ଭୟ ବା ଆଇନ୍ ଭୟ ନାହିଁ । ବିବେକ ମଧ୍ୟ ନାହିଁ, ବିବେକଶୂନ୍ୟ ହୋଇଯାଇଛି ମଣିଷ । ଘୋର କଳିର ଚିହ୍ନ ମଣିଷ ଚରିତ୍ରରେ ବିଦ୍ୟମାନ ।

 

ଭାଗବତରେ ଅଛି ‘ଧନ୍ୟ ଜୀବନ ଏ ଜଗତେ, ଯେ ପ୍ରାଣଧରେ ପ୍ରାଣୀହିତେ’ । ଗାନ୍ଧୀଙ୍କୁ କାହିଁକି ମହାତ୍ମା କହନ୍ତି ଲୋକମାନେ ? ସେ ପ୍ରାଣୀଙ୍କ ହିତାର୍ଥେ ଜୀବନ ଦେଲେ । ନ୍ୟାୟର ବିକଳ୍ପ ନାହିଁ । ଧର୍ମ ହେଉଛି ନ୍ୟାୟନିଷ୍ଠ କର୍ତ୍ତବ୍ୟବୋଧ । ତାହା ଗାନ୍ଧିଙ୍କ ଆଚାର ବିଚାରରେ ଥିଲା ବୋଲି ସେ କୋଟି ହୃଦୟର ମଉଡ଼ମଣି । ସେ ମାହାତ୍ମାଗାନ୍ଧୀ । ଦେଶର ହିତ, ପ୍ରାଣୀଙ୍କ ହିତ ପାଇଁ ବଞ୍ଚିଥିଲେ ସେ । ସତ୍ୟ, ଧର୍ମ, ନ୍ୟାୟର ଜୟ ପାଇଁ ଆଜୀବନ ଲଢ଼ିଲେ । କିନ୍ତୁ ତାଙ୍କ ପରେ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିପାରୁନାହାନ୍ତି ଏ ଜାତିର ନେତା ବୁଦ୍ଧିଜୀବୀ ଓ ଲୋକମାନେ । ମେରୁଦଣ୍ଡ ସଳଖନଥିଲେ ନ୍ୟାୟ, ସତ୍ୟ, ଧର୍ମ ପାଇଁ ଲଢ଼ି ହୁଏନାହିଁ । ଏବେବି ସମୟ ଅଛି ଚରିତ୍ର ସଂଶୋଧନ କରିବା ପାଇଁ । ସମାଜ ବଦଳିବ ମନ ବଦଳିଲେ । ମନ ବଦଳିଲେ ଆଚାର ଓ ବିଚାର ମଧ୍ୟ ବଦଳିବ । କଳିଯୁଗର ଅନ୍ତ ଆମରି ମନରୁ ଅପରାଧ କରିବାର ପ୍ରବୃତ୍ତିର ଅନ୍ତ ହେବା ଉପରେ ନିର୍ଭର କରେ । ସେଥିପାଇଁ ମାନସିକ ପ୍ରସ୍ତୁତି ଦରକାର । ମୂଲ୍ୟବୋଧ ରକ୍ଷାକରି ନିର୍ମଳ ଜୀବନଯାପନ ନ କଲେ ପାପାଗ୍ନିରେ ମରିବା ସୁନିଶ୍ଚିତ ।

☆☆☆

 

ଜଗନ୍ନାଥ ଭଲେ ବିରାଜୋ ଜୀ

 

ଉତ୍ତର ଭାରତ ଓ ପଶ୍ଚିମ ଭାରତରୁ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନେ ବଡ଼ଦାଣ୍ଡରେ ଧାଡ଼ି ବାନ୍ଧି ଗଲାବେଳେ ବଡ଼ ପାଟିରେ କହୁଥାଆନ୍ତି—‘ଜଗନ୍ନାଥ ଭଲେ ବିରାଜୋ ଜୀ । ମହାପ୍ରଭୁଙ୍କ ଆକର୍ଷଣ ଡୋରି ଲାଗିଲେ ଯିଏ ଯେଉଁଠି ଥିଲେ ମଧ୍ୟ ଟାଣି ହୋଇ ଆସିବେ ରତ୍ନସିଂହାସନ ଉପରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ । ସେ ତ କଲ୍ୟାଣର ପ୍ରତୀକ । ତାଙ୍କରି କୃପାରୁ ଜଗତ ଅହର୍ନିଶ ଧର୍ମ ପାଳନ କରି ଘୂରୁଚି ସୂର୍ଯ୍ୟ ଚାରିପାଖରେ । ତାଙ୍କରି ଆଜ୍ଞା ପାଳନ କରି ସୂର୍ଯ୍ୟ ଆଲୋକ ଦିଅନ୍ତି, ପବନ ବହେ, ବର୍ଷା ହୁଏ, ଫୁଲ ଫୁଟୋ ଫଳ ହୁଏ । ଏବଂ ତାଙ୍କରି ଇଚ୍ଛାରୁ ପଙ୍ଗୁ ଗିରି ଲଙ୍ଘନ କରେ ।

 

ଅଳ୍ପ କେତେଦିନ ପୂର୍ବେ ଖବରକାଗଜରୁ ପଢ଼ିଲି ଯେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ପକ୍ଷାଘାତରୁ ପଙ୍ଗୁ ହୋଇଯାଇଥିବା ଜଣେ ଭକ୍ତ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତେ ତା’ର ପଙ୍ଗୁତ୍ୱ କଟିଗଲା ଏବଂ ସେ ବାହୁ ମେଲାଇ ମହାପ୍ରଭୁଙ୍କୁ ଦର୍ଶନ କଲା । ଏପରି ଘଟଣା ଆକସ୍ମିକ ହେଲେହେଁ ଘଟେ, ସବୁ ଯୁଗରେ ଘଟିଆସୁଛି । ଭକ୍ତମାନଙ୍କର ଲମ୍ବାଧାଡ଼ି ଲାଗିଛି ପୁରୁଷୋତ୍ତମ କ୍ଷେତ୍ରରେ ବାରମାସ ତେର ପର୍ବ ପାଳନ କରିବା ପାଇଁ । ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି—ତାଙ୍କୁ ଯିଏ ଯେପରି ଡାକେ ସେ ତାକୁ ସେଇ ରୂପରେ ଦେଖାଦିଅନ୍ତି । । ସେଥିପାଇଁ ତ ଦକ୍ଷିଣରୁ ଜଣେ ଭକ୍ତ ଗଣପତି ଭଟ୍ଟ ମହାପ୍ରଭୁଙ୍କୁ ଇଷ୍ଟଙ୍କ ରୂପରେ ଦେଖିବାକୁ ଆସିଥିଲେ, କିନ୍ତୁ ପ୍ରଥମ ଦର୍ଶନରେ ମହାପ୍ରଭୁଙ୍କ ବେଶ ଦେଖି ନିରାଶ ହେବାରୁ ପ୍ରଭୁ ତାଙ୍କୁ ଦେଖାଗଲେ ଗଣପତିଙ୍କ ରୂପରେ । କେତେପ୍ରକାର ବେଶ ହୁଅନ୍ତି ମହାପ୍ରଭୁ । ଭକ୍ତମାନଙ୍କ ମନ ତୋଷିବା ପାଇଁ କେତେବେଳେ କାଳୀୟ ଦଳନ ତ ଆଉ କେଉଁଦିନ ପଦ୍ମବେଶ ବା ଆଉ କେଉଁଦିନ ଗଜ ଉଦ୍ଧାରଣ ବେଶ । ତାଙ୍କୁ ସମସ୍ତେ ଭିନ୍ନ ଭିନ୍ନ ରୂପରେ ଦେଖନ୍ତି, ତାଙ୍କ ଗୁଣଗାନ କରନ୍ତି । ସେ ସମସ୍ତଙ୍କର ପରମ ଇଷ୍ଟ । ଭିନ୍ନ ଭିନ୍ନ ନାମରେ ଭକ୍ତମାନେ ଡାକିଲେ ମଧ୍ୟ ସେ ଏକ ଓ ଅଦ୍ୱିତୀୟ । କିନ୍ତୁ ତାଙ୍କୁ ପଣ୍ଡିତମାନେ ମଧ୍ୟ ଭିନ୍ନ ଭିନ୍ନ ନାମରେ ଡାକନ୍ତି । ବିଷ୍ଣୁ ସହସ୍ର ନାମ ଜପ କଲେ ମହାପୁଣ୍ୟ ହୁଏ । କିନ୍ତୁ ତାଙ୍କୁ ଅନ୍ୟ ରୂପରେ ଡାକିଲେ ମଧ୍ୟ ସେ ପ୍ରସନ୍ନ ହୁଅନ୍ତି । ତାଙ୍କୁ ଯିଏ ଯେପରି ଡାକୁ ସେ ଶୁଣନ୍ତି । ଭିନ୍ନ ଭିନ୍ନ ଧର୍ମ ପାଇଁ ଭିନ୍ନ ଭିନ୍ନ ଭଗବାନ ନାହାନ୍ତି । ଈଶ୍ଵର ଏକ । ମଣିଷ ମଧ୍ୟ ସାଧନା ବଳରେ ତାଙ୍କରି କରୁଣାରୁ ତାଙ୍କୁ ନିଜ ଭିତରେ ଉପଲବ୍ଧି କରିପାରେ । ‘ମୁଁ ସେହି’ ବୋଲି ଯୁଗାଚାର୍ଯ୍ୟମାନେ କହିଯାଇଛନ୍ତି ।

 

ସେ ଯଦି ଏକ ଅଦ୍ୱିତୀୟ ଈଶ୍ଵର ତେବେ ଝଗଡ଼ା କାହିଁକି ? ଏତେ ଧର୍ମ, ଏତେ ମତବାଦ, ଏତେ ପ୍ରକାର ପୂଜାପଦ୍ଧତି ଓ ଉପାସନା କାହିଁକି ? କଥାରେ ଅଛି ‘ଯେ ଦେଶ ଯାଇ ସେ ଫଳ ଖାଇ” । ଯେଉଁଠି ଯେପରି ସେଇଠାରେ ତାଙ୍କୁ ସେହିପରି ପ୍ରାର୍ଥନା କର । ଚେତନାରେ ସେ ମହାମହିମ ଜଗଦୀଶ୍ୱର । ଧର୍ମ ନାମରେ, ଜାତି ଗୋତ୍ର ନାମରେ କଳି କରନାହିଁ । ସମସ୍ତ ଜୀବ ଓ ଜଗତ ତାଙ୍କରି ସୃଷ୍ଟି । ସେ ହିଁ ମୂଳ । ତାଙ୍କରି ଇଚ୍ଛାରୁ ବିଶ୍ୱ ସୃଷ୍ଟି ହୋଇଛି । ତାଙ୍କରି ଇଚ୍ଛାରୁ ତା ଏତେ ନବରଙ୍ଗ ଚାଲିଛି ଜଗତରେ ।

 

ଏହାସତ୍ତ୍ୱେ ତାଙ୍କୁ ପାସୋରିଚି ମଣିଷ । ତାଙ୍କ ନାମ ଭୁଲିଯାଏ । ନିଜକୁ ବଡ଼ ବୋଲି ଭାବେ । ମନ୍ଦ କାର୍ଯ୍ୟ କରେ । ପରକୁ ପୀଡ଼ା ଦିଏ । ପୁଣ୍ୟ କାମ ନକରି ପାପ କରେ । ସେଥିପାଇଁ ସବୁ ଧର୍ମରେ ଭଗବାନ ଭକ୍ତମାନଙ୍କୁ ସହାୟ ହୁଅନ୍ତି । ପଶ୍ଚିମ, ଉତ୍ତର, ପୂର୍ବ ଓ ଦକ୍ଷିଣରୁ ଯେଉଁ ଯାତ୍ରୀମାନେ ଶ୍ରୀକ୍ଷେତ୍ରକୁ ଆସନ୍ତି ସେମାନେ ଫେରିଗଲାବେଳେ ଜଗନ୍ନାଥ ଚେତନା ନେଇ ଫେରନ୍ତି । ଜଗନ୍ନାଥଙ୍କ ଆଗରେ ସମସ୍ତେ ସମାନ । ସେ ସମସ୍ତଙ୍କୁ କରୁଣା କରନ୍ତି ।

 

ଏଇ ଜଗନ୍ନାଥ ଚେତନାରୁ ଜଗନ୍ନାଥ ସଂସ୍କୃତି, ପରମ୍ପରା, ପ୍ରଥା ସୃଷ୍ଟି ହୋଇଛି । କିନ୍ତୁ ସାଧାରଣ ମଣିଷ ବେଳେବେଳେ ତାଙ୍କୁ ଭୁଲିଯାଇ ସେ ନିଜେ ସବୁ କରୁଛି ବୋଲି ଭାବେ । ଅହଂକାର କରେ । ନିଜର ବାହୁବଳ ଓ ଧର୍ମବଳକୁ ବଡ଼ ମନେକରେ । କିନ୍ତୁ ପ୍ରକୃତରେ ସେ ବଡ଼ ନୁହେଁ । ପ୍ରତି ଜୀବ ତାଙ୍କରି ସୃଷ୍ଟି । ତେଣୁ ସମସ୍ତେ ସମସ୍ତଙ୍କ ସୁରକ୍ଷା କରିବା ଉଚିତ । ଜଗନ୍ନାଥ ସହାବସ୍ଥାନର ପ୍ରତୀକ । ସେ ସମତାର ପ୍ରତୀକ । ସେ ମୈତ୍ରୀର ଉତ୍ସ । କଳିକାଳରେ ଲୋକମାନଙ୍କ ଚେତନାରେ ତାଙ୍କ ନାମ ତାଙ୍କ ଉପାସନା ଦୃଢ଼ କରିବା ସକାଶେ ରାଜଧାନୀରେ ଚାଲିଛି ଜଗନ୍ନାଥ ଚେତନା ମହାସମାବେଶ । ଭଜନ କୀର୍ତ୍ତନ ଚାଲିଛି । ଯଜ୍ଞ ଚାଲିଛି । ଉପାସନା ଚାଲିଛି । ଭକ୍ତମାନଙ୍କର ସୁଅ ଛୁଟିଛି । ସେଦିନ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରି ଶୋଭାଯାତ୍ରା ଆସିଲା ଆଜ୍ଞାମାଳ ନେଇ ପ୍ରଦର୍ଶନୀ ପଡ଼ିଆ ପର୍ଯ୍ୟନ୍ତ । ପ୍ରଦର୍ଶନୀ ପଡ଼ିଆରେ ସପ୍ତାହବ୍ୟାପୀ ସମାବେଶ ଚାଲିଛି । ରାଜଧାନୀବାସୀଙ୍କ ଅହୋଭାଗ୍ୟ । ସମସ୍ତଙ୍କ ପାଖକୁ ଆସିଛନ୍ତି ମହାପ୍ରଭୁ ଲୋକାଚାର ରକ୍ଷା କରି । ତାଙ୍କରି ଗୁଣକୀର୍ତ୍ତନ ଚାଲିଛି । ଧର୍ମଭେଦ, ଜାତିଭେଦ, ଗୋତ୍ରଭେଦ ଭୁଲି ଯେଉଁମାନେ ଭଗବାନଙ୍କୁ ପ୍ରଣାମ କରନ୍ତି, ପୂଜା କରନ୍ତି ସେ ସେମାନଙ୍କୁ ଦେଖା ଦିଅନ୍ତି । ସେମାନଙ୍କୁ ରକ୍ଷା କରନ୍ତି । ସେଥିପାଇଁ ଗୀତାରେ ଭଗବାନ କହିଛନ୍ତି—‘ଯେଉଁମାନେ ଅନନ୍ୟ ଚିତ୍ତରେ ମୋତେ ଉପାସନା କରନ୍ତି, ମୁଁ ସେମାନଙ୍କ ସହିତ ନିତ୍ୟଯୁକ୍ତ ଥାଏ ଏବଂ ସେହି ଯୋଗକ୍ଷେମମାନଙ୍କୁ ମୁଁ ସର୍ବୋତଭାବେ ରକ୍ଷାକରେ ।' ବିଭିନ୍ନ ଧର୍ମଶାସ୍ତ୍ରରେ ଏଇକଥା କୁହାଯାଇଛି-। ଭକ୍ତକୁ ଭଗବାନ ରକ୍ଷା କରନ୍ତି । ଏହାର ସହସ୍ର ଦୃଷ୍ଟାନ୍ତ ରହିଛି କିନ୍ତୁ ଅହଂକାର ବର୍ଜନ ନ କଲା ପର୍ଯ୍ୟନ୍ତ ମଣିଷ ଈଶ୍ୱରଙ୍କ ଉପସ୍ଥିତି ଅନୁଭବ କରିପାରିବ ନାହିଁ କିମ୍ବା କୃପା ପାଇବ ନାହିଁ-

 

ଶ୍ରୀକ୍ଷେତ୍ରରେ ମହାପ୍ରଭୁ ବିରାଜମାନ । ସେଥିପାଇଁ ତାଙ୍କୁ ଦେଖିବା ମାତ୍ରେ ଭକ୍ତ ତୁଣ୍ଡରୁ ଉଚ୍ଚାରିତ ହୁଏ—ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ । ହେ ପ୍ରଭୁ ! ତୁମେ ମୋ ଦୃଷ୍ଟିରେ ମୋ ଭାବନା ଓ ଚିନ୍ତାରେ ଆବିର୍ଭାବ ହୁଅ । ସମସ୍ତ ଧର୍ମର ଈଶ୍ଵର ଏକ । ତାଙ୍କର ନାମ ଭିନ୍ନ ଭିନ୍ନ ହୋଇପାରେ । ଏଇ ଭାବନା ମନରେ ଦ୍ରୁତ ହେଲେ ସବୁ ଧର୍ମର ଲୋକ ଭାଇ ଭାଇ ମନେ କରିବେ । ଧର୍ମ ନାମରେ, ଜାତି ନାମରେ ସଂଘର୍ଷ ହେବନାହିଁ । ଧର୍ମ ଭାବନା ମଣିଷର ମନକୁ ନିର୍ମଳ କରେ । ମନରୁ ଅହଂକାର ଦୂର କରେ । ଜଗତର ଈଶ୍ଵର ଏକ ଏଇ ଭାବନା ଦୃଢ଼ ହେଲେ ଆଉ ସଂଘର୍ଷ ହେବନାହିଁ । ସତ୍ ମାଗରେ ସମସ୍ତେ ଚାଲିବେ ।

☆☆☆

 

କୋଟିକରେ ଦାୟ ନା ଗୋଟିକରେ ?

 

ଗଣତନ୍ତ୍ର କୋଟିଙ୍କ ପାଇଁ, ଗୋଟିକ ପାଇଁ ନୁହେଁ । କିନ୍ତୁ ଦେଶ ସ୍ୱାଧୀନ ହେବାର ୬୦ ବର୍ଷ ପୂରିଗଲେ ବି ଗଣତନ୍ତ୍ର ଶାସନ ଓ ସମାଜ ବ୍ୟବସ୍ଥାରେ ପୂର୍ବପରି ଜନସାଧାରଣଙ୍କ ସୁଖ ଦୁଃଖ ବିଚାର କରିବା ଅପେକ୍ଷା କ୍ଷମତାଶାଳୀ ଓ ପ୍ରଭାବଶାଳୀମାନଙ୍କ ସୁଖ ସରାଗ ବିଷୟକୁ ଗଣମାଧ୍ୟମ ଓ ଶାସକ ଗୋଷ୍ଠୀ ପ୍ରାଧାନ୍ୟ ଦେଇଥାନ୍ତି । ଏଇ ଧାରା ଏତେ ଶକ୍ତିଶାଳୀ ହୋଇଛି ଯେ ଗଣମାଧ୍ୟମରେ ଯେପରି ଗଣଙ୍କ କଥା କମି ଯାଉଛି, ଗଣତନ୍ତ୍ର ଶାସନରେ ମଧ୍ୟ ସେହିପରି ଗଣସ୍ୱାର୍ଥ ଅପେକ୍ଷା ଅଳ୍ପ କେତେଜଣଙ୍କ ସ୍ୱାର୍ଥ ବିଷୟରେ କୁହାଯାଉଛି । ଫଳରେ ଗଣତନ୍ତ୍ରର ମୂଳ ବ୍ୟାଖ୍ୟାଟି ଅମୂଳକ ହୋଇଯାଉଛି । ମୁଁ ଏଠାରେ କହିବାକୁ ଚାହେଁ ଯେ ସମାଜ ସମସ୍ତଙ୍କୁ ନେଇ ଗଠନ କରାଯାଇଛି । ସେହିପରି ଶାସନ ମଧ୍ୟ ସମସ୍ତଙ୍କ ପାଇଁ । ସମସ୍ତଙ୍କ ସୁରକ୍ଷା ଓ ଉନ୍ନତି ଗାଣତନ୍ତ୍ରିକ ଶାସନର ଧ୍ୟେୟ ହୋଇରହିଲେ ଲୋକମାନେ ପ୍ରକୃତରେ ଶାସନର ଅଂଶୀଦାର ହୁଅନ୍ତି-। ସାଧାରଣ ଲୋକ ଗଣତନ୍ତ୍ର ଶାସନର ପ୍ରାଣଶକ୍ତି । ସେମାନେ ହିଁ କ୍ଷମତାର ଉତ୍ସ । ସେମାନଙ୍କୁ ଛାଡ଼ି ଗଣତନ୍ତ୍ର ତିଷ୍ଠି ରହିପାରିବ ନାହିଁ କି ଗଣମାଧ୍ୟମ ନିଜର ଆଦର୍ଶ ବଜାୟ ରଖିପାରିବ ନାହିଁ-

 

ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ ଦେଶର ସମ୍ମାନନୀୟ ବ୍ୟକ୍ତି । ସେମାନେ ଶାସନର କର୍ଣ୍ଣଧାର । ସେମାନଙ୍କ କଥା ଓ କାର୍ଯ୍ୟ ଜନସାଧାରଣଙ୍କ ଉପରେ ପ୍ରଭାବ ପକାଏ । ସେହିପରି ସାଧୁସନ୍ଥ, ମହାତ୍ମା ଓ ମହାନ୍ ଲୋକଙ୍କ କଥା ଓ ଆଦର୍ଶର ମହତ୍ତ୍ୱ ଅଛି । ସ୍ଵାମୀ ବିବେକାନନ୍ଦଙ୍କ ବାଣୀ, ଶ୍ରୀ ଅରବିନ୍ଦଙ୍କ ବାଣୀର ମହତ୍ତ୍ୱ ଜନସାଧାରଣଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ । ସେମାନଙ୍କ ବିଷୟରେ ଟିକିନିଖି ଜାଣିବା ପାଇଁ ଜନସାଧାରଣ ଚାହାନ୍ତି । କିନ୍ତୁ ରାହୁଳ ମହାଜନ ନିଶାସେବନ କରିବାରୁ କିପରି ଦୁର୍ଦ୍ଦଶା ଭୋଗିଲେ ବା ଆବୁ ସାଲେମଙ୍କ ସହିତ ଚିତ୍ର ତାରକା ମୋନିକା ବେଦିଙ୍କ କ’ଣ ସମ୍ବନ୍ଧ ଥିଲା ସେ ବିଷୟ ସାଧାରଣ ସ୍ଵାର୍ଥ ଆଗରେ ଅପ୍ରସାଙ୍ଗିକ । ଗାଣତନ୍ତ୍ରିକ ଶାସନ ଚାଲିଛି । କିନ୍ତୁ ସମାଜ ବ୍ୟବସ୍ଥା ପୂରା ବଦଳି ନାହିଁ । ସମାଜରେ କାଳ କାଳ ଧରି ରହିଥିବା ମୂଲ୍ୟବୋଧଗୁଡ଼ିକ ଲୋକଙ୍କ ଆଚାର ଓ ବିଚାରରେ ପ୍ରତିଫଳିତ ହେଉନାହିଁ । ସେଥିପାଇଁ ବାବା ରାମଦେବ ବା ଧର୍ମଗୁରୁ ଶ୍ରୀ ରବିଶଙ୍କର ରାଜଧାନୀକୁ ଆସିଲେ ଚହଳ ପଡ଼ିଯାଏ । ସେମାନଙ୍କ ବାଣୀ ଶୁଣିବା ପାଇଁ ପନ୍ଦରରୁ କୋଡ଼ିଏ ହଜାର ଲୋକ ଜନତା ମଇଦାନରେ ଠୁଳ ହୁଅନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବମାନଙ୍କ ଠାରୁ ଆରମ୍ଭ କରି ବ୍ୟବସାୟ ସଂସ୍ଥାର ପରିଚାଳକ, ଧନୀ ଓ ଗୁଣୀ ବ୍ୟକ୍ତି ଥାଆନ୍ତି । ସମାଜଗଠନ ପ୍ରକ୍ରିୟାରେ ଏଇ ସତସଙ୍ଗ ସମାଜକୁ ଅଧିକ କ୍ରିୟାଶୀଳ ଓ ଶକ୍ତିଶାଳୀ କରେ । କିନ୍ତୁ ମୃଗଶିକାର କରିବାକୁ ଯାଇ ସଲମାନ ଖାଁ କ’ଣ କଲେ ବା ସଞ୍ଜୟ ଦତ୍ତ ଜେଲଖାନାରେ ଦିଆଯାଉଥିବା ଖାଦ୍ୟ କିମିତି ଖାଇଲେ ସେସବୁ ବିବରଣୀ ବଡ଼ ବଡ଼ ଅକ୍ଷରରେ ଖବରକାଗଜ ପ୍ରଥମ ପୃଷ୍ଠାରେ ଛାପିବା ଦ୍ଵାରା ସେମାନେ ଅପରାଧୀ ହୋଇବି ମାନ୍ୟଗଣ୍ୟ ହୋଇଯାଆନ୍ତି ।

 

ରାମାୟଣ ଓ ମହାଭାରତରେ ଲୋକ ସଙ୍ଗଠନ କାର୍ଯ୍ୟରେ ମହତ୍ତ୍ୱ ବିଷୟରେ ଅନେକ କାହାଣୀ ରହିଛି । ଏପରି କି ରାବଣର ମନ୍ଦ କାର୍ଯ୍ୟ ସହିତ ତା’ର ଭଲ ଗୁଣଗୁଡ଼ିକ ବିଷୟରେ ମଧ୍ୟ ସେଥିରେ ଉଲ୍ଲେଖ ରହିଛି । ଦାଉଦ୍ ଇବ୍ରାହିମ୍ ମୁମ୍ବାଇରେ ଥିବାବେଳେ ତା ନାମ କେତେକଙ୍କୁ ଉତ୍ସାହ ଦେଉଥିଲାବେଳେ ଅନେକଙ୍କର ତା’ ନାମ ଶୁଣି ହୃତ୍‍କମ୍ପ ହେଉଥିଲା । କାରଣ ଦାଉଦ ଯାହା ଇଚ୍ଛା କରିବ ତାହା କରିବ । ସେ କେବଳ ଚଳଚ୍ଚିତ୍ର ଜଗତରୁ ଓ ବ୍ୟବସାୟ ସଂସ୍ଥାମାନଙ୍କଠାରୁ ସେମାନଙ୍କ ମନରେ ଆତଙ୍କ ଖେଳାଇ କୋଟି କୋଟି ଟଙ୍କା ଆଦାୟ କରୁଥିଲା । ସେଇ ଟଙ୍କା ଭୋଗ ବିଳାସ ପାଇଁ ଖର୍ଚ୍ଚ କରୁଥିଲା । ତାହାରି ଷଡ଼ଯନ୍ତ୍ରରୁ ମୁମ୍ବାଇରେ ଚଉଦବର୍ଷ ପୂର୍ବେ ଘଟିଥିବା ବିସ୍ଫୋରଣରେ ୨୫୦ ଲୋକଙ୍କ ପ୍ରାଣଗଲା । କିନ୍ତୁ ତାକୁ ପୁଲିସ ଧରି ପାରିନାହିଁ । ସେ କରାଚି ପଳାଇଛି । ତଥାପି ଦାଉଦର ପୁଅ ବାହାଘର କିପରି ଜାକଜମକରେ ହେଲା, କିଏ କିଏ ଅତିଥି ଯୋଗଦେଇଥିଲେ ଏବଂ କେତେ ପ୍ରକାର ଖାଦ୍ୟ ଓ ପାନୀୟ ପରସା ଯାଇଥିଲା ସେସବୁ ବିଷୟ ଦିନ ଦିନ ଧରି ଖବରକାଗଜ ଓ ଟିଭିରେ ପ୍ରକାଶ ପାଇଲା । ସଲମାନ ଖାଁ, ସଞ୍ଜୟ ଦତ୍ତ, ଶିବୁ ସୋରେନ, ରାହୁଳ ମହାଜନ ଆମ ସମାଜର ଆଦର୍ଶ ନୁହନ୍ତି ବା ଦାଉଦ୍, ଆବୁ ସାଲେମ୍, ମୋନିକାବେଦୀ, ରାକ୍ଷୀ ସାୱନ୍ତଙ୍କ ଚରିତ୍ର ସହିତ ସାଧାରଣ ଲୋକଙ୍କ କୌଣସି ତାଳମେଳ ନାହିଁ । ଗଣତନ୍ତ୍ର ଶାସନରେ ଗଣ ବା ସାଧାରଣ ଲୋକଙ୍କ ସୁଖଦୁଃଖ ସମ୍ପର୍କରେ ଗଣମାଧ୍ୟମରେ କେତେ ଖବର ବାହାରେ ? ଶହେ ପନ୍ଦର କୋଟିର ଦେଶ ଭାରତବର୍ଷ । ସେଥି ମଧ୍ୟରୁ ପ୍ରାୟ ଅଶୀକୋଟି ଲୋକ ଗ୍ରାମାଞ୍ଚଳରେ । ଏମାନଙ୍କ ମଧ୍ୟରୁ ତିରିଶ କୋଟି ଗରିବ । ସେମାନଙ୍କୁ ଦୁଇବେଳା ଖାଇବା ପାଇଁ ଅନ୍ନ ମିଳେ ନାହିଁ କି ନାରୀମାନଙ୍କ ଲଜ୍ୟା ନିବାରଣ ପାଇଁ ପର୍ଯ୍ୟାପ୍ତ ବସ୍ତ୍ର ନାହିଁ । ଓଡ଼ିଶାର ଆଦିବାସୀମାନେ ସୁଆଁସିଝା ବା ଆମ୍ବ ଟାକୁଆ ସିଝା ପାଣି ଖାଇ ବଞ୍ଚୁଥିବା ବେଳେ ସେମାନଙ୍କ କରୁଣ କାହାଣୀ ଅକୁହା ରହିଯାଏ । କିନ୍ତୁ ଚିତ୍ର ତାରକା, ପୁଞ୍ଜିପତି, କ୍ଷମତାଶାଳୀଙ୍କ ପାନରୁ ଚୂନ ଖସିଲେ ତାହା ଗଣମାଧ୍ୟମର ଚର୍ଚ୍ଚାର ବିଷୟ ହୁଏ । ଏହାଦ୍ଵାରା ଗଣତନ୍ତ୍ର ଦୃଢ଼ ହୁଏନାହିଁ ବା ସମାଜ ସଙ୍ଗଠିତ ହୁଏ ନାହିଁ । ବରଂ ଅଳ୍ପ କେତେଜଣଙ୍କ କଥା କହିବାକୁ ଯାଇ କୋଟି କୋଟି ଲୋକଙ୍କ କଥା ଅକୁହା ରହିଯାଏ ।

 

ଦେଶରେ ଅନ୍ୟାୟ, ଅନାଚାର ବଢ଼ୁଛି । ଆତଙ୍କ ସୃଷ୍ଟି ହେଉଛି । ସେମାନଙ୍କୁ ଧରିବା ସମ୍ଭବ ହେଉନାହିଁ । ଯଦି କଦବା କେବେ କୋଟି କୋଟି ଟଙ୍କା ଲୁଟ କରି କେହି ଦଣ୍ଡିତ ହୁଏ, ତାହାରି କାହାଣୀ ଦିନ ଦିନ ଧରି ପ୍ରକାଶ ପାଏ । ନିଠାରୀଠାରେ ମାସ ମାସ ଧରି କିପରି ଘୃଣ୍ୟ ଅପରାଧ ଚାଲିଥିଲା ତାହା ସହିତ ସଂଶ୍ଳିଷ୍ଟ ଅଭିଯୁକ୍ତମାନଙ୍କ ଫଟୋ ଦିନ ଦିନ ଧରି ଖବରକାଗଜ ପୃଷ୍ଠାରେ କାହିଁକି ଛାପାଗଲା ତାହା ବୁଝିବା କଷ୍ଟ । ଭଲ କାମ କରି ଜେଲ ଦଣ୍ଡ ଭୋଗୁଥିବା ଅନେକ ଲୋକ ଅଛନ୍ତି । କିନ୍ତୁ ସେମାନଙ୍କ କାହାଣୀ ଗଣମାଧ୍ୟମରେ କ୍ୱଚିତ୍ର ପ୍ରକାଶ ପାଏ । ଓଡ଼ିଶାର କେନ୍ଦ୍ରାପଡ଼ା ପରି ଅପରାଧ ପ୍ରବଣ ସ୍ଥାନର ଅପରାଧୀମାନଙ୍କ କଥା ବାରମ୍ବାର ଛାପା ହୁଏ-। କିନ୍ତୁ ସେମାନଙ୍କ ଫଟୋ ଖବରକାଗଜରେ ବାରମ୍ବାର ଛାପା ହେବାରୁ ସେମାନେ ଲୋକଙ୍କ ଆଖି ଆଗରେ ହିରୋ ହୋଇଯାଆନ୍ତି । ଖରାପ କାମର କଥା ଶୁଣି ଶୁଣି ଦୃଶ୍ୟ ଦେଖି ଦେଖି ସେଇ କାମ କରୁଥିବା ଲୋକଙ୍କ ନାମ ମନେରହିଯାଏ; କିନ୍ତୁ ଗାନ୍ଧି, ଗୋପବନ୍ଧୁଙ୍କ ନାମ ଲୋକମାନେ ଭୁଲିଯାଆନ୍ତି ।

 

ଟିଭିରେ ପ୍ରତି ଦିନ ଯେତେ ବିଜ୍ଞାପନ ପ୍ରସାର କରାଯାଏ ସେସବୁ ସ୍ୱଚ୍ଛଳବର୍ଗଙ୍କ ପାଇଁ । ଦେହ ଲୁଚାଇବା ପାଇଁ ତିରିଶକୋଟି ଲୋକଙ୍କୁ ଆବଶ୍ୟକ ଲୁଗା ମିଳୁନଥିବାବେଳେ ବିଭିନ୍ନ ପ୍ରକାର ବର୍ଣ୍ଣାଢ଼୍ୟ ଓ ବ୍ୟୟବହୁଳ ପୋଷାକ, ମନବିନୋଦନ ପାଇଁ ଅଜସ୍ର ପ୍ରକାର ପ୍ରସାଧାନର ଚିତ୍ର ଦେଖିବା ପରେ ଗ୍ରାମ ଓ ଜଙ୍ଗଲରେ ରହୁଥିବା ଲୋକଙ୍କ ମନରେ ବିଦ୍ରୋହ ଭାବନା ଜାତ ହୁଏ । ସେମାନଙ୍କ ମଧ୍ୟରୁ କିଛି ଲୋକ ନକ୍ସଲ ହୋଇଯାଆନ୍ତି । ସରକାରୀ ଚାକିରିଆଙ୍କ ସଂଖ୍ୟା ଜନସଂଖ୍ୟାର ଦୁଇ ପ୍ରତିଶତ । କିନ୍ତୁ ସେମାନଙ୍କ ପାଇଁ ଏତେ ପ୍ରକାର ସୁବିଧା ସୁଯୋଗ ମିଳୁଥିବାବେଳେ ସମାଜକୁ ଖାଦ୍ୟ ଯୋଗାଉଥିବା ଚାଷୀ ମୂଲିଆଙ୍କ ସୁବିଧା ସୁଯୋଗ ବିଷୟରେ ଗଣମାଧମ କେତେ ଗୁରୁତ୍ୱ ଦିଏ ? ଏଇସବୁ କଥା ଚିନ୍ତା କଲେ ମନରେ କ୍ଷୋଭ ସୃଷ୍ଟି ହୁଏ । ଏ ଦେଶଟି କେବଳ ଚିତ୍ର ତାରକା, ନେତା, ଅପରାଧୀମାନଙ୍କ ନୁହେଁ । ଏଠାରେ ଶହେ ପନ୍ଦର କୋଟି ଲୋକ ବାସ କରନ୍ତି । ଏମାନଙ୍କୁ ଗୌଣ କରି ଅଳ୍ପ କେତେ ଜଣଙ୍କୁ ଅତ୍ୟଧିକ ପ୍ରାଧାନ୍ୟ ଦେଇ ସେମାନେ ଯେପରି ସମାଜର ଆଦର୍ଶ ସେପରି ଭାବେ ସେମାନଙ୍କୁ ପ୍ରଦର୍ଶନ କରିବା ଦ୍ୱାରା ଗଣଚେତନାରେ ସଂଶୟ ସୃଷ୍ଟି ହୁଏ । ମୂଲ୍ୟବୋଧର ଅବକ୍ଷୟ ଘଟିବାର ଏହା ହେଉଛି ଏକ ପ୍ରଧାନ କାରଣ । ମୂଲ୍ୟରକ୍ଷା କରୁଥିବା, ଭୋଗଛାଡ଼ି ତ୍ୟାଗ କରୁଥବା, ସମାଜର ହିତ କରୁଥିବା ଲୋକଙ୍କ କାହାଣୀ କେହି କହୁନାହାନ୍ତି । ଯେଉଁମାନେ ଆଇନ ଭାଙ୍ଗନ୍ତି, ସଙ୍ଗଠନକୁ ଧୂଳିସାତ କରନ୍ତି ଏବଂ ନିଜକୁ ତୁଷ୍ଟ କରିବା ସକାଶେ ଅନେକଙ୍କୁ ଶୋଷଣ କରନ୍ତି ସେମାନଙ୍କ କଥା ଚର୍ଚ୍ଚାରେ ରହୁଥିବାରୁ ମୂଲ୍ୟବୋଧ ଯେ ମଣିଷ ଜୀବନର ମହତ୍ ଉପାଦାନ ଏହା ଅପରାଧ ପ୍ରବଣ ସମାଜର କାହାଣୀ ତଳେ ଲୁଚି ରହେ । ସମସ୍ତେ ମନେରଖିବା ଉଚିତ ହେବ ଯେ ସମାଜ ଜଣକ ପାଇଁ ନୁହେଁ ସମସ୍ତଙ୍କୁ ନେଇ ଗଠିତ ହୋଇଛି । ସୁତରାଂ ଗୋଟିକରେ ଆମର ଦାୟ ନୁହେଁ କୋଟିକରେ ଆମର ଦାୟ ।

☆☆☆

 

ବିଶ୍ୱାସେ ମିଳଇ ହରି

 

ରାମେଶ୍ୱରଠାରୁ ଶ୍ରୀଲଙ୍କା ମଧ୍ୟରେ ଦୂରତ୍ୱ ପ୍ରାୟ ୩୨ କିଲୋମିଟର । ମୁଁ ରାମେଶ୍ଵର ଯାଇଥିଲି ଚାଳିଶ ବର୍ଷ ପୂର୍ବେ ପରିବାରର ସମସ୍ତଙ୍କ ସହିତ । ସେତେବେଳେ ହୃଦୟରେ ଈଶ୍ୱରଙ୍କ ପ୍ରତି ଯେତିକି ଦୃଢ଼ ବିଶ୍ୱାସ ଥିଲା ଏଇ ଚାରି ଦଶନ୍ଧି ପରେ ମଧ୍ୟ ତାହା ସେହିପରି ରହିଛି । ବରଂ ଈଶ୍ୱର ଅଛନ୍ତି କି ନାହିଁ ସେ ବିଷୟରେ ଯଦି କ୍ୱଚିତ କାହା ମୁହଁରୁ ଶୁଣେ ବା ସାହିତ୍ୟରୁ ପଢ଼େ ତେବେ ମୁଁ ଚମକି ଉଠେ ଏଇଥି ପାଇଁ ଯେ ଭାରତ ପରି ଗୋଟିଏ ଧର୍ମୀୟ ଦେଶରେ ଏବେ ବି ଲୋକ ଅଛନ୍ତି ଯେଉଁମାନେ ଈଶ୍ଵର ଅଛନ୍ତି କି ନାହିଁ ସେ ବିଷୟରେ ପ୍ରମାଣ ଖୋଜନ୍ତି । ଯୁକ୍ତିବାଦୀମାନଙ୍କୁ ମୁଁ ସମ୍ମାନ କରେ । ଯୁକ୍ତି କରିବା ଦ୍ଵାରା ସତ୍ୟକୁ ଠାବ କରାଯାଇପାରେ । କିନ୍ତୁ ଏମିତି କେତେକ ସତ୍ୟ ଅଛି ଯାହା ଅନୁଭବର ଉପାଦାନ ଏବଂ ବିଶ୍ୱାସର ଧନ । ଏହାକୁ ଜ୍ୟାମିତିର ସୂତ୍ର ଅନୁସରଣ କରି ବୁଝାଇ ଦେଇ ହେବ ନାହିଁ ।

 

ଈଶ୍ଵର ଅଛନ୍ତି ଏଇ ବିଶ୍ଵାସ ମଣିଷ ମନରେ ସୃଷ୍ଟି ହେଲାଦିନୁ ଈଶ୍ଵର ବିଶ୍ୱାସ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆମେରିକା ଓ ପାଶ୍ଚାତ୍ୟର ଅନେକ ଧନାଢ଼୍ୟ ଓ ବିକଶିତ ଦେଶ ହେତୁବାଦକୁ ଆଧାର କରି ବିଜ୍ଞାନ ଓ ପ୍ରଯୁକ୍ତି ବଳରେ ଧନସମ୍ପଦ ଅର୍ଜନ କରିଛନ୍ତି ଏବଂ ପ୍ରାଚୁର୍ଯ୍ୟ ଭିତରେ ବୁଡ଼ି ରହିଛନ୍ତି । କିନ୍ତୁ ହିସାବରୁ ଜଣାପଡ଼ିଛି ଯେ ଆମେରିକା ଅଧିକାଂଶ ଲୋକ ପ୍ରତି ସପ୍ତାହ ଗୀର୍ଜାକୁ ଯାଆନ୍ତି ପ୍ରାର୍ଥନା କରିବା ପାଇଁ ଓ ପ୍ରବଚନ ଶୁଣିବା ପାଇଁ । ଇଂଲଣ୍ଡ, ଫ୍ରାନ୍ସରେ ମଧ୍ୟ ଏକାପରି ଅବସ୍ଥା । ଚୀନ ଓ ରୁଷିଆର କମ୍ୟୁନିଷ୍ଟ ଶାସନ କାଳରେ ଧର୍ମପୀଠଗୁଡ଼ିକ ଅନାଦୃତ ହେଉଥିଲା । କିନ୍ତୁ ସାମ୍ୟବାଦୀ ଶାସନର ପତନ ପରେ ଏବଂ ଗଣତନ୍ତ୍ର ଓ ପୁଞ୍ଜିବାଦୀ ବ୍ୟବସ୍ଥାର କେତେକ ନୀତି ଗ୍ରହଣ କରିନବା ପରେ ସେସବୁ ଦେଶରେ ପୁଣି ମସଜିଦ୍, ଗୀର୍ଜା, ମନ୍ଦିର ସବୁ ଚଳଚଞ୍ଚଳ ହେଲାଣି । ଆଫ୍ରିକାକୁ ଅନ୍ଧାର ମହାଦେଶ କୁହାଯାଏ । ସେଇ ଆଫ୍ରିକାରେ ମଧ୍ୟ ଲୋକମାନେ ଈଶ୍ୱରଙ୍କୁ ଆଶ୍ରୟ କରି ଦୁଃଖ ଶୋକ ଭୁଲି ସବୁ ଦୁର୍ଯୋଗ ସତ୍ତ୍ୱେ ଉଦ୍ଦାମ ଜୀବନଯାପନ କରୁଛନ୍ତି । ଏଇ ପୃଷ୍ଠଭୂମିରେ ଧର୍ମବିଶ୍ୱାସ ସହିତ ଜଡ଼ିତ ସେତୁବନ୍ଧ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ବାନରସେନା ନିର୍ମାଣ କରିଥିଲେ ନା ଏହା ଏକ କାଳ୍ପନିକ କାହାଣୀ ସେ ବିଷୟ ନେଇ ସୁପ୍ରିମ୍ କୋର୍ଟ ଓ ଦେଶସାରା ଚର୍ଚ୍ଚା ଚାଲିଛି । କେତେକ ବିଖ୍ୟାତ ଐତିହାସିକଙ୍କ ମତରେ ରାମସେତୁ ବା ସେତୁବନ୍ଧ ନିର୍ମାଣ କରିବାର କୌଣସି ପ୍ରାମାଣିକ ଉପାଦାନ ନାହିଁ । ସେମାନଙ୍କ ମତରେ ସେତୁବନ୍ଧ ଏକ ପ୍ରାକୃତିକ ବିଭବ ଏବଂ ପୃଥିବୀର ଗଠନ ପ୍ରକ୍ରିୟା ସହିତ ଏହା ସମ୍ପୃକ୍ତ । ଯୁକ୍ତିସିଦ୍ଧ ପ୍ରମାଣକୁ ଆଧାର କରି ଇତିହାସ ଲେଖାଯାଏ । ପୁରାଣ ପୂରାପୂରି ବାସ୍ତବ ନ ହେଲେ ମଧ୍ୟ ସେଥିରେ କଳ୍ପନାର ଜାଲ ବୁଣା ହୋଇଥାଏ । ଲୋକ ସଙ୍ଗଠନ ଓ ସମାଜ ରକ୍ଷା କରିବା ପାଇଁ-

 

ମହାଭାରତ ଯୁଦ୍ଧ ଓ ରାମ-ରାବଣ ଯୁଦ୍ଧ ହୋଇଥିଲା କି ନାହିଁ ଏହାର ଯୁକ୍ତିଯୁକ୍ତ ପ୍ରାସଙ୍ଗିକ ପ୍ରମାଣ ମିଳୁନଥିଲେ ମଧ୍ୟ ଯୁଗଯୁଗ ଧରି ଏହା ଜନସାଧାରଣଙ୍କ ଧର୍ମବିଶ୍ୱାସର ଉପାଦାନ ହୋଇରହିଛି । ବିଶ୍ଵାସ ମନ ଓ ହୃଦୟର ବିଷୟ । ଏହାର ନିର୍ମାଣ ସହିତ ବାହ୍ୟଶକ୍ତି ସମ୍ପୃକ୍ତ ନୁହେଁ । ପ୍ରଥା, ପରମ୍ପରା, କାହାଣୀ, କିମ୍ବଦନ୍ତୀ ଓ ଧର୍ମ ପ୍ରସାର ସହିତ ବିଶ୍ୱାସ ଜଡ଼ିତ । ଈଶ୍ଵର ଅଛନ୍ତି ଏଇ ବିଶ୍ୱାସ ନେଇ ହଜାର ହଜାର ବର୍ଷ ଧରି ମଣିଷ ବଞ୍ଚିଛି । ଲିଖିତ ଇତିହାସରେ ଗୌତମ ବୁଦ୍ଧ, ଯିଶୁଖ୍ରୀଷ୍ଟ, ମହମ୍ମଦ ପ୍ରଭୃତି ଯୁଗାବତାରମାନଙ୍କ ଆବିର୍ଭାବ ଓ ଧର୍ମପ୍ରଚାର ସମ୍ପର୍କରେ ଅନେକ ପ୍ରମାଣ ରହିଛି । କିନ୍ତୁ ସମସ୍ତ ଯୁଗାବତାରଙ୍କ ସମ୍ବନ୍ଧରେ ସେପରି ଐତିହାସିକ ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ । ଦ୍ଵାରକାପୁରୀ ଯେ ଦିନେ ଥିଲା ଏହାର ପ୍ରମାଣର କିୟଦଂଶ ମିଳିଛି-। କିନ୍ତୁ ସମୁଦ୍ର ଭିତରେ ଦ୍ଵାରକା ବୁଡ଼ି ଯାଇଥିବାରୁ ପ୍ରତ୍ନତତ୍ତ୍ୱବିଦ୍‌ମାନେ ସମସ୍ତ ପ୍ରାସଙ୍ଗିକ ତଥ୍ୟ ଉଦ୍ଧାର କରିବାରେ ବିଳମ୍ବ ହେଉଛି । ସେହିପରି ରାମାୟଣରେ ବର୍ଣ୍ଣିତ ବିଷୟ ସହିତ ଭୌଗୋଳିକ ବିବରଣୀ ଖାପ୍ ଖାଉଛି ।

 

ଇତିହାସ ସ୍ୱୀକାର କରୁ ବା ନକରୁ କୋଟି କୋଟି ଲୋକଙ୍କ ବିଶ୍ୱାସରେ ଶ୍ରୀରାମ ଓ ଶ୍ରୀକୃଷ୍ଣ ରହିଛନ୍ତି । ସେମାନେ ଯୁଗାବତାର ଭାବେ ଜନମାନସରେ ସଦା ପୂଜିତ । ହିନ୍ଦୁମାନଙ୍କ ବିଶ୍ୱାସରେ ବିଷ୍ଣୁ, ବ୍ରହ୍ମା, ମହେଶ୍ୱର ଓ ତେତିଶ କୋଟି ଦେବଦେବୀଙ୍କ ସ୍ଥାନ ଅଛି । ଏହାର ପ୍ରମାଣ ଖୋଜିବାର ପ୍ରାସଙ୍ଗିକତା ନାହିଁ କାରଣ ଏହା ଯୁକ୍ତିସିଦ୍ଧ ନ ହେଲେ ମଧ୍ୟ କିଛି ଯାଏ ଆସେ ନାହିଁ । ଈଶ୍ଵର ବିଶ୍ୱାସ ସହିତ ଧର୍ମ ଜଡ଼ିତ । ଈଶ୍ୱର ଥିବାରୁ ତାଙ୍କର ଆରାଧନା କରିବା ସକାଶେ ତାଙ୍କୁ ମୂଳ କରି ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଧର୍ମ ଗଢ଼ି ଉଠିଛି । ଧର୍ମ ଅନେକ, କିନ୍ତୁ ଈଶ୍ଵର ଏକ ଓ ଅଦ୍ୱିତୀୟ । ବିଭିନ୍ନ ଧର୍ମର ଲୋକଙ୍କ ଭିନ୍ନ ଭିନ୍ନ ଈଶ୍ଵର ନାହାନ୍ତି । ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଜଣେ ମାତ୍ର କର୍ତ୍ତା । ତାଙ୍କର ଆଜ୍ଞାରେ ପୃଥିବୀ ପରିଚାଳିତ । ଭିନ୍ନ ଭିନ୍ନ ଦେଶରେ ଧର୍ମ ବିଶ୍ୱାସକୁ ନେଇ ସେଇ ଦେଶମାନଙ୍କର ସଂସ୍କୃତି, ପ୍ରଥା ଓ ପରମ୍ପରା, କିମ୍ବଦନ୍ତୀ ଗଢ଼ି ଉଠିଛି । କିନ୍ତୁ ଦଳେ ମତାନ୍ଧ କହନ୍ତି ଯେ କେବଳ ସେମାନଙ୍କ ଈଶ୍ଵର ହିଁ ସତ୍ୟ ଏବଂ ଅନ୍ୟମାନଙ୍କ ଈଶ୍ଵର ଅସ୍ତିତ୍ୱ ନାହିଁ । ବେଦରେ କୁହାଯାଇଛି ଯେ ଈଶ୍ଵର ଏକ ଓ ଅଦ୍ୱିତୀୟ କିନ୍ତୁ ପଣ୍ଡିତମାନେ ତାଙ୍କୁ ଭିନ୍ନ ଭିନ୍ନ ରୂପରେ ବିଶ୍ୱାସ କରନ୍ତି । ତେଣୁ ହିନ୍ଦୁ, ବୌଦ୍ଧ, ଜୈନ, ଖ୍ରୀଷ୍ଟାନ, ଇସ୍‌ଲାମ ଓ ଅନ୍ୟାନ୍ୟ ଧର୍ମ ମଧ୍ୟରେ ବିବାଦ ନାହିଁ କାରଣ ସମସ୍ତେ ଈଶ୍ୱରଙ୍କୁ ଭିନ୍ନ ଭିନ୍ନ ନାମରେ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ସେ ଏକ । ‘ଏକ ସଦ୍‌ବିପ୍ରା ବହୁଧା ବଦନ୍ତି ।'

 

ହିନ୍ଦୁ ଧର୍ମଶାସ୍ତ୍ରର ଦଶାବତାର ତତ୍ତ୍ୱ ସହିତ ଈଶ୍ୱର ଚେତନା ଓ ତା’ ସହିତ ମଣିଷର କ୍ରମବିବର୍ତ୍ତନ ଧାରା ଜଡ଼ିତ । ପ୍ରଥମ ଅବତାର ହେଉଛନ୍ତି ମୀନ । ତା’ପରେ କଚ୍ଛପ । ଜଳରୁ ଜୀବନର ଉତ୍ପତ୍ତି । ତା’ ପରେ ସ୍ଥଳ ସୃଷ୍ଟି ହେବା ସହିତ ବରାହ, ନୃସିଂହ (ଅଧା ମଣିଷ ଅଧା ପଶୁ) ଇତ୍ୟାଦିର ବର୍ଣ୍ଣନା ରହିଛି । ନୃସିଂହଙ୍କ ପରେ ସମ୍ପୂର୍ଣ୍ଣ ମଣିଷର ଆବିର୍ଭାବ ଘଟିଛି । ଚେତନାର ସ୍ତର ମଧ୍ୟ ବଦଳିଛି । ଏଇ ବିଶ୍ୱାସକୁ ଅମାନ୍ୟ କରିବାର କୌଣସି କାରଣ ନାହିଁ । କିନ୍ତୁ ଧର୍ମ ବିଶ୍ୱାସ ସହିତ ଈଶ୍ଵରଙ୍କ ଅବସ୍ଥାନ ସମ୍ପର୍କରେ ଯେତେ କାହାଣୀ ରହିଛି ଏସବୁର ଉଦ୍ଦେଶ୍ୟ ହେଉଛି ମଣିଷ ଭିତରେ ଈଶ୍ଵର ଚେତନାକୁ ଦୃଢ଼ କରିବା ।

 

ସମାଜ ଗଠନ ଓ ଲୋକ ସଙ୍ଗଠନ ପାଇଁ ଏହା ଆବଶ୍ୟକ । ଭାଗବତରେ ଧର୍ମର ସାରତତ୍ତ୍ୱ ରହିଛି ଏବଂ ତା’ ସହିତ ବିଭିନ୍ନ ବଂଶପରମ୍ପରା ଓ ରାଜା ମହାରାଜା, ମୁନିଋଷି, ସାଧକ ଓ ସାଧାରଣ ଭକ୍ତଙ୍କ କଥା ମଧ୍ୟ ରହିଛି । ଏହାକୁ ଏକାବେଳକେ ଅସତ୍ୟ ଓ ଅମୂଳକ କହିହେବ ନାହିଁ-। ସେମାନଙ୍କ ନାମ, ଗୋତ୍ର ସହିତ ପାଞ୍ଚ ହଜାର ବର୍ଷ ଧରି ଭାରତର ଅଭ୍ୟୁଦୟ ଜଡ଼ିତ-

 

ସୁତରାଂ ରାମେଶ୍ୱର ଓ ଶ୍ରୀଲଙ୍କା ମଧ୍ୟରେ ଥିବା ସେତୁବନ୍ଧ କାଳ୍ପନିକ ନା ବାସ୍ତବ ସେ ବିଷୟରେ ଯୁକ୍ତି କରିବା ଦ୍ଵାରା ବିଶେଷ କିଛି ଲାଭ ହେବ ନାହିଁ । ମୁଁ ଏଠାରେ ଜଣେ ବିଖ୍ୟାତ ଐତିହାସିକଙ୍କ ନାମ ଉଲ୍ଲେଖ କରିବି । ସେ ହେଉଛନ୍ତି ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ନିମାଇଁ ସାଧନ ବୋଷ । ତାଙ୍କ ସହିତ ଆମ ପରିବାରର ଘନିଷ୍ଠ ବନ୍ଧୁତ୍ୱ ଥିଲା । ଥରେ ସେ ଭୁବନେଶ୍ଵର ଆସି ଥିବା ସମୟ ରେ ଲେଖକ ସାମ୍ମୁଖ୍ୟର ମାସିକିଆ ବୈଠକରେ ଯୋଗଦେଇଥିଲେ । ସେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ପ୍ରସଙ୍ଗ ନେଇ ବିବାଦ ଚାଲିଥାଏ । ଲେଖକ ବନ୍ଧୁମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଯେ ଶ୍ରୀରାମ ଓ ଶ୍ରୀକୃଷ୍ଣ ଐତିହାସିକ ଚରିତ୍ର ନୁହନ୍ତି । କାରଣ ସେମାନଙ୍କ ଆବିର୍ଭାବ ସମ୍ପର୍କରେ ଯୁକ୍ତିସିଦ୍ଧ ପ୍ରମାଣ ଓ ଉପାଦାନ ନାହିଁ । କିନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ । ସେହି ଅବତାରମାନେ କୋଟି କୋଟି ଲୋକଙ୍କ ହୃଦୟର ଆରାଧ୍ୟ ଦେବତା । ସେମାନଙ୍କୁ କେନ୍ଦ୍ରକରି ଧର୍ମ ବିସ୍ତାର ହୋଇଛି । ଲୋକମାନଙ୍କ ଚେତନାର ବିକାଶ ଘଟିଛି । ଏବଂ ସେମାନଙ୍କୁ ନେଇ ସମାଜ ଓ ସଂସ୍କୃତି ପରିପୁଷ୍ଟ ହୋଇଛି ।

 

ତେଣୁ ସେମାନେ ପ୍ରକୃତରେ ଥିଲେ କି ନାହିଁ ସେ ବିଷୟରେ ତର୍କ ନ କରି ସେମାନଙ୍କୁ ନେଇ ଗଢ଼ି ଉଠିଥିବା ଧର୍ମ, ଶାସ୍ତ୍ର ଓ ପୁରାଣ ଯଦି ମନକୁ ଉନ୍ନତ ଓ ଚେତନାକୁ ପୁଷ୍ଟ କରୁଥାଏ ତେବେ ତାହା ହିଁ ହେଉଛି ଜୀବନ୍ତ ସତ୍ୟ । ଈଶ୍ଵର ଅଛନ୍ତି ମଣିଷର ବିଶ୍ୱାସରେ । ସେଥିପାଇଁ କୁହଯାଏ ‘ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର ।‘

 

ସେ ବିଶ୍ୱାସର କେନ୍ଦ୍ର । ସେଇ ବିଶ୍ୱାସକୁ ଦୃଢ଼ ଓ ନିର୍ମଳ କରିବା ସକାଶେ ବେଦ, ବେଦାନ୍ତ, ଶାସ୍ତ୍ର ଓ ପୁରାଣ ରଚିତ ହୋଇଛି । ତେଣୁ ରାମ ଓ ରାବଣ ମଧ୍ୟରେ ଯୁଦ୍ଧ ହୋଇଥିଲା କି ନାହିଁ, ସେତୁବନ୍ଧ ବାନର ସେନା ନିର୍ମାଣ କରିଥିଲେ କି ନାହିଁ ତାହା ନେଇ ବିତର୍କ ନ କରି କେଉଁବାଟ ଦେଇ ସେତୁ ସମୁଦ୍ରମ୍ ନିର୍ମାଣ ସହଜ ହେବ ଓ କ୍ଷୟକ୍ଷତି ସର୍ବନିମ୍ନ ହେବ ତାହା ନିଶ୍ଚୟକଲେ କୋଟି କୋଟି ଲୋକଙ୍କ ଧର୍ମ ବିଶ୍ୱାସରେ ଆଘାତ ଲାଗିବ ନାହିଁ । ଏହାର ସୂତ୍ର ବାହାର କରିବା ବିଶେଷଜ୍ଞ ଓ ସରକାରଙ୍କ ଧର୍ମ । ସେଥିରୁ ବିଚ୍ୟୁତ ହେଲେ ଅଯଥା ତିକ୍ତତା ଓ ଅଶାନ୍ତି ସୃଷ୍ଟି ହେବ ।

☆☆☆

 

ମାୟାବତୀଙ୍କ ଉଚ୍ଚାଶା ଏବଂ ମହିଳାମାନଙ୍କ ପ୍ରସଙ୍ଗ

 

ଦେଶର ଯେଉଁସବୁ ନେତାମାନଙ୍କର ନାମ ଅଧିକ ଲୋକ ଜାଣନ୍ତି ମାୟାବତୀ ସେମାନଙ୍କ ମଧ୍ୟରେ ଅନ୍ୟତମ । ଉତ୍ତରପ୍ରଦେଶ ପରି ଜନବହୁଳ ରାଜ୍ୟର ସେ ଚାରିଥର ମୁଖ୍ୟମନ୍ତ୍ରୀ ହେଲେଣି । ଦେଶର ଶହେ କୋଟି ନାଗରିକଙ୍କ ମଧ୍ୟରେ ସେ ବି ଜଣେ । ଦଳିତ ପରିବାରରେ ତାଙ୍କ ଜନ୍ମ । କିନ୍ତୁ ସେ ଉଚ୍ଚଶିକ୍ଷା ପାଇ ପ୍ରଥମେ ଶିକ୍ଷୟିତ୍ରୀ ହୋଇଥିଲେ । ଅଗ୍ନିବର୍ଷୀ ଭାଷଣ ଦେଇପାରନ୍ତି । ସେଥିପାଇଁ ଦଳର ନେତା କାନସୀରାମଙ୍କ ସୁଦୃଷ୍ଟିରେ ପଡ଼ିଲେ ଏବଂ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଲେ । ରାଜନୀତିରେ ଅନେକ ଉଚ୍ଚଶିକ୍ଷିତା ଓ ଅଳ୍ପ ଶିକ୍ଷିତା ମହିଳା ଯୋଗ ଦେଇଛନ୍ତି । ରାଜନୀତି କିଛି ଖରାପ ବିଷୟ ନୁହେଁ । ଲୋକମାନଙ୍କ ମଙ୍ଗଳ କରିବା ସହିତ ଯେଉଁମାନେ ତଳେ ପଡ଼ିଛନ୍ତି ଯୁଗଯୁଗ ଧରି ସେମାନଙ୍କୁ ଉପରକୁ ଉଠାଇବା ଏବଂ ଶାସନ ମାଧ୍ୟମରେ ଲୋକଙ୍କ ସେବା କରିବା ପାଇଁ ପ୍ରତ୍ୟେକ ଭାରତୀୟର ଅଧିକାର ଅଛି । ତେଣୁ ମାୟାବତୀ କହୁଛନ୍ତି ଯେ ସେ ଦିନେ ନା ଦିନେ ପ୍ରଧାନମନ୍ତ୍ରୀ ହେବେ ତେବେ ସେଥିରେ ଭୁଲ ରହିଲା କେଉଁଠି ? ଅଳ୍ପ ପାଠ ପଢ଼ି ବି ବୁଦ୍ଧି, ବିବେକ ତ୍ୟାଗ ବଳରେ ଅନେକ ବଡ଼ ବଡ଼ ନେତା ହୋଇଛନ୍ତି । ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ କାମରାଜ ସେହିପରି ଜଣେ । ମୁଁ ମଧ୍ୟ ରାଜନୀତିରେ ଯୋଗ ଦେଇଥିଲି । ଏହାର କାରଣ ବି ଥିଲା । ମହିଳାମାନଙ୍କୁ ପ୍ରତି କ୍ଷେତ୍ରରେ ଅବହେଳା କରାଯାଉଥିବା ବିଷୟ ମୁଁ ସହ୍ୟ କରିପାରେ ନାହିଁ । ସେମାନେ ମହିଳା ବୋଲି ମୁହଁ ବୁଜି ସବୁ ଅନ୍ୟାୟ, ଅତ୍ୟାଚାର ସହିଯିବେ ଏହା ମୁଁ ମାନେ ନାହିଁ । ସେଥିପାଇଁ ମୋ ପରି ଜଣେ ସାଧାରଣ ମହିଳା ଯଦି ରାଜନୀତିରେ ପ୍ରବେଶ କରି ଦୁଇ ତିନି ବର୍ଷରେ ଅନେକ ମହିଳାଙ୍କୁ ନ୍ୟାୟ ଦବା ଓ ସେମାନଙ୍କ ମନରେ ସ୍ୱାଭିମାନ ଜାଗ୍ରତ କରିବା ପାଇଁ କାର୍ଯ୍ୟ କରି ପାରିଥିଲା ତେବେ କୋଟି କୋଟି ମହିଳା ଓ ଦଳିତମାନଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ହେବା ପାଇଁ ଉଚ୍ଚାଶା କରିବା ଦୋଷାବହ ନୁହେଁ ।

 

ମାୟାବତୀଙ୍କ କଥା ମୁଁ ଏଥିପାଇଁ ଲେଖୁଛି ଯେ ସେ ଉଚ୍ଚାଭିଳାଷୀ । ଲୋକଙ୍କ ସେବା କରିବା ସହିତ ସେମାନଙ୍କ ବିଶ୍ୱାସ ଅର୍ଜନ କରି ସେ ଯଦି ଚାରିଥର ମୁଖ୍ୟମନ୍ତ୍ରୀ ହେଲେ ତେବେ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବାରେ ବାଧା ନାହିଁ । ଉଚ୍ଚାଶା ଥିବା ଲୋକମାନେ ହିଁ କେବଳ ଉପରକୁ ଉଠିପାରନ୍ତି । ରେଳଗାଡ଼ିକୁ ଯେପରି ବାଷ୍ପଶକ୍ତି ବା ବିଦ୍ୟୁତ୍ ଶକ୍ତିଥିବା ଇଞ୍ଜିନ୍ ଚଳାଏ ଉଚ୍ଚାଶା ସେହିପରି ଜଣେ ବ୍ୟକ୍ତିକୁ ଉଚ୍ଚ ହେବା ପାଇଁ ଇନ୍ଧନର କାର୍ଯ୍ୟ କରେ । ମୋର ଉଚ୍ଚାଶା ଥିଲା ବୋଲି ମୟୂରଭଞ୍ଜର ନିପଟ ମଫସଲରୁ ଆସି ମଧ୍ୟ ‘ଅମୃତାୟନ’ ପରି ଗୋଟିଏ ମାସିକ ସାହିତ୍ୟ ପତ୍ରିକା ଅଠେଇଶ ବର୍ଷ ଧରି ଚଳାଇ ପାରିଛି । ଅବଶ୍ୟ ମୋ ଭିତରେ ଥିବା ଶକ୍ତି ଈଶ୍ଵରଙ୍କ ଆଶୀର୍ବାଦ ବୋଲି ମୁଁ ମନେକଲେ । ଚକାଡ଼ୋଳାଙ୍କୁ ମନେ ପକାଇଲେ ମୋ ଭିତରେ ଶକ୍ତି ସଞ୍ଚାର ହୁଏ ।

 

ମାୟାବତୀ ଈଶ୍ୱରବିଶ୍ୱାସୀ କି ନୁହନ୍ତି ମୁଁ ଜାଣେ ନାହିଁ । କିନ୍ତୁ ସେ ମଣିଷର ଭାଗ୍ୟ ବଦଳାଇବାରେ ବିଶ୍ଵାସ କରନ୍ତି । ଦଳିତ, ମଥିତ, ପୀଡ଼ିତ, ଦୁଃସ୍ଥମାନଙ୍କ ସେବା କରି ସେ ସେମାନଙ୍କ ନେତୃତ୍ୱ ଦବାପାଇଁ ଚାହାନ୍ତି । ସେ ଯଦି କୋଟି କୋଟି ଲୋକଙ୍କୁ ପ୍ରଭାବିତ କରି ପାରୁଛନ୍ତି ତେବେ ତାହା ଲୋକଶକ୍ତିର ଆଉ ଏକ ରୂପାନ୍ତର କହିବାକୁ ହେବ । ଲକ୍ଷ୍ନୌର ଆମ୍ବେଦକର ପାର୍କରେ କାନ୍‍ସୀରାମଙ୍କ ପାଖରେ ମାୟାବତୀଙ୍କ ପ୍ରତିମୂର୍ତ୍ତି ଛୋଟ ଦେଖାଯାଉଥିଲା-। ତେଣୁ ସେ ତୁରନ୍ତ ତାହା ବଦଳାଇ ଦବା ପାଇଁ ଆଦେଶ ଦେଲେ । ଦେଶରେ ଯେତେ ନେତାଙ୍କ ପ୍ରତିମୂର୍ତ୍ତି ଅଛି ସମସ୍ତଙ୍କ ଠାରୁ ମାୟାବତୀଙ୍କ ଉଚ୍ଚ ପ୍ରତିମୂର୍ତ୍ତି ସତୁରୀ କୋଟି ଟଙ୍କା ବ୍ୟୟରେ ସ୍ଥାପନ କରିବା ପାଇଁ ଆଦେଶ ଦିଆଯାଇଛି । ଏହା ଅପବ୍ୟୟ ପରି ମନେ କରାଯାଇପାରେ-। କିନ୍ତୁ ଏହା ପଛରେ ବି ସେଇ ଉଚ୍ଚ ଅଭିଳାଷ ରହିଛି । ମନରେ ଉଚ୍ଚାଭିଳାସ ଜାତ ହେବା ଖରାପ ଗୁଣ ନୁହେଁ ବରଂ ଭଲ । କାରଣ ଅଭିଳାଷ ବ୍ୟକ୍ତିର ଇନ୍ଧନ ଶକ୍ତି ଭାବେ କାର୍ଯ୍ୟ କରେ । ପ୍ରଧାନମନ୍ତ୍ରୀ ହେବା ସହଜ କଥା ନୁହେଁ । କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ । ଯଦି ଲୋକମାନଙ୍କ ବିଶ୍ୱାସ ସେ ଅର୍ଜନ କରିପାରିବେ ତେବେ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇପାରିବେ ।

 

ଅନେକ ଅସାଧୁ ପ୍ରକୃତିର ଲୋକ ନେତା ହେବାର ଦୃଷ୍ଟାନ୍ତ ରହିଛି । ସେମାନଙ୍କ ମଧ୍ୟରୁ କେତେ ମନ୍ତ୍ରୀ ଆଉ କେତେକ ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି । ରାଜନୀତି ଆଉ ପୂର୍ବ ପରି ସେବା ଓ ତ୍ୟାଗର କ୍ଷେତ୍ର ହୋଇ ରହିନାହିଁ । ପଙ୍କିଳ ହୋଇଗଲାଣି । ବରଂ କହିବାକୁ ହେବ ଯେ ରାଜନୀତି ପଥଭ୍ରଷ୍ଟ ହୋଇଛି । ରାଜନେତାମାନଙ୍କ ନେତୃତ୍ୱରେ ଶାସନ ଚାଲିଛି । ତେଣୁ ଶାସନ ବି ପଙ୍କିଳ ହୋଇଛି । ଅସାଧୁ ଅମଲା, ଅଫିସର ଲୋକସେବା ନ କରି କେବଳ ସାତପୁରୁଷ ପାଇଁ ଅର୍ଥ ସଞ୍ଚୟ କରନ୍ତି । ସେମାନଙ୍କୁ ଧରିବା ସହଜ ନୁହେଁ । କାରଣ ଯିଏ ସେମାନଙ୍କୁ ଧରିବା ପାଇଁ ଅଛି ତାଙ୍କୁ ସେମାନେ ତାହା ପୂର୍ବରୁ ଧରି ନେଉଛନ୍ତି । ଫଳରେ ଅସାଧୁ ଅଫିସର ଓ ଅସାଧୁ ନେତାଙ୍କ ମଧ୍ୟରେ କୋଳାକୋଳି ଚାଲିଛି । ପରସ୍ପର ପରସ୍ପରକୁ ରକ୍ଷା କରନ୍ତି । ଏହି କାରଣରୁ ଲୋକଙ୍କ ସ୍ୱାର୍ଥରକ୍ଷା ନ କରି ଶାସନ ସରକାର, ଅମଲାତନ୍ତ୍ର ଓ ରାଜନେତାଙ୍କ ସ୍ୱାର୍ଥରକ୍ଷା କରି ଚାଲିଛି । ଲୋକ ସଂଗଠନ ଓ ଲୋକମଙ୍ଗଳ କାର୍ଯ୍ୟ ପଛରେ ପଡ଼ିଯାଉଛି । ମାୟାବତୀ କହୁଛନ୍ତି ଯେ ଯେତେ ଟଙ୍କା ସମର୍ଥକମାନେ ଦେଇଛନ୍ତି ସେ ତାହାର ଆୟକର ଦେଇଛନ୍ତି । ଅବଶ୍ୟ ଏ ବିଷୟରେ ବିଚାର ବିଭ୍ରାଟ ବିଷୟ ହୋଇଛି ।

 

ମାୟାବତୀଙ୍କ ଉଚ୍ଚାଶା ସମସ୍ତ ମହିଳାଙ୍କର ରହିବା ଆବଶ୍ୟକ । ଏହା ହେଲେ ମହିଳାମାନେ ନିଜ ଗୁଣ ଓ ଶକ୍ତି ବଳରେ ଉପରକୁ ଉଠିବେ । ସେମାନଙ୍କ ହାତଧରି ଉପରକୁ ଉଠାଇବା ସକାଶେ କେହି ଦରକାର ହେବେ ନାହିଁ । ସେମାନେ ଆପେ ଆପେ ଉଠିବେ । ଦୁଃଖର ବିଷୟ ଏଇ ଯେ ମହିଳାମାନଙ୍କୁ ବ୍ରତ ଉପାସନା ଓ ତଥାକଥିତ ଧର୍ମ ପଦ୍ଧତି, ପତିବ୍ରତାର ଶୃଙ୍ଖଳା ଭିତରେ ଏପରି ବାନ୍ଧି ଦିଆଯାଇଛି ଯେ ସେମାନଙ୍କର ବ୍ୟକ୍ତିତ୍ଵର ବିକାଶ ହେଉନାହିଁ । ସେମାନେ ଆଗକୁ ଯାଇପାରୁ ନାହାନ୍ତି । ସେମାନଙ୍କ ଉଚ୍ଚାଭିଳାଷ ସ୍ୱପ୍ନରେ ରହିଯାଉଛି ।

 

ଭାରତୀୟ ମହୀୟସୀ ମହିଳାମାନଙ୍କର ଜୀବନଗାଥା ମହିଳାମାନେ ଜାଣିବା ଉଚିତ । ଗାନ୍ଧିଜୀଙ୍କ କଡ଼ା ଶାସନ ଭିତରେ କସ୍ତୁରବା କିପରି ନିଜର ଗୁଣ, ଆଦର୍ଶ ଓ ପାତ୍ରିବ୍ରତ୍ୟ ବଳରେ କୋଟି କୋଟି ମହିଳାଙ୍କ ମନ କିଣି ପାରିଥିଲେ ତାହା ତ ଏବେବି ଲୋକମାନେ ଭୁଲି ନାହାନ୍ତି । ଶାସ୍ତ୍ର ପୁରାଣର ନାରୀ ଚରିତ୍ରମାନଙ୍କର ଦିବ୍ୟଗୁଣ କୋଟି କୋଟି ନାରୀଙ୍କୁ ଉଦ୍‌ବୁଦ୍ଧ କରିଛି । ଅହଲ୍ୟା, ଦୌପଦୀ, ତାରା, କୁନ୍ତୀ ଓ ମନ୍ଦୋଦରୀ ସମସ୍ତେ ଏକାଧିକ ପୁରୁଷଙ୍କ ସାନ୍ନିଧ୍ୟ ପାଇ ମଧ୍ୟ କିପରି ନିଜର ସଦଗୁଣ, ଦିବ୍ୟଶକ୍ତି ଓ ସାଧନା ବଳରେ ଆଦର୍ଶ ହୋଇ ରହିଛନ୍ତି ତାହାତ ନାରୀ ଜୀବନର ଭୂଷଣ ହୋଇଛି । ମଦର ଟେରେସା, ମା' ରମାଦେବୀଙ୍କ ପରି ମହୀୟସୀ ନାରୀ କେତେ ଜଣ ଅଛନ୍ତି ଦେଶରେ ? ଆତ୍ମବିଶ୍ୱାସ, ଅଧ୍ୟବସାୟ ଓ ଉଚ୍ଚାଶା ବଳରେ ଜଣେ ଉପରକୁ ଉଠିବାରେ ସଫଳ ହୁଏ । ଶିକ୍ଷା ପ୍ରସାର ହୋଇନାହିଁ ବୋଲି କୋଟି କୋଟି ମହିଳା ବାହାର ଜଗତ ସମ୍ପର୍କରେ ଅଜ୍ଞ । ଏପରିକି ସେମାନେ ନିଜର ଲୁକ୍କାୟିତ ଶକ୍ତି ସମ୍ବନ୍ଧରେ ମଧ୍ୟ ଅଜ୍ଞ । ଆଜ୍ଞାବହ ଭାବେ ଜୀବନ ବିତାଇଲେ କେହି ସ୍ୱର୍ଗକୁ ଯାଏ ନାହିଁ ବା ଧର୍ମ ଅର୍ଜନ କରେନାହିଁ । ଆଚରଣରେ ଯଦି ଦିବ୍ୟ ଭାବନା ଥାଏ, ସତ୍ୟ ଓ ଧର୍ମ ପ୍ରତି ବିଶ୍ୱାସ ଥାଏ ଏବଂ ଲୋକଶକ୍ତି ଉପରେ ଭରସା ଥାଏ ତେବେ ଅନେକ ମହିଳା ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେବା ପାଇଁ ବାଧା ନାହିଁ ।

 

ନିଜର ଉତ୍ତରାଧିକାରୀ ଭାବେ ସେ କାହାକୁ ମନୋନୀତ କରିବେ ବା ନ କରିବେ ତାଙ୍କ ନିଜ କଥା । କିନ୍ତୁ ତାଙ୍କ ଅନ୍ତେ ତାଙ୍କ ମନୋନୀତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ହେବା ଗଣତାନ୍ତ୍ରିକ ଧାରା ନୁହେଁ । ତାଙ୍କ ଦଳ ମଧ୍ୟ ତାଙ୍କ ନିଜ ପାରିବାରିକ ବିଷୟ ନୁହେଁ । ତେଣୁ ତାଙ୍କ ଅନ୍ତେ ଦଳ ଯାହାକୁ ନେତା ମନୋନୀତ କରିବ ସେ ଦଳର କର୍ତ୍ତା ହେବେ । ଆମ ଭାରତୀୟ ପରମ୍ପରାରେ ଉତ୍ତରାକାରୀ ମନୋନୟନ ପ୍ରଥା ନାହିଁ । ପୁଅ ବାପର ଉତ୍ତରାଧିକାରୀ ହେବେ । ରାଜାପୁଆ ରାଜାଙ୍କ ଉତ୍ତରାଧ୍ୟକାରୀ ହେବେ । କିନ୍ତୁ କୌଣସି ନେତାଙ୍କ ଉତ୍ତରାଧିକାରୀ ବାଛିବାର ଅଧିକାର ନାହିଁ । ଏପରିକି ପୁରାଣରୁ ଆମେ ଜାଣୁ ଯେ ଅବତାର ପୁରୁଷ ଶ୍ରୀରାମ ଓ ଶ୍ରୀକୃଷ୍ଣ ମଧ୍ୟ ନିଜ ନିଜର ପୁଅମାନଙ୍କୁ ଉତ୍ତରାଧିକାରୀ ମନୋନୀତ କରି ନ ଥିଲେ । ଉତ୍ତରାଧିକାରୀ କିଏ ହେବ ଏହା ତାଙ୍କର ଆନୁଗତ୍ୟ, ଯୋଗ୍ୟତା ଓ ତ୍ୟାଗ ଉପରେ ନିର୍ଭର କରେ ।

 

ନୂତନ ଭାରତ ଜନ୍ମ ନେଇଛି । ଏ ଦେଶର ଶହେ କୋଟି ଲୋକଙ୍କ ଭବିଷ୍ୟତ ଉଜ୍ଜ୍ୱଳ । ସେମାନେ ଯେତିକି ସଚେତନ ଓ ସତ୍ୟାଶ୍ରୟୀ ହେବେ ସେମାନଙ୍କ କୀର୍ତ୍ତି ସେମାନଙ୍କ ହାତ ମୁଠାରେ ସେତିକି ଉଜ୍ଜ୍ୱଳ ଦିଶିବ । ମହିଳାମାନଙ୍କୁ, ଦୁର୍ବଳ ଓ ଦଳିତମାନଙ୍କୁ ବାଦ ଦେଇ ଦେଶ ସମୃଦ୍ଧ ହୋଇପାରିବ ନାହିଁ ।

☆☆☆

 

ପରିବାର ଭାଙ୍ଗିବା ଅନ୍ତରାଳେ

 

ପ୍ରତି ପନ୍ଦର ଦିନରେ ଥରେ ମୁଁ ଏଇ ସ୍ତମ୍ଭରେ ମୋ ମନକୁ ପାଇବା ପରି କୌଣସି ବିଷୟରେ ଆଲୋଚନା କରିଥାଏ । କିନ୍ତୁ ମହିଳାମାନଙ୍କ ସମସ୍ୟା, ପାରିବାରିକ ସମସ୍ୟା, ଯୌଥ ପରିବାର ଭାଙ୍ଗିଯାଉଥିବାରୁ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରୁନାହିଁ ବୋଲି କେତେକ ବନ୍ଧୁ କହିବାରୁ ଏଥର ଏସବୁ ପ୍ରସଙ୍ଗରେ ଲେଖୁଛି । ପଞ୍ଚାବନ ବର୍ଷ ପୂର୍ବେ ମୁଁ ଶାଶୁଘରକୁ ଯାଇଥିଲି । ଯଦିବା ଗୋଟିଏ ଗାଁରେ ମାତ୍ର ଦେଢ଼ଶହ ହାତ ବ୍ୟବଧାନରେ ଆମ ଦୁହିଁଙ୍କ ଘର ତଥାପି ନୂଆବୋହୁର ଶଙ୍କା ଓ ସଂଶୟ ନେଇ ମୁଁ ଶାଶୁଘରେ ପାଦଦେଲି । ବୟସ ଅଳ୍ପ ଥିଲା । ସେତେବେଳେ ଆତ୍ମନିର୍ଭରଶୀଳ ହେବାପାଇଁ ଏତେ ସୁଯୋଗ ନ ଥିଲା । ତଥାପି ମୁଁ ଜଣେ ଉଚ୍ଚଶିକ୍ଷିତଙ୍କୁ ବାହା ହୋଇଥିବାରୁ ସେ ଯେ ଦିନେ ଚାକିରି କରିବେ ଏବଂ ମୋତେ ତାଙ୍କ ସହିତ ବାହାରେ ରହିବାକୁ ପଡ଼ିବ ଏହା ମୁଁ ଜାଣିଥିଲି । କିନ୍ତୁ ଏହା ସତ୍ତ୍ୱେ ଶାଶୁ ଶ୍ଵଶୁର ନଣନ୍ଦ ଖୁଡ଼ୀ ଦିଅରମାନଙ୍କ ସହିତ ଏକତ୍ର ଚଳିବା ପାଇଁ ଗୋଟିଏ ବଡ଼ ପରିବାରକୁ ବୋହୂ ହୋଇ ଆସିବାବେଳେ ମୋ ଜେଠେଈ କହିଥିଲେ ଏକା ଗାଁରେ ଘର ହେଲେ ବି ଶାଶୁଘରେ ସମସ୍ତଙ୍କୁ ନେଇ ଚଳିବୁ ମା । ସେଇ ଘର ହେବ ତୋର ସଂସାର । ସେଇ ଘରର ହସଖୁସି ସୁଖଦୁଃଖର ଭାଗୀ ହେଲେ ଦେଖିବୁ ସମସ୍ତେ ଆପଣାର ହୋଇଯିବେ, ତୋ ନୂଆ ସଂସାର ହସି ଉଠିବ । ଶାଶୁଘରେ ସଣ୍ଠଣା ଅଛି । କିନ୍ତୁ ସେସବୁକୁ ପ୍ରଥମେ ସହିନେଲେ ପରେ ତୁ ବୁଝିବୁ ଯେ ସଣ୍ଠଣା ଭଲ ପାଇଁ ବି ଦିଆଯାଏ । ସେଇଦିନୁ ଜେଠେଈଙ୍କ ଉପଦେଶ, ମା’ ବାପାଙ୍କ ଉପଦେଶ ମାନି ମୁଁ ଚଳିଆସିଛି । ଯଦିଓ ସାତକଡ଼ିବାବୁ ଭାରତ ସରକାରଙ୍କ ଅଧୀନରେ ଚାକିରି କଲେ ଏବଂ ଦୀର୍ଘ କାଳ ଆମେ ପ୍ରବାସରେ ରହିଲୁ ମୁଁ ଦିନେ ହେଲେ ଶାଶୁଘରକୁ ପର ଘର ନ ଭାବି ନିଜ ଘର ଭାବି ଆସିଛି । ଯୌଥ ପରିବାରର ସୁଖସୁବିଧା ଏବଂ ଅସୁବିଧା ସବୁକୁ ଆପଣାର କରିନେଇଛି । ମୋତେ ଖୁସିଲାଗେ ଯେ ଏପର୍ଯ୍ୟନ୍ତ ମୂଳ ପରିବାରଠାରୁ ମୁଁ ବିଚ୍ଛିନ୍ନ ହୋଇନାହିଁ । ଯୌଥ ପରିବାରର ସମସ୍ତେ ଏଣେତେଣେ ନିଜ ନିଜର ଧନ୍ଦା ନେଇ ରହିଥାନ୍ତି ସିନା କିନ୍ତୁ ପୂଜା ପାର୍ବଣ, ବ୍ରତ ବିବାହ ବା ଅନ୍ୟ କୌଣସି ସାମାଜିକ କର୍ମରେ ସମସ୍ତେ ଏକତ୍ର ହୁଅନ୍ତି । ପଛ ସ୍ମୃତି ମନେପକାଇ ମୁଁ ଉଲ୍ଲସିତ ହୁଏ ।

 

ଏବେ କିନ୍ତୁ ସବୁ ବଦଳି ଯାଉଥିବାର ଦୃଶ୍ୟ ମୁଁ ଦେଖୁଛି । ମୋ ସାଙ୍ଗ ଓ ବନ୍ଧୁମାନଙ୍କ, ପାଖପଡ଼ୋଶୀମାନଙ୍କର ପରିବାର କିପରି ଚାଲିଛି ତାହା ଦେଖି ମୁଁ ଧରି ନେଇଛି ଯେ ଆମ ସମୟର ସହିଷ୍ଣୁତା, ସ୍ନେହ ଓ ସହଯୋଗ ଏବଂ ଏକତ୍ର ଚଳିବାର ଆଗ୍ରହ ଆଜି ଆଉ ନାହିଁ । ବରଂ ଝିଅମାନେ ବାହା ହେବାପରେ ସ୍ୱାମୀ ଘରକୁ ଆସିବା ବେଳେ ମା, ଜେଠେଈମାନେ କହୁଥାନ୍ତି ଯେ ଦିନ କେଇଟା ଶ୍ୱଶୁର ଘରେ କଟାଇ ଦେବୁ...ତା’ ପରେ ତ ସ୍ୱାମୀ ସହିତ ବାହାରେ ରହିବୁ । ଗୃହିଣୀ ହେବୁ, କର୍ତ୍ତ୍ରୀ ହେବୁ...ତୋତେ କେହି ଆଦେଶ ଦବାକୁ ନ ଥିବେ କି ସଣ୍ଠଣା ଶିଖାଇବାକୁ ନ ଥିବେ । ଆଉ ଛୁଟି ଆସିଲେ ଶାଶୁଘରେ ମୁହଁମାରି ଦିନ କେଇଟା କଟାଇ ଚାଲିଆସିବୁ ନିଜ ଘରକୁ-। ଘରର ଝିଅ ଘରକୁ ଆସିଲେ ଆନନ୍ଦରେ ପୂରି ଉଠିବ ସଂସାର । ଏଇ ଭାବନା ଆମ ସମୟରେ ନଥିଲା । ଝିଅ ବାହାହୋଇଯିବା ପରେ ଶାଶୁଘର ହିଁ ତା’ର ଘର ହେଉଥିଲା । ଏବେତ ଏଇଧାରା ନାହିଁ-। ପୁଅ, ବୋହୁ ନିଜ ଘରେ ଦି ଦିନ ରହିବେତ ଝିଅ ବାପଘରେ ଦଶଦିନ ରହିବେ ସେମାନେ-। ମୁଁ ଆଖିଆଗରେ ଦେଖୁଛି ଯେ ସ୍ୱାମୀକୁ ନେଇ ଚାଲିବା ପରେ ବୋହୁମାନେ ଅନ୍ୟମାନଙ୍କ କଥା ପାଶୋରି ଯାଆନ୍ତି । ସ୍ଵାମୀ ଓ ପୁଅଝିଅକୁ ନେଇ ରହିବା ସୁଖ ଓ ଶାନ୍ତି ମନେକରି ସେମାନେ ଶ୍ଵଶୁର, ଶାଶୁ, ନଣନ୍ଦ, ଯା, ଝିଆରୀ ପୁତୁରାମାନଙ୍କ ଅଳି ଅର୍ଦ୍ଧଳି ପ୍ରତି ଅସହିଷ୍ଣୁତା ହିଁ ଦେଖାନ୍ତି । ଦୁଃଖ ସୁଖ ବାଣ୍ଟିକୁଣ୍ଟି ଚଳିବାର ମାନସିକତା ଆଉ ନାହିଁ । ଫଳରେ ଯୌଥ ପରିବାର ଭାଙ୍ଗି ଗଲାଣି-। କେବଳ ନିଜର ସ୍ୱତନ୍ତ୍ରତା ଓ ସ୍ୱାଧୀନତା ପାଇଁ ପୁଅବୋହୁ ମୂଳ ପରିବାରଠାରୁ ଅଲଗା ରହିବାକୁ ପସନ୍ଦ କରନ୍ତି । ଜେଜେବାପା, ଜେଜେମା, ବାପା ମା ଓ ଅନ୍ୟମାନେ ଦୁଃଖରେ ଅଛନ୍ତି କି ସୁଖରେ ଅଛନ୍ତି ଏ ବିଷୟ ପ୍ରତି ଧ୍ୟାନ ଦେବା ପାଇଁ କାହାରି ସମୟ ନ ଥାଏ ।

 

ଏପରି ସଂକୀର୍ଣ୍ଣ ସ୍ଵାର୍ଥପରତା କାହିଁକି ପୁଅବୋହୂଙ୍କ ମନକୁ ପ୍ରଭାବିତ କଲା ତାହାର କାରଣ ମୁଁ ଖୋଜିବାକୁ ଲାଗିଲି । ଅନେକ ପରିବାରର ଅବସ୍ଥା ଦେଖି ମୋର ପ୍ରତ୍ୟୟ ଜନ୍ମିଛି ଯେ ମଣିଷ ଦିନକୁ ଦିନ ସ୍ୱାର୍ଥପର ଓ ସଂକୀର୍ଣ୍ଣମନା ହେଉଛି । ପାଠପଢ଼ା ଶେଷ ପରେ ଚାକିରି ବା ବ୍ୟବସାୟ ଆରମ୍ଭ କଲେ, ପୁଅମାନେ ଘର ଛାଡ଼ି ବାହାରେ ରହନ୍ତି । ମୂଳ ପରିବାର ସହିତ ସମ୍ପର୍କ ଦିନକୁ ଦିନ କ୍ଷୀଣ ହୁଏ । ପୂର୍ବେ କୃଷି ପ୍ରଧାନ ସମାଜ ଥିଲା । ଜେଜେବାପା, ବାପା, ମା’ଙ୍କ ସହିତ ପୁଅମାନେ ଗୋଟିଏ ଛାତତଳେ ସଂସାର କରୁଥିଲେ । ସୁଖଦୁଃଖ ବାଣ୍ଟି ନେଉଥିଲେ । ମାନ ଅଭିମାନକୁ ସମ୍ଭାଳି ଯାଉଥିଲେ । ବିପଦ ଆପଦ ବିରୋଧରେ ସମସ୍ତେ ସାଙ୍ଗ ହୋଇ ଲଢ଼ୁଥିଲେ । ତ୍ୟାଗ କରିବା ଦୈନନ୍ଦିନ ଚଳଣିରେ ପଡ଼ିଯାଇଥିଲା । ତ୍ୟାଗ ନ କଲେ, ବୁଝାମଣା ନ କଲେ, ଆପୋସ ନ କଲେ ଭୋଗର ସୁଆଦ ମିଳେନାହିଁ । ସେଥିପାଇଁ ପୂର୍ବକାଳରେ ବଡ଼ ବଡ଼ ପରିବାରର ଅସୁବିଧା, ଯନ୍ତ୍ରଣାକୁ ପଛରେ ପକାଇ ସେସବୁକୁ ସୁବିଧାରେ ସୁଖରେ ପରିଣତ କରିବା ପାଇଁ ଅବ୍ୟାହତ ଉଦ୍ୟମ ଚାଲିଥିଲା ।

 

ଭାରତୀୟ ସଂସ୍କୃତି ଓ ଧର୍ମ ଏପରି ଯେ ସହନଶୀଳତା ଓ ତ୍ୟାଗ, ସୁଖର ଏକ ବଡ଼ ଅଂଶ ବୋଲି ଧରି ନିଆଯାଉଥିଲା । ଏଇ ଚଳଣି ଆଉ ନାହିଁ । ବୋହୂମାନେ ଝିଅ ହେବା ପାଇଁ ଚେଷ୍ଟା କରୁନାହାନ୍ତି, କି ଶାଶୁମାନେ ମା’ ହୋଇ ପାରୁନାହାନ୍ତି । ସେଥିପାଇଁ ବୁଝାମଣା ରହୁନାହିଁ । ଶ୍ୱଶୁର ଶାଶୁଙ୍କ ସହିତ ବଡ଼ ପରିବାରରେ ରହିବା ପାଇଁ ଆଉ କେହି ପସନ୍ଦ କରୁନାହାନ୍ତି । ବାପା ମା' ପର ହୋଇଯାଉଛନ୍ତି । ପରିବାରର ଦୁଃଖ ଓ ବିପର୍ଯ୍ୟୟବେଳେ କିଛି ଅର୍ଥ ସାହାଯ୍ୟ କରି ପୁଅବୋହୂମାନେ କର୍ତ୍ତବ୍ୟ ଶେଷ କରନ୍ତି । କିନ୍ତୁ ସେମାନେ ବୁଝନ୍ତି ନାହିଁ ଯେ ଶଯ୍ୟାଶାୟୀ ମା’ ଅର୍ଥ ନୁହଁ ପୁଅ ବୋହୂ ନାତିନାତୁଣୀର ସାନ୍ନିଧ୍ୟ ଚାହେଁ, ସେମାନଙ୍କ ସହିତ କିଛି ସମୟ ଏକତ୍ର କଟାଇବାକୁ ଚାହେଁ ।

 

ସଂସ୍କୃତି ବଦଳି ଯାଉଛି । ଚଳଣିରେ ପରିବର୍ତ୍ତନ ହେଉଛି । ଏହା ସହିତ ବଦଳୁଛି ସଂସ୍କାର । ଆମେ ସବୁ ଯେଉଁ ସଂସ୍କାରର ଉତ୍ତରାଧିକାରୀ ସେଥିରେ ସଂକୀର୍ଣ୍ଣ ସ୍ୱାର୍ଥପରତାର ସ୍ଥାନ ନାହିଁ । ମୋ ଶାଶୁ, ଶ୍ୱଶୁରଙ୍କୁ ମା ଓ ବାପାଙ୍କୁ ସେବା ଶୁଶ୍ରୂଷା କରିବା ବେଳେ ମୁଁ ଅନୁଭବ କରିଛି ଯେ ସଂସ୍କାର ଓ ସଂସ୍କୃତିର ପ୍ରଭାବ ଆମ ଉପରେ ପଡ଼ିଥିଲା । ପରବର୍ତ୍ତୀ ପିଢ଼ିର ପିଲାମାନେ ତାହା ଭାବୁନାହାନ୍ତି । ସେମାନଙ୍କୁ ପାଶ୍ଚାତ୍ୟର ଚଳଣି ବେଶୀ ପ୍ରଭାବିତ କରୁଛି । ସେମାନଙ୍କ ପରେ ଯେଉଁ ପିଢ଼ି କିଶୋର ଅବସ୍ଥାରେ ଅଛି ସେମାନଙ୍କର ଉଚିତ ଲାଳନ ପାଳନ ହେଉନାହିଁ । କେବଳ ଦାମୀ ପୋଷାକ, ବ୍ୟୟସାପେକ୍ଷ ଶିକ୍ଷାନୁଷ୍ଠାନ ଏବଂ ଆଧୁନିକ ଶୈଳୀ ପିଲାମାନଙ୍କୁ ଭଲ ମଣିଷ କରିପାରିବ ନାହିଁ । ଆମେ ଯେପରି ପୁରାଣର କାହାଣୀ ଜେଜେମା’ଠାରୁ ଶୁଣୁଥିଲୁ ଏବଂ ଏବେ ଝିଅବୋହୁଙ୍କ ସେଥିପାଇଁ ସମୟ ନାହିଁ । ସେମାନେ ଯାହା ଜାଣନ୍ତି ନାହିଁ ସେମାନଙ୍କ ପୁଅ ଝିଅ ଜାଣିବେ କିପରି ? ସେବା, ତ୍ୟାଗ, ସଦାଚାର, ନିର୍ଭୀକତା, ସରଳତା, ସହାନୁଭୂତି ଏବଂ ଉଦାରତା ଆମ ସଂସ୍କୃତି ଓ ଚଳଣିର ମୂଳ ଆଧାର । କିନ୍ତୁ ପିଢ଼ି ପରେ ପିଢ଼ି ସେସବୁ ଆଦର୍ଶ ଆଚରଣଠାରୁ ଦୂରେଇ ଯାଉଥିବାରୁ ଆଧୁନିକ ଚଳଣିରେ ଅଧିକ ସ୍ୱାର୍ଥପରତା ଓ ସଂକୀର୍ଣ୍ଣତା ଦେଖାଯାଉଛି । ପାଶ୍ଚାତ୍ୟର ସବୁ ଜିନିଷ ଖରାପ ନୁହେଁ । ସେମାନେ ଉଦାର ମନରେ ସାମାଜିକ କାର୍ଯ୍ୟପାଇଁ ଦାନ କରନ୍ତି, ଦେଶ ପାଇଁ ସ୍ୱଇଚ୍ଛାରେ ତ୍ୟାଗ କରନ୍ତି ଓ ଦରକାର ବେଳେ ପ୍ରାଣବଳୀ ଦିଅନ୍ତି । ଏସବୁ ଗୁଣ ଆମ ପ୍ରାଚୀନ ଭାରତର ମଣିଷମାନଙ୍କ ଚରିତ୍ରରେ ପ୍ରଚୁର ପରିମାଣରେ ଥିଲା । ଦଧୀଚି, ରାଜା ହରିଶ୍ଚନ୍ଦ୍ର ଏସବୁର ଦୃଷ୍ଟାନ୍ତ ।

 

ମୁଁ ବେଳେବେଳେ ବିଷଣ୍ଣ ହୁଏ କାହିଁକି ଆମ ସଂସ୍କାର, ସଂସ୍କୃତି ଓ ପରମ୍ପରା ପିଲାମାନଙ୍କୁ ପ୍ରଭାବିତ କରୁନାହିଁ । କୁନ୍ତୀ ଓ ଗାନ୍ଧାରୀଙ୍କ ପୁତ୍ରସ୍ନେହ, ଅପତ୍ୟମାନଙ୍କୁ ସତ୍‍ମାର୍ଗରେ ନବା ପାଇଁ ଉଦ୍ୟମ ଏବେ ଆଉ ନାହିଁ । ସିନେମା, ଟିଭିର ଯୌନତା ଓ ହିଂସାର ଦୃଶ୍ୟ, ବିଶୃଙ୍ଖଳ ଆଚରଣ ଓ ନୀତିହୀନତା ଏବର ପିଢ଼ିକୁ ଏତେ ପ୍ରଭାବିତ କରୁଛି ଯେ ସେମାନଙ୍କ ଅଲକ୍ଷ୍ୟରେ ସଦାଚାର ଓ ନୀତିଶିକ୍ଷା ଦବା ବ୍ୟବସ୍ଥା ଆଉ ନାହିଁ । ଏପରିକି ମା’ ମାନଙ୍କର ସମୟ ନାହିଁ ପିଲାଙ୍କୁ ଠିକ୍ ସମୟରେ ଖୁଆଇବା ଓ ଶୁଆଇବା ପାଇଁ । ସେମାନଙ୍କ ଦୈହିକ ଓ ମାନସିକ ବିକାଶ ପାଇଁ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ନ ଦେଇ ବଜାରରୁ ମିଳୁଥିବା ପୁଷ୍ଟିହୀନ ଖାଦ୍ୟ ଖୁଆଇ ଦିଅନ୍ତି ରନ୍ଧାବଢ଼ା ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ । ଦୁଧ, ଫଳମୂଳ, ପରିବା, ଅଣ୍ଡା, ମାଛ ଓ ସର୍ବତ୍ର ମିଳୁଥିବା ଋତୁ ଅନୁସାରୀ ଫଳ ଖୁଆଇବା ଅଭ୍ୟାସ ପ୍ରତି ବାପା ମା’ଙ୍କ ଦୃଷ୍ଟି ନାହିଁ । ବେଶୀ ମୂଲ୍ୟ ଦେଇ ବଜାରର ରେଡ଼ିମେଡ଼୍ ଖାଦ୍ୟ ଆଣି କାମ ଚଳାଇବା ଅଭ୍ୟାସ ବଢ଼ୁଛି । ଯେଉଁ ପରିବାରରେ ସ୍ୱାମୀ ଓ ସ୍ତ୍ରୀ ଚାକିରି କରନ୍ତି ସେଠାରେ ଧାଈମାନଙ୍କ ଉପରେ ମା’ର ଦାୟିତ୍ୱ । ଏହି କାରଣରୁ ପିଲାମାନେ ବାପା ମା’ ଓ ପରିବାରଠାରୁ ବିଚ୍ଛିନ୍ନ ହୋଇଯାଉଛନ୍ତି । ପାଞ୍ଚବର୍ଷବେଳୁ ହଷ୍ଟେଲରେ ରଖିଦେଇ ନିଶ୍ଚିନ୍ତ ହେବାର ଅଭ୍ୟାସ ବଢ଼ୁଛି । ପିଲାମାନଙ୍କୁ ସମୟ ନଦେଇ ଅଫିସ, କ୍ଲବ, କିଟିପାର୍ଟି, ଡିନରପାର୍ଟି ପାଇଁ ସମୟ ଦିଆଯାଉଥିବାରୁ ପରିବାରରେ ଥାଇ ମଧ୍ୟ ପିଲାଙ୍କ ସହିତ କିଛି ସମୟ କଟାଇବା ସମ୍ଭବ ହେଉନାହିଁ । ଶାଶୁବୋହୂ ସମ୍ପର୍କ ସିନେମାରେ ପ୍ରଦର୍ଶିତ ଶାଶୁବୋହୂ ସମ୍ପର୍କ ପରି ହୋଇଗଲାଣି । ତୁତୁ... ମେଁ ମେଁ... । ଶାଶୁ କିଛି କହିଲେ ବୋହୂ ସାଙ୍ଗେ ସାଙ୍ଗେ ଉତ୍ତର ଫିଙ୍ଗିବ । ବୋହୂ କିଛି ପ୍ରସ୍ତାବ କଲେ ଶାଶୁ ଗ୍ରହଣ କରିବ ନାହିଁ । ଶାଶୁ ବୋହୂଙ୍କ ମଧ୍ୟରେ ସମ୍ପର୍କ ଯେତିକି ମଧୁର ଆପଣାର ହେବ ପରିବାର ସେତିକି ସୁରୁଖୁରୁରେ ଚାଲିବ । ଶିଶୁମାନେ ସେତିକି ଅଧିକ ଆଦର ଯତ୍ନ ପାଇବେ ।

 

ମୋ ଆଗରେ ସମାଜ ଓ ପରିବାରର ତୁମୂଳ ପରିବର୍ତ୍ତନ ହୋଇଯାଉଛି । ଦୁଃଖ ସୁଖ ବାଣ୍ଟିନେବା ପାଇଁ ଆଉ ନୂଆପିଢ଼ିର ଆଗ୍ରହ ନାହିଁ । ତେଣୁ ସ୍ଵାର୍ଥପରତା ଓ ସ୍ୱେଚ୍ଛାଚାରୀ ଭାବନା ବଢ଼ୁଛି । ପରିବାର କହିଲେ ତିନିପୁରୁଷର ଉପସ୍ଥିତି ବୁଝାଉଥିଲା । ଏବେ କେବଳ ସ୍ଵାମୀ ସ୍ତ୍ରୀଙ୍କୁ ନେଇ ପରିବାର । ଦୈବାତ୍ କୋଳକୁ ପିଲା ଆସିଗଲେ ସେମାନେ ବି ବାପା ମା’ଙ୍କ ପରିବାରର ସଭ୍ୟ ହେଉଛନ୍ତି ସିନା ସେମାନେ ଯଥେଷ୍ଟ ସ୍ନେହ, ଆଦର ପାଉନାହାନ୍ତି । କାରଣ ବାପା ମା’ ଏତେ ବ୍ୟସ୍ତ ଯେ ସେମାନଙ୍କୁ ସମୟ ଦେଇପାରୁ ନାହାନ୍ତି । ସେଥିପାଇଁ ମୁଁ ଭାବେ ଯେ ଆମ ସମୟ ଚାଲିଗଲାଣି, ହଜିଗଲାଣି ସେଦିନର ମୂଲ୍ୟବୋଧ । ନୂଆ ସମୟ ସହିତ ଖାପ ଖୁଆଇ ଚଳିବା ସମ୍ଭବ ହେଉନାହିଁ । ତଥାପି ମନ କହୁଛି ଯେ ସୁଖଦୁଃଖ ହସକାନ୍ଦ ବାଣ୍ଟିକୁଣ୍ଟି ନବାପାଇଁ ପୂର୍ବର ମାନସିକତା ଯଦି ଫେରି ଆସନ୍ତା ତେବେ ସଂସାର ଆହୁରି ସ୍ୱଚ୍ଛ, ଆହୁରି ସୁନ୍ଦର ହୁଅନ୍ତା ।

☆☆☆

 

ମହିଳା ଶକ୍ତି ଜାଗ୍ରତ ହେଉ

 

ଲଜ୍ୟା, ଶ୍ରଦ୍ଧା, ଧୃତି, କ୍ଷମା ନାରୀର ଭୂଷଣ ବୋଲି ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି । କିନ୍ତୁ ଏସବୁ ଗୁଣର ଅଧିକାରିଣୀ ହେଲେ ମହିଳାମାନେ ପଛୁଆ ହୋଇଯିବେ ବୋଲି ଭାବି ଦିନକୁ ଦିନ ଅଧିକ ସ୍ୱାଧୀନ ହେବା ନାମରେ ଉଗ୍ର ହେଉଛନ୍ତି । ଅତୀତରେ ଯେ ମହିଳାମାନେ ମତ ପ୍ରକାଶ କରୁନଥିଲେ ବା ନିଜ ଅଧିକାର ସମ୍ପର୍କରେ ଅଜ୍ଞ ଥିଲେ ଏହା ନୁହେଁ । ମୈତ୍ରେୟୀ, ଦ୍ରୋପଦୀ, ଗାନ୍ଧାରୀ, ସୀତା, ଅହଲ୍ୟା ପ୍ରଭୃତି ମହୀୟସୀ ମହିଳାମାନଙ୍କ ଆଚରଣ ସମ୍ପର୍କରେ ଭାବିଲେ ତିନିହଜାର ବର୍ଷ ପୂର୍ବେ ସେମାନେ କିପରି ନ୍ୟାୟ ସପକ୍ଷରେ ରହି ଅନ୍ୟାୟ ବିରୋଧରେ ସ୍ୱର ଉଠାଇଥିଲେ ତାହା ଜାଣି ଚକିତ ହେବାକୁ ହୁଏ । କିନ୍ତୁ ଏକବିଂଶ ଶତାବ୍ଦୀର ମହିଳାମାନେ କ’ଣ ସେପରି ଶକ୍ତିଶାଳୀ ଭୂମିକା ନିର୍ବାହ କରନ୍ତି ? ମାର୍ଚ୍ଚ ଆଠ ତାରିଖ ବିଶ୍ଵ ମହିଳା ଦିବସ ପାଳନ କରାଗଲା । ସଭା, ଶୋଭାଯାତ୍ରା ହେଲା, ମହିଳାମାନେ ସେମାନଙ୍କର ଆଗାମୀ କାର୍ଯ୍ୟସୂଚୀ ଘୋଷଣା କଲେ । କିନ୍ତୁ ଏପରି ସଂକଳ୍ପ ତ ପ୍ରତିବର୍ଷ କରାଯାଏ । ତଥାପି ମହିଳାମାନଙ୍କୁ ପାର୍ଲିଆମେଣ୍ଟ ଓ ବିଧାନସଭାରେ ଉପଯୁକ୍ତ ପ୍ରତିଧିନିତ୍ୱ ମିଳିନାହିଁ । ପାର୍ଲିଆମେଣ୍ଟର ଆଠଶହ ସଭ୍ୟଙ୍କ ମଧ୍ୟରୁ ମାତ୍ର ଚଉଦ ପ୍ରତିଶତ ମହିଳା । ବିଧାନସଭାରେ ଆହୁରି କମ୍ । ଯେଉଁମାନେ ବିଧାନସଭା ବା ପାର୍ଲିଆମେଣ୍ଟରେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ବିତର୍କରେ ଭାଗ ନିଅନ୍ତି ମହିଳାମାନଙ୍କ ସ୍ୱାର୍ଥ ଓ ଗଣସ୍ୱାର୍ଥ ରକ୍ଷା କରିବା ସମ୍ବନ୍ଧରେ ? ଅଧିକାଂଶ ଚୁପ୍ ହୋଇ ବସନ୍ତି । ଚୁପ୍ ହୋଇ ଘରେ ବସିଲେ ପୁରୁଷମାନେ ସେମାନଙ୍କୁ ସୁନା ଥାଳିରେ ଅଧିକାର ଛାଡ଼ି ଦେବେ ନାହିଁ । ଅଧିକାର କେହି କାହାକୁ ଦିଏ ନାହିଁ । ଅଧିକାର ଦାବି କରିବା ଓ ଛଡ଼ାଇ ନବାର ଯୋଗ୍ୟତା ଅର୍ଜନ କରିବାକୁ ହୁଏ । କିନ୍ତୁ ଦେଶ ସ୍ଵାଧୀନ ହେବାର ଷାଠିଏ ବର୍ଷ ପରେ ମଧ୍ୟ ବାଲ୍ୟ ବିବାହ ଲୋପ ପାଇନାହିଁ, ନାରୀ ନିର୍ଯ୍ୟାତନା ବନ୍ଦ ହୋଇନାହିଁ । ଏ କାମ ମହିଳା ମାନେ କରିପାରିବେ ଯଦି ସେମାନେ ସଂଘବଦ୍ଧ ହୁଅନ୍ତି । ସେମାନେ ଶିକ୍ଷିତ ସଚେତନ ଓ ସଜାଗ ହୁଅନ୍ତୁ । ବେଦପାଠ ଠାରୁ ବିଲ କାମ କରିବା ପର୍ଯ୍ୟନ୍ତ ସବୁଠାରେ ମହିଳା ନିଜର ପାରଦର୍ଶିତା ପ୍ରମାଣ କରନ୍ତୁ ।

 

ଦ୍ରୌପଦୀଙ୍କୁ ପଶା ଖେଳରେ ବାଜି ରଖି ପାଣ୍ଡବମାନେ ହାରିଯିବା ପରେ ଦୁର୍ଯ୍ୟୋଧନ କହିଲେ, ଏବେ ଦ୍ରୌପଦୀଙ୍କ ଉପରେ ପାଞ୍ଚ ପାଣ୍ଡବଙ୍କ କୌଣସି ଅଧିକାର ନାହିଁ । ସେ ଆମର ଦାସୀ । କର୍ଣ୍ଣତ ତାଙ୍କୁ ବେଶ୍ୟା ବୋଲି କହିଲେ । କିନ୍ତୁ ସେତେବେଳେ ଭୀଷ୍ମ ପିତାମହ, ଦ୍ରୋଣ, କୁଳଗୁରୁ କୃପାଚାର୍ଯ୍ୟ, ମହାରାଜ ଧୃତରାଷ୍ଟ୍ର ସମସ୍ତେ ଏକଥା ଶୁଣି ବି ନୀରବ ରହିଲେ । ପ୍ରତିବାଦ କଲେ ନାହିଁ । କିନ୍ତୁ ଦ୍ରୋପଦୀ ପ୍ରତିବାଦ କରି କହିଲେ—“ ମୁଁ ପାଞ୍ଚପାଣ୍ଡବଙ୍କର ସ୍ତ୍ରୀ , କିନ୍ତୁ ପଣ୍ୟ ସାମଗ୍ରୀ ନୁହେଁ ଯେ ମୋତେ ସେମାନେ ପଣ ରକ୍ଷା ପାଇଁ ବ୍ୟବହାର କରିବେ । ଧିକ୍ ଯୁଧିଷ୍ଠିରଙ୍କୁ । ମୁଁ ଏହାର ଘୋର ପ୍ରତିବାଦ କରୁଛି । ଏହା ପରେ କୌରବମାନଙ୍କ କଥା ଶୁଣି ନିରବରେ ବସିଥିବାରୁ ଧୃତରାଷ୍ଟ୍ର ଓ ସମସ୍ତ ଗୁରୁଜନମାନଙ୍କୁ ଭର୍ସନା କଲେ । ଦୁଃଶାସନ ତାଙ୍କର କେଶ ଧରି ଘୋଷାଡ଼ି ଆଣିଥିବାରୁ ତା’ ରକ୍ତରେ କେଶ ନ ଧୋଇବା ପର୍ଯ୍ୟନ୍ତ କେଶ ବାନ୍ଧିବେ ନାହିଁ ସଂକଳ୍ପ କଲେ । ଯୁଦ୍ଧରେ ଭୀମ ଦୁଃଶାସନକୁ ନିହତ କରିବା ପରେ ଦ୍ରୋପଦୀ କେଶ ବାନ୍ଧିଲେ । ଏଇ ଉପାଖ୍ୟାନର ଉଦାହରଣ ଏଥିପାଇଁ ଦେଲି ଯେ ଦ୍ରୋପଦୀ ଯେପରି ଅନ୍ୟାୟ ବିରୋଧରେ ପ୍ରତିବାଦ କଲେ ନାରୀମାନେ ବି ସେହି ପରି ଅନ୍ୟାୟ ଓ ଅବିଚାରର ପ୍ରତିବାଦ କରି ଶିଖନ୍ତୁ ।

 

କିନ୍ତୁ ଏକଥା କହିବା ସହଜ, କାମରେ ଦେଖାଇବା କଷ୍ଟ । କାରଣ ଦ୍ରୌପଦୀଙ୍କ ସଂକଳ୍ପ, ଚାରିତ୍ରିକ ଶୃଙ୍ଖଳା ଏବଂ ପରମେଶ୍ୱରଙ୍କଠାରେ ସମର୍ପଣ ଥିଲା ଅନନ୍ୟ । ସେ ଲଜ୍ଜା, ଶ୍ରଦ୍ଧା, ଧ୍ରୁତି, କ୍ଷମାର ଥିଲେ ପ୍ରତୀକ । ସେ ଅଗ୍ନି କନ୍ୟା । ତାଙ୍କ ପ୍ରତି ଖରାପ ଇଙ୍ଗିତ ଦେବାରୁ ଦୁର୍ଯ୍ୟୋଧନଙ୍କ ଜାନୁଭଙ୍ଗ ହେଲା । ସେହିପରି ସତୀସ୍ଵାଧୀ ଗାନ୍ଧାରୀଙ୍କ ଶକ୍ତି । ସେ କୌରବ ଶିବିରର ମହାରାଣୀ ହୋଇବି ମହାରାଜ ଧୃତରାଷ୍ଟ୍ରଙ୍କ ବିଚାର ବିରୋଧରେ ପ୍ରତିବାଦ କରିଥିଲେ, ଦୁର୍ଯ୍ୟୋଧନଙ୍କ ବିଜୟ କାମନା ନ କରି ତା’ଙ୍କ ପରାଜୟ ନିଶ୍ଚିତ କରିଥିଲେ। ମହାସତୀ ସୀତା ପତିପରମ ଦେବତା ଶ୍ରୀରାମଚନ୍ଦ୍ରଙ୍କୁ କ’ଣ କହିଥିଲେ ମନେ ପକାଅ ପାଠକେ । ରାମ ଯୁଦ୍ଧରେ ରାବଣକୁ ପରାସ୍ତ କରିବା ପରେ ଅଯୋଧ୍ୟାକୁ ଯିବା ପୂର୍ବରୁ ସୀତା ଚଉଦ ବର୍ଷ ରାବଣ ଅଧୀନରେ ଥିବାରୁ ତାଙ୍କୁ ଅଗ୍ନି ପରୀକ୍ଷା ଦବାକୁ କହିଲେ ସତୀତ୍ଵ ପ୍ରମାଣ କରିବା ପାଇଁ । ସ୍ଵାମୀଙ୍କ ଏଇ ଆଦେଶର ପ୍ରତିବାଦ ନ କରି ସୀତା କହିଥିଲେ, ମନଜ୍ଞାନରେ ଆପଣଙ୍କୁ ମୁଁ ପତି ପରମେଶ୍ଵର ଭାବି ଆସିଛି । ଅନ୍ୟ କେହି ମୋ ମନକୁ ପ୍ରବେଶ କରି ନାହିଁ ଆପଣ ସବୁ ଜାଣି ମଧ୍ୟ ଏପରି ଆଦେଶ ଦବା ଅନ୍ୟାୟ । ତଥାପି ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ କରି ମୁଁ ଅଗ୍ନି ପରୀକ୍ଷା ଦେବି । ଅଗ୍ନି ପରୀକ୍ଷା ଦେଲେ ସୀତା ଏବଂ ଶୁଦ୍ଧ ସୁବର୍ଣ୍ଣ ପ୍ରତିମା ପରି ଆହୁରି ଉଜ୍ଜ୍ୱଳ ଦିଶିଲେ ।

 

ଆଧୁନିକ ମହିଳାମାନେ ପ୍ରତିବାଦ କରି ଶିଖିବା ଉଚିତ । ପ୍ରତିବାଦ କରିବା ପାଇଁ ଶକ୍ତି ଅର୍ଜନ କରିବାକୁ ହେବ । ଶିକ୍ଷା , ସଚେତନତା , ନୈତିକତା ମଣିଷକୁ ଶକ୍ତିମାନ୍ କରେ । ତେଣୁ ମହିଳାମାନେ ବହୁ ସଂଖ୍ୟାରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷା କରନ୍ତୁ । କୁସ୍ତି କସରତ କରି ଆତ୍ମରକ୍ଷା କରିବା କୌଶଳ ଜାଣନ୍ତୁ । ଏବଂ ପୃଥିବୀର କାମନା, ବାସନାକୁ ନିୟନ୍ତ୍ରଣ କରନ୍ତୁ । ନୈତିକ ବଳକୁ ଆଧାର କରି ଲଢ଼େଇ କରିବା ପାଇଁ ପାଦ ବଢ଼ାନ୍ତୁ । କିନ୍ତୁ ତାହା ନ କରି ଭୋଗର ସାମଗ୍ରୀ ଭାବେ ଯଦି ମହିଳାମାନେ ନିଜକୁ ଟେକି ଦିଅନ୍ତି ତେବେ ଭୋଗ ନାମରେ କାମନା, ବାସନା ଚରିତାର୍ଥ ହେବ ସିନା ମହିଳାମାନେ ପୂଜ୍ୟା ହେବେ ନାହିଁ । ଆଧୁନିକା ହେବା ପାଇଁ ନିଶା ଲାଗିଛି । ପୋଷାକ ପରିଧାନ ଶରୀରକୁ ଆବୃତ କରି ଲଜ୍ଜା ନିବାରଣ କରିବା ସକାଶେ ଉଦ୍ଦିଷ୍ଟ । କିନ୍ତୁ ଦେହରେ ଆକର୍ଷଣ ବଢ଼ାଇବା ପାଇଁ ହାତକଟା ବ୍ଲାଉଜ, ଦେହାଂଶ ଦିଶିବା ପରି ଝୀନ ବସନ ପିନ୍ଧା ଯାଉଛି । ମନକୁ କୋମଳ ଓ ଦୃଢ଼ ନକରି ଉଚ୍ଚାଟନ ସୃଷ୍ଟି କରିବା ପାଇଁ ମଦ୍ୟପାନ କରିବା ବା ଆକର୍ଷଣ କରିବା ପାଇଁ ପ୍ରସାଧନ କରିବା ଆବଶ୍ୟକ ନୁହେଁ । ଶୃଙ୍ଗାର ମନ୍ଦ ନୁହେଁ , କିନ୍ତୁ ଶାଳୀନତା ରକ୍ଷା କରି ଶୃଙ୍ଗାର କରିବା ଆବଶ୍ୟକ । ଆଧୁନିକ ମହିଳାମାନେ ଅଧିକରୁ ଅଧିକ ନଗ୍ନତାଆଡ଼କୁ ଗତି କରୁଥିବାରୁ ସେମାନେ ପୁରୁଷର ପାଶବିକତାର ଶିକାର ହେଉଛନ୍ତି । ପୁରୁଷ ମନରେ କାମନା ବାସନା ଜାଗ୍ରତ କରିବା ପାଇଁ ନୃତ୍ୟ, ଗୀତ, କଳା ଓ ସାହିତ୍ୟକୁ ମଧ୍ୟ ବ୍ୟବହାର କରାଯାଉଛି । ନାରୀ ସ୍ଵାଧୀନତା ଅର୍ଥ ନୁହେଁ ଯେ ନାରୀ ଲଜ୍ଜା ବିସର୍ଜନ କରି କାମୁକତା ଆଡ଼କୁ ହାତ ବଢ଼ାଇବ । ବଳାତ୍କାର, ଧର୍ଷଣ, ଯୌନତାର ଶିକାର ହେଉଛନ୍ତି ମହିଳାମାନେ । ଅନ୍ୟାୟ ଓ ଅଶ୍ଳିଳତାର ପ୍ରତିରୋଧ କରିବା ପାଇଁ ସେମାନଙ୍କ ମନରେ ବା ଶରୀରରେ ଶକ୍ତି ନାହିଁ । ଅବଳା ଦୁର୍ବଳା । ନାରୀ ଦୃଢ଼ ନ ହେଲେ ପୁରୁଷର ସ୍ୱୈରାଚାରୀ ଉତ୍ପୀଡ଼ନ ବନ୍ଦ ହେବ ନାହିଁ ।

 

ଚରିତ୍ର ଓ ନୈତିକତା ନଥିଲେ ମହିଳାମାନେ ଲଜ୍ଜା, କ୍ଷମା, ଧୃତୀ, କ୍ଷମା ଗୁଣଗୁଡ଼ିକ ଅର୍ଜନ କରିପାରିବେ ନାହିଁ । ‘ମନୋରମା ଗୁଣବତୀ ଭାର୍ଯ୍ୟା, ହିଁ ପୁରୁଷର ଅର୍ଦ୍ଧାଙ୍ଗିନୀ ହୋଇପାରେ-। ସାବିତ୍ରୀଙ୍କ କଥା ମନେ ପକାଅ । ସାବିତ୍ରୀ ହେଉଛନ୍ତି ଶକ୍ତି ସ୍ୱରୂପିଣୀ । ଦୈବୀ ଶକ୍ତିର ଅଧିକାରୀଣୀ । ଶ୍ରୀ ଶ୍ରୀ ଚଣ୍ଡୀରେ ମା' ଦୁର୍ଗାଙ୍କ ବାଣୀ ମନେ ପକାଅ । ମହିଷାସୁରକୁ ସେ କିପରି ବଧ କଲେ ତାହା ତ ନାରୀମାନଙ୍କର ଆଦର୍ଶ ହୋଇ ରହିବ ଚିରକାଳ । କିନ୍ତୁ ସେହି ବୈଷ୍ଣବୀ ଶକ୍ତିର ଅଧିକାରିଣୀ ହେବା ସହଜ ନୁହେଁ , ସେଥିପାଇଁ ସାଧନା ଓ ସଂଗ୍ରାମ ଲୋଡ଼ା-। ବିବାହ ବେଦୀରେ ବର ଓ କନ୍ୟା ପରସ୍ପରକୁ ଶ୍ରଦ୍ଧା ଓ ପ୍ରେମ କରିବା ସହିତ ପରସ୍ପରର ସହଯୋଗୀ ହେବା ପାଇଁ ଶପଥ କରିଥାନ୍ତି । ପତ୍ନୀ ନିଜ କର୍ତ୍ତବ୍ୟ କରିବ, ପତି ମଧ୍ୟ ସେହିପରି ତାକୁ ରକ୍ଷା କରିବ ଏବଂ ଉଭୟ ଉଭୟଙ୍କର ବିଶ୍ୱସ୍ତ ହୋଇ ରହିବେ ।

 

ମହିଳାମାନେ ପୁରୁଷମାନଙ୍କ ସମକକ୍ଷ ହେବେ ଯଦି ବାଲ୍ୟାବସ୍ଥାରୁ ଭଲ ଗୁଣର ଅଧିକାରିଣୀ ଓ ଅନୁରାଗିଣୀ ହୁଅନ୍ତି । ଧର୍ମ ପାଳନ ସହଜ ନୁହେଁ । ଧର୍ମ ପାଳନ କରିବା ପାଇଁ ସାରା ଜୀବନ ସାଧନା ଓ ପ୍ରସ୍ତୁତି ଆବଶ୍ୟକ । ଶ୍ରୀମା ମହିଳାମାନଙ୍କୁ ଶକ୍ତିରୂପିଣୀ ହେବାପାଇଁ ଶିକ୍ଷା ଦେଇଛନ୍ତି । ଦିବ୍ୟଭାବନା ମନକୁ ଅନୁପ୍ରାଣିତ କଲେ ଦିବ୍ୟ ଗୁଣ ଜାତ ହେବ ଏବଂ ଅନ୍ୟାୟ ଓ ଉତ୍ପୀଡ଼ନକୁ ମାନି ନନେଇ ମହିଳାମାନେ ପ୍ରତିବାଦ ଓ ପ୍ରତିରୋଧ କରି ପାରିବେ । ସତ୍ୟବାନଙ୍କ ମୃତ୍ୟୁ ପରେ ବି ସାଧନା ବଳରେ ସାବିତ୍ରୀ ମୃତ୍ୟୁଦେବତା ଯମଙ୍କୁ ଯୁକ୍ତିରେ ପରାସ୍ତ କରି ସତ୍ୟବାନଙ୍କୁ ମୃତ୍ୟୁଞ୍ଜୟୀ କଲେ । ମଣିଷ ରିପୁ ଓ ଇନ୍ଦ୍ରିୟମାନଙ୍କୁ ଜୟ କଲେ ଅସାଧ୍ୟ ଆଉ କିଛି ନାହିଁ । କେବଳ ଧନ ଅର୍ଜନ, ବିଳାସ ବ୍ୟସନ ଏବଂ ନିଜକୁ ନଗ୍ନ କରିବା ପାଇଁ ଆଗ୍ରହ ପ୍ରକାଶ କଲେ ମହିଳାମାନେ ସ୍ଵାଧୀନ ରହି ପାରିବେ ନାହିଁ ।

 

ସ୍ୱାଧୀନତାର ଅର୍ଥ ହେଉଛି ନିଜ ଅଧୀନରେ ରହିବା । ନିଜ ଅଧୀନରେ ରହିବାକୁ ହେଲେ ଶୃଙ୍ଖଳା, ସତ ତା, ସାହସ ଓ ନୈତିକତାକୁ ଆଚରଣଗତ କରିବାକୁ ହେବ । ଶାସ୍ତ୍ରରେ କୁହାଯାଇଛି : ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ’—ଅର୍ଥାତ୍ ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ବି ବଡ଼ । ଦେଶର ସତୁରି ପ୍ରତିଶତ ମହିଳା ଶିକ୍ଷା ଓ ସଚେତନତା ଅଭାବରୁ ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ ନୁହନ୍ତି । ଶିକ୍ଷା ହିଁ ଉପରକୁ ଉଠିବାର ଚାବିକାଠି । ସୁତରାଂ ସମସ୍ତ ଅଭାବ ଅସୁବିଧା ସତ୍ତ୍ୱେ ମହିଳାମାନେ ଶିକ୍ଷା କ୍ଷେତ୍ରରେ ପାରଙ୍ଗମତା ପ୍ରମାଣ ନ କଲେ ପୁରୁଷମାନଙ୍କ ସମଧର୍ମୀ ହୋଇପାରିବେ ନାହିଁ । ଦିନେ ମନୁ କହିଥିଲେ ଯେ ନାରୀ ବାଲ୍ୟକାଳରେ ପିତାଙ୍କ ଅଧୀନ, ଯୁବାକାଳରେ ସ୍ୱାମୀର ଅଧୀନ ଏବଂ ବୃଦ୍ଧାବସ୍ଥାରେ ପୁତ୍ରର ଅଧୀନ । ବାସ୍ତବତାକୁ ଆଖି ଆଗରେ ରଖି ମନୁ ଏହା କହିଥିଲେ । ଏବେ ଉଚ୍ଚଶିକ୍ଷିତା ମହିଳାମାନେ ବି ଏଇ ବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛନ୍ତି ଓ ସୁରକ୍ଷିତ ରହୁଛନ୍ତି । କିନ୍ତୁ ଏହାର ଅର୍ଥନୁହେଁ ଯେ ମହିଳାମାନେ ପୁରୁଷର ଦାସୀ ଓ ଭୋଗ୍ୟା । ସେମାନେ ମଧ୍ୟ ସମଧର୍ମୀ ଓ ସହଯୋଗୀ । ନିଜକୁ ରକ୍ଷା କରିବା ପାଇଁ ନାରୀ ଅସମର୍ଥ ବୋଲି ମନୁ ଦୁଇହଜାର ବର୍ଷ ପୂର୍ବେ ଏକଥା କହିଥିଲେ । ଏଇ ଦୀର୍ଘ ବର୍ଷ ପରେ ସମାଜ ଅନେକ ବଦଳି ଯାଇଛି । ମଣିଷର ମନ ଓ ବୁଦ୍ଧିର ଅନେକ ବିକାଶ ଘଟିଛି । କିନ୍ତୁ ନାରୀମାନେ ଯଦି ନିଜକୁ ଉପଯୁକ୍ତ, ନିର୍ଭୀକ, ସତ୍ୟନିଷ୍ଠ ଓ ସାହାସୀ କରନ୍ତି ତେବେ ସେମାନେ ସ୍ଵାଧୀନ ନ ହେବାର କାରଣ ରହିବ ନାହିଁ । ମନୋରମା ଭାର୍ଯ୍ୟା ହେବାକୁ ହେଲେ ଏସବୁ ସଦ୍‍ଗୁଣର ଅଧିକାରିଣୀ ହେବାକୁ ପଡ଼ିବ । ମହିଳା ସଶକ୍ତିକରଣ କେବଳ ସ୍ୱାମୀ ଦ୍ଵାରା କରିହେବ ନାହିଁ ।

☆☆☆

 

Unknown

ପରୋପକାରାୟ ଇଦଂ ଶରୀର

 

ମା’ମାନଙ୍କୁ ସ୍ୱର୍ଗଠାରୁ ମଧ୍ୟ ଗରିୟସୀ କୁହାଯାଇଛି । ମା’ ମାନଙ୍କ ତୁଳନା ନାହିଁ । କାଳେ କାଳେ ଯୁଗେ ଯୁଗେ ସେମାନଙ୍କ କୀର୍ତ୍ତି ଗାଇଛି ସାହିତ୍ୟ । ମା’ ମାନଙ୍କର ପ୍ରଧାନ ଧର୍ମ ହେଉଛି ତ୍ୟାଗ । ସେମାନଙ୍କର ଜାତି ନାହିଁ, ସେମାନେ କେବଳ ମା । ଏଠାରେ ଶୁଣିଥିବା ଗୋଟିଏ ଜୀବନ୍ତ କାହାଣୀର ଉଲ୍ଲେଖ କରୁଛି । ପୁଅକୁ ଗାଧୋଇପାଧୋଇ ପୋଛାପୋଛି ସାରି ଖୁଆଇ ଦେବା ପରେ ଶୋଇଗଲା ସେ । ଖଟ ଉପରେ କନ୍ଥା ଖଣ୍ଡେ ପାରି ଦେଇ ପୁଅକୁ ଶୁଆଇ ଦେଇ ଖଣ୍ଡେ ଲୁଗା ଛାତି ପର୍ଯ୍ୟନ୍ତ ଘୋଡ଼େଇ ଦେଇ ମା ଚାଲିଗଲେ ଘରର ଅନ୍ୟାନ୍ୟ କାମ କରିବା ପାଇଁ । ଘଣ୍ଟାଏ କି ଦୁଇଘଣ୍ଟା ଯାଇଥିବ । କେହି ଜଣେ ଦଉଡ଼ି ଆସି କହିଲା, ଆସ ଦେଖୁବ...ସାପ ପଶିଛି ପୁଅ ଘରେ ।

 

ଶୁଣିବା କ୍ଷଣି ମା’ଙ୍କ ଦେହରୁ ଝାଳ ବହିଗଲା । କିନ୍ତୁ ସେ ହାତଯୋଡ଼ି କପାଳରେ ଛୁଆଇଁ ଠାକୁରଙ୍କୁ ଡାକି ଡାକି ଦଉଡ଼ିଲେ ପୁଅ ଶୋଇଥିବା ଘର ଆଡ଼କୁ । ସେତେବେଳକୁ ପୁଅର ବାପା ପହଞ୍ଚି ଯାଇଥାନ୍ତି । ପହଞ୍ଚି ଯାଇଥାନ୍ତି ଆଉ କେତେଜଣ । ନାଗ ସାପ ଖଟ ଉପରକୁ ଉଠୁଥିବା ଦେଖି ସମସ୍ତେ ଡହଳ ବିକଳ ହେଉଥାନ୍ତି , କିନ୍ତୁ ସାପକୁ ବାଡ଼େଇଲେ କାଳେ ଯଦି ସେ ପୁଅ ଉପରେ ଚୋଟ ବସାଇ ଦେବ ଏଇ ଆଶଙ୍କା କରି ସହସା କ’ଣ କରିବେ ବୁଦ୍ଧି କୁଳାଉ ନଥାଏ-। ପୁଅର ବାପା ବାଡ଼ିଖଣ୍ଡେ ଧରି ଆଗୋଉଥିବା ବେଳେ ପଛରୁ ଟାଣି ଦେଇପୁଅ ମା କହିଲେ, ‘ତମେ ପଛକୁ ଆସ ମୁଁ ଯାଉଛି' । ସେ ଗୋଟେ ମୋଟା ଚାଦର ହାତରେ ଧରି ଧୀରେ ଧୀରେ ଖଟ ଆଡ଼କୁ ଆଗେଇଲେ । ନାଗ ସାପ ପୁଅ ଉପରେ ଥିବା ଲୁଗା ଉପରକୁ ଚାଲି ଯାଇଥାଏ-। ମା’ ଆଉ କାଳ ବିଳମ୍ବ ନ କରି ହାତ ଲମ୍ବା କରି ସାପର ମୁଣ୍ଡକୁ ଧରି ପକାଇ ଦୂରକୁ ଫୋପାଡ଼ି ଦେଲେ-। ଅନ୍ୟମାନେ ସାପକୁ ମାରିଦେଲେ । ମା’ ସେତେବେଳେକୁ ପୁଅକୁ କାଖରେ ରଖି କାନ୍ଦି କାନ୍ଦି କହୁଥାନ୍ତି—‘ମୋ ଧନ....ଠାକୁରେ ତୋତେ ରଖିଲେ ମହା ବିପଦରୁ... ।” ସାପକୁ କିପରି ଆୟତ୍ତ କରିବାକୁ ହେବ କେହି ଠିକ୍ କରିପାରୁ ନ ଥିବାବେଳେ ମା' ନିଜ ଜୀବନକୁ ପାଣି ଛଡ଼େଇ ଖଣ୍ଡେ ଚାଦର ହାତରେ ଧରି ସାହସ କରି ସାପକୁ ଧରି ପକାଇ ଦୂରକୁ ଫୋପାଡ଼ି ଦେଲେ...-। ପୁଅ ରକ୍ଷା ପାଇଗଲା । ପୁଅର ବାପା ସାହସ କରି ପାରୁନଥିଲେ, ଅନ୍ୟ କେହି ଆଗୋଉ ନଥିଲେ, କିନ୍ତୁ ମା’ କୋଉ ସାହସରେ ଏ କାମ କଲେ ? ସେ ପ୍ରସ୍ତୁତ ହୋଇ ଯାଇଥିଲେ ନିଜ ଜୀବନ ବଦଳରେ ପୁଅକୁ ବଞ୍ଚାଇବା ପାଇଁ । ସମସ୍ତେ ଧନ୍ୟ ଧନ୍ୟ କଲେ ।

 

ଏଇ କାହାଣୀରୁ କ’ଣ ଶିଖିବା ଆମେ ? ମା’ ଓ ବାପାଙ୍କ ସନ୍ତାନ ପାଇଁ ତ୍ୟାଗ । ମା’ ମାନଙ୍କ ଆଖିରେ ସମସ୍ତେ ପୁଅ, ଝିଅ ପରି ଦିଶନ୍ତି । ବାରିରେ ପିଜୁଳି ପାଚିଲେ କି ଆମ୍ବ ପାଚିଲେ ପ୍ରଥମେ ପ୍ରଥମେ ଠାକୁରଙ୍କୁ ଭୋଗ ଚଢ଼ାଇ ତା’ ପରେ ପୁଅ ବା ଝିଅ ହାତକୁ ମା ବଢ଼ାଇ ଦିଅନ୍ତି ସରାଗରେ । ପରିବାରର ସମସ୍ତଙ୍କୁ ବାଢ଼ି ସାରି ନିଜେ ବସନ୍ତି ଖାଇବା ପାଇଁ । ସେତେବେଳକୁ କୋଉଦିନ ତରକାରି ନଥାଏ ତ କୋଉଦିନ ଭାତ କମ୍ ଥାଏ । ଲୁଣ ଲଙ୍କା ମରିଚ ସାହାଯ୍ୟରେ ସେତକ ଖାଇ ପାଣି ପିଇ ଭୋକ ମେଣ୍ଟାନ୍ତି ମା’ । ଆମ ଭାରତର ମା’ ମାନଙ୍କ ରୂପ ଏହିପରି । ସେମାନେ ନିଜ କଥା କେବେ ଭାବନ୍ତି ନାହିଁ । ବାହା ହୋଇ ଶାଶୁ ଘରକୁ ଆସିଲେ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦ ଦିଅରଙ୍କୁ ନେଇ ଚଳନ୍ତି । ସମସ୍ତଙ୍କୁ ଖୁଆଇ ପିଆଇ ସନ୍ତୁଷ୍ଟ କଲାବେଳକୁ ନିଜ କଥା ବୋହୂମାନେ ପାସୋରି ଯାଆନ୍ତି । ସେମାନେ ଯେତେବେଳେ ମା’ ହୁଅନ୍ତି ସେତେବେଳେ ମନେପଡ଼େ ମା’ ମାନଙ୍କ କଥା, ତ୍ୟାଗ ସ୍ନେହ, ମମତା ଭାବ ଖେଳିଯାଏ ଶିରା ପ୍ରଶିରାରେ ।

 

ମହାଭାରତ କାହାଣୀ ଶୁଣିଥିବେ ପାଠକମାନେ । ପଞ୍ଚୁପାଣ୍ଡବଙ୍କ ସହିତ ମା କୁନ୍ତୀ ବନବାସରେ ଥାଆନ୍ତି । ଦିନେ ଜଣେ ବ୍ରାହ୍ମଣ କହିଲେ କୁନ୍ତୀଙ୍କୁ—‘ତୁମର ଆଉ ଦୁଃଖ କ’ଣ ମା ? ପାଞ୍ଚ ପୁଅଙ୍କ ମା’ଙ୍କ ଗର୍ବରେ ଛାତି ଫୁଲି ଉଠୁଥିବ.... ।” କୁନ୍ତୀ କହିଲେ, “ହଁ ପାଞ୍ଚ ପୁଅଙ୍କ ପାଇଁ ମୋର ଗର୍ବ...ସେମାନଙ୍କ ମୁହଁ ଦେଖୁଲେ ଭୋକ ଶୋଷ ମୁଁ ଭୁଲିଯାଏ । କିନ୍ତୁ ଭାଗ୍ୟ ମୋ ସପକ୍ଷରେ ନାହିଁ.....ଦେଖୁନ... ଯୁଧିଷ୍ଠିର ପରି ଧର୍ମାତ୍ମା, ଅର୍ଜୁନ ପରି ଧନୁର୍ଦ୍ଧର.... ଭୀମ ପରି ମହାବଳବାନ ଗଦାଧାରୀ, ଆଉ ନକୁଳ ଏବଂ ସହଦେବଙ୍କ ପରି ଗୁଣବାନ ପୁଅ ଥାଇ ମଧ୍ୟ ମୁଁ ଅପେକ୍ଷା କରେ, ସେମାନେ ବଣରୁ ଫଳମୂଳ ସଂଗ୍ରହ କରି ଆଣିଲେ ସେମାନଙ୍କୁ ଦିଏ,ଆଉ ମୁଁ ଖାଏ । ସେମାନେ ଲୁଚି ଲୁଚି ବଣରେ ବୁଲୁଛନ୍ତି ଭାଗ୍ୟଦୋଷରୁ । ଭାଗ୍ୟ ହିଁ ସବୁ କରାଏ ।’...

 

ଏଇ ହେଉଛି ମା’ ମାନଙ୍କ ରୂପ । ସେମାନଙ୍କ ଗୁଣ ଗାଇଲେ ସରିବ ନାହିଁ । ସେମାନଙ୍କ ମହିମା କହିଲେ ସରିବ ନାହିଁ । ଯୁଦ୍ଧରେ ନିହତ ହେବା ସୁନିଶ୍ଚିତ ଜାଣି ମଧ୍ୟ ଗାନ୍ଧାରୀ ଜ୍ୟେଷ୍ଠ ପୁତ୍ର, ଦୁର୍ଯ୍ୟୋଧନଙ୍କ ବିଜୟ କାମନା କରିପାରିଲେ ନାହିଁ । କାରଣ ସତ୍ୟ, ଧର୍ମ ଦୁର୍ଯ୍ୟୋଧନଙ୍କ ସହିତ ନଥିଲା । ଯୁଦ୍ଧକୁ ଯିବା ପୂର୍ବରୁ ସେ ଯେତେବେଳେ ଗାନ୍ଧାରୀଙ୍କ ପାଖକୁ ଆସିଲେ ଆଶୀର୍ବାଦ ନବା ପାଇଁ ସେତେବେଳେ ଗାନ୍ଧାରୀ କହିଲେ—“ଆୟୁଷ୍ମାନ ହୁଅ ।’ ଆଶ୍ଚର୍ଯ୍ୟ ଚକିତ ଦୁର୍ଯୋଧନ ମା’ଙ୍କ ମୁହଁକୁ ଚାହିଁ କହିଲେ—ଆୟୁଷ୍ମାନ ହେବା ପାଇଁ ମୋତେ ବର ନଦେଇ ବିଜୟୀ ହେବା ପାଇଁ ବର ଦିଅ ମା ।’ ଗାନ୍ଧାରୀ ମୁହୂର୍ତ୍ତେ ଚିନ୍ତା କରି କହିଲେ ‘ସତ୍ୟ ଧର୍ମର ଜୟ ହେଉ ବତ୍ସ ।’ ଦୁର୍ଯ୍ୟୋଧନ ଏହାପରେ ଯୁଦ୍ଧକୁ ଗଲେ ସିନା କିନ୍ତୁ ସେତିକି ବେଳୁ ଜାଣିସାରିଥିଲେ ଯେ ବିଜୟ ତିଳକ ଆଉ ତାଙ୍କ କପାଳରେ ଲାଗିବ ନାହିଁ । ପୂର୍ବ କାଳରେ ମା’ମାନେ ଅନେକ ଉଚ୍ଚସ୍ଥାନ ଅଧିକାର କରିଥିଲେ । ସେମାନେ କୁନ୍ତୀ, ଗାନ୍ଧାରୀଙ୍କ ପରି ପୁତ୍ରକନ୍ୟାଙ୍କ ସୁଖ ଦୁଃଖର ସାଥୀ ହେବା ସହିତ ସେମାନଙ୍କୁ ସତ୍ ଓ ଧର୍ମ ମାର୍ଗରେ ପରିଚାଳିତ କରିବା ପାଇଁ ସଦାସର୍ବଦା ସଚେତନ ଥିଲେ । ଆଧୁନିକ ଜଗତରେ ମଧ୍ୟ ମା’ମାନେ ପୂର୍ବ ପରି ଅଛନ୍ତି । ନିଜର ସୁଖ ସୁବିଧା ପ୍ରତି ଧ୍ୟାନ ନଦେଇ ସନ୍ତାନଙ୍କ ସୁଖ ସୁବିଧା ପ୍ରତି କଲ୍ୟାଣମୟୀ ମା’ମାନେ ସଦାବେଳେ କାର୍ଯ୍ୟ କରିଛନ୍ତି । ବିଫଳ ହେଲେ ଈଶ୍ଵରଙ୍କୁ ପ୍ରାର୍ଥନା କରି ତାଙ୍କରି ଦାୟିତ୍ୱରେ ଛାଡ଼ି ଦେଇଛନ୍ତି ପୁଅ ଝିଅଙ୍କୁ ।

 

ସମୟ ବଦଳିବା ସହିତ ଚଳଣି ଓ ସଂସ୍କୃତିରେ ମଧ୍ୟ ପରିବର୍ତ୍ତନ ହୋଇଛି । ତ୍ୟାଗ କରିବା ପରିବର୍ତ୍ତେ ଭୋଗ ସର୍ବସ୍ୱ ହୋଇଛି ଜୀବନ । ତେଣୁ ବେଳେ ବେଳେ ମା’ମାନେ ଭ୍ରୂଣହତ୍ୟା କରି କୁମାରୀ ପରି ବଞ୍ଚିବା ପାଇଁ କାମ କରୁଛନ୍ତି ଏବଂ ଏଥିରେ ସାଥି ହେଉଛନ୍ତି ବାପାମାନେ । ପୁଅ ହେବ କି ଝିଅ ହେବ ଲିଙ୍ଗ ନିରୂପଣ କରି ଝିଅ ହେବାର ଥିଲେ ଭ୍ରୂଣହତ୍ୟା କରିବା ପାଇଁ ପଛାଉ ନାହାନ୍ତି । କିନ୍ତୁ ସେମାନେ ବୁଝୁ ନାହାନ୍ତି ଯେ ଝିଅ ପୁଅ ପରି ସ୍ନେହ ମମତାର ପାତ୍ରୀ । ଝିଅମାନଙ୍କୁ ଅବହେଳା କରିବା ଅନ୍ୟାୟ ଓ ସାମାଜିକ ଅପରାଧ । ଯୌତୁକ ପ୍ରଥା, ବଧୂ ନିର୍ଯ୍ୟାତନା ଏବେବି ବନ୍ଦ ହୋଇନାହିଁ । ବୋହୂ ପ୍ରତି ଅତ୍ୟାଚାର ହେଲାବେଳେ ଶାଶୁମାନେ ନୀରବଦ୍ରଷ୍ଟା ବା ସେଥିରେ ଅଂଶୀଦାର ହେଉଛନ୍ତି । ସେମାନେ ନିଜ ପାଇଁ କିଛି ରଖନ୍ତି ନାହିଁ । ପରର ସେବା କରିବା, ଅନ୍ୟମାନଙ୍କର ସନ୍ତୋଷ ଓ ହସଖୁସି ଦେଖି ସେଥିରୁ ଆନନ୍ଦ ପାଇବା ହେଉଛି ନିଃସ୍ୱାର୍ଥପରତା । ମଣିଷ ଜନ୍ମ ଶ୍ରେଷ୍ଠ ଜନ୍ମ, ପ୍ରାଣୀମାନଙ୍କ ମଧ୍ୟରେ । ତେଣୁ ମଣିଷର ଶରୀର ମଧ୍ୟ ଯଦି ପରୋପକାର ନିମନ୍ତେ ଉତ୍ସର୍ଗ କରାଯାଏ ତେବେ ତାହାଠାରୁ ଆଉ ବଡ଼ ଧର୍ମ କ’ଣ ଅଛି ?

 

ବୃର୍ତ୍ତ୍ରାସୁର ନାମକ ଅସୁରର ଅନ୍ୟାୟ ଯୋଗୁଁ ମର୍ତ୍ତ୍ୟ ସ୍ଵର୍ଗ ଓ ପାତାଳ କମ୍ପୁଥାଏ । ଦେବଲୋକରେ ମଧ୍ୟ ଦେବତାମାନେ ଥରହର ହେଲେ । ଅସୁରର ପାପ ଯୋଗୁଁ ବୃଷ୍ଟି ନହେବାରୁ ଦୁର୍ଭିକ୍ଷ ପଡ଼ିଲା । ମଣିଷ, ପଶୁ, ପକ୍ଷୀ ହାହାକାର କଲେ । ଦେବତାମାନେ ଇନ୍ଦ୍ରଙ୍କୁ କହିଲେ ଏବଂ ସମସ୍ତେ ମିଶି ବ୍ରହ୍ମାଙ୍କ ଶରଣ ନେଲେ । ବ୍ରହ୍ମା ସେମାନଙ୍କୁ କହିଲେ “ ମୁଁ କିଛି କହିପାରିବ ନାହିଁ, କିନ୍ତୁ ଦଧୀଚି ଋଷି ନିଜ ଅସ୍ଥି ଦାନ କଲେ ସେଥିରୁ ବଜ୍ର ତିଆରି କରି ଇନ୍ଦ୍ର ଅସରକୁ ବଧ କରିପାରିବେ । ଅନ୍ୟଥା ସେ ଉତ୍ପାତ କରି ଚାଲିଥିବ ।’ ଦେବତାମାନେ ଦଧୀଚି ଋଷିଙ୍କ ପାଖକୁ ଗଲେ ଏବଂ ପ୍ରାର୍ଥନା କଲେ ଯେ ଯଦି ସେ ନିଜ ଅସ୍ଥି ଦିଅନ୍ତି ସେଥିରୁ ବ୍ରଜ ତିଆରି କରି ଇନ୍ଦ୍ର ଅସୁରକୁ ବଧ କରିବେ । ଅସୁର ବଧ ହେଲେ ପୃଥିବୀ ଶାନ୍ତ ହେବ । କିନ୍ତୁ ତାକୁ ବଧ କରିବା ପାଇଁ ଦଧୀଚିଙ୍କ ଅସ୍ଥି ଲୋଡ଼ା । ଏକଥା ଶୁଣି ଦଧୀଚି ପ୍ରସନ୍ନ ଚିତ୍ତରେ କହିଲେ, ‘ଅସ୍ଥିଦାନ କଲେ ଯଦି ଏତେବଡ଼ କାମ ହୋଇପାରିବ ଓ ପୃଥିବୀର ମଙ୍ଗଳ ହେବ ଏବଂ ପ୍ରାଣୀ ଜଗତର ଦୁଃଖ ଦୂର ହେବ ତେବେ ମୁଁ ଅଗ୍ନିରେ ଝାସ ଦେବି । ତା’ ପରେ ମୋ ଅସ୍ଥି ନେଇ ଇନ୍ଦ୍ରଙ୍କୁ ଦବ ।' ସେୟା ହେଲା । ଦଧୀଚି ଅଗ୍ନିରେ ଝାସ ଦେଲେ ଏବଂ ତାଙ୍କ ଅସ୍ଥିରୁ ଇନ୍ଦ୍ର ବଜ୍ର ତିଆରି କରି ବୃର୍ତ୍ତ୍ରାସୁରକୁ ବଧ କଲେ-। ପୃଥିବୀ ଶାନ୍ତ ହେଲା । ଜୀବଜଗତ ଶାନ୍ତି ପାଇଲେ ଏବଂ ଇନ୍ଦ୍ରଙ୍କ ସୁଦୃଷ୍ଟିରୁ ବର୍ଷା ହେଲା-। ପରୋପକାରାୟ ଇଦଂ ଶରୀରର ଅର୍ଥ ହେଉଛି ଏଇ ଶରୀର ସୁଖ ଭୋଗ କରିବା ପାଇଁ ନୁହେଁ, ଏହା ପରର ଉପକାର ପାଇଁ । ଦଧୀଚିଙ୍କ ଦାନ ଅତୁଳନୀୟ ଏବଂ ଯୁଗ ଯୁଗ ଧରି ମାନବ ସମାଜକୁ ଉଦ୍‌ବୁଦ୍ଧ କରିଛି । ସୁତରାଂ ତ୍ୟାଗ ହିଁ ବଡ଼ ଧର୍ମ ।

 

ସାମ୍ପ୍ରତିକ ଜଗତରେ ଧର୍ମର ପ୍ରଭାବ କମିଛି । କାରଣ ମଣିଷମାନେ ନିଜ ସ୍ୱାର୍ଥକୁ ବଡ଼ ବୋଲି ଭାବି ଭଗବାନ ଯାହା ସୃଷ୍ଟି କରିଛନ୍ତି ଜଗତର କଲ୍ୟାଣ ପାଇଁ ସେସବୁ କେବଳ ମଣିଷ ପାଇଁ ଉଦ୍ଦିଷ୍ଟ ଭାବି ଭୋଗ କରୁଛନ୍ତି । ଗଛର ଫଳରେ, ଗାଈର ଦୁଧରେ ଏବଂ ନଦୀର ପାଣିରେ କେବଳ ମଣିଷ ନୁହଁ ସମସ୍ତ ପ୍ରାଣୀଙ୍କର ଅଧିକାର ଅଛି । କିନ୍ତୁ ମଣିଷର ସ୍ୱାର୍ଥପରତା ଭୋଗବାଦୀ ସଂସ୍କୃତି ଦ୍ଵାରା ସେ କେବଳ ନିଜ କଥା ଭାବୁଛି, ଅନ୍ୟମାନଙ୍କ କଥା ଭାବୁ ନାହିଁ । ତେଣୁ ନଦୀର ପାଣି ଦୂଷିତ ହୋଇଛି । ଗଛମାନଙ୍କ ସଂଖ୍ୟା କମି କମି ଯାଉଛି ଏବଂ ଗାଈ ପରି ହିତକାରୀ ପଶୁଙ୍କ ସେବା ଯତ୍ନ ମଣିଷ କରୁନାହିଁ । ପୃଥିବୀ ବୃକ୍ଷଶୂନ୍ୟ ହେଉଥିବାରୁ ନଦୀ, ହ୍ରଦ, ସମୁଦ୍ର ପାଣି ମଣିଷର ଅସଦ୍ ଉପଯୋଗ ଯୋଗୁଁ ବିଷାକ୍ତ ହେଉଥିବାରୁ ଏବଂ ପଶୁପକ୍ଷୀଙ୍କୁ ମଣିଷ ଗ୍ରାସ କରୁଥିବାରୁ ପ୍ରକୃତିରେ ଅସନ୍ତୁଳନ ସୃଷ୍ଟି ହୋଇଛି । ପରିବେଶ ପ୍ରଦୂଷିତ ହୋଇଛି । ମଣିଷ ସଂଖ୍ୟା ଯେତେ ବଢ଼ୁଛି ସେମାନଙ୍କ ଅନ୍ୟାୟ, ଅବିଚାର ସେତେ ବଢ଼ୁଛି । ଜଗତରେ ଅଶାନ୍ତି ମଧ୍ୟ ବଢ଼ୁଛି । ଯୁଦ୍ଧ, ହିଂସା, ପର ସମ୍ପତ୍ତି ହରଣ, ଧର୍ଷଣ, ଆତଙ୍କ, ବଳାତ୍କାର ଓ ଦୁର୍ବଳ ପ୍ରତି ଅତ୍ୟାଚାର ବଢ଼ୁଛି । ପରର ଉପକାର କରିବା ଦୂରେ ଥାଉ ଅନ୍ୟର ଅମଙ୍ଗଳ ଚିନ୍ତା କରିବା ଓ ପାପ କାର୍ଯ୍ୟ କରିବା ଦ୍ଵାରା ପୃଥିବୀରୁ ସତ୍ୟ, ଧର୍ମ, ଶାନ୍ତି ଦ୍ରୁତଗତିରେ ହ୍ରାସ ପାଉଛି । ‘ପାପାୟ ପରପୀଡ଼ନମ୍’ ବୋଲି ବ୍ୟାସଦେବ କହିଥିଲେ । ପାପ ଯେତିକି ବଢିବ ଧର୍ମ ଭାବ ସେତିକି କମିବ । ମହାକବି ସାରଳା ଦାସ ମହାଭାରତରେ ରାଜାଙ୍କ କର୍ତ୍ତବ୍ୟ ସମ୍ପର୍କରେ ଯୁଧିଷ୍ଠିରଙ୍କୁ ଉପଦେଶ ଦେଇ କହିଛନ୍ତି ଯେ ରାଜା ପ୍ରଜାମାନଙ୍କୁ ପୁଅ ପରି ପାଳନ କରିବେ, ସେମାନଙ୍କ ପ୍ରତି ଅନ୍ୟାୟ ଅବିଚାର କରିବେ ନାହିଁ-। ରାଜା ଧର୍ମ ପାଳନ କଲେ ପୃଥିବୀ ଶାନ୍ତିରେ ରହିବ, ଇନ୍ଦ୍ର ବୃଷ୍ଟି କରିବେ, ଶସ୍ୟ ଶ୍ୟାମଳା ହେବ ଧରିତ୍ରୀ । ତେଣୁ ପାଠକ ବନ୍ଧୁମାନେ ସମସ୍ତେ ଆସନ୍ତୁ ଧର୍ମ ପାଳନ କରିବା, ପରର ମଙ୍ଗଳ କରିବା ଏବଂ ସତମାର୍ଗରେ ଚାଲିବା । ଏହା ଦ୍ଵାରା ପୃଥିବୀରୁ ଅଶାନ୍ତି ଦୂର ହେବ । ପୃଥିବୀ ସ୍ୱର୍ଗରେ ପରିଣତ ହେବ । ମାତୃଶକ୍ତି ଯେତିକି ଜାଗ୍ରତ ହେବ, ତ୍ୟାଗ ଭାବ ସେତିକି ବଢ଼ିବ । ଭୋଗର ବିନାଶ କରି ତ୍ୟାଗ ଦ୍ୱାରା ପୃଥିବୀ ସ୍ଵର୍ଗରେ ପରିଣତ ହେବ ।

☆☆☆

 

ସତ କହିବାକୁ କିଆଁ ଡରିବି

 

ଗତଥର ଏଇ ସ୍ତମ୍ଭରେ ‘ପାପାୟ ପରପୀଡ଼ନମ୍' ନେଇ ଆଲୋଚନା କରିଥିଲି । ଇତିମଧ୍ୟରେ ମୁଁ ଭୁବନେଶ୍ୱର ଫେରି ଆସିଛି । ସ୍ୱାସ୍ଥ୍ୟ ପୂରାପୂରି ଠିକ୍ ହୋଇ ନଥିଲେ ବି ମୁଁ ରୁଟିନ୍ କାମ ଆରମ୍ଭ କରିଛି । ଦିନେ ନରସିଂହପୁରର ଜଣେ କୃତୀ ଶିକ୍ଷକ ସନାତନ ସ୍ୱାଇଁ ସାତକଡ଼ିବାବୁଙ୍କୁ ଭେଟିଥିଲେ ‘ସମୟ’ ଅଫିସରେ । ମୋ ସ୍ତମ୍ଭ ପଢ଼ି ସେ ଓ ତାଙ୍କ ପରିବାର ପ୍ରେରଣା ପାଆନ୍ତି ବୋଲି କହିଲେ । ସାତକଡ଼ିବାବୁଙ୍କଠାରୁ ମୁଁ ଏହାଶୁଣି ଖୁସି ହେବା ସ୍ୱାଭାବିକ । ପାଠକୀୟ ମନ୍ତବ୍ୟ ଅନୁକୁଳ ବା ପ୍ରତିକୂଳ ହେଉ ତାହା ଲେଖକକୁ ବାଟ କଢ଼ାଇବାରେ ସାହାଯ୍ୟ କରେ । ଓଡ଼ିଶା ଫେରି ଆସି ମୁଁ ସେଇ ଗୋଟିଏ ଅବସ୍ଥା ଦେଖୁଛି ଅନ୍ୟାୟ ଓ ଅବିଚାର ସହି ନବା ପାଇଁ ଯେପରି ଓଡ଼ିଆ ଜାତି ପ୍ରସ୍ତୁତ ହୋଇ ବସିରହିଚି । ମନେ ପଡ଼ିଯାଉଛି ଇତିହାସରେ ପଢ଼ିଥିବା କଳାପାହଡ଼ କଥା । ବହିରେ ପଢ଼ିଥିଲି, “ଅଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣଥାଳିରେ ହୀରା ପରଶିଲେ ମୁକୁନ୍ଦ ଦେବଙ୍କ ରାଣୀ ।”ଶିକ୍ଷକମାନେ ନିଜକୁ ପଚାରନ୍ତୁ କାହିଁକି ବୀର ଓଡ଼ିଆ କଳାପାହାଡ଼ର ଏଇ ଅତ୍ୟାଚାର ସହି ନେଲେ ନିରବରେ । ପ୍ରତିବାଦ ହେଲା ନାହିଁ । ପ୍ରତିରୋଧ ହେଲା ନାହିଁ । ନିରବରେ ଅନେକ ଲୁହ ଢାଳିଲେ । କଳାପାହାଡ଼ ଅନେକ ମନ୍ଦିର ଭାଙ୍ଗିଲା, ଦେବଦେବୀଙ୍କ ମୂର୍ତ୍ତି ଭାଙ୍ଗିଲା । ସେ ହିନ୍ଦୁ ଥିଲା ଦିନେ । ବିଭିନ୍ନ କାରଣ ହିନ୍ଦୁ ସମାଜରୁ ନ୍ୟାୟ ନ ପାଇ ଧର୍ମ ପରିବର୍ତ୍ତନ କଲା । କାଳେ ଜଗନ୍ନାଥଙ୍କୁ ନେଇଯିବ ବୋଲି ପଣ୍ଡା ଓ ପଢ଼ିଆରିମାନେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନିଠାକରଙ୍କୁ ରାତିରେ ନଦୀ ବାଟ ଦେଇ ଚିଲିକାରେ ଲୁଚାଇ ରଖିଲେ । ସାରା ଓଡ଼ିଶାର ଲୋକେ କଳାପାହଡ଼ର ଅତ୍ୟାଚାର ସହିନେଲେ ଅସହାୟ ପରି । ମୁହଁ ବୁଜି ବସି ରହିଲେ । ଲଢ଼ିଲେ କାଳେ ମରିବେ ସେଥିପାଇଁ ଡରିଲେ ।

 

ଏବେ ବି ଓଡ଼ିଶା ପ୍ରତି ଅନ୍ୟାୟ ହେଉଛି । ଓଡ଼ିଶା କେନ୍ଦ୍ର ସରକାରଙ୍କଠାରୁ ନ୍ୟାୟ ପାଉ ନାହିଁ ବୋଲି ଖବର କାଗଜରେ ପ୍ରକାଶ ପାଉଛି । କିନ୍ତୁ କାହିଁକି ନ୍ୟାୟ ପାଉନାହିଁ ସେ ବିଷୟ କେହି ପରିଷ୍କାର କହୁନାହାନ୍ତି । ଆମର ଅପରାଗତା ଯୋଗୁଁ ସାହାଯ୍ୟ ମିଳୁ ନାହିଁ ବୋଲି ଲୋକେ ଜାଣନ୍ତି-। କିନ୍ତୁ ୟାର ପ୍ରତିକାର ଥିବ ତ ! ଆମ ଶାସନକଳକୁ ସଜାଡ଼ି ହେଉନାହିଁ କାହିଁକି ? ଦକ୍ଷତା ଓ ସ୍ଵଚ୍ଛତା ଚରିତ୍ରରେ ଭାସି ଉଠୁନି କାହିଁକି ? ଭୁବନେଶ୍ୱର ରାଜପଥ ଉପରେ ଶିକ୍ଷକମାନେ ଝାଡ଼ୁଧରି ରାସ୍ତା ସଫା କରୁଛନ୍ତି, ବ୍ରସ୍ ଧରି ଜୋତା ପଲିସ୍ କରୁଛନ୍ତି । ସେମାନଙ୍କ ଦାବି ତଥାପି ସରକାର ମାନି ନେଇନାହାନ୍ତି । ରାସ୍ତାକଡର ଏଇ ଦୃଶ୍ୟ ଦେଖି ଅସହାୟ ଭାବେ ଛିଡା ହୋଇ ଦୃଶ୍ୟ ଦେଖନ୍ତି ଶହ ଶହ ଲୋକ । କାମ ନ କରି ଏତେ ଲୋକ ରାସ୍ତାକଡ଼ରେ ଠିଆ ହେବା ଦୃଶ୍ୟ ବଡ଼ ଅପ୍ରୀତିକର-। ଅସହାୟ ଲୋକ ମୁହଁ ବୁଜି ଅନ୍ୟାୟ ଓ ଅବିଚାର ସହିଯାଏ । ଯଦି ଜଣେ ନିରାଶ୍ରିତା ମହିଳାଙ୍କ ଘର ବୁଲଡୋଜର ଲଗାଇ ଭାଙ୍ଗି ଦିଆଗଲା ତାଙ୍କୁ ସାହାଯ୍ୟ କରିବା ପାଇଁ କେହିତ ଆଗେଇ ଆସିଲେ ନାହିଁ । ସେ କିନ୍ତୁ ମୁହଁ ବୁଜି ବସି ରହିଲେ ନାହିଁ । ଦେହର ପରିଧାନ ଫିଙ୍ଗି ଦେଇ ପ୍ରତିବାଦ ଜଣାଇବା ପାଇଁ ସଚିବାଳୟ ଫାଟକ ଦେଇ ଭିତରକୁ ପ୍ରବେଶ କଲାବେଳେ ତାଙ୍କୁ ପୁଲିସ ନିବୃତ୍ତ କଲା । ଜବରଦଖଲ ଉଚ୍ଛେଦ ବନ୍ଦ ହେଲା ସେହିଦିନୁ । ଦୀର୍ଘଦିନ ଧରି ଜବରଦଖଲ ଉଚ୍ଛେଦ କରିବା ନାମରେ ଗରିବ, ନିରାଶ୍ରୟମାନଙ୍କ ଘର ଭଙ୍ଗାଯାଉଛି । କିନ୍ତୁ ସେମାନଙ୍କ ସମସ୍ୟାର ସମାଧନ ହେଉନାହିଁ । ଗରିବଙ୍କ ସହାୟ କ’ଣ କେବଳ ଭଗବାନ ? ସରକାରଙ୍କ କର୍ତ୍ତବ୍ୟ କ’ଣ ? ଭାଙ୍ଗିବା ପୂର୍ବରୁ ଗଢ଼ିବା ବିଷୟରେ ଶାସକମାନେ ଭାବନ୍ତି ନାହିଁ-। କାରଣ ସମସ୍ୟାର ସମାଧାନ ପାଇଁ କେହି ଚିନ୍ତା କରନ୍ତି ନାହିଁ । ଜବରଦଖଲ କାହିଁକି ଲୋକମାନେ କଲେ ଏବଂ ସେତେବେଳେ ପୋଲିସ କ’ଣ କରୁଥିଲା କେହି ପଚାରନ୍ତି ନାହିଁ । ସବୁ ଦୁଃଖ, ନିର୍ଯାତନା ମୁହଁ ବୁଜି ଦେହସୁହା ହୋଇଯାଉଛି ଓଡ଼ିଆମାନଙ୍କର । ଅସନ୍ତୋଷ ପ୍ରକଟ କରି ପାରନ୍ତି ନାହିଁ, ପ୍ରଶ୍ନ ପଚାରି ପାରନ୍ତି ନାହିଁ । ପଦାଧିକାରୀ ବା ଲୋକ ପ୍ରତିନିଧିମାନଙ୍କ ପଦେ ପ୍ରତିଶ୍ରୁତି ଶୁଣି ସାଲିସ କରନ୍ତି । ପିଠି ଆଉଁସି ଦେଲେ ଖୁସି ହୋଇ ଅନ୍ୟାୟ ପାସୋରି ଦିଅନ୍ତି ।

 

ସହିଦନଗରର ରାସ୍ତାଘାଟ, ବାପୁଜୀନଗର ଓ ଷ୍ଟେସନ ସ୍କୋୟାର ପଛଅଞ୍ଚଳ ଅଳିଆଗଦାରେ ପୂର୍ଣ୍ଣ । କିନ୍ତୁ ପ୍ରତିକାର କରିବା ସକାଶେ ଲୋକମାନେ ସଙ୍ଗଠିତ ହୋଇପାରନ୍ତି ନାହିଁ । ହରିଜନ ଝିଅଟି ମେଟ୍ରିକ୍ ପରୀକ୍ଷାରେ ପାସ୍ କରି ସାଇକେଲ ଚଢ଼ି କଲେଜ ବାହାରିବାବେଳକୁ ଗାଁ ଦାଣ୍ଡରେ ତାକୁ ଅଟକାଇ ଦିଅନ୍ତି ଉଚ୍ଚଜାତିର ଲୋକମାନେ । ସେ ଆଖିର ଲୁହ ଛାତି ତଳେ କୋହ ନେଇ ଫେରିଆସେ ଘରକୁ । ସବର୍ଣ୍ଣ ଓ ଅସବର୍ଣ୍ଣ ଭାବ କେଉଁଦିନୁ ଉଠିଗଲାଣି । ଅଛୁଆଁ ପ୍ରଥା ବେଆଇନ । ତଥାପି ଦେଶ ଷାଠିଏ ବର୍ଷ ହେଲା ସ୍ୱାଧୀନ ହେଲେ ବି ଅଛୁଆଁ ପ୍ରଥା ରହିଛି, ସବର୍ଣ୍ଣ-ଅସବର୍ଣ୍ଣ ବିରୋଧ ତୁଟି ନାହିଁ । କଟରାଗଡ଼ ଜଗନ୍ନାଥ ମନ୍ଦିର ଭିତରକୁ ଦିଅଁ ଦର୍ଶନ କରିବା ପାଇଁ ଦଳିତମାନଙ୍କୁ ପ୍ରବେଶ କରିବାକୁ ମନା କରାଗଲା । ସେମାନେ କିନ୍ତୁ ପ୍ରତିବାଦ କଲେ, ସମାଜର ବଡ଼ପଣ୍ଡା ଓ ଶାସନକୁ ପ୍ରଶ୍ନ ପଚାରିଲେ ଏବଂ ସେମାନଙ୍କ ଅଧିକାରରେ ବାଧା ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କଲେ । ଅନୁମତି ମିଳିଲା । ଭାରତ ବାହାରେ ଅନେକ ହିନ୍ଦୁ ଅଛନ୍ତି । ଇଂରେଜମାନେ ସେମାନଙ୍କୁ ନେଇଥିଲେ କାମଦାମ କରିବା ପାଇଁ-। ସେମାନେ ରହିଗଲେ ବିଦେଶରେ । ମରିସସ୍, ବାଲି ଓ ଅନ୍ୟାନ୍ୟ ଦେଶରେ । ବାଲିଦ୍ୱୀପରୁ ଦଳେ ହିନ୍ଦୁ ଆସିଥିଲେ ଜଗନ୍ନାଥ ଦର୍ଶନ ପାଇଁ । ସେମାନେ ନିଜ ଗୋତ୍ର କହି ନପାରିବାରୁ ସେମାନଙ୍କୁ ମନ୍ଦିର ଭିତରୁ ବାହାର କରିଦିଆଗଲା । ସେଇ ଦେଶର ଲୋକମାନେ ହିନ୍ଦୁ ବୋଲି କହି ଆସୁଥିଲେ ଓ ବିଶ୍ୱାସ ନେଇ ଚଳି ଆସୁଥିଲେ । ଏବେ ସେମାନେ ଅନ୍ୟାନ୍ୟ ଧର୍ମର ଲୋକଙ୍କୁ କ’ଣ ଉତ୍ତର ଦେବେ ପୁରୁଷୋତ୍ତମ କ୍ଷେତ୍ରର କାହାଣୀ ଶୁଣି । ସମଗ୍ର ଓଡ଼ିଶା ଓ ହିନ୍ଦୁଜଗତ ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ହେବା ଦରକାର । ଇଣ୍ଡୋନେସିଆ, ମାଲେସିଆ, ମରିସସ୍ ପ୍ରଭୃତିକୁ ଯିବାର ଶହ ଶହ ବର୍ଷ ପରେ ସେମାନେ ଏବେବି ବିଶ୍ୱାସ ଓ ଚଳଣିରେ ହିନ୍ଦୁ ରହିଛନ୍ତି-। ସେଇ ବିଶ୍ୱାସ ନେଇ ଅନେକ ଆସୁଛନ୍ତି ଭାରତ । ଦ୍ଵାରକାଧିପତି, ବଦ୍ରିନାଥ, ତିରୁପତି, ଗୁରୁଭାୟୂ ଯିବାକୁ ମନା ନାହିଁ । ଦିଅଁ ଦର୍ଶନ କରିବାକୁ ମନା ନାହିଁ । କିନ୍ତୁ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବାରେ ଏତେ କଟକଣା କାହିଁକି ? ଜଗନ୍ନାଥ ସମସ୍ତଙ୍କର, କୌଣସି ଗୋଷ୍ଠୀର ସମ୍ପତ୍ତି ନୁହଁନ୍ତି-। ଅନେକଙ୍କ ମନରେ ଏଇ କାରଣରୁ ଅସନ୍ତୋଷ କୁହୁଳୁଛି । କିନ୍ତୁ ସାହସ ହେଉନାହିଁ ପରସ୍ପର ମଧ୍ୟରେ ଆଲୋଚନା କରି ସମାଧାନର ସୂତ୍ର ବାହାର କରିବା ପାଇଁ । ଆଦିବାସୀ, ହରିଜନଙ୍କ ଜଣେ ପରମେଶ୍ଵର, ଉଚ୍ଚଜାତିର ଆଉ ଜଣେ, ଅନ୍ୟଧର୍ମର ଅନ୍ୟ ପରମେଶ୍ୱର ଅଛନ୍ତି ବୋଲି ଏଇ ବିଶ୍ୱାସ ଯେଉଁମାନଙ୍କର ଅଛି ତାହା ଅନ୍ଧବିଶ୍ୱାସ । ସେଇ ଅନ୍ଧବିଶ୍ୱାସକୁ କିଏ ଦୂର କରିବ-? ସ୍ଵର୍ଗରୁ ଦେବତାମାନେ ଆସି କ’ଣ ଦିବ୍ୟଚକ୍ଷୁ ଲଗାଇ ଦେବେ ? ଅନ୍ଧବିଶ୍ୱାସ ଆମକୁ ଦୂର କରିବାକୁ ପଡ଼ିବ ।

 

ମହାଭାରତ ଯୁଦ୍ଧ ଶେଷ ହେଲା । ରଥୀମହାରଥୀମାନେ ନିଜ ନିଜର କୃତିତ୍ୱ ବିଷୟ କହିଲେ । ପ୍ରତ୍ୟେକ ଦାବି କଲେ ସେ ଶତ୍ରୁନିଧନ କରିଥିବାରୁ ପାଣ୍ଡବମାନେ ବିଜୟୀ ହେଲେ । ସେମାନଙ୍କ କଥାଶୁଣି ସ୍ମିତହାସ୍ୟ କରି ଶ୍ରୀକୃଷ୍ଣ ରଣକ୍ଷେତ୍ରର ମଧ୍ୟସ୍ଥଳରେ ବସି ସବୁ ଦୃଶ୍ୟ ଦେଖୁଥିବା ବେଲାଳସେନକୁ ପଚାରିଲେ—“ତୁମେ କ’ଣ ଦେଖିଛ କୁହ ।” ସେ କହିଲେ ‘ଏମାନେ କେହି ଶତ୍ରୁ ନିଧନ କରୁଥିବା ମୁଁ ଦେଖିନାହିଁ, ମୁଁ କେବଳ ଦେଖୁଥିଲି ଗୋଟିଏ ଚକ୍ର ଚାରିଆଡ଼େ ବୁଲୁଥିଲା ଏବଂ ସମସ୍ତଙ୍କର ମସ୍ତକ ଛେଦନ କରୁଥିଲା । ଏହା ହିଁ ସତ୍ୟ ।’ ସତ୍ୟ ବଡ଼ ଅପ୍ରିୟ । ସେଥିପାଇଁ ସହଜରେ ସତ୍ୟକୁ କେହି ଗ୍ରହଣ କରିପାରନ୍ତି ନାହିଁ । ଗାନ୍ଧିଜୀଙ୍କ ମତରେ ସତ୍ୟ ହିଁ ଈଶ୍ୱର । ଈଶ୍ଵର ସତ୍ୟ ଏବଂ ଅନ୍ୟସବୁ ନଶ୍ୱର ଓ ଅଳୀକ । ସେଥିପାଇଁ ସତ୍ୟ ଓ ଧର୍ମକୁ ଶାସ୍ତ୍ରରେ ଏତେ ଉଚ୍ଚସ୍ଥାନ ଦିଆଯାଇଛି । ବହିରେ ମୁଁ ପଢ଼ିଥିଲି ‘ସତ୍ୟପଥେ ଧର୍ମପଥେ, ଘେନିଯାଅ ମୋତେ, ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ । ପ୍ରଭୁ ପରମ ଶରଣ, ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ ।’ ଭୀରୁ, କାପୁରୁଷ ବା ଅବିଶ୍ଵାସୀମାନେ ଅହଂକାର, ଆକ୍ରୋଶ, ଲୋଭ, ମୋହ, ମାତ୍ସର୍ଯ୍ୟ ଛାଡ଼ି ଶରଣ ଯାଇ ପାରନ୍ତି ନାହିଁ । ଈଶ୍ୱର ଯେ କର୍ତ୍ତା ଅନ୍ୟମାନେ କେବଳ ମାଧ୍ୟମ ତାହା ଅହଂକାରୀ ମଣିଷ ସ୍ୱୀକାର କରିପାରେ ନାହିଁ । ଦେହ ଥିଲେ ଭାର ସହିବାକୁ ହେବ । ‘ସର୍ବକଷଣ ଦେହ ସହେ । ଅରଣ୍ୟେ ଅଜଗର ପ୍ରାୟେ ।’ କିନ୍ତୁ ସତ୍ୟ ଓ ଧର୍ମ; ଶାଶ୍ୱତ ଦିବ୍ୟଶକ୍ତିର ଉତ୍ସ । ସେଥିପାଇଁ ସତ କହିବା ପାଇଁ, ଆବଶ୍ୟକ ହେଲେ ମୃତ୍ୟୁବରଣ କରିବା ଉଚିତ ବୋଲି କୁହାଯାଉଛି-।‘ ସତ କହି ପଛେ ମଲେ ମରିବି ।‘ ଧର୍ମରାଜ ଯୁଧିଷ୍ଠିର ରଣକ୍ଷେତ୍ରରେ ଶ୍ରୀକୃଷ୍ଣଙ୍କ ଉପଦେଶ ମାନି ଅସତ୍ୟ କହିଥିଲେ । ହାତୀର ନାମ ଅଶ୍ଵତ୍ଥାମା । ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ରର ନାମ ମଧ୍ୟ ଅଶ୍ଵତ୍ଥାମା-। ସୂର୍ଯ୍ୟାସ୍ତ ହେବା ପୂର୍ବରୁ ପାଣ୍ଡବମାନଙ୍କୁ ପରାସ୍ତ କରିବା ପାଇଁ ସଂକଳ୍ପ କରିଥିବା ଦ୍ରୋଣାଚାର୍ଯ୍ୟଙ୍କୁ ଯୁଧୁଷ୍ଠିର ଜଣାଇଦେଲେ ଯେ “ନରେ ବା ଗୁଂଜରେ ବା ଅଶ୍ଵତ୍ଥାମା ହତ’ । ଅର୍ଥାତ୍ ନର ହେଉବା ହାତୀ ହେଉ ଅଶ୍ଵତ୍ଥାମା ନିହତ ହୋଇଛି । ଗୁଂଜର ଶବ୍ଦଟି ଉଚ୍ଚାରଣ ସୃଷ୍ଟ ଥିଲା ବେଳେ ନର ଉଚ୍ଚାରଣଟି ଅସ୍ପଷ୍ଟ ଥିଲା । ଭୁଲ ଶୁଣିଲେ କି, ବୋଲି ଭାବି ମୁହୂର୍ତ୍ତେ ଆଚାର୍ଯ୍ୟ ଦ୍ରୋଣ-। ତା’ପରେ ମନକୁ ମନ କହିଲେ ଗୁଂଜର ଅଶ୍ଵତ୍ଥାମା ମଲେ କାହିଁକି ବା ଏତେ ହଟ୍ଟଗୋଳ....ନିଶ୍ଚୟ ପୁତ୍ର ଅଶ୍ଵତ୍ଥାମା । ରଣକ୍ଷେତ୍ରରେ ନିହତ ହୋଇଛି । ସେ ତତ୍‌କ୍ଷଣାତ୍ ଅସ୍ତ୍ରତ୍ୟାଗ କଲେ ଏବଂ ମୁହୂର୍ତ୍ତକରେ ତାଙ୍କୁ ବଧ କଲେ ଅର୍ଜୁନ ।

 

କଥା କହୁ କହୁ ସତ୍ୟ, ମିଥ୍ୟା, ସଦାଚାର ଉପରକୁ ଆସିଗଲି ଏଇଥିପାଇଁ ଯେ ଆମ ଚାରିପାଖରେ ପୃଥିବୀ ଦ୍ରୁତଗତିରେ ବଦଳି ଚାଲିଛି । ସତ୍ୟ ଯୁଗରେ ଚାରିପାଦ ସତ୍ୟ, ତ୍ରେତେୟା ଯୁଗରେ ତିନିପାଦ ସତ୍ୟ, ଦ୍ୱାପରରେ ଦୁଇପାଦ, କଳିଯୁଗରେ ସତ୍ୟ ଏକପାଦ ମାତ୍ର । ହେ ମୋର ପାଠକ ଭାଇଭଉଣୀମାନେ ! ଶହେ ଲୋକରୁ ଯଦି ତିନିଭାଗ ମିଛ ଓ ଭାଗେ ସତ୍ୟ ପାଳନ କରନ୍ତେ ତେବେ ତ କଳିଯୁଗରେ ଏତେ ଖରାପ ହୋଇ ନଥାନ୍ତା । ସଦାଚାରର ମୃତ୍ୟୁ ହୋଇଛି ଯେଉଁଦିନୁ ଜଜ୍, ମନ୍ତ୍ରୀ, ଉଚ୍ଚପଦାଧିକାରୀ, ମହନ୍ତମାନେ ନୀତ ଓ ନୈତିକତାର ପାଚେରୀ ଭାଙ୍ଗି କାମ କରିବା ଆରମ୍ଭ କଲେ । ଆଜି ସୁଦଶା ଗୁରୁବାର । ଖବରକାଗଜରେ ବାହାରିଛି ଯେ ଦୁର୍ନୀତି ଅଭିଯୋଗ ଥିବାରୁ ମାନ୍ୟବର ସୁପ୍ରିମକୋର୍ଟ ଜଜଙ୍କୁ ସିବିଆଇ ଜେରା କରିବ ବୋଲି ପ୍ରଧାନ ବିଚାର ପ୍ରତି ଅନୁମତି ଦେଇଛନ୍ତି । ମୁଁ ବଞ୍ଚିଥିଲି ଏୟା ଶୁଣିବା ପାଇଁ ? ମା’ ବାସୁମତୀ ପାପତାପ ଭରା ପୃଥିବୀର ଏତେ ଓଜନ ସହୁଛନ୍ତି କିପରି ଯେ ? ହଁ, କିଛି ଲୋକ ଏବେ ବି ଅଛନ୍ତି ଯେଉଁମାନେ ସବୁ ପ୍ରଲୋଭନ ସତ୍ତ୍ୱେ ସଦାଚାର ମାନ ସତ୍ୟ ରକ୍ଷା କରନ୍ତି । ଏମାନଙ୍କ ପବିତ୍ର କାର୍ଯ୍ୟ ଯୋଗୁଁ ସୂର୍ଯ୍ୟ ଆଲୋକ ଦେଉଛନ୍ତି, ଚନ୍ଦ୍ର ଓ ଗ୍ରହତାରା ଧର୍ମପାଳନ କରୁଛନ୍ତି । ପବନ ବହୁଛି, ମେଘବୃଷ୍ଟି କରୁଛି.... । ସମସ୍ତେ ନିଜ ନିଜ ଧର୍ମ ପାଳନ କରୁଥିବାବେଳେ ମଣିଷ କାହିଁକି ଅଧର୍ମ କରିବ ? ସନାତନ ବାବୁଙ୍କ ପରି ଶିକ୍ଷକ-ପାଠକମାନଙ୍କୁ ମୋର ଅନୁରୋଧ ସେମାନେ ଭାଙ୍ଗି ଯାଇଥିବା ମୂଲ୍ୟବୋଧଗୁଡ଼ିକୁ ରକ୍ଷା କରିବା ପାଇଁ ଶିକ୍ଷା ଦିଅନ୍ତୁ । ଲକ୍ଷେ ଲୋକଙ୍କ ମଧ୍ୟରୁ ଯଦି ଜଣେ ବି ସତ୍ୟ, ଧର୍ମ ପାଳନ କରେ ତେବେ ପୃଥିବୀ ଧ୍ୱଂସ ହେବ ନାହିଁ । ଅନ୍ୟାୟର ପ୍ରତିକାର ହେବ । ଅବିଚାରର ଦଣ୍ଡ ଭୋଗିବାକୁ ହେବ । କିନ୍ତୁ ବନ୍ଧୁଗଣ ! ଯଦି ଦେଖଣାହାରି ପରି କେବଳ ଅନ୍ୟାୟ ଅବିଚାର ଦେଖୁଥିବ, ମୁହଁ ଖୋଲିବ ନାହିଁ କି ପ୍ରତିବାଦ କରିବ ନାହିଁ ତେବେ ତମେ ମଧ୍ୟ ଅନ୍ୟାୟର ଭାଗିଦାରୀ ହେବ । ଯେଉଁଠି ମିଥ୍ୟାଚାର, ଅବିଚାର ଉତ୍ପୀଡ଼ନ ଦେଖୁଛ ଅସନ୍ତୋଷ ଜଣାଅ । ଦୁର୍ନୀତି କରି ଦେଶର ସମ୍ପତ୍ତି ଲୁଟ୍ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ସାହସ ଦେଖାଅ–ସବୁ ଠିକ୍ ହୋଇଯିବ ।

☆☆☆

 

ପାପାୟ ପର ପୀଡ଼ନମ୍

 

ମୋ ପିଲାଦିନ କଥା ମନେ ପଡ଼ିଲେ ମୁଁ ଅତୀତର ସେଇ ଅନ୍ଧ ଗଳିରେ ଗୋଟେ ଅମୂଲ୍ୟ ଚିଜ ଛାଡ଼ି ଆସିଲା ପରି ଅନୁଭବ କଲେ । ସେ କାଳରେ ଅନେକ ଲୋକ ଗରିବ ଥିଲେ, ନିରକ୍ଷର ଅପଢ଼ୁଆ ଥିଲେ, କିନ୍ତୁ ହିଂସା, ନିଷ୍ଠୁରତାରେ ଲିପ୍ତଲୋକ କମ୍ ଥିଲେ । ଜଣେ ଲୋକ ଗରିବ ହୋଇପାରେ, କିନ୍ତୁ ସେ ଗରିବ ମାନଙ୍କୁ ଘୃଣା କରିବ କାହିଁକି ? ଆମ ଗାଁରେ ଚାରି ପାଞ୍ଚଜଣ ବିଧବା ବୟସ୍କା ମହିଳା ମୁଢ଼ି ଭାଜି, ଧାନ କୁଟି ଚଳୁଥିଲେ । ଆଉ ଦୁଇ ତିନିଜଣ ଚୁଡ଼ାକୁଟି ଥିଲାବାଲାଙ୍କ ଘରେ କାମ କରି ସଂସାର ଚଳାଉଥିଲେ । ଅନେକ ଲୋକ ଥିଲେ ଯେଉଁମାନେ ବିଲ ବଣରେ ମହାଜନଙ୍କ ମୂଲଖଟି ପରିବାର ପୋଷୁଥିଲେ । କିନ୍ତୁ ଚୋରି କରି ମିଛ କହି ବା ଦଲାଲି କରି, ଅଦାଲତରେ ମିଛ ସାକ୍ଷୀ ଦେଇ ପଇସା ରୋଜଗାର କରିବା ପାଇଁ ପସନ୍ଦ କରୁନଥିଲେ । ନିଜ ଦୁଃଖର କଷଣ ସହୁଥିଲେ ମୁହଁ ବୁଜି । ପରର ଧନ ଦେଖ୍ ହାଇଁ ପାଇଁ ହେଉନଥିଲେ ବା ପାଚିଲା ଖେତର ଧାନ ବା ଆଖୁ କିଆରୀରୁ ଆଖୁ ଚୋରି କରୁନଥିଲେ । ଶିଶୁମାଉସୀଙ୍କ ଘରସାରା ବୁଲି ଆସିଲେ ଯେତିକି ବାସନ ନହେଲେ ନଚଳେ ତାଠାରୁ ଗୋଟିଏ ବି ଅଧିକ ଥିବାରୁ କେହି କେବେ ଦେଖୁନାହିଁ । ଦୁଇଖଣ୍ଡ ଦଉଡ଼ିଖଟ ପଡ଼ିଥାଏ । ଘର ଭିତରେ କେହି ସମ୍ପର୍କୀୟ ଆସିଲେ ସେଇ ଖଟ ବ୍ୟବହାର କରୁଥିଲେ । କିନ୍ତୁ ଶିଶୁ ମାଉସୀ ମଶିଣା ଉପରେ ଶୋଇଯାଉଥିଲେ ଆନନ୍ଦରେ । ଆମ ଘରେ ମୁଢ଼ି ଭାଜୁଥିଲେ, କଂସା ବାସନ ମାଜୁଥିଲେ । ଦିନେ ଦିନେ ତାଙ୍କ ଶୁଖୁଲା ମୁହଁ ଦେଖି ମୁଁ ପଚାରୁଥିଲି—କ’ଣ ହେଲା ମାଉସୀ, ଦେହ ଭଲ ନାହିଁ ? ମାଉସୀ ଚୁପ୍ ହୋଇ ଛିଡ଼ା ହୋଇଯାଉଥିଲେ । ବଳେଇ ବଳେଇ ପଚାରିଲାରୁ କହୁଥିଲେ, “ବଡ଼ ମହରଗ ସମୟ ପଡ଼ିଛି ଝିଅ । ରୋଜଗାର ଅଣ୍ଟୁ ନାଇଁ । ଦୁଇଦିନ ହେଲା ଖାଡ଼ା ଉପାସ । ହାଣ୍ଡିରେ ଫୁଣ୍ଟାଏ ପଖାଳ ବି ନାଇଁ... ।.’ କିନ୍ତୁ ଆମ ମେଲା ଘରେ ଏତେ ଜିନିଷ ପଡ଼ିଥାଏ ଯେ ସେଥିରୁ ଦିନେ ଗୋଟେ କିଛି ସେ ଉଠାଇ ନବାର କେହି ଦେଖିନାଇଁ କି କହି ନାହିଁ ।

 

ଚୋରି କରିବା ମହାପାପ । ମାଉସୀ ଦିନେ ଗପ ଶୁଣାଇବା ବେଳେ କହିଲେ—ପର ସମ୍ପତ୍ତିରେ ଲୋଭ କଲେ ପାପ ହୁଏ । ମଲାବେଳେ ଯମ ନେଇ ଫୁଟୁଥିବା ତେଲ କଢ଼େଇରେ ପକାଇ ଦିଏ । ଚୋରି କରିବ କାହିଁକି ? ତତଲା ତେଲରେ ଯମ ଭାଜିବ କାହିଁକି ? ଶିଶୁ ମାଉସୀ , ଆମ ମୂଲିଆ ଧନୁ ଓ ଶୁକୁରା କେବେ କିଛି ଉଠାଇ ନବା କେହି ଜାଣନ୍ତି ନାହିଁ । ଦିନେ ଗୋସାଇଁ କହୁଥିବା ମୁଁ ଶୁଣିଛି: ‘ଆପଣା କଲା କର୍ମମାନ, ବେଳୁ ହୋଇବ ସାବଧାନ !' ଗୋସେଇଁ କହିଥିଲେ ଇଏ ଶାସ୍ତ୍ର ବଚନ । ଏଇ ଶରୀର ହେଉଛି ଇଶ୍ଵରଙ୍କର ମନ୍ଦିର । ମନ୍ଦିର ପରିଷ୍କାର, ପବିତ୍ର ଥିବା ପର୍ଯ୍ୟନ୍ତ ଠାକୁରେ ଥିବେ । ଅନୀତି, ଅନାଚାର ପ୍ରବେଶ କଲେ ସେ ଅନ୍ତର୍ଦ୍ଧାନ ହେବେ । ଭାଗବତରେ ଲେଖା ଅଛି— ‘ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ’ ।

 

ତାଙ୍କୁ ଦିନେ ମୁଁ ପଚାରିଲି, ଗୋସେଇଁ ଯଦି ସମସ୍ତଙ୍କ ଶରୀର ମନ୍ଦିର ତେବେ ସମସ୍ତଙ୍କ ଶରୀରରେ ଭଗବାନ ରହୁଥିବେ । ସେ ମୁହଁ ଉପରେ ହସ ଖେଳାଇ କହିଲେ : ଆରେ ପାଗେଳୀ, ଭଗବାନ ସବୁଠି ଅଛନ୍ତି, ସେ ସବୁ ଜାଣନ୍ତି । ଯଦି ସେ ଜାଣିବେ ଯେ ଏଇ ଲୋକଟା ପରର ମନ୍ଦ ପାଞ୍ଚେ, ବା ଚୋରି କରେ, ନିଶା ନିଶାପ କରି ଚଳେ ତେବେ ତାର ଅପବିତ୍ର ଶରୀରରେ ଭଗବାନ ରହିବେ କିଆଁ ? ସେଇଥିପାଇଁ ଦେହ ମନକୁ ଶୁଦ୍ଧ ରଖ । ପରଚିନ୍ତା ନ କରି ହରିଙ୍କୁ ଚିନ୍ତା କର । ଅଦାଲତରେ ମିଛ ସାକ୍ଷୀ ନଦେଇ, ନିଶା ନ କରି ନିଜ ଉପାର୍ଜନ ଅନୁସାରେ ଚଳିବାକୁ ଶିଖ । ତଥାପି ଯଦି ଅଭାବ ନ ଯାଏ ତେବେ ଭିକ ମାଗିବା ବରଂ ଭଲ, ଚୋରି କରିବା ଭଲ ନୁହେଁ ।

 

ବହିରେ ଲେଖାଅଛି ବୋଲି ଶିଶୁ ମାଉସୀ ଦିନେ କହୁଥିଲେ ‘ ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି ।' ଗାନ୍ଧିଜୀ କହୁଥିଲେ ସତ୍ୟ ହିଁ ଈଶ୍ୱର । ମିଥ୍ୟ ପାପ । ସେ କାଳରେ ମାଲିମୋକଦ୍ଦମା ନଥିଲା କହିଲେ ଚଳେ । ମନାନ୍ତର ହେଲେ, ବିବାଦ ହେଲେ ପଞ୍ଚାୟତରେ କଥା ପଡ଼ୁଥିଲା । ପାଞ୍ଚଜଣ ଯାହା ନିଷ୍ପତ୍ତି କରୁଥିଲେ ତାହା ସମସ୍ତେ ମାନି ନେଉଥିଲେ । କାଳ କେତେ ବଦଳି ଗଲାଣି ! କଥା କଥାରେ କଳି, ଥାନା ଆଉ କୋର୍ଟ କଚେରୀ । ପାଚିଲା ଧାନ କ୍ଷେତରୁ କେତେ ଚୋରି ହେଉଛି କହିଲୁ ? ଷଡ଼ଙ୍ଗୀଘରର କାନ୍ଥ ସିନ୍ଧି କାଟି ଆଟୁ ଭିତରୁ ଧାନ ଚାଉଳ ଲୁଟି ନେଲେ । ଶେଷରେ ପୁଲିସ ଆସିଲା । ଦୁଇଜଣ ମଦୁଆଙ୍କୁ ଚିହ୍ନଟ କଲା-। ସେମାନଙ୍କୁ ରୋଜଗାର ଅଣ୍ଟୁନି ମଦ ପିଇବା ପାଇଁ, ସେଇ କାରଣରୁ ଚୋରି କରୁଥିଲେ-। ମଦୁଆ ତ ନଥିଲେ ମୋ ପିଲାବେଳେ । କେହି ଯଦି କୁସଙ୍ଗରେ ପଡ଼ି ନିଶାଭାଙ୍ଗ କରୁଥିଲା ତାକୁ ନିଆଁପାଣି ବାସନ୍ଦ କରୁଥିଲେ ଗାଁ ବାଲା । ବଦଳିବା ମଣିଷର ଲକ୍ଷଣ । ଭଲମାର୍ଗ ଦେଲେ ଖରାପ ବାଟ ଛାଡ଼ି ମଣିଷ ଠିକ୍ ବାଟରେ ଚାଲେ । ବଦଳିଯାଏ । କିନ୍ତୁ ତଥାପି ଏଇଯୁଗରେ ଏତେ ଲୋଭ, ମିଛ, ପ୍ରପଞ୍ଚ ଏବଂ ମନ୍ଦବୁଦ୍ଧି ଯୋଗୁ ପାପ ବଢ଼ୁଛି । ବାଲେଶ୍ୱର ସହର ତଳିର ମହିଳାମାନେ ମଦ ପିଉଥିବା ମରଦମାନଙ୍କୁ ଜବ୍ଦ କରିବା ପାଇଁ ଛାଞ୍ଚୁଣି ଧଇଲେ । ମଦଭାଟି ଆଗରେ ଧାରଣା ଦେଲେ-। ମଦଭାଟି ମାଲିକକୁ ମଧ୍ୟ ପାନେ ଦେଲେ । ଇମିତି ଆନ୍ଦୋଳନ ସବୁଆଡ଼େ ହେଲେ ମଦ ପିଇବା ଅଭ୍ୟାସ କମିବ ।

 

ଖବର କାଗଜରେ ଏସବୁ ବାହାରିଲା । ମଦୁଆମାନଙ୍କୁ ପୁଲିସ ଧରି ନେଇ ଥାନାରେ ବସାଇଲା । ସେମାନଙ୍କ ମୁହଁ ଦେଖିବା ପାଇଁ ପିଲାମାନେ ଠୁଳ ହେଲେ । ସେମାନଙ୍କୁ ଏତେ ବାଧିଲା ଯେ ମଦ ଆଉ ଛୁଇଁବେ ନାହିଁ ବୋଲି ପ୍ରତିଜ୍ଞା କଲେ ମା’ ମଙ୍ଗଳାଙ୍କ ଆଗରେ । ମଦ ପିଉଥିବା ଲୋକ ଚୋରି କରିବ, ଜନାକରୀ ମାମଲାରେ ଫସିବ, ମିଛ କହିବ, ପାପ କରିବ । ମଦ ଯଦି ଏତେ ମନ୍ଦଗୁଣ ସୃଷ୍ଟି କରୁଛି ତେବେ ମଦ ପିଇବ କିଆଁ ? ମହାତ୍ମା ଗାନ୍ଧି କହୁଥିଲେ ନିଶା ନ କରିବା ପାଇଁ । ପାପ ନ କରି ପୁଣ୍ୟ ଅର୍ଜନ କରିବା ପାଇଁ । ଦିନେ ମୁଁ ଗୋସେଇଁଙ୍କୁ ପଚାରିଥିଲି ପୁଣ୍ୟ କ’ଣ ଆଉ ପାପ କ’ଣ ? ସେ ମୋ ମୁହଁକୁ ଚାହିଁ କହିଲେ ଶାସ୍ତ୍ରରେ ଅଛି–“ପରୋପକାରାୟ ପୁଣ୍ୟାୟ, ପାପାୟ ପରପୀଡ଼ନମ୍' । ପରର ଉପକାର କଲେ, ସମସ୍ତଙ୍କର ମଙ୍ଗଳ ଚିନ୍ତା କଲେ ପୁଣ୍ୟ ଅର୍ଜନ କରାଯାଏ । ଯିଏ ମିଛ କହେ, ଅନ୍ୟର ମନ୍ଦଚିନ୍ତା କରେ ଏବଂ ଅନ୍ୟକୁ ପୀଡ଼ା ଦିଏ ସେ ପାପ କରି ନରକ କୁଣ୍ଡରେ ପଡ଼େ ।

 

ଗାଁ ମାନଙ୍କରେ ଧାନକଳ ବସିବା ଦିନୁ ଚାଉଳ କୁଟି ପେଟ ପୋଷୁଥିବା ଅରକ୍ଷିତା ମାଉସୀମାନେ ଭିକ ମାଗି ଚଳୁଛନ୍ତି, ସପ୍ତାହରେ ତିନିଦିନ ଉପାସ ରହୁଛନ୍ତି । ଗାଁକୁ ସଡକ ପଡ଼ିବା ପରେ ଗାଡ଼ିଘୋଡ଼ା ଚାଲୁଛି । ଏବେ ବାରିପଦା ଆଉ କେହି ପାଦରେ ଚାଲି ଚାଲି ଯାଉନି । ରେଳଗାଡ଼ିରେ, ବସରେ ବା ସାଇକେଲ୍‌ରେ ଯାଆନ୍ତି । ସହର ପାଖକୁ ଆସିଲା ସିନା କିନ୍ତୁ ସହରର ସୁଖ ଉଠାଇବା ପାଇଁ ସମସ୍ତଙ୍କ ଉପାର୍ଜନ ବଢ଼ି ନାହିଁ । ଅନେକଙ୍କ ହାତରେ ଜମିଜମା ନାହିଁ ଚାଷ କରି ଚଳିବା ପାଇଁ । ବରଷର ଛଅ ମାସ ମୂଲଖଟି ଚଳନ୍ତି ଗରିବମାନେ, ଆଉ ଛଅମାସେ ଯାଆନ୍ତି ଦୂର ଜାଗାକୁ ଦାଦନ ଖଟିବା ପାଇଁ । ଏମାନଙ୍କ ପାଇଁ କାମ ନାହିଁ । ଏମାନଙ୍କ ଶିକ୍ଷା ନାହିଁ । କୌଶଳ ଜାଣନ୍ତି ନାହିଁ । ଏମାନଙ୍କୁ ଯଦି ଶିକ୍ଷିତ, ସଚେତନ ଓ କୌଶଳୀ ମଣିଷ କରା ଯାଇପାରନ୍ତା ତେବେ ସେମାନେ ବିଦେଶ ନ ଯାଇ ଗାଁ ଓ ପାଖ ଆଖ ସହରମାନଙ୍କରେ କାମ କରି ସୁଖରେ ରହନ୍ତେ । ସେମାନେ ସମାଜର ସମ୍ପତ୍ତି ବୃଦ୍ଧି କରିବାରେ ସହାୟକ ହୁଅନ୍ତେ । ସବୁ ମଣିଷ ଭିତରେ ଈଶ୍ଵର ବିଦ୍ୟମାନ । ସବୁ ମଣିଷର ସ୍ୱୟମ୍ଭୁ ଶକ୍ତି ଅଛି କିଛି ଗୋଟେ କରିବା ପାଇଁ । ପାଉଁଶ ଭିତରେ ନିଆଁ ଥାଏ । ଉଖାରି ଦେଲେ ନିଆଁ ବାହାରେ । ସେହିପରି ଏଇ ଗରିବ, ନିରକ୍ଷରମାନଙ୍କ ଭିତରେ ଥିବା ବୁଦ୍ଧି ଓ ତେଜକୁ ଯଦି ଟିକେ ଉଖାରି ଦିଆଯାଏ, ସେମାନଙ୍କୁ ଅକ୍ଷର ଶିକ୍ଷା , କିଛି ନା କିଛି ତିଆରି କରିବା ପାଇଁ ଶିକ୍ଷା ଦିଆଯାଏ ତେବେ ସେମାନେ ସମ୍ପତ୍ତି ସୃଷ୍ଟି କରିବେ ଏବଂ ସମାଜର ସମ୍ପଦ ବଢ଼ିବ । ଗରିବୀ ହଟିବ ଏବଂ ଗରିବମାନେ ରୂପାନ୍ତରିତ ହେବେ ସୁଖୀ ସୁସ୍ଥ ମଣିଷରେ ।

 

ଦାରିଦ୍ର୍ୟ ପାପ ନୁହେଁ । ଅକ୍ଷମତା ଅଧର୍ମ ନୁହେଁ । ଏଇ ସମାଜ ଏପରି ଗଢ଼ି ଉଠିଛି ଯେ ଏଥିରେ ସମସ୍ତଙ୍କୁ ସମତଳ ପଡ଼ିଆରେ ଖେଳିବା ପାଇଁ ସୁଯୋଗ ମିଳେନାହିଁ । ପ୍ରତିକୂଳତା ପ୍ରତି ସ୍ତରରେ ଭରି ରହିଛି । ବୁଦ୍ଧି ଥିଲେ ମଧ୍ୟ ବିଦ୍ୟା ନଥିବାରୁ, ଉଚ୍ଚଶିକ୍ଷା କରିବା ସକାଶେ ସୁବିଧା ନଥିବାରୁ ଅନେକ ମଣିଷ ଗରିବ ରହିଛନ୍ତି । ସେମାନଙ୍କୁ ସାକ୍ଷର, ଶିକ୍ଷିତ ଓ କୌଶଳୀ କଲେ ଏବଂ କାମ ମିଳିଲେ ସେମାନଙ୍କ ଶ୍ରମରୁ ସମ୍ପଦ ସୃଷ୍ଟି ହେବ । ସେମାନେ ସେତେବେଳେ ସମାଜ ଉପରେ ବୋଝ ହେବା ପରିବର୍ତ୍ତେ ସମାଜର ସମ୍ପଦ ବୃଦ୍ଧିରେ ସହାୟକ ହେବେ । ଗାଁ ମାନଙ୍କରେ ଛୋଟବଡ଼ କାମ କରି ବଞ୍ଚିବା ପାଇଁ ଯେଉଁସବୁ ସୁଯୋଗ ଥିଲା, ତାହା ଆଉ ନାହିଁ । ଅନେକ ପରିମାଣରେ ଯନ୍ତ୍ର ସେଇ କାମ କରୁଛି । କିନ୍ତୁ ଯନ୍ତ୍ର କ'ଣ ମଣିଷର ବିକଳ୍ପ ହୋଇପାରିବ ? ମଣିଷ ମନର ଦୁଃଖ, ତାର ଅଭାବ ଅସୁବିଧା ଓ ଯନ୍ତ୍ରଣା ବୁଝିବା ପାଇଁ ଯନ୍ତ୍ରର ଶକ୍ତି ନାହିଁ । ମଣିଷର ବୁଦ୍ଧି ଓ ବିବେକ ଅଛି । ବୁଦ୍ଧି ବଳରେ ସେ ପରମାଣୁ ବୋମା ନିର୍ମାଣ କରିପାରୁଛି । କିନ୍ତୁ ଯେତେବେଳେ ସେ ବୁଝିବ ଯେ ଏଇ ବୋମା ଫାଟିଲେ ହଜାର ହଜାର ଲୋକ ମରିବେ, ଅନେକ ଅକ୍ଷମ ଓ ପଙ୍ଗୁ ହୋଇଯବେ ସେତେବେଳେ ତା ବିବେକ କହିବ ନା ସେ କାମ କର ନାହିଁ । ମଣିଷ ଶତ୍ରୁ ନୁହେଁ । ତାକୁ ହତ୍ୟା କରି କେହି ସ୍ୱର୍ଗକୁ ଯାଇପାରିବ ନାହିଁ—କି ସମ୍ରାଟ ହୋଇପାରିବ ନାହିଁ । ମଣିଷ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ । ଅନ୍ୟ ପ୍ରାଣୀମାନଙ୍କର ଜୀବନ ଅଛି । କିନ୍ତୁ ମଣିଷର ବୁଦ୍ଧି ଓ ବିବେକ ଅଛି ଭଲମନ୍ଦ ବାରିବା ପାଇଁ ।

 

ଗାନ୍ଧିଜୀ ଏହି କାରଣରୁ କହୁଥିଲେ ଗ୍ରାମ ସ୍ଵରାଜ୍ୟ ହିଁ ଆଦର୍ଶ । ପ୍ରତିଗ୍ରାମ ହେବ ଗୋଟିଏ ଗୋଟିଏ ସ୍ଵାଧୀନ ଦେଶପରି । ଗ୍ରାମର ମଣିଷମାନଙ୍କ ସବୁ ଆବଶ୍ୟକତା ସେଇଗ୍ରାମରୁ ଉତ୍ପାଦନ କରିବା ପାଇଁ ନିରନ୍ତର ଚେଷ୍ଟା ହେବ । ବାହାରୁ ନାନାଦି ସାମଗ୍ରୀ ଆଣି ବଜାର ସଂସ୍କୃତି ପ୍ରସାର କଲେ କ୍ରମଶଃ ଅଭାବ ଅସନ୍ତୋଷ ବଢ଼େ । ବଜାରରେ ଆବଶ୍ୟକତାଠାରୁ ଅନେକ ବେଶୀ ସାମଗ୍ରୀ । ମହାତ୍ମା ସକ୍ରେଟିସ୍ କହିଥିଲେ ଯେ ଯେତିକି ନ ହେଲେ ନ ଚଳିବ କେବଳ ସେତିକି ତାଙ୍କର ଲୋଡ଼ା । ଗାନ୍ଧିଜୀ ବି ସେୟା କହୁଥିଲେ । ବଜାରର ଝଲମଲ ସୌଖୀନ ସାମଗ୍ରୀ ଦେଖୁ ମନର ଲାଳସା ବଢ଼େ । ଅନ୍ୟମାନଙ୍କ ପରି ସେସବୁ ଆୟତ୍ତ କରିବା ପାଇଁ ମନରେ ବାସନା ଜାଗେ-। ସାଧାରଣ ଲୋକ ଅଳ୍ପରେ ସନ୍ତୁଷ୍ଟ ହୁଏ ।

 

କିନ୍ତୁ ତାକୁ ଶିକ୍ଷା ଦିଆଯାଉଛି ବଜାର ସଂସ୍କୃତି ଉପରେ ନିର୍ଭର କରିବା ପାଇଁ । ତା' ପାଖରେ ଆୟ ଉପାୟ ନାହିଁ ସେସବୁ ସଂଗ୍ରହ କରିବା ପାଇଁ । ତାହା ନ ମିଳିଲେ ତା ଭିତରେ ଅସନ୍ତୋଷ ସୃଷ୍ଟି ହେଉଛି । ଶିଶୁ ମାଉସୀ ସିନା ମନକୁ ନିୟନ୍ତ୍ରଣ କରୁଥିଲେ ଏବଂ ଯେତିକି ମିଳିଲା ସେତିକିରେ ସନ୍ତୁଷ୍ଟ ହୋଇ କୌଣସି ପ୍ରକାର କାଳକାଟୁଥିଲେ, କିନ୍ତୁ ଏ ଯୁଗର ମଣିଷ ବଦଳି ଯାଉଛି । ଶିଶୁ ମାଉସୀ, ଧନୁ ଓ ଶୁକରାମାନଙ୍କୁ ପଛରେ ଛାଡ଼ି ଆଜିର ମଣିଷ ଅନେକ ଆଗେଇ ଆସିଛି । ତା’ର ଚାହିଦା ବଢ଼ିଛି, ଲୋଭ ଓ ଭୋକ ମଧ୍ୟ ବଢ଼ିଛି ଏବଂ ଆଶା ଆକାଙକ୍ଷା ମଧ୍ୟ ବଢ଼ିଛି-। ଚାହିଦାଗୁଡ଼ାକ ପୂର୍ଣ୍ଣ ହେଉନି ବୋଲି ସେ ଚୋରି କରୁଛି । ମିଛ କହୁଛି । ପାପ କରୁଛି-। ତେଣୁ ମନକୁ ନିୟନ୍ତ୍ରଣ କର, ଚାହିଦାଗୁଡ଼ାକ କମ୍ କରିବାକୁ ଶିଖ । ମୋବାଇଲ ଫୋନ ଯଦି ଦରକାର ତେବେ ସଂଗ୍ରହ କର । ଟିଭି ଯଦି ତୁମକୁ ଶିକ୍ଷା ଦବ ତେବେ କ୍ରୟ କର । କିନ୍ତୁ କୌଣସି ଦରକାର ନଥିଲେ ତାହା କେବଳ କୋଠରୀର ଶୋଭାବର୍ଦ୍ଧନ ପାଇଁ ରଖ ନାହିଁ । ଭଲ କାମ କଲେ, ଭଲ ବାଟରେ ଚାଲିଲେ ଏବଂ ଭଲ କଥା ଭାବିଲେ ଉପରୁ ଶକ୍ତି ଆସିବ । ପରମେଶ୍ଵର ସବା ଉପରେ ଅଛନ୍ତି । ଆମେ କ’ଣ କରୁଛେ ସବୁ ଦେଖୁଛନ୍ତି । କ’ଣ ଭାବୁଛେ ଜାଣୁଛନ୍ତି । ତେଣୁ ତାଙ୍କୁ ଚିନ୍ତା କର । ଦୁର୍ବଳତା ଦୂର କରିବା ପାଇଁ ତାଙ୍କ ସହାୟତା ନିଅ । ସେ କାହାକୁ ନିରାଶ କରନ୍ତି ନାହିଁ-

 

କିନ୍ତୁ ତୁମର ଆଶା ଓ କାମନା ବାସନା ସତ୍ ଓ ଶୁଦ୍ଧ ହେବା ଦରକାର । ମନ ଉପରେ ଆହୁରି ଗୋଟିଏ ସୋପାନ ଅଛ–ଚୈତ୍ୟ ସତ୍ତା । ସବା ଉପରେ ଅତିମାନସ । ସେଇ ଶକ୍ତି ଦିବ୍ୟବାର୍ତ୍ତା ନେଇ ଅବତରଣ କରିଛି ଧରିତ୍ରୀ ଉପରେ । ଜଡ଼ ଓ ଜୀବନ ସବୁ ପରିବର୍ତ୍ତନଶୀଳ । ବିବର୍ତ୍ତନ ପ୍ରକ୍ରିୟାରେ ଯଦି ମଣିଷର ଏତେ ବୈପ୍ଳବାତ୍ମକ ପରିବର୍ତ୍ତନ ହୋଇଛି ତେବେ ସେ ଆଉ ବଦଳିବ ନାହିଁ ବୋଲି କିପରି କହିବ ? ସେ ଆହୁରି ଉପରକୁ ଉଠିବ । ରାଜା ବିଶ୍ଵାମିତ୍ର ସାଧନା କରି ଋଷି ବିଶ୍ଵାମିତ୍ର ଏବଂ ଶେଷରେ ଦେବର୍ଷି ବିଶ୍ଵାମିତ୍ରରେ ପରଣିତ ହେଲେ । ସେହିପରି ସାଧନା ବଳରେ ସୋପାନ ପରେ ସୋପାନ ଉପରକୁ ଉଠିପାରିବ । କିନ୍ତୁ ସେଥିପାଇଁ ଲୋଡ଼ା ଆସ୍ପୃହା, ସାଧନା ଓ ସମର୍ପଣ । ଭଗବାନ ସଦାବେଳେ ଆମ ପାଖେପାଖେ ଅଛନ୍ତି । ପାଦଖସିବା ମୁହୂର୍ତ୍ତ ଆସିଲେ ଯଦି ଆମେ ପ୍ରାର୍ଥନା କରୁ ସେ ହାତଧରି ବାଟ କଢ଼ାଇ ନେଇଯିବେ ଆଗକୁ । ଦାନବ ପଛରେ ନ ଯାଇ ଦେବତା ପଛେ ପଛେ ଚାଲ । ଦିବ୍ୟ ଜୀବନର ଅଧିକାରୀ ହେବ। ମଣିଷ.....କାଲି ହେଉ ବା ହଜାରେ ବର୍ଷ ବରେ ହେଉ.....ତାହା ନିର୍ଭର କରେ ଆସ୍ପୃହା, ସାଧନା ଓ ସମର୍ପଣ ଉପରେ..... । ଆଜି ଏତିକି ।

☆☆☆

 

ନବବର୍ଷ–ସାଧାରଣ ଲୋକଙ୍କ ଭାଗ୍ୟ

 

ସହରମାନଙ୍କ ପ୍ରଧାନ ବ୍ୟବସାୟ କେନ୍ଦ୍ର ସାଂସ୍କୃତିକ ଓ ସାମାଜିକ କେନ୍ଦ୍ରମାନଙ୍କରେ ନବବର୍ଷର ଉତ୍ସାହ ଉଦ୍ଦୀପନା ବାନ୍ଧି ହୋଇ ରହିଥିବା ପରି ମୋତେ ଲାଗୁଛି । ଏଥର ନବବର୍ଷ ଉତ୍ସବ ସମୟରେ ମୁଁ ଭୁବନେଶ୍ୱରଠାରୁ ଅଢ଼େଇହାଜାର ମାଇଲ ଦୂରରେ ତ୍ରିଭେନ୍ଦ୍ରମଠାରେ ଅଛି । କିନ୍ତୁ ଜନଜୀବନର ଉଲ୍ଲାସ ଓ ଆନନ୍ଦରେ କିଛି ପରିବର୍ତ୍ତନ ଦେଖୁନାହିଁ । ବରଂ ମୋତେ ଲାଗୁଛି ଯେ ନବବର୍ଷର ଉତ୍ସାହ, ଉଦ୍ଦୀପନା କେବଳ ଦେଖିବାକୁ ମିଳେ ସମ୍ଭ୍ରାନ୍ତ କ୍ଳବ୍ ଓ ପାର୍କମାନଙ୍କରେ ଏବଂ ହୋଟେଲ ଓ ଅନ୍ୟାନ୍ୟ ସାମାଜିକ ମିଳନ କେନ୍ଦ୍ରମାନଙ୍କରେ । ସ୍ୱଚ୍ଛଳ ବର୍ଗର ଉଚ୍ଚଶିକ୍ଷିତମାନେ ମଉଜ ମଜଲିସ କରିବା ପାଇଁ ଏସବୁ ସ୍ଥାନରେ ଭିଡ଼ ଜମାନ୍ତି ନାଚ, ଗୀତ ସହିତ ଆନନ୍ଦ ଉଲ୍ଲାସ କରିବା ପାଇଁ । କିନ୍ତୁ ଯଦି ହିସାବ କରାଯାଏ ତେବେ ଦଶଲକ୍ଷ ଲୋକ ବାସ କରୁଥିବା ତ୍ରିଭେନ୍ଦମ ସହରର ଲକ୍ଷେ ଲୋକରୁ ବେଶୀ ହେବେନି ଯେଉଁମାନେ ନବବର୍ଷ ପାଳନ କରୁଛନ୍ତି । ଊଣା ଅଧିକେ ଏଇଅବସ୍ଥା ପ୍ରତି ସହରରେ । ଗ୍ରାମାଞ୍ଚଳରେ ନବବର୍ଷ ଏବେବି ଅଜ୍ଞାତ । ଗାଁ ଲୋକଙ୍କ ତେଲଲୁଣର ଲଢ଼େଇ ଭିତରେ ନବବର୍ଷ ପାଳନ କରିବା ପାଇଁ ସମୟ ନାହିଁ ବା ସୁବିଧା ନାହିଁ । ଖବର କାଗଜମାନଙ୍କରୁ ଜାଣୁଛି ଯେ ଓଡ଼ିଶାର ୪୭ ଭାଗ ଲୋକ ଅତ୍ୟନ୍ତ ଗରିବ ଯେଉଁମାନଙ୍କୁ ଦୁଇବେଳା ଖାଇବା ପାଇଁ ମିଳେ ନାହିଁ, ଦେହ ଆବୃତ କରିବା ପାଇଁ ଯଥେଷ୍ଟ ଲୁଗା ନାହିଁ, ରୋଗର ଚିକିତ୍ସା ପାଇଁ ପଇସା ନାହିଁ ଏବଂ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ପିଲା ପଠାଇବା ସମ୍ଭବ ହୁଏ ନାହିଁ । ଏମାନେ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି । ପାଞ୍ଚଦିନ ଯଦି ଖାଇଲେ ଦୁଇଦିନ ଉପାସରେ ଶୋଇଲେ ।

 

ଏଇ ନଥିବା ମଣିଷମାନଙ୍କ ସଂଖ୍ୟା ଓଡ଼ିଶାର ଦେଢ଼କୋଟିରୁ ଅଧିକ । ପୁଷ୍ଟିକର ଖାଦ୍ୟ କ’ଣ ଏମାନେ ଜାଣନ୍ତି ନାହିଁ । ବାହାଘର ଭୋଜିବେଳେ ଭଲଚିଜ ତୁଣ୍ଡରେ ଲାଗେ । ନବବର୍ଷ ପାଳନ କରୁଥିବା ସ୍ୱଚ୍ଛଳ ବର୍ଗର ଲୋକମାନେ ଘରେ ମଉଜମଜଲିସ୍ କରନ୍ତି ବା ବଡ଼ ବଡ଼ ହୋଟେଲ ବା କ୍ଲବକୁ ଯାଆନ୍ତି ଉତ୍ସବ ପାଳିବା ପାଇଁ । ମୁଣ୍ଡ ପିଛା କମରେ ପାଞ୍ଚଶହ ଟଙ୍କା ଖର୍ଚ୍ଚ ହୁଏ । ସ୍ୱାମୀ ସ୍ତ୍ରୀ ଓ ଦୁଇ ପୁଅଝିଅଙ୍କ ପାଇଁ ଦୁଇହଜାର ଟଙ୍କା ଖର୍ଚ୍ଚ ହୋଇଯାଏ । ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି ଯୋଜନା ଅନୁସାରେ ଜଣେ ଶ୍ରମିକକୁ ବର୍ଷକୁ ଶହେଦିନ କାମ ଦବା ପାଇଁ ବ୍ୟବସ୍ଥା ରହିଛି । ଦିନକୁ ପଚାଶ ଟଙ୍କା ମଜୁରି ହେଲେ ବର୍ଷକୁ ଛଅ ହଜାର ମିଳିବ ଏବଂ ମାସକୁ ପାଞ୍ଚଶହ ଟଙ୍କା । ଦିନକୁ ପଡ଼ିବ ଷୋହଳ ଟଙ୍କାରୁ କିଛି ଅଧିକ । ପାଠକମାନେ ବିଚାର କରନ୍ତୁ ଦିନକୁ ଅଠର ବା କୋଡ଼ିଏ ଟଙ୍କା ଖର୍ଚ୍ଚ କରିବା ସାମର୍ଥ୍ୟ ଥିବା ଶ୍ରମିକ କ’ଣ ଭାତ ମାଉଁସ ଝୋଳ ଖାଇ ପାରିବ ଏଇ ସାମାନ୍ୟ ଅର୍ଥରେ ? ମାସକୁ ପାଞ୍ଚଶହ ଟଙ୍କା ହେଲେ କୌଣସି ପ୍ରକାରେ ଦୁଇବେଳା ତୋରାଣି ମିଶା ପଖାଳ ଓ ଲୁଣ ଲଙ୍କା ପାଇଁମଧ୍ୟ ଯଥେଷ୍ଟ ହେବ ନାହିଁ । ଆମ ଓଡ଼ିଶାର ପ୍ରାୟ କୋଟିଏ ଅଶୀ ହଜାର ଲୋକଙ୍କ ପାଖରେ ଉପାର୍ଜନ ନାହିଁ ଖାଇପିଇ ବଞ୍ଚିବାପାଇଁ । ସୁତରାଂ ସେମାନଙ୍କ ପାଖରେ ନବବର୍ଷର କୌଣସି ଅର୍ଥ ନାହିଁ । ବରଂ ସେମାନେ ଭୋକରେ, ଶୀତ କାକରରେ କୁଡ଼ିଆ ଭିତରେ ଶୋଇଥିବାବେଳେ ଆଉ କିଛି ମୁଷ୍ଟିମେୟ ଲୋକ ପଲାଉ, ମାଂସ, ମାଛ ଓ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ଓ ପାନୀୟ ବ୍ୟବହାର କରି ମଉଜ୍ କରନ୍ତି । ବିବେକବାନ ଲୋକ ଖାଉଥିବାବେଳେ ଭୋକରେ ବା ଶୋଷରେ ଘାଣ୍ଟି ହେଉଥିବା ଗରିବ ଜଣକୁ ଦେଖିଲେ କ’ଣ ଖାଇପାରିବ ? ସେ ଯଦି ଭଲମଣିଷ ହୋଇଥାଏ ତେବେ ତା’ ତୁଣ୍ଡକୁ ଆହାର ଯିବ ନାହିଁ ।

 

ଓଡ଼ିଶା ୮୦ ଭାଗଲୋକ ଗ୍ରାମମାନଙ୍କରେ ବାସ କରନ୍ତି । ଅନେକ ଗ୍ରାମରେ ସବୁଦିନିଆ ରାସ୍ତା ନାହିଁ, ବିଦ୍ୟାଳୟ ନାହିଁ, ବିଦ୍ୟୁତ ନାହିଁ । ସମସ୍ତଲୋକଙ୍କ ପାଇଁ ବର୍ଷସାରା କାମନାହିଁ । ଏମାନଙ୍କ ଉପାର୍ଜନ ନଥିବାରୁ କଷଣ ସହି ପଡ଼ି ରହନ୍ତି । ଭାଗବତରେ ଅଛି: ‘ଅରଣ୍ୟେ ଅଜଗର ପ୍ରାୟେ, କର୍ମକଷଣ ଦେହ ସହେ ।’ ଏମାନେ ଅରଣ୍ୟର ଅଜଗର ପରୀ ଦୁଃଖ କଷ୍ଟ ସହିପଡ଼ି ରହନ୍ତି କାରଣ ସେମାନଙ୍କ ହାତରେ ରୋଜଗାର ନାହିଁ ଖାଇବା ପାଇଁ, ପିନ୍ଧିବାପାଇଁ, ରୋଗର ଚିକିତ୍ସା ବା ପିଲାଙ୍କୁ ଶିକ୍ଷା ଦବା ପାଇଁ । ନୂଆବର୍ଷଏମାନଙ୍କପାଇଁ ପ୍ରହେଳିକା-ଗୋଟିଏ ଦୁଃସ୍ୱପ୍ନ । ସବୁଦିନ ସମାନ । ନବବର୍ଷର ତାତ୍ପର୍ଯ୍ୟ ଜାଣିପାରନ୍ତି ନାହିଁ ଏମାନେ । ନବବର୍ଷ କାର୍ଡ ପଠାନ୍ତି ଲୋକମାନେ ବନ୍ଧୁମାନଙ୍କୁ । ନୂଆ ଡାଏରୀ ଉପହାର ଦିଅନ୍ତି ଉଚ୍ଚ ପଦାଧିକାରୀମାନଙ୍କୁ । ବଣଭୋଜି କରିବା ପାଇଁ ଯାଆନ୍ତି ନଦୀ ବା ହ୍ରଦ କୁଳକୁ । ସହର ଉଜ୍ଜ୍ୱଳ ଦିଶେ ରାତିରେ । ରାସ୍ତା ଉପରେ ଖୁସିରେ ଗୀତଗାଇ ବୁଲୁଥିବା ଦଳ ଦଳ ଯୁବକ ଯୁବତୀ । କିନ୍ତୁ ମାଳି ସାହିର କେତେଜଣ ଜାଣନ୍ତି ନବବର୍ଷ ବିଷୟରେ ? ଶାଲିଆ ସାହି ବା ଗଉଡ଼ସାହିର କେତେକଙ୍କ ହାତରେ ପଇସା ଥାଏ ମସ୍ତି କରିବା ପାଇଁ ? ତ୍ରିଭେନ୍ଦ୍ରମରେ ମଧ୍ୟ ସେଇଏକ ଦୃଶ୍ୟ । ଗରିବମାନେ ଅଲଗା ରହି ଯାଆନ୍ତି ମଉଜ ମଜଲିସ୍‌ରୁ ।

 

ଭାରତ ଦିନେ ସମୃଦ୍ଧଶାଳୀ ଦେଶଥିଲା । ମୋଗଲମାନେ ଆସିବା ପର୍ଯ୍ୟନ୍ତ ପୃଥିବୀର ସବୁଠାରୁ ଧନୀଦେଶ ଥିଲା ଭାରତ । କିନ୍ତୁ ଶହ ଶହ ବର୍ଷ ପରାଧୀନ ରହିବା ପରେ ଭାରତ ଦୁର୍ବଳ ଓ ଦରିଦ୍ର ହୋଇଗଲା । ଛଅଫୁଟିଆ ଲୋକମାନଙ୍କ ଉଚ୍ଚତା ପାଞ୍ଚଫୁଟ ହେଲା । ଦୁର୍ଭିକ୍ଷ ଓ ପ୍ରାକୃତିକ ବିପର୍ଯ୍ୟୟର ଦାଉ ସହି ସହି କୂର୍ମ ପାଲଟିଗଲେ ଓଡ଼ିଶାବାସୀ । ସ୍ୱାଧୀନତା ପରେ ନୂଆ ଓଡ଼ିଶା ରୂପ ଦେଖିବେ ସ୍ଵଚକ୍ଷୁରେ ଏଇ ଆଶା କରି ବଞ୍ଚୁଥିଲେ ବୁଢ଼ାବୁଢ଼ୀମାନେ । କିନ୍ତୁ ସେମାନେ କ’ଣ ଜାଣିଥିଲେ ଯେ ବାହାରୁ ଆସୁଥିବା ବର୍ଗୀମାନଙ୍କ ପରି ଆମ ଦେଶର ଶାସକମାନେ ବି ଶୋଷଣ କରିବେ ଲୋକଙ୍କୁ ? ଘର ଭିତରକୁ ପଶି ଲୁଟି ନେବେ ପିତ୍ତଳ ବାସନ, ଗାଈଗୋରୁ ? କିନ୍ତୁ ତାହା ହିଁ ହେଲା । ଲାଞ୍ଚ ନଦେଲେ କାମ ହେବନାହିଁ ଜାଣିବା ପରେ ସେମାନେ ଗାଈଗୋରୁ ଛେଳି ବା ବାସନକୁସନ ବିକ୍ରି କରି ଲାଞ୍ଚ ଦେଲେ ଅମଲା ଅଫିସରମାନଙ୍କୁ । ତଥାପି ଶାସନ ଶୋଇଛି । ସାଧାରଣ ଲୋକର କାମ ହେଉନାହିଁ । ବାର୍ଦ୍ଧକ୍ୟ ଭତ୍ତା ଠିକ୍ ସମୟରେ ମିଳୁନାହିଁ । ସରକାର ଦେଇଥିବାବିହନ ସେମାନଙ୍କ ପାଖରେ ପହଞ୍ଚୁ ନାହିଁ । ଡାକ୍ତରଖାନା ଗଲେ ଔଷଧ ମିଳୁନି ।

 

ଏଇ ହେଉଛି ହତଭାଗାମାନଙ୍କ ଦୁର୍ଦ୍ଦଶା । ସେମାନେ କେବଳ ଶୁଣୁଛନ୍ତି ନବବର୍ଷ ଆସିଲା ଏବଂ ଚାଲିଗଲା । ଦିନ ଦୁଇତିନି ମଧ୍ୟରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଗଲା । କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଂସ, ମାଛ, ମିଠା, ପରିବା, ଫଳ, ଫୁଲ, ବାଣରୋଷଣି ସବୁ ଶେଷ ହୋଇଗଲା । ଯେଉଁମାନେ ମଉଜ କଲେ ସେମାନେ ଥରେ ହେଲେ ଭାବିଲେନାଇଁ ଯେ ଅନ୍ଧାର କୁଡ଼ିଆ ଭିତରେ ସାଲୁବାଲୁ ହେଉଥିବା ମେହେନତି ମଣିଷମାନେ କ’ଣ ଖାଉଛନ୍ତି । କିପରି ଚଳୁଛନ୍ତି ? ପ୍ରବଳ ଶୀତରେ ଦେହ ଘୋଡ଼ାଇବା ପାଇଁ ସେମାନଙ୍କ ପାଖରେ ଲୁଗା ଅଛି ନା ନାହିଁ ? ନା, ଏଥିପାଇଁ ସମୟ ନାହିଁ କାହାରି । କାରଣ ସେମାନେ କେବଳ ନିଜ ସୁଖ ଦୁଃଖ କଥା ବୁଝନ୍ତି । ସେମାନେ ଭାବନ୍ତି ଯେ ଏ ଦେଶରେ ଯେତେ ସମ୍ପତ୍ତ ଅଛି ସେସବୁ ସେମାନଙ୍କର, ଗରିବ ମାନଙ୍କ ଅଧିକାର ନାହିଁ ସେଥିରେ । ଗରିବମାନେ କେବଳ କଷଣ ସହି, ଉପାସରେ ରହି ପରିଶ୍ରମ କରି ଜମିରୁ ଖାଦ୍ୟଶସ୍ୟ ଉତ୍ପନ୍ନ କରିବେ, କଳକାରଖାନାରେ କାମକରିବେ । ଇଟା ଓ ପଥର ଯୋଡ଼ି କୋଠାନିର୍ମାଣ କରିବେ ।

 

ନବବର୍ଷ ଦିନ ଉତ୍ସବ ପାଳିବା ସମୟରେ ଯଦି କୁଷ୍ଠରୋଗୀ ଓ ଅନ୍ଧଛାତ୍ରମାନଙ୍କୁସେଇ ଆନନ୍ଦଉଲ୍ଲାସରେ ସାମିଲ କରାଯାଇଥାନ୍ତା ତେବେ ପୃଥିବୀର ମୁହଁ ଉଜ୍ଜ୍ୱଳ ଦିଶୁଥାନ୍ତା । ସୂର୍ଯ୍ୟଙ୍କତେଜ ଆହୁରିସ୍ୱଚ୍ଛ ହୋଇଥାନ୍ତା । କିନ୍ତୁ ସେସବୁ ମଳିନ ଦିଶୁଛି । ଶହେକୋଟି ଲୋକଙ୍କ ମଧ୍ୟରୁ କେବଳ ଦଶକୋଟି ନୂଆବର୍ଷ ପାଳନକରୁଥିବାବେଳେ ଆଉ ନବେ କୋଟି ଦିନ ଗଣୁଛନ୍ତି ଆସନ୍ତା କାଲି କିପରି ହେବ ! ଏମାନଙ୍କ କଥା କହିବାବେଳେ ମୋର ମନେ ପଡ଼ିଯାଉଛି ଭୀମଭୋଇଙ୍କ ସେଇ ଅମର କବିତାର ଦୁଇଧାଡ଼ି—

 

‘‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ।

ଦେଖୁଦେଖୁ କେବା ସହୁ,

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ ।’’

 

ଏତେ ବଡ଼କଥା କେବଳ କବିପରି ସ୍ୱପ୍ନ ଦେଖୁଥିବା ସ୍ରଷ୍ଟା କହିପାରେ ! ଏପରି ଉଚ୍ଚାରଣ କେବଳ ମହାବିପ୍ଳବୀ, ମହାଯୋଗୀଙ୍କ କଣ୍ଠରୁ ଝରିପାରେ । ସେ କହୁଛନ୍ତି—ମୋ କଥା ଚୁଲିକି ଯାଉ....ମୁଁ ନର୍କ ଯନ୍ତ୍ରଣାଭୋଗ କରେ... କିନ୍ତୁ ୟା ବଦଳରେ ମୁଁ ଚାହେଁ ଜଗତର ଉଦ୍ଧାର....ନର୍କରେ ପଡ଼ିଥିବା କୋଟି କୋଟି ଲୋକଙ୍କ ଉଦ୍ଧାର । କବିଙ୍କ ଏଇ ଉଚ୍ଚାରଣ ଓ ଆଚରଣରେ ଫରକ ନାହିଁ.... ବରଂ ଅଛି ପରିପୂରକ ହେବାର ଉନ୍ମୁଖତା ।

 

ମୁଁ ମୟୂରଭଞ୍ଜରୁ ଆସିଛି । ମୋ ଗାଁର ଚାରିଶହ ଲୋକଙ୍କ ମଧ୍ୟରୁ ଶହେ ଜଣ ଆଦିବାସୀ, ଦେଢଶହ ଚାଷୀ, ଦେଢଶହ ବ୍ରାହ୍ମଣ । ଏମାନଙ୍କ ମଧ୍ୟରେ ସତୁରି ପ୍ରତି ଶତ ସାକ୍ଷର । ଅନେକ ପରିବାରରୁ କମ୍ ପକ୍ଷେ ଜଣେ ଚାକିରିଆ । କିନ୍ତୁ ଏହା ସତ୍ତ୍ୱେ ସବାତଳେ ଥିବାଲୋକ ବଞ୍ଚିବାପାଇଁ ସଂଗ୍ରାମରେ ବ୍ୟସ୍ତ ସବୁବେଳେ । ସେମାନଙ୍କ ବର୍ଷକେବେ ଆରମ୍ଭ ହୁଏ କେବେ ଶେଷ ହୁଏ ସେ ହିସାବ ରଖିପାରନ୍ତିନି ସେମାନେ । କେବଳ ଦିନଟି କିପରି ସୁରୁଖୁରୁରେ କଟିଯିବ ସେଇ ଅନୁରୋଧ ଇଷ୍ଟଙ୍କୁ ଜଣାଇ ସକାଳୁପାଦ ବଢ଼ାନ୍ତି ବାହାରକୁ । ସେମାନଙ୍କର ଦୁଃଖ ଓ ଯନ୍ତ୍ରଣାର ଦିନଗୁଡ଼ାକ କିନ୍ତୁ ଅନେକ ଲମ୍ବା....ଲଢ଼ୁଲଢ଼ୁ କେତେବେଳେ ସନ୍ଧ୍ୟା ହୁଏ ତାହା ଜାଣିବା ଆଗରୁ ମନେପଡ଼ିଯାଏ ଗରିବ ଭାଇମାନଙ୍କର ଯେ ଶୀଘ୍ର ଶୋଇପଡ଼ିବା ଭଲ, କାରଣ ଆଲୁଅ ଜାଳିବା ପାଇଁ ତେଲ ନାହିଁ ଘରେ । ଯେଉଁଦିନ ଦୁଇଓଳି ପୂରାଭୋଜନ ମିଳେ, ପିଲାମାନଙ୍କ ଦିନ ହସ ଖୁସିରେ କଟିଯାଏ । ସେଇ ଦିନ ସେମାନଙ୍କ ଜୀବନରେ ଅଭୁଲା ସ୍ମୃତି ହୋଇ ରହିଯାଏ । ମୁଁ ସାନ ଥିଲାବେଳେ ଯେଉଁମାନେ ମୁଢ଼ି ଭାଜି, ଚୁଡ଼ାକୁଟି ବା ଧାନ କୁଟି ପରିବାର ଚଳାଉଥିଲେ ସେଇ ଅନାଥ ବିଧବା ବା ସାହା ଭରସା ନଥିବା ସ୍ତ୍ରୀ ଲୋକମାନଙ୍କ ହାତରେ ଆଜି କାମ ନାହିଁ, କାରଣ ଗାଁରେ କଳ ବସିଛି ଧାନରୁ ଚାଉଳ କାଜିବା ପାଇଁ, ଚୁଡ଼ା ତିଆରି କରିବା ପାଇଁ । ବିଲରୁ ମାଛ ଧରି ମଜା କରୁଥିବା ପିଲାଙ୍କ ପାଇଁ ଆଜିକାଲି ଆଉ ବିଲରେ ମାଛ ନାହାନ୍ତି....ଜମିରେ ସାର ଉପଯୋଗ ହେଉଥିବାରୁ ମାଛ ବଂଶ ଲୋପପାଇ ଗଲେଣି । ଲୋକମାନେ କିଲେ ମାଛ କିଣିବା ପାଇଁ ଷାଠିଏ ଟଙ୍କା ଖର୍ଚ୍ଚ କରିବାକୁ ହେବ । ବାଡ଼ି ବଗିଚାରେ ଆଉ ପରିବା ଚାଷ ହେଉନାହିଁ । ପଇସାବାଲା ହାଟ ବଜାରରୁ କିଣି ଆଣନ୍ତି । ଯାହାର ପଇସା ନାହିଁ କିଣିବାପାଇଁ ତା ହାତରେ ଜମି ଖଣ୍ଡେବି ନାହିଁ ଚାଷ କରିବା ପାଇଁ । ନାମକୁ ମାତ୍ର ଚାଷୀମାନଙ୍କ ଦୁଃଖ କହିଲେ ନ ସରେ । ବର୍ଷାଭଲ ହେଲେ ଫସଲ ଭଲ, ବର୍ଷା ନହେଲେ ମରୁଡ଼ି । କିନ୍ତୁ ସରକାରୀ ଚାକିରିଆଙ୍କ ଧୋଇ ନାହିଁ କି ମରୁଡ଼ି ନାହିଁ-। ସେମାନଙ୍କର ସବୁଦିନ ନବବର୍ଷ...ଦରମା କମିଶନ ସେମାନଙ୍କ ରକ୍ଷା କବଚ। ଟ୍ରେଡ ୟୁନିୟନ୍‍ ସେମାନଙ୍କ ଢାଲ, ଲଢ଼ିବାବେଳେ । କିନ୍ତୁ ସାଧାରଣ ଲୋକଙ୍କୁ ନ୍ୟାୟ ଦବାପାଇଁ କେହି ଲଢ଼ନ୍ତି ନାହିଁ । ସେମାନଙ୍କ ଦୁଃଖ ଅକୁହା ରହିଯାଏ ।

 

ନବବର୍ଷ ତଥାପି ଆସିବ । ଆସିବା ଅବଧାରିତ । ସମୟର ରଥଚକ ଗଡ଼ୁଛି । ସମୟ ଅତିକ୍ରାନ୍ତ ହେଉଛି । କିନ୍ତୁ ମୁଁ ତ ଅନନ୍ତ କାଳ ଅପେକ୍ଷା କରି ପାରିବି ନାହିଁ ଜଗତ ଉଦ୍ଧାର ହେଉଛି କି ନାହିଁ ଦେଖିବା ପାଇଁ । ମୋ ପରମାୟୁ ସୀମିତ । ତେଣୁ ମୁଁ ଚାହେଁ ମୋ’ ଦେଶ ଶସ୍ୟ ଶ୍ୟାମଳା ହେଉ । ସମସ୍ତେ ସୁଖରେ ରହନ୍ତୁ । ନବବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତଙ୍କ ହାତରେ ରହୁ କିଛି ଫୁରସତ....କିଛି ସମ୍ବଳ...ଲଢ଼ିବା ଓ ଗୀତ ଗାଇବା ପାଇଁ ଶକ୍ତି....ଆଜି ଏତିକି.. । ସମସ୍ତେ ସୁଖୀ ହୁଅନ୍ତୁ , ଆୟୁଷ୍ମାନ ହୁଅନ୍ତୁ....ଜୀବନ ନିରାମୟ ଓ ଅମୃତମୟ ହେଉ ।

☆☆☆

 

ଭାରତୀୟ ସାଂସ୍କୃତିକ ପରମ୍ପରା

 

ସାମ୍ପ୍ରତିକ ଭାରତବର୍ଷରେ ଉଭୟ ପୁରୁଷ ଓ ମହିଳା ନେତୃତ୍ୱର ପ୍ରଭାବ ରହିଛି । ନେତୃତ୍ଵ ଦେବାର ଗୁଣ ଅଧିକାଂଶଙ୍କର ନାହିଁ । ସମସ୍ୟା ସମାଧାନ କରିବା ଦିଗରେ ନୂଆବାଟ ଫିଟାଇବା ବା ଅକାମୀ ହୋଇଯାଉଥିବା ପୁରୁଣା ପ୍ରଥା ବଦଳରେ ନୂଆ କିଛି କରିବା ଦିଗରେ ଯେଉଁମାନେ କାର୍ଯ୍ୟ କରିପାରନ୍ତି ସେଇମାନେ ହିଁ ନେତା । ଏଇ ଦୃଷ୍ଟିରୁ ବିଚାର କଲେ ଉଭୟ ପୁରୁଷ ଓ ମହିଳା ନେତାମାନଙ୍କର ନାମ ହାତ ଆଙ୍ଗୁଳିରେ ଟଣା ଯାଇପାରିବ । ଅର୍ଥନୈତିକ କ୍ଷେତ୍ରରେ ସଙ୍କଟ ସୃଷ୍ଟି ହୋଇଛି । ଏହାର ପ୍ରଧାନ କାରଣ ହେଉଛି ଭୋଗବାଦୀ ଜୀବନଚର୍ଯ୍ୟା । ଆୟଠାରୁ ବ୍ୟୟ ବେଶୀ କରିବା ପାଇଁ ସମସ୍ତେ ତତ୍ପର । ସେଇ କାରଣରୁ ଦୁର୍ନୀତି ବଢ଼ୁଛି । ଅନ୍ୟାନ୍ୟ ସାମାଜିକ ଅପରାଧ ମଧ୍ୟ ବଢ଼ୁଛି । ମୁଁ ଏଠାରେ ମୈତ୍ରେୟୀଙ୍କର କଥା କହିବି । ତପସ୍ୟା କରିବାକୁ ଯିବା ପୂର୍ବରୁ ଯାଜ୍ଞ୍ୟବଳକ୍ୟ ମୈତ୍ରେୟୀଙ୍କୁ ପଚାରିଲେ ‘ତୁମରଯାହା ଇଚ୍ଛା ମାଗିନିଅ । ଭୂମି, ଅଳଙ୍କାର, ଗୋରୁ, ଧନରତ୍ନ ଯାହାମାଗିବ ଦେବି । କିନ୍ତୁ ମୈତ୍ରେୟୀ କହିଲେ, ‘ଏସବୁ ନେଇ ମୁଁ କଣ କରିବି ? ମୁଁ ଯାହା ମାଗିବି ତାହା କହୁଛି ଶୁଣନ୍ତୁ ।’ ଏହା ପରେ ସେ କହିଲେ—

 

ଅସତୋ ମାଂ ସଦ୍‍ଗମୟ, ତମସୋ ମାଂ ଜ୍ୟୋତିର୍ଗମୟ ।

ମୃତ୍ୟୋର୍ମାଂ ଅମୃତଂଗମୟ ।

 

ଏହାର ଅର୍ଥ ହେଉଛି ମୋତେ ଅସତ୍ ମାର୍ଗରୁ ସଦ୍‍ମାର୍ଗକୁ ନିଅ, ଅନ୍ଧକାରରୁ ଆଲୋକକୁ ନିଅ । ଏବଂ ମୃତ୍ୟୁରୁ ଅମୃତକୁ ନିଅ । ଯାଜ୍ଞବଳକ୍ୟଙ୍କର ପ୍ରଥମ ପତ୍ନୀ ଧନ-ରତ୍ନ ନେଇ ସନ୍ତୁଷ୍ଟ ହେଲେ । ମୈତ୍ରେୟୀ ଧନ-ରତ୍ନ ନ ମାଗି ସତ୍ୟ, ଆଲୋକ ଏବଂ ଅମୃତ ମାର୍ଗରେ ଯିବା ପାଇଁ ଚାହିଁଲେ । ମୈତ୍ରେୟୀଙ୍କର ଆଦର୍ଶ ହେଉଛି ଭାରତ ବର୍ଷର ଆଦର୍ଶ । ଏହି ଆଦର୍ଶ ଅନୁସରଣ କରି ଭାରତୀୟ ମହିଳାମାନେ ସମାଜକୁ ନେତୃତ୍ଵ ଦେଇଥିଲେ । କିନ୍ତୁ ଧୀରେ ଧୀରେ ଏଇ ଧାରା ବଦଳିଗଲା । ସତ୍ୟ, ଆଲୋକ ଓ ଅମୃତ ସ୍ଥାନରେ ମହିଳାମାନେ ଚାହିଁଲେ ଧନ-ରତ୍ନ, ଆଭରଣ ଓ ଅଳଙ୍କାର । ବର୍ତ୍ତମାନ ଭୋଗବାଦୀ ସମାଜରେ ଆଉ ତ୍ୟାଗର ମହିମା ନାହିଁ । ସତ୍ୟ ଓ ଅମୃତର ମାର୍ଗ କେହି ଅନୁସରଣ କରୁନାହାନ୍ତି ।

 

ଶାସ୍ତ୍ର ଓ ପୁରାଣରେ ସମାଜକୁ ନେତୃତ୍ଵ ଦେଇଥିବା ଅନେକ ମହିୟସୀ ମହିଳାଙ୍କର କାହାଣୀ ରହିଛି । ପାଣ୍ଡବମାନେ ମାତା କୁନ୍ତୀଙ୍କ ସହିତ ଅଜ୍ଞାତବାସରେ ଥିଲାବେଳେ ଜଣେ ବ୍ରାହ୍ମଣଙ୍କ ପରିବାରରେ ଆଶ୍ରୟ ପାଇଥିଲେ । ଗୋଟିଏ ଅସୁର ଅଲା, ପ୍ରତିଦିନ ପାଳିକରି ପ୍ରତ୍ୟେକ ପରିବାରରୁ ଜଣେ ମଣିଷ ଏବଂ ଅନ୍ୟାନ୍ୟ ଖାଦ୍ୟ ସମାଗ୍ରୀ ଅସୁର ପାଖକୁ ପଠାଯାଉଥିଲା । ଯାହାରପାଳି ପଡ଼ୁଥିଲା ତାହାର ଦୁଃଖ-ଶୋକର ସୀମା ନଥିଲା । ପାଳି ଅନୁସାରେ ଖାଦ୍ୟ ନଦେଲେ ଅସୁର ସମଗ୍ର ଗ୍ରାମକୁ ଖାଇଯିବ ବୋଲି ସମସ୍ତେ ଭୟରେ ଥରୁଥିଲେ । ଦିନେ ବ୍ରାହ୍ମଣର ପାଳି ପଡ଼ିଲା । ଏକମାତ୍ର ପୁତ୍ରକୁ ଖାଦ୍ୟସମାଗ୍ରୀ ସହିତ ଅସୁର ପାଖକୁ ପଠାଇବାକୁ ହେବ, ଏହା ଜାଣି ବ୍ରାହ୍ମଣ-ବ୍ରାହ୍ମଣୀ ରୋଦନ କରିବାକୁ ଲାଗିଲେ । ସେମାନଙ୍କର ଦୁର୍ଦ୍ଦଶା ଦେଖି କୁନ୍ତୀ କହିଲେ–‘ଆପଣମାନେ ଆଉ କାନ୍ଦନ୍ତୁ ନାହିଁ । ଆପଣଙ୍କର ଏକମାତ୍ର ପୁତ୍ର ଅସୁର ପାଖକୁ ଯିବା ବଦଳରେ ମୋର ପାଞ୍ଚପୁତ୍ରଙ୍କ ମଧ୍ୟରୁ ଜଣେ ଅସୁର ପାଖକୁ ଯିବ ।’ ଏହାପରେ ସେ ଭୀମଙ୍କୁ ଖାଦ୍ୟସାମଗ୍ରୀ ବୋଝେଇ ଶଗଡ଼ ସହିତ ଅସୁରପାଖକୁ ପଠାଇଲେ । ଅସୁର ଭୀମହାତରେ ନିହତ ହେଲା । ଦରିଦ୍ର ଓ ଦୁର୍ବଳ ବ୍ରାହ୍ମଣ ଏବଂ ନିରୀହ ଗ୍ରାମବାସୀଙ୍କୁ ଅସୁର କବଳରୁ ରକ୍ଷା କରିଥିବାରୁ କୁନ୍ତୀ କେବଳ ପାଣ୍ଡବମାନଙ୍କର ନୁହନ୍ତି ସମସ୍ତଙ୍କର ମାତା ହୋଇଗଲେ ।

 

ମହାଭାରତର ଆଉ ଗୋଟିଏ କାହାଣୀ କହୁଛି । ଦୁର୍ଯ୍ୟୋଧନ ଯୁଦ୍ଧକୁ ଯିବାପୂର୍ବରୁ ମା ଗାନ୍ଧାରୀଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ଆସିଥିଲେ । ସେ ଯେପରି ଯୁଦ୍ଧରେ ବିଜୟୀ ହେବେ ସେଇ ବର ଦେବାପାଇଁ ପ୍ରାର୍ଥନା କଲେ । ଗାନ୍ଧାରୀ ପୁଅକୁ କହିଲେ, “ଆୟୁଷ୍ମାନ ଭବ।’ ଦୁର୍ଯ୍ୟୋଧନ କହିଲେ , ‘ଯୁଦ୍ଧରେ ବିଜୟୀ ହେବା ପାଇଁ ମୋତେ ବର ଦିଅ’ । ଏହାର ଉତ୍ତରରେ ଗାନ୍ଧାରୀ କହିଲେ, ‘ସତ୍ୟ ଏବଂ ଧର୍ମର ଜୟ ହେଉ ।' ସେ ଜାଣିଥିଲେ ଯେ ଅଧର୍ମ ଓ ଅସତ୍ୟ ପଥରେ ପୁତ୍ର ଦୁର୍ଯ୍ୟୋଧନ ରହିଛନ୍ତି ଏବଂ ପାଣ୍ଡବମାନେ ସତ୍ୟ ଓ ଧର୍ମ ପଥରେ ଅଛନ୍ତି । ଗାନ୍ଧାରୀ କୌରବ ପୁତ୍ରମାନଙ୍କର ଜନନୀ ସତ, କିନ୍ତୁ ଏହି ଘଟଣା ପରେ ସମଗ୍ର ରାଜ୍ୟର ଲୋକମାନଙ୍କର ଜନନୀ ହୋଇଗଲେ ।

 

ରାମାୟଣର ଗୋଟିଏ କାହାଣୀ ମନେପଡ଼ୁଛି । ରାମଚନ୍ଦ୍ର ଦାକ୍ଷିଣାତ୍ୟ ଭ୍ରମଣ କରୁଥିଲାବେଳେ ଶବରୀ ସହିତ ତାଙ୍କର ଭେଟ ହେଲା । କ୍ଷୁଧାର୍ତ୍ତ ରାମଚନ୍ଦ୍ରଙ୍କୁ ପାଚିଲାଆମ୍ବ ଖୁଆଇ ଶବରୀ ତୃପ୍ତ ହେଲେ । କିନ୍ତୁ ଆମ୍ବଟିଏ ତାଙ୍କ ହାତକୁ ବଢ଼ାଇ ଦେବା ପୂର୍ବରୁ ସେ ଆଗ ଆମ୍ବକୁ କାମୁଡ଼ି ପରଖୁ ନେଉଥିଲେ ଆମ୍ବ ଖଟା କି ମିଠା ଜାଣିବା ପାଇଁ । ଖଟା ଆମ୍ବ ରଖିଦେଇ ମିଠାଆମ୍ବ ଦେଉଥିଲେ । ସେ ଜାଣିନଥିଲେ ଯେ ରାମ ସ୍ଵୟଂ ଭଗବାନଙ୍କର ଅବତାର । ଏଇ ଗୋଟିଏ ଘଟନାରୁ ପ୍ରମାଣିତ ହେଲା ଯେ ଶବରୀଙ୍କ ନିଃସ୍ୱାର୍ଥପର ସେବା ଏବଂ ଜନନୀର ଅତୁଳନୀୟ ପ୍ରେମ । ସେଇ ରାମାୟଣରେ ଆଉ ଗୋଟିଏ ଉପାଖ୍ୟାନ ବି ରହିଛି । ମା ସୀତାଙ୍କୁ ହରଣ କରି ରାବଣ ରଥରେ ବସାଇବା ବେଳେ ତାଙ୍କୁ ପ୍ରତିରୋଧ କରିବା ପାଇଁ ସେଠାରେ ଆଉ କେହି ମଣିଷ ନଥିଲେ । କିନ୍ତୁ ଧର୍ମାତ୍ମା ଜଟାୟୁ ପକ୍ଷୀ ରାବଣର ଏତାଦୃଶ ମନ୍ଦକର୍ମ ସହ୍ୟ କରିନପାରି ପ୍ରତିବାଦ କଲେ । ରାବଣ ତାହା ନ ଶୁଣିବାରୁ ଆକାଶ ମାର୍ଗରେ ତାଙ୍କ ସହିତ ଯୁଦ୍ଧ କଲେ ଏବଂ ଆହତ ହୋଇ ତଳେ ପଡ଼ିଲେ । ଏ କାହାଣୀଟି ଉଦ୍ଧାର କରିବାର ତାତ୍ପର୍ଯ୍ୟ ହେଉଛି, ବର୍ତ୍ତମାନ ରାବଣମାନଙ୍କର ହାତରେ ଶହ ଶହ ସତୀ, ସାଧ୍ୱୀ ଲୁଣ୍ଠିତ ହେଉଥିଲେ ମଧ୍ୟ ସେମାନଙ୍କୁ ରକ୍ଷା କରିବା ପାଇଁ ପାଖଆଖରେ ଥିବା ପୁରୁଷମାନେ ଆଗେଇ ଆସୁନାହାନ୍ତି । ସୁତରାଂ ରାବଣ ପରି ନରାଧମ ପୁରୁଷମାନେ ଧର୍ଷଣ ଓ ବଳାତ୍କାର କରିବା ପାଇଁ ଉତ୍ସାହ ପାଉଛନ୍ତି । ଏଇ ବଳିଷ୍ଠ କାହାଣୀ ରାମାୟଣରେ ବାଲ୍ମୀକି ଉଲ୍ଲେଖ କରି ଏକ ଦୃଷ୍ଟାନ୍ତ ଭାବେ ଚିରକାଳ ପାଇଁ ଅମର ହୋଇ ରହିଗଲା । ମଣିଷମାନେ ସତ୍ୟ ଓ ଧର୍ମରକ୍ଷା କରି ଚିରଦିନ ସ୍ମରଣୀୟ ହୋଇଗଲେ ।

 

ଏସବୁ କାହାଣୀ କହିବାର ଉଦ୍ଦେଶ୍ୟ ହେଉଛି ଏହି ଯେ, ପ୍ରାଚୀନ କାଳରେ ସତରେ ଏପରି ଘଟଣା ଘଟୁଥିଲା କର୍ତ୍ତବ୍ୟ ନିଷ୍ଠା, ଧର୍ମ ନିଷ୍ଠା ଏବଂ ସତ୍ୟ ରକ୍ଷା ପାଇଁ ଉଭୟ ପୁରୁଷ ଓ ନାରୀ ନିଃସ୍ୱାର୍ଥ ଭାବରେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଭୋଗବାଦୀ ସମାଜ ଲୋକମାନଙ୍କୁ କେବଳ ସତ୍ୟ, ଧର୍ମ ଓ ତ୍ୟାଗଠାରୁ ଦୂରକୁ ନେଇ ଯାଉଛି ।

 

ନାରୀମାନେ କେବଳ ଧନ ରତ୍ନ ଓ ପରିବାରର ସୁରକ୍ଷା ବିଷୟରେ ଭାବୁଛନ୍ତି । ସ୍ୱାମୀର ଉପାର୍ଜନ ନଥିଲେ ମଧ୍ୟ ଭୋଗବିଳାସ କରିବା ପାଇଁ ଅଡ଼ି ବସୁଥିବାରୁ ସ୍ୱାମୀମାନେ ଅବାଟରେ ଯାଉଛନ୍ତି, ଦୁର୍ନୀତି କରୁଛନ୍ତି ଓ ଜେଲ୍ ଯାଉଛନ୍ତି । ଜଣେ ନାରୀ ହେଉଛି ସ୍ରଷ୍ଟା । ସେ କନ୍ୟା, ଜାୟା ଓ ଜନନୀ । ତେଣୁ ସମାଜକୁ ରକ୍ଷା କରିବାର ଦାୟିତ୍ୱ ପୁରୁଷ ଅପେକ୍ଷା ନାରୀର ବେଶୀ । ମୁଁ ପାଠ ପଢ଼ୁଥିଲାବେଳେ ମା ରମାଦେବୀ କିପରି ସର୍ବସ୍ୱ ତ୍ୟାଗ କରି ଦେଶସେବା ଓ ଜନସେବା କରୁଥିଲେ ତାହା ଦେଖିଛି । ସେ ସମ୍ଭ୍ରାନ୍ତ ଘରର ଗୃହିଣୀ ଥିଲେ । କିନ୍ତୁ ସବୁ ଭୋଗବିଳାସ ଛାଡ଼ି ସ୍ୱାମୀଙ୍କ ସହିତ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ।

 

ତାଙ୍କପରି ରମ୍ଭାଦେବୀ, ମାଳତୀଦେବୀ ପ୍ରଭୃତି ଅନେକ ନାରୀନେତ୍ରୀ ଥିଲେ । ଯେଉଁମାନଙ୍କର ତ୍ୟାଗ ଓ ସେବା ପାଇଁ ଆମେ ଗର୍ବ କରୁଛୁ । କେବଳ ସମ୍ପତ୍ତି ଅର୍ଜନ କରିବା , ଭୋଗ କରିବା ଏବଂ ନିଜର ସୁବିଧା କରିବା ସତ୍ ମଣିଷର କାର୍ଯ୍ୟ ନୁହେଁ । ସତ୍ ପଥରେ ଯିବାପାଇଁ ଲୋକମାନଙ୍କୁ ନେତୃତ୍ୱ ଦେବା ହେଉଛି ମହତ୍ କାମ । ଯେତେ ଶୀଘ୍ର ସେଇ କାର୍ଯ୍ୟ କରିବା ପାଇଁ ଜନସେବା କାର୍ଯ୍ୟରେ ପୁରୁଷ ଓ ନାରୀ ନେତୃତ୍ଵ ଦେବେ ଏ ସମାଜରେ ଗଢ଼ି ଉଠୁଥିବା ହିଂସା, ସନ୍ତ୍ରାସ, ଭ୍ରଷ୍ଟାଚାର ଏବଂ ଅପକର୍ମ ସେତେ ଶୀଘ୍ର ଅବସାନ ହେବ ।

☆☆☆

 

ଅନଳେ ଯେସନ ପତଙ୍ଗ

 

ମହିଳାମାନଙ୍କ ଉପରେ ବଳାତ୍କାର ଓ ନିର୍ଯ୍ୟାତନା ବଢ଼ିବଢ଼ି ଚାଲିଥିବା ବିଷୟ ପ୍ରତିଦିନ ଦୃଷ୍ଟିକୁ ଆସୁଛି । କିନ୍ତୁ ମହିଳାମାନେ ବଳାତ୍କାରର ଶିକାର ହେଉଥିବାର ଏକମାତ୍ର କାରଣ ପୁରୁଷର ତୀବ୍ର ସମ୍ଭୋଗ ବାସନା ନୁହେଁ । ଏହାପଛରେ ରହିଛି ମହିଳାମାନଙ୍କୁ ନ୍ୟୂନ କରି ଦେଖିବାର ମାନସିକତା । ସେମାନେ କେବଳ ଭୋଗ୍ୟ ସାମଗ୍ରୀ ଏବଂ ପରିବାର ଭିତରେ ସେମାନଙ୍କର ସ୍ଥାନ ସୀମାବଦ୍ଧ ଏଇ ଧାରଣା ଦୀର୍ଘକାଳ ଧରି ଚାଲିଆସିଛି । ସେଥିପାଇଁ ସେମାନଙ୍କୁ ଶ୍ଵେନ ଦୃଷ୍ଟିରୁ ଲୁଚାଇ ରଖିବା ପାଇଁ ଓଢ଼ଣା ଓ ଶରୀରକୁ ଆବୃତ କରିବା ପ୍ରଥା ରହି ଆସିଛି । କିନ୍ତୁ ସମାଜର ବିକାଶ ସହିତ ରୁଚି ଓ ଚଳଣିରେ ମଧ୍ୟ ପରିବର୍ତ୍ତନ ହୋଇଛି । ଶିକ୍ଷା, ସଚେତନତାର ପ୍ରସାର ଯୋଗୁଁ ମହିଳାମାନେ ପୁରୁଷ ସହିତ ସବୁ କ୍ଷେତ୍ରରେ ସମାନ ହେବାପାଇଁ ସାରା ଜଗତରେ ପ୍ରତିଯୋଗିତା ଚାଲିଛି । ସେମାନଙ୍କୁ ଦୁର୍ବଳ କରି ରଖାଯାଇଥିଲା ଏପର୍ଯ୍ୟନ୍ତ । ସେମାନଙ୍କୁ ବନ୍ଧନମୁକ୍ତ କରିବା ସହିତ ସାମାଜିକ ବିକାଶର ମୁଖ୍ୟଧାରାକୁ ଆଣିବା ନିମନ୍ତେ ସାରା ପୃଥିବୀରେ ଉଦ୍ୟମ ହେଉଛି । କିନ୍ତୁ ତଥାପି ମହିଳାମାନେ ଯଦି ନିଜ ସ୍ୱାର୍ଥରକ୍ଷା ପାଇଁ ସଚେତନ ନହେବେ ପୁରୁଷ ସେମାନଙ୍କୁ ସୁନାଥାଳିରେ ଅଧିକାର ଓ ସ୍ଵାଧିକାର ଭେଟି ଦବ ନାହିଁ । ପୁରୁଷର ଅହଂକାର, ଏକାଧିପତ୍ୟ ମହିଳାମାନଙ୍କୁ ପଣ୍ୟସାମଗ୍ରୀ ପରି ନିୟନ୍ତ୍ରଣରେ ରଖି ଭୋଗ କରିବାର ମାନସିକତା ବିରୋଧରେ ଲଢ଼ିବାପାଇଁ ହେଲେ ମହିଳାମାନଙ୍କୁ ସାମର୍ଥ୍ୟ ହାସଲ କରିବାକୁ ପଡ଼ିବ । କିନ୍ତୁ କହିବା ପାଇଁମୋତେ ଦୁଃଖ ଲାଗୁଛି ଯେ ମହିଳାମାନେ ଯେତେ ବେଶୀ ଶିକ୍ଷିତ ଏବଂ ମାର୍ଜିତ ହେଉଛନ୍ତି ସେମାନଙ୍କ ଭିତରେ ଭୋଗବାଦୀ ସ୍ପୃହା ସେତିକି ତୀବ୍ର ହେଉଛି । ଜୈବ ଆବଶ୍ୟକତାର ସାମଗ୍ରୀ ହେବା ପରିବର୍ତ୍ତେ ପରିବାର ଓ ସମାଜର ନାନାବିଧ ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ଯଦି ମହିଳାମାନେ ନିଜକୁ ପ୍ରସ୍ତୁତ ନ କରନ୍ତି ତେବେ ଏକବିଂଶ ଶତାବ୍ଦୀ ସେମାନଙ୍କ ମୁକ୍ତିର ଶତାବ୍ଦୀ ହେବା ପରିବର୍ତ୍ତେ ସ୍ଥିତାବସ୍ଥାର ସମୟ ହୋଇ ରହିଯିବ ।

 

ଆଧୁନିକ ଶିକ୍ଷା ଅନେକ ବିଳମ୍ବରେ ଆମ ଦେଶରେ ଆରମ୍ଭ ହେଲା । ଆହୁରି ବିଳମ୍ବରେ ନାରୀ ଶିକ୍ଷାର ପ୍ରଚଳନ ହେଲା । ସୁତରାଂ ସେମାନଙ୍କ ନିଜ ଦୋଷରୁ ନୁହେଁ, ସାମାଜିକ ଶ୍ରେଣୀବଦ୍ଧତା ଯୋଗୁଁ ନାରୀଶିକ୍ଷା ଏବେବି ପଛରେ ଅଛି ।

 

ପରିବାରରେ ଯଦି ଝିଅ ଓ ପୁଅ ଅଛନ୍ତି ତେବେ ପୁଅମାନଙ୍କୁ ଉଚ୍ଚଶିକ୍ଷିତ କରିବାପାଇଁ ବାପା ମାଆ ଯେତେ ଉଦ୍ୟମ ଓ ତ୍ୟାଗ କରନ୍ତି ଝିଅମାନଙ୍କ ଭାଗ୍ୟରେ ସେତିକି ସହୟତା ମିଳେ ନାହିଁ । ମୁଁ ମୋ ବାପା ମା’ଙ୍କ ଏକମାତ୍ର ସନ୍ତାନ । ତେଣୁ ବାଲ୍ୟାବସ୍ଥାରୁ ମୋ ଭିତରେ ଅଧିକାର ଓ ସ୍ଵାଧିକାର ବୋଧ ଉଭୟ ଜାତ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ତାହା ସଂରକ୍ଷଣ କରି ରଖିଛି । ଗତ ପଚିଶ ବର୍ଷରେ ନାରୀ ଶିକ୍ଷାର ପ୍ରସାର ଘଟିଛି ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ସେମାନେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି; ଏହାସତ୍ତ୍ୱେ ସେମାନଙ୍କ ମନରୁ ଭୋଗଲାଳସା କମିନାହିଁ ବରଂ ପ୍ରଦର୍ଶନୀର ବସ୍ତୁ ପରି ଦେଖାଇ ହେବାର ମାନସିକତା ସେମାନଙ୍କ ସ୍ୱାଧୀନତାର ଏକ ପ୍ରଧାନ ବିଷୟ ହୋଇରହିଛି । ଚଳଣି ଓ ରୁଚିରେ ପରିବର୍ତ୍ତନ ଆସିଛି । କିନ୍ତୁ ସାଂସ୍କୃତିକ ପରମ୍ପରା ଏବଂ ଶୃଙ୍ଖଳ ଓ ଶାଳୀନତାକୁ ବର୍ଜନକରି ଅଳ୍ପ ବୟସ୍କା ଝିଅ ବୋହୂମାନେ ଯେପରି ଅଙ୍ଗ ସଜ୍ଜାର ପରିବର୍ତ୍ତନ କରୁଛନ୍ତି ତାହା ସେମାନଙ୍କୁ ଆକର୍ଷଣର ମାଧ୍ୟମ କରୁଛି । ପୋଷାକ ଓ ପ୍ରସାଧନ ନାରୀର ଲଜ୍ୟା, ଶ୍ରୀ ଓ ଶାଳୀନତା ରକ୍ଷା ପାଇଁ ଉଦ୍ଦିଷ୍ଟ । କିନ୍ତୁ ପାଶ୍ଚାତ୍ୟର ଯୌନତା ଭାରତୀୟ ସଂସ୍କୃତି ସହିତ ଖାପଖାଏ ନାହିଁ । ଆମେ କିନ୍ତୁ ପାଶ୍ଚାତ୍ୟର ଶୃଙ୍ଖଳା, ଉଦ୍ୟମଶୀଳତା, ଜାଣିବାର ଇଚ୍ଛା ପ୍ରଭୃତି ଅନୁକରଣ ନ କରି ସେମାନଙ୍କର ଖରାପ ଗୁଣଗୁଡ଼ିକୁ ଆପଣେଇ ନେଉଛୁ । ତେଣୁ ସତୀତ୍ଵ ବା ଶାରୀରୀକ ଓ ମାନସିକ ଶୁଦ୍ଧତାକୁ ବାହ୍ୟବସ୍ତୁପରି ପରିତ୍ୟାଗ କରି ପୁରୁଷ ସହିତ ସମକକ୍ଷ ହେବା ପାଇଁ ପ୍ରତିଯୋଗିତା କରୁଛୁ । ସମ୍ଭୋଗ ଯେପରି ଏକମାତ୍ର ଜୀବନଚର୍ଯ୍ୟା । ତେଣୁ ଦେହକୁ ଆବୃତ ନକରି ଯେତେଦୂର ଅଙ୍ଗପ୍ରତ୍ୟଙ୍ଗକୁ ଦର୍ଶାଇ ଦିଆଯାଇପାରେ ତାହା ହିଁ କରାଯାଉଛି-

 

ନୂଆ ନୂଆ ଫେସନ ଖରାପ ନୁହେଁ । ମଣିଷର ଚଳଣିରେ ପରିବର୍ତ୍ତନ ଅବଶ୍ୟ ରହିବ । କିନ୍ତୁ ନାମରେ ଲଜ୍ୟା ଓ ଶାଳିନୀତା ବୋଧକୁ ବର୍ଜନ କରି କିଏ କେତେ ଅଙ୍ଗ ସୌଷ୍ଠବ ଦର୍ଶାଇ ପାରିବ ସେଥିପାଇଁ ପ୍ରତିଯୋଗିତା ଚାଲିଛି । ଦିନଥିଲା ହାତ ପାପୁଲି ପର୍ଯ୍ୟନ୍ତ ବ୍ଲାଉଜ ବ୍ୟବହାର କରାଯାଉଥିଲା । ଏବେ ତାହା ଘୁଞ୍ଚି ଘୁଞ୍ଚ କାନ୍ଧ ଉପରକୁ ଆସିଗଲାଣି । ଆଲବମ୍ ନାୟିକା ହେଲେ ଉପର ଖୋଲାରଖୁ କେବଳ ଛାତି ଆବୃତ କରାଯାଉଛି । ସେହିପରି ଶରୀର ଦେଖାଇବା ପାଇଁ ଏତେ ପତଳା କପଡା ବ୍ୟବହାର କରାଯାଉଛି ଯେ ଦେହର ନଗ୍ନତା ବାହାରକୁ ଫୁଟିପଡ଼ୁଛି । ଜିନ୍‍‍ସପେଣ୍ଟ, ଟି ସାର୍ଟ ପିନ୍ଧିବା ଖରାପ ନୁହେଁ । କିନ୍ତୁ ପୋଷାକ ପିନ୍ଧିବା ପଛରେ ଥିବା ଉଦ୍ଦେଶ୍ୟ ବାଦ ଦେଇ ପୋଷାକ ପରିଧାନ କଲେ ଅବଶ୍ୟ ଦଶଯୋଡ଼ା ଆଖିର ଆକର୍ଷଣ ଏଡ଼ି ଦେଇହେବ ନାହିଁ ।

 

ଭୂଷଣ ଲଜ୍ୟା ଲୁଚାଇବା ପାଇଁ । ନାରୀ ଓ ପୁରୁଷର ଶାରୀରିକ ଗଠନ ଭିନ୍ନ ଭିନ୍ନ । ସେହିପରି ନାରୀର ଜୀବନ ଚର୍ଯ୍ୟା ମଧ୍ୟ ସ୍ୱତନ୍ତ୍ର । ଶ୍ରୀ ଶ୍ରୀ ଚଣ୍ଡୀରେ କୁହାଯାଇଛି ଭାର୍ଯ୍ୟା ମନୋରମା ହେବା ଉଚିତ । ସେହିପରି ଏହା ବି କୁହାଯାଇଛି ଯେ ଶ୍ରୀ, ଧୃତି, କ୍ଷମା, ଲଜ୍ୟା ଏସବୁ ନାରୀର ଭୂଷଣ । ତେଣୁ ସେ ଜିନ୍‍ସ ପ୍ୟାଣ୍ଟ ଏବଂ ଟି ସାର୍ଟ ପିନ୍ଧୁ ସେଥିରେ ମୋର ଆପତ୍ତି ନାହିଁ । କିନ୍ତୁ ସେ ଏପରି ପୋଷାକ ପିନ୍ଧିବ ଯେ ତାହା ଶରୀର ସାରାଂଶକୁ ଆବୃତ କରିବ । ସେହିପରି ପ୍ରସାଧାନ ବ୍ୟବହାର କରିବ । ପୂର୍ବକାଳରେ ଝିଅମାନେ ଲମ୍ବା ଚୁଟି ରଖୁଥିଲେ । କେଶର ସୌନ୍ଦର୍ଯ୍ୟ କବିମାନଙ୍କ ବର୍ଣ୍ଣନାର ବିଷୟ ଥିଲା । କିନ୍ତୁ ଏବେ ନୂଆ ଫେସନ ଅନୁକରଣ କରି ବାଳକାଟି ବବ୍ କରାଯାଉଛି । ତେଣୁ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ଝିଅକୁ ସହଜରେ ଚିହ୍ନି ହୁଏନା—ସେ ‘ ପୁଅ ନା ଝିଅ’ । କେଶର ଯତ୍ନ ନେବା, ତ୍ୱଚାର କୋମଳତା ରକ୍ଷା କରିବା ଭଲକଥା । ଏସବୁପାଇଁ ଭଲ ପ୍ରସାଧନ ବ୍ୟବସ୍ଥା ରହିଛି । ସେଣ୍ଟ୍ ବ୍ୟବହାର, କେଶଶର୍ଯ୍ୟା, ଲିପଷ୍ଟିକ୍ ଓ ମୁହଁର ଶ୍ରୀବର୍ଦ୍ଧନ ଯଦି ଶୃଙ୍ଖଳା ଓ ଶାଳୀନତା ମଧ୍ୟରେ କରାଯାଏ ତେବେ ତାହା ନାରୀର ଶ୍ରୀ ଓ ସୌନ୍ଦର୍ଯ୍ୟର କାରଣ ହୁଏ । କିନ୍ତୁ ସେଥରେ ଯଦି ନିଜକୁ ପ୍ରଦର୍ଶନ କରିବା ଓ ମନକୁ ଉଚ୍ଚାଟିତ କରିବା ପାଇଁ ବ୍ୟବସ୍ଥା ରହେ ତେବେ ପୁରୁଷର ସମ୍ଭୋଗ ଲାଳସା ଉଦ୍ରେକ କରିବା ସହିତ ତା’ର କାମନା ବାସନା ଓ ସମ୍ଭୋଗର ଶିକାର ହୁଏ ନାରୀ । ଭାଗବତରେ କୁହାଯାଇଛି ‘ଅନଳେ ଯେସନେ ପତଙ୍ଗ, ଧାବନ୍ତି ହୋଇ ଉଦବେଗ ।’ ବର୍ତ୍ତମାନ ସେହିପରି ଅବସ୍ଥା ସୃଷ୍ଟି ହୋଇଛି । ତେର ଚଉଦ ବର୍ଷରୁ ଆମେରିକାର ଝିଅମାନେ ପୁଅ ସହିତ ସାନିଧ୍ୟ ରଖନ୍ତି । ଡେଟିଂ କରନ୍ତି । ଆମଦେଶରେ ସେଇ ଧାରା ନାହିଁ ।

 

ଆମ ଦେଶର ସଂସ୍କୃତି ଭିନ୍ନ । ପାଣି ପବନ ଜଳବାୟୁ ଭିନ୍ନ । ଯୌନତା ଜୀବନର ଏକ ଅଂଶମାତ୍ର । ଏହା ସବୁକିଛି ନୁହେଁ । ଶୃଙ୍ଖଳା ଓ ଶାଳୀନତା ସହିତ ନାରୀ ବଞ୍ଚିପାରେ ଏବଂଯେକୌଣସି କାର୍ଯ୍ୟ କରିପାରେ ଏବଂ ପଦପଦବୀ ମଣ୍ଡନ କରିପାରେ । ମୁଁ ବୋହୂ ହୋଇ ଶାଶୁ ଘରକୁ ଆସିବା ପରେ ମଧ୍ୟ ଓଢ଼ଣା ଦେଇନାହିଁ । ତେଣୁ ଅନ୍ୟମାନଙ୍କୁ ବା ବୋହୂମାନଙ୍କୁ ଓଢ଼ଣା ଦେବାକୁ କହୁନାହିଁ । ପୁରୁଷ ସହିତ ଚର୍ଚ୍ଚା, ଭାବର ଆଦାନ ପ୍ରଦାନ ଦୋଷାବହ ନୁହେଁ । କିନ୍ତୁ ସେମାନଙ୍କ ଖେଳନା ହୁଅ ନାହିଁ । ସେମାନଙ୍କ ସମ୍ଭୋଗର ସାମଗ୍ରୀ ହୁଅ ନାହିଁ । ଶୃଙ୍ଖଳା ଓ ଶାଳୀନତା ମଧ୍ୟରେ ସଂସାର କରି କନ୍ୟା, ଜାୟା ଓ ଜନନୀ ହେବା ପାଇଁ ଚେଷ୍ଟାକର । ଶୁଦ୍ଧ ନିର୍ମଳ ଜୀବନଯାପନ କରିବା ତା’ର ଗୌରବ । ପାତିବ୍ରତ୍ୟ ତା’ର ଭୂଷଣ । କିନ୍ତୁ ସେ ଦାସୀ ହେବା ପାଇଁ ଜନ୍ମି ନାହିଁ । କେବଳ ପୁରୁଷର ଆଜ୍ଞାବହ ଭାବେ ବଞ୍ଚିବା ନାରୀ ଜୀବନର ଧର୍ମ ନୁହେଁ ।

 

ମହିଳାସ୍ଥାନ ସଂରକ୍ଷଣ ବିଲ୍ ପାର୍ଲିଆମେଣ୍ଟର ବିଚାରଧୀନ ଅଛି । ସ୍ଥାନ ସଂରକ୍ଷଣ ହେଉ ବା ନ ହେଉ ମହିଳାମାନେ ଆଉ ପଛକୁ ନ ଚାହିଁ ଆଗକୁ ଚାହାନ୍ତୁ । ଘରର ଚାରିକୋଣରେ ନିଜକୁ ବନ୍ଦୀ ନ କରି ମୁକ୍ତ ପୃଥିବୀକୁ ଦେଖନ୍ତୁ । ସକାଳର ସୂର୍ଯ୍ୟୋଦୟ, ମଧ୍ୟାହ୍ନର ତେଜ ଏବଂ ସନ୍ଧ୍ୟାର ସୂର୍ଯ୍ୟାସ୍ତ ଉପଭୋଗ କରନ୍ତୁ । ସମୁଦ୍ରରେ ସ୍ନାନ କରନ୍ତୁ । ପର୍ବତ ଉପରକୁ ବୁଲି ଯାଆନ୍ତୁ । ପାଇଲଟ୍, ବୈଜ୍ଞାନିକ, ଚିକିତ୍ସକ, ନେତା, ପ୍ରଶାସକ ଓ କ୍ରୀଡ଼ାବିତ୍ ହୁଅନ୍ତୁ । ସେମାନଙ୍କ ପାଇଁ ଅନେକ ସୁଯୋଗ ରହିଛି । ଅନେକ ସ୍ଥାନ ରହିଛି ସୁଖରେ ଗର୍ବର ସହିତ ବଞ୍ଚିବା ପାଇଁ । କିନ୍ତୁ ଅନ୍ୟାୟ, ଅବିଚାର, ଅସମାନତା ଗ୍ରହଣ କରନ୍ତୁ ନାହିଁ । ମାଟି ଘଡ଼ି ଭିତରେ ଥିବା ଘିଅ ଉତ୍ତାପ ସ୍ପର୍ଶରେ ଆସିଲେ ଯେପରି ତରଳି ଯାଏ ଝିଅମାନେ ସେପରି ନୁହଁନ୍ତି । ନିଆଁଦେଖି ପତଙ୍ଗମାନେ ଝାସ ଦିଅନ୍ତି । ମରିବାପାଇଁ । ଅଗ୍ନିରେ ପତଙ୍ଗ ପରି ଝାସ ଦେବା ପାଇଁ ନାରୀ ଜନ୍ମି ନାହିଁ । ସେ ସହଧର୍ମିଣୀ ହେବ, ସହକର୍ମିଣୀ ହେବ । ବୀରଭୋଗ୍ୟ ବସୁନ୍ଧରା । ସେ ବୀରତ୍ଵର ସହିତ ଲଢ଼ିବ ଅଧିକାର ହାସଲ କରିବା ପାଇଁ । ସାବିତ୍ରୀ ମୃତ୍ୟୁକୁ ଜୟ କରିଥିଲେ । ଏଯୁଗର ନାରୀ ଜୀବନକୁ ଜୟ କରୁ ।

☆☆☆

 

ପ୍ରଳୟ କାଳଆସନ୍ନ

 

ଗତ କେତେମାସର ଘଟନାବଳୀ ସୂଚନା ଦେଉଛି ଯେ ପ୍ରଳୟକାଳ ଆସନ୍ନ । ପ୍ରଳୟରୁ ପୃଥିବୀ ସୃଷ୍ଟି ହୋଇଥିଲା ଏବଂ ତା’ପରେ ବିବର୍ତ୍ତନଧାରାରେ ଜୀବ ଜନ୍ତୁ ଜଡ଼ ସବୁ ସୃଷ୍ଟି ହୋଇଥିଲା ବୋଲି ପୁରାଣ କହୁଛି । ସେଇ କଥା ବିଜ୍ଞାନ ମଧ୍ୟ କହିଛି । ସେହିପରି ଦିନେ ଯେ ପ୍ରଳୟକାଳ ଆସିବ ଏହା ମଧ୍ୟ ବୈଜ୍ଞାନିକମାନେ କହିଛନ୍ତି । ପ୍ରଳୟ କାଳ ଆସନ୍ନ ଏଇଥିପାଇଁ ଲାଗୁଛିଯେ ଲୋକ ଚରିତ୍ର, ସଂସ୍କାର ଏବଂ ସଂସ୍କୃତି ସବୁ ବଦଳିଯାଉଛି । ହଜାର ହଜାର ବର୍ଷର ବିବର୍ତ୍ତନ ପ୍ରକ୍ରିୟାରେ ମୀନ ଅବତାରଠାରୁ କଳ୍ପୀ ଅବତାର କିପରି ସୃଷ୍ଟି ହୋଇଛି ତାହା ଦଶାବତାର ତତ୍ତ୍ୱରୁ ଆମେ ଜାଣୁ । ବୁଦ୍ଧଙ୍କ ପରେ ଘୋର କଳିକାଳ ଆସିଛି । ହଜାର ହଜାର ବର୍ଷର ସାଧନା,ତପସ୍ୟା ଓ ସମର୍ପଣ ଦ୍ଵାରା ବିଭୁକୃପାରୁ ବିଭୂତି ବିକଶିତ ହୋଇଥିଲା ମଣିଷ ଭିତରେ । ସେଇସବୁ ବିଭୂତିକୁ ବୋଳି ହୋଇ ମଣିଷ ଶୁଦ୍ଧ, ନିର୍ମଳ ଓ ସୁନ୍ଦର ଦିଶୁଥିଲା । ସେଇ ଦୈବକୃପାରୁ ଜନ୍ମ ଗ୍ରହଣ କରିଥିଲେ ବ୍ୟାସ, ବାଲ୍ମିକୀ, ଭୃଗୁଙ୍କଠାରୁ ଆରମ୍ଭ କରି ବୁଦ୍ଧ, ମହାବୀର, ଯୀଶୁଖ୍ରୀଷ୍ଟ, ମହମ୍ମଦ, ଶଙ୍କରାଚାର୍ଯ୍ୟ, ଶ୍ରୀଚୈତନ୍ୟ, ଶ୍ରୀ ରାମକୃଷ୍ଣ, ବିବେକାନନ୍ଦ, ଶ୍ରୀଅରବିନ୍ଦ, ମହାତ୍ମା ଗାନ୍ଧି । ଆମରି ସମୟରେ ଆମ ଦେଶରେ ଈଶ୍ଵରଙ୍କ ବିଭୂତି ବଳରୁ ମଦର ଟେରସା ସେବା ଓ ତ୍ୟାଗର ପ୍ରତୀକ ହୋଇ ରହିଗଲେ କିନ୍ତୁ ଆମେ ବଞ୍ଚି ରହିଥିଲୁ ଶୁଣିବାପାଇଁ ଯେ ମଣିଷ ଶରୀରରୁ ଦେବତା ଅନ୍ତର୍ଦ୍ଧାନ ହେବାପରେ ଅସୁର ପ୍ରବେଶ କରିଛି । ତା’ ଶରୀର ଭିତରେ ଗାନ୍ଧିଙ୍କ ସତ୍ୟ, ଅହିଂସା, ସହନଶୀଳତା ଆଉ ଦେଖାଯାଉନି । ନଚେତ୍ ଧର୍ମ ଓ ପ୍ରେମର ବାର୍ତ୍ତା ସର୍ବତ୍ର ଖେଳାଇ ହୋଇଯିବା ପରିବର୍ତ୍ତେ ହିଂସା, ଘୃଣା, ଆକ୍ରୋଶ, ପ୍ରତିଶୋଧର ବାର୍ତ୍ତା ପ୍ରସାର ହେଉଛି । ଆତଙ୍କବାଦୀ, ଉଗ୍ରବାଦୀ, ହିଂସ୍ର ଓ ଘୃଣା ଜର୍ଜରିତ ମଣିଷଙ୍କ ସଂଖ୍ୟା ରାତାରାତି ବଢ଼ି ଚାଲିଛି । ଭାରତ ସରକାରଙ୍କ ତଥ୍ୟରୁ ଜଣାପଡ଼ୁଛି ଯେ ସାମ୍ପ୍ରଦାୟିକ ହିଂସାରେ ଓଡ଼ିଶା ଦେଶରେ ନମ୍ବର ୱାନ୍ । ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଭୂମିରେ ଓଡ଼ିଶାବାସୀ ହଠାତ୍ କିପରି ଏଡ଼େ ଘୃଣ୍ୟ ସାମ୍ପ୍ରଦାୟିକ ପାଲଟି ଗଲେ ?

 

ଜଗନ୍ନାଥ ସଂସ୍କୃତିକୁ ଆମେ ଧର୍ମ, ଶାନ୍ତି, ମୈତ୍ରୀ, ସମତା ଓ ସହାବସ୍ଥାନର ପ୍ରତୀକବୋଲି କହୁଥିବା ବେଳେ ହଠାତ୍ କାହିଁକି ଓଡ଼ିଶାବାସୀ ଧର୍ମ ଓ ସଂସ୍କାରକୁ ବିସର୍ଜନ ଦେଇ ରକ୍ତ ମୁହାଁ ହୋଇଯାଇଛନ୍ତି ? ମୁଁ ଏହାର କାରଣ ଖୋଜି ପାଉନାହିଁ । ମୁଁ ଜଣେ ଗୃହିଣୀ । ମୁଁ ମଧ୍ୟ ପାଞ୍ଚ ସନ୍ତାନର ମା’ । କିନ୍ତୁ ମୋ ଦୃଷ୍ଟିରେ ଏଇସାରା ରାଜ୍ୟ ପରିବାରପରି । ସମସ୍ତେ ମୋର ସନ୍ତାନପରି । କେତେ ଆଚାର୍ଯ୍ୟ, ସାଧୁ, ସନ୍ଥ, ବିଭିନ୍ନ ସମୟରେ ପୁରୁଷୋତ୍ତମ ଧାମକୁ ଆସିଛନ୍ତି ଏବଂ ପ୍ରେମ ଓ ସହାବସ୍ଥାନର ବାର୍ତ୍ତାନେଇ ଫେରି ଯାଇଛନ୍ତି । ଏଇ ଓଡ଼ିଶାମାଟିକୁ ଆଶ୍ରାକରି ହଜାର ହଜାର ବର୍ଷ ଧରି ପଡ଼ି ରହିଛନ୍ତି ଆଦିବାସୀମାନେ । ଜଗନ୍ନାଥ ମହାପ୍ରଭୁତ ଶବର ଓ ଆଦିବାସୀମାନଙ୍କ ଦେବତା । ଇନ୍ଦ୍ରଦ୍ୟୁମ୍ନ ତାଙ୍କୁ ଶ୍ରୀକ୍ଷେତ୍ରରେ ସ୍ଥାପନ କଲେ । କିନ୍ତୁ ପୁତ୍ରପୌତ୍ରାଦି କ୍ରମେ ତାଙ୍କ ବଂଶଧର ସେଇ ସୂତ୍ରରେ ଉତ୍ତରାଧିକାରୀତ୍ଵ କାଳେ ଦାବି କରିବେ ସେଥିପାଇଁ ସେ ନିଃସନ୍ତାନ ରହିବା ପାଇଁ ବର ମାଗିଲେ । ଏଇ ଦେଶର ଆଜି ପୁଅ,ଝିଅ, ଜ୍ୱାଇଁ, ଭଣଜା ଓ ପୁତୁରାମାନଙ୍କୁ ନେତା ଓ ଶାସକମାନେ ଛାଡ଼ି ଦେଇଛନ୍ତି ଅନ୍ୟମାନଙ୍କୁ ବାଦ୍ ଦେଇ ଦେଶର ସମ୍ପଦ, ଶାସନକ୍ଷମତା ଓ ସମାଜର କର୍ତ୍ତୃତ୍ୱ ଲୁଟିବା ପାଇଁ । ମନ୍ତ୍ରୀ ପୁଅ ମଣିଷ ମାରିଲେ ବା ଝିଅବୋହୂଙ୍କ ଉପରେ ବଳାତ୍କାର କଲେ ସାତଖୁନ ମାଫ । ଆଇନ ଶାସନ ଭାଙ୍ଗୁଛନ୍ତି ଆଇନ ତିଆରି କରିଥିବା ନିର୍ବାଚିତ ଲୋକ ପ୍ରତିନିଧିମାନେ । ‘ନେଇଆଣି ଥୋଇଜାଣିଲେ ଚୋରି ବିଦ୍ୟା ଭଲ’ ଏଇ ଗାଁଉଲିକଥାଟି ଆଜି ଚଳଣିରେ ପଡ଼ିଯାଇଛି ବଡ଼ବଡ଼ମାନଙ୍କର । କ୍ଷମତାର ଅଧିକାରୀମାନେ ଭାବୁଛନ୍ତି ଯେ ସେମାନେ ସମସ୍ତଙ୍କ ଉପରେ, ସେମାନଙ୍କ ଉପରେ ଆଉ କେହି ନାହିଁ । ସେମାନେ ହେଉଛନ୍ତି ହର୍ତ୍ତା କର୍ତ୍ତା ଦୈବବିଧାତା ।

 

କନ୍ଧମାଳର ମୂଳ ଅଧିବାସୀ ହେଉଛନ୍ତି କନ୍ଧ । କେଉଁ ଯୁଗରୁ ସେମାନେ ମାଟି କାମୁଡ଼ି ବଣ ଜଙ୍ଗଲକୁ ଆଶ୍ରା କରି ବଞ୍ଚୁଛନ୍ତି । ସେମାନଙ୍କୁ ମଣିଷ ବୋଲି ଗଣୁନାହାନ୍ତି ବାବୁ ଓ ସାହେବମାନେ, ସମ୍ଭ୍ରାନ୍ତ ଓ ଶାସକମାନେ । ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା ଦବା ପାଇଁ ଆସିଥିଲେ ମିଶନାରିମାନେ । ସେମାନଙ୍କ ସେବା ଓ ସହଯୋଗରୁ ଅନେକ ମଣିଷ ପରି ମଣିଷ ହେଲେ । ସେଇ ପ୍ରକ୍ରିୟାରୁ କେତେ ଲୋକ ଧର୍ମ ବଦଳ କରି ଖ୍ରୀଷ୍ଟାୟାନ ହୋଇଗଲେ । କ୍ରମେ କ୍ରମେ ଲୋଭଦେଖାଇ, ସେମାନଙ୍କୁ କୌଣସି ପ୍ରକାରେ ବଶ କରି ବା ବାଧ୍ୟ କରି ଧର୍ମାନ୍ତରିତ କରିବା ପାଇଁ ବାଟ ଫିଟିଲାଣି । ଧର୍ମ ବଦଳ କରିଥିବା ଲୋକ ସଂଖ୍ୟା ଷାଠିଏ ବର୍ଷ ମଧ୍ୟରେ ଦଶ ଗୁଣ ବଢ଼ିଛି । ଯେଉଁମାନେ ଧର୍ମ ବଦଳ ନକରି କର୍ମ ଆଦରି ପଡ଼ି ରହିଲେ ସେମାନଙ୍କୁ ଶିକ୍ଷା ଦୀକ୍ଷା ଦେବା ସହିତ ଉପଯୁକ୍ତ କରିବା ପାଇଁଆସିଲେ ସନାତନ, ହିନ୍ଦୁଧର୍ମର ସାଧୁସନ୍ଥ । କିନ୍ତୁ ଉଭୟ ଧର୍ମୀୟ ଗୋଷ୍ଠୀ ସେଇ ଗୋଟିଏ କାମ କରୁଥିଲେ—ଈଶ୍ୱରଙ୍କନାମରେ ଜନସେବା । ମଣିଷର ନିଃସ୍ୱାର୍ଥପର ସେବା ମାଧବ ସେବା ସହିତ ସମାନ । ସେଇଥିପାଇଁ ଦରିଦ୍ର ସେବା କଲାବେଳେ ନାରାୟଣଙ୍କୁ ସେବା କରିବା ପୁଣ୍ୟ ଫଳ ମିଳେ । କନ୍ଧମାଳରେ ହିନ୍ଦୁଧର୍ମରୁ ଖ୍ରୀଷ୍ଟାନ, ପୁଣି ବେଳେବେଳେ ଖ୍ରୀଷ୍ଟାନରୁ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ ପିଲାଖେଳ ପରି ଚାଲିଛି । ‘ସ୍ୱଧର୍ମେ ନିହତ ଶ୍ରେୟ ପରୋଧର୍ମଭୟାବହ’ ବୋଲି ଗୀତାରେ କୁହାଯାଇଛି । ଧର୍ମପାଳନ ନକରି ତାହାର ସୂତ୍ର ନୀତି ଇତ୍ୟାଦିକୁ ବାକ୍ସ ଭିତରେ ରଖିଲେ କିଛି ଲାଭ ନାହିଁ । ଈଶ୍ଵର ଏକ ଓ ଅଦ୍ୱିତୀୟ ଅଟନ୍ତି । ତେଣୁ ଭିନ୍ନ ଭିନ୍ନ ନାମରେ ତାଙ୍କୁ ଭିନ୍ନ ଧର୍ମାବଲମ୍ବୀମାନେ ଡାକୁଥିଲେ ମଧ୍ୟ ସେ ଏକ ଓ ଅଦ୍ୱିତୀୟ-। ଏଇ ପରମ ସତ୍ୟ ବିଶ୍ଵାସର ବିଷୟ । ଯଦି ଈଶ୍ଵର ଏକ ତେବେ ତାଙ୍କୁ ପାଇବା ସକାଶେ ମାର୍ଗ ଭିନ୍ନ ହେଲେ ମଧ୍ୟ ଲକ୍ଷ୍ୟ ପରିବର୍ତ୍ତନ ହୁଏ ନାହିଁ । ତେଣୁ ଧର୍ମପାଳନ ହେଉଛି ବଡ଼,ଧର୍ମାନ୍ତର ବଡ଼ ନୁହେଁ । ଧର୍ମ ନାମରେ ଚାଲିଥିବା ବିତର୍କ, ଭଣ୍ଡାମି, ଛଳନା ବର୍ଜନ ନକଲେ ଧର୍ମ ଧାରଣ କରିବା ସମ୍ଭବ ନୁହେଁ ।

 

ଜଗନ୍ନାଥ ହେଉଛନ୍ତି ପରମ ଇଷ୍ଟ । ତାଙ୍କୁ ଆଧାରକରି ଗଢ଼ି ଉଠିଥିବା ସଂସ୍କୃତି ଓ ଚଳଣିରେ ହିଂସା, ଘୃଣା, ଆକ୍ରୋଶର ସ୍ଥାନ ନାହିଁ । ସେ ପ୍ରେମମୟ ହୃଦୟାନନ୍ଦ । କିନ୍ତୁ ତାଙ୍କ ମହିମା କୀର୍ତ୍ତନ କରିବା ପାଇଁ ଅଶ୍ଳୀଳ ସିଡ଼ି ବ୍ୟବହାର କରିବା ପାପଚାର ଭିନ୍ନ ଅନ୍ୟ କିଛି ନୁହେଁ । ଚଳଚ୍ଚିତ୍ର, ସିରିଏଲ, ଆଲବମ୍ ସଂସ୍କୃତିରେ ସଂସ୍କୃତି ନାହିଁ ବା ସଂସ୍କାର ପାଇଁ ପ୍ରେରଣା ନାହିଁ । କେବଳ ଉଚ୍ଚାଟନ ପାଇଁ ତାହା ଉଦ୍ଧିଷ୍ଟ । ଏସବୁ ନିର୍ବିଚାରରେ ଚାଲୁଥିବାରୁ ଜନଜୀବନ ପଙ୍କିଳ ହେଉଛି । ନନ୍‌ଧର୍ଷଣ ପରି ପାପାଚାର କନ୍ଧମାଳରେ ହେଲା । ଏହାଠାରୁ ଆଉ ବଡ଼ ଘୃଣ୍ୟ କାମ କ’ଣ ହୋଇପାରେ ? ଏପରି ପାପର ପ୍ରାୟଶ୍ଚିତ ନାହିଁ । ସେହିପରି ମନ୍ଦିର, ଗୀର୍ଜା, ଗୁରୁଦ୍ୱାର ଏ ସମସ୍ତ ଈଶ୍ୱରଙ୍କ ପୀଠ । ତେଣୁ କୌଣସି ଈଶ୍ୱର ବିଶ୍ୱାସୀ ଧର୍ମପୀଠ ପୋଡ଼ି ଜାଳି ଦବା କେବଳ ପାପାଚାର ନୁହେ, ଏହା ଈଶ୍ଵରଙ୍କ ଗୁଣକୀର୍ତ୍ତନରେ ବାଧା ସୃଷ୍ଟି କରିବା ସକାଶେ ଉଦ୍ଦିଷ୍ଟ । ଏସବୁ ନିର୍ବିକାରରେ ଚାଲୁଥିବାରୁ ଏବଂ କେତେ ଶ୍ରେଣୀୟ ଲୋକ ଏଇ କାମକୁ ପ୍ରଶ୍ରୟ ଦେଇଥିବାରୁ ସେମାନେ ଧର୍ମ ଓ ଈଶ୍ଵରଙ୍କଠାରୁ ଅନେକ ଦୂରରେ । ଧର୍ମ ଓ ଈଶ୍ଵରଙ୍କ ନାମରେ ଭିନ୍ନ ଧର୍ମାବଲମ୍ବୀଙ୍କୁ ହତ୍ୟା କରିବା ବା କଷ୍ଟ ଦବା ଠାରୁ ବଡ଼ ଅଧର୍ମ ଆଉ କିଛି ନାହିଁ । କିନ୍ତୁ କେତେକ ଧର୍ମ ଦ୍ରୋହୀ ଏସବୁ କାମ କରୁଥିବାରୁ ଅଧର୍ମ ବଢୁଛି ଏବଂ ଈଶ୍ଵର ମଣିଷ ମନରୁ ଓ ବିଶ୍ୱାସରୁ ବିଦାୟ ନେଇଛନ୍ତି । ସେ ଧର୍ମପୀଠରେ ମଧ୍ୟ ରହନ୍ତି ନାହିଁ କାରଣ ଏସବୁ ପୁଣ୍ୟପୀଠକୁ ଆତତାୟୀ ଓ ଆତଙ୍କବାଦୀମାନେ ଘୃଣ୍ୟକାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି । ମଣିଷର ହୃଦୟରେ ଈଶ୍ଵର ବିରାଜମାନ କରନ୍ତି । ହୃଦୟ ଯଦି ନିର୍ମଳ, ଶୁଦ୍ଧ ଏବଂ ପବିତ୍ର ରହେ ତେବେ ମଣିଷ ଭ୍ରଷ୍ଟ ହେବାର ଭୟ ନାହିଁ । ଭ୍ରଷ୍ଟାଚାର ବର୍ଷ ବର୍ଷ ଧରି ଦୀର୍ଘକାଳ ଚାଲିଲେ ଦିନେ ଯୁଗଶେଷ ହେବ । ଭ୍ରଷ୍ଟାଚାରର ସୀମା ଲଂଘନ କରି ହତ୍ୟା, ଧର୍ଷଣ, ଲୁଣ୍ଠନ, ବଳାତ୍କାର ପ୍ରଭୃତି କୁକର୍ମ ପ୍ରତିମୁହୂର୍ତ୍ତରେ କରାଯାଉଥିବାରୁ ପ୍ରଳୟ କାଳ ଆସିଗଲା ବୋଲି ଜାଣ । କିନ୍ତୁ ପ୍ରଳୟ ପୟୋଧି ଜଳରୁ ପୁଣ୍ୟତ୍ମାମାର୍କଣ୍ଡ ଋଷିଙ୍କୁ ସିନା ପ୍ରଭୁ ଉଦ୍ଧାର କରିଥିଲ, ପାପିଷ୍ଠମାନଙ୍କୁ ସେ କେବେ ହେଲେ ଉଦ୍ଧାର କରିବେ ନାହିଁ ବା ପ୍ରଶ୍ରୟ ଦେବେ ନାହିଁ ।

☆☆☆

 

ମର୍ତ୍ତ୍ୟରେ ଅନେକ ଈଶ୍ୱର

 

ପିଲା ଦିନିୁ ମୁଁ ଅନେକ ଦେବଦେବୀଙ୍କୁ ପୂଜା କରି ଆସିଛି । ମୋ ବାପାର ସକାଳେ ପ୍ରାୟ ଦୁଇଘଣ୍ଟା ଏବଂ ସନ୍ଧ୍ୟାରେ ଘଣ୍ଟାଏ ପୂଜା ପ୍ରାର୍ଥନା ଓ ଧ୍ୟାନ ପ୍ରାଣାୟମ କରୁଥିଲେ । ମା’ ଧ୍ୟାନ କରୁଥିଲା, କିନ୍ତୁ ଏତେ ଦେବଦେବୀ ପୂଜା କରୁଥିଲ ମଧ୍ୟ ବାପା ମୋତେ କହୁଥିଲେ ଯେ ଈଶ୍ଵର ଏକ ଏବଂ ଅଦ୍ୱିତୀୟ । ସେ ଜଗତର ଏକମାତ୍ର କର୍ତ୍ତା । ଜୀବନ ଓ ଜଡ଼ ଜଗତ ସର୍ବତ୍ର ସେ ବିଦ୍ୟମାନ । ପିଲାଦିନେ ମୋର ଭ୍ରମ ହେଉଥିଲା ଯଦି ଈଶ୍ଵର ଏକ ତେବେ ଏତେ ଦେବଦେବୀ ପୂଜା କରିବା ଦରକାର କଣ ? ବାପା ବୁଝାଇ ଦେଇ କହୁଥିଲେ ଅନ୍ୟାନ୍ୟ ଦେବଦେବୀଙ୍କ ମଧ୍ୟ ସ୍ୱତନ୍ତ୍ର ଶକ୍ତି ଅଛି କିନ୍ତୁ ସେମାନେ ରହିଥିବା ସତ୍ତ୍ୱେ କର୍ତ୍ତା ହେଉଛନ୍ତି ଜଣେ । ‘ଏକମସଦ୍‌ବିପ୍ରାବହୁଧାବଦନ୍ତି’ । ସେ ଏକ, କିନ୍ତୁ ପଣ୍ଡିତମାନେ ତାଙ୍କୁ ଅନେକ ବୋଲି କହନ୍ତି । କିଏ ଈଶ୍ଵର , କିଏ ଆଲ୍ଲା ଏବଂ କିଏ ଗଡ଼ କିନ୍ତୁ ନାମ ଭିନ୍ନହେଲେ ବି ସେମାନେ ଏକ ଭାଗବତରେ ଅଛିଯେ, ସକଳ ଘଟେ ନାରାୟଣ ବସନ୍ତି ଅନାଦି କାରଣ’ । ସବୁ ଜୀବ ପାଖରେ ନାରାୟଣଙ୍କ ସଭା ରହିଛି। ଏ ବିଶ୍ୱବ୍ରହ୍ମାଣ୍ଡରେ କୋଟି କୋଟି ଗ୍ରହ, ନକ୍ଷତ୍ର, ଚନ୍ଦ୍ର, ସୂର୍ଯ୍ୟ ଥିବା ପରି ପୂର୍ବଜମାନଙ୍କ କଳ୍ପନାରେ ତେତିଶିକୋଟି ଦେବଦେବୀ ମଧ୍ୟ ଅଛନ୍ତି । ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା ଏବଂ ମହାଦେବ ସଂହାର କର୍ତ୍ତା । ସେମାନଙ୍କ ମଧ୍ୟରେ କର୍ମର ବିଭାଜନ ହୋଇଛି । କିନ୍ତୁ ସବୁ ସୃଷ୍ଟିର ମୂଳ ଜଣେ, ସେ ସୌର ଜଗତ, ମର୍ତ୍ତ୍ୟ ଓ ବ୍ରହ୍ମାଣ୍ଡର ଅଧୀଶ୍ଵର ।

 

କାଳକ୍ରମେ ବିଭିନ୍ନ ଦେଶ ଓ ଅଞ୍ଚଳରେ ଈଶ୍ଵର ଚେତନା ସୃଷ୍ଟି ହେଲାଏବଂ ଈଶ୍ୱର ବିଶ୍ୱାସ ଦୃଢ଼ ହେଲା । ଏବେ ପୃଥିବୀର ପ୍ରାୟ ସାତ ଶହକୋଟି ଲୋକଙ୍କ ମଧ୍ୟରୁ ଶହେକୋଟିଙ୍କ ଈଶ୍ୱର ବିଶ୍ୱାସ ନାହିଁ । କିନ୍ତୁ ଅନ୍ୟମାନେ ଈଶ୍ୱର ବିଶ୍ୱାସୀ । ସେମାନଙ୍କର ବିଶ୍ୱାସ ଅନୁସାରେ ସେମାନେ ପୂଜା ପ୍ରାର୍ଥନା କରନ୍ତି । ଈଶ୍ଵର ଏକ ଏବଂ ଅଦ୍ୱିତୀୟ ବୋଲି ଖ୍ରୀଷ୍ଟାନ, ମୁସଲ୍‍ମାନ ଓ ଅନ୍ୟ ଧର୍ମାବଲମ୍ବୀମାନଙ୍କ ବିଶ୍ୱାସ । କିନ୍ତୁ ନିଜ ଧର୍ମର ଈଶ୍ୱରଙ୍କ ବାହାରେ ଯେ ଅନ୍ୟମାନଙ୍କ ପାଇଁ ଭିନ୍ନ ଭିନ୍ନ ଈଶ୍ଵର ଅଛନ୍ତି ଏହିପରି ଉଦ୍ଭଟ କଳ୍ପନା କେତେକଙ୍କର ରହିଛି । କେହି କେହି ତାଙ୍କ ଈଶ୍ଵର ହିଁ ଏକମାତ୍ର ଈଶ୍ୱର କହି ଅନ୍ୟମାନଙ୍କ ବିଶ୍ୱାସରେ ଆଘାତ ଦବାପରି ଅନିଷ୍ଟକାରୀ ମାନସିକତା ନେଇ ପୃଥିବୀର ବିଭିନ୍ନ ଧର୍ମ ଓ ଜାତି ଗୋଷ୍ଠୀର ଭିନ୍ନ ଭିନ୍ନ ଈଶ୍ଵର ଅଛନ୍ତି ବୋଲି କହନ୍ତି ମର୍ତ୍ତ୍ୟରେ ଏକାଧିକ ଈଶ୍ୱର ରହିବେ । ଏହାଦ୍ୱାରା ମର୍ତ୍ତ୍ୟରେ ଭିନ୍ନ ଭିନ୍ନ ଈଶ୍ଵରମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପରିବର୍ତ୍ତେ ମନାନ୍ତର, ମତାନ୍ତର ଓ ସଂଘର୍ଷ ସୃଷ୍ଟି ହେବ । ଈଶ୍ଵର ଗୋଟିଏ ଜାତିସଂଘ ପରି ଅନୁଷ୍ଠାନ ନୁହନ୍ତି । ସେ ଜଗତର ପାଳନକର୍ତ୍ତା । ସେସବୁ ଧର୍ମର ଉତ୍ସ ଏବଂ ସମସ୍ତଙ୍କୁ ସେ ସମାନ ହିସାବରେ ଦେଖନ୍ତି । ତାଙ୍କରି ଆଜ୍ଞାରୁ ଏଇ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି । ଉଚ୍ଚତର ଭାବନାରେ କେବଳ ଜଣେ ଈଶ୍ୱର ସର୍ବତ୍ର ବିଦ୍ୟମାନ, କିନ୍ତୁ ସ୍ଥୂଳ ଚେତନାରେ ଈଶ୍ଵରଙ୍କ ସନ୍ତାନମାନଙ୍କୁ ଭାଗ ଭାଗ କରିଛି ମଣିଷ ।

 

ଭାରତରେ ପାଞ୍ଚହଜାର ବର୍ଷ ପୂର୍ବରୁ କେବଳ ସନାତନଧର୍ମର ପ୍ରସାର ଥିଲା । ପରେ ପରେ ଜୈନ ଧର୍ମ ଓ ବୌଦ୍ଧ ଧର୍ମ ସୃଷ୍ଟି ହେଲା । କିନ୍ତୁ ସନାତନ ଧର୍ମର ସମନ୍ୱିତ ଧାରାରେ ସହାବସ୍ଥାନ କରିବା ପାଇଁ ସମସ୍ତଙ୍କ ପାଇଁ ସ୍ଥାନ ରହିଛି । ଏପରିକି ବୁଦ୍ଧଙ୍କୁ ଈଶ୍ଵରଙ୍କ ଅବତାର ପୁରୁଷ ଭାବେ ଗ୍ରହଣ କରାଯାଇଛି । ଏହାଦ୍ୱାରା ସଂଘର୍ଷକୁ ଏଡ଼ାଇ ଦେଇ ସମନ୍ୱୟ ସ୍ଥାପନ କରାଯାଇଛି । କିନ୍ତୁ ପରବର୍ତ୍ତୀ କାଳରେ ଖ୍ରୀଷ୍ଟ ଧର୍ମ ଓ ଇସ୍‌ଲାମ ପ୍ରଭୃତିର ଧର୍ମର ସ୍ଥାପନା କରାଗଲା । ସେଇ ଧର୍ମର ପ୍ରସାର ମଧ୍ୟ ହେଲା । ଇତିହାସରୁ ଆମେ ଜାଣୁ ଯେ ଆଲେକ୍‌ଜାଣ୍ଡାରଙ୍କ ପରେ ବିଦେଶୀନେ କିପରି ବାରମ୍ବାର ଭାରତ ଆକ୍ରମଣକରି ଧନ, ରତ୍ନ ଲୁଣ୍ଠନ କରି ଫେରିଗଲେ ଏବଂ ଭିନ୍ନ ଧର୍ମ ପ୍ରସାର ହେଲା । ଦେଶ ଜୟ କରି ମୋଗଲମାନଙ୍କ ପରି କେତେକ ରହିଗଲେ ଏବଂ ଏଇ ଦେଶର ପାଣିପବନ ଓ ଚଳଣିକୁ ଗ୍ରହଣ କରି ନେଲେ । ଓଳନ୍ଦାଜ, ଇଂରେଜ ଫରାସୀ ପ୍ରଭୃତି ବାଣିଜ୍ୟ କରିବାକୁ ଆସି ଉପନିବେଶ ସ୍ଥାପନ କଲେ ଭାରତରୁ ଧନରତ୍ନ ଚାଲାଣ କଲେ ନିଜ ଦେଶକୁ ଏବଂ ଧର୍ମପ୍ରଚାର କଲେ । ତଥାପି ଦୀର୍ଘକାଳ ପରେ ବି ଇଂରେଜମାନଙ୍କ ସଂଖ୍ୟା ଏବେ ନଗଣ୍ୟ ଏବଂ ମୁସଲମାନଙ୍କ ସଂଖ୍ୟା ୧୫ ପ୍ରତିଶତରୁ କମ୍ । କିନ୍ତୁ ପୂର୍ବେ ଏହା ସତ୍ତ୍ୱେ ଧର୍ମକୁ ନେଇ ଏତେ ବିବାଦ ହୋଇନଥିଲା ।

 

ଏ ଦେଶକୁ ବାହାରୁ ଯେଉଁମାନେ ଆସିଥିଲେ ସେମାନଙ୍କ ଧର୍ମ ଭିନ୍ନ ହେଲେ ମଧ୍ୟ ଧର୍ମ ବିଚାର ନେଇ ପ୍ରଥମେ ସଂଘର୍ଷ ନଥିଲା । କିନ୍ତୁ ପରେ ଧର୍ମ ପରିବର୍ତ୍ତନ କାମ ଏଇଥିପାଇଁ ସେମାନେ ଆରମ୍ଭ କଲେ ଯେ ଧର୍ମାନ୍ତୀକରଣ ଦ୍ଵାରା ଏଇ ଦେଶକୁ ସେମାନଙ୍କ ଅକ୍ତିଆରରେ ରଖି ପାରିବେ । କିନ୍ତୁ ସେମାନଙ୍କ ଠାରୁ ଆହୁରି ସଂଖ୍ୟାଧିକ ପ୍ରଲୋଭନ, ପ୍ରଭାବ ବା ବାଧ୍ୟବାଧକତାରେ ପଡ଼ି ଧର୍ମାନ୍ତରକୁ ଉନ୍ନତିର ଆଉ ଏକ ମାର୍ଗ ଭାବେ ଗ୍ରହଣ କରିଥିଲେ । ଏଇ ପ୍ରକ୍ରିୟାରେ ଧର୍ମାନ୍ତୀକରଣ ଦୀର୍ଘକାଳ ଚାଲିଆସିଛି । ଏବେ ତ ଭାରତର ସତର ପ୍ରତିଶତ ଅନ୍ୟାନ୍ୟ ଧର୍ମର ଲୋକ । ସେମାନଙ୍କ ମଧ୍ୟରେ ପ୍ରଧାନ ହେଉଛନ୍ତି ମୁସଲମାନ ଓ ଖ୍ରୀଷ୍ଟାନ । କିନ୍ତୁ ଭାରତର ସନାତନଧର୍ମର ମାନବିକ ଓ ଉଦାରବାଦୀ ପ୍ରବାହରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ ଓ ପାର୍ଶି ସମସ୍ତଙ୍କ ମଧ୍ୟରେ ଧୀରେ ଧୀରେ ସଂହତି ଓ ସହାବସ୍ଥାନ ଘଟିଛି । ଧର୍ମ ଭିନ୍ନ ହେଲେ ମଧ୍ୟ ଦେଶରେ ଏକାଧିକ ଧର୍ମାବଲମ୍ବୀମାନଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ଭାରତୀୟ ସନାତନ ଜୀବନ ଧାରାର ଅଙ୍ଗଭାବେ ଧରି ନିଆଯାଇଛି ।

 

ସାମ୍ପ୍ରତିକ କାଳରେ ଏଇ ଚେତନାରେ ବିଭ୍ରାଟ ଘଟିଛି । ପ୍ରତି ଧର୍ମର ଲୋକ ନିଜ ସ୍ୱତନ୍ତ୍ରତା, ବୈଶିଷ୍ଟ୍ୟ ଏବଂ ପରାକ୍ରମ ସାବ୍ୟସ୍ତ କରିବାକୁ ଯାଇ ଈଶ୍ଵର ଏକ ହେଲେ ମଧ୍ୟ ତାଙ୍କୁ ନିଜ ମାର୍ଗର ଈଶ୍ୱର ବୋଲି କହିବା ସହିତ ତାଙ୍କ ବାହାରେ ଅନ୍ୟମାନଙ୍କ ଈଶ୍ୱରକୁ ଗୌଣ ଭାବିବା ଦ୍ଵାରା ଧର୍ମାନ୍ତରୀକରଣ ପରି କାମ ସମ୍ଭବ ହେଉଛି । ବାସ୍ତବତା ପ୍ରତି କାହାରି ଦୃଷ୍ଟି ନାହିଁ ।

 

ଧର୍ମର ସାରତତ୍ତ୍ୱ କେହି ବିଚାରକୁ ନେଉନାହାନ୍ତି । ଶ୍ରୀରାମକୃଷ୍ଣ ପରମହଂସ ନିଜ ଜୀବନରେ ଈଶ୍ଵର ଏକ ଓ ଅଭିନ୍ନ ବୋଲି ପ୍ରମାଣ କରିଥିଲେ । ଈଶ୍ଵର ଏକ, କିନ୍ତୁ ସେ ଭିନ୍ନ ଭିନ୍ନ ନାମରେ ଭିନ୍ନ ଭିନ୍ନ ସ୍ଥାନରେ ପରିଚିତ । ସେଥିପାଇଁ ବେଦରେ କୁହାଯାଇଛି ଯେ ସେ ଏକ ହେଲେ ବି ପଣ୍ଡିତମାନେ ତାଙ୍କୁ ଭିନ୍ନ ଭିନ୍ନ ନାମରେ ଡାକନ୍ତି । ଯେତେ ମତ ସେତେ ପଥ । ଦିଲ୍ଲୀ ଗୋଟିଏ-। କିନ୍ତୁ ଦିଲ୍ଲୀରେ ପହଞ୍ଚିବା ପାଇଁ ଅନେକ ବାଟ ଅଛି । ପୋଖରୀର ଅନେକ ଘାଟ, ଯାହାର ଯେଉଁଠି । ସୁବିଧା ସେଠାରୁ ପାଣି ନିଏ ।

 

ତେବେ ଈଶ୍ଵର ଯଦି ଏକ ସମସ୍ତେ ଯଦି ତାଙ୍କର ସନ୍ତାନ ଏବଂ ଏଇ ସୃଷ୍ଟି ବି ତାଙ୍କର ତେବେ ନିଜସ୍ୱ ଧର୍ମରେ ଉତ୍ତରଣର ମାର୍ଗ ଅନୁସରଣ ନକରି ଧର୍ମାନ୍ତର ପାଇଁ ବାଟ ଖୋଜିବା କାହିଁକି ? ଧର୍ମ ନାମରେ ଅନ୍ୟ ଧର୍ମାବଲମ୍ବୀମାନଙ୍କ ପ୍ରତି ବିଦ୍ୱେଷ, ଆକ୍ରୋଶ ରଖିବା ଧର୍ମୀୟ ମାନସିକତା ନୁହେଁ । ଏକାଧିକ ଈଶ୍ୱର ଥିବା ମତ ଗ୍ରହଣ କଲେ ମର୍ତ୍ତ୍ୟରେ ମଧ୍ୟ ଏକାଧିକ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଲାଗିବ । ସ୍ଵର୍ଗରେ ଜଣେ ମାତ୍ର ଈଶ୍ୱର । ଏଇ ବିଶ୍ୱବ୍ରହ୍ମାଣ୍ଡ ତାଙ୍କରି ସୃଷ୍ଟି । ଚଳପ୍ରଚଳ ହେଲେ ଜଣେ ଆଉ ଜଣକ ଧର୍ମ ଓ ବିଶ୍ୱାସକୁ ନ୍ୟୂନ କରିବ ନାହିଁ । ପ୍ରଭାବ, ପ୍ରଲୋଭନ ଏବଂ ବାଧ୍ୟବାଧକତା ଦ୍ଵାରା ଧର୍ମାନ୍ତରୀକରଣ ଏଥିପାଇଁ ଆଇନ ବିରୁଦ୍ଧ । ସମନ୍ୱୟ ଓ ସହାବସ୍ଥାନ ଦ୍ଵାରା ଶାନ୍ତି, ମୈତ୍ରୀ, ଭାତୃତ୍ୱ ଭାବ ହିଁ ଦୃଢ଼ ହେବ ।

 

ଏଇ ଦୃଷ୍ଟିକୋଣ ନେଇ ସବୁ ଧର୍ମର ଆଚାର୍ଯ୍ୟମାନେ କାର୍ଯ୍ୟ କଲେ ମର୍ତ୍ତ୍ୟରେ ଧର୍ମ ନାମରେ ଏକାଧିକ ଈଶ୍ଵରଙ୍କୁ ନେଇ ସଂଘର୍ଷ ସୃଷ୍ଟି ହେବ ନାହିଁ ବା ଈଶ୍ଵରଙ୍କ ସନ୍ତାନମାନେ ଧର୍ମ, ଜାତି ଗୋଷ୍ଠୀ ନାମରେ ଭାଗଭାଗ ହୋଇଯିବେ ନାହିଁ । କନ୍ଧମାଳ ଓ ଅନ୍ୟତ୍ର ଧର୍ମକୁ ନେଇ ଘଟୁଥିବା ହିଂସା ଓ ସଂଘର୍ଷ ଧର୍ମର ମାର୍ଗ ନୁହେଁ ବରଂ ଏହା ମିଥ୍ୟା ଓ ଛଳନାର ମାର୍ଗ । ଏଇ ମାର୍ଗ ବର୍ଜନୀୟ । ଗୀତାରେ କୁହାଯାଇଛି ଯେ “ସ୍ୱଧର୍ମେ ନିଧନ ଶ୍ରେୟ, ପରୋଧର୍ମ ଭୟାବହ” । ଏହାର ସ୍ଥୂଳ ଅର୍ଥ ଏବଂ ସୂକ୍ଷ୍ମ ଅର୍ଥ ଉଭୟର ଉଦ୍ଦେଶ୍ୟ ଏକ । ଧର୍ମ ଉତ୍ତରଣର ମାର୍ଗ । ଚାକିରି ବା ବ୍ୟବସାୟ ମାର୍ଗ ନୁହେଁ । ଧର୍ମ ବୃଦ୍ଧି ନୁହେଁ । ତେଣୁ ଏହାକୁ ବ୍ୟବସାୟିକ କରିବା ଉଚିତ୍ ନୁହେଁ । ଧର୍ମ ଭାବରୁ ସମତା, ସମଦୃଷ୍ଟି ସୃଷ୍ଟି ହୁଏ ।

 

ତେଣୁ ଜଣେ ସଚ୍ଚା ହିନ୍ଦୁ, ମୁସଲମାନ ବା ଖ୍ରୀଷ୍ଟାନ ଯାହା ହେଲେ ମଧ୍ୟ ତା’ର ଅନ୍ୟ ଧର୍ମ ପ୍ରତି ବିଦ୍ୱେଷ ରହିବ ନାହିଁ କି ବଡ଼ ସାନ ଭେଦ ରହିବ ନାହିଁ । ସବୁ ଧର୍ମର ମୂଳ ଏକ–ଏଇ ବିଶ୍ୱାସ ଦୃଢ଼ ହେଲେ ଏକାଧିକ ଧର୍ମ ଥାଇ ମଧ୍ୟ ବିଶ୍ଵ ଚେତନା ଏକ ହେବ । ଏଠାରେ ମୁଁ କହିରଖେ ଯେ, ମୋ ଭାବନାରେ କୌଣସି ଧର୍ମ ନ୍ୟୁନ ନୁହେଁ । ଈଶ୍ୱରଙ୍କ ବାର୍ତ୍ତା ପ୍ରତି ଧର୍ମରେ ରହିଛି । ସୁତରାଂ ସ୍ଵର୍ଗରେ ଯଦି ଈଶ୍ୱର ଜଣେ, ମର୍ତ୍ତ୍ୟରେ ମଧ୍ୟ ସେଇ ଜଣେ । ସେ ହେଉଛନ୍ତି ଈଶ୍ଵର, ଆଲ୍ଲା ବା ଗଡ୍ ।

☆☆☆

 

ମୁଁ ପୁରାଣ କାହିଁକି ପଢ଼େ ?

 

ମୋ ଅଜା, ବାପା ଓ ମା’ଙ୍କଠାରୁ ରାମାୟଣ, ମହାଭାରତ ଓ ଅନେକ ପୁରାଣ ଉପାଖ୍ୟାନ ଶୁଣିଛି । ଶୁଣି ଶୁଣି ମନେ ରହିଯାଇଛି ଅନେକ କଥା । ମୋ ଅଜା କହୁଥିଲେ ଯେ ପୁରାଣ ନ ପଢ଼ିଲେ ଭାରତର ଆତ୍ମା, ଏହାର ସଂସ୍କାର, ସଂସ୍କୃତି, ଧର୍ମ ଓ ବିଚାର ଧାରା, ତ୍ୟାଗ ଓ ସତ୍ୟର ମହିମା ସଂପର୍କରେ ଜାଣିପାରିବ ନାହିଁ । ବେଦ ଓ ଉପନିଷଦ ବୁଝିବା କଷ୍ଟକର । କିନ୍ତୁ ସେସବୁର ସାରତତ୍ତ୍ଵ ଶ୍ରୀମଦ୍ ଭଗବଦ୍ ଗୀତାରେ ରହିଛି । ଗୀତାର ଅପାର ମହିମା ଭାରତର ଆଧ୍ୟାତ୍ମିକତାକୁ ଏ ପର୍ଯ୍ୟନ୍ତ ସଂଜୀବିତ କରିରଖିଛି । ବାପା ମୋ ନାମ ଦେଇଥିଲେ ଗୀତା । ପରେ ଅବଶ୍ୟ ମୁଁ ଯେତେବେଳେ ଗୀତା ପଢ଼ିଲି ବହୁ ବିଷୟରେ ଜାଣିଲି । ମୋ ପରି ଝିଅ ବୋହୂ ଓ ଅନ୍ୟମାନେ ମଧ୍ୟ ମା’, ମାଉସୀ, ଜେଜେମା' ଠାରୁ ପୁରାଣର କାହାଣୀ ଶୁଣିଥିବେ । ଏ ଦେଶର ଲୋକଙ୍କ ଧର୍ମ ଓ ଦେଶପ୍ରୀତି, ତ୍ୟାଗ ଓ ତିତିକ୍ଷାର ମହିମା, ଅନୁସନ୍ଧାନର ଆନନ୍ଦ ଶାସ୍ତ୍ର ପୁରାଣ ନ ପଢ଼ିଲେ ଜାଣିହେବ ନାହିଁ । ମୁଁ ଅନେକ ଗଳ୍ପ, ଉପନ୍ୟାସ ଓ କାବ୍ୟକବିତା ଜାଣିଛି । କିନ୍ତୁ ଗୀତା ଓ ଶ୍ରୀ ଶ୍ରୀ ଚଣ୍ଡୀ ମୁଁ କୋଡ଼ିଏ ବର୍ଷରୁ ଉର୍ଦ୍ଧ୍ୱ ହେବ ପଢ଼ି ଆସୁଛି । ବେମାର ପଡ଼ିବା ପର୍ଯ୍ୟନ୍ତ ମୁଁ ସବୁଦିନ ଗୀତା ଓ ଶ୍ରୀଚଣ୍ଡୀରୁ କିଛି ପଢ଼ିଥାଏ । ମଝିରେ ମଝିରେ ଭାଗବତ, ରାମାୟଣ ମଧ୍ୟ ପଢ଼େ । ଆମ ଘରେ ଓ ମୋ ଶ୍ୱଶୁର ଘରେ ଭାଗବତ ଗାଦିରେ ଭାଗବତ, ହରିବଂଶ, ରାମାୟଣ, ମହାଭାରତ ଓ ନାନାଦି ତାଳପତ୍ର ପୋଥି ପୂଜା ପାଇବାର ବିଧି ଅନେକ ଆଗରୁ ଚଳିଆସିଛି । ଗାଁରେ ନିୟମିତ ଭାଗବତ, ରାମାୟଣ, ମହାଭାରତ ପାରାୟଣ ହେବାର ମୁଁ ଦେଖିଛି । ଦୀର୍ଘବର୍ଷ ପରେ ଏବେ ମୁଁ କହୁଛି ଯେ ବର୍ତ୍ତମାନ ଯଦି ମୋ ପିଲାମାନେ ଅବାଟରେ ଯାଉଥାନ୍ତି ତେବେ ତାହା ହେଉଛି ସେମାନଙ୍କୁ ବିଦ୍ୟାଳୟରେ ଓ ପରିବାରରେ ଶାସ୍ତ୍ରପୁରାଣ ସମ୍ବନ୍ଧରେ ସଚେତନ ନ କରିବାର ଫଳ । ପୁରାଣମାନଙ୍କରେ ଅଜସ୍ର କାହାଣୀ ରହିଛି । ମନରେ ଭଗବତ୍ ବିଶ୍ୱାସକୁ ଦୃଢ଼ କରିବା ପାଇଁ ବିଭିନ୍ନ ଉପାଖ୍ୟାନ ଦିଆଯାଇଛି । ସେଥିରୁ ମୋ ମନରେ ପ୍ରଭାବ ପକାଇବା କେତୋଟି ପ୍ରସଙ୍ଗ ଏଠାରେ ଉଲ୍ଲେଖ କରିବି ।

 

ରାମାୟଣର କାହାଣୀ ଓ ରାବଣ ଯୁଦ୍ଧ, ସେତୁବନ୍ଧ ଏବଂ ଜଟାୟୁ ଉପାଖ୍ୟାନ ମୋତେ ବିଚଳିତ କରିଛି । ସୀତାଙ୍କୁ ଅଗ୍ନିପରୀକ୍ଷା ଏବଂ ନିର୍ବାସନ ମୋତେ ବ୍ୟଥିତ କରିଛି । ପୁରୁଷପ୍ରଧାନ ସମାଜର ଆଜ୍ଞାପାଳନ ନ କଲେ ନାରୀମାନଙ୍କୁ କିପରି କଷ୍ଟ ସହିବାକୁ ପଡ଼େ ବା କୌଣସି ପାପ ନ କରି ମଧ୍ୟ ସେମାନଙ୍କର ସନ୍ଦେହ ସୃଷ୍ଟି ହେଲେ କିପରି ଲୋକଙ୍କ ଅପବାଦରୁ ନିସ୍ତାର ପାଇବା ପାଇଁ ପୁରୁଷ ନାରୀକୁ ବଳିଦେଇପାରେ ଏପରି ପ୍ରଶ୍ନ ମଧ୍ୟ ମୋ ମନରେ ଉଠିଛି । କିନ୍ତୁ ରାମାୟଣ ପଢ଼ିବାପରେ ବୁଝିଚି ଯେ ସତ୍ୟ, ଧର୍ମରକ୍ଷା ଓ ପ୍ରଜାରଂଜନ ପାଇଁ ଏପରି ବ୍ୟବସ୍ଥା ରହିଥିଲା । କିନ୍ତୁ ରାମାୟଣର ସୃଷ୍ଟି କିପରି ହେଲା ତାହା ଏଠାରେ କହିବି ।

 

ଦିନେ ନାରଦଙ୍କ ସହିତ ସାକ୍ଷାତ ହେବାରୁ ବାଲ୍ମୀକି ତାଙ୍କଠାରୁ ଜାଣିବାକୁ ଚାହିଁଲେ ପୃଥିବୀରେ ଏପରି କେହି ଅଛନ୍ତି ଯିଏ ଗୁଣବାନ, ଧର୍ମଜ୍ଞ, ସଂଜତେନ୍ଦ୍ରିୟ, ସତ୍ୟବାଦୀ ଓ ଦୃଢ଼ବ୍ରତ, ସଚ୍ଚରିତ୍ର, ସମସ୍ତଙ୍କର କଲ୍ୟାଣକାରୀ, ବିଦ୍ୱାନ ଏବଂ କର୍ତ୍ତବ୍ୟ ପରାୟଣ । ଏହି ପ୍ରଶ୍ନ ଶୁଣିବା ପରେ ତ୍ରିକାଳଦର୍ଶୀ ନାରଦ କହିଲେ—ଇକ୍ଷାକୁ ବଂଶରେ ଜନ୍ମିଥିବା ଜଣେ ରାଜା ଅଛନ୍ତି ଯାହାଙ୍କର ଏପରି ଗୁଣ ଅଛି । ସେ ମଧ୍ୟ ଜିତେନ୍ଦ୍ରିୟ, ସତ୍ୟନିଷ୍ଠ ଧର୍ମଜ୍ଞ ଓ ରାଜନୀତିଜ୍ଞ ଏବଂ ଶତ୍ରୁନାଶକ । ସେ ହେଉଛନ୍ତି ଦଶରଥ ତନୟ ରାମଚନ୍ଦ୍ର । ଏହାପରେ ରାମଙ୍କ ଅଭିଷେକ, ଦଶରଥଙ୍କ ମୃତ୍ୟୁ, ବନବାସ ଓ ପରବର୍ତ୍ତୀ ବୃତ୍ତାନ୍ତ ସବୁ ତାଙ୍କୁ ଶୁଣାଇଲେ ଏବଂ କହିଲେ ଯେ ଏଇ ରାମଚରିତ ପାଠ କଲେ ସବୁ ପାପ କ୍ଷୟ ହୁଏ ।

 

କିନ୍ତୁ ବାଲ୍ମୀକି କିଏ ତାହା ମଧ୍ୟ ଜାଣିବା ପାଇଁ ଇଚ୍ଛା ହେବାରୁ ସେ କିପରି ମହାକାବ୍ୟ ରାମାୟଣ ରଚନା କଲେ ତାହାର ମୂଳକଥା ମଧ୍ୟ ଏଠାରେ କହିବି ପାଠକମାନଙ୍କ ସୁବିଧା ପାଇଁ । ଶିଷ୍ୟ ଭରଦ୍ଵାଜଙ୍କ ସହିତ ଦିନେ ତମସା ନଦୀ କୂଳରେ ରହୁଥିବାବେଳେ ସେ ଦେଖିଲେ ଯେ କ୍ରୌଞ୍ଚ ଓ କ୍ରୌଞ୍ଚ ମିଥୁନରତ ଥିବାବେଳେ ବ୍ୟାଧର ଶର ଦ୍ଵାରା କ୍ରୌଞ୍ଚର ମୃତ୍ୟୁ ହେଲା ଏବଂ ସେଇ ବିରହ ଜ୍ୱାଳା ସହି ନ ପାରି କ୍ରୌଞ୍ଚୀ ରୋଦନ କରିବାକୁ ଲାଗିଲା । କ୍ରୌଞ୍ଚୀର ସେଇ କରୁଣ ବିଳାପ ଶୁଣିବା ପରେ ବାଲ୍ଲୀକିଙ୍କ ହୃଦୟ କରୁଣାରେ ଭରିଗଲା ଏବଂ ତାଙ୍କ ତୁଣ୍ଡରୁ ଦୁଇପଦ ବାଣୀ ବାହାରିଗଲା—

 

ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ ଶାସ୍ଵତୀ ସମା ।

ଯତ୍ କ୍ରୋଞ୍ଚ ମିଥୁନାଦେକମବଧୀଃ କାମ ମୋହିତମ୍ ।।

 

ଏହାର ଅର୍ଥ ହେଉଛି : ନିଷାଦ ! ତୁ କାଳକାଳ ପ୍ରତିଷ୍ଠା ଲାଭ କରିବୁ ନାହିଁ, କାରଣ କ୍ରୋଞ୍ଚ ମିଥୁନରତ ଥିବାବେଳେ ତୁ ସେମାନଙ୍କ ମଧ୍ୟରୁ ଜଣକୁ କାମମୋହିତ ଅବସ୍ଥାରେ ବଧ କଲୁ-

 

ବାଲ୍ମୀକି କଣ୍ଠରୁ ଏଇ ଅଭିଶାପ ହଠାତ୍ ବାହାରିଯିବାରୁ ସେ ଭାବିଲେ ଆହା ମୁଁ କଣ କଲି । କ୍ରୌଞ୍ଚୀର ଶୋକ ଦେଖି ଆକୁଳ ହୋଇ କ’ଣ କରିଛି । ଏହାପରେ ସେ ଶିଷ୍ୟ ଭରଦ୍ଵାଜଙ୍କୁ ଡାକି କହିଲେ—ମୁଁ ଯେଉଁ ଚରଣବଦ୍ଧ ସମାନ ଅକ୍ଷର ବ୍ୟବହାର କରି ଗାଇବା ପାଇଁ ଯୋଗ୍ୟ ବାକ୍ୟ ମୋ କଣ୍ଠରୁ ଶୋକର ଆବେଗରେ ନିଃସୃତ ହେଲା ଏହା ହେଉଛି ପୃଥିବୀର ପ୍ରଥମ ଛନ୍ଦ କବିତା । ଏହାପରେ ବାଲ୍ମିକୀଙ୍କ ସମ୍ମୁଖରେ ବ୍ରହ୍ମା ଆବିର୍ଭାବ ହେବାରୁ ତାଙ୍କୁ ଯଥାଯୋଗ୍ୟ ସମ୍ବର୍ଦ୍ଧନା କଲେ । ସେତେବେଳେ ମଧ୍ୟ ବାଲ୍ମୀକି କ୍ରୌଞ୍ଚମିଥୁନ କଥା ଭୁଲିନଥିଲେ ଏବଂ ତାଙ୍କ ହୃଦୟ ଶୋକର ଆବେଗରୁ ମୁକୁଳିନଥିଲେ । ଏବଂ କ୍ରୌଞ୍ଚୀର ଦୁଃଖ ସ୍ମରଣ କରି ସେଇ ଶ୍ଳୋକ ଆବୃତ୍ତି କରିବାକୁ ଲାଗିଲେ । ତା’ ପରେ ବ୍ରହ୍ମା ବାଲ୍ମୀକିଙ୍କୁ କହିଲେ ଯେ ଏଇ ଛନ୍ଦୋବଦ୍ଧ ପଦ ଶ୍ଳୋକ ନାମରେ ଖ୍ୟାତ ହେବ । ମୋ ଇଚ୍ଛା ଯୋଗୁ ତୁମ ମୁହଁରୁ ଏଇ ବାଣୀ ନିଃସୃତ ହୋଇଥିଲା । ବାଲ୍ମୀକିଙ୍କ ମୁଖନିଃସୃତ ଛନ୍ଦୋବଦ୍ଧ କବିତା ସେହି ଦିନରୁ ଶ୍ଳୋକ ଭାବେ ବିଖ୍ୟାତ ହେଲା ଏବଂ ବ୍ରହ୍ମାଙ୍କର ଇଚ୍ଛାନୁସାରେ ହୋଇ ଛନ୍ଦୋବଦ୍ଧ ଶ୍ଳୋକରେ ରାମାୟଣ ରଚନା କଲେ ବାଲ୍ମୀକି ।

 

ଜଟାୟୁ ଉପାଖ୍ୟାନ :

 

ରାବଣ ବଳପୂର୍ବକ ସୀତାଙ୍କୁ ହରଣ କରି ବିମାନରେ ନେଇଯାଉଥିବାବେଳେ ସୀତା ବିଳାପ କରୁଥିଲେ । ସେଇ ସମୟରେ ଗୋଟିଏ ଗଛ ଉପରେ ଜଟାୟୁକୁ ଦେଖିବାକୁ ପାଇଲେ । ସୀତା ତାଙ୍କୁ କହିଲେ—ଜଟାୟୁ, ରାବଣ ମୋତେ ହରଣ କରିନେଉଛି ଦେଖ । ଅସ୍ତ୍ରଧାରୀ ରାବଣକୁ ତୁମେ ନିବୃତ୍ତ କରିବା ସମ୍ଭବ ନୁହେଁ, ତେଣୁ ତୁମେ ରାମ ଓ ଲକ୍ଷ୍ମଣଙ୍କୁ ଖବର ଦିଅ ।

 

ଜଟାୟୁ ଶୋଇଥିଲେ । କିନ୍ତୁ ସୀତାଙ୍କ ବିଳାପ ଶୁଣି ଉଠିବସିଲେ । ରାବଣକୁ କହିଲେ–ଭାଇ ! ଏପରି ଖରାପ କାମ କରନାହିଁ । ରାମ ସମସ୍ତଙ୍କର ରାଜା ଓ ହିତକାରୀ । ସୀତା ତାଙ୍କର ଧର୍ମପତ୍ନୀ । ନିଜ ଧର୍ମପତ୍ନୀଙ୍କ ପରି ଅନ୍ୟ କାହାର ସ୍ତ୍ରୀଙ୍କୁ ମଧ୍ୟ ଧର୍ଷଣରୁ ରକ୍ଷାକରିବା ଉଚିତ-। ରାମ ତୁମର କୌଣସି ଅନିଷ୍ଟ କରିନାହାନ୍ତି । ତୁମେ ତୁରନ୍ତ ସୀତାଙ୍କୁ ଛାଡ଼ିଦିଅ । ନଚେତ୍ ତାଙ୍କ କୋପରେ ଦଗ୍ଧ ହେବ । କିନ୍ତୁ ରାବଣ ତାଙ୍କ କଥାରେ କର୍ଣ୍ଣପାତ ନ କଲାରୁ ଜଟାୟୁ ପୁଣି କହିଲେ–ଏପରି ଅପକର୍ମ କଲେ ତୁମର ଧର୍ମ ବେହନାହିଁ କିମ୍ବା ଯଶକୀର୍ତ୍ତି କିଛି ହେବନାହିଁ-। ମୁଁ ତୁମ ସହିତ ଯୁଦ୍ଧ କରିବି ।

 

ଏହା ଶୁଣି ବକ୍ତବ୍ୟରେ ରାବଣ ଜଟାୟୁ ଆଡ଼କୁ ଦୌଡ଼ିଲେ । ଦୁହିଁଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା । ରାବଣଙ୍କ ଅସ୍ତ୍ରାଘାତ ସତ୍ତ୍ୱେ ଜଟାୟୁ ନଖ ଓ ଦାନ୍ତରେ ତାଙ୍କୁ କ୍ଷତବିକ୍ଷତ କଲେ । ଯୁଦ୍ଧ ଚାଲିଲା । ଶେଷରେ ରାବଣ ଜଟାୟୁଙ୍କ ଡେଣା କାଟିଦେଲେ ଏବଂ ସେ ଭୂଇଁ ଉପରେ ପଡ଼ିଗଲେ । ପରେ ରାମ ଓ ଲକ୍ଷ୍ମଣ ସେଇ ବାଟରେ ଯିବାବେଳେ ଜଟାୟୁଙ୍କ ବିଧିପୂର୍ବକ ସତ୍କାର କଲେ ।

 

ଜଟାୟୁ ପରି ପକ୍ଷୀଙ୍କୁ ମାଧ୍ୟମ କରି ଜଗତକୁ ଯେଉଁ ବାର୍ତ୍ତା ବାଲ୍ମୀକି ଦେଲେ ତାହା ପୃଥିବୀ ଇତିହାସରେ ଆଉ କେବେ ଘଟିନଥିଲା ବା ଘଟିବ ନାହିଁ । ଜଟାୟୁ ଧର୍ମାତ୍ମା । ରାବଣ ଅଧର୍ମ ବାଟରେ ଯାଇ ପରନାରୀଙ୍କୁ ହରଣ କଲାବେଳେ ସୀତାଙ୍କ ବିଳାପ ଶୁଣିବା ମାତ୍ରେ କାଳବିଳମ୍ବ ନ କରି ସଶସ୍ତ୍ର ରାବଣଙ୍କୁ ପ୍ରତିରୋଧ କଲେ । ମୃତ୍ୟୁ ସୁନିଶ୍ଚିତ ଜାଣି ମଧ୍ୟ ତାଙ୍କର ବିରୋଧ କରି ଶେଷରେ ନିହତ ହେଲେ । ବର୍ତ୍ତମାନ ରାଜରାସ୍ତାରେ ମହିଳାମାନଙ୍କୁ ଦୁଷ୍ଟମାନେ ବଳାତ୍କାର କରୁଥିବା ଦେଖି ମଧ୍ୟ କେହି ଆଗେଇ ଆସନ୍ତି ନାହିଁ ଦୁଷ୍ଟମାନଙ୍କ ପ୍ରତିରୋଧ କରିବା ପାଇଁ । ଜଟାୟୁ ପକ୍ଷୀ ହୋଇ ମଧ୍ୟ ପାଷାଣ୍ଡ ରାବଣଙ୍କୁ ଯେପରି ଆକ୍ରମଣ କଲେ ଏବଂ ଜୀବନ ଦେଲେ ତାହା ଯୁଗ ଯୁଗ ଧରି ଆଦର୍ଶ ହୋଇ ରହିବ । ବର୍ତ୍ତମାନ ସମୟ ପାଇଁ ଜଟାୟୁ ଉପାଖ୍ୟାନର ଏତେ ଗଭୀର ପ୍ରାସଙ୍ଗିକତା ଅଛି ଯେ ଯଦି ସତମାର୍ଗରେ ଥିବା ମଣିଷମାନେ ଏପରି କୁକର୍ମର ବିରୋଧ କରନ୍ତେ ତେବେ ପୃଥିବୀ ପୁଣି ନିରାପଦ ହୁଅନ୍ତା । ସମସ୍ତଙ୍କ ପାଇଁ ଧର୍ମ ବିଲୟ ଘଟୁଥିବାରୁ ପାପାଚାର ବଢ଼ୁଛି ଏବଂ ଘୃଣ୍ୟ ଅପରାଧ କରିବା ପାଇଁ ମନରେ କୁଣ୍ଠାବୋଧ ରହୁନାହିଁ-

 

ସୀତାଙ୍କୁ ଅଗ୍ନିପରୀକ୍ଷା :

 

ସୀତାଙ୍କ ସତୀତ୍ଵ ଓ ପାତିବ୍ରତା ନେଇ ରାମଚନ୍ଦ୍ରଙ୍କ ମନରେ କୌଣସି ସଂଶୟ ନଥିଲା । ତଥାପି ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କଲାପରେ ସୀତାଙ୍କୁ ଗ୍ରହଣ କରିବା ପୂର୍ବରୁ କାହିଁକି ରାମଚନ୍ଦ୍ର ଅଗ୍ନିପରୀକ୍ଷା ଦବାପାଇଁ ଆଜ୍ଞା ଦେଲେ । ତାହା ସବୁକାଳ ପାଇଁ ଦୃଷ୍ଟାନ୍ତହୋଇ ରହିବ । ପ୍ରଜାମାନଙ୍କ ମନରେ ସୀତାଙ୍କ ସତୀତ୍ୱ ସଂପର୍କରେ କୌଣସି ସଂଶୟ ଯେପରି ନରହେ ସେଥିପାଇଁ ବୋଧହୁଏ ଏପରି ଆଜ୍ଞା ଦେଇଥିଲେ ରାମଚନ୍ଦ୍ର ।

 

ଏଇ ଆଜ୍ଞା ଶୁଣି ମା’ ସୀତା ଅଶ୍ରୁପୂର୍ଣ୍ଣ ଆଖିରେ କହିଲେ—ମୋର ହୃଦୟ ମୋର ଅଧୀନ । ସେଇ ହୃଦୟରେ ତୁମ ବିନା ଆଉ କୌଣସି ପୁରୁଷକୁ ମୁଁ ଚିନ୍ତା କରିନାହିଁ । କିନ୍ତୁ ମୋତେ ବଳପୂର୍ବକ ଯଦି ରାବଣ ନେଇଗଲେ ଏବଂ ତାଙ୍କ ଦେହର ସ୍ପର୍ଶ ଲାଗିଲା ତେବେ ମୁଁ ପରାଧୀନ ନାରୀ କ’ଣ କରିପାରିଥାନ୍ତି । ଏହା ଶୁଣିବା ପରେ ମଧ୍ୟ କେହି ପ୍ରତିବାଦ ନ କରି ନିରବ ରହିବାରୁ ଅଗ୍ନି ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ମଣଙ୍କୁ କହିଲେ ମା’ ସୀତା । ଅଗ୍ନିରେ ଝାସ ଦବା ପୂର୍ବରୁ କହିଲେ ଦୀର୍ଘକାଳ ଆମେ ଏକତ୍ର ବାସ କରିଛୁ । ଯଦି ତଥାପି ତୁମେ ମୋତେ ବୁଝିନାହିଁ ତେବେ ମୋ ପକ୍ଷରେ ତାହା ମୃତ୍ୟୁ ସମାନ । ମୋର ଜାନକୀ ନାମର ଅର୍ଥ ଏହା ନୁହେଁ ଯେ ଜନକଙ୍କଠାରୁ ମୋର ଜନ୍ମ । ବସୁଧାରୁ ମୋର ଉତ୍ପତ୍ତି । ତୁମେ ଚରିତ୍ରବାନ, କିନ୍ତୁ ମୋର ମହତ୍ ଚରିତ୍ରକୁ ତୁମେ ବିଶ୍ଵାସ କଲନାହିଁ । ବାଲ୍ୟକାଳେ ଯେଉଁ ପ୍ରତିଜ୍ଞା କରି ମୋର ପାଣିଗ୍ରହଣ କରିଥିଲ ତାହା ପାଶୋରିଗଲ ।

 

ଏହା ସତ୍ତ୍ୱେ ରାମଚନ୍ଦ୍ର ମତ ପରିବର୍ତ୍ତନ ନକଲାରୁ ସୀତା କହିଲେ—ହୃଦୟ ମୋର ଅଧୀନ । ତାହା ତୁମର ଥିଲା ଏବଂ ଅଛି । କିନ୍ତୁ ମୁଁ ପରାଧୀନ ଥିବାବେଳେ ଯଦି ମୋର ଅଙ୍ଗ ଅନ୍ୟ କେହି ସ୍ପର୍ଶ କରିଥାଏ ତେବେ ମୁଁ କିପରି ଅପରାଧୀ ହେବି ? ତଥାପି ମୁଁ କହୁଛି ଯେ ମୁଁ ଶୁଦ୍ଧ ଚରିତ୍ରା ଏବଂ ତୁମେ ହିଁ ମୋର ହୃଦୟେଶ୍ଵର ।

 

ଏହାପରେ ଲକ୍ଷ୍ମଣଙ୍କୁ କହିଲେ ଅଗ୍ନି ପ୍ରସ୍ତୁତ କରିବା ପାଇଁ । ଅଗ୍ନି ପ୍ରସ୍ତୁତ ହେଲା ଏବଂ ମା’ ସୀତା ଅଗ୍ନିରେ ପ୍ରବେଶ କରିବା ପୂର୍ବରୁ କହିଲେ—ଯଦି ମୋର ହୃଦୟ ଚିରକାଳ ରାଘବଙ୍କ ପ୍ରତି ଏକନିଷ୍ଠ ଥାଏ ଶୁଦ୍ଧ ଚରିତ୍ର ତେବେ ଅଗ୍ନିଦେବ ମୋତେ ରକ୍ଷା କରନ୍ତୁ । ଏହା କହି ସୀତା ଅଗ୍ନିରେ ପ୍ରବେଶ କଲେ ନିଶଙ୍କ ମନରେ । ଏହାପରେ ଅଗ୍ନି ତାଙ୍କୁ କୋଳରେ ଧାରଣ କରି ଉପରକୁ ଉଠିଲେ ଏବଂ ରାମଙ୍କ ହାତରେ ତାଙ୍କୁ ସମର୍ପଣ କଲେ ।

 

ଏଇ ଉପାଖ୍ୟାନ କାହିଁକି ବାଲ୍ମୀକି ସୃଷ୍ଟି କଲେ ? ଚିରକାଳ ପାଇଁ ସମସ୍ତଙ୍କ ମନରୁ ସଂଶୟ ଦୂର କରିବାପାଇଁ ସୀତାଙ୍କ ପବିତ୍ରତା ସଂପର୍କରେ । ସେଇଦିନୁ ଯୁଗ ଯୁଗ ଧରି ନାରୀ ଅଗ୍ନି ପରୀକ୍ଷା ଦେଇଆସୁଛି । ନିଜର ସତୀତ୍ଵ ଏକନିଷ୍ଠ ପବିତ୍ରତାର ଫଳ କିନ୍ତୁ ସେ କେତେବେଳେ ପାଇଛି ତ କେତେବେଳେ ପାଇନାହିଁ । ନାରୀ ସନ୍ଦେହର ବଳୟ ଭିତରେ ଚିରକାଳ ଅଶ୍ରୁ ଗଡ଼ାଇ ଚାଲିଛି । ଏକବିଂଶ ଶତାବ୍ଦୀରେ ମଧ୍ୟ ନାରୀ ପୂରା ସ୍ୱାଧୀନତା ପାଇନାହିଁ ।

 

ରାମାୟଣ ଲୋକଶିକ୍ଷା ଓ ଲୋକ ସଂଗଠନ ପାଇଁ ଉଦ୍ଦିଷ୍ଟ । ସତ୍ୟ, ଧର୍ମ, କର୍ତ୍ତବ୍ୟନିଷ୍ଠାର ଜୟଗାନ କରି ଲୋକଚରିତ୍ର ନିର୍ମାଣ କରିବା ପାଇଁ ମହାକବି ବାଲ୍ମୀକି ଏସବୁ ରଚନା କରିଛନ୍ତି । ଦିନେ ଯେ ମର୍ତ୍ତ୍ୟରେ ରାମଚନ୍ଦ୍ର ଓ ସୀତା ଥିଲେ ଏଥିରେ ସଂଶୟ ନ କରି ଏଇସବୁ ପ୍ରସଙ୍ଗ ଗ୍ରହଣ କରାଯାଇପାରେ । ଯଦି କେହି ବିଶ୍ୱାସ ନ କରେ ତେବେ ଏତିକି ଜାଣୁ ଯେ ଧର୍ମରକ୍ଷା, ସତ୍ୟନିଷ୍ଠା, କର୍ତ୍ତବ୍ୟ ପରାୟଣତା ଶିକ୍ଷାଦେବା ପାଇଁ ରାମାୟଣରେ ଏସବୁ ଉପାଖ୍ୟାନ ଦିଆଯାଇଛି । ସାହିତ୍ୟ ମାଧ୍ୟମରେ ଚିରକାଳ ଉଚ୍ଚତର ଚେତନା ପ୍ରବାହିତ ହୋଇଛି ଏବଂ ଲୋକ କଲ୍ୟାଣ ଓ ଲୋକ ସଂଗଠନ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି ।

 

ମହାଭାରତ :

 

ରାମାୟଣ ତ୍ରେତୟା ଯୁଗର କଥା । ଦ୍ଵାପର ଯୁଗର ବୃତ୍ତାନ୍ତ ଅଛି ମହାଭାରତରେ । ରାମାୟଣ ଯୁଗରେ ଧର୍ମ ଓ ସତ୍ୟ ଥିଲା ତିନିପାଦ, ଦ୍ୱାପର ଯୁଗରେ ତାହା ହେଲା ଦୁଇପାଦ । କଳିଯୁଗରେ କମି କମି ଏକପାଦକୁ ଆସିଛି । ସେଥିପାଇଁ ମଣିଷ ଚରିତ୍ରରେ ଯେତେ ପ୍ରକାର କଟକଣା, ଜଟିଳତା ଦେଖାଯାଏ ତାହା ବହୁ ପୂର୍ବରୁ ଟିକେ ଟିକେ କରି ଆରମ୍ଭ ହୋଇ ବର୍ଭମାନ ଏପରି ଶୋଚନୀୟ ଅବସ୍ଥାରେ ପହଞ୍ଚିଛି । ପଶାଖେଳରେ ହାରିବା ପରେ ପାଣ୍ଡବମାନେ ବନବାସରେ ଗଲେ । ବାଟରେ ଯୋଗ ଓ ସଂଖ୍ୟାଶାସ୍ତ୍ର ବିଶାରଦ ମୌନକ ନାମକ ଜଣେ ବ୍ରାହ୍ମଣଙ୍କ ସହିତ ଦେଖାହେଲା। ସେ ଯୁଧିଷ୍ଠିରଙ୍କୁ କଥା ପ୍ରସଙ୍ଗରେ କହିଲେ—ଆପଣ ବିଷୟ ସକ୍ତ ହେବେ ନାହିଁ । ଯଦି ଧର୍ମ ଚାହାନ୍ତି ତେବେ ସୃହା କରିବେ ନାହିଁ ।

 

ଯୁଧିଷ୍ଠିର କହିଲେ—ବ୍ରାହ୍ମଣମାନଙ୍କୁ ଭରଣପୋଷଣ କରିବା ପାଇଁ ମୁଁ ଅର୍ଥ କାମନା କରେ । କିନ୍ତୁ ସେଥିରେ ମୋର ଲୋଭ ନାହିଁ । ଅନୁଗତମାନଙ୍କୁ ପାଳନ କରିବା ଗୃହସ୍ଥଙ୍କ କର୍ତ୍ତବ୍ୟ-। ଗୃହସ୍ଥ ଘରକୁ ଗଲେ ତୃଣାସନ, ଭୂମି, ଜଳ ଓ ମଧୁର ବାକ୍ୟ ଏଇ ଚାରିଟି ଜିନିଷର ଅଭାବ ହୁଏନାହିଁ । ଆର୍ତ୍ତ ବ୍ୟକ୍ତିଙ୍କୁ ଶଯ୍ୟା, କ୍ଲାନ୍ତକୁ ଆସନ, ତୃଷିତକୁ ଜଳ ଏବଂ କ୍ଷୁଧାର୍ତ୍ତକୁ ଆହାର ଗାଁ ମାନଙ୍କରେ ଏବେ ବି ଏଇ ଚାରି ଜିନିଷ ଅଭାବ ହୁଏନାହିଁ । ପ୍ରତି ଗ୍ରାମରେ ମନ୍ଦିରରେ ସାଧୁସନ୍ୟାସୀମାନଙ୍କୁ ଆଶ୍ରୟ ମିଳେ । ଗୃହକୁ ଆସିଲେ ଆସନ, ଜଳପାନ ଓ ଆହାର ଦିଆଯାଏ-। ଦୀନ ଦୁଃଖୀ ଦରିଦ୍ର ପ୍ରାଚୀନ କାଳରୁ ଏଇ କଥା ଚଳିଆସୁଛି । ଏପରିକି କଳିଯୁଗର ମହାତ୍ମା ସିଦ୍ଧ ପୁରୁଷ ଶ୍ରୀରାମକୃଷ୍ଣ ପରମହଂସ କହିଛନ୍ତି ଯେ, କାହାଘରକୁ ଯଦି ନିମନ୍ତ୍ରଣରେ ଯାଅ ତେବେ ଆହରା ନ କଲେ ମଧ୍ୟ ପାଣି ଗଲାସେ ପାନ ନ କରି ଫେରିବ ନାହିଁ । ଏହା କଲେ ଗୃହସ୍ଥର ଅମଙ୍ଗଳ ହୁଏ ।

 

ଗାନ୍ଧାରୀ ଉପାଖ୍ୟାନ :

 

ମୋତେ ଗାନ୍ଧାରୀ ଚରିତ୍ର ଅଭିଭୂତ କରିଛି । ସ୍ୱାମୀ ମହାରାଜା ଧୃତରାଷ୍ଟ୍ର ଅନ୍ଧ । ତେଣୁ ପତିବ୍ରତା ଗାନ୍ଧାରୀ ମଧ୍ୟ ସ୍ଵାମୀ ପରି ଅନ୍ଧ ହେବାପାଇଁ ଇଚ୍ଛା କରି ଆଖି ଉପରେ ପଟି ବାନ୍ଧିଦେଲେ-। ସ୍ଵାମୀଙ୍କଠାରୁ ସେ ଅଧିକ ସୁବିଧା ସୁଯୋଗର ଅଧିକାରିଣୀ ହେବାକୁ ଚାହାନ୍ତି ନାହିଁ-। ଏପରିକି ସ୍ଵାମୀ ଜ୍ଞାନଚକ୍ଷୁରେ ମଧ୍ୟ ଅନ୍ଧ । କିନ୍ତୁ ଗାନ୍ଧାରୀଙ୍କ ଜ୍ଞାନଚକ୍ଷୁ ପ୍ରଜ୍ୱଳିତ । ସେ ମନଶ୍ଚକ୍ଷୁରେ ଦିବ୍ୟଶକ୍ତି ବଳରେ ସବୁ ଜାଣିପାରନ୍ତି । ଜଣ ଜଣ କରି ସମସ୍ତ ପୁତ୍ର ନାଶ ଗଲେ-। କିନ୍ତୁ ସେ ଭାବିଥିଲେ ଯେ ଦୁର୍ଯ୍ୟୋଧନ ଏଇଦିନୁ ଏଇଦଶା ଭୋଗିବେ । ତଥାପି ସେ ଦୁର୍ଯ୍ୟୋଧନଙ୍କୁ ଆଶୀର୍ବାଦ କଲାବେଳେ ବିଜୟୀ ଭବ କହିପାରିଲେ ନାହିଁ । ତାଙ୍କ ତୁଣ୍ଡରୁ ବାହରିଗଲା ଆୟୁଷ୍ମାନ ଭବ । ଦୁର୍ଯ୍ୟୋଧନ ଆୟୁଷ୍ମାନ ହେବାପାଇଁ ଆସିନଥିଲେ। ସେ ମା’ଙ୍କ ଆଶୀର୍ବାଦ ନ ପାଇ ଜାଣିଗଲେ କ’ଣ ହେବ । ଗାନ୍ଧାରୀ ସଦାବେଳେ କହିଥାନ୍ତି—ସତ୍ୟ ଓ ଧର୍ମର ଜୟ ହେଉ-। ପାଣ୍ଡବମାନଙ୍କ ପକ୍ଷରେ ସତ୍ୟ ଓ ଧର୍ମ ଅଛି । ତେଣୁ ସେମାନେ ଶେଷରେ ବିଜୟୀ ହେବେ-। ଏହା ଅବଶ୍ୟ ଘଟିବ ଜାଣି ମଧ୍ୟ ଯେତେବେଳେ ଶୁଣିଲେ ଯେ ଦୁର୍ଯ୍ୟୋଧନ ମଧ୍ୟ ନିହତ ହେଲେ ଏବଂ ଆଉ ଜଣେ ବି ପୁତ୍ର ରହିଲେ ନାହିଁ ସେତେବେଳେ ଅଭିଶାପ ଦବାପାଇଁ ବିଚାର କଲେ-। ଏଇ ସମୟରେ ତ୍ରିକାଳଦର୍ଶୀ ମହର୍ଷି ବ୍ୟାସ ଆସି ପାଖରେ ଉପସ୍ଥିତ ହେଲେ ଏବଂ ଗାନ୍ଧାରୀଙ୍କୁ କହିଲେ, ତୁମେ ପୂର୍ବେ ସଦାବେଳେ ଦୁର୍ଯ୍ୟୋଧନଙ୍କୁ କହିଛ ଯେଉଁ ପକ୍ଷରେଧର୍ମ, ସତ୍ୟ ଥିଲା ସେମାନେ ଶେଷରେ ବିଜୟୀ ହେଲେ । ସେମାନଙ୍କୁ କ୍ଷମା କରିଦିଆ ।

 

ଗାନ୍ଧାରୀ କହିଲେ : ଭଗବାନ, ମୁଁ ପାଣ୍ଡବମାନଙ୍କୁ ଦୋଷ ଦେଉନାହିଁ । ପୁତ୍ର ଶୋକରୁ ମତିଭ୍ରମ ହୋଇଛି । ମୁଁ ଜାଣେ ଦୁର୍ଯ୍ୟୋଧନ, ଶକୁନି, କର୍ଣ୍ଣ ଓ ଦୁଃଶାସନର ଅପରାଧ ଯୋଗୁଁ କୌରବମାନେ ପରାଜିତ ହେଲେ । କିନ୍ତୁ ବାସୁଦେବ ଶ୍ରୀକୃଷ୍ଣ ଉପସ୍ଥିତ ଥିବାବେଳେ ଭୀମ ଯୁଦ୍ଧର ନୀତି ନିୟମ ଭୁଲି ଦୁର୍ଯ୍ୟୋଧନର । ନାଭିଦେଶରେ ଗଦା ପ୍ରହାର କରିଛନ୍ତି, ସେହି କାରଣରୁ ମୋର କ୍ରୋଧ ବୃଦ୍ଧି ହୋଇଛି । ଭୀମ ବୀର ହେଲେ ମଧ୍ୟ ଯୁଦ୍ଧବେଳେ ଧର୍ମତ୍ୟାଗ କଲେ କିପରି ?

 

ଭୀମ କହିଲେ ! ମା’—ଭୟରେ ଆତ୍ମରକ୍ଷା କରିବା ପାଇଁ ମୁଁ ଦୁର୍ଯ୍ୟୋଧନକୁ ବଧ କରିଛି । ଆପଣ କ୍ଷମା କରନ୍ତୁ । ଦୁର୍ଯ୍ୟୋଧନ ମଧ୍ୟ ପୂର୍ବେ କପଟ କରି ଯୁଧିଷ୍ଠିରଙ୍କୁ ପଶା ଖେଳରେ ପରାସ୍ତ କରିଦେଲେ । ସବୁବେଳେ ଆମ ପ୍ରତି ଅନ୍ୟାୟ ଅଧର୍ମ କରିଛନ୍ତି । ସେହି କାରଣରୁ ମୁଁ ଅଧର୍ମ କରିଛି । ଯୁଦ୍ଧରେ ବିଜୟୀ ହେବାପରେ ଆମର ଆଉ କ୍ରୋଧ ନାହିଁ ।

 

ଗାନ୍ଧାରୀ କହିଲେ—ଭୀମ, ତୁମେ ଦୁଃଶାସନର ରକ୍ତପାତ କରି ଅତି ଗର୍ହିତ କାମ କରିଛ । ତାଙ୍କୁ ଉତ୍ତର ଦେଇ ଭୀମ କହିଲେ—ଜନନୀ, ମୁଁ ରକ୍ତପାତ କରିନାହିଁ, କେବଳ ହାତରେ ରଖିଥିଲି । ଦୁଃଶାସନ ଦ୍ରୌପଦୀଙ୍କ କେଶ ଧରି କୁରୁସଭାକୁ ଟାଣି ଟାଣି ଆଣି ଉଲଗ୍ନ କରିବା ପାଇଁ ଉଦ୍ୟମ କରିଥିଲା ବୋଲି ମୁଁ ପ୍ରତିଜ୍ଞା କରିଥିଲି ତାଙ୍କର ରକ୍ତପାନ କରିବି ସେଇ ପ୍ରତିଜ୍ଞା ରକ୍ଷା କରିବାକୁ ଯାଇ ଏପରି କରିଥିଲି । ଆପଣ କ୍ରୋଧ ନିବାରଣ କରନ୍ତୁ, ଆମ୍ଭମାନଙ୍କ ଦୋଷ ଧରିବା ଆପଣଙ୍କ ପକ୍ଷେ ଉଚିତ ନୁହେଁ ।

 

ଗାନ୍ଧାରୀ କହିଲେ–ପୁତ୍ର, ମୋର ଶହେ ପୁତ୍ର ମଧ୍ୟରୁ ଜଣେ ମଧ୍ୟ ଜୀବିତ ନାହିଁ । ଜଣକୁ ବି କ୍ଷମା କରିପାରିଲି ନାହିଁ ? ଜଣେ ବଂଚିଥିଲେ ସେ ଆମର ହାତବାଡ଼ି ପରି ବୃଦ୍ଧକାଳରେ ସାହାଯ୍ୟ କରିଥାନ୍ତା । ତା’ପରେ ଗାନ୍ଧାରୀ ଯୁଧିଷ୍ଠିରଙ୍କୁ ଖୋଜିଲେ । ଯୁଧିଷ୍ଠିର ତାଙ୍କ ଆଗରେ ଆବିର୍ଭାବ ହେଲେ ଏବଂ କହିଲେ—ମାତା, ମୁଁ ସେଇ ଆପଣଙ୍କ ପୁତ୍ରହନ୍ତା ଯୁଧିଷ୍ଠିର, ମୋତେ ଅଭିଶାପ ଦିଅନ୍ତୁ ।

 

କିନ୍ତୁ ଗାନ୍ଧାରୀ କେବଳ ଦୀର୍ଘଶ୍ୱାସ ଛାଡ଼ିଲେ ସିନା ଅଭିଶାପ ଦେଇପାରିଲେ ନାହିଁ । ତାଙ୍କ ପାଦ ତଳେ ଯୁଧିଷ୍ଠିର ଅବନତ ହେଲେ । ସେଇ ସମୟରେ ଗାନ୍ଧାରୀ ଚକ୍ଷୁର ଆବରଣ ଖୋଲି ଚାହିଁଲେ ଏବଂ ଯୁଧିଷ୍ଠିରଙ୍କ ଗୋଟିଏ ଆଙ୍ଗୁଳି ଦେଖିଲେ ଏବଂ ତତ୍‌କ୍ଷଣାତ୍ ଯୁଧିଷ୍ଠିରଙ୍କ ସୁନ୍ଦର ନଖ କଳା ହୋଇଗଲା, ତାପରେ କୃଷ୍ଣଙ୍କ ପଛରେ ଛିଡା ହୋଇଥିବା ଅର୍ଜୁନ ଓ ଅନ୍ୟମାନେ ଜଣ ଜଣ କରି ଆସିଲେ ଏବଂ ଗାନ୍ଧାରୀ କ୍ରୋଧମୁକ୍ତ ହେଲେ ଏବଂ କୁନ୍ତୀ ଓ ଦ୍ରୌପଦୀଙ୍କୁ ସାନ୍ତ୍ୱନା ଦେଲେ ।

 

ଏହାପରେ ଗାନ୍ଧାରୀ କୁରୁକ୍ଷେତ୍ର ଦର୍ଶନ କଲେ । ବୀରମାନଙ୍କର ରାଶି ରାଶି ଶବ ଯୁଦ୍ଧକ୍ଷେତ୍ରରେ ଦେଖି ଗାନ୍ଧାରୀ ପୁଣି କ୍ଷୁବ୍ଧ ହେଲେ ଏବଂ ଶ୍ରୀକୃଷ୍ଣଙ୍କୁ କହିଲେ—ମଧୁସୂଦନ ! ତମେ ଜାଣିଥିଲ ଏପରିହେବ । ତଥାପି କାହିଁକି ଯୁଦ୍ଧ କରିବା ପାଇଁ ଦେଲ ? ତୁମେ ଜୋରଦେଇ କହିଥିଲେ ଯୁଦ୍ଧ ହୋଇନଥାନ୍ତା । ତେଣୁ କୁରୁକୁଳର ଏଇ ବିନାଶ ପାଇଁ ତୁମକୁ ଅଭିଶାପ ଦେବି । ଛତିଶବର୍ଷ ପରେ ଜ୍ଞାତିହୀନ, ପୁତ୍ରହୀନ, ଅମାତ୍ୟହୀନ ହେବାପରେ ବନଚାରୀ ଦ୍ଵାରା ତୁମେ ନିହତ ହେବ । ଏବେ ଯେପରି ନାରୀମାନେ ଏଠାରେ କାନ୍ଦୁଛନ୍ତି ସେତେବେଳେ ତୁମର ଅନୁସରୀମାନେ ମଧ୍ୟ ସେହିପରି ଅଶ୍ରୁ ବିସର୍ଜନ କରିବେ।

 

ବାସୁଦେବ ସ୍ମିତହାତ୍ୟ କରି କହିଲେ—ଆପଣ ଯାହା କହିଲେ ମୁଁ ତାହା ଜାଣେ । ଯାହା ନିଶ୍ଚିତ ଘଟିବ ତାହା ହେଉ ବୋଲି ଆପଣ ଅଭିଶାପ ଦେଲେ । ମୁଁ ତ ବୃଦ୍ଧ (ଯଦୁ) ବଂଶର ସଂହାରକର୍ତ୍ତା । ଯାଦବଗଣ ମନୁଷ୍ୟ ଓ ଦେବଦାନବଙ୍କ ଅବଧ୍ୟ । କିନ୍ତୁ ସେମାନେ ପରସ୍ପର ବିରୋଧରେ ଯୁଦ୍ଧ କରି ନିହତ ହେବେ ।

 

କିନ୍ତୁ ଭୀଷ୍ମ ସଦାବେଳେ କହି ଆସୁଥିଲେ ଯେ, ଯତଃ କୃଷ୍ଣସ୍ତତୋ ଧର୍ମୋ ଯତୋ ଧର୍ମସ୍ତତୋ ଜୟଃ । ଅର୍ଥାତ୍ ଯେଉଁ ପକ୍ଷରେ କୃଷ୍ଣ ସେହି ପକ୍ଷରେ ଧର୍ମ ଏବଂ ଯେଉଁ ପକ୍ଷରେ ଧର୍ମ ସେହି ପକ୍ଷରେ ଜୟ ସୁନିଶ୍ଚିତ ।

 

କିନ୍ତୁ ଏତେବଡ଼ ଆଘାତ ଯେ ଗାନ୍ଧାରୀ ସହ୍ୟ କରିବେ ତାହା ତ ଚରମ ବିସ୍ମୟ । ତାଙ୍କର ପରମ ସତୀତ୍ୱ, ପାତିବ୍ରତ୍ୟ, ସତ୍ୟ ଓ ଧର୍ମନିଷ୍ଠାର ଫଳ କିନ୍ତୁ ଦୁର୍ଯ୍ୟୋଧନକୁ ରକ୍ଷା କରିପାରିଲା ନାହିଁ । କାରଣ ଯେତେଥର ଦୁର୍ଯ୍ୟୋଧନ ମା’ ପାଖକୁ ଯାଇଛନ୍ତି ଆଶୀର୍ବାଦ ପାଇବା ଆଶାରେ ଗାନ୍ଧାରୀ କହିଛନ୍ତି—ଅକ୍ଷୟ ହେଉ ଧର୍ମ ଜଗତେ ସତ୍ୟର ହେଉ ଜୟ ।

 

ଯୁଗ ଯୁଗ ପାଇଁ କଥା ରହିଗଲା ଯେ ଧର୍ମ ହିଁ ଶ୍ରେଷ୍ଠ ମାର୍ଗ । ଯେଉଁଠାରେ ଧର୍ମ ସେହିଠାରେ ଶ୍ରୀକୃଷ୍ଣ । ଉଭୟ ରାମାୟଣ ଓ ମହାଭାରତରେ କୁହାଯାଇଛି ଯେ ସତ୍ୟ ହିଁ ସକଳ ଧର୍ମର ମୂଳ । ସତ୍ୟ ହିଁ ଈଶ୍ୱର । ମହାତ୍ମା ଗାନ୍ଧୀ ମଧ୍ୟ ଏଇ କଥା ବାର ବାର କହିଛନ୍ତି ।

 

ଯକ୍ଷଙ୍କୁ ଉତ୍ତର ଦେଇ ଯୁଧିଷ୍ଠିର କହିଥିଲେ—

 

ଦେବାବିଭିନ୍ନାଃ ସ୍ମୃତୟୋ ବିଭିନ୍ନା

ନାସୌ ମୁନିର୍ଯସ୍ୟ ମତ ନଭିନ୍ନମ୍

ଧର୍ମସ୍ୟ ତତ୍ତ୍ୱଂ ନିହିତଂ ଗୁହାୟାଂ

ମହାଜନୋ ଯେନ ଗତଃ ସ ପନ୍ଥା ।

 

ଅର୍ଥ ହେଉଛି—ବେଦ ବିଭିନ୍ନ, ସ୍ମୃତି ମଧ୍ୟ ବିଭିନ୍ନ, ଏପରି ମୁନି ନାହାନ୍ତି ଯେଉଁମାନଙ୍କର ମତ ଭିନ୍ନ ନୁହେଁ । ଧର୍ମର ତତ୍ତ୍ୱ ଗୁହା ଭିତରେ ରହିଛି, ଅତଏବ ମହାଜନମାନେ ଯେଉଁ ପଥରେ ଯାଇଛନ୍ତି ତାହାହିଁ ପନ୍ଥା । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ ସେଇ କଥା କହିଛନ୍ତି—କଳି କାଳରେ ମହତ୍ ଲୋକଙ୍କ ସଂଖ୍ୟା ଅତି କମ୍ । ଏଇ କାରଣରୁ ଦୃଷ୍ଟାନ୍ତ ସୃଷ୍ଟି କରିବା ପରି ଲୋକଙ୍କ ଅଭାବ ରହିଛି । ତଥାପି ଶାସ୍ତ୍ରପୁରାଣ ଓ ନୀତିବାକ୍ୟ ଅଧ୍ୟୟନ କରିବା ସହିତ ମନରୁ ଦ୍ୱନ୍ଦ୍ୱ ବାହାର କରି ମହାଜନମାନଙ୍କୁ ଯଦି ଆମେ ଅନୁସରଣ କରୁ ତେବେ ଭୁଲ୍‍ ବାଟରେ ଯିବାର ଦୁର୍ଭାଗ୍ୟ ହେବନାହିଁ-

 

ଏଥିପାଇଁ ମୁଁ ପୁରାଣ ପଢ଼େ । ମହତ ଜନଙ୍କ କୀର୍ତ୍ତି ଅଧ୍ୟୟନ କରେ ଏବଂ କ୍ଷମତାନୁସାରେ ଅବାଟରେ ନଯାଇ ସତ୍ ମାର୍ଗରେ ଚାଲିବା ପାଇଁ ଚେଷ୍ଟା କରେ । ମୈତ୍ରେୟୀ, ସୀତା, ସାବିତ୍ରୀ, ଗାନ୍ଧାରୀ ଏମାନେ ନମସ୍ୟ ଏବଂ ଏମାନଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିଲେ ବାଟବଣା ହେବାର ଭୟ ନାହିଁ ।

☆☆☆

 

ମହାମୋହ ଓ ମହାମାୟା

 

ମହାମାୟାଙ୍କ ମାୟାରୁ ଏ ସଂସାର ମାୟାମୋହରେ ବୁଡ଼ି ରହିଛି । ଏଇ ମାୟାମୋହ ବନ୍ଧନ ଛିନ୍ନ ସହଜ ନୁହେଁ । କିନ୍ତୁ ଏକାଗ୍ର ତପସ୍ୟା ଦ୍ଵାରା ସଂସାରର ମାୟାମୋହ ଛିନ୍ନ କରାଯାଇପାରେ ଭଗବାନଙ୍କ କରୁଣା ବଳରେ । ଶ୍ରୀ ଶ୍ରୀ ଚଣ୍ଡୀରେ ମହିଷାସୁର ଓ ଶୁମ୍ଭ ନିଶୁମ୍ଭ ଅସୁରଗଣଙ୍କୁ ବଧ କରିବା ପରେ ଦେବଗଣ ଦେବୀଙ୍କ ଶରଣାପନ୍ନ ହେଲେ ଏବଂ ପ୍ରାର୍ଥନା କଲେ :

 

ତ୍ୱଂ ବୈଷ୍ଣବୀ ଶକ୍ତିନରନ୍ତବୀର୍ଯ୍ୟା

ବିଶ୍ଵସ୍ୟ ବୀଜଂ ପରମାସି ମାୟା

ସମ୍ମୋହିତଂ ଦେବି ସମସ୍ତମେତତ୍

ତ୍ୱଂବୈପ୍ରସନ୍ନା ଭୁବି ମୁକ୍ତି ହେତୁଃ ।

 

‘ହେ ଦେବି ! ତୁମେ ଅନନ୍ତବୀର୍ଯ୍ୟ ବୈଷ୍ଣବୀ ଶକ୍ତି । ବିଶ୍ଵର କାରଣଭୂତା ମହାମାୟା । ତୁମେ ସମସ୍ତ ଜଗତକୁ ମୋହଗ୍ରସ୍ତ କରିଅଛ । ତୁମେ ପ୍ରସନ୍ନା ହେଲେ ଇହଲୋକରେ ମୁକ୍ତି ପ୍ରଦାନ କର ।‘ ଏହାର ପରବର୍ତ୍ତୀ ଶ୍ଳୋକରେ କୁହାଯାଇଛି ଯେ ସମସ୍ତ ବିଦ୍ୟା ତାଙ୍କର ଅଂଶବିଶେଷ । ଜଗତର ସମସ୍ତ ନାରୀମାନେ ହିଁ ତାଙ୍କର ବିଗ୍ରହ । ସେ ଏକମାତ୍ର ଏଇଜଗତକୁ ପରିବ୍ୟାପ୍ତ କରିଅଛନ୍ତି ।

 

ଦେବୀ ମହାମାୟା ରୂପରେ ଜଗତ୍‍ବାସୀଙ୍କୁ ମହାମୋହ ଭିତରେ ରଖିଛନ୍ତି । ଏଇ ମାୟା ଓ ମୋହ ବନ୍ଧନ ଛିନ୍ନ କରିବା ସହଜ ନୁହେଁ । ସେଥିପାଇଁ ସଂସାରବନ୍ଧନରେ ମଣିଷ ଘାଣ୍ଟି ହେଉଥାଏ ଏବଂ ମୁକ୍ତି ନ ପାଇ ବାରମ୍ବାର ଜନ୍ମ ହେଉଥାଏ । ଅନେକ ମୁନିଋଷି ମହାମାୟାଙ୍କ ମାୟାମୋହ ଛିନ୍ନ କରି ମୁକ୍ତି ପାଇବା ଉଦ୍ଦେଶ୍ୟ ନେଇ ଜୀବନ ବ୍ୟାପୀ ସାଧନା କରିଛନ୍ତି ମୁକ୍ତି ପାଇଁ ଜୀବନବନ୍ଧନରୁ । ଦେବତାମାନେ ଅପ୍ସରାମାନଙ୍କୁ ମର୍ତ୍ତ୍ୟକୁ ପଠାଇ ସେମାନଙ୍କର ତପୋଭଙ୍ଗ କରିଛନ୍ତି । ଏବଂ ପୁଣି ମାୟା ମୋହରୁ ରକ୍ଷା ପାଇଁ ତପସ୍ୟା କରିଛନ୍ତି ସେମାନେ ।

 

ଦିନେ ନାରଦ ଭଗବାନଙ୍କୁ କହିଲେ, ‘ପ୍ରଭୁ ! ଏଇ ମାୟା ମୋହ କ’ଣ ? ଆପଣ ମୋତେ ବୁଝାଇ ଦିଅନ୍ତୁ ।'

 

ଭଗବାନ କହିଲେ, ‘ସମୟ ଆସୁ ଏ ବିଷୟରେ ମୁଁ ତୁମକୁ ବୁଝାଇ ଦେବି ।‘ ଏହାପରେ ସମୟ କ୍ରମେ ଭଗବାନ ଓ ନାରଦ ମର୍ତ୍ତ୍ୟରେ ଜନ୍ମ ହେଲେ । ଦିନେ ଭଗବାନଙ୍କ ସହିତ ବାଟରେ ଯାଉଥିବାବେଳେ ଭଗବାନ କହିଲେ, ନାରଦ ବଡ଼ ଶୋଷ କରୁଛି...ପାଣିର ସନ୍ଧାନ କର... ?

 

ନାରଦ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲେ ପାଣି ସନ୍ଧାନରେ । ଗ୍ରାମ ପରେ ଗ୍ରାମ ବୁଲିଲେ, କିନ୍ତୁ କୌଣସିଠାରେ କାହା ସହିତ ଦେଖାହେଲା ନାହିଁ । ନାରଦ ଚିନ୍ତାରେ ପଡ଼ିଗଲେ । ଏହିପରି ଖୋଜୁ ଖୋଜୁ ଗୋଟିଏ ଗ୍ରାମରେ ଜଣେ ବ୍ରାହ୍ମଣଙ୍କ ଘରର ଦ୍ୱାର ଖୋଲାଥିବା ଦେଖି ସେଠାକୁ ଗଲେ । ସେହି ଘରେ ସେତେବେଳେ ବ୍ରାହ୍ମଣଙ୍କ ଅପୂର୍ବ ରୂପବତୀ କନ୍ୟା ରହିଥିଲେ । ତାଙ୍କୁ ପାଣି ମାଗିବାକୁ ଯାଇ ତାଙ୍କ ସୌନ୍ଦର୍ଯ୍ୟରେ ନାରଦ ଏତେ ମୁଗ୍ଧ ହୋଇଗଲେ ଯେ ଭାବିଲେ ଏଇ ସୁନ୍ଦରୀକୁ ବିବାହ କରି ଘର ସଂସାର କଲେ ସୁଖୀ ହେବି ।

 

ସଂସାର ମାୟାରେ ପଡ଼ିଗଲେ ନାରଦ । ବ୍ରାହ୍ମଣଙ୍କ ସେଇ ସୁନ୍ଦରୀ କନ୍ୟାଙ୍କୁ ବିବାହ କରି ନଦୀକୂଳରେ ସୁଖରେ କାଳାତିପାତ କଲେ । କ୍ରମଶଃ ପୁଅଝିଅ ହେଲେ । ଦିନେ ପୁଅଝିଅଙ୍କ ସହିତ ନାରଦ ନଦୀ ପାର ହେଉଥିବାବେଳେ ସଙ୍କଟରେ ପଡ଼ିଗଲେ । ପୁଅଝିଅଙ୍କୁ କାନ୍ଧ ଓ ମଥା ଉପରକୁ ଟେକି ଦୁଇହାତ ମଧ୍ୟ ଟେକିଲେ ସେମାନଙ୍କୁ ରକ୍ଷା କରିବା ପାଇଁ । କିନ୍ତୁ ନଦୀରେ ଏତେ ପାଣି କାହୁଁ ଆସିଲା ଯେ ତାଙ୍କ କାନ୍ଧ ଉପର ଦେଇ ପାଣି ସୁଅ ଚାଲିଲା । ତାପରେ ନାକ ପାଣିରେ ବୁଡ଼ିଯିବାବେଳେ ନାରଦ ମନକୁ ମନ କହିଲେ ‘ହେ ! ଭଗବାନ ରକ୍ଷା କର...।’ ଭଗବାନ ତାଙ୍କୁ ରକ୍ଷା କଲେ । ହଠାତ୍ ଭଗବାନ ତାଙ୍କ ମନକୁ ଆସିଥିବାରୁ ତାଙ୍କର ମନେ ପଡ଼ିଗଲା ଯେ ସେ ଭଗବାନଙ୍କ ପାଇଁ ପାଣି ନବା ପାଇଁ ଆସିଥିଲେ । କିନ୍ତୁ ଏଇ ସଂସାର ମାୟାରେ ପଡ଼ି ସେକଥା ଭୁଲି ଯାଇ ରହିଯାଇଛନ୍ତି । ମନରେ ଦୁଃଖ ହେଲା । ଭଗବାନଙ୍କୁ ଦେଇଥିବା କଥା ରଖି ନ ପାରିବା ଦୁର୍ଭାଗ୍ୟର ବିଷୟ । ସେ କ୍ଷମା ମାଗିବା ପାଇଁ ମନସ୍ଥ କରି ଘର ସଂସାର ଛାଡ଼ି ବାହୁଡ଼ି ଗଲେ । ସଂସାର ମାୟାରେ ପଡ଼ି ସେ ଭଗବାନଙ୍କୁ ଭୁଲି ଯାଇଥିଲେ । ପାଣି ନେଇ ଫେରିବା କଥା ତାଙ୍କର ମନେନଥିଲା । ସୁନ୍ଦରୀ ତରୁଣୀ ଓ ପୁତ୍ରକନ୍ୟା ମୋହରେ ଘର ସଂସାର କଲେ । ହାୟ ହାୟ ମୁଁ କ’ଣ କଲି ବୋଲି ନାରଦ ବ୍ୟଥିତ ହେଲେ । ତା’ପରେ ଜ୍ଞାନୋଦୟ ହେବାରୁ ସେ ଫେରିଯାଇ ଭଗବାନଙ୍କୁ ଦର୍ଶନ କଲେ ।

 

ଭଗବାନ ନାରଦଙ୍କୁ ଦେଖି ସ୍ମିତ ହାସ୍ୟ କରି କହିଲେ, “ ନାରଦ ତୁମେ ପାଣି ଆଣିବା ପାଇଁ ଯାଇଥିଲ... କେଉଁଠି ରହିଗଲ ଏତେ କାଳ... ମାୟା ମୋହରେ ପଡ଼ିଗଲ ?”

 

ଏତେବେଳେ ନାରଦଙ୍କ ଭ୍ରମ ତୁଟିଲା । ସେ ବୁଝିପାରିଲେ ଯେ ସଂସାର ମାୟାମୋହରେ ପଡ଼ି ସେ ଭଗବାନଙ୍କୁ ଭୁଲି ଯାଇଥିଲେ, ତାଙ୍କ ପାଇଁ ପାଣି ନବା ପାଇଁ ଆସି ପାଣି ନେଇ ଫେରିନଯାଇ ବାହାସାହା ହୋଇ ଘର ସଂସାର କରି ଭୁଲି ଯାଇଥିଲେ ଭଗବାନଙ୍କୁ । ନାରଦ ଭଗବାନଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲେ ଏହାର ଉତ୍ତର ମିଳିଗଲା ତାଙ୍କୁ । ସେ ଭକ୍ତ ଶିରୋମଣି । ପୁଣି ଏକାଗ୍ର ଚିତ୍ତରେ ଭଗବାନଙ୍କ ପାଦପଦ୍ମରେ ଚିତ୍ତନିବେଶ କଲେ । ଭାଗବତରେ କୁହାଯାଇଛି; ‘ପୁତ୍ର ନିବେଶି ପତ୍ନୀ ପାଶେ, ଅଥବା ଚଳିବ ସନ୍ୟାସେ ।’

 

ସଂସାରର ମାୟା ମୋହର ଆକର୍ଷଣ ଛାଡ଼ି ଏକାଗ୍ରଚିତ୍ତରେ ଭଗବାନଙ୍କୁ ଭଜନ କରିବା ପାଇଁ ହେଲେ ମାୟା ମୋହ ଛିନ୍ନ କରିବା ବ୍ୟତୀତ ଅନ୍ୟଗତି ନାହିଁ । ସେଇ ମାୟା ମୋହ ମହାମାୟାଙ୍କ ସୃଷ୍ଟି । ସୃଷ୍ଟିଲୀଳା ରଚନା କରିବା ପାଇଁ ଏହା ରହିଛି । କିନ୍ତୁ ଏଥିରେ ମଜିଗଲେ ଆଉ ମୁକ୍ତି ମିଳେ ନାହିଁ କି ଭଗବାନ ମିଳନ୍ତି ନାହିଁ ବା ଜଗତ୍‌ଜନନୀ ମିଳନ୍ତି ନାହିଁ ।

 

ମହାମାୟାଙ୍କ ଏଇ ସୃଷ୍ଟି ରହସ୍ୟ ଅଦ୍ଭୁତ । ଶ୍ରୀ ଦୁର୍ଗା ସପ୍ତସତୀ ଚଣ୍ଡୀ ପାଠକରି ବାପା ପୂଜା ପ୍ରାର୍ଥନା କରିବା ମୁଁ ଦେଖିଛି । ମୋ ଶ୍ୱଶୁର ଘରେ ମଧ୍ୟ ଦେବୀଙ୍କ ମୂର୍ତ୍ତି ଭୁବନେଶ୍ଵରୀ ଈଷ୍ଟଦେବୀ ଭାବେ ପୂଜିତା । ପ୍ରତିବର୍ଷ ଦୁର୍ଗାପୂଜା ହୁଏ । ଭୁବନେଶ୍ଵରୀ ହେଉଛନ୍ତି ପରମ ବୈଷ୍ଣବୀ-। ତେଣୁ ମହାଷ୍ଟମୀ ଦିନ ସନ୍ଧିପୂଜା ପରେ କୁଷ୍ମାଣ୍ଡ ବଳି ଦିଆଯାଏ । ଯାଜପୁର, ବାଣପୁର, ପ୍ରଭୃତି ପ୍ରାଚୀନ ପୀଠରେ ପଶୁବଳି ଦବା ପ୍ରଥା ଏବେ ବି ପ୍ରଚଳିତ ଅଛି । ଏପରିକି ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠରେ ଅଷ୍ଟମୀ ଦିନ ଛାଗବଳି ଦେବା ପ୍ରଥା ପ୍ରଚଳିତ ଅଛି ।

 

କିନ୍ତୁ ଲକ୍ଷ୍ମୀତନ୍ତ୍ର’ରେ ଉଲ୍ଲେଖ ଅଛି ଯେ ଯେଉଁମାନଙ୍କ ହୃଦୟରେ ସପ୍ତସତୀ ଚଣ୍ଡୀ ସମ୍ୟକ୍ ଭାବେ ମଧ୍ୟ ଅଛନ୍ତି ସେଇ ପରମାଶକ୍ତିଙ୍କୁ ଭକ୍ତି ସହକାର ଆରାଧନା କଲେ ସମସ୍ତ ମାୟାରୁ ମୁକ୍ତି ମିଳେ । ଦୈବୀ କୃପା ବଳରେ ମାୟାମୋହ କାଟି ମୁକ୍ତି ଲାଭ କରିବା ସମ୍ଭବ ।

 

‘ଦେବୀ ରହସ୍ୟ’ରେ କୁହାଯାଇଛି ଯେ ଦେବୀ ପରମେଶ୍ୱରୀ ସଚ୍ଚିଦାନନ୍ଦ ସ୍ୱରୂପା । ସେ ଚିନ୍ମୟୀ ହେଲେ ମଧ୍ୟ ସଚରାଚର ବିଶ୍ୱଜଗତରେ ପ୍ରକାଶ ହୁଅନ୍ତି । ପ୍ରକୃତି, ମାୟା, ବିଦ୍ୟା, ଅବିଦ୍ୟା, ସୁଖ ଓ ଦୁଃଖ ସବୁକିଛି ସେହି ମହାଶକ୍ତିଙ୍କର ପରିପ୍ରକାଶ ।

 

ଦେବୀ ଭାଗବତ ଅନୁସାରେ ଦକ୍ଷଯଜ୍ଞ ବିନାଶ ପୂର୍ବରୁ ଶିବଙ୍କୁ ଦେବୀ ନିଜର ଦଶମହାବିଦ୍ୟାରୂପ ଦେଖାଇଥିଲେ । ସେଇ ଦଶମହାବିଦ୍ୟା ବର୍ଣ୍ଣନା ନିମ୍ନ ଶ୍ଳୋକରେ ରହିଛି :

 

କାଳୀତାରା ମହାବିଦ୍ୟା ଷୋଡ଼ଶୀ ଭୁବନେଶ୍ଵରୀ

ଭୈରବୀ ଛିନ୍ନମସ୍ତାଚ ବିଦ୍ୟାଧୂମାବତୀ ତଥା

ବଗଳାସିଦ୍ଧ ବିଦ୍ୟା ଚ ମାତଙ୍ଗୀ କମଳାତ୍ମିକା,

ଏତା ଦଶମହାବିଦ୍ୟାଃ ସିଦ୍ଧବିଦ୍ୟାଃ ପ୍ରକୀର୍ତ୍ତିତା ।

 

ବିଶ୍ଵକୁ କଳା କରୁଥିବା ହେତୁ ସେ କାଳୀ ଓ କୃଷ୍ଣବର୍ଣ୍ଣା । ବିପଦରୁ ରକ୍ଷା କରୁଥିବା ଯୋଗୁଁ ସେ ତାରା, ନୀଳବର୍ଣ୍ଣା । ସେ ବିଦ୍ୟା ପ୍ରଦାନ କରୁଥିବାରୁ ନୀଳସରସ୍ଵତୀ ଭାବରେ ଖ୍ୟାତ । ଅରୁଣାଙ୍ଗୀ ଭୁବନେଶ୍ଵରୀ ସାମ୍ରାଜ୍ୟ ଓ ଐଶ୍ୱର୍ଯ୍ୟ ପ୍ରଦାୟିନୀ । ମହାବିଦ୍ୟା ତ୍ରିପୁରାସୁନ୍ଦରୀ ଷୋଡ଼ଶୀ ଭାବେ ଖ୍ୟାତ । ସେ ସକଳ ସୌନ୍ଦର୍ଯ୍ୟର ଆଧାର ଓ ଅରୁଣାବର୍ଣ୍ଣା ହେତୁ ଅରୁଣା ନାମରେ ମଧ୍ୟ ଅଭିହିତା । ଅରୁଣିମା ପ୍ରେମ ଓ ଅନୁରାଗର ଦ୍ୟୋତକ । ଭୈରବୀ, ରକ୍ତବର୍ଣ୍ଣା ଓ ଭୟଙ୍କର ହେଲେ ମଧ୍ୟ ଭୟଠୁ ତ୍ରାଣ କରନ୍ତି । ସମସ୍ତ ଭୟରୁ ରକ୍ଷା କରୁଥିବା ହେତୁ ସେ ଭୈରବୀ । ସ୍ଵୟଂ ଛିନ୍ନ ମସ୍ତକରୁ ରକ୍ତପାନ କାରିଣୀ ଭୟଙ୍କରୀ ଦେବୀ ଛିନ୍ନମସ୍ତା । ମୃତ୍ୟୁଦାୟିନୀ ହେଲେ ମଧ୍ୟ ମହାମୃତ୍ୟୁ ନିବାରିଣୀ ଅଟନ୍ତି । ଧୂମ୍ରବର୍ଣ୍ଣା ଦେବୀ ଧୂମାବତୀ ଭକ୍ତମାନଙ୍କର ଦାରିଦ୍ର୍ୟ, ଦୁଃଖ ଓ ମନସ୍ତାପକୁ ନାଶ କରନ୍ତି । ବଗଳା ଶତ୍ରୁ ବଶୀଭୂତ ଓ ବିବାଦରେ ବିଜୟଦାତ୍ରୀ । ସେ ପୀତବର୍ଣ୍ଣା ଓ ଗମ୍ଭୀରାକୃତି-। ଶ୍ୟାମଳାଙ୍ଗୀ ମାତଙ୍ଗୀ ସୁନ୍ଦରୀ । ସେ ଭୋଗ ପ୍ରଦାୟିନୀ । ସ୍ଵର୍ଣ୍ଣାଭ କମଳା ଧନ, ଐଶ୍ୱର୍ଯ୍ୟ ଓ ସୁଖ ପ୍ରଦାୟିନୀ । ଜଗତଜନନୀଙ୍କୁ ବିଭିନ୍ନ ଭାବେ କାମନା ଭେଦରେ ମୂର୍ତ୍ତି ଭେଦ କଳ୍ପନା କରାଯାଇଛି-। ଗୀତାରେ ଭଗବାନ କହିଛନ୍ତି ଯେ, ‘ଯେ ଯଥା ମାଂ ପ୍ରପଦ୍ୟନ୍ତେ ତା ସ୍ତଥୈବ ଭଜାମ୍ୟହମ୍-।’ ଅର୍ଥାତ୍ ମୋତେ ଯିଏ ଯେପରି ପାଇବା ପାଇଁ ଭଜନ କରେ ମୁଁ ତାଙ୍କୁ ସେହିପରି ଫଳ ଦେଇଥାଏ-। (ଶ୍ରୀ ସପ୍ତସତୀ ଚଣ୍ଡୀରୁ ସଂଗୃହୀତ) ।

 

ଦୁର୍ଗାପୂଜା ଅବସରରେ ଏଇ ମାୟାମୋହ ରୂପୀ ସଂସାରର ମାୟାବନ୍ଧନ ଛିନ୍ନ କରିବା ସହଜ ନୁହେଁ, କିନ୍ତୁ ଅସାଧ୍ୟ ମଧ୍ୟ ନୁହେଁ । କିନ୍ତୁ ଏଥିପାଇଁ ସାଧନା ଆରମ୍ଭ କରିବାର ଅମୃତ ବେଳ ଇଏ । ସବୁ ନିର୍ଭର କରେ ଭକ୍ତର ନିଷ୍ଠା, ଏକାଗ୍ର ସାଧନା ଓ ସମର୍ପଣ ଉପରେ । ମା’ଙ୍କୁ ଆମେ କିପରି ପ୍ରାର୍ଥନା କରିବା ତାହା ଆମର ନିଷ୍ଠା, ଏକାଗ୍ର ସାଧନା ଓ ସମର୍ପଣ ଉପରେ । ମା’ଙ୍କୁ ଆମେ କିପରି ପ୍ରାର୍ଥନା କରିବା ତାହା ଆମର ନିଷ୍ଠା, ଏକାଗ୍ରତା ଓ ସମର୍ପଣ ଉପରେ ନିର୍ଭର କରେ । ଭକ୍ତର ସମର୍ପଣ ଭାବ ହିଁ ଶ୍ରେଷ୍ଠ । ସେତେବେଳେ ସେ କୃପା କରନ୍ତି । ଯେତେବେଳ ପର୍ଯ୍ୟନ୍ତ ନିଜ ଛାତି ଉପରେ ହାତ ରଖି ଦ୍ରୌପଦୀ ଶ୍ରୀକୃଷ୍ଣଙ୍କୁ ତ୍ରାଣ କର ତ୍ରାଣ କର ବୋଲି ଡାକୁଥିଲେ ସେ ପର୍ଯ୍ୟନ୍ତ ଦୁଃଶାସନ ତାଙ୍କୁ ବିବସ୍ତ୍ର କରିବା ପାଇଁ ଚେଷ୍ଟା କରୁଥାଏ, କିନ୍ତୁ ଯେଉଁ କ୍ଷଣି ଦ୍ରୌପଦୀ ଦୁଇହାତ ଟେକି ନିଜକୁ ପ୍ରଭୁଙ୍କ ପାଦପଦ୍ମରେ ସମର୍ପଣ କଲେ ପରମ ଦୟାଳୁ ଭଗବାନ ସେହି କ୍ଷଣରେ ଦ୍ରୌପଦୀଙ୍କୁ ବସ୍ତ୍ର ଦାନ କଲେ । ଦୁଃଶାସନର ଶକ୍ତି ନାହିଁ ଏତେବସ୍ତ୍ର ଟାଣିବା ପାଇଁ । ସୁତରାଂ ଏକାଗ୍ର ଚିତ୍ତରେ ମା’ଙ୍କୁ ପ୍ରାର୍ଥନା କଲେ ମା ରକ୍ଷା କରିବେ ଭକ୍ତମାନଙ୍କୁ । ଭକ୍ତି ଓ ସମର୍ପଣ ବିନା ସେ ଅଲଭ୍ୟ ।

 

ମହାମାୟାଙ୍କୁ ନିଷ୍ଠା ଓ ସମର୍ପଣ ଭାବ ନେଇ ପ୍ରାର୍ଥନା କଲେ ସେ ପ୍ରସନ୍ନା ହୁଅନ୍ତି । ମାୟାମୋହରେ ଆଚ୍ଛନ୍ନ ମଣିଷ ମଧ୍ୟ ତାଙ୍କୁ ମାତାରୂପେ ପୂଜା କରି ମାୟା ଓ ମୋହରୁ ବନ୍ଧନମୁକ୍ତ ହୋଇଥାଏ । ରାଜ୍ୟଭ୍ରଷ୍ଟ ସୁରଥ ରାଜା ଦେବୀଙ୍କୁ ପୂଜାର୍ଚ୍ଚନା କରି ରାଜ୍ୟ ଫେରି ପାଇଲେ । ଶ୍ରୀ ଶ୍ରୀ ଚଣ୍ଡୀର ଶେଷରେ ମାର୍କଣ୍ଡେୟ ଋଷି କହୁଛନ୍ତି ଯେ ଏହିପରି ଦେବୀଙ୍କ ଠାରୁ ବରଲାଭ କରି କ୍ଷତ୍ରିୟ ଶ୍ରେଷ୍ଠ ସୁରଥ ସୂର୍ଯ୍ୟଙ୍କଠାରୁ ଜନ୍ମଲାଭ କରି ଥିଲେ ବୋଲି ସାବର୍ଣ୍ଣ ମନୁଭାବେ ଖ୍ୟାତ ହୁଏତ ଦିନ ଆସିବ ଯେତେବେଳେ ସ୍ତ୍ରୀ ଓ ପୁରୁଷର ମିଳନରୁ ନୁହେଁ ଶୂନ୍ୟମଣ୍ଡଳରୁ ସୃଷ୍ଟି ହେବ ପ୍ରାଣୀଜଗତ ।

 

ମୟୂରଭଞ୍ଜ ଜିଲ୍ଲାର ଜଗନ୍ନାଥଖୁଣ୍ଟା ଗ୍ରାମରେ ୧୯୩୬ ମସିହାରେ ଶ୍ରୀମତୀ ଗୀତା ହୋତାଙ୍କର ଜନ୍ମ । ବାଲ୍ୟ, କୈଶୋର ସେ ମେଦିନୀପୁର ଜିଲ୍ଲାର ଗୋପିବଲ୍ଲଭପୁର ନୟାବସାଣଠାରେ ଅତିବାହିତ କରିଥିଲେ । ସେତିକିବେଳେ ସେ ବିପ୍ଳବୀ ଓ ସ୍ଵାଧୀନତା ସଂଗ୍ରାମୀମାନଙ୍କ ସଂପର୍କରେ ଆସିଥିଲେ ଓ ବାନରସେନାରେ ଯୋଗ ଦେଇଥିଲେ । ଗୀତ ଲେଖିବା, ଗୀତ ବୋଲିବା ଓ ସାହିତ୍ୟ ପ୍ରତି ଅନୁରାଗ ପିଲାବେଳୁ । ସ୍ୱାମୀ ରେଳବାଇରେ ଥିଲାବେଳେ ସେ ଭାରତବର୍ଷର ବହୁସ୍ଥାନ ଭ୍ରମଣ କରିବାର ସୁଯୋଗ ପାଇଛନ୍ତି । ସେ ଦୀର୍ଘକାଳ ପଶ୍ଚିମବଙ୍ଗ, ଆସାମ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଇତ୍ୟାଦି ସ୍ଥାନରେ କଟାଇଛନ୍ତି । ମାସିକ ସାହିତ୍ୟ ପତ୍ରିକା ‘ଅମୃତାୟନ’ର ସେ ପ୍ରତିଷ୍ଠାତା ସଂପାଦିକା । ସକ୍ରିୟ ରାଜନୀତିରେ ମଧ୍ୟ ସେ କିଛି ସମୟ ରହିଥିଲେ । ସମାଜସେବାରେ ଅଗ୍ରଣୀ ଭୂମିକା ନେଇଛନ୍ତି । ତାଙ୍କର ଏଯାବତ୍ ତେରଗୋଟି ପୁସ୍ତକ ପ୍ରକାଶିତ ।

Image